ସୁଭାଷ ଚନ୍ଦ୍ର ପଟ୍ଟନାୟକ
ବୁଦ୍ଧଙ୍କର ଜନ୍ମସ୍ଥାନକୁ ଅପବିତ୍ର କରି ବୌଦ୍ଧ ଧର୍ମର ମୂଳ ଉତ୍ସକୁ ନଷ୍ଟ କରିବା ପାଇଁ ମଗଧର ଚଣ୍ଡାଶୋକ ଆମକୁ ଆକ୍ରମଣ କରିଥିଲେ । ଶୋଚନୀୟ ପରାଜୟ ଭୋଗିଲେ ଓ ଯେଉଁ ବୌଦ୍ଧ ଧର୍ମକୁ ମାରା କରିବାକୁ ଆସିଥିଲେ, ଜୀବନ ବଞ୍ଚାଇବାକୁ ସେହି ଧର୍ମରେ ଦୀକ୍ଷା ନେଇ ଫେରିଗଲା ପରେ ମଗଧରେ ପ୍ରୌଢୀ ଦେଖାଇ କହିଲେ, ଯୁଦ୍ଧର ବିଭୀଷିକା ଦେଖି ତାଙ୍କ ହୃଦୟ ତରଳିଗଲା ଓ ସେ ବୌଦ୍ଧ ଧର୍ମ ଗ୍ରହଣ କରିଗଲେ।
ଯାହା ହେଉ , ଏ ବିଭୀଷିକା ବର୍ଣନା କରିବାକୁ ସେ ଯେଉଁ ଦୃଶ୍ୟପଟର ଅବତାରଣା କରିଥିଲେ, କପୋଳ କଳ୍ପିତ କିମ୍ବଦନ୍ତୀ ହେଉ ପଛେ ,ତାହା ଆମକୁ ଦିଏ ଅଶୋକଙ୍କ ମାନସପଟରେ ଥିବା ଆମ ଜାତୀୟ ଚରିତ୍ରର ଏକ ଚିତ୍ର । ତାହା ହେଲା, ଧଉଳିଗିରି ପାଦଦେଶରେ ମରି ପଡ଼ିଛନ୍ତି ଆମର ସବୁ ସୈନ୍ୟ ; ଦୟାନଦୀର ନୀଳ ପାଣି ସେମାନଙ୍କ ରକ୍ତରେ ଲାଲ । ଚଣ୍ଡାଶୋକ ଅଟ୍ଟହାସ୍ୟ କରି କହି ଉଠିଲେ – ଯେଉଁ ଜାତି ଏଯାଏଁ ଥିଲା ଅପରାଜେୟ ତାହାକୁ ମୁଁ ଜୟ କରିଗଲି ! ତାଙ୍କୁ ଲାଗିଲା , ମୃତ୍ୟୁର ସେହି ମହା ନିସ୍ତବ୍ଧତା ଭେଦ କରି କିଏ ଯେମିତି କିଛି କହୁଛି । ସେହି ଶବ୍ଦ ଆସୁଥିବା ଦିଗକୁ ଦୃଷ୍ଟି ପକାଇ ସେ ଦେଖିଲେ, ପଡ଼ିରହିଥିବା ଜଣେ ସୈନିକର କଷ୍ଟେମଷ୍ଟେ ଉପରକୁ ଉଠିଥିବା ଗୋଟାଏ ହାତରେ ପଟେ ତଲୱାର ଝଲସି ଉଠୁଛି ଘନକୃଷ୍ଣ ମେଘ ଦେହରେ ବିଦ୍ୟୁତ ଚହଟିଲା ପରି । କୌତୁହଳ ସମ୍ଭରଣ କରିନପାରି ସେ ତା ପାଖକୁ ଗଲେ । ଭୟଙ୍କର ଭାବେ କ୍ଷତାକ୍ତ ହୋଇ ତଳେ ପଡ଼ିଥିବା ସେହି ମୁମୂର୍ଷୁ ସୈନିକ ତଲୱାର ଚହଟାଇ କହୁଥିଲା, “ମୂର୍ଖ ଅଶୋକ, ମୁଁ ତ ଏଯାଏଁ ବଞ୍ଚିଛି , ମୋ ଜାତି ହାରିଗଲା କେତେବେଳେ?”
ଅଶୋକ ଏହା ଦେଖି ଅଭିଭୂତ ହୋଇଗଲେ ଓ ଚିତ୍କାର କରି କହିଲେ, “ଯେଉଁ ଜାତିର ଜଣେ ବି ବ୍ୟକ୍ତି ମୃତ୍ୟୁ ମୁଖରେ ବି ଏକାକୀ ତାର ମାତୃଭୂମି ଓ ତାର ଆଦର୍ଶ ସହ ଅଟଳ ଥାଏ ସେ ଜାତି କେବେ ବି ପରାଜିତ ହୋଇ ନପାରେ ।” ଏବଂ ଏହା କହି, ସେହି ଚଣ୍ଡାଶୋକ ନିଜକୁ ଧିକ୍କାର କଲେ ଓ ଅନୁତାପ ବହ୍ନିରେ ଝାସ ଦେଲେ ।
ପରମ ଦୟାଳୁ ବୁଦ୍ଧଙ୍କର ଜଣେ ଶିଷ୍ୟ ତାଙ୍କୁ ପାପମୁକ୍ତ କରିବା ପାଇଁ ବୌଦ୍ଧ ଧର୍ମରେ ଦୀକ୍ଷା ଦେଲେ ।
ଏହାହିଁ ହେଉଛି ଓଡ଼ିଆ ଜାତିର ଗରିମାର ଏକ ଚିତ୍ର ।
ସେଦିନ ପରି ଆଜି ବି ଜଣେ ଓଡ଼ିଆ ଏ ଭୟଙ୍କର ବର୍ଷାରେ ଏକୁଟିଆ କଳା ପତାକା ତୋଳି ଭାଷା ଜନନୀଙ୍କ ବିଜୟଯାତ୍ରାକୁ ଅବ୍ୟାହତ ରଖିଛନ୍ତି । ଏହି ସର୍ବଶ୍ରେଷ୍ଠ ଓଡ଼ିଆ ହେଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ।

ଆଜି ଥିଲା ଆମ ଆଂଦୋଳନର ୧୨୧୫ ତମ ଦିବସ । ଏହିପରି ଏକଦା କଳା ପତାକା ଧରି ଏକାକୀ ଚାଲିଥିବା ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଆଜିର ଏ ଅଭିଯାନ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ମୁଖରେ ଆରମ୍ଭ କରାଇଥିଲେ ଓ ଭାଷାପ୍ରାଣ ରଞ୍ଜନ କୁମାର ସାହୁ ଓଡ଼ିଆ ଜାତି ପାଇଁ ଏ ବିରଳ ଦୃଶ୍ୟ ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ କୁଳବୃଦ୍ଧ ମଧୁସୂଦନଙ୍କ ସମ୍ମୁଖରେ ଭାଷା ବନ୍ଦନାରେ ସହଯୋଗ କରିଥିଲେ ଭାଇ ସୁଭାଷଙ୍କ ସହ ।

(ପ୍ରମେୟ ୧୮.୭.୨୦୧୯)
(ପ୍ରଗତିବାଦୀ ୧୮.୭.୨୦୧୯)
(ସୂର୍ଯ୍ୟପ୍ରଭା, ୧୯.୭.୨୦୧୯)
(ସର୍ବସାଧାରଣ,୧୯.୭.୨୦୧୯)
ଉଲ୍ଲେଖନୀୟ ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଆନ୍ଦୋଳନ ଏବଂ ତା ପ୍ରଭାବରେ ତିନି ତିନି ଥର ଆଇନଟିର ସଂଶୋଧନ ସରିଯାଇଥିବା ପଞ୍ଚଦଶ ବିଧାନସଭା କାଳରେ ହିଁ ଘଟିଛି ଏବଂ ସେହି ବିଧାନସଭା ହିଁ ଆଇନଟିର ଭୁଲ ସଂଶୋଧନ ଘଟାଇବାରେ ସରକାରଙ୍କୁ ସାହାଯ୍ୟ କରିଛି । ତହିଁର ତାତ୍ତ୍ଵିକ ଓ ତଥ୍ୟନିଷ୍ଠ ଚିତ୍ର ରଖିଛନ୍ତି ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ‘ସରିଯାଇଥିବା ବିଧାନସଭା ଓ ଆମ ଭାଷା’ ଶୀର୍ଷକ ପୁସ୍ତକରେ । ଏହି ଅବସରରେ ପୁସ୍ତକଟି ଲୋକାର୍ପିତ ହୋଇଥିଲା ବିଶ୍ଵପ୍ରସିଦ୍ଧ ମାନବଅଧିକାରବାଦୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଦ୍ଵାରା, ବିଶ୍ବବିଖ୍ୟାତ ବୈଜ୍ଞାନିକ ଡଃ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ,ଅଧ୍ୟାପକ ବିଶ୍ବରଞ୍ଜନ ଓ ଅଧ୍ୟାପକ କମଳାପ୍ରସାଦ ମହାପାତ୍ରଙ୍କ ଅମୂଲ୍ୟ ଗହଣରେ । ସଭା କକ୍ଷରେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଭାଷା ଆଂଦୋଳନର ପ୍ରଥମ ପରମର୍ଶଦାତା ସୁବିଖ୍ୟାତ ପରିବେଶବିତ୍ ବିଶ୍ଵଜିତ ମହାନ୍ତି, ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ସର୍ବଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ, କମଳଲୋଚନ ନାୟକ, ଗିରିଜକାନ୍ତ ମିଶ୍ର ।
(କେତେକ ସକ୍ରିୟ ଆନ୍ଦୋଳନକାରୀ)
(ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପତ୍ର ଉପସ୍ଥାପନା)
(ସରିଯାଇଥିବା ବିଧାନସଭା ଓ ଆମ ଭାଷା ପୁସ୍ତକ ଉନ୍ମୋଚନ)