Category: କ୍ରମବିକାଶ
ସରକାର ଛାନିଆ : କଳାପତାକା ଅଭିଯାନ ଘୋରତର ହେବାରୁ ଆଇନ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତ୍ତି
ବିଶେଷ ସମ୍ବାଦଦାତା
ଓଡ଼ିଆ ଭାଷାକୁ ଅକାମି କରି ରଖିବା ପାଇଁ ସରକାର ଚଳାଇଥିବା ସବୁ ଷଡଯନ୍ତ୍ର ପଣ୍ଡ ହେବାରେ ଲାଗିଛି ।
ବୁଦ୍ଧିର ଲଢ଼େଇରେ ନ ପାରିବା ଫଳରେ ଭାଷା ଆନ୍ଦୋଳନର କିଛି ଅସାଧୁ ବ୍ୟକ୍ତିଙ୍କୁ ସୁପାରୀ କିଲର ପରି ବ୍ୟବହାର କରି ଜୁଲାଇ ୧୬ରୁ ପୁନଃ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନକୁ ନିସ୍ପନ୍ଦ କରାଇ ଦେବାକୁ ଚକ୍ରାନ୍ତ କରିଥିଲେ ସରକାର । କଳାପତାକା ଅଭିଯାନ ପଦ୍ଧତ୍ତିର ସ୍ରଷ୍ଟା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତହିଁର ପ୍ରୟୋଗ ପାଇଁ ସାଙ୍ଗଠନିକ ମଂଚ ଭାବେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲାବେଳେ, ପ୍ରତିଦିନ କଳାପତାକା ଧରିବା ପାଇଁ ସାଥୀ ଯୋଗାଇବା ଦାୟିତ୍ବ ନେଇଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ପ୍ରତିଦିନର ବିବରଣୀ ଗଣମାଧ୍ୟମକୁ ପଠାଇବା ଥିଲା ପବିତ୍ର ମହାରଥାଙ୍କ କାମ , ଯାହାକୁ କି ସେମାନେ ତୁଲାଉଥିଲେ । ସୁତରାଂ ଶ୍ରୀ ପଟ୍ଟନାୟକ ଆନ୍ଦୋଳନର ରଣନୀତିତିଆରିକରିବା, ତା ସପକ୍ଷରେ ସାହିତ୍ୟ ସୃଷ୍ଟିକରିବା ଓ ସରକାରୀ କଳକୁ ସାମ୍ନା କରିବା କାର୍ଯ୍ୟ ସଫଳତାର ସହ କରିପାରୁଥିଲେ ।
ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ଆଇନ ସଂଶୋଧନ କରିବାକୁ ନିଷ୍ପତ୍ତି ନେଲାପରେ, ଭ୍ରମାତ୍ମକ ଭାବେ ସଂଶୋଧନ ଚିଠା ତିଆରିକରି ରାଜ୍ୟର ଇଂରାଜୀମନସ୍କ ମୁଖ୍ୟମନ୍ତ୍ରୀ ସରକାରୀକଳକୁ ଉପଯୋଗ କରି ବିଧାନସଭାର ଗତ ଅଧିବେଶନରେ ଏପରି ସଂଶୋଧନ ଘଟାଇଲେ ଯେ, ତଦ୍ଦ୍ଵାରା ମୂଳ ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଭାଷା ଅଧିକ ବିପଦାପନ୍ନ ହେବା ସୁନିଶ୍ଚିତ ବୋଲି ଆଶଙ୍କା ଉପୁଜିଲା । ତେଣୁ ସେହି ସଂଶୋଧନକୁ ପ୍ରତ୍ୟାଖ୍ୟାନ କରି ବିଧାନସଭାକୁ ଫେରାଇ ଦେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅନୁରୋଧ କଲେ ଓ ତାହା ଫଳବତୀ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସଂଵୋଧନଟି କାହିଁକି ଓଡ଼ିଆ ଭାଷା ପାଇଁ ଅଧିକ କ୍ଷତିକାରକ ତାହା ଜଣାଇଲେ ଏବଂ ତାହାର ବିଲୋପନ ପାଇଁ ପଦକ୍ଷେପ ନେବା ସଂଗେ ସଂଗେ ସାନି ସଂଶୋଧନ ଦ୍ଵାରା ଆଇନଟିକୁ ସମ୍ପୂର୍ଣ ତ୍ରୁଟିଶୂନ୍ୟ କରିବାକୁ ଅନୁରୋଧ କଲେ । ବସ୍ତୁତଃ, ସେହି ଆପତ୍ତିଜନକ ସଂଶୋଧନ ସମ୍ପୂର୍ଣ୍ଣତଃ ବିଲୋପନ କରା ନଗଲେ, ମୂଳ ଭାଷା ଆଇନଟି କେବେ ବି ତହିଁର ଉଦ୍ଦେଶ୍ୟ ଅନୁରୂପ କାର୍ଯ୍ୟକାରୀ ହେବ ନାହିଁ – ଏହା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ସରକାର ଅଡୁଆରେ ପଡିଗଲେ । ସୁତରାଂ ଭାଷା ଆନ୍ଦୋଳନକୁ ଅକାମି କରାଇଦେବାପାଇଁ ଆତତାୟୀ ଖୋଜା ଚାଲିଲା ଓ ସରକାର ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ କରାୟତ କରିନେଲେ । ସରକାର ଭାବିଥିଲେ ଯେ, ଉପରୋକ୍ତ ଦୁଇ ବ୍ୟକ୍ତି ଯେହେତୁ ପ୍ରତ୍ୟହ ଲୋକ ଯୋଗାଣ ଓ ସମ୍ବାଦ ସମ୍ପ୍ରସାରଣ କରୁଥିବା ହେତୁ କଳାପତାକା ଅଭିଯାନ ଚାଲିଥିଲା,ସେମାନଙ୍କୁ ଆୟତ୍ତକୁ ନେଇଗଲେ କଳାପତାକା ଅଭିଯାନ ଆପେ ଆପେ ବନ୍ଦ ହୋଇଯିବ । ତାହା ହେଲା ନାହିଁ ।
ଏହି ବିଶ୍ଵାସଘାତକତା ପରେ କିଛି ସମୟର ଦୁଃଖ-ଝଡ଼ରେ ଝାଉଁଳି ପଡିଥିବା ଓଡ଼ିଆ ଜାତି ଜୁଲାଇ ୧୭ ତାରିଖ ସକାଳେ ନବବିକ୍ରମରେ ଜାଗିଉଠିଲା । ଜୁଲାଇ ୧୭ରେ କଳାପତାକା ଅଭିଯାନର ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ବିଧାନସଭା ସମ୍ମୁଖରେ ଆସି ପହଞ୍ଚିଲେ ସୂର୍ଯ୍ୟକାନ୍ତ ମାହାଲି ଓ ପ୍ରଭାତ ମାହାଲି ଏବଂ ସେହିମାନେ ହିଁ ସୁଭାଷ ବାବୁଙ୍କ ସହ ଚାଲି ସେହି ଘୋର ସଂକଟଜନକ ସ୍ଥିତିରେ ବଞ୍ଚାଇ ରଖିଲେ ଅଭିଯାନକୁ । ତହିଁ ପରଦିନ ଜୁଲାଇ ୧୮ରେ ଆସିଲେ ବୈଜ୍ଞାନିକ ଡଃ ଅଶୋକ ମିଶ୍ର । ଜୁଲାଇ ୧୯ରେ କୁମାରୀ ସଂଘମିତ୍ରା ଜେନା ଓ ସମ୍ବଲପୁରର ଆନନ୍ଦ ମହାପାତ୍ର କଳାପତାକା ତୋଳି ଭାଷା ଜନନୀଙ୍କ ବିଜୟଯାତ୍ରା ଚଳାଇ ରଖିଲେ । ତହିଁ ପରଦିନ ଡଃ ଅଶୋକ ମିଶ୍ରଙ୍କ ସାଙ୍ଗକୁ ଯୋଗ ଦେଲେ ଅମିତ ଅଭିଜିତ ସାମଲ ଓ ସୁଜିତ କୁମାର ନାୟକ । ତ ପରଦିନ ଭାଷା ଜନନୀଙ୍କ ବିଜୟ ଧ୍ଵଜା ତୋଳିଲେ ବୌଦ୍ଧ ଜିଲ୍ଲାର ଜନନେଟ ଅବକାଶ ସାହୁ ଓ ଭୁବନେଶ୍ବରର ଛାତ୍ରନେତା ଲଲିତା ମହାନନ୍ଦ ଓ ସିଲୁ ପ୍ରସାଦ ସାମଲ । ଜୁଲାଇ ୨୨ରେ ଅଭିଯାନ ଚଳାଇଲେ ସଙ୍ଘମିତ୍ରା ଜେନା, କୃପାସିନ୍ଧୁ ଦାଶ, ରାକେଶ କୁମାର ଚାନ୍ଦ । ତହିଁ ପରଦିନ ଦର୍ପଭରେ କଳାପତାକା ଉଡ଼ିଲା ବିନୟ ପାଣିଗ୍ରାହୀ,କିରଣ କୁମାର ନାୟକ, ସାଗର ବେହେରା ଓ ସୌମ୍ୟ ରଞ୍ଜନ ନାୟକଙ୍କ ହାତରେ । ଭାଷା ମାଆର ଘୋର ବିପତ୍ତି ବେଳାରେ ତାର ଉପରୋକ୍ତ ସନ୍ତାନମାନେ ଯେଉଁ ସଂହତି ପ୍ରଦର୍ଶନ କଲେ, ବିଶେଷତଃ ସଂଘମିତ୍ରା, ସୌମ୍ୟ ଓ ସାଗର ଯେପରି ନିଜର ସମସ୍ତ ଜଞ୍ଜାଳ ଭୁଲି, ଏପରିକି ଘରଦ୍ଵାର ଭୁଲି ଭୟଙ୍କର ବର୍ଷାରେ ଭିଜି ଅଭିଯାନଟିକୁ ଆତତାୟୀମାନଙ୍କ କବଳରୁ ରକ୍ଷା କଲେ, ତାହା ସାବ୍ୟସ୍ତ କରିଦେଲା ଯେ, ଓଡ଼ିଆ ଜାତି ତା ଭାଷାଜନନୀକୁ ରକ୍ଷା କରିବାକୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଯିବ ।
ଉଷା ଉଦୟ ହେଲେ ଦିବସ ଯେମିତି ଦୁରେଇ ରହି ପାରେନି, ସେମିତି ଉପରୋକ୍ତ ଦୁଇ ଆତତାୟୀଙ୍କ ହେତୁ ପ୍ରାୟ ସପ୍ତାହେ କାଳ ଝାଇଁମରା ହୋଇଯାଇଥିବା ଅଭିଯାନ ପୂର୍ଣ୍ଣ ଶକ୍ତିଶାଳୀ ହୋଇଉଠିଲା ଧୀରେ ଧୀରେ ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆଭାଷାପ୍ରାଣମାନେ ଧାଇଁଆସିଲେ କଳାପତାକା ଧରିବା ପାଇଁ । କବି ଗଜାନନ ମିଶ୍ର, ଭବାନୀଶଙ୍କର ପରିଜା, କମଳ ଲୋଚନ ନାୟକ , ସୁଭାଷ ଚନ୍ଦ୍ର ପ୍ରଧାନ, ଶିଶିର କୁମାର ସାହୁ, ଅମିତ ଅଭିଜିତ ସାମଲ, ପ୍ରଫେସର ଡକ୍ଟର କୁଳମଣି ନାୟକ, ମନୋଜ କୁମାର ପଣ୍ଡା, ବୀର କିଶୋର ବେହେରା , ରାଜନାରାୟଣ ଡ଼ାଳୁଆ, ତ୍ରିଲୋଚନ ବାରିକ, ସୁଭାଷ ଚନ୍ଦ୍ର ସାହୁ, ସୁଜିତ କୁମାର ନାୟକ , ରାକେଶ କୁମାର ଚାନ୍ଦ , ପ୍ରମୋଦ ପଢ଼ିଆରୀ, ଜିତେନ୍ଦ୍ର ସାସମଲ , ସତ୍ୟନାରାୟଣ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ , ରା଼ଞ୍ଜୁଲତା ମହାପାତ୍ର, ନିରାକାର ସାହୁ , ଅଶୋକ ମହାନ୍ତି, ଗୋପୀନାଥ କିଷାନ , ଜ୍ୟୋତିପ୍ରକାଶ ମହାନ୍ତି, ତପନ କୁମାର ସେଠି , ପ୍ରଭାତ କୁମାର ବେହେରା, ଗଣେଶ ଚନ୍ଦ୍ର ପରିଡା , ସ୍ପନ୍ଦନ ଜ୍ଞାନଜିତ୍, ନରେଶ କୁମାର ମହାନ୍ତି , ଦିଲ୍ଲୀପ କୁମାର ସାମନ୍ତରାୟ, ଅଭିଷେକ ଦାଶ , ଦିବ୍ୟଜ୍ୟୋତି ଜେନା, ଆଶିଷ କୁମାର ଦାଶ , ତପନ ପାଢ଼ୀ, ପ୍ରଦୀପ ପ୍ରଧାନ , ପ୍ରସନ କୁମାର ପ୍ରଧାନ,ପ୍ରମୋଦ ରାଉତ, ଦେବାଶିଷ ଶତପଥୀ, ବୀରେନ୍ଦ୍ର ଚୌହାନ, ନିକୁଞ୍ଜ ବିହାରୀ ପଣ୍ଡା , ସଞ୍ଜୟ ସାହୁ, ଦୀପକ କୁମାର ସାହୁ, ଅଜୟ କୁମାର ଜେନା, ହରେକୃଷ୍ଣ ପଟ୍ଟନାୟକ, ସୁଜିତ କୁମାର ନାୟକ, ମାନସ ବିଶୋଇ, ସଂଗ୍ରାମ କେଶରୀ ବେହେରା,କେଦାରନାଥ ସାହୁ, ସରୋଜ ମହାପତ୍ର, ତପନ ମହାନ୍ତି, ନରେନ୍ଦ୍ର କୁମାର ବେହେରା, ନରେନ୍ଦ୍ର କୁମାର ସେଠି, ସୁବାସ ଚନ୍ଦ୍ର ହୋତା, ରିଂକନ ନାରାୟଣ, ଧ୍ରୁବ ଚରଣ ମହାନ୍ତି, ପ୍ରଦ୍ୟୋତ କୁମାର ବିଶୋଇ , ବିଜୟ ମଲ୍ଲିକ, ମାନସୀ ବିଶ୍ବାଳ, ରାଜଲକ୍ଷ୍ମୀ ନାୟକ, ନନ୍ଦିନୀ ଶତପଥୀ,କବିତା ସାମନ୍ତରାୟ , ବୀରକିଶୋରେ ବେହେରା, ପ୍ରମୋଦ କୁମାର ଦେବ, ସଂଜୀବ ପତ୍ରୀ, ଲଲାଟ ଚନ୍ଦ୍ର ପାତ୍ର, ପ୍ରିତୀଶ କୁମାର ବଳିୟାରସିଂହ , ପ୍ରଶ୍ନଜିତ ରାୟ, ଅମୁଲ୍ୟ ଦାଶ , ସନ୍ଦୀପ ମହାନ୍ତି, ଶ୍ରୀନୁ ନାୟକ ପ୍ରମୁଖ । ରାଜେନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ବ୍ୟାସନଗରରେ ଯେମିତି କଳାପତାକା ଚାଲିରହିଲା, ଅଶୋକ ପରିଡାଙ୍କ ନେତୃତ୍ବରେ ସେମିତି ଫୁଲବାଣୀରେ । ସରକାର ଚମକିଲେ ।
ପ୍ରଦ୍ଯୁମ୍ନ ଶତପଥୀ ଓ ତାଙ୍କ ଗ୍ୟାଙ୍ଗବିଶ୍ବାସଘାତକତା କଲା ପରେ ଓଡ଼ିଆ ଜାତି ଯେପରି ଜାଗିଉଠିଲା ଓ କଳାପତାକା ଅଭିଯାନକୁ ଦୃଢଭାବେ ଚଳାଇ ରଖିଲା ତାର ସବିଶେଷ ସଚିତ୍ର ବିବରଣୀ ଭାଷାଆନ୍ଦୋଳନ(ଡଟ)କମ୍ ଦ୍ଵାରା ‘ଆମ ଭାଷା ପାଇଁ ଆମ ଲଢେଇ’ ଶୀର୍ଷକ ପ୍ରାମାଣିକ ଗ୍ରନ୍ଥରେ ପ୍ରକାଶିତ ହୋଇଛି । ଏହି ଗ୍ରନ୍ଥ ମଧ୍ୟ ପୃଥିବୀର ଅନ୍ଯତମ ଶ୍ରେଷ୍ଠ ପୁସ୍ତକ ପୋର୍ଟାଲ scribd.comରେ ସ୍ଥାନିତ ହୋଇଛି । ଏହା ସରକାରଙ୍କୁ ଚମକାଇଲା ।
ସତ୍ୟଭାମାପୁରରୁ ଭୁବନେଶ୍ବର
ଅଗଷ୍ଟ ୧୭ରେ କୁଳଗୌରବ ମଧୁସୂଦନଙ୍କ ଏନ୍ତୁଡ଼ିଶାଳ ଘରୁ ସତ୍ୟଭାମାପୁରର ଛାତ୍ରଛାତ୍ରୀମାନେ “ଆମ ଭାଷା ମାଆକୁ ଆତତାୟୀମାନଙ୍କ କବଳରୁ ରକ୍ଷାକର” ବୋଲି କହି, କଳାପତାକା ଧରାଇଦେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜନ କୁମାର ଦାସ, ଓ କଟକ ଜିଲ୍ଲାର ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଆସୁଥିବା ଓଡ଼ିଆ ଭାଷା ଜନନୀଙ୍କ ବିଜୟ ବାହିନୀକୁ ଯେଉଁମାନଙ୍କ ଭିତରେ ଥିଲେ ଉପରୋକ୍ତ ଦୁଇ ସୁଯୋଗ୍ୟ ଓଡ଼ିଆଙ୍କ ସମେତ ଆଲୟ ସାମନ୍ତରାୟ,ନରେଶ ବେଉରା, ଆଶିଷ କୁମାର ଖଟୁଆ, ସୂର୍ଯ୍ୟ ପ୍ରକାଶ ପାଣି, ଓ ପ୍ରତାପ ମହାନ୍ତି । ଦୀର୍ଘ ୮୭ କିଲୋମିଟର ବାଟ ପାଦରେ ଚାଲି ଚାଲି ସମଗ୍ର ଅଂଚଳରେ ଭାଷା ଜନନୀଙ୍କ ବିପତ୍ତି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇ ଏହି ବିଜୟବାହିନୀ ଯେତେବେଳେ ରାଜଧାନୀ ଭୁବନେଶ୍ୱରରେ ପହଁଚିଲା ସାରା ସହର ଚେଇଁ ଉଠିଲା ନିଦରୁ ତାର ମା ପାଇଁ । ନାହିଁନଥିବା ଉନ୍ମାଦନା ଖେଳିଗଲା ଭାଷା ମା ପାଇଁ ପ୍ରତିବଦ୍ଧତାର ତାଳେ ତାଳେ । କଳାପତାକା ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସୌମ୍ୟ ରଞ୍ଜନ ନାୟକ ସାମାଜିକ ଗଣମାଧ୍ୟମ Facebookରେ ତହିଁର ସିଧାପ୍ରସାରଣ କରି ଛନକା ଭରିଦେଲେ ସରକାରଙ୍କ ଛାତିରେ । ସାଧାରଣ ମଣିଷର ବୌଦ୍ଧିକସ୍ଵର ଭାବେ ସୁବିଦିତ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିର ଛାଇ ଶୀର୍ଷକରେ ତାକୁ ଜନାର୍ପିତ କଲେ ।
ନାମ ଫଳକ ପ୍ରହସନ
ସରକାର ଏତେ ଅତର୍ଛି ଗଲେ ଯେ, ଲୋକଙ୍କୁ ତୁରନ୍ତ ଆଶ୍ଵାସନା ଦେବାପାଇଁ ଏହି ଝଟକାର ସପ୍ତାହେ ନ ପୂରୁଣୁ ଅଗଷ୍ଟ ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ବସାଇ ୧୫ ଦିନ ଭିତରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ , ତା ନ ହେଲେ ଦଣ୍ଡବିଧାନର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଲେ । କଳାପତାକାର ତେଜ କବଳରୁ ନିସ୍ତାର ପାଇବା ପାଇଁ ଏହା ତତ୍କାଳ କେବଳ ଏକ ପ୍ରହସନ ଥିଲା ।
ତେଣୁ ଏଥିରେ ବିଭ୍ରାନ୍ତ ନ ହୋଇ , ନିଜ ମାତୃଭାଷା ପାଇଁ ପ୍ରତିବଦ୍ଧ ଓଡ଼ିଆ ଭାଇଭଉଣୀମାନେ ଏ ଅଭିଯାନକୁ ତେଜୀୟାନ କରିଚାଲିଲେ ।
ଖୋର୍ଦ୍ଧାରୁ ଭୁବନେଶ୍ବର
ସେପ୍ଟେମ୍ବର ୫ ଥିଲା ଗୁରୁଦିବସ । ସେଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ କଳାପତାକା ଓ ଦାବିଫଳକ ସହ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷା ଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ଭାଷା ଆନ୍ଦୋଳନର ଦାବି : “ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।”
ଏହା ସରକାରଙ୍କ ଛାତିରେ ଛନକା ଭରିଦେଇଛି । ଖୋର୍ଦ୍ଧା ବାହିନୀ ରାଜଧାନୀରେ ଭାଷା ଅସ୍ମିତାର ଵୀରତ୍ବବ୍ୟଞ୍ଜକ ସ୍ଵାକ୍ଷର ଖୋଦିତ କରିବାର ଦିନକ ପରେ ଭଉଣୀ ସଙ୍ଗୀତା କିଷାନ, ମାହେ ନିଖାତ୍, ରୀନା ବେହେରା ଓ ଉଷା ଶୁକ୍ଲା ଗତକାଲି କଳାପତାକା ଅଭିଯାନରେ ଯୋଗ ଦେବା ଓ ଭାଷା ଆନ୍ଦୋଳନର ସହସମ୍ପାଦିକା ସଂଘମିର ଜେନା ବି ସେମାନଙ୍କ ସହ ସାମିଲ ହେବ ସରକାରଙ୍କୁ ଛାନିଆ କରିଦେଇଛି ।
ଏହି ପ୍ରବଳ ଚାପର ସମ୍ମୁଖୀନ ହୋଇ, ସରକାର ଅତର୍ଚ୍ଛରେ ଭାଷା ଆଇନ ପୁନଃ ସଂଶୋଧନ ପାଇଁ ସେପ୍ଟେମ୍ବର ୭ ତାରିଖର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।
ଯେତିକି ବାହାରକୁ ଜଣାପଡୁଛି, କଳାପତାକା ଅଭିଯାନ ଚାପରେ ସରକାର ଆଇନ ସଂଶୋଧନ ପାଇଁ ଆପାତତଃ ପ୍ରସ୍ତୁତ । ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ଆଉ ଏକ ସୁଯୋଗ ଦେଇଛି । ଏହି ସୁଯୋଗର ସଦୁପଯୋଗ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶାସନକଳ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ପ୍ରଦାନ କରିଥିବା ପତ୍ରାନୁସାରେ ନିର୍ଭୁଲ ଭାବେ ଭାଷା ଆଇନଟିକୁ ଏହି ବିଧାନସଭାରେ ସଂଶୋଧନ ଓ ଆଇନଟିର ଉଦ୍ଦେଶ୍ୟ ପଣ୍ଡକରୁଥିବା ୧୯୬୩ ଓ ୨୦୧୮ର ସଂଶୋଧନଗୁଡ଼ିକର ବିଲୋପନ କରି ଓଡ଼ିଆ ଭାଷାକୁ ବିପଦମୁକ୍ତ କରିବେ ବୋଲି ଭାଷା ଆନ୍ଦୋଳନ ଆଶା କରୁଛି ।
କଳାପତାକା ଅଭିଯାନ : ଖୋର୍ଦ୍ଧାରୁ ଭୁବନେଶ୍ଵର
ଭୁବନେଶ୍ଵର, ୫.୯.୨୦୧୮
ଆମ ଭାଷା ଆମ ମା । ଆମ ମା ପାଇଁ ଆମ ଲଢ଼େଇ । ଏ ଲଢ଼େଇରେ ଆଜି ଭାଷା ଜନନୀଙ୍କ କଳାପତାକା ହାତରେ ଧରି ଖୋର୍ଦ୍ଧା ପରିକ୍ରମା କରିଥିଲେ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ ,ଡ. ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା ।
Posted by Sanjib Patry on Wednesday, September 5, 2018
ସେଠାରୁ ଚାଲି ଚାଲି ଭୁବନେଶ୍ୱର ଆସିଥିଲେ ବିଭୁଦେନ୍ଦ୍ର ବିଦ୍ୟାଧର, ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରସେନଜିତ ରାୟ । ନେତୃତ୍ବ ଦେଇଥିଲେ ଭାଷା ଆନ୍ଦୋଳନ, ଓଡ଼ିଶାର ଉପସଭାପତି କମଳ ଲୋଚନ ନାୟକ ।
Posted by Soumya Ranjan Nayak Iimc on Wednesday, September 5, 2018
ଭୁବନେଶ୍ଵରରେ ସେମାନଙ୍କୁ ସ୍ଵାଗତ ଜଣାଇଥିଲେ ଭାଷା ଆନ୍ଦୋଳନର ସମ୍ପାଦକ ପ୍ରମୋଦ କୁମାର ଦେବ, “ଭାଷା ମା ପାଇଁ ଘଣ୍ଟାଟିଏ ” ମନ୍ତ୍ର ସ୍ରଷ୍ଟା ସଂଜୀବ ପତ୍ରୀ , ସହସଂପାଦିକା ସଂଘମିତ୍ରା ଯେନା , କୋଷାଧ୍ୟକ୍ଷ ବୀର କିଶୋର ବେହେରା । ଅଧକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନ ପ୍ରଦାତା ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ବିଧାନସଭା ସମ୍ମୁଖସ୍ଥ ପ୍ରତିମୂର୍ତ୍ତିରେ ସମସ୍ତଙ୍କ ଗହଣରେ ପୁଷ୍ପାର୍ଘ୍ୟ ଦେବା ପରେ ସେଠାରୁ ସମସ୍ତେ ରାଜଭବନ ସମ୍ମୁଖସ୍ଥ କୁଳଗୌରବ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ କଳାପତାକା ପଟୁଆରରେ ଆସିଥିଲେ।
ଭାଷା ଆନ୍ଦୋଳନ ଓଡ଼ିଶାର ସହସଂପାଦକ ତଥା ସାମ୍ବାଦିକ ସୌମ୍ୟରଂଜନ ନାୟକ ସମଗ୍ର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଥିବା ବେଳେ, ଅନ୍ୟତମ ସହସଂପାଦକ ଓ ସୁପ୍ରତିଷ୍ଠିତ ଯୁବସଙ୍ଗଠକ ମାନସ ପଟ୍ଟନାୟକ ଏଥିରେ ସହଯୋଗ କରିଥିଲେ ।
Posted by Soumya Ranjan Nayak Iimc on Wednesday, September 5, 2018
ଭାଷା ଆନ୍ଦୋଳନ : ଅର୍ଥମନ୍ତ୍ରୀଙ୍କ ଭୂମିକା ସନ୍ଦେହଘେରରେ
ସ୍ୱତନ୍ତ୍ର ପ୍ରତିନିଧି
ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।
କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।
ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।
ତହିଁରେ ସେ ଲେଖିଛନ୍ତି,
“ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”
ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :
(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।
ପ୍ରତିଜ୍ଞା ଟିଭିରେ ଭାଷା ପାଇଁ ଓଡ଼ିଆର ଲଢ଼େଇ: ଭାଙ୍ଗିଯିବ ବଇରୀଙ୍କ ବଡ଼େଇ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ସଂଶୋଧନ ଆଳରେ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ସବୁଦିନପାଇଁ ଅକର୍ମଣ୍ୟ କରିଦେବାକୁ ତହିଁରେ ଧାରା ୩କକୁ କାଏମ ରଖି ଧାରା ୪ ଓ ଧାରା ୪କ ପରି ଯେଉଁ କ୍ଷତିକାରକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଖଞ୍ଜିଛନ୍ତି ତାହା ଓଡ଼ିଆ ଜାତିର ଆଜନ୍ମ ବଇରୀ ହିଁ କେବଳ କରିପାରେ । ସେ ତାହା କରିଛନ୍ତି । କାରଣ ବାବୁ ନବୀନ ପଟ୍ଟନାୟକ ଜଣେ ଆଜନ୍ମ ଓଡ଼ିଆ ବିରୋଧୀ ବ୍ୟକ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶା ସରକାରୀ ଭାଷା ଆଇନକୁ ଅତି ଅନଧିକୃତ ଭାବେ ୧୯୬୩ରେ ସଂଶୋଧିତ କରି ଇଂରାଜୀ ଭାଷାକୁ ବିଧାନସଭାରେ ସରକାରୀ ଭାଷା କରାଇଦେଇଥିଲେ, ଯାହା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ବସ୍ତୁତଃ ଅଚଳ କରିଦେଇଛି । ପିତାଙ୍କ ପଥ ଅନୁସରଣ କରି ନବୀନ ବାବୁ ବି ଓଡ଼ିଆ ଭାଷାକୁ ମୁମୂର୍ଷୁତର କରାଇଛନ୍ତି । ଏପରିକି, ଗତ ବିଧାନସଭାରେ ପୁନଶ୍ଚ ଏକ ସଂଶୋଧନ ଆଣି ମୂଳ ଭାଷା ଆଇନକୁ ମଧ୍ୟ ଅକାମି କରିଦେଇଛନ୍ତି । ଏହା ବିରୁଦ୍ଧରେ ମୁଁ ତାଙ୍କୁ ପତ୍ର ଲେଖି ପ୍ରତିକାର ଦାବି କଲାପରେ, ଭାଷା ଆନ୍ଦୋଳନକୁ ଗଳା ମୋଡ଼ି ମାରିଦେବା ପାଇଁ , ଆନ୍ଦୋଳନର କଳାପତାକା ଧରିବାକୁ ଯେଉଁ ଦୁଇଜଣ ବ୍ୟକ୍ତି ସହଯୋଗୀ ଯୋଗାଡ଼ କରୁଥିଲେ ସେହି ଦୁଇଜଣଙ୍କୁ କାବୁ କରି ନେଇଛନ୍ତି । ସାରା ଓଡିଶା ଏହି ହୀନ ଚକ୍ରାନ୍ତ ବିରୁଦ୍ଧରେ ଜାଗି ଉଠିଛି ।
ଏହି ଚକ୍ରାନ୍ତକୁ ଅତ୍ୟନ୍ତ ଦୃପ୍ତତାର ସହ ବ୍ୟର୍ଥ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଶ୍ରୀ ରଞ୍ଜନ କୁମାର ଦାସ ଓ ତାଙ୍କ ସହଯୋଗୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ସେମାନେ କୁଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଆନ୍ଦୋଳନର କଳାପତାକା ସହ ପାଦରେ ଚାଲି ଚାଲି ଭୁବନେଶ୍ଵରରେ ପହଞ୍ଚି ଓଡ଼ିଶାର ଏହି ନବଜାଗୃତିର ସ୍ଵାକ୍ଷର ରଖିଛନ୍ତି ଏବଂ ଛନକା ସୃଷ୍ଟିକରିଛନ୍ତି ଭାଷା ବିଦ୍ଵେଷୀ ନବୀନ ସରକାରଙ୍କ ଛାତିରେ । ସରକାରୀ ଚାପରେ ଓଡ଼ିଶାର ସମସ୍ତ ଗଣମାଧ୍ୟମ ଓଡ଼ିଆ ଜାତିର ଏହି ଶ୍ରେଷ୍ଠ ଲଢ଼େଇର ଦୃଶ୍ୟପଟକୁ ଲୋକଲୋଚନରୁ ଦୂରେଇ ରଖିଥିବା ବେଳେ ଭାଷା ଆନ୍ଦୋଳନର ଛତ୍ରପୁର ଶାଖା ସଂଚାଳକ ତଥା ଯୁବସାମ୍ବାଦିକ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏହାର ସିଧା ପ୍ରସାରଣ କରିଥିଲେ । ଅତ୍ୟନ୍ତ ସୁଖର କଥା, ସାଧାରଣ ଲୋକର ନିଶଙ୍କ ସ୍ଵର ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରତିଜ୍ଞା ଟିଭି ସୌମ୍ୟଙ୍କ ବିବରଣୀକୁ ଓଡ଼ିଆ ଜାତି ସ୍ଵାର୍ଥରେ ବିଶ୍ଵାର୍ପିତ କରିଛି । ଆମେ ଆଶା କରୁଛୁ, ଓଡ଼ିଆ ଜାତିର ବଇରୀଙ୍କ ବଡ଼େଇ ଭାଙ୍ଗିବାରେ ଏହା ସହାୟକ ହେବ ।