ଗୁରୁକଲ୍ୟାଣ କୁଆଡ଼େ ଗଲେ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

କାନ୍ତକବିଙ୍କ ନାତି ବୋଲି ନିଜକୁ ପରିଚିତ କରାଉଥିବା ଗୁରୁ କଲ୍ୟାଣ ମହାପାତ୍ର ଗତ ଜୁନ ମାସରେ ମୋ ଉପରେ ଏକ ଅତ୍ୟନ୍ତ କୁତ୍ସିତ କୁତ୍ସା ପ୍ରଚାର କରିଥିଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ତାଙ୍କ କାନ୍ଥରେ ଓ ତାହାକୁ ତୀବ୍ରତର କରିଥିଲେ ଅର୍ଥଲୋଭ ହେତୁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ପବିତ୍ର ମହାରଥା ଏବଂ ୧୬.୭.୨୦୧୮ରାତିରେ ତାଙ୍କ ଦାରୀ ସାକ୍ଷୀ ମାଦଳ ସାଜିଥିବା ଜନକୀଶ ବଡପଣ୍ଡା  । ମୁଁ ଯେଉଁ ପ୍ରତିକ୍ରିୟା ରଖିଥିଲି ତାହା ଏହି  ସଂଯୋଗସରଣୀ ରେ ଉପଲଭ୍ୟ । 

ସେ ତାଙ୍କ ଏହି କୁତ୍ସିତ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଦେଇନାହାନ୍ତି । ନିଜର ଅଭିଯୋଗକୁ ସେ ପ୍ରମାଣିତ କରିବା ଉଚିତ ବା ମିଥ୍ୟା କହିଥିବା ସ୍ଵୀକାର କରି ସର୍ବସାଧାରଣରେ କ୍ଷମା ମାଗିବା ଉଚିତ ।

କିନ୍ତୁ ତାଙ୍କ ଅପରାଧର ଅଦ୍ୟତନତା ଯାଞ୍ଚ ପାଇଁ ପୋଲିସ ଯେତେବେଳେ ସେ ପ୍ରଚାର କରିଥିବା କୁତ୍ସାର ଲିଙ୍କ (link) ଖୋଜୁଛନ୍ତି ତାହା ମିଳୁନାହିଁ  ବୋଲି ଖବର ପାଇ ମୁଁ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟାକଲି । ଏହି ରିପୋର୍ଟ ମିଳିଲା – ଯେଉଁଥିରେ ଫେସବୁକ କହୁଛି , ପୋଷ୍ଟିଂକର୍ତ୍ତା ଗୁରୁକଲ୍ୟାଣ ହୁଏତ ନିଜ ପୋଷ୍ଟକୁ ହଟାଇ ଦେଇଛନ୍ତି । 

ଯେଉଁମାନେ ମୋ ଉପରେ କୁତ୍ସିତ ଗାଳିବର୍ଷଣ କରି ଭାଷା ଆନ୍ଦୋଳନ ଶିବିରରେ ବିଭ୍ରାନ୍ତି ଉପୁଜାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ମୁହଁ ଇସ୍ପାତ , ଅଥଚ ପଛ ଏପରି ସନ୍ନିପାତ କାହିଁକି ? 

 

 

 

 

ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।

ଯୁବ ପିଢ଼ି ହିଁ ବିପଦମୁହଁରୁ ମାତୃଭାଷାକୁ ବଞ୍ଚାଇବ : ପାଠଚକ୍ରର ନିର୍ଦ୍ଧାରଣ

(ଆମ ଭାଷା ଆମ ଅଧିକାର ସୂତ୍ରରୁ )

ଭାଷା ବଞ୍ଚିଲେ ଆମ ଅସ୍ମିତା ବଞ୍ଚିବ । ଆମ ଭାଷା ଆଜି ବିପଦରେ ଓ ଏହି ବିପଦରୁ ଉଦ୍ଧାର ପାଇଁ ଓଡ଼ିଶାର ସନ୍ତାନସନ୍ତତି ମାନେ ଆଗେଇ ଆସିବା ଆବଶ୍ୟକ । ଵିଶେଷତଃ ଯୁବସମାଜ ଆଗେଇ ଏ ଦାୟିତ୍ବ କାନ୍ଧେଇ ନେବା ଆବଶ୍ୟକ; କାରଣ ସେମାନେ ହିଁ ଆମର ଭବିଷ୍ୟତ ଓ ତାଙ୍କରି ମନଯୋଗ ଉପରେ ଆମ ଭାଷାଅସ୍ମିତା ନିର୍ଭର କରେ । ଏହିଭଳି ମତ ରଖିଥିଲେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନର ଦ୍ଵିତୀୟ ସପ୍ତାହନ୍ତ ପାଠଚକ୍ରରେ  ରଖିଥିଲେ ଗତ ରବିବାର ।

ଏହି ପାଠଚକ୍ରର ତୃପ୍ତିମୟୀ ପାତ୍ର ଯୋଗ ଦେଇ ଯୁବସମାଜର ଦାୟିତ୍ୱବୋଧ ଉପରେ ଆଲୋକପାତ କରି କହିଥିଲେଯେ ଆମ ମନରେ ଆମ ଭାଷା ପ୍ରତି ଥିବା ହୀନ ଭାବନା ଦୂର ହେବା ଆବଶ୍ୟକ ଓ ତାହା କେବଳ ନିରଳସ ଭଲପାଇବା ଦ୍ୱାରା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଗୁଳରୁ ଭାଗ ନେଇଥିବା ସରୋଜ ମହାନ୍ତି ଭାଷାପ୍ରତି ଆସୁଥିବା ବିପଦ ଓ ତାର ପ୍ରତିକାର ସମ୍ବନ୍ଧରେ କହିଥିଲେ ଯେ, କିଛି ମୁଷ୍ଟିମେୟ ଯୁବକଯୁବତୀ ଏକାଠି ହେଲେ ଆମ ଭାଷା ପ୍ରତି ଆସୁଥିବା ସମସ୍ତ ବିପଦକୁ ଆମେ ପ୍ରତିହତ କରିପାରିବା ।

ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ମହାଲି, ନିର୍ମଳ କୁମାର, ମହେନ୍ଦ୍ର ତ୍ରିପାଠୀ, ରଂଜନ କୁମାର ସାହୁ ଯୋଗ ଦେଇ ନିଜନିଜର ମତ ରଖି ଆଲୋଚନାକୁ ବଳିଷ୍ଠ କରିଥିଲେ ।

ନବୀନଙ୍କ ରାଜୁତିରେ ମୃତ୍ୟୁ ମୁହଁରେ ଓଡ଼ିଆ ଭାଷା: ଭାଷା ଆନ୍ଦୋଳନର ସିଧାପ୍ରସାରଣରେ ଡଃ ଗୋବିନ୍ଦ ଭୂୟାଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶିଷ୍ଟ ଲେଖକ ଓ ସ୍ତମ୍ଭକର ଡଃ ଗୋବିନ୍ଦ ଭୂୟାଁ ଭାଷା ଆନ୍ଦୋଳନର ‘ଭାଷା ମା ପାଇଁ ପଦେ’ ମଞ୍ଚରୁ ସିଧା ପ୍ରସାରିତ ହୋଇଥିବା ବକ୍ତବ୍ୟରେ ଓଡ଼ିଆ ଭାଷାର ଗରିମାମୟ ଅତୀତ ଓ ଅଗ୍ରଗତିର ଏକ ଆଲୋକବର୍ଷୀ ବର୍ଣନା ରଖି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଆ ଜାତିର ମାତୃଭାଷାକୁ ମାରିଦେବାକୁ ଉଦ୍ୟମ ଚାଲିଥିବା ଦର୍ଶାଇଛନ୍ତି ।

ଉଲ୍ଲେଖନୀୟ ଯେ, କରୋନା କାଳରେ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବାବେଳେ ବୌଦ୍ଧିକତଃ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଜଣେ ବିଜ୍ଞ ଓଡ଼ିଆ ଫେସ୍ ବୁକ୍ ମାଧ୍ୟମରେ ଏହି ଭିଡ଼ିଓ ବକ୍ତୃତାମାଳାରେ ଏହି ଅଭିଯାନକୁ ସମର୍ଥନ ପ୍ରଦାନ କରୁଛନ୍ତି । ଜୁଲାଇ ୨୦ ସୋମବାର ସିଧାପ୍ରସାରିତ ହୋଇଥିଲା ଡଃ ଭୂୟାଁଙ୍କ ବକ୍ତୃତା ।

ସମୟସୀମା ଦୃଷ୍ଟିରୁ ତାହା ଅଦ୍ୟତନ କରି ନିମ୍ନରେ ପ୍ରଦତ୍ତ ହେଲା –

କରୋନା ମୁକାବିଲା ପାଇଁ ସର୍ବଦଳୀୟ ମିଳିତ ମନ୍ତ୍ରୀମଣ୍ଡଳ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିସଭାର ନେତୃତ୍ବରେ ଥିଲେ ମଧ୍ୟ ସେମାନଙ୍କ ଏକନାୟକୀୟ ଆଧିପତ୍ୟ ଏତେ ପ୍ରଚଣ୍ଡ ଯେ, ଯୌଥ ବିଜ୍ଞତା ଅଭାବରୁ ଓଡ଼ିଶା ସମେତ ସମଗ୍ର ଭରତ ବିନାଶକ କରୋନା ମହାମାରୀର କବଳରେ । ଏହି ମହାମାରୀର ମୁକାବିଲା ପାଇଁ ଯେଉଁ ନେତୃତ୍ଵ ଦେଶ ଆବଶ୍ୟକ କରୁଛି ସେ ନେତୃତ୍ଵ ଉପଲବ୍ଧ ହେଉନାହିଁ ।

ଏହି ଉଭୟ ନେତା ନିଜ ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଏପରି ଆଚରଣ ପ୍ରଦର୍ଶନ କରିଆସିଛନ୍ତି ଯାହା ଭୂତାଣୁ ନିୟନ୍ତ୍ରଣ ଆଳରେ ପୋଲିସ୍ ରାଜ୍ ବଳବତ୍ତର କରିଛି । ସତେ ଯେମିତି କରୋନା ଆକ୍ରାନ୍ତମାନେ ଅପରାଧୀ ସେହି ପରି ଭାବନା ଉଦ୍ରେକ କରାହୋଇଛି ସାଧାରଣ ମଣିଷର ମନରେ । ଅଥଚ କରୋନା ଠାବ କରିବା, ଚିକିତ୍ସା କରିବା, ଆରୋଗ୍ୟ ଘିସନା କରିବା – ସବୁ ପ୍ରଶାସନିକ ଇନ୍ଦ୍ରଜାଲରେ ଛନ୍ଦିହୋଇରହିଛି । ପ୍ରକୃତ ଚିତ୍ର ଠାରୁ ଲୋକଙ୍କୁ ଦୂରେଇ ରଖାଯାଇଛି ଓ ସରକାର ଯାହା ଜଣାଇବାକୁ ଚାହୁଞ୍ଛନ୍ତି ଲୋକେ ସେତିକି ହିଁ ଜାଣୁଛନ୍ତି ।

ଭୂତାଣୁ ପାଇଁ ଚାଈନାକୁ ଶୋଧିବାରେ ଯେତେ ଶକ୍ତି ଅପଚୟ ହେଲାଣି ତହିଁର କାଣିଚାଏ ମଧ୍ୟ ଲୋକଙ୍କ ପାଇଁ ଲାଗିନାହିଁ । ଯେତେବେଳେ ସବୁ ଡାକ୍ତରଖାନା ଦିନରାତି ଖୋଲା ରହି ରୋଗୀଙ୍କୁ ସାହାଜ୍ଯ କରିବା କଥା ସେତେବେଳେ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ମେଡିକାଲ କଲେଜଗୁଡ଼ିକ ସେମାନଙ୍କ ବହିର୍ଚ୍ଚିକିତ୍ସା ବିଭାଗ ବନ୍ଦ ରଖିଛନ୍ତି ଓ କୌଣସି ଚିକିତ୍ସାଳୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଉପଲବ୍ଧ ନାହିଁ । ସବୁଠୁ ମାରାତ୍ମକ କଥା ହେଲା, ଏହି ମଉକାରେ ରୋଗୀ ଶୋଷଣ ପାଇଁ ଡାକ୍ତର ଓ ଡାକ୍ତରଖାନାମାନଙ୍କୁ ଏପରି ଅଧିକାର ଦିଆଯାଇଛି ଯେ, ଯଦି କୌଣସି ରୋଗୀ ଅପଚିକିତ୍ସା ବା ଅଚିକିତ୍ସା ବିରୁଦ୍ଧରେ ପଟି ଫିଟାଏ ତାକୁ ୧୦ ଲକ୍ଷ ଟଙ୍କା ଜୋରିମାନା ଓ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବ ( The Health Services Personal and Clinical Establishments (Prohibition of violence and damage to property) Bill, 2019) । “ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବା ପ୍ରାଣ?” ବୋଲି ମଧୁବାବୁ ଲେଖିଥିଲେ । ଅବସ୍ଥା ଏଇନେ ଏହା ହିଁ ହୋଇଛି । ଓଡ଼ିଶା ରାଜ୍ୟରେ ପୋଲିସ ମାଡ଼କୁ ନୀରବରେ ବରଦାସ୍ତ ନକଲେ, ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ୨ ବର୍ଷ ଜେଲ ଦଣ୍ଡ ପାଇବାକୁ ଆଇନ ପ୍ରବର୍ତ୍ତନ କରାଯାଇଛି (Epidemic Diseases (Amendment) Ordinance, 2020) ଓ ଲୋକେ କାକୁସ୍ଥ ହୋଇ ରହିଛନ୍ତି । କରୋନା ସମ୍ପର୍କୀୟ ଆଇନ ଓ ନିର୍ଦ୍ଦେଶନାମାଗୁଡ଼ିକ ଘନଘନ ସଂଶୋଧନ ହେଉଛି । ସବୁ ଇଂରାଜୀରେ ଓ ଏପରି ଭାଷାରେ , ଯାହା ସାଧାରଣ ଲୋକେ ଜାଣନ୍ତି ନାହିଁ । ଲୋକଙ୍କ ମାତୃଭାଷାରେ ଆଇନକାନୁନ ନ କରି, ଲୋକଙ୍କୁ ଅନ୍ଧକାରରେ ରଖି ପୋଲିସ ଲାଠି, ଜେଲ କୋଠି, ଜୋରିମାନା ଓ ଡାକ୍ତରୀ ନାଲିଆଖିରେ ଲୋକେ ସିନା ଦାବିଯାଉଛନ୍ତି, କରୋନା ଭୂତାଣୁ ମାଡ଼ି ଚାଲିଛନ୍ତି ।

ଅରାଜକତା ଚରମ ସୀମାରେ ପହଞ୍ଚିଛି ।

ଆମ ବିଚାରରେ ଏଥିପାଇଁ ଦାୟୀ, ପ୍ରଧାନମନ୍ତ୍ରୀ (ଓ ଓଡ଼ିଶା ପରି ରାଜ୍ୟର ମୁଖ୍ୟମନ୍ତ୍ରୀ)ଙ୍କ ଏକନାୟକୀୟ ଆଧିପତ୍ୟ । ଏହାର ପ୍ରତିବିଧାନ ଦରକାର ।

ଏଥିପାଇଁ ଏକାଧିପତ୍ୟ ଜରିକରିଚାଲିଥିବା ଦଳୀୟ ସରକାର ନିଜର ଅପରାଗପଣିଆ ଅନୁଭବ କରି ସର୍ବାଦଳୀୟ କରୋନା କ୍ୟାବିନେଟ୍ ଗଠନ କରୁ । ପ୍ରତିଷ୍ଠିତ ସରକାର ଯେଉଁ ମର୍ଯ୍ୟାଦାରେ ଅଛନ୍ତି ସେହି ମର୍ଯ୍ୟାଦାରେହ ଥାନ୍ତୁ । କିନ୍ତୁ ସବୁ ଦଳର ପ୍ରତିନିଧିମାନଙ୍କୁ ନେଇ କେବଳ କରୋନା ମହାମାରୀର ମୁକାବିଲା ପାଇଁ ଏକ ସ୍ଵତନ୍ତ୍ର ମନ୍ତ୍ରୀମଣ୍ଡଳ ଗଠିତ ହେଉ ଯାହାର ନିର୍ଦ୍ଧାରଣ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କାର୍ଯ୍ୟକାରୀ କରନ୍ତୁ । ଏହି କାରୋନା କ୍ୟାବିନେଟ କେବଳ ମାତୃଭାଷାରେ ତାର ସମସ୍ତ ନିର୍ଦ୍ଧାରଣ ପ୍ରଦାନ କରୁ ।

ଦେଶବାସୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଯୌଥନେତୃତ୍ଵ ଏକାନ୍ତ ଆବଶ୍ୟକ ।

orissamatters॰comରେ ଏହା ପୂର୍ବରୁ ଆଲୋଚିତ ହୋଇଛି । ସଂଯୋଗ ସରଣୀ : https://orissamatters.com/2020/07/05/572020/