ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶା ରାଜ୍ୟଭାଷା -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମେ ଓଡ଼ିଆ ବୋଲି ଆମ ଭାଷା ଓଡ଼ିଆ – ଏକଥା ନୁହେଁ ; ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ଆମ ଭାଷା ହିଁ ଆମ ପରିଚୟ ।

ଅନୁପ୍ରବେଶକାରୀ ଇଂରେଜଙ୍କ ଆଧିପତ୍ୟ ବିରୁଦ୍ଧରେ ଆମ ପୂର୍ବ ପୁରୁଷେ ସାରା ଭାରତରେ ପ୍ରଥମେ ତଲୱାର ତୋଳିଥିବା ହେତୁ ଆମକୁ ଦୁର୍ବଳ କରି ରଖିବା ପାଇଁ ସେମାନେ ଆମ ମାଟିର ଯେଉଁ ଯେଉଁ ଅଞ୍ଚଳ ଯେତେବେଳେ ଦଖଲ କରୁଥିଲେ ତାକୁ ଆମ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପଡ଼ୋଶୀ ପ୍ରଦେଶମାନଙ୍କ ସହ ଏପରି ସାନ୍ଧି ଦେଉଥଲେ, ଯେପରି ସେଠାରେ ଆମେ ସଂଖ୍ୟାଲଘୁ ହୋଇଯିବା ଓ ଓଡ଼ିଆ ଭାବେ ଆମ ପରିଚୟ ବୁଡ଼ିଯିବ । ଏହା ଆମ ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

ଅବସ୍ଥା ଏପରି ଶୋଚନୀୟ ହୋଇଉଠିଥିଲା ଯେ, ତେଲୁଗୁ ଭାଷାରେ ସରକାରୀ କାମ ହେଉଥିବା ହେତୁ ସେଠାରେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜନ୍ମ ଓଡ଼ିଆ ଶିଷ୍ଟକରଣମାନେ ତେଲୁଗୁଭାଷା ଶିଖୁଥିଲେ (ଇଂରେଜ ସରକାରଙ୍କ ପ୍ରକାଶିତ କୋରାପୁଟ ଗେଜେଟିୟର , ପୃଷ୍ଠା ୮୫)

ଏହି ବିପର୍ଯ୍ୟୟ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ଗଞ୍ଜାମର ଘୁମୁସର ନିବାସୀ ଦୀନବନ୍ଧୁ ପଟ୍ଟନାୟକ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ପ୍ରଥମ କରିଥିଲେ । ତାଙ୍କ ଉଦ୍ୟମରେ ସେଦିନ ଘୁମୁସରର ରସୁଲକୋଣ୍ଡା ମୁକାମରେ ଋଷିକୁଲ୍ୟା ନଦୀର ଉଭୟ ପାର୍ଶ୍ଵବାସୀ ବାସିନ୍ଦାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆ ଯାଇଥିଲା  (କ୍ରମଶଃ

ପ୍ରଥମଥର ପାଇଁ ଭାଷା ଆନ୍ଦୋଳନ ଉପରେ ଆକ୍ରମଣ: ହସ୍ତକ୍ଷେପ ପାଇଁ ପୋଲିସକୁ ଅନୁରୋଧ

ଭୁବନେଶ୍ବର ,ତା ୦୨.୦୨.୨୦୨୫

ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଆଜି ନବମ ବର୍ଷର ଦଶମ ମାସ ଦ୍ଵିତୀୟ ଦିବସରେ ପହଞ୍ଚିଲା । ଯାହାଙ୍କ ତ୍ୟାଗ ଓ ତପସ୍ୟା ହେତୁ ଏକ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଆବିର୍ଭାବ, ଓଡ଼ିଆ ଜାତିର ସେହି ପରମପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପ୍ରତିଦିନ ପ୍ରଦକ୍ଷିଣ କରି ଓଡ଼ିଆ ଜାତିର ଦୁଃଖଦଗ୍ଧ ଐକ୍ଯର ପ୍ରତୀକ “କଳାପତାକା”ର ଅର୍ଘ୍ୟ ଆମ୍ଭେ ଦେଇଥାଉ। 

କୁଳବୃଦ୍ଧଙ୍କ ପୀଠକୁ ଯିବା ପାଇଁ ପାହାଚ ପରି ଏକ ପଥର ଥିଲା ଯାହା ଉପରେ ପଦ ରଖି ମୁଁ ଉପରକୁ ଉଠିପାରୁଥିଲି ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମାତୃଭାଷାପ୍ରାଣ ଓଡ଼ିଆମାନେ କଳାପତାକାର ଅର୍ଘ୍ୟ ଦେବାକୁ ମୋ ସହ ଯୋଗ ଦେଇ ପାରୁଥିଲେ । କେଇ ଦିନ ତଳେ, ହଠାତ୍ ଦେଖାଗଲା, ସେହି ପଥରଟି ଆଉ ନାହିଁ । ମୁଁ ବେଢା ତଳେ ଠିଆ ହୋଇ କଳାପତାକାର ଅର୍ଘ୍ୟ ଦେଉଥିଲି । 

ଗତକାଲି ସନ୍ଧ୍ୟା ୫ଟାରେ ମୁଁ ପୂର୍ବବତ୍ ଅର୍ଘ୍ୟ ଦେଇ ପେରୁଥିବା ବେଳେ ମୋ ସହ ଚିହ୍ନା ପରିଚୟ ନଥିବା ଜଣେ ବ୍ୟକ୍ତି ମୋତେ ହଠାତ୍ ଭୟଙ୍କର ବାଚନିକ ଆକ୍ରମଣ କଲେ ଓ ଓଡ଼ିଆ ଜାତିର ସୁପରିଚିତ ଏବଂ ସୁପ୍ରିୟ କଳାପତାକା ଅଭିଯାନ ବନ୍ଦ ରଖିବାକୁ ଧମକ ଦେଲେ । 

ମୁଁ ଏହା ପୋଲିସକୁ ଅବଗତ କରାଇଛି ଇ-ମେଲ୍ ମାଧ୍ୟମରେ । ନିମ୍ନରେ ତାହା ଓଡ଼ିଆ ଜାତିର ଅବଗତି ପାଇଁ ଉପସ୍ଥାପିତ ହେଲା : 

ମଧୁବାବୁଙ୍କୁ ଭାଷା ଆନ୍ଦୋଳନର କଳାପତାକାର ନିତ୍ୟ ନିବେଦନ ପ୍ରଦାନ ବେଳେ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ ଓ ଗତକାଲି ଏହି ଅର୍ଘ୍ୟ ପ୍ରଦାନ ବେଳେ ପୋଲିସ ଉପସ୍ଥିତିରେ ମୋ ଉପରେ ହୋଇଥିବା ଆକ୍ରମଣର ପ୍ରତିକାର ପାଇଁ ପ୍ରାର୍ଥନା 

ମହାଶୟ,
ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ (Orissa Official Language Act, 1954)ର ଅଲଙ୍ଘ୍ଯ କାର୍ଯ୍ୟକାରିତା ପାଇଁ ୦୧.୦୪.୨୦୧୬ ତାରିଖରେ ମୋ ଦ୍ଵାରା ପ୍ରତିଷ୍ଠିତ ଭାଷା ଆନ୍ଦୋଳନ, ଓଡ଼ିଶାର ପ୍ରୟୋଗାତ୍ମକ ପଦ୍ଧତ୍ତି – ନିରବ କଳାପତାକା ଅଭିଯାନ – ଗତ ୧୩.୦୪.୨୦୧୬ ତାରିଖରୁ ଅଦ୍ୟାବଧି ସମ୍ପୁର୍ଣ୍ଣ ଶାନ୍ତିପୂର୍ବ ଭାବେ ଚାଲିଛି । କେବେ ବି ଆମ୍ଭେ କୌଣସି ବେଆଇନ ପଦକ୍ଷେପ ନେଇନାହୁଁ ଓ ପୋଲିସ ଯେତେବେଳେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ସଫା ରଖିବାକୁ ଅଟକାଇଛନ୍ତି , କୌଣସି ପ୍ରତିବାଦ ନକରି ଆମ୍ଭେ ସହଯୋଗ କରିଛୁ । ଏହା ଏକ ଅଦର୍ଶସ୍ଥାନୀୟ ସଂପୂର୍ଣ୍ଣ ଶାନ୍ତ ସାମାଜିକ ଆନ୍ଦୋଳନ ବୋଲି ସ୍ବନାମଧନ୍ୟ ପ୍ରଫେସର, ସାମାଜିକ କର୍ମୀ, ଲେଖକ ଓ ଗବେଷକମାନେ ମୌଖିକ ଓ ଲିଖିତ ପ୍ରଶଂସା କରିଛନ୍ତି । ଏପରିକି, ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ଗବେଷଣା ଉପାଧି (Ph D) ସନ୍ଦର୍ଭରେ ଏହି ଆନ୍ଦୋଳନ ଏକ ଆଦର୍ଶ ଆନ୍ଦୋଳନ ଭାବେ ସ୍ଥାନିତ ହୋଇଛି । ଏହା ନିଜ ଶାନ୍ତିପୂର୍ଣ୍ଣ ପଦ୍ଧତ୍ତି ଅନୁସରଣ କରି ନବମ ବର୍ଷର ନବମ ମାସ ଅତିକ୍ରମ କରିଛି ଓ ଆମ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ଦେଇ ଏବଂ ଏହାର ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆଚରଣକୁ ନଜରରେ ରଖି ଓଡ଼ିଶା ପୋଲିସ ସମଗ୍ର ରାଜ୍ୟରେ କେବେ ବି କୌଣସି ବାଧା ଦେଇନାହାନ୍ତି ।

ଦୁଃଖର କଥା , ପ୍ରତିଦିନ ପରି ଗତକାଲି ଅପରାହ୍ନ ୫ଟାରେ ମଧୁବାବୁଙ୍କ ବିଜେସ୍ଥଳୀରେ ପ୍ରତୀକାତ୍ମକ ଭାବେ କଳାପତାକାର ଅର୍ଘ୍ୟ ନିବେଦନ କରି ଫେରୁଥିବା ବେଳେ ମୁଁ ଚିହ୍ନି ନଥିବା ଜଣେ ବ୍ୟକ୍ତି ମୋତେ ଭୟଙ୍କର ବାଚନିକ ଭର୍ତ୍ସନା କରି ଏ ଅଭିଯାନ ବନ୍ଦ କରିବାକୁ ଧମକ ଦେଇଥିଲେ , ୟୁନିଫର୍ମରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାହା ପ୍ରତ୍ଯକ୍ଷ କରିଛନ୍ତି ।

ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ଗତ ନଅ ବର୍ଷ ନଅ ମାସ ଧରି ନିରବଚ୍ଛିନ୍ନ ଭାବେ ଓ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଶୈଳୀରେ ଚାଲିଆସିଥିବା ଏହି ଜାତୀୟ ତପସ୍ୟାରେ ଓ କୁଳବୃଦ୍ଧ ମଧୁସୂଦନଙ୍କୁ କଳାପତାକାର ନିତ୍ୟ ଅର୍ଘ୍ଯ ପ୍ରଦାନ କରିବାରେ କେହି ବାଧାଦେବା ଯେପରି ନହୁଏ ତାହା ପୂର୍ବବତ୍ ସୁନିଶ୍ଚିତ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି । ମୋର ସମସ୍ତ କାର୍ଯ୍ୟକ୍ରମ ପୂର୍ବବତ୍ ସନ୍ଧ୍ଯା ୫ଟାରୁ ୫ଟା ୧୦ ଭିତରେ ସମାପ୍ତହେବ ଓ ମୁଁ ଯାନବାହାନ ଚଳାଚଳରେ କୌଣସି ବାଧା ଦେବି ନାହିଁ ବୋଲି ଆପଣଙ୍କୁ ପୁନର୍ବାର କଥା ଦେଉଛି । ଉଚିତ ମନେକଲେ, ଏହି ସମୟରେ ମୋତେ ସୁରକ୍ଷା ଦେବାକୁ ଆପଣଙ୍କୁ ବିନମ୍ର ଅନୁରୋଧ ।
ଇତି
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠତା, ଭାଷା ଆନ୍ଦୋଳନ, ଓଡ଼ିଶା




Subhas Chandra Pattanayak
Founder,
Bhasha Andolan, Orissa
https://bhashaandolan.com

ବୈଷ୍ଣବ ମହାନ୍ତି ଏକା ନୁହନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ସ୍ବନାମଧନ୍ୟ ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ପଦରୁ  ଅବସର ଗ୍ରହଣ କରିବାର ପ୍ରାୟ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ପେନସନ ପାଇନାହାନ୍ତି – ଏହା ବିଶ୍ଵାସଯୋଗ୍ୟ ନହୋଇଥିଲେ ବି ସତ୍ୟ ।

ଏ ସମ୍ପର୍କରେ ନିଜ ଫେସବୁକ ପୃଷ୍ଠାରେ ଶ୍ରୀ ମହାନ୍ତି ଲେଖିଛନ୍ତି :

ମାନ୍ଯବର ହାଇକୋର୍ଟ ଦୁଇଦୁଇ ଥର ମୋ ପେନସନ ଦେଇଦେବାକୁ ନିର୍ଦ୍ଦେଶ ଦେବାପରେ ବି ମୋ ପ୍ରାପ୍ୟ ମୋତେ ମିଳୁନି ।  ଥରେ କହିଲେ ତିନିମାସ ଭିତରେ ଦେଇଦିଅ, ତିନିମାସ ଯାଇ ପାଞ୍ଚ ମାସ ଗଲା। ଅଦାଲତ ଅବମାନନା କେସ୍ କଲି। କୋର୍ଟ କହିଲେ ଦେଇନ, କିନ୍ତୁ ଏଥର ମାସକ ଭିତରେ ଦିଅ, ନ ହେଲେ ଜାଣିକି ଦେଉନ ବୋଲି ଧରାଯିବ। ଏ ଅର୍ଡର ଦେବାର ତିନିମାସ ପରେ ବି ମୋ ପେନସନ ଶିକ୍ଷାନିର୍ଦ୍ଦେଶାଳୟ ଓ ବିଦ୍ୟାଳୟ ଗଣଶିକ୍ଷାବିଭାଗ ଦେଉନାହିଁ।
ଶ୍ରୀ ମହାନ୍ତି ନିଜକୁ ଅତ୍ୟନ୍ତ ଅସହାୟ ଅନୁଭବ କରୁଛନ୍ତି । ଶିକ୍ଷା ନିର୍ଦ୍ଦେଶାଳୟରେ ସେ ୩୦ ବର୍ଷ କାମ କରିଛନ୍ତି । ଏହି ୩୦ ବର୍ଷ ଭିତରେ ତାଙ୍କ କର୍ତ୍ତବ୍ୟପରାୟଣତା ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତାଙ୍କୁ ଦିଆଯାଇଛି ଓ  ଆଦର୍ଶସ୍ଥାନୀୟ ନିଷ୍ଠା ସହ ସେହି ସମସ୍ତ ଦାୟିତ୍ଵ ସେ ନିର୍ବାହ କରିଛନ୍ତି । ଅଥଚ ଅବସର ଗ୍ରହଣ ପରେ ବିନା ଦୋଷରେ ଓ ସଂପୂର୍ଣ୍ଣ ଅନଧିକୃତ ଭାବେ ତାଙ୍କ ପେନ୍ସନ୍ ଅଟକାଇ ରଖାଯାଇଛି । 
 
“ସରକାର ମୋତେ ପେନ୍ସନ ଦେବାଠାରୁ ଏଯାଏଁ ନଦେଇଥିବାର କାରଣ ଜାଣିବା ମୋ ପାଇଁ ନିହାତି ଜରୁରୀ” ବୋଲି କହିଛନ୍ତି ଶ୍ରୀ ମହାନ୍ତି । 
 
ଓଡ଼ିଶା ଉଚ୍ଚ ଅଦାଲତଙ୍କ ଅପେକ୍ଷା ଗଣ ଶିକ୍ଷା ବିଭାଗ ନିଜକୁ ଅଧିକ ଶକ୍ତିଶାଳୀ ମନେ କରୁଥିବା ହେତୁ ଜନ ସମ୍ମୁଖରେ ସେ କର୍ତ୍ତୃପକ୍ଷଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ଯେ, କେଉଁ କାରଣ ହେତୁ ଜନସାଧାରଣଙ୍କଠାରୁ ବେତନ ପାଇ ପେଟ ପୋଷୁଥିବା ବିଭାଗୀୟ ପଦାଧିକାରୀ ତାଙ୍କୁ ଆଇନତଃ ପ୍ରାପ୍ୟ ତାଙ୍କ ପେନ୍ସନ୍ ଦେଇନାହାନ୍ତି । ତାଙ୍କର ପ୍ରଶ୍ନ ହେଲା –   
 
୧ .ମୋ ନାଆଁରେ କିଛି ସରକାରୀ ଅର୍ଥ ତୋଷରପାତର ଅଭିଯୋଗ ଅଛି କି?
୨.ଅଡିଟ୍ ଅବଜେକସନ୍ ଅଛି କି ?
୩. ଅଫିସିଆଲ ପ୍ରୋସିଡିଙ୍ଗ୍ ଅଛି କି ?
୪.ପୋଲିସ କେସ୍, ଭିଜିଲାନ୍ସ କେସ୍ ଅଛି କି ?
ଏହି ଏକା ପ୍ରଶ୍ନ ଉଚ୍ଚ ଅଦାଲତ ମଧ୍ୟ ଶ୍ରୀ ମହାନ୍ତିଙ୍କ ମକଦ୍ଦମା (W.P.(C) (OAC) No.1248 of 2019)ରେ ସରକାରଙ୍କୁ ପଚାରିଥିଲେ । ଉତ୍ତର ଥିଲା – ନା, ଏପରି କୌଣସି ଅଭିଯୋଗ ବା ମାମଲା ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ନାହିଁ । ତେବେ କାହିଁକି ତାଙ୍କ ପେନ୍ସନ୍ ଦିଆଯାଇନି ବୋଲି ପଚାରିଥିଲେ ଅଦାଲତ । ଯେଉଁ ଉତ୍ତର ମିଳିଲା, ତାହା ଥିଲା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅମୂଳକ ବୋଲି ନିର୍ଣ୍ଣୟ ଦେଇ, ୧୦ ଅକ୍ଟୋବର ୨୦୨୩ ତାରିଖରେ ବିଚାରପତି ଆଦେଶ ଦେଇଥିଲେ କି, ଆଦେଶ ମିଳିବାର ୩ ମାସ ମଧ୍ୟରେ ଶ୍ରୀ ମହାନ୍ତିଙ୍କର ପେନ୍ସନ୍ ଓ ଅବସରୋତ୍ତର ଅନ୍ଯାନ୍ଯ ସମସ୍ତ ପ୍ରାପ୍ୟ ସୁଧ ସହ ତାଙ୍କୁ ପ୍ରଦାନ କରାଯାଉ । 
 
କିନ୍ତୁ ସେତେବେଳକୁ ନବୀନ ପଟ୍ଟନାୟକ ଯେଉଁ ଅରାଜକତା ଚଳାଇଥିଲେ ସେହି ଅରଜକତାର ଆବର୍ତ୍ତରେ  ଅଦାଲତଙ୍କ ଏହି ଆଦେଶ ନଥି ଥାକରେ ପୋତି ହୋଇଯାଇଥିଲା । ସେତେବେଳର ମହାଧିବକ୍ତା ନବୀନଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ହେତୁ ଅରାଜକତାବାଦୀ ନବୀନ ପଟ୍ଟନାୟକଙ୍କୁ ବା ତାଙ୍କ ସରକାରର ସମ୍ପୃକ୍ତ ବିଭାଗକୁ ଅଦାଲତଙ୍କ ଆଦେଶର ଅପରିହାର୍ଯ୍ୟତା ସମ୍ପର୍କରେ ଅବଗତ ବି କରାଇଲେ ନାହିଁ । ଫଳରେ ଅଦାଲତ ଅବମାନନା ହେଲା । 
 
ଅଦାଲତ ଅବମାନନା ମକଦ୍ଦମା (CONTC No. 1593 of 2024)ରେ ଯେଉଁ ରାୟ ପ୍ରକାଶ ପାଇଛି ମାର୍ଚ୍ଚ ୧୮ ତାରିଖରେ ତାହା ସରକାରଙ୍କ ଆଚରଣକୁ ଗର୍ହିତ ବୋଲି ଦର୍ଶାଇଛି । W.P.(C) (OAC) No.1248 of 2019ମକଦ୍ଦମାରେ ୧୦ ଅକ୍ଟୋବର ୨୦୨୩ ତାରିଖରେ ପ୍ରଦତ୍ତ ଆଦେଶକୁ ମାସକ ଭିତରେ ଯଦି ସମ୍ପୂର୍ଣ୍ଣତଃ କାର୍ଯ୍ୟକାରୀ କରା ନଯାଏ, ତେବେ ତାହା ଇଚ୍ଛାକୃତ ଅଦାଲତ ଅବମାନନା (deliberate violation of the Court’s Order) ଭାବେ ଗୃହୀତ ହେବ ବୋଲି ଅଦାଲତ ନିର୍ଣ୍ଣୟ ଦେଇଛନ୍ତି । ଏହା ସତ୍ତ୍ଵେ ସରକାର ଏଯାଏଁ ଶ୍ରୀ ମହାନ୍ତିଙ୍କ ପ୍ରାପ୍ୟ ଦେଇନାହାନ୍ତି । ଏପରିକି ଜଣେ କର୍ମଚାରୀ ଭାବେ ନିଜ ଆପତ୍କାଳୀନ ପାଣ୍ଠି (General Provident Fund) ଜମାଖାତାରେ ସରକାରଙ୍କ ହେପାଜତରେ ଯେଉଁ ବେତନାଂଶ ଜମାଇରଖିଥାନ୍ତି , ତାହା ସମୂଳସୁଧ ତାଙ୍କୁ ଅବସର ଗ୍ରହଣ ପରେ ପରେ ତୁରନ୍ତ ଦେଇଦେବାକୁ ନିର୍ଦ୍ଦିଷ୍ଟ ଓ ଅଲଙ୍ଘ୍ୟ ଆଇନ ଥିଲେ ମଧ୍ୟ  ଶ୍ରୀ ମହାନ୍ତିଙ୍କୁ ତାହା ଏଯାଏଁ ପ୍ରଦାନ କରାଯାଇନି । 
 
ଅଣଓଡ଼ିଆଙ୍କ ପ୍ରେମପାଗଳ ନବୀନ ପଟ୍ଟନାୟକ ଅରାଜକତାର ଯେଉଁ ଖାଣ୍ଡବବନରେ ଓଡ଼ିଶାକୁ ରୂପାନ୍ତରିତ କରିଥିଲେ, ତହିଁରେ ଏପରି କେଉଁ ନରଘାତକ ତକ୍ଷକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ରାଜୁତି କରୁଥିଲା ଓ କରୁଛି ଯେ, ବୈଷ୍ଣବ ଚରଣ ମହାନ୍ତିଙ୍କ ପରି ଜଣେ ଶ୍ରେଷ୍ଠ ଓଡ଼ିଆଙ୍କ ହକ୍ ପ୍ରାପ୍ୟ ଅଦାଲତ ଆଦେଶ ଓ ଆଇନର  ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ – ତାହା ମୋହନ ଚରଣ ମାଝିଙ୍କ ସରକାର ତୁରନ୍ତ ଠାବ କରି ସେ ତକ୍ଷକ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ଦରକାର । ଗତ ୧୨ ବର୍ଷ ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁମାନେ ଶାସନସଚିବ ଓ ନିର୍ଦ୍ଦେଶକ ଥିଲେ ଓ ରହିଛନ୍ତି , ସେ ସମସ୍ତଙ୍କ ବିରୁଦ୍ଧରେ ଦଣ୍ଡବିଧାନ ଆବଶ୍ୟକ ।  
 
ସରକାର ମନେ ରଖନ୍ତୁ ଯେ, ବୈଷ୍ଣବ ଚରଣ ମହାନ୍ତି ଏକା ନୁହନ୍ତି । ଓଡ଼ିଆ ଭାଷା ଅସ୍ମିତାର ଅନ୍ଯତମ ତୁଙ୍ଗ କର୍ଣ୍ଣଧାର ହେଉଛନ୍ତି ଶ୍ରୀ ବୈଷ୍ଣବ ଚରଣ ମହାନ୍ତି । ଓଡ଼ିଆ ଭାଷାତତ୍ତ୍ଵର ପ୍ରୟୋଗାତ୍ମକ ବିଶ୍ଳେଷଣ କରି ସେ ଆମ ଭାଷାର ମୌଳିକତାକୁ ଯେଉଁ ଜାଜୁଲ୍ୟମାନତା ଦେଇଛନ୍ତି ତାହା ଅନନ୍ୟ । ତାଙ୍କୁ ନ୍ୟାୟ ଦେବା ପାଇଁ ଆମେ ଓଡ଼ିଆମାନେ ତାଙ୍କ ସହ ନିଶ୍ଚୟ ରହିବୁ । 

ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ମରଣୋତ୍ତର ଦେଶଦ୍ରୋହ ମକଦ୍ଦମା ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ୧୯୫୪ (The Orissa Official Language Act ,1954) ସଂକ୍ଷେପରେ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ଆବଶ୍ୟକୀୟ ଅଧିସୂଚନାର ଅପେକ୍ଷା ରଖିଥିବା ବେଳେ ତାହା ଜାରି ନ କରି ଅସାମ୍ବିଧାନିକ ସଂଶୋଧନ ଦ୍ଵାରା ୧୯୬୩ରେ କବର ତଳୁ ଇଂରାଜୀ ଭାଷାକୁ ଉଠାଇ ଆଣି ଓଡ଼ିଆ ଜାତିର ଭାଷା ଅଧିକାରକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମରଣୋତ୍ତର ମକଦ୍ଦମା ଆରମ୍ଭ ନ ହେଲେ ବହୁ ଜ୍ଞାତବ୍ୟ ସତ୍ୟ ଲୁକାୟିତ ହୋଇ ରହିଯିବ । 

ବ୍ରିଗେଡ଼ିଅର ଜନ୍ ଡେଲ୍ଭି (John Delvi) ତାଙ୍କ ପ୍ରସିଦ୍ଧ ପୁସ୍ତକ ହିମାଳୟାନ୍ ବ୍ଲଣ୍ଡର (Himalayan Blunder)ରେ ଉଲ୍ଲେଖ କରିଛନ୍ତି ଯେ, ଭରତ ୧୯୬୨ ଚୀନ ଯୁଦ୍ଧରେ ପରାଭୂତ ହୋଇ ଅନ୍ୟୁନ୍ୟ ୧୧୦୦୦ ବର୍ଗ କିଲୋମିଟର ମାଟି ହରାଇଲା, କାରଣ ଯୁଦ୍ଧକ୍ଷେତ୍ରରେ ତଡ଼ିତ୍ ବେଗରେ ପହଞ୍ଚିଥିବା ସୈନିକମାନଙ୍କ ପାଖରେ ସେହି ବରଫାବୃତ୍ତ ପାର୍ବତ୍ୟ ଇଲାକାରେ  ଅତ୍ୟାବଶ୍ୟକ  ଶୀତବସ୍ତ୍ର , ବରଫ-ଯୋତା, ବରଫ-ଚଷମା ପହଞ୍ଚି ପାରିଲା ନାହିଁ । ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୁଦ୍ଧକ୍ଷେତ୍ରରେ ପହଞ୍ଚାଇବାକୁ ଠିକା ନେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବନି ପ୍ରଧାନମନ୍ତ୍ରୀ ନେହେରୁଙ୍କ ମନ ଜିଣିଥିବା ବିଜୁ ପଟ୍ଟନାୟକ । କିନ୍ତୁ ସେ ସେହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଫା ରଣକ୍ଷେତ୍ରରେ ନ ପହଞ୍ଚାଇ ଚୋରାବଜାରରେ ବିକି ପ୍ରଚୁର ଅର୍ଥ ଉପାର୍ଜନ କରିଥିବା ବେଳେ, ବରଫାବୃତ୍ତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟକୀୟ ସେହି ସାମଗ୍ରୀଗୁଡ଼ିକ ନପାଇ ଆମ ସୈନ୍ୟମାନେ ଚୀନସେନାର ସାମ୍ନା କରିପାରିଲେନି, ବହୁ ପରିମାଣରେ ହାହାକାର କରିକରି ମଲେ, ଆମେ ହାରିଗଲେ , ଡେଲ୍ଭିଙ୍କ ହିସାବରେ ଆମ ମାତୃଭୂମିର ୧୧୦୦୦ ବର୍ଗ କିଲୋମିଟର ଚୀନ ପାଦତଳେ ଚାପି ହୋଇରହିଗଲା  । (Lok Sabha Debates (V) (1967) 7980-7990) ।  

ଏହି ଘଟଣାର ତଦନ୍ତ ପାଇଁ ନିଯୁକ୍ତ କାଟଜୁ କମିଶନ କଳିଙ୍ଗ ଏୟାର ଲାଇନ୍ସ ମାଧ୍ୟମରେ ବିଜୁ କରିଥିବା ଦେଶ ବିରୋଧୀ ଅପରାଧମାନଙ୍କର ଏକ ଲମ୍ବା ତାଲିକା ସବିଶେଷ ବିବରଣୀ ସହ ଦାଖଲ କରିଥିଲେ । ମାତ୍ର ତାହାକୁ ସମ୍ପୂର୍ଣ୍ଣତଃ ସଂସଦରେ ରଖାଯାଇନଥିଲା । ଅଥଚ ଏହି ଦେଶଦ୍ରୋହୀ କାମ ସତ୍ତ୍ୱେ ବିଜୁ କେନ୍ଦ୍ର ସରକାରଙ୍କଠାରୁ ବିପୁଳ ପରିମାଣର ଟଙ୍କା କଳିଙ୍ଗ ଏୟାର ୱେଜ @ କଳିଙ୍ଗ ଏୟାର ଲାଇନ୍ସ ପାଇଁ ନେଇଥିଲେ  (୨୫.୧.୧୯୬୩ରେ ଲୋକସଭାରେ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତର)।  ଅଟଳ ବିହାରୀ ବାଜପେଯୀଙ୍କ ୭୮୫ ସଂଖ୍ୟକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ  ୨୮.୬.୧୯୬୨ ତାରିଖରେ ତଦାନୀନ୍ତନ ଗୃହ ରାଷ୍ଟ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଲା ସ୍ଵୀକାର କରିଥିଲେ ଯେ କଳିଙ୍ଗ ଏୟାର ୱେଜ ନାନା ଠକାମି ଓ ଜାଲିଆତି କରିଥିବା ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ଧରିଛି । ଏପରିକି ଯୁଦ୍ଧ ଚାଲିଥିବା ବେଳେ ସନ୍ଦେହାତ୍ମକ ଭାବେ ଅଜଣା ଲୋକଙ୍କୁ ଧରି ତାଙ୍କ ବିମାନ ୧୬୦୦ ଥର ଉଡ଼ାଣ କରିଥିଲା ବୋଲି ଜଣା ପଡ଼ିଥିଲା । ଏହା ଜଣା ପଡ଼ିଲା ପରେ କେହି ଜଣେ ଅଜ୍ଞାତ ପଦାଧିକାରୀ ୧୬୦୦କୁ ୨୦୦ରେ ବଦଳାଇଥିବା ବି ଜଣା ପଡ଼ିଥିଲା । ଏହି ଜାଲିଆତି କିଏ କରିଛି ବୋଲି ସାଂସଦ ଜି. ଜି. ସ୍ଵେଲ୍ ଯେଉଁ ପ୍ରଶ୍ନ କରିଥିଲେ ଶୁକ୍ଲା ତାହା ବି ତଦନ୍ତରେ ଜଣା ପଡ଼ିବ ବୋଲି କହିଥିଲେ ।  ସବୁ ଚାପିଡିଆଗଲା । 

ବିଜୁଙ୍କ ଏୟାର ୱେଜର ଗୋଟାଏ ପରେ ଗୋଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ଵଂସ ହୋଇଚାଲିଲା । ସେସବୁରେ ଥିବା ବିଜୁଙ୍କ ଦେଶଦ୍ରୋହର କାର୍ଯ୍ୟନିର୍ବାହୀ ବିମାନଚାଳକ ଓ ସେମାନଙ୍କ ସହାୟକମାନେ ମରଣ କବଳକୁ ଠେଲି ହୋଇଗଲେ । 

ଭାରତର ସଂସଦ ବିଜୁଙ୍କ ଏହି ଅପରାଧ ହେତୁ ପଡ଼ିଥିଲା ଉଠିଥିଲା । ବିତର୍କରେ ଯେଉଁସବୁ  ବିବରଣୀ ଆସିଲା , ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ଆପରାଧିକ ଅଭିଯୋଜନ ( prosecution for sedition) ପାଇଁ  ତାହା ଥିଲା ଯଥେଷ୍ଟ । ମାତ୍ର କାଳେ ବିଜୁଙ୍କୁ ଅହେତୁକ କରୁଣା ପ୍ରଦର୍ଶନ ପାଇଁ ନେହେରୁ ମଧ୍ୟ ବିଚାରଭୁକ୍ତ ହେବେ, ଏହି କାରଣରୁ ବିଜୁଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଘଣ୍ଟ ଘୋଡେଇ ରଖିଦେଲା । 

କିନ୍ତୁ ଆମେ ଚାହୁଁ ସତ୍ୟ ପଦାକୁ ଆସୁ । ଆମ ଭାଷାକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକ ଚୀନ ଆକ୍ରମଣ କାଳରେ କରିଥିବା ଦେଶଦ୍ରୋହ ପାଇଁ ମରଣୋତ୍ତର ଦଣ୍ଡ ପାଇବା ଦରକାର ।  ସତ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ରଖିବା ପାଇଁ କେନ୍ଦ୍ରର ବିଜେପି ସରକାର ୨୮.୬.୧୯୬୨ରେ ଅଟଳ ବିହାରୀ ବାଜପେୟୀ ପାଇନଥିବା ଉତ୍ତର ଖୋଜି ବାହାର କରୁ ।  

ଭାଷା ଆଇନରେ ଜାଲିଆତି: ଆତ୍ମରକ୍ଷା ପାଇଁ ନବୀନଙ୍କ ନୂଆ ଫନ୍ଦି

ସୁଭାଷ ଚନ୍ଦ୍ର ପଟ୍ଟନାୟକ 
ଭାଷାଆଇନରେ ଜାଲିଆତି କରି ଖସିଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଫନ୍ଦିର ଆଶ୍ରୟ ନେଇଛନ୍ତି । ତଦନୁଯାୟୀ, ସାତଦିନ ତଳେ ଡିସେମ୍ବର ୨୩ରେ ତାଙ୍କ ଗାଦି ଥିବା ଲୋକସେବାଭବନରେ “ଭାଷା ଆଇନ” ନାମକ ଏକ ପୁସ୍ତକ ଉନ୍ମୋଚିତ କରି ସେ ଓଡ଼ିଆ ଜାତିକୁ ପୁନଶ୍ଚ ବିଭ୍ରାନ୍ତ କରିବାକୁ  ଅପଚେଷ୍ଟା କରିଛନ୍ତି । 
 
ଏପରି ଜଣେ ବ୍ୟକ୍ତି ବହିଟିର ଲେଖକ ବନିଛନ୍ତି, ଯେ କି ସରକାରଙ୍କ ବୋଲରେ ଭାଷା ଆନ୍ଦୋଳନକୁ ଛୁରୀ ମାରିଥିଲେ ଓ ଯେଉଁମାନେ  କଳାପତାକା ଅଭିଯାନ ଚଳାଇରଖିଥିଲେ ସେମାନେ  ତାଙ୍କ ସ୍ତ୍ରୀ ଓ ଛୋଟଛୁଆର ବେକରେ ଖୋଜ ପକେଇ ସେମାନଙ୍କୁ ମାରିଦେବା କାମ କରୁଛନ୍ତି ବୋଲି ଆରୋପ କରି ଯା ଇଚ୍ଛା ତା  ଗାଳି ବର୍ଷଣ ସହ  ଧମକଚମକ ଦେଉଥିଲେ ।  
 
କବି ଗଜାନନ ମିଶ୍ର, ଯେ କି ୨୦୧୫ ଜୁଲାଇରେ ଓଡ଼ିଶା ରାଜ୍ୟଭାଷା ଆଇନର କାର୍ଯ୍ୟକାରିତା ପାଇଁ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପାଇବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିଲେ, ଏହାଙ୍କ ଏହି ଦୁର୍ବ୍ୟବହାରର ଶିକାର ହୋଇଥିଲେ ।  ସେ ଟିଟିଲାଗଡ଼ରୁ ଭୁବନେଶ୍ବର ଆସି କଳାପତାକା ଅଭିଯାନରେ  ସାମିଲ ହୋଇଥିଲେ ଓ ଫେରିବା ପୂର୍ବରୁ ଭାଷା ଆଂଦୋଳନର ସଭାପତି ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଭାଷା ଆଇନ ସଂଶୋଧନରେ ଥିବା ତ୍ରୁଟି ଅବିଳମ୍ବେ ସୁଧାରିବାକୁ ଅନୁରୋଧ କରିଥିଲେ । ଏହା ଅବଗତ ହୋଇ ପବିତ୍ର ତାଙ୍କୁ ଭୟଙ୍କର ଗାଳିଗୁଲଜ କରିଥିଲେ ଓ ସେ ତାଙ୍କ ପିଲାଛୁଆଙ୍କୁ କାହିଁକି ମାରୁଛନ୍ତି ବୋଲି ପଚାରିଥିଲେ । ଗଜାନନବାବୁ ଯେତେ ମନାକଲେ ବି ତାଙ୍କ ଗାଳି ଅଟକୁ ନଥିଲା ।  ଏଥିରେ ମର୍ମାହତ ହୋଇ ସାମାଜିକ ଗଣମାଧ୍ୟମ ‘ଫେସବୁକ’ରେ ୧୧.୧୧.୨୦୧୮ତାରିଖରେ ଗଜାନନବାବୁ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରଟି ସଲଗ୍ନ କରି ଯାହା ଲେଖିଥିଲେ ତାହା ନିମ୍ନରେ ଉଦ୍ଧୃତ ହେଲା:
 
“ପ୍ରିୟ ଓଡ଼ିଶାର ଜନସାଧାରଣ, ଦୟାକରି ତଳ ଚିଠିଟିକୁ ପଢନ୍ତୁ , ପଢିବା ହୁଅନ୍ତୁ । ଏହାକୁ କେମିତି କେଉଁ ସୂତ୍ରରୁ ଜାଣିଲା ପରେ ମାନ୍ୟବର ପବିତ୍ର ମହାରଥା ମୋତେ ଏବେ ଦୁଇ ମିନିଟ ପୂର୍ବରୁ ଫୋନରେ ଯାଚ୍ଛାତାଗାଳି କରି କହିଲେ ଯେ, “ମୋ ଛୁଆପିଲାଙ୍କୁ କିଆଁ ମାରୁଛନ୍ତି?” ମୁଁ ବୁଝିପାରିଲି ନାହିଁ । ଓଡ଼ିଶାର ସରକାରୀ ଭାଷା ଓଡ଼ିଆଭାଷାର ବ୍ୟବହାର ଉପରେ ଏ ଚିଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି , ଏଠି ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ଛୁଆପିଲାଙ୍କୁ ମାରିବା କଥା ଆସୁଛି କୁଆଡୁ ? ତେଣୁ ମୁଁ ତାଙ୍କୁ ଯେତେ ପଚାରିଲି, ସେ କହୁଛନ୍ତି “ନାଇଁ ନାଇଁ ଆପଣ ମାରୁଛନ୍ତି ।” କେମିତି କ’ଣ ମୋ ବୁଝିବା ବାହାରେ । କାହିଁକି, କ’ଣ ପାଇଁ ଭାଷା ପାଇଁ ଲଢେଇ କଲେ ଜଣଙ୍କର ଛୁଆପିଲା ମରିବେ ଏହା ଅନୁସନ୍ଧାନ ସାପେକ୍ଷ । ବରଂ ମା ଭାଷା ରହିଲେ ପରିଚିତି ରହିବ । ଏକତା ବଢିବ । ଆଇନ ଓ ସମ୍ବିଧାନ ସମ୍ମତ ହେବ ।  ପବିତ୍ର ମହାରଥାଙ୍କଆରୋପ କରିବାର ରହସ୍ୟ ଯଦି କାହାକୁ ଜଣା ଦୟା କରି କୁହନ୍ତୁ । ମୁଁ ତାଙ୍କ ଛୁଆପିଲାଙ୍କୁ ବହୁତ ସମ୍ମାନ କରେ, କରୁଥିବୀ ବି । ଭାଷା ଆନ୍ଦୋଳନ ସହିତ ତାଙ୍କ ଛୁଆପିଲାଙ୍କ ସମ୍ପର୍କ କ’ଣ ଜାଣିନି । ଯୋଉ ଯୋଉମାନେ ଭାଷା ଆନ୍ଦୋଳନ କରୁଛନ୍ତି ସମସ୍ତଙ୍କୁ ପବିତ୍ର ମହାରଥା ଗାଳି କରୁଥିବାର ଖବର ବି ପାଇଲିଣି ଇତି ମଧ୍ୟରେ । ଏହା କିଆଁ କରୁଛନ୍ତି ସେ?” 
ଏଥିରୁ ସାବ୍ୟସ୍ତ ହୋଇଯାଇଛି ଯେ, ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା କଳାପତାକା ଅଭିଯାନକୁ ଛୁରି ମାରି, ଅଭିଯାତ୍ରୀମାନଙ୍କୁ ଧମକ ଦେଇ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବା କାମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହାରଥାଙ୍କୁ କାମରେ ଲଗାକଥିଲେ । ତା ନହେଲେ, ଭାଷା ତପସ୍ଵୀ ଗଜାନନ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଏଙ୍କ ହାତକୁ କିପରି ଆସିଥାନ୍ତା? ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସୁପାରି ଦେଇଥିଲେ ତାହାର ସବିଶେଷ  ବିବରଣୀ ‘ଦାନାର ତୋବଡ଼ା’ ବହିରେ ମୁଁ ପ୍ରକାଶ କରିଛି, ଏଙ୍କ ସମେତ ଏଙ୍କ ସହଯୋଗୀ ବିଶ୍ଵାସଘାତକ କିମ୍ବା ମୁଖ୍ୟମନ୍ତ୍ରୀ ଏଯାଏଁ ଖଣ୍ଡନ କରିନାହାନ୍ତି ।    
 
ଭାଷା ଆନ୍ଦୋଳନ ପ୍ରତିଷ୍ଠା କରି ତହିଁର କର୍ମ ସମ୍ପାଦନ ପାଇଁ ସେତେବେଳେ ମୋର ଅତ୍ୟନ୍ତ ଅନୁଗତ ଥିବା ଏହି ପବିତ୍ର ମହାରଥାଙ୍କୁ ଆବାହକ ଭାବେ ଓ ପ୍ରଦ୍ୟୂମ୍ନ ଶତପଥୀଙ୍କୁ କଳାପତାକା ଅଭିଯାନର କମାଣ୍ଡର ଭାବେ ମୁଁ  ନିଯୁକ୍ତ କରିଥିଲି । ପ୍ରାୟ ମାସକ ପରେ ଶତପଥୀଙ୍କୁ ଆଂଦୋଳନର ସଭାପତି ପଦରେ ସ୍ଥାପିତ କରିଥିଲି । ଏହି ଉଭୟେ ଅର୍ଥଲୋଭର ବଶବର୍ତ୍ତୀ ହୋଇ କିପରି ଭାଷା ଆନ୍ଦୋଳନକୁ ଛୁରୀ ମାରିଲେ ତାହା ଏହି ନଭମଞ୍ଚରେ କ୍ରମାଗତ ପ୍ରକାଶିତ ହୋଇ  ପରିଶେଷରେ ମୋର ଉପରୋକ୍ତ  ପ୍ରାମାଣିକ ପୁସ୍ତକରେ ସନ୍ନିହିତ  ହୋଇଛି । 
 
ଭାଷା ଆନ୍ଦୋଳନକୁ ଆଗେଇ ନେବା ପାଇଁ ମୁଁ ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ ଆବାହକ ଓ ସଭାପତି ଭାବେ ଦୟିତ୍ଵ ଦେଇଥିଲି ଏଇଥିପାଇଁ ଯେ, ଓଡ଼ିଶା ଷ୍ଟିଭେଡ଼ର୍ସର ଲୋକସମ୍ପର୍କ କର୍ମୀ ଭାବେ ପବିତ୍ର ସମ୍ବାଦପତ୍ରମାନଙ୍କ ସହ ପରିଚିତ ଥିବା ହେତୁ କଳାପତାକା ଅଭିଯାନର ଖବର ପ୍ରତିଦିନ ଖବରକାଗଜମାନଙ୍କୁ ପଠାଇ ତହିଁର ପ୍ରକାଶନରେ ସାହାଯ୍ୟ କରିବେ ଓ  କଳାପତାକା ତୋଳିବାକୁ ଚାରିଜଣ ବନ୍ଧୁଙ୍କୁ ପ୍ରଦ୍ୟୁମ୍ନ ତାଙ୍କ ପ୍ରତିଶ୍ରୁତି ମୁତବକ  ପ୍ରତିଦିନ ଏକାଠି କରିବେ । ଫଳରେ ମୁଁ ସରକାରଙ୍କ ସହ ବୌଦ୍ଧିକ ସଂଘର୍ଷ ଚଳାଇବା ପାଇଁ ନିରଙ୍କୁଶ ସମୟ ପାଇବି । 
 
ଅର୍ଥଲୋଭ ହେତୁ ମୁଖ୍ୟମନ୍ତ୍ରୀଙ୍କ ଥୋପ ଗିଳିଲା ପର୍ଯ୍ୟନ୍ତ ଏହି ଉଭୟେ ନିଷ୍ଠାର ସହ ନିଜ ନିଜ ଦାୟିତ୍ଵ ତୁଲାଉଥିଲେ । ମୁଁ ଏହି ଉଭୟଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିଲି । 
 
ମୁଖ୍ୟମନ୍ତ୍ରୀ ବିଚାରିଲେ କି, ଏହି ଦୁଇଜଣଙ୍କୁ ଯଦି କିଣି ନିଆଯାଏ, ତେବେ କଳାପତାକା  ଅଭିଯାନ ବନ୍ଦ ହୋଇଯିବ । 
 
କିନ୍ତୁ କଳାପତାକା ଅଭିଯାନ ବନ୍ଦ ହେଲାନାହିଁ , ଅଧିକ ଶକ୍ତିଶାଳୀ ହେଲା । 
 

କେନ୍ଦ୍ରାପଡ଼ାର ଭାଷାପ୍ରାଣ ରଂଜନ କୁମାର ଦାସ ଏବଂ ତାଙ୍କ ସାଥୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି  ୧୭.୮.୨୦୧୮ ତାରିଖରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମପୁରରୁ କଳାପତାକା ସହ ଭୁବନେଶ୍ଵରରେ ପହଞ୍ଚି ଘୋଷଣା କଲେ ଯେ, ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫନ୍ଦି ସତ୍ତ୍ୱେ ଓଡ଼ିଶାର ଲୋକେ  କଳାପତାକା ଅଭିଯାନ ସହ ଅଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କ ସୁପରିଖିଆ ଲୋକେ କଳାପତାକା ଅଭିଯାନକୁ  ଅଟକାଇବା ଅସମ୍ଭବ ଥିଲା ବେଳେ ୪.୯.୨୦୧୮ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଲା । ତହିଁ ପରଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ଵରେ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷାଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ଭାଷା ଆନ୍ଦୋଳନର ଦାବି : ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।

ସୁପାରିଖିଆ ଲୋକେ ଭାଷା ଆନ୍ଦୋଳନକୁ ଭାଙ୍ଗିପାରୁନାହାନ୍ତି ଦେଖି ମୁଖ୍ୟମନ୍ତ୍ରୀଙ୍କ ଶିବିରରେ ଭାଳେଣି ପଡ଼ିଯାଇଥିଲା ।  

ବିଧାନସଭାରେ ଯଦି ଏହି ପ୍ରସଙ୍ଗ ଉଠେ, କ’ଣ ଉତ୍ତର ଦେବେ ବୋଲି ଚିନ୍ତା କରିନପାରି, ୧.୫.୨୦୧୮ରେ ହୋଇଥିବା ଭାଷା ଆଇନ ସଂଶୋଧନକୁ ପୁନଃ ସଂଶୋଧିତ କରି  ୧୯.୯.୨୦୧୮ ତାରିଖରେ ୨୦୧୮ର ୨ୟ ସଂଶୋଧନ ବିଧାନସଭାରେ ପାରିତ କରାଇଲେ ନବୀନ ପଟ୍ଟନାୟକ ।

ସେ ଏତେ ଅତର୍ଚ୍ଛି ଯାଇଥିଲେ ଯେ, ତାଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ଭାଷା ଆଇନର ପ୍ରଥମ ସଂଶୋଧନ କରି ଇଂରାଜୀ ଭାଷାକୁ ସରକାରୀ ଭାଷା କରାଗଲା ବୋଲି ଯେଉଁ ବ୍ୟବସ୍ଥା କରାଇଥିଲେ, ତାହାକୁ ଲୋପ କରିବା ପାଇଁ ମୁଁ ରଖିଥିବା ଦାବି ଅନୁଯାୟୀ ଏହି ୨ୟ ସଂଶୋଧନରେ କାର୍ଯ୍ୟାଳୟ ଭାଷା କହିଲେ କେବଳ ଓଡ଼ିଆ ଭାଷାକୁ ବୁଝାଇବ ବୋଲି ସ୍ପଷ୍ଟୀକରଣ-ବ୍ୟବସ୍ଥା ଖଞ୍ଜିବାକୁ ବାଧ୍ୟ ହୋଇଥିଲେ ଏହି ସଂଶୋଧନରେ  । ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆବିଦ୍ଵେଷୀ ନାଟକ ବୋଲି ଆକ୍ଷେପ କରି ମୁଁ ବିଧାନସଭା ପ୍ରେସଗ୍ୟାଲେରୀ ପିଣ୍ଡାରେ ହିଁ ଉପସ୍ଥିତ ସମ୍ବାଦିକମାନଙ୍କୁ ଏହି ସଂଶୋଧନ ଭାଷା ଆନ୍ଦୋଳନ ପାଇଁ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲି । କାରଣ: (୧) ଧାରା ୩(କ) କାର୍ଯ୍ୟାଳୟ ଭାଷା ଭାବେ ଇଂରାଜୀକୁ କେନ୍ଦ୍ରକରି ଦ୍ଵନ୍ଦ୍ଵ ସୃଷ୍ଟିକରୁଥିବା ସରକାର ସ୍ଵୀକାର କରିଥିଲେ ମଧ୍ୟ ତାହାକୁ ଲୋପ କରିନଥିଲେ  ଓ (୨) ଧାରା ୪ (କ) ଜାଲିଆତିପ୍ରସୂତ ହୋଇଥିବା କାରଣରୁ ଅବୈଧ ବୋଲି ଜାଣି ମଧ୍ୟ ତାହାକୁ ଲୋପ କରିବା ପରିବର୍ତ୍ତେ ସେହି ଅବୈଧ ଧାରାକୁ ଏହି ସାନି ସଂଶୋଧନ ମାଧ୍ୟମରେ ବୈଧ କରାଇବାକୁ ଚେଷ୍ଟା କରିଥିଲେ  । ଗଣମାଧ୍ୟମରେ ଥିବା ନବୀନବାବୁଙ୍କ ପୋଷାମାନା ସାମ୍ବାଦିକମାନେ ଅବିଳମ୍ବେ ଏହା ତାଙ୍କୁ ଅବଗତ କରାଇଲେ ।  ସେହି ରାତିରେ ମୁଖ୍ୟମନ୍ତ୍ରୀଙ୍କ ମହଲା (ତୃତୀୟ ମହଲା) ସିଦ୍ଧାନ୍ତ କଲା,  ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସୁପାରି ନେଇଥିବା ଲୋକଙ୍କୁ କୁହାଯିବ, ଆଇନର ନିର୍ଭୁଲ ସଂଶୋଧନ ହୋଇଥିବା ହେତୁ ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ବୋଲି ସେମାନେ ଲେଖିକରି ଜଣାଇବେ  ଏବଂ ତାହାର ନକଲ ପୋଲିସକୁ ଦେବେ । ତାହା ପାଇ ପୋଲିସ ତୁରନ୍ତ ହସ୍ତକ୍ଷେପ କରି କଳାପତାକା ଅଭିଯାନକୁ ଅନଧିକୃତ କହି ଭଙ୍ଗିବ । ପ୍ରଦ୍ୟୁମ୍ନ ଓ ପବିତ୍ର ଏଥିରେ ରାଜିହେଲେ । ରାଜି ନହେବା ଭିନ୍ନ ସେମାନଙ୍କ ପାଇଁ କି ଉପାୟ ବା ଥିଲା ?

ମୁଖ୍ୟ ଶାସନ ସଚିବଙ୍କୁ ସମ୍ବୋଧିତ କରି ସେମାନେ ଲେଖିଲେ: 

ବିଷୟ : ଭାଷା ଆନ୍ଦୋଳନ ଓଡ଼ିଶାର ଚିଠି ନମ୍ବର 001 /2016 ଚରମପତ୍ର ମାଧ୍ୟମରେ ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ପାଇଁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ 

ମହାଶୟ

ଓଡ଼ିଶାର ଶାସନ ଓଡ଼ିଆ ଭାଷାରେ ଚାଲିବା ପାଇଁ ଦୀର୍ଘ 878 ଦିନର ଆନ୍ଦୋଳନ ଯୋଗୁ ସରକାର ଗତ ବିଧାନସଭା ଅଧିବେଶନ ତା 19/09/2018 ରିଖରେ ସଂପୂର୍ଣ୍ଣ ସଂଶୋଧିତ ଭାଷା ଆଇନ 2018 ପାରିତ କରିଛନ୍ତି । ତେଣୁ ଓଡ଼ିଶା ସରକାରଙ୍କୁ ତଥା ଓଡ଼ିଶାର ପ୍ରଥିତଯଶା ଓଡ଼ିଆ ପ୍ରାଣ ଭାଷା ଯୋଦ୍ଧାଙ୍କୁ ଶ୍ରେୟାର୍ପଣ କରି ଭାଷା ଆଇନ ପ୍ରଣେତା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖ (ବିଧାନସଭା ସମ୍ମୁଖସ୍ଥ) ରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି (ରାଜଭବନ ସମ୍ମୁଖସ୍ଥ) ପର୍ଯ୍ୟନ୍ତ ତା 13/04/2016 ଠାରୁ 01/05/2018 (କଳାପତାକା ଅଭିଯାନ)  ଏବଂ 19/09/2018 ପର୍ଯ୍ୟନ୍ତ ଭାଷା ଆନ୍ଦୋଳନ, ଏପରିକି ସାରା ରାଜ୍ୟରେ ଭାଷା ଆଂଦୋଳନର ଓଡ଼ିଶାର ଚାଲୁଥିବା କଳାପତାକା ଅଭିଯାନକୁ ଭାଷା ଆନ୍ଦୋଳନ, ଓଡ଼ିଶା ସେହିଦିନଠାରୁ ପ୍ରତ୍ୟାହାର କରିଅଛି । 

ଏହି ଅବସରରେ ରାଜ୍ୟସରକାର, ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ, ସମସ୍ତ ବିଧାୟକ ତଥା ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ । ଏହା ରାଜ୍ୟର ସାଢେ 4 କୋଟି ଓଡ଼ିଆଙ୍କର ନୈତିକ ବିଜୟ , ଆଗାମୀ ଦିନରେ ପାରିତ ହୋଇଥିବା ଭାଷା ଆଇନଟିକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ନିଯମାବଳୀ ପ୍ରଣୟନ ତଥା କାର୍ଯ୍ୟକାରୀ କାରୀ ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଭାଜନ ହୁଅନ୍ତୁ । 

ବନ୍ଦେ ଉତ୍କଳ ଜନନୀ । 

xxxxxxxxx 

କପି ସଲଗ୍ନ କରାଗଲା – ଡେପୁଟି କମିଶନର ପୋଲିସ, ଭୁବନେଶ୍ବର  

ଚିଠିଟିର ଫଟୋ ପାର୍ଶ୍ଵରେ ଅଛି । ଏହି ଚିଠିକୁ ଧରି ୨୪ .୯.୨୦୧୮ ସନ୍ଧ୍ୟାରେ କଳାପତାକା ଅଭିଯାନର ଯାତ୍ରାରମ୍ଭ ସ୍ଥଳକୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସଦଳବଳେ ଆସି ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଥିବା ହେତୁ ଆମ୍ଭଙ୍କୁ ଆଗକୁ ଯିବାରେ ବାଧା ଦେଇଥିଲେ । ଚିଠିଟି ଯେହେତୁ ମୁଖ୍ୟ ଶାସନ ସଚିବଙ୍କୁ ସମ୍ବୋଧିତ , ସେ କିଛି ଆଦେଶ ଦେଇଛନ୍ତି କି ବୋଲି ମୁଁ ତାଙ୍କୁ ପଚାରିଲି । ସେ ମନା କଲେ  । ମୁଁ କହିଲି – ତାଙ୍କଠୁ ଆଦେଶ ଆସୁ, ତାହା ସାଙ୍ଗରେ ଆଣି ଆସିବେ ।” ସେ କହିଲେ , “ସାର୍, ଆମକୁ ବି ସେ ଏହାର ନକଲ ଦେଇଛନ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ।” ମୁଁ କହିଲି, “ଯେଉଁଟି  ଆପଣ ମୋତେ ଦେଖାଇଲେ, ତାହା ପଢିଛନ୍ତି? ତାହା କାର୍ଯ୍ୟାନୁଷ୍ଠାନ ପାଇଁ ଆପଣଙ୍କୁ ଦିଆଯାଇଥିବା କେଉଁଠି ଲେଖା ଅଛି?” ସେ ଚିଠିଟିକୁ ଏମୁଣ୍ଡୁ ସେମୁଣ୍ଡ ସମ୍ଭବତଃ ପୁନରାୟ ପଢିଲେ ଓ କହିଲେ, “ନା, ସେପରି କିଛି ନାହିଁ ।”  ମୋର ଗୋଟିଏ ଓଡ଼ିଆ ବଖାଣି ମନେ ପଡ଼ିଲା ।  ମୁଁ କହିଲି, “ବାଳ ପୋଡ଼ିଗଲେ ଅଙ୍ଗାର ନୁହେଁ କି ପାଉଁଶ ନୁହେଁ  – ଏହା ତ ଆପଣ ଜାଣିଥିବେ ।” ସେ ଜାଣିଥିବା କହିଲେ । ମୁଁ କହିଲି – “ଏ ଚିଠିଟା ଗୋଟାଏ ବାଳଠାରୁ ବି ନାକରା । ଏହାର କୌଣସି ଗୁରୁତ୍ଵ ନାହିଁ ।” ସେ ନୀରବ ରହିଲେ । ମୁଁ ପଚାରିଲି, “ଭାରତୀୟ ଦଣ୍ଡ ସଂହିତାରେ ମିଥ୍ୟା ବୟାନ (false statement) ଦଣ୍ଡନୀୟ ତ ?”  ସେ ହଁ କଲେ । ମୁଁ କହିଲି, ଏହାର ଏକ ନକଲ ମୋତେ ଦିଅନ୍ତୁ । ଜଣେ ଅନଧିକୃତ ବ୍ୟକ୍ତି ଭାଷା ଆଂଦୋଳନର ପ୍ୟାଡ଼ ବ୍ୟବହାର କରି ଏପରି ଏକ ମିଥ୍ୟା ବୟାନ ଦେଇଥିବା ହେତୁ ତା ବିରୁଦ୍ଧରେ ମୁଁ ପୋଲିସରେ ଏକ ଏତଲା ଦେବି ; କା’ଣ ହୋଇପାରିବ ଦେଖିବା ।” 

“ସାର୍ ଆପଣ ଚାଲନ୍ତୁ” ବୋଲି କହି ସେ ଆମକୁ ବାଟ ଛାଡିଲେ ଓ ସଦଳବଲେ ଯେପରି ଆସିଥିଲେ ସେପରି ଫେରିଗଲେ । ତା ପରଠାରୁ କଳାପତାକା ଅଭିଯାନରେ କେହି ବି ହସ୍ତକ୍ଷେପ କରିନାହାନ୍ତି , କରିବାକୁ ସାହସ କରିନାହାନ୍ତି ; କାରଣ ଆମେ କୌଣସି ବେଆଇନ କରିନାହୁଁ । 

ତେବେ ହଠାତ୍ ଏ ବହି ଉନ୍ମୋଚନ ନାଟକ କାହିଁକି ? 

ଭାଷା ଆଇନ ସଂଶୋଧନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବାର ଯେଉଁ ଅକାଟ୍ୟ ପ୍ରମାଣ ମୁଁ ପ୍ରଦାନ କରିଛି ତାହା ଖଣ୍ଡନ କରିବାର ସାମର୍ଥ୍ୟ ତାଙ୍କର ନାହିଁ  ।  ତାଙ୍କ ବିଧାୟକୀୟ ଅସଦାଚରଣ (legislative misconduct) ମୁଁ ବିଧାନସଭା ଓ ରାଜ୍ୟପାଳଙ୍କୁ ତଥା ରାଜ୍ୟବାସୀଙ୍କୁ ଅବଗତ କରାଇଛି । ମୁଁ ରାଜ୍ୟପାଳଙ୍କୁ ଲେଖିଛି ଯେ, ଜାଲିଆତି ପ୍ରୟୋଗ କରି ଭାଷା ଆଇନର ତିନି ତିନି ଥର ଅପସଂଶୋଧନ କରାଯାଇଥିବା ହେତୁ ଓ ବିଧି ସଚିବ ତଥା ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କ ଦ୍ଵାରା ମିଥ୍ୟା ପ୍ରମାଣପତ୍ର ତିଆରି କରାଯାଇ ରାଜ୍ୟପାଳଙ୍କୁ ସେହି ଶଠତାପ୍ରସୂତ ବିଧାନ (fraudulent legislation) ପ୍ରତି  ମଞ୍ଜୁରୀ (assent) ପ୍ରଦାନ କରିବାକୁ ବାଧ୍ୟ କରାଯାଇଥିବା ହେତୁ,  ସେ ଦେଇଥିବା ସାର୍ବଭୌମ ମଞ୍ଜୁରୀ ପ୍ରତ୍ୟାହାର କରିନିଅନ୍ତୁ ଓ ଏହି ଆବିଷ୍କୃତ ଅସଦାଚରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରୁ ପ୍ରସନ୍ନତା (pleasure) ପ୍ରତ୍ୟାହାର କରନ୍ତୁ । ନବୀନବାବୁଙ୍କ ଅଧୀନସ୍ଥ କର୍ମଚାରୀମାନେ ରାଜଭବନରେ ମୁତୟନ ଥିବା ହେତୁ ଓ ରାଜ୍ୟପାଳ ସେମାନଙ୍କ ଉପରେ ନିର୍ଭରଶୀଳ ଥିବା ହେତୁ ଏଯାଏଁ ଅବଶ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ଉପରୁ ନିଜ ପ୍ରସନ୍ନତା ପ୍ରତ୍ୟାହାର କରିନାହାନ୍ତି । ମାତ୍ର ଓଡ଼ିଶାର ଜନସାଧାରଣଙ୍କ ଇଜଲାସରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜାଲିଆତିର ଯେଉଁ ଅଭିଯୋଗ ଏହି ପ୍ରାମାଣିକ ପୁସ୍ତକ ମାଧ୍ୟମରେ ମୁଁ ରଖିଛି, ତାହାର ତୀବ୍ରତା ଅଧିକରୁ ଅଧିକ ତୀକ୍ଷ୍ନ ହେବାରେ ଲାଗିଛି; ଅଧିକରୁ ଅଧିକ ସୁଶିକ୍ଷିତ ଭାଷାପ୍ରେମୀ ଓଡ଼ିଆ ତା ଉପରେ ଆଲୋଚନା କରୁଛନ୍ତି । ଜାଲିଆତିପ୍ରସୂତ ବିଧାନ ସହ ନିଜ ସଂଯୋଗ ଛିନ୍ନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିବା ସତ୍ତ୍ୱେ ସେ ଉଦାସୀନ ରହିଥିବା  କଥା ଜନସାଧାରଣଙ୍କୁ ଅବଗତ କରାଯାଇଛି ଓ  ଏହି ଜାଲିଆତି ପ୍ରତି ଅନୁରକ୍ତ ହୋଇ ନରହିବାକୁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି । 

ଓଡ଼ିଶାର ଜନସାଧାରଣ ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଷଡଯନ୍ତ୍ରକୁ ଅଧିକରୁ ଅଧିକ ସଂଖ୍ୟାରେ ନିନ୍ଦା କରିବାରେ ଲାଗିଛନ୍ତି ସାମାଜିକ ଗଣମାଧ୍ୟମରେ, ମୁଦ୍ରିତ ଖବରକାଗଜ ପୃଷ୍ଠାରେ, ସଭାସମିତିରେ, ଓଡ଼ିଶାରେ ସର୍ବତ୍ର । 

ତେଣୁ, ଭାଷା ଆଇନ ସଂଶୋଧନରେ କୌଣସି ଜାଲିଆତି ହୋଇନି ଓ ତାଙ୍କ ହେତୁ ତାହା ନିର୍ଭୁଲ ହୋଇଛି ବୋଲି ପ୍ରଚାର କରିବା ପାଇଁ ସେ  ତାଙ୍କ ପୁରୁଣା ପ୍ରଚାରକଙ୍କୁ ପ୍ରୟୋଗ କରି ଏହି ନୂଆ ଫନ୍ଦି ଆପଣାଇଥିବା ଅନୁଭୂତ ହେଉଛି ।