ଭାଷା ସାମ୍ରାଜ୍ୟ ପାଇଁ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ନିଆଯିବ : ଭାଷା ଅନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ନିଷ୍ପତ୍ତି  

(ସୂତ୍ର : ଆମ ଭାଷା ଆମ ଅଧିକାର)

ଗତ ରବିବାର(୨୩/୦୮/୨୦୨୦)ସନ୍ଧ୍ୟାରେ, ଭାଷା ଆନ୍ଦୋଳନର ସାପ୍ତାହିକ ଆଲୋଚନାଚକ୍ର ଭର୍ଚୁଆଲ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନାଚକ୍ରରେ ଓଡ଼ିଶାର କୋଣ ଅନୁକୋଣରୁ ଭାଷାପ୍ରେମୀ ମାନେ ଅଂଶଗ୍ରହଣ କରିଥିଲେ।

ଶ୍ରୀଯୁକ୍ତ ମହେନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ଭାଷା ବନ୍ଦନାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ତତ୍ପରେ ଶ୍ରୀ ଶଶିକାନ୍ତ ପଣ୍ଡା ସ୍ୱରଚିତ କବିତା “ଶବ୍ଦ-ଭାଷା” ଆବୃତ୍ତି କରିଥିଲେ। ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା,” ଓଡ଼ିଆ ଭାଷାର ସୁରକ୍ଷାରେ ସାହିତ୍ୟ ସଂଗଠନ/ଅନୁଷ୍ଠାନ ଗୁଡିକର ଭୂମିକା”। ଶ୍ରୀଯୁକ୍ତ ସୁଶାନ୍ତ ମାହାଳି, ନିଜ ଆଲୋଚନା ମାଧ୍ୟମରେ ନିମ୍ନ କେତୋଟି ମୁଖ୍ୟ ଦିଗ ପ୍ରତି ଆଲୋକପାତ କରିଥିଲେ। ସେଗୁଡିକ ହେଲା-

୧. ଓଡ଼ିଆ ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନଗୁଡିକ ଭାଷା ଆନ୍ଦୋଳନ ସହ ନିଜକୁ ସାମିଲ କରିବା ଉଚିତ;

୨. ଓଡ଼ିଆ ଭାଷା-ସାହିତ୍ୟରେ ନବ ପ୍ରତିଭାମାନଙ୍କ ଉନ୍ମେଷ ଓ କ୍ରମ-ବିକାଶରେ ଏହି ଅନୁଷ୍ଠାନ/ସଙ୍ଗଠନମାନେ ନିଜ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିବା ଆବଶ୍ୟକ;

୩. ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନଗୁଡ଼ିକ ରାଜନୀତିରୁ ଦୂରେଇ ରହି ଭାଷା ସ୍ୱାର୍ଥ ପାଇଁ କାମ କରିବା ଆବଶ୍ୟକ;

୪. ଓଡ଼ିଆ ଭାଷା ସାମ୍ରାଜ୍ୟର ଆଵଶ୍ୟକତା ଉପରେ ଅଧିକ ଗବେଷଣା ଓ ଏହି ଗବେଷଣାଲବ୍ଧ ଜ୍ଞାନର ପ୍ରଚାର-ପ୍ରସାର ମଧ୍ୟ ଆବଶ୍ୟକ;

୫. ଭାଷା ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ଆମକୁ ଏକ ଦୀର୍ଘ-ମିଆଦୀ ଯୋଜନା ପ୍ରସ୍ତୁତ କରିବା ସହିତ ଏକ ସୁଦୃଢ ବ୍ୟବସ୍ଥା ବିକଶିତକରିବାକୁ ହେବ।

ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ଭାଷାପ୍ରେମୀ  ରାଜେଶ ଶତପଥୀ, ଶ୍ୟାମଘନ ମହାରଣା, ନିରଂଜନ ଖିଲ୍ଲାର, ସୌଭାଗ୍ୟ ରାଉତ,ଶଶିକାନ୍ତ ପଣ୍ଡା, ଅଶୋକ ମହାରଣା,ମହେନ୍ଦ୍ର ତ୍ରିପାଠୀ, ସୁଶାନ୍ତ ସେଠୀ, ସୁଶାନ୍ତ ମାହାଳି,ତୃପ୍ତିମୟୀ ପାତ୍ର, ମଞ୍ଜୁଳା କର,ସରୋଜ କୁମାର ମହାନ୍ତି ଓ ଆମର ପ୍ରିୟ ନିର୍ମଳ ଭାଇ ନିଜ ନିଜ ମତାମତ ପ୍ରଦାନ କରିଥିଲେ। ଏହି ଆଲୋଚନାଚକ୍ର ମାଧ୍ୟମରେ ସମସ୍ତେ ନିମ୍ନ କେତୋଟି ନିଷ୍କର୍ଷରେ ଉପନୀତ ହେଲେ-

*ଆମ ସାହିତ୍ୟିକ ଓ ସାହିତ୍ୟ ଅନୁଷ୍ଠାନ/ସଙ୍ଗଠନମାନଙ୍କୁ ଭାଷା-ମନସ୍କ କରିବାକୁ ପଡିବ;

*ଭାଷା ପାଇଁ ବ୍ୟକ୍ତିଗତ ଶ୍ରଦ୍ଧାଭାବ ସହ ଆମର କର୍ତ୍ତବ୍ୟ ପାଳନ କରିବାକୁ ହେବ;

*ଓଡ଼ିଶାରେ ଓଡ଼ିଆ ଭାଷାର ଅପାଇହାର୍ଯ୍ୟତା ଉପରେ ଆଲୋଚନା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ସର୍ବବିଧ ଉଦ୍ୟମ କରିବାକୁ ହେବ;

*ସାହିତ୍ୟର ବ୍ୟବସାୟୀକରଣ ସମୟରେ, ଆମ ରାଜ୍ୟ ପରିଚାଳନାରେ ଆମ ଭାଷାର ସମ୍ପୂର୍ଣ ବ୍ୟବହାର ପାଇଁ ସହିତ୍ୟିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ହେବ;

*ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଆମକୁ ସମଗ୍ର ଓଡ଼ିଶାରେ ଭାଷା ସାମ୍ରାଜ୍ୟ ସୃଷ୍ଟିର ଆବଶ୍ୟକତା ଉପରେ ଜନ-ଜାଗୃତି ଗଢିତୋଳିବାକୁ ହେବ;

*ଓଡ଼ିଆ ଭାଷା କେବଳ ସାହିତ୍ୟ ଭିତରେ ସୀମିତ ନରହି, ଯେପରି ଜୀବନ-ଜୀବିକାର ହେତୁ ହୁଏ, ତା ପାଇଁ ସାହିତ୍ୟିକମାନଙ୍କ ସହଯୋଗ କାମନା କରାଯିବ;

*ଆମ ଶିକ୍ଷା-ବ୍ୟବସ୍ଥାରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ ପ୍ରଧାନ୍ୟ ଦେବାକୁ ଶୈକ୍ଷିକ ବିପ୍ଲବ ସୃଷ୍ଟିକରିବାକୁ ହେବ ।

 

ପରିଶେଷରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟନାୟକ ଆନ୍ଦୋଳନର ଅନୁଭୂତି, ଅଭିଜ୍ଞତା ତଥା ଓଡ଼ିଆ ଭାଷାକୁ ରାଜଭାଷା କରିବା ପଥରେ ଥିବା ଅନ୍ତରାୟ ବିଷୟରେ ଗଭୀର ଆଲୋକପାତ କରିଥିଲେ ଓ ଏହାର ପ୍ରଶାସନିକ ଓ ନ୍ୟାୟିକ ଦିଗ ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ।

ଓଡ଼ିଶାର ସମସ୍ତ ସାହିତ୍ୟ ସଂଗଠନ/ଅନୁଷ୍ଠାନଗୁଡ଼ିକ ସହ ଯୋଗାଯୋଗ କରିବା ସହ ଭବିଷ୍ୟତରେ ଏକ ଗବେଷଣା ଧର୍ମୀ ପତ୍ରିକା ପ୍ରକାଶନ ପାଇଁ  ନିଷ୍ପତ୍ତି ନିଆଗଲା ।

ଓଡ଼ିଆ କହିବା ସାଙ୍ଗମାନେ ଆସ, ବସ


                         -ମନୋରଞ୍ଜନ ଚୌଧୁରୀ (କଟକ)
[ମନୋରଞ୍ଜନ ଚୌଧୁରୀ ଜଣେ ଆଶୁ କବି । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ଵିତୀୟ ଶ୍ରେଣୀ ଓ ପେଷାରେ ସେ ଜଣେ ସାଇକେଲ ଦୋକାନୀ । ତୁଣ୍ଡେ ତୁଣ୍ଡେ ସେ ସୃଷ୍ଟି କରୁଥିବା କବିତାଗୁଡ଼ିକୁ କିଛି ଉତ୍ସାହୀ ଯୁବକ ଟିପିଦେଇ ସାମାଜିକ ଗଣମାଧ୍ୟମରେ ଦିଅନ୍ତି । ଏଗୁଡ଼ିକ ସାଧାରଣତଃ ଜୀବନଧର୍ମୀ ଓ ପ୍ରେମ କବିତା । ଫଳରେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବପିଢ଼ିଙ୍କ ନିକଟରେ ସେ ସୁପରିଚିତ । ତାଙ୍କର ଏହି କବିତାଟି ଓଡ଼ିଆ ଭାଷାର ସାଂପ୍ରତିକ ଅବସ୍ଥା ଉପରେ ଆଧାରିତ । ]

ଓଡ଼ିଶା ଆମ ଦେଶ
ନିଶକୁ ମୋଡ଼ି, ଓଡ଼ିଆ କହିବା
ସାଙ୍ଗମାନେ ଆସ ବସ ।

ଓଡ଼ିଆ ମାଟିରେ ଜନ୍ମ ମୋହର,
ପ୍ରିୟ ମୋ ପଖାଳ କଂସା ।
ଯାହା ମୁଁ କହିବି ସତ ମୁଁ କହିବି,
ଦରକାର ହେଲେ ଇଂଲିଶ କହିବି;
ସବୁବେଳେ କିନ୍ତୁ ଇଂଲିଶ କହି
ହେବିନି ମୁଁ ଲୋକହସା ।

ଓଡ଼ିଶା ମୋହର ଗର୍ବ ଗୌରବ,
ଓଡ଼ିଆ ମୋହର ଭାଷା ।
ମୋ ମା ବାପଙ୍କର ଭାଷା ॥

ମା ଡାକେ ଯଉ ମଜା ଅଛି ମମି ଡାକରେ ନାହିଁ ।
ବାପା ଡାକେ ଯଉ ମଜା ଅଛି ଡାଡି ଡାକରେ ନାହିଁ ।
ମୁଁ କହିବି ମୋହରି ଭାଷା ,
ମୋ ମା ବାପଙ୍କର ଭାଷା ।


ସାହିତ୍ୟିକମାନେ ଭାଷା ଜାତୀୟତା ପାଇଁ ଉଦ୍ୟମ କରନ୍ତୁ : ଭାଷା ଆନ୍ଦୋଳନର ରବିବାସରୀୟ ପାଠଚକ୍ର

(ସୂତ୍ର : ଆମ ଭାଷା ଆମ ଅଧିକାର)

ଗତ ରବିବାର ସନ୍ଧ୍ୟାରେ ଭାଷା ଆନ୍ଦୋଳନର ସପ୍ତାହନ୍ତ ଭର୍ଚୁଆଲ୍ ପାଠଚକ୍ରରେ ଭାଇ ମହେନ୍ଦ୍ର ତ୍ରିପାଠୀ , ସୁଶାନ୍ତ କୁମାର ମାହାଳି, ସରୋଜ କୁମାର ମହାନ୍ତି, ଶ୍ୟାମଘନ ମହାରଣା ଓ ରଞ୍ଜନ କୁମାର ସାହୁ ସ୍ଵରଚିତ କବିତା ମାଧ୍ୟମରେ ଓଡ଼ିଆଭାଷା ମାଆର ମହତ୍ଵ ଅଙ୍କନ କରିଥିବା ବେଳେ, ଭାଇ ସରୋଜ କୁମାର ମହାନ୍ତି ଭିତ୍ତିବକ୍ତବ୍ୟ ପ୍ରଦାନ କରି ଓଡ଼ିଶାର ସାହିତ୍ୟିକମାନେ ଉଦାସୀନତା ପରିହାର କରି ଭାଷା ଜାତୀୟତାର ବହ୍ନି ପ୍ରଜ୍ଜ୍ଵଳିତ କରିବାକୁ ଆହ୍ଵାନ ଦେଇଥିଲେ । ସେ କହିଥିଲେ,

ମୁଁ କିଏ? କ’ଣ ମୋ’ର ପରିଚୟ?? ଯଦି କେହି ନିଜକୁ ସର୍ବ-ଭାରତୀୟ ତଥା ଜାତୀୟ ସ୍ତରରେ ଏହି ପ୍ରଶ୍ନ ପଚାରେ, ତେବେ ଉତ୍ତର କଣ ଆସିବ? ମୁଁ ନିଶ୍ଚୟ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବି । ମୋର ପରିଚୟ ହେବ, ଓଡ଼ିଆ ଭାଷାକୁ ନେଇ। ମୋର ପରିଚୟ ହେବ, ଓଡ଼ିଆ ଭାଷା ପ୍ରଚଳିତ(କଥିତ ଓ ଲିଖିତ) ଭୂଖଣ୍ଡ ଅନୁସାରେ । ଏହାର ଅର୍ଥ ମୋର ପରିଚୟ , ମୋ’ଭାଷା ଉପରେ ଆଧାରିତ । ଏଠି ଓଡ଼ିଆ ଭାଷା, ମୋ’ ଜନ୍ମ କଲା ମା’/ ବୋଉ ଭଳି । କାରଣ, ସେହି ଭାଷାର ହାତଧରି ମୁଁ ଶିଖିବା ଆରମ୍ଭ କରିଥିଲି । ତାରି ସହାୟତାରେ ମୋ’ ଆନୁଷ୍ଠାନିକ ଶିକ୍ଷାର ମୂଳଦୁଆ ପଡ଼ିଥିଲା । ମୁଁ ଛୋଟରୁ ବଡ଼ ହେଲି, ପ୍ରତିଷ୍ଠା ଲାଭ କଲି ।
                ଅଥଚ ମୋ’ ପିଲାଙ୍କୁ ସେହି ଭାଷାର ମହତ୍ତ୍ୱଠାରୁ ଦୂରେଇ ଦେଇ,କେବଳ ବିଦେଶୀ ଭାଷାର ମୋହରେ ଲୋଭଗ୍ରସ୍ତ କଲି । ପରିଶେଷରେ ମୋ’ ମାତୃଭାଷାକୁ ବୃଦ୍ଧାଶ୍ରମରେ ଛାଡି ଚିନ୍ତାମୁକ୍ତ ହୋଇଗଲି ।
                ଏଭଳି ସମସ୍ୟା ଆଜିକାଲି ପ୍ରାୟତଃ ସମ୍ଭ୍ରାନ୍ତ ଶ୍ରେଣୀରୁ ଧିରେ ଧିରେ ତଳ ସ୍ତରକୁ ମାଡ଼ିଲାଣି । ଏହାର କାରଣ ଅଳ୍ପ ବହୁତେ ସମସ୍ତଙ୍କୁ ଜଣା । କିନ୍ତୁ ସଚେତନ ହେବାକୁ ଆମେ ପ୍ରସ୍ତୁତ ନୁହଁ ।ଏଭଳି ପରିସ୍ଥିତିରେ ଆମ ଭାଷାର ସାହିତ୍ୟିକମାନଙ୍କ ସ୍ୱାର୍ଥପରତା, କୌଣସି ଗୁଣରେ କମ ନୁହେଁ । ଓଡ଼ିଆ ଭାଷା, ଲିପି ଓ ଶବ୍ଦକୁ ନେଇ ସାହିତ୍ୟ । ସାହିତ୍ୟ ସାଧନାରୁ, ସାହିତ୍ୟିକର ନିଜସ୍ୱ ପରିଚୟ । କିନ୍ତୁ, ବିଡମ୍ବନାର ବିଷୟ ଏହା ଯେ, ସେମାନେ(ଅଳ୍ପ କିଛିଙ୍କୁ ବାଦ ଦେଇ) ନିଜର ପ୍ରତିଷ୍ଠା, ସମ୍ମାନ,ପୁରସ୍କାର, ଧନରାଶିର ଲାଳସାରେ ବ୍ୟସ୍ତ ରହିଲେ । ସାହିତ୍ୟକୁ ଏକଚାଟିଆ ଭାବେ ବନ୍ଦୀ କରି ରଖିବାକୁ ଚେଷ୍ଟା କଲେ । ସାହିତ୍ୟରେ ନବ ପ୍ରତିଭାମାନଙ୍କର ଉନ୍ମେଷ ହେଲେ ବି, କ୍ରମବିକାଶ ହୋଇପାରିଲା ନାହିଁ । ଆମ ସାହିତ୍ୟିକମାନେ, ସାହିତ୍ୟକୁ କେଵଳ ଆନୁଷ୍ଠାନିକ ଭାବେ ଓଡ଼ିଆ ଅଧ୍ୟାପନା, ଗବେଷଣା ଭିତରେ ସୀମିତ ରଖିଲେ ।
               କବିତା,ଗଳ୍ପ,ପ୍ରବନ୍ଧ,ଉପନ୍ୟାସ, ଆତ୍ମ-ଜୀବନୀ,ଭ୍ରମଣ କାହାଣୀ, ଅନୁବାଦଗୁଡିକ ଆନୁଷ୍ଠାନିକ ସାହିତ୍ୟ ସାଧନା ଭିତରେ ସୀମାବଦ୍ଧ ରହିଲେ । ବସ୍ତୁ-ବିଜ୍ଞାନ, ଅର୍ଥନୀତି, ସାମାଜିକ ବିଜ୍ଞାନ,ନୃତତ୍ତ୍ୱ,ତର୍କ ଶାସ୍ତ୍ର,ମନସ୍ତତ୍ତ୍ୱ, ଦର୍ଶନ,ଆଧ୍ୟାତ୍ମିକତା,ଭେଷଜ ବିଜ୍ଞାନ/ଚିକିତ୍ସା ବିଜ୍ଞାନ ସମ୍ବଳିତ ଲେଖା ଓ ଲେଖକଙ୍କୁ ଆମ ସାହିତ୍ୟ ସ୍ୱୀକୃତି ଦେଲାନାହିଁ । ଅଳ୍ପ କେତେଜଣ ନିଜକୁ ପ୍ରତିଷ୍ଠା କଲେ ମଧ୍ୟ, ନିଜର କ୍ଷୋଭ ପ୍ରକାଶ କଲେ । ଓଡ଼ିଆ ଯାତ୍ରା-ଜଗତର ଲେଖକ,ଚଳଚ୍ଚିତ୍ର ଜଗତର ଲେଖକ, ମଂଚ-ନାଟକର ଲେଖକମାନଙ୍କୁ ମଧ୍ୟ ବାରଣ କରି ରଖାଗଲା । ଲୋକ-କଳା, ଲୋକ ସଂସ୍କୃତି, ଲୋକନାଟ୍ୟ, ସଙ୍ଗୀତ ଶାସ୍ତ୍ର, ଚିତ୍ରଶାସ୍ତ୍ରକୁ ମଧ୍ୟ ବ୍ୟାପକ ଭାବେ ଅଲଗା କରି ରଖାଗଲା । ବିଜ୍ଞାନ-ପ୍ରଯୁକ୍ତିବିଦ୍ୟାକୁ ଧାରଣ କରିବାର କ୍ଷମତା ଆମ ଭାଷାରେ ଥିଲେ ବି, ଆମ ସାହିତ୍ୟିକମାନଙ୍କ ଅଦୂରଦର୍ଶିତା ଓ ଅହଂକାର ଯୋଗୁ, ତାହା ସମୃଦ୍ଧ ହୋଇ ପାରିଲା ନାହିଁ । ମାତୃଭାଷା ଓ ବ୍ୟକ୍ତିତ୍ୱ ବିକାଶରେ ତାର ଭୂମିକା ଉପରେ ଗବେଷଣା ଓ ସଚେତନତା ସୃଷ୍ଟି ଭଳି କିଛି କାର୍ଯ୍ୟକ୍ରମ ହେଲାନାହିଁ । ଆମ ପତ୍ରି-ପତ୍ରିକା ଓ ସମ୍ପାଦକ( ଅଳ୍ପ କେତେଜଣଙ୍କୁ ବାଦ ଦେଇ) ମଧ୍ୟ ନିଜ କର୍ତ୍ତବ୍ୟ ସଠିକ ରୂପେ କଲେନାହିଁ । ସରକାରୀ କଳ ମଧ୍ୟ ନିଜ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କଲାନାହିଁ । କେବଳ ଭାଷା ଆଇନକୁ ପ୍ରଣୟନ କରିଦେଇ, ଚୁପଚାପ ବସି ରହିଲେ। ନୀତି, ନିୟମ ପ୍ରଣୟନ କଲେ ମଧ୍ୟ, ବିନିୟମକୁ କୋହଳ କରିଦେବା ହେତୁ;ପ୍ରଶାସନିକ ସ୍ତରରେ ବ୍ୟବହାର ଫଳପ୍ରଦ ହେଲାନାହିଁ ।
                ଥରେ ଭାବନ୍ତୁ ତ, ଯେଉଁ ଭାଷା ଆମକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଜ୍ଞାନ ମଣ୍ଡଳ ଦେଲା, ସେହି ଭାଷାକୁ ଆମେ କଣ ସମ୍ମାନ ଦେଲେ? ନିଜ ଦୋଷ ଓ ତ୍ରୁଟି ପାଇଁ ତାକୁ ବନ୍ଦୀ କରି ଦେଇନେ ତ? କିଏ ତାକୁ ମୁକ୍ତ କରି ,ସମୃଦ୍ଧ କରିବ? ମୋର ଅନୁରୋଧ, ଆମେ ନିଜେ ପ୍ରଥମେ ବ୍ୟକ୍ତିଗତ ସ୍ତରରୁ ଏହି କାର୍ଯ୍ୟ ଆରମ୍ଭ କରିବା । ସମଗ୍ର ଓଡ଼ିଆ ଜନ-ଜୀବନରେ ପ୍ରଚାର ଓ ପ୍ରସାର କରି; ଆମ ଭାଷା ଓ ସାହିତ୍ୟକୁ ସଂକୀର୍ଣ୍ଣତାରୁ ମୁକ୍ତ କରିବା । ଆମ ସାହିତ୍ୟିକମାନେ ଉଦାସୀନତା ପରିହାର କରି ଓଡ଼ିଶାରେ କିପରି ଭାଷା ଜାତୀୟତାର ପ୍ଲାବନ ଖେଳିବ ସେଥିପାଇଁ ତତ୍ପରତା ପ୍ରଦର୍ଶନ କରନ୍ତୁ ।

               ପାଠଚକ୍ର ଆରମ୍ଭରେ ରଞ୍ଜନ କୁମାର ସାହୁ ଭାଷା ବନ୍ଦନା ଗାଁ କରିଥିଲେ । ଉପସ୍ଥିତ ଥିଲେ ‘ମହାନ ଆମ ମାତୃଭାଷା ସଂଘ’ର ପ୍ରତିଷ୍ଠାତା ରାଜେଶ ଶତପଥୀ ଓ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ।

ଓଡ଼ିଆଭାଷାକୁ ନଷ୍ଟ କରା ହେଉଛି, ତାକୁ ରକ୍ଷା କରିବାକୁ ହେବ : ବୈଷ୍ଣବ ଚରଣ ମହାନ୍ତି

ଓଡ଼ିଶା ଦାପ୍ତରିକ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉନଥିବା ଫଳରେ ଓଡ଼ିଆ ଭାଷା ତାର ବ୍ୟବହାରିକ ଅପରିହାର୍ଯ୍ୟତା ହରାଇ ନଷ୍ଟ ହେବାକୁ ବସିଲାଣି; ତାକୁ ରକ୍ଷା କରିବାକୁ ହେବ ।

ଆଜି ସକାଳ ୧୦ ବେଳେ ଭାଷା ଆନ୍ଦୋଳନର ଡିଜିଟାଲ କଳା ପତାକା ଅଭିଯାନ ମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ଫେସ୍ ବୁକ୍ ମାଧ୍ୟମରେ ସିଧା ପ୍ରସାରିତ ଭାଷଣରେ ଏହା କହିଛନ୍ତି ସ୍ଵନାମଧାନ୍ୟ ପ୍ରାବନ୍ଧିକ ଓ ଚିନ୍ତକ ବୈଷ୍ଣବ ଚରଣ ମହାନ୍ତି ।

ଯାନ୍ତ୍ରିକ ଉପଯୋଗ ପାଇଁ ଆବଶ୍ୟକୀୟ ଲିପି ସଂସ୍କାର ଠାରୁ ଆରମ୍ଭ କରି ପ୍ରଶାସନିକ ଶବ୍ଦକୋଷ ସୃଷ୍ଟି ଆଳରେ ଓଡ଼ିଆ ଭାଷାର ଦାପ୍ତରିକ  ବ୍ୟବହାର ବାଧା ପାଇ ଆସିଥିବା ବେଳେ କମ୍ପୁଟର ଯୁଗରେ ମଧ୍ୟ ତତ୍ତୁଲ୍ୟ ବାଧା ଆମ ଭାଷାର ପ୍ରାଥମିକତା ନଷ୍ଟ କରିବାକୁ ବସିଛି ବୋଲି ସେ କହିଥିଲେ ଓ ଏହି ଦୃଶ୍ୟପଟର ପରିବର୍ତ୍ତନ ପାଇଁ ଐକ୍ୟବଦ୍ଧ ଉଦ୍ୟମ ପାଇଁ ଆହ୍ଵାନ ଦେଇଛନ୍ତି  । 

ମହାନ ଆମ ମାତୃଭାଷା ଓ ସ୍ଵଭାବକବି ଗଙ୍ଗାଧର

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଏବେ ଆମ ଜାତି ଏକ ମହା ବିପଦରେ ପଡିଛି । ଏହିପରି ବିପଦରେ ପଡ଼ି ବିଶାଶହେ ବର୍ଷ ତଳେ ଆମ ଜାତି ଯେତେବେଳେ ଆର୍ତ୍ତନାଦ କରୁଥିଲା, ସେହି ବିପଦର ବିଲୋପନ ପାଇଁ ଅଣ୍ଟାଭିଡ଼ିଥିଲେ ଗଙ୍ଗାଧର ମେହେର । କଣ ଥିଲା ସେହି ବିପଦ? ତା ଉପରେ ଦୃଷ୍ଟିପାତ କରି ମୁଁ ମେହେରଙ୍କ ପାଖକୁ ଆସିବି ।

କଳେବଳେକୌଶଳେ ଇଂରାଜି ଲୋକେ ଓଡିଶା ଦଖଲ କରିଗଲେ । ଓଡ଼ିଶା ବିରୁଦ୍ଧରେ ସେତେବେଳେ ଯୁଦ୍ଧରେ ଲିପ୍ତ ଥିବା ବିଲାତି ବାହିନୀର ଅନ୍ୟତମ ତୁଙ୍ଗ ବ୍ୟକ୍ତି ଜି॰ଟୟନବି ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇ A sketch of the history of Orissa ଗ୍ରନ୍ଥରେ ଲେଖିଛନ୍ତି, “ଆମ ଝୋଲାମରା ସରିନି, ଏପରି ଏକ ଭୀଷଣ ଝଡ଼ ଆମ ଉପରକୁ ମାଡ଼ିଆସିଥିଲା, ଯାହା ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ବି ଖୁରୁଧାରୁ ନିଷ୍କାସିତ କରିଦେବାକୁ ଥିଲା ଯଥେଷ୍ଟ ।” ଫିରିଙ୍ଗୀଙ୍କ ପୋଲିସ ଓ ସେନା ବାହିନୀ ହତାଶ ହୋଇଗଲେ । ସେତେବେଳର ଯୁଗ୍ମ ବିଚାରପତି ଡବ୍ଲ୍ୟୁ ଫରେଷ୍ଟର କମିଶନର ରବର୍ଟ କେରଙ୍କୁ ୯.୯.୧୮୧୮ ତାରିଖରେ ଜଣାଇଲେ, ଓଡ଼ିଶା ମୂଳକର ପ୍ରକୃତି ଏବଂ ଓଡିଆ ଜାତିର ମିଜାଜ ଏପରି ଯେ, ପୋଲିସ ଓ ସେନା ବଳ ଏଠି କିଛି କାମ କରିବନି । ଫରେଷ୍ଟରଙ୍କ ରିପୋର୍ଟ ପାଇ ଇଂରାଜମାନେ ବକ୍ସି ଜଗବନ୍ଧୁଙ୍କ ସହ ସନ୍ଧିକଲେ ଓ ସେହି ଶେଷ ବାଧା ଅପସରିଗଲା ପରେ, ରାଜା ଜମିଦାରମାନଙ୍କ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶାର ଅନ୍ତର୍ନିହିତ ଶକ୍ତି କ’ଣ ତାହା ଜାଣିବାକୁ ଚେଷ୍ଟା କଲେ । ଦେଖିଲେ ଯେ, ପରସ୍ପର ଦ୍ଵନ୍ଦ୍ଵରତ ୩୬ ଗଡ଼ଜାତ ଓ ପରସ୍ପର ପ୍ରତିଦ୍ଵନ୍ଦୀ ଜମିଦାରୀ ସମୂହ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶା ମାଟିର ସର୍ବତ୍ର ସବୁଲୋକେ ଗୋଟିଏ ଭାଷା କହନ୍ତି ଏବଂ ବୁଝନ୍ତି ଓ ତାହା ହିଁ ସେମାନଙ୍କ ମାତୃଭାଷା ଓଡ଼ିଆ । ଗୋଟିଏ ବିଶାଳ ନଦୀର ଉପନଦୀ ପରି ଏହି ଭାଷାକୁ ପରିପୁଷ୍ଟ କରି ଏହାର ଅନ୍ତର୍ଗତ ହୋଇଛି ବହୁ ଉପଭାଷା । ଏହି ମହାନ ଓଡ଼ିଆ ଭାଷା ହିଁ ଭୌଗୋଳିକ ଜାତୀୟତାହୀନ ଦୁର୍ଦ୍ଧର୍ଷ ଓଡ଼ିଆ ଜାତିକୁ ଏକ ଅଦୃଶ୍ୟ ଐକ୍ୟସୂତ୍ରରେ ବାନ୍ଧିରଖିଛି । ଓଡ଼ିଆ ଭାଷା ହିଁ ଏହି ଜାତିର ଶକ୍ତି । ସେମାନେ ଏକଥା ବି ଦେଖିଲେ ଯେ, ଓଡ଼ିଆ ଜାତିକୁ ତାର ଅନମନୀୟ ମିଜାଜ ହେତୁ ପଡ଼ୋଶୀ ପ୍ରଦେଶବାସୀମାନେ ପ୍ରବଳ ଈର୍ଷା କରନ୍ତି ଓ ସୁଯୋଗ ପାଇଲେ ଦାଉ ସାଧିବାକୁ ଟାକିବସିଥାନ୍ତି । ତେଣୁ ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟକୁ ଉଜାଡ଼ି ଦେବା ପାଇଁ ସେମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗ ଭାଗ କରି ପଡ଼ୋଶୀ ରାଜ୍ୟମାନଙ୍କରେ ଖୁନ୍ଦିଦେଲେ । ଏବଂ ଯାହା ସେମାନେ ଭାବିଥିଲେ ତାହା ହିଁ ହେଲା । ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟ ଭାଙ୍ଗିଗଲା ଓ ପଡ଼ୋଶୀ ପ୍ରଦେଶମାନଙ୍କରେ ଭାଷା ଭିତ୍ତିରେ ସେମାନେ ସଂଖ୍ୟାଲଘୁ ହୋଇଗଲେ । ଅଚିରେ ଅନ୍ୟ ଭାଷାଭାଷୀ ପଡ଼ୋଶୀମାନଙ୍କ ଦୌରାତ୍ମରେ ଭାଙ୍ଗିଗଲା ଓଡ଼ିଆ ଜାତିର ଗରିମା, ତାର ଶୌର୍ଯ୍ୟ । ଓଡ଼ିଶା ମାଟିରେ ବିଲାତି ଶାସନର ସବୁ ଦପ୍ତରରେ ବିଲାତି ପ୍ରଭୁଙ୍କ ଅଣଓଡିଆ ଗୋଲାମମାନେ ରାଜ୍ କଲେ । ସେମାନଙ୍କ ଅତ୍ୟାଚାରରେ ଓଡ଼ିଆ ଭାଷାଭାଷୀମାନଙ୍କର କିପରି ସର୍ବସ୍ଵାନ୍ତ ଘଟିଥିଲା ତହିଁର ତିନୋଟି ପ୍ରାମାଣିକ ଦସ୍ତାବିଜ  ରଖି ସେହି ମହାନ୍ଧକାର ଭିତରୁ ଆମକୁ ଉଦ୍ଧାର କରିବାରେ ସ୍ଵଭାବ କବି ଗଙ୍ଗାଧର କିପରି ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ତାହା ମୁଁ କହିବି ।

ପ୍ରଥମ ଦସ୍ତାବିଜ

ଏହା ହେଉଛି , ଉପକୂଳ ଓଡ଼ିଶା ସମ୍ପର୍କିତ ଡବ୍ଲ୍ୟୁ ଟ୍ରୋୟରଙ୍କ ରିପୋର୍ଟ , ଯାହା ଓଡ଼ିଶା ଅଭିଲେଖାଗାରରେ Revenue Administration in Orissa ଶୀର୍ଷକରେ ସରଂକ୍ଷିତ । ସେତେବେଳେ ଓଡ଼ିଶା ଭାବେ ଚିହ୍ନିତ ଅବିଭକ୍ତ ବାଲେଶ୍ଵର, କଟକ ଓ ପୁରୀରେ ଇଂରେଜମାନଙ୍କ ସବୁ ଦପ୍ତରରେ କର୍ମଚାରୀ ଥିଲେ ସମଗ୍ରତଃ ପ୍ରାୟ ବଙ୍ଗାଳୀ । ଟ୍ରୋୟର ଲେଖିଛନ୍ତି, ଏହି ବଙ୍ଗାଳୀ ଅମଲାମାନେ ଶାସନ ବ୍ୟବସ୍ଥାକୁ ଶୋଷଣ ଓ ଲୁଟପାଟର ବ୍ୟବସ୍ଥାରେ ପରିଣତ କରିଥିଲେ। ତମାମ ଜିଲ୍ଲାର ଲୋକେ ସେମାନଙ୍କୁ ସଂତ୍ରାସ ଓ ମହାବିପତ୍ତି ବୋଲି ଭାବୁଥିଲେ – “A regular system of oppression and peculation appears to exist throughout. These people are considered the terror and scourge of the district.” Continue reading “ମହାନ ଆମ ମାତୃଭାଷା ଓ ସ୍ଵଭାବକବି ଗଙ୍ଗାଧର”