ଅରାଜକତା ହେତୁ କୋଟିଆ ଗଲା; ସୀମା ସଂକଟରେ ଓଡ଼ିଶା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମ ପୂର୍ବପୁରୁଷଙ୍କ ବୀରତ୍ଵକୁ ଡରି ବ୍ରିଟିଶ ଅନୁପ୍ରବେଶକାରୀମାନେ ବକ୍ସି ଜଗବନ୍ଧୁଙ୍କ ସହ ସନ୍ଧି ସ୍ଥାପନ କରିଥିଲା ଓ ଗଡ଼ଜାତଗୁଡ଼ିକ ସହ ମିତ୍ରତା ସ୍ଥାପନ କରିଥିଲା ; କାରଣ ଖୁରୁଧାସୀନ ଜଏଣ୍ଟ ମାଜିଷ୍ଟ୍ରେଟ ଡବ୍ଲୁ . ଫରେଷ୍ଟର ରିପୋର୍ଟ କରିଥିଲେ, ଆମ ମାଟି ଏତେ ଦୁର୍ଦ୍ଧର୍ଷ ଓ ଆମ ଲୋକଙ୍କ ମିଜାଜ ଏତେ କଡ଼ା ଯେ, ସେମାନଙ୍କୁ ପୋଲିସ ବା ମିଲିଟାରୀ ବଳରେ ଆୟତ୍ତ କରିହେବ ନାହିଁ ।

ଏପରି ସନ୍ଧି ଓ ମିତ୍ରତା ପରେ ସେହି ବିଦେଶୀ ଅନୁପ୍ରବେଶକାରୀମାନେ ବିଚାରିଲେ, ରାଜା , ବଂଶାନୁକ୍ରମିକ ଜମିଦାର ଓ ଆଦିମ ଅଧିବାସୀମାନଙ୍କ ସ୍ୱାୟତ୍ତ ଦେଶମୟ ଏହି ଭୂମଣ୍ଡଳରେ କୌଣସି ଏକକ ଭୌଗୋଳିକ ଜାତୀୟତା ନଥିବାବେଳେ କେଉଁ ଶକ୍ତିବଳରେ ଓଡ଼ିଆ ଲୋକେ ଏପରି ଅପରାଜେୟ?

ସେମାନେ ଦେଖିଲେ, ଓଡ଼ିଆଭାଷା ହିଁ ସେମାନଙ୍କ ଏକମାତ୍ର ଶକ୍ତି, ଭୌଗୋଳିକ ଜାତୀୟତା ନଥାଇ ବି ଏହି ଭାଷା ହିଁ ସେମାନଙ୍କୁ ଭାଷା ଜାତୀୟତା ପରି ଏକ ନୈସର୍ଗିକ ଜାତୀୟତା ଦେଇଛି ଓ ଏହି ଭାଷାଜାତୀୟତା ହିଁ ସେମାନଙ୍କ ଐକ୍ୟ  ଓ ସଂହତିର ଏକମାତ୍ର ଆଧାର । ତେଣୁ ସେମାନେ ଆମ ଭାଷା-ଜାତୀୟତାକୁ ମାରିଦେବାକୁ ଚକ୍ରାନ୍ତ କଲେ । ସେମାନଙ୍କ ଦାପ୍ତରିକ ସୁବିଧା ଆଳରେ ଆମ ଭାଷାଭାଷୀ ଅଞ୍ଚଳକୁ ଭାଗ ଭାଗ କରି ପଡୋଶୀ ପ୍ରଦେଶମାନଙ୍କରେ ଯୋଖି ସେଠାରେ ଆମକୁ ଭାଷା ଭିତ୍ତିରେ ସଂଖ୍ୟାଲଘୁ କରାଇଦେଲେ ଓ ସେହି ପଡୋଶୀମାନଙ୍କ ଭାଷା ଆମ ଉପରେ ନଦିଦେଲେ । ଆମ ଭାଷା ଆମ ପରିଚାଳନାର ଭାଷା ହୋଇ ନରହିବାରୁ ଆମ ପରିଚୟ ଉଜୁଡ଼ିଯିବାକୁ ବସିଲା ।

ଏହି ପ୍ରେକ୍ଷାପଟରେ ଆରମ୍ଭ ହୋଇଥିଲା ଆମ ଭାଷାରେ ଆମ କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ପ୍ରଦେଶ ସୃଷ୍ଟି ସକାଶେ ଆନ୍ଦୋଳନ ଓ ବ୍ରିଟିଶକୁ ଆମେ ବାଧ୍ୟ କରିଥିଲେ ଆମ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଗଢିବା ପାଇଁ ଓଡ଼ିଶା । ସେହି ସମୟରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର । ସେହି ଗ୍ରାମପୁଞ୍ଜର ଅଧିବାସୀମାନେ ତେଲେଙ୍ଗାମାନଙ୍କ ସହ ଲଢେଇ କରି ନିଜ ମୌଳିକ ଓଡ଼ିଆ ପରିଚୟର ଭିତ୍ତି ଉପରେ ଓଡ଼ିଶାରେ ଥିଲେ ।

ସେହି କୋଟିଆବାସୀମାନେ ଆଜି ଯଦି ଆନ୍ଧ୍ର ସରକାରଙ୍କ ଆଧିପତ୍ୟ ପାଖରେ ମଥା ଅବନତ କରି ଆନ୍ଧ୍ର ପଞ୍ଚାଯତ ନିର୍ବାଚନରେ ଭୋଟ ଦେଇଛନ୍ତି ତାହା ପାଇଁ ଓଡ଼ିଶାର ଭାଷା ଅସ୍ମିତାକୁ ଭୟଙ୍କରଭାବେ ଜଖମ କରିଥିବା ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣତଃ ଦାୟୀ । ଓଡ଼ିଶାର ଭାଷା ଅସ୍ମିତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଓଡ଼ିଶାର ପ୍ରଥମ ବିଧାନସଭା ଓଡ଼ିଶା ସରକାରୀ ଭାଷା ଆଇନ ତିଆରି କରିଥିଲା । ନବୀନ ପଟ୍ଟନାୟକ ଏହି ସରକାରୀ ଭାଷା ଆଇନକୁ ପ୍ରତିଦିନ ଜାଣିଶୁଣି ଉଲ୍ଲଂଘନ କରୁଛନ୍ତି କେବଳ ନୁହେଁ , ଏହାକୁ ଅକର୍ମଣ୍ୟ କରିଦେବା ପାଇଁ ଏଥିରେ ଧାରା ୪ ଓ ଧାରା ୪କ ଖଞ୍ଜିଛନ୍ତି ଜାଲିଆତି ବଳରେ ।

ଓଡ଼ିଆ ଜାତିର ଭାଷା ହିଁ ତାର ପରିଚୟ । ନବୀନ ପଟ୍ଟନାୟକ ଓଡ଼ିଆ ଭାଷାକୁ ରାଜ୍ୟ ପରିଚାଳନାର ଭାଷା ନକରାଇ ଓଡ଼ିଆ ଜାତିର ପରିଚୟକୁ ସଙ୍କଟ କବଳକୁ ଠେଲି ଦେଇଛନ୍ତି, ଯାହା ଉପାନ୍ତ ଓଡ଼ିଶାରେ ଓଡ଼ିଆ ଗରିମାକୁ ଅଧିକ ବିପର୍ଯ୍ୟସ୍ତ କରିଛି । ବଙ୍ଗ, ଝାଡଖଣ୍ଡ, ଛତିଶଗଡ ଓ ଆନ୍ଧ୍ର – ଏ ସମସ୍ତ ପ୍ରଦେଶ ଓଡ଼ିଶାରେ ଦେଖାଦେଇଥିବା ଏହି ଭାଷାହନନକାରୀ ଅରଜକତା ହେତୁ ଓଡ଼ିଶା ସୀମାରେ ହସ୍ତକ୍ଷେପ କରୁଛନ୍ତି । ଆନ୍ଧ୍ର ଆଜି ସୀମା ଲଙ୍ଘନ କରିଛି ।

ଦୁଃଖ ଓ ଲଜ୍ଜାର କଥା, ଥୋଡ଼େ ତୋଷାମଦିଆ ଓଡ଼ିଆ ଏପରି ଏକ ଲୋକକୁ ଆମ ଉପରେ ମୁଖ୍ୟମନ୍ତ୍ରୀ କରି ନଦିଛନ୍ତି, ଯେ କି ଆମ ସୀମା ସମସ୍ଯା ସମ୍ପର୍କରେ ସଚେତନ ନୁହନ୍ତି । ଏ ଲୋକ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ଦଲାଲ ଲଗାଇଛନ୍ତି, କ୍ଯାବିନେଟ ସ୍କାମ ପରି ଅପରାଧ କରିଛନ୍ତି , ଜାଲିଆତି କରି କ୍ଯାବିନେଟ ପ୍ରସ୍ତାବ ବଦଳାଇଛନ୍ତି । ଯେଉଁ ଓଡ଼ିଆମାନେ ଆମ ଲୋକଙ୍କ ପାଖରେ ନେତାଗିରି ଦେଖାଉଛନ୍ତି ଓ ଏହି ଲୋକର ପଦଲେହନ କରୁଛନ୍ତି ସେ ସମସ୍ତେ ଆମ ଭାଷା ବିରୁଦ୍ଧରେ ନବୀନଙ୍କ ଏହି ସମସ୍ତ ଅପରାଧ ପାଇଁ ଓଡ଼ିଆ ଜାତି ପାଖରେ ଉତ୍ତରଦାୟୀ ।

କୋଟିଆ ଉପରେ ଆନ୍ଧ୍ରର ଆଧିପତ୍ୟ ବିସ୍ତାରର ଚରମ ସ୍ତରରେ ମଧ୍ୟ ନବୀନ ପଟ୍ଟନାୟକ ସେଠାକୁ ନିଜେ ଯାଇ ଆମ ଲୋକଙ୍କୁ ସେମାନଙ୍କ ଓଡ଼ିଆ ପରିଚୟ ଅକ୍ଷୁର୍ଣ୍ଣ ରଖିବାରେ ସାହାଯ୍ୟ କରିନାହାନ୍ତି । କୁଟିଆରେ ଘଟିଚାଲିଥିବା ଅଘଟଣ ସମ୍ପର୍କରେ ଓଡ଼ିଆ ଜାତିକୁ ସେ ଅବଗତ କରାଇନାହାନ୍ତି ।

ଲୌହ ପରଦା ଅନ୍ତରାଳରେ ରହି ନିଜକୁ ସମ୍ରାଟ ମନେକରୁଥିବା ଭୋଟଭିକାରୀଙ୍କ ହେତୁ ଓଡ଼ିଶା ଆଜି ଘୋର ଦୁର୍ଦ୍ଦିନରେ । ଚାରିଆଡ଼େ ଅରାଜକତା । ଆମ ଚଉସୀମାରେ ସୀମା ସଙ୍କଟ । ଅଣଓଡ଼ିଆଙ୍କ ସହ ହାତ ମିଳାଇ ଆମ ମୁଖ୍ୟମନ୍ତ୍ରୀ ଆମ ଭାଷାକୁ ଅକାମୀ କରିଦେଇଛନ୍ତି ; ଏହା କରିବାକୁ ବିଧାନସଭାରେ ବିଲ୍ ବଦଳାଇଛନ୍ତି, ୧୪.୩.୨୦୧୮ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଗ୍ରହଣ କରିଥିବା ଓଡ଼ିଆଭାଷା ପାଇଁ ଅନୁକୂଳ ପ୍ରସ୍ତାବକୁ ଅନଧିକୃତ ଭାବେ କବର ଦେଇଛନ୍ତି; ନବବାବୁ ଦେଇଯାଇଥିବା ଆଇନକୁ ଶକ୍ତିଶାଳୀ ଓ ଅଲଙ୍ଘ୍ୟ  କରିବା ପାଇଁ ଆମେ ଆନ୍ଦୋଳନ କରୁଥିବା ବେଳେ ସେହି ଆଇନର ଶକ୍ତିହ୍ରାସ ପାଇଁ ଏ ବାବୁ ଭୟଙ୍କର ଜାଲିଆତି ପ୍ରୟୋଗ କରିଛନ୍ତି ; ଏହି ଜାଲିଆତି ଲୁଚାଇବାକୁ ଆମ ଆନ୍ଦୋଳନକାରୀମାନଙ୍କୁ ପୋଷା ମନାଇବା ପାଇଁ ଆର୍ଥିକ ଅମୋଘ ଅସ୍ତ୍ର ପ୍ରୟୋଗ କରିଛନ୍ତି ଓ ଯେଉଁ ଲୋକ ଓଡ଼ିଆରେ କାମ ନକରିବ ତାକୁ ପୁରସ୍କୃତ କରିବାକୁ ତଥା ଯିଏ ବାରମ୍ବାର ଆଇନ ଖିଲାପ ନ  କରିବ ତାକୁ ଦଣ୍ଡ ନ ଦେବାକୁ ଆଇନ କରିଛନ୍ତି ।

ଏହାଙ୍କ ଅରାଜକତା ହେତୁ କୋଟିଆ ଗଲା , ଓଡ଼ିଶାର ଚଉସୀମା ଏବେ ସଙ୍କଟରେ ।

ଭାଷା ଆନ୍ଦୋଳନ// ଲେଖକ ଓ ବୁଦ୍ଧିଜୀବୀମାନେ ସ୍ପଷ୍ଟ ମତ ରଖନ୍ତୁ : ଜନାର୍ଦ୍ଦନ ପତି

ସୁବିଦିତ ସମ୍ୟବାଦୀ ନେତା ଓ ବାମପନ୍ଥୀ ସାହିତ୍ୟିକ, ସାଥୀ ଜନାର୍ଦ୍ଦନ ପତି କଳାପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ଅଭିଭାଷଣ ରଖି ଓଡ଼ିଶାର ଲେଖକ ଓ ବୁଦ୍ଧିଜୀବୀମାନଙ୍କୁ ଆହ୍ଵାନ ଦେଇଛନ୍ତି କି, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଦୀର୍ଘ ପାଞ୍ଚବର୍ଷ ଧରି ଚାଲିଥିବା ଭାଷା ଆନ୍ଦୋଳନ ଉପରେ ସେମାନଙ୍କ ସ୍ପଷ୍ଟ ମତ ରଖିବା ଆବଶ୍ୟକ, କାରଣ ଭାଷା ହିଁ ଜାତିର ଜୀବନ ଓ ପ୍ରଶାସନିକ ଚକ୍ରାନ୍ତ ହେତୁ ଓଡ଼ିଆ ଭାଷା ଆଜି ବିପନ୍ନ ।

ଭାଷା ଆନ୍ଦୋଳନର ଭାଷା ମା ପାଇଁ ପଦେ ପୃଷ୍ଠାରୁ ଜାନୁୟାରୀ ୨୪ରେ ଫେସବୁକ ମଞ୍ଚରେ ସିଧାପ୍ରସାରିତ ହୋଇଥିଲା ଶ୍ରୀ ପତିଙ୍କ ଏହି ଭାଷଣ :

ଭାଷା ଆଇନ ସଂଶୋଧନରେ ବ୍ୟବହୃତ ଜାଲିଆତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଏମ୍ଏଲ୍ଏମାନଙ୍କୁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତାଙ୍କ ପତ୍ର

ଆମ ପ୍ରିୟ ବିଧାନସଭାର ମାନ୍ୟବର ସଦସ୍ୟବୃନ୍ଦ,
ଓଡ଼ିଶା ସରକାରୀ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭାରେ ତହିଁରେ ଯେଉଁ ତିନୋଟି ହାନୀକାରକ ସଂଶୋଧନ କରିଛନ୍ତି ସେଗୁଡିକୁ ବିଲୁପ୍ତ କରି ଶୁଦ୍ଧ ସଂଶୋଧନ ଦ୍ଵାରା ଆମ ଭାଷା ଆଇନକୁ ଶକ୍ତିଶାଳୀ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।

ସବୁଠୁ ଦୁଃଖ ଓ ଲଜ୍ଜାର କଥା , ଏହି ଭୁଲ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭୂତପୂର୍ବ ଜାଲିଆତିରେ ଜଡିତ ଓ ଉପଯୁକ୍ତ ବିଚାର ବିନା ସେହି ଅବୈଧ ଚିଠା ବିଧେୟକଗୁଡ଼ିକୁ ଗ୍ରହଣ କରି ତଦ୍ଦୃପ ଆଇନ ସଂଶୋଧନ କରିଥିବା ହେତୁ ଇତିହାସ ଚକ୍ଷୁରେ ପଞ୍ଚଦଶ ବିଧାନସଭା ନିନ୍ଦିତ ହୋଇରହିବାକୁ ବାଧ୍ୟ । ସେହେତୁ ସେଗୁଡିକର ବିଲୋପନ କରି ଆମ ବିଧାନସଭାର ସମ୍ମାନ ରକ୍ଷା କରିବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।

ନ୍ୟାୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ୨୦୧୫ରେ ଯେଉଁ ଅନଶନ ଧର୍ମଘଟ ହୋଇଥିଲା ତାହାର ପରିସମାପ୍ତି ଘଟିଥିଲା ଭାଷା ଆଇନର କାର୍ଯ୍ୟକାରୀତା ଉପରେ ମୁଖ୍ୟମନ୍ତ୍ରୀ ୩୧.୭.୨୦୧୫ ତାରିଖରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ହେତୁ । ଏହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନର ସଂଶୋଧନ ଓ ନିଯମାବଳୀ ପ୍ରଣୟନ ଦ୍ଵାରା ତହିଁର ଅଲଙ୍ଘ୍ୟ ପ୍ରବର୍ତ୍ତନ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରିଥିଲି ୩.୯.୨୦୧୫ ତାରିଖରେ, ଯହିଁର ସମାର୍ଜନ କରି ବିଧି ବିଭାଗ ଭାଷା ଆଇନରେ ଧାରା ୪ ଖଞ୍ଜିବାକୁ ସ୍ମାରକ ଅନୁମୋଦନ କରିଥିଲା । ଏହି ଆଇନ ସମ୍ମତ ଅନୁମୋଦନ ୨୦.୫.୨୦୧୬ ତାରିଖରେ ଆଇନ ବିଭାଗରୁ ଆସିଯିବା ପରେ ବିଧାନସଭା ଅଧିବେଶନକୁ ଆକସ୍ମିକ ଭାବେ ବନ୍ଦ କରିଦିଆଗଲା ଓ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ଜାରିକରାଯାଇ ମୋ ପ୍ରଦତ୍ତ ପ୍ରସ୍ତାବ ଅନୁରୂପେ ପ୍ରସ୍ତୁତ ଧାରା ୪କୁ ଧାରା ୫ରେ ପରିଣତ କରି ଧାରା ୪ ଭାବେ ଏକ ଅନଧିକୃତ ବ୍ୟବସ୍ଥା ଖଞ୍ଜିଦିଆଗଲା ସେହି ଅଧ୍ୟାଦେଶରେ, ଯହିଁରେ ଅତି ଧୂର୍ତ୍ତତାର ସହ ଆମ ଭାଷା ଆଇନକୁ ଅକର୍ମଣ୍ୟ କରିବାର ବୀଜ ବପନ ହୋଇଥିଲା ।

ଯେତେବେଳେ ମୋ ପ୍ରସ୍ତାବ ଆଇନ ବିଭାଗର ସମାର୍ଜନ ପାଇଁ ପ୍ରେରିତ ହୋଇଥିଲା, ସେହି ସମୟରେ ତଦାନୀନ୍ତନ ସଦସ୍ୟ ନବକୁମାର ଦାସଙ୍କ ଏକ ପ୍ରଶ୍ନର ଉତ୍ତର ଛଳରେ ୧୪.୧୨.୨୦୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆଇନ ସଂଶୋଧନ ପ୍ରସ୍ତାବ ବିଧିବିଭାଗରେ ଅନୁମୋଦନ ପାଇଁ ଥିବା ସୁଚାଇଥିଲେ ; କିନ୍ତୁ ମାତ୍ର ୩ ଦିନ ପରେ ଏପରି ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କଲେ ଯେ, ୧.୪.୨୦୧୬ରେ ମୋତେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କରିବାକୁ ପଡିଲା ଓ ମୋ ପ୍ରଦତ୍ତ ପ୍ରସ୍ତାବର କାର୍ଯ୍ୟକାରୀତା ଦାବିରେ ୧୩.୪.୨୦୧୬ରୁ ବିଧାନସଭା ସମ୍ମୁଖସ୍ଥ ଭାଷା ଆଇନ ପ୍ରଦାତା ନବବାବୁଙ୍କ ପ୍ରତିମୂର୍ତ୍ତି ପଦଦେଶରୁ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତ୍ୟହ ନୀରବ କଳାପତାକା ଅଭିଯାନ ଚଳାଇବାକୁ ହେଲା । ଏହି ଅଭିଯାନ ଚାଲିରହିଲା ଅଧ୍ୟାଦେଶରେ ଜାଲିଆତି ବଳରେ ଭର୍ତ୍ତି କରାହୋଇଥିବା ଧାରା ୪ର ଦୁରଭିସନ୍ଧି ଧରାପଡ଼ିଯିବା ହେତୁ । ମୁଖ୍ୟମନ୍ତ୍ରୀ ମୋତେ ୧୯.୫.୨୦୧୭ରେ ଆଲୋଚନା ପାଇଁ ଡ଼ାକିଥିଲେ ଓ ମୁଁ ତାଙ୍କୁ ଧାରା-୪ର ବିଲୋପନ ପାଇଁ ପରାମର୍ଶ ଦେଇ ତାର ବିକଳ୍ପ ବିଧାନର ଚିଠା ବି ଦେଇଥିଲି । ଆପଣମାନଙ୍କ ଭିତରୁ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ ଓ ପ୍ରଫୁଲ୍ଲ ସାମଲ ତହିଁର ସାକ୍ଷୀ ।

ଦୁର୍ଭାଗ୍ୟ , ଏହା ଉପରେ ଆରମ୍ଭ ହେଲା ଜାଲିଆତି ଦ୍ଵାରା ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାର ପର୍ବ ।

୧                       କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ୍ଣ ଉଲଂଘନ କରାଯାଇ , ରାଜ୍ୟପାଳଙ୍କୁ ଅନ୍ଧକାରରେ ରଖି, ବିଧି ବିଭାଗ ଓ ଅର୍ଥ ବିଭାଗର କୌଣସି ଅନୁମୋଦନ ନଥାଇ ୨୬.୧୨.୨୦୧୭ ତାରିଖରେ ପୁରୀରେ ଏକ ସ୍ଵତନ୍ତ୍ର କ୍ୟାବିନେଟ ବୈଠକ କରି ବହୁବିଭାଗକୈନ୍ଦ୍ରିକ ୨୦ଟି ପ୍ରସ୍ତାବ ଗ୍ରହଣ କରଯାଇଥିଲା ଯେଉଁଥିରୁ ପ୍ରସ୍ତାବ ୩ ଥିଲା ଭାଷା ଆଇନ ସଂଶୋଧନ ସମ୍ପର୍କରେ । ତାହା ହେଲା-
“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗ ଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟ ସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

ମୁଁ ଏହାର ଘୋର ପ୍ରତିବାଦ କରିଥିଲି, କାରଣ ଏହା ଭାଷା ଆଇନର ପ୍ରତିଷ୍ଠିତ ବ୍ୟବସ୍ଥା ତଥା ପରିସୀମା ହ୍ରାସ ପାଇଁ ଉଦ୍ଦିଷ୍ଟ ଥିଲା ଓ କର୍ମଚାରୀଙ୍କ ଭୁଲ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା ଉପାଦାନ ବହନ କରୁଥିଲା । ମୋର ସବୁ ସାଥୀ ଏହି ପ୍ରତିବାଦରେ ସାମିଲ ଥିଲେ । 

ଆପଣମାନଙ୍କ ମଧ୍ୟରେ ଥିବା ବହୁ ମନ୍ତ୍ରୀ ଓ ସଦସ୍ୟଙ୍କୁ ଘର ଘର ବୁଲି ମୁଁ ଏହା ବୁଝାଇଥିଲି ଓ ଗଣମାଧ୍ୟମରେ ଚର୍ଚ୍ଚା କରିଥିଲି । ଫଳରେ ଏହାକୁ କାର୍ଯ୍ୟକାରୀ କରାହୋଇନଥିଲା ଓ ଏହାର ସମୟସୀମା ସରିଯାଇଥିଲା ।

୨                               ମୋ ଯୁକ୍ତି ଦୃଷ୍ଟିରୁ ସରକାର ନିୟମସିଦ୍ଧ ଭାବେ ପୁନଶ୍ଚ ଏକ ସ୍ମାରକ ପ୍ରସ୍ତୁତ କରିଥିଲେ, ଯାହାକୁ ବିଧି ବିଭାଗ ଅନୁମୋଦନ ଦେଲା ପରେ ୧୪.୩.୨୦୧୮ ତାରିଖରେ କ୍ୟାବିନେଟ ବସି ସେହି ସ୍ମାରକ ଅନୁମୋଦନ କରି ତଦନୁଯାୟୀ ତୁରନ୍ତ ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାର ପ୍ରଦାନ କରିଥିଲେ । ତାହା ବିଧିସମ୍ମତ ଓ ଓଡ଼ିଆ ଭାଷା ପାଇଁ ହିତକାରକ ଥିଲା । ତଦନୁଯାୟୀ ପ୍ରସ୍ତୁତ ବିଧେୟକକୁ ବିଧାନସଭାରେ ଏକ ପ୍ରଚ୍ଛଦ ପତ୍ର ସହ ମୁଖ୍ୟମନ୍ତ୍ରୀ ପଇଠ କରିଥିଲେ ୩୧.୩.୨୦୧୮ତାରିଖରେ । ମାତ୍ର ସଦସ୍ୟମାନଙ୍କ ମଧ୍ୟରେ ତାହା ପରିବଣ୍ଟିତ ହେବା ଓ ବିଧାନସଭାରେ ଆଲୋଚନା ପାଇଁ ଗୃହିତ ହେବା ବେଳକୁ ତାହା ବଦଳିଯାଇଥିଲା ଓ ୧୪.୩.୨୦୧୮ କ୍ୟାବିନେଟ ପ୍ରସ୍ତାବ ପରିବର୍ତ୍ତେ ସମୟ ଅତିକ୍ରାନ୍ତ ତଥା ଆଇନ ବହିର୍ଭୂତ ଶୈଳୀରେ ଗୃହିତ ପୁରୀ କ୍ୟାବିନେଟ ବୈଠକର ପ୍ରସ୍ତାବକୁ ସେହି ବିଧେୟକର ଆଧାର କରା ହୋଇଥିଲା ।

ବିଧାନସଭା ବିରୁଦ୍ଧରେ ଏହି ଜାଲିଆତି ଏକ ଜଘନ୍ୟ ଅପରାଧ ।

୩                                     ମୁଁ ପଞ୍ଚଦଶ ବିଧାନସଭା ସଭ୍ୟମାନଙ୍କୁ ଏହା ଅବଗତ କରାଇଥିଲି । ଏହି ଜାଲିଆତି କରିଥିବା ବ୍ୟକ୍ତି ଏତେ ବିଚଳିତ ଓ ଉଗ୍ର ଥିଲେ ଯେ, ସେହି ବିଧେୟକ (ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ର ଆଧାର ଭାବେ ଜାଲିଆତି ଦ୍ଵାରା ନିଆହୋଇଥିବା ପ୍ରସ୍ତାବକୁ ବି ମନଇଚ୍ଛା ବଦଳାଇଥିଲେ । ଏହିପରି ଦୋଷପୂର୍ଣ୍ଣ ଭାଷାରେ, ସଂପୂର୍ଣ୍ଣ ଜାଲିଆତି ଦ୍ଵାରା ଭାଷା ଆଇନରେ ଯୋଡା ହେଲା ଧାରା-୪କ , ଯାହା ପୂର୍ବ ଆଲୋଚିତ ଧାରା ୪ର ଅବୈଧତାକୁ ବୈଧ ବି କଲା ।

୪                                       ଅତି ଅବୈଧ ଭାବେ ମୋ ସହକର୍ମୀମାନଙ୍କ ଅର୍ଥତୃଷ୍ଣା ପରିପୂର୍ଣ୍ଣ କରି ସରକାର ଭାଷା ଆନ୍ଦୋଳନକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହି ଆନ୍ଦୋଳନ ଦୃଢ ରହିବାରୁ ୪କ ଧାରାର ପୁନଃ ସଂଶୋଧନ କରି ପୂର୍ବ ପ୍ରମାଦକୁ କାଏମ ରଖିଛନ୍ତି ଓ ଭାଷା ଆଇନକୁ ଏପରି ଅକର୍ମଣ୍ୟ କରିଦେଇଛନ୍ତି ଯେ, ଏହି ଉଭୟ ଧାରା – ଧାରା ୪ ଓ ଧାରା ୪କ – ବିଲୁପ୍ତ ନ ହେଲେ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କେବେ ବି ସମ୍ଭବ ହେବ ନାହିଁ ।

ଏହା କହି, ମୁଁ ଆପଣମାନଙ୍କ ଓଡ଼ିଆପଣକୁ ପ୍ରାର୍ଥନା କରୁଛି କି , ଆମ ଭାଷା ବିରୁଦ୍ଧରେ ଅଣଓଡ଼ିଆ ଏବଂ ଓଡ଼ିଆବିଦ୍ଵେଷୀ ଗୋଷ୍ଠୀର ଚକ୍ରାନ୍ତରୁ ଆପଣମାନେ ମାଆ ଓଡ଼ିଶା ଏବଂ ଓଡ଼ିଆ ଭାଷାଜନନୀଙ୍କୁ ରକ୍ଷା କରନ୍ତୁ ।

ମୁଁ ସୁଚାଇଥିବା ଜାଲିଆତିର ତଦନ୍ତ କରିବାକୁ ନିଷ୍ପତ୍ତି ନିଅନ୍ତୁ ଏବଂ ଭାଷା ଆଇନରୁ ଧାରା ୪ ତଥା ଧାରା ୪କ ବିଲୋପ କରି, ସେହି ଦୁଇ ଧାରାକୁ ବିଧିଭୁକ୍ତ କରିବା ପାଇଁ ଯେଉଁ ପଦାଧିକାରୀ ଜାଲିଆତିର ପ୍ରୟୋଗ କରିଛନ୍ତି ସେ ବା ସେମାନେ ବିଧାନସଭା ବିରୁଦ୍ଧରେ ଘୋର ଅପରାଧ କରିଥିବା ହେତୁ ତହିଁ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ । ଭାଷା ଆଇନର ପୁନଃ ସଂଶୋଧନ ଦ୍ଵାରା ତାହାକୁ ନିର୍ଭୁଲ କରିବାକୁ ସରକାର ରାଜି ନ ହେଲେ, ଆପଣମାନେ ନିଜ ନିଜ ସ୍ତରରେ ଘରୋଇ ବିଲ୍ ପ୍ରସ୍ତୁତ କରି ବିଧାନସଭାର ଆଗାମୀ ଅଧିବେଶନରେ ଆଇନ ସୁଧାର ପାଇଁ ବିଧିକ ପଦକ୍ଷେପ ନିଅନ୍ତୁ ।
ଓଡ଼ିଆ ଜାତି ଆପଣମାନଙ୍କଠାରୁ ସର୍ବନିମ୍ନ ଏତିକି ଆଶା କରେ ।
। ଇତି ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
୩.୨.୨୦୨୧

ମାତୃଭାଷା ହିଁ ମୁଖ୍ୟ , ଅନ୍ୟ ସବୁ ଗୌଣ : ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ

ସୁବିଖ୍ୟାତ କଳାପତାକା ଅଭିଯାନର ବୌଦ୍ଧିକ ସଂସ୍କରଣରେ ଉଦ୍ବୋଧନ ଦେଇ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷାଚୟ ଓ ସାରସ୍ଵତ ଅଧ୍ୟୟନ (Modern Indian Languages & Literary Studies) ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡଃ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଶିକ୍ଷା କ୍ଷେତ୍ରରେ ମାତୃଭାଷାକୁ ଅଗ୍ରାଧିକାର ଦେଇଥିବାରୁ ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି ।

ମାତୃଭାଷା ହିଁ ମୁଖ୍ୟ, ଆଉ ସବୁ ଗୌଣ ବୋଲି ଏହି ଶିକ୍ଷାନୀତି ଯେପରି ସ୍ପଷ୍ଟ କରିଛି ତାହା ପୂର୍ବବର୍ତ୍ତୀ ଶିକ୍ଷାନୀତିମାନଙ୍କର ଅଭିଳାଷର ପ୍ରୟୋଗାତ୍ମକ ଅନୁଭୂତିରୁ ଅର୍ଜିତ ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ଦର୍ଶାଇ ପ୍ରଫେସର ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରେକ୍ଷାପଟରେ ଓଡ଼ିଶା ସରକାରଙ୍କୁ ଏକ ପରୋକ୍ଷ ପରାମର୍ଶ ଦେଇ କହିଥିଲେ, ମାତୃଭାଷା ହିଁ ଜାତିର ପରିଚୟ ହୋଇଥିବା ହେତୁ ତାର ସଂରକ୍ଷଣ ଆବଶ୍ୟକ । ଏହି ସଂରକ୍ଷଣ ସାହିତ୍ୟକୃତି ମାଧ୍ୟମରେ ନୁହେଁ, ସାହିତ୍ୟଠାରୁ ଭାଷାକୁ ଅଲଗା କରି ତାର ଶୈକ୍ଷିକ ଓ ବ୍ୟବହାରିକ ଉପଯୋଗୀତା ବୃଦ୍ଧି ଦ୍ଵାରା ହିଁ ସମ୍ଭବ ।

ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ୧୯୫୪ରୁ ନିଷ୍କ୍ରିୟ ହୋଇରହିଥିବା ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ସକାଶେ ପ୍ରାୟ ୫ ବର୍ଷ ଧରି ଏହି ଅଭିଯାନ ଚଳାଇଛି । କରୋନା କାଳରେ କାୟିକତଃ ଏହା ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଓଡ଼ିଶାର ଜଣେ ଜଣେ ପ୍ରଥିତଯଶା ବିଜ୍ଞ ବ୍ୟକ୍ତି ଏହି ବୌଦ୍ଧିକ ଅଭିଯାନରେ ଅଂଶଗ୍ରହଣ କରି ଓଡ଼ିଆ ଜାତିକୁ ଦିଗ୍ଦର୍ଶନ ଦେଉଛନ୍ତି । ଏହି କ୍ରମରେ ପ୍ରଫେସର ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଦେଇଥିବା ଅଭିଭାଷଣ ସାମାଜିକ ଗଣମାଧ୍ୟମ ଫେସବୁକରେ ଏହି ଅଭିଯାନର ନଭମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ସିଧା ପ୍ରସାରିତ ହୋଇଥିଲା ।

ଜନଜାତିର ବିକାଶ ପାଇଁ ଓଡ଼ିଆରେ ଓଡ଼ିଶା ଶାସନ ଅପରିହାର୍ଯ୍ୟ : ପ୍ରଫେସର ବିଭୁତିଭୂଷଣ ଆଚାର୍ଯ୍ୟ

ଓଡ଼ିଶାରେ ୬୨ପ୍ରକାର ଜନଜାତି । ସେହିମାନଙ୍କ ଭାଷାର ସମିଶ୍ରିତ ବିକଶିତ ରୂପ ହେଉଛି ଓଡ଼ିଶାର ସମୃଦ୍ଧ ରାଜ୍ୟ ଭାଷା – ଓଡ଼ିଆ । ଓଡ଼ିଆ ଭାଷାର ପ୍ରାଚୀନତା ସପକ୍ଷରେ ଜନ୍ ବିମ୍ସଙ୍କ ମତ , ଏହାକୁ ବୈଦିକ ସଂସ୍କୃତର ସମକାଳୀନ ଓ ଶାସ୍ତ୍ରୀୟ ସଂସ୍କୃତ ଅପେକ୍ଷା ପ୍ରାଚୀନତର ବୋଲି ଭାରତର ଭାଷା ସର୍ବେକ୍ଷଣରେ ସାର୍ ଜର୍ଜ ଗ୍ରୀୟରସନଙ୍କ ନିର୍ଦ୍ଧାରଣ ଏହି ସତ୍ୟ ଉପରେ ଆଧାରିତ । ସୁତରାଂ ଓଡ଼ିଆ ଭାଷାରେ ଓଡ଼ିଶାର ଜନଜାତି ବର୍ଗ ନିଜ ନିଜ ଜନ୍ମଭାଷାର ସନ୍ଦର୍ଶନ କରନ୍ତି । ସେହେତୁ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ହେଲେ ହିଁ ଏହି ୬୨ ଜନଜାତି ରାଜ୍ୟ ପରିଚାଳନାରେ ନିଜ ନିଜ ସକ୍ରିୟ ଭୂମିକା ନିର୍ବାହ କରିପାରିବେ।

ଏହା କହିଛନ୍ତି ଜନଜାତିର ଭାଷା ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ହେତୁ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଫେସର ବିଭୁତିଭୂଷଣ ଆଚାର୍ଯ୍ୟ ଜାନୁଆରୀ ୩ ତାରିଖରେ, ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଭାଷା ଆନ୍ଦୋଳନର କଳାପତାକା ଅଭିଯାନରେ ବୌଦ୍ଧିକ ଅଭିମତ ରଖି ।