ମାତୃଭାଷା ହିଁ ମୁଖ୍ୟ , ଅନ୍ୟ ସବୁ ଗୌଣ : ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ

ସୁବିଖ୍ୟାତ କଳାପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ଉଦ୍ବୋଧନ ଦେଇ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷାଚୟ ଓ ସାରସ୍ଵତ ଅଧ୍ୟୟନ (Modern Indian Languages & Literary Studies) ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡଃ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଅଗ୍ରାଧିକାର ଦେଇଥିବାରୁ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି ।

ମାତୃଭାଷା ହିଁ ମୁଖ୍ୟ, ଆଉ ସବୁ ଗୌଣ ବୋଲି ଏହି ଶିକ୍ଷାନୀତି ଯେପରି ସ୍ପଷ୍ଟ କରିଛି ତାହା ପୂର୍ବବର୍ତ୍ତୀ ଶିକ୍ଷାନୀତିମାନଙ୍କର ଅଭିଳାଷର ପ୍ରୟୋଗାତ୍ମକ ଅନୁଭୂତିରୁ ଅର୍ଜିତ ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ଦର୍ଶାଇ ପ୍ରଫେସର ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ଓଡ଼ିଶା ସରକାରଙ୍କୁ ଏକ ପରୋକ୍ଷ ପରାମର୍ଶ ଦେଇ କହିଥିଲେ, ମାତୃଭାଷା ହିଁ ଜାତିର ପରିଚୟ ହୋଇଥିବା ହେତୁ ତାର ସଂରକ୍ଷଣ ଆବଶ୍ୟକ । ଏହି ସଂରକ୍ଷଣ ସାହିତ୍ୟକୃତି ମାଧ୍ୟମରେ ନୁହେଁ, ସାହିତ୍ୟଠାରୁ ଭାଷାକୁ ଅଲଗା କରି ତାର ଶୈକ୍ଷିକ ଓ ବ୍ୟବହାରିକ ଉପଯୋଗୀତା ବୃଦ୍ଧି ଦ୍ଵାରା ହିଁ ସମ୍ଭବ ।

ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ୧୯୫୪ରୁ ନିଷ୍କ୍ରିୟ ହୋଇରହିଥିବା ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ସକାଶେ ପ୍ରାୟ ୫ ବର୍ଷ ଧରି ଏହି ଅଭିଯାନ ଚଳାଇଛି । କରୋନା କାଳରେ କାୟିକତଃ ଏହା ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ପ୍ରଥିତଯଶା ବିଜ୍ଞ ବ୍ୟକ୍ତି ଏହି ବୌଦ୍ଧିକ ଅଭିଯାନରେ ଅଂଶଗ୍ରହଣ କରି ଓଡ଼ିଆ ଜାତିକୁ ଦିଗ୍ଦର୍ଶନ ଦେଉଛନ୍ତି । ଏହି କ୍ରମରେ ପ୍ରଫେସର ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଦେଇଥିବା ଅଭିଭାଷଣ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହି ଅଭିଯାନର ନଭମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ହୋଇଥିଲା ।

ଜନଜାତିର ବିକାଶ ପାଇଁ ଓଡ଼ିଆରେ ଓଡ଼ିଶା ଶାସନ ଅପରିହାର୍ଯ୍ୟ : ପ୍ରଫେସର ବିଭୁତିଭୂଷଣ ଆଚାର୍ଯ୍ୟ

ଓଡ଼ିଶାରେ ୬୨ପ୍ରକାର ଜନଜାତି । ସେହିମାନଙ୍କ ଭାଷାର ସମିଶ୍ରିତ ବିକଶିତ ରୂପ ହେଉଛି ଓଡ଼ିଶାର ସମୃଦ୍ଧ ରାଜ୍ୟ ଭାଷା – ଓଡ଼ିଆ । ଓଡ଼ିଆ ଭାଷାର ପ୍ରାଚୀନତା ସପକ୍ଷରେ ଜନ୍ ବିମ୍ସଙ୍କ ମତ , ଏହାକୁ ବୈଦିକ ସଂସ୍କୃତର ସମକାଳୀନ ଓ ଶାସ୍ତ୍ରୀୟ ସଂସ୍କୃତ ଅପେକ୍ଷା ପ୍ରାଚୀନତର ବୋଲି ଭାରତର ଭାଷା ସର୍ବେକ୍ଷଣରେ ସାର୍ ଜର୍ଜ ଗ୍ରୀୟରସନଙ୍କ ନିର୍ଦ୍ଧାରଣ ଏହି ସତ୍ୟ ଉପରେ ଆଧାରିତ । ସୁତରାଂ ଓଡ଼ିଆ ଭାଷାରେ ଓଡ଼ିଶାର ଜନଜାତି ବର୍ଗ ନିଜ ନିଜ ଜନ୍ମଭାଷାର ସନ୍ଦର୍ଶନ କରନ୍ତି । ସେହେତୁ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ହେଲେ ହିଁ ଏହି ୬୨ ଜନଜାତି ରାଜ୍ୟ ପରିଚାଳନାରେ ନିଜ ନିଜ ସକ୍ରିୟ ଭୂମିକା ନିର୍ବାହ କରିପାରିବେ।

ଏହା କହିଛନ୍ତି ଜନଜାତିର ଭାଷା ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ହେତୁ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଫେସର ବିଭୁତିଭୂଷଣ ଆଚାର୍ଯ୍ୟ ଜାନୁଆରୀ ୩ ତାରିଖରେ, ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଭାଷା ଆନ୍ଦୋଳନର କଳାପତାକା ଅଭିଯାନରେ ବୌଦ୍ଧିକ ଅଭିମତ ରଖି ।

ଅମଙ୍ଗ ଲୋକଙ୍କୁ ଓଡ଼ିଆରେ କାମ କରିବାକୁ ଆଇନ ବଳରେ ବାଧ୍ୟ କରାଯାଉ: ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର

ଯେଉଁ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନର ଭାଷା କରିବା ପାଇଁ ସ୍ଵଭାବ କବି ଗଙ୍ଗାଧର ସାରସ୍ଵତ ବିପ୍ଲବ କରିଥିଲେ ତାକୁ ଅକର୍ମଣ୍ୟ କରି ପକାଇରଖି ମାରିଦେବାକୁ ସହ୍ୟ କରାଯିବ ନାହିଁ । ଅମଙ୍ଗ ଲୋକଙ୍କୁ ଓଡ଼ିଆରେ କାମ କରିବାକୁ ଆଇନ ବଳରେ ବାଧ୍ୟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫେସର ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର ।

କରୋନା ହେତୁ କଳାପତାକା ଅଭିଯାନ ଭର୍ଟୁଆଲ ଶୈଳୀରେ ଚାଲୁଛି । ଏହାର ୧୭୧୯ତମ ଦିବସରେ ଆଜି ସକାଳ ୧୦ଟାରେ ଭାଷା ଆନ୍ଦୋଳନର ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଫେସବୁକ ଯୋଗେ ପ୍ରଫେସର ମିଶ୍ରଙ୍କ ଅଭିଭାଷଣ ସିଧା ପ୍ରସାରିତ ହୋଇଥିଲା ।

ଗୋଡ଼ାଣିଆ ନହୋଇ ଓଡ଼ିଆ ହୁଅ ; ରାଜଭାଷା ପ୍ରେକ୍ଷାପଟରେ ବିଜେଡିସଭ୍ୟଙ୍କୁ ପରାମର୍ଶ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାତି ବିରୁଦ୍ଧରେ ଦୁଇଟି ଅପରାଧ କରିଛନ୍ତି । ଆମ ଜାତିକୁ ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ସେ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ସ୍କାମ୍ ସଂଘଟିତ କରିଥିବା ବେଳେ, ଆଉ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ଜାଲିଆତି କରିଛନ୍ତି ।

କ୍ଷମତାସୀନ ଦଳ ତା ଜନ୍ମଦିନ ପାଳୁଥିବା ବେଳେ ମୁଁ ସେମାନଙ୍କୁ ଗୋଡ଼ାଣିଆ ନହୋଇ ଓଡ଼ିଆ ହେବାକୁ ପରାମର୍ଶ ଦେଇଛି ଓ ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ସେମାନଙ୍କ ମାଲିକ (supremo)ଙ୍କ ଠାରୁ ବୁଝନ୍ତୁ ଓ ୨୬.୧୨.୨୦୨୦ରେ ସେମାନେ ପାଳିଥିବା ଦଳୀୟ ଜନ୍ମଦିନରେ ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ହୋଇଥିବା ଘୋଷଣା କୁଆଡ଼େ ଗଲା ବୋଲି ପଚାରନ୍ତୁ ।

 

ଭର୍ଚୁଆଲ କଳାପତାକା ଅଭିଯାନ // ଓଡ଼ିଆ ଭାଷାରେ ହିଁ ଓଡ଼ିଆଜାତିର ଜୀବନ ଦର୍ଶନ ନିହିତ: ଅଧ୍ୟାପକ ନିରଞ୍ଜନ ପାଢ଼ୀ

ଅଧ୍ୟାପକ ପାଢ଼ୀଙ୍କ ଅଭିଭାଷଣ