ନିଉଜ ସିଣ୍ଡିକେଟ
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓଡ଼ିଶା ସରକାରୀ ଭାଷା ନିୟମାବଳୀ ଓଡ଼ିଆ ଭାଷା ପ୍ରତି ବିପଜ୍ଜନକ ହୋଇଥିବା ହେତୁ ତାହାକୁ ତୁରନ୍ତ ଲୋପ କରିବା ପାଇଁ ଓ ଓଡ଼ିଆରେ କମ କରୁନଥିବା ବ୍ୟକ୍ତି ବିରୁଦ୍ଧରେ ଦଣ୍ଡ ବିଧାନ ମାମଲା କରିବାକୁ ପ୍ରତ୍ଯେକ ଓଡ଼ିଆଙ୍କୁ ଅଧିକାର ଦିଆଯାଇ ସାନି ବିଧାନ ପ୍ରଣାୟକ କରିବାକୁ ଆଜି ଭୁବନେଶ୍ବର ନେହେରୁ ଯୁବ ପ୍ରତିଷ୍ଠାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି ।
ସେ କହିଛନ୍ତି,
ଓଡ଼ିଆ ସରକାରୀ ଭାଷା (ସଂଶୋଧନ) ନିୟମାବଳୀ, ୨୦୧୯ ଓଡ଼ିଆ ଜାତିର ଭାଷା ଅଧିକାରକୁ ବିପଦାପନ୍ନ କରୁଛି । ମୁଁ ତା’ର ତୁରନ୍ତ ବିଲୋପନ ଦାବି କରୁଛି ।
ଓଡ଼ିଆ ଜାତିର ସମସ୍ତ ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବା ସକାଶେ ଓଡ଼ିଆ ଜାତି ୧୮୭୦ରୁ ୧୯୩୬ ପର୍ଯ୍ୟନ୍ତ ସଂଗ୍ରାମ କରି ଓଡ଼ିଶା ପ୍ରଦେଶ ସୃଷ୍ଟ କରିଛି । ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ହେଲା ଓଡ଼ିଆରେ ଶାସନ ।
ସେହେତୁ, ସ୍ଵାଧୀନତା ଲାଭ ପରେ ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ଓଡ଼ିଶାର ପ୍ରଥମ ବିଧାନସଭା ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ କରିଥିଲା । ଏହି ଆଇନର ଧାରା ୧ର ଉପଧାରା (୨) ଓ ଉପଧାରା (୩) ବଳରେ ଏହା ସମଗ୍ର ଓଡ଼ିଶାରେ ତତ୍କାଳ ବଳବତ୍ତର ହୋଇଥିଲା । ଏହାର ଧାରା ୨ର ଉପଧାରା (୧) ଅନୁସାରେ ଓଡ଼ିଶାରେ ସମ୍ପୂର୍ଣତଃ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆରେ ହେବା ଧାର୍ଯ୍ୟ କରା ହୋଇଥିଲା ।
ମାତ୍ର ୨୦୧୯ରେ ରାଜ୍ୟ ସରକାର ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି ତାହା ମୂଳ ଭାଷା ଆଇନ ସୃଷ୍ଟି କରିଥିବା ଏହି ଭାଷା ଅଧିକାରକୁ ପଣ୍ଡ କରୁଛି । ଯଥା, ନିୟମ ୫-କ (୧) ରେ ଅଛି, “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ ହେଲା , ଯେଉଁ କର୍ମଚାରୀମାନେ ସମ୍ପୂର୍ଣ ଭାବେ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ରାଜ୍ୟ ସରକାର ପୁରସ୍କାର ଦେବେ । ସେହିପରି ନିୟମ ୫-କ(୨) ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ ଯେପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନପାରେ ତାର ବ୍ୟବସ୍ଥା କରିଛି । ଏଥିରେ କୁହା ହୋଇଛି “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ ,ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ”। ଅଥଚ “ପର୍ଯ୍ୟାପ୍ତ ବ୍ୟବହାର” ସଜ୍ଞାୟିତ ହୋଇନାହିଁ କି “ବାରମ୍ବାର ଖିଲାପ” କାହାକୁ କୁହାଯିବ ତାହା ମଧ୍ୟ ସଜ୍ଞାୟିତ ହୋଇନାହିଁ । ଏପରି ଅବସ୍ଥାରେ , ଏହି ନିୟମାବଳୀରେ ଯେଉଁ କାର୍ଯ୍ୟାନୁଷ୍ଠାନ କଥା କୁହା ହୋଇଛି ତାହା ମଧ୍ୟ ହେବ ନାହିଁ ।
“ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ” ବୋଲି ଯାହା କୁହା ହୋଇଛି, ତାହା ନୂଆ ବୋତଲରେ ପୁରୁଣା ମଦ । ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାକୁ ଛୁରି ମାରି ଭାଷା ଆଇନରେ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ଓଡ଼ିଶା ଉପରେ ନଦି ଦେବା ପରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଯେଉଁ ସଙ୍କଟର ସମ୍ମୁଖୀନ ହୋଇଥିଲା ତହିଁର ପ୍ରତିକାର ପାଇଁ ରାଜେନ୍ଦ୍ରନାରାୟଣ ସିଂହ ଦେଓଙ୍କ ସରକାର ୬।୪।୧୯୬୮ ତାରିଖରେ ୭୧୧୩ ସଂଖ୍ୟକ ଅଧିସୂଚନା ଜାରିକରିଥିଲେ, ଯେଉଁଥିରେ ଲେଖା ହୋଇଥିଲା, ୧୪।୪।୧୯୬୮ ତାରିଖରୁ ଯେଉଁମାନେ ଓଡ଼ିଆରେ କାମ ନ କରିବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ବହୁ ବାର ଏହି ଏକା ଆଦେଶ ହୋଇଛି । ଆଜିଯାଏଁ କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କାରଣ ଆଇନ ଅମାନ୍ୟକାରୀ କୌଣସି କର୍ମଚାରୀ ନିଜକୁ ନିଜେ ଦଣ୍ଡିତ କରେନାହିଁ ।
ତେଣୁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଅଧିକାର ସାଧାରଣ ଲୋକର ରହିବା ଆବଶ୍ୟକ । ଭାଷା ଅଧିକାର ଏକ ସହଜାତ ଅଧିକାର ହୋଇଥିବା ହେତୁ , ଏହା ଏକ ଅଲିଖିତ ମୌଳିକ ଅଧିକାର । ଅନ୍ୟ ମୌଳିକ ଅଧିକାରର ସୁରକ୍ଷା ସକାଶେ ଯେକୌଣସି ବ୍ୟକ୍ତି ବିଧିକ ପଦକ୍ଷେପ ନେବା ପାଇଁ ଯେମିତି ଅଧିକୃତ, ଠିକ ସେମିତି ଭାଷା ଅଧିକାରର ଖଣ୍ଡନ ହେଲେ ତା ବିରୁଦ୍ଧରେ ବିଧିକ ପଦକ୍ଷେପ ନେବା ପାଇଁ ଯେକୌଣସି ଓଡ଼ିଆ ଆଇନତଃ ଅଧିକୃତ ହେବା ଦରକାର ।

ଏକୁ ସଗର୍ବେ ଧାରଣ କରିଥିଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ ଶିଶିର କୁମାର ସାହୁ
ଫୁଲବାଣୀରେ ମଧ୍ୟ ଆଜି କଳାପତାକା ଅଭିଯାନ ଯଥାପୂର୍ବ ଅନୁଷ୍ଠିତ ହୋଇଛି । ଭାଷା ଆନ୍ଦୋଳନକୁ ସମର୍ଥନ କରି ସରକାରୀ ତଞ୍ଚକତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ଓଡ଼ିଆ ମାଟିର ତିନି ଶ୍ରେଷ୍ଠ ସନ୍ତାନ ସର୍ବଶ୍ରୀ ଅଶୋକ ପରିଡ଼ା, କାହ୍ନୁ ଚରଣ ଶତପଥୀ ଓ ସୁରେନ୍ଦ୍ର ମହାନ୍ତି ।
ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ନିଶବ୍ଦ କଳାପତାକା ଅଭିଯାନର ଏଇ ୧୨୧୭ ଦିନରେ ଆଜି ଯେଉଁ ଦୁଇ ଶ୍ରେଷ୍ଠ ଓଡ଼ିଆ ନିଜର ଭାଷାନୁରକ୍ତି ପ୍ରଦର୍ଶନ କରିଛନ୍ତି ସେମାନେ ହେଲେ ଭାଇ କମଳ ଲୋଚନ ନାୟକ ଓ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ । ସମଗ୍ର ଓଡ଼ିଆ ଜାତି ସାଙ୍କେତିକତଃ ଏହି ଦୁଇ ଭାଇଙ୍କ ଭିତରେ ସଂସ୍ଥିତ । ଡ॰ ଅଶୋକ ମିଶ୍ର ଏହି ଉଭୟ ଭାଷାନୁରକ୍ତଙ୍କ ଫଟୋ ଉଠାଇ ଆପଣମାନଙ୍କ ପାଇଁ ପଠାଇଛନ୍ତି ।
କଳାପତାକା ଅଭିଯାନ ଭୁବନେଶ୍ଵର ବାହାରେ ସବୁଠୁ ଅଧିକ ଦିନ ଚାଲିଛି ଫୁଲବାଣୀ ସହରରେ । ଆଜି ଭାଇ ଅଶୋକ ପରିଡ଼ା ଓ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଜାତିର ଭୀଷ୍ମ ପ୍ରତିଜ୍ଞା ଜଣାଇ ଦେଇଛନ୍ତି ସରକାରଙ୍କୁ, ଯାହା ଭାଶାନୁରକ୍ଟିର ଶକ୍ତିରେ ଶକ୍ତିମାନ ।
ଉଲ୍ଲେଖନୀୟ ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଆନ୍ଦୋଳନ ଏବଂ ତା ପ୍ରଭାବରେ ତିନି ତିନି ଥର ଆଇନଟିର ସଂଶୋଧନ ସରିଯାଇଥିବା ପଞ୍ଚଦଶ ବିଧାନସଭା କାଳରେ ହିଁ ଘଟିଛି ଏବଂ ସେହି ବିଧାନସଭା ହିଁ ଆଇନଟିର ଭୁଲ ସଂଶୋଧନ ଘଟାଇବାରେ ସରକାରଙ୍କୁ ସାହାଯ୍ୟ କରିଛି । ତହିଁର ତାତ୍ତ୍ଵିକ ଓ ତଥ୍ୟନିଷ୍ଠ ଚିତ୍ର ରଖିଛନ୍ତି ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ‘ସରିଯାଇଥିବା ବିଧାନସଭା ଓ ଆମ ଭାଷା’ ଶୀର୍ଷକ ପୁସ୍ତକରେ । ଏହି ଅବସରରେ ପୁସ୍ତକଟି ଲୋକାର୍ପିତ ହୋଇଥିଲା ବିଶ୍ଵପ୍ରସିଦ୍ଧ ମାନବଅଧିକାରବାଦୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଦ୍ଵାରା, ବିଶ୍ବବିଖ୍ୟାତ ବୈଜ୍ଞାନିକ ଡଃ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ,ଅଧ୍ୟାପକ ବିଶ୍ବରଞ୍ଜନ ଓ ଅଧ୍ୟାପକ କମଳାପ୍ରସାଦ ମହାପାତ୍ରଙ୍କ ଅମୂଲ୍ୟ ଗହଣରେ । ସଭା କକ୍ଷରେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଭାଷା ଆଂଦୋଳନର ପ୍ରଥମ ପରମର୍ଶଦାତା ସୁବିଖ୍ୟାତ ପରିବେଶବିତ୍ ବିଶ୍ଵଜିତ ମହାନ୍ତି, ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ସର୍ବଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ, କମଳଲୋଚନ ନାୟକ, ଗିରିଜକାନ୍ତ ମିଶ୍ର ।
(କେତେକ ସକ୍ରିୟ ଆନ୍ଦୋଳନକାରୀ)
(ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପତ୍ର ଉପସ୍ଥାପନା)
(ସରିଯାଇଥିବା ବିଧାନସଭା ଓ ଆମ ଭାଷା ପୁସ୍ତକ ଉନ୍ମୋଚନ)
(ଅଶୋକ ପରିଡ଼ା),
(ଭୁବନମୋହନ ମହାନ୍ତି),
(ଦେବୀପ୍ରସନ୍ନ ନାୟକ),
(ଗିରିଜକାନ୍ତ ମିଶ୍ର),
(କମଳଲୋଚନ ନାୟକ),
(ପ୍ରଦୀପ୍ତ ନାୟକ),
(ଲିଙ୍ଗରାଜ ସ୍ଵାଇଁ),
(ରାମାଶଙ୍କର),
(ସାରଦା ପ୍ରସାଦ ମହାପାତ୍ର),
(ତୁଷାରକାନ୍ତ ଶତପଥୀ) ।