ଓଡ଼ିଶାର ମୁକ୍ତି ଆନ୍ଦୋଳନରେ କଳାହାଣ୍ଡିର ଯୋଗଦାନ: ଦାବି – ଓଡ଼ିଆରେ କାମ ନକଲେ ଦଣ୍ଡବିଧାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭବାନୀପାଟଣାରୁ ପ୍ରାପ୍ତ ସମ୍ବାଦ ସହ ଅଦାଲତ ପରିସରରେ ଥିବା କୁଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ପ୍ରତିମୂର୍ତ୍ତି ସମ୍ମୁଖରୁ ପ୍ରେରିତ ଚିତ୍ର ସ୍ପଷ୍ଟ କରିଦେଇଛି କି, ଇଂରାଜୀ ଭାଷାଧିପତ୍ୟ କବଳରୁ ନିଜ ମାତୃଭୂମିକୁ ଉଦ୍ଧାର କରିବାପାଇଁ ଭାଷା ଆନ୍ଦୋଳନ, ଓଡିଶା ଯେଉଁ ଅଭିଯାନ ଚଳାଇଛି ଓଡ଼ିଶାର ସେହି ଯୁଗାନ୍ତକାରୀ ମୁକ୍ତି ଆନ୍ଦୋଳନରେ ଯୋଗ ଦେଇ ଓଡ଼ିଆରେ ଓଡ଼ିଶାର ସମସ୍ତ ଦାପ୍ତରିକ କର୍ମ ସମ୍ପାଦନା ପାଇଁ କଳାହାଣ୍ଡି ଯେଉଁ ଐତିହାସିକ ଅବଦାନ ଦେଇଥିଲା ତାହାକୁ ତାର ନୀତିନିଷ୍ଠ ବୀର ସନ୍ତାନମାନେ ଅଧିକ ସୁଦୃଢ଼ କରିବାକୁ ଚାହାନ୍ତି ।

ଆଜି ଭବାନୀପାଟଣାର ଓକିଲ ବନ୍ଧୁମାନଙ୍କ ଏହି ମହାନ ନିଷ୍ପତ୍ତି ହେତୁ ମୋର ଛାତି ଗର୍ବରେ ଫୁଲିଉଠୁଛି । ଏକଦା କଳାହାଣ୍ଡିର ଶେଷ ମହାରାଜା ପୁଣ୍ୟଶ୍ଳୋକ ପ୍ରତାପ କେଶରୀ ଦେଓଙ୍କର ଜଣେ ସହକର୍ମୀ ଭାବେ ମୁଁ ଗର୍ବ ଅନୁଭବ କରୁଥିଲି ; କାରଣ, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନାପାଇଁ ତାଙ୍କର ବଜ୍ରନିର୍ଘୋଷ ତୁଲ୍ୟ ଉଦ୍ଘୋଷଣ ହିଁ ‘ଓଡିଶା ସରକାରୀ ଭାଷା ବିଧେୟକ’ର ବିରୋଧୀମାନଙ୍କ ମୁହଁ ବନ୍ଦ କରିଦେଇଥିଲା ଓ ତାହା ବିନାବାଧାରେ ପାରିତ ହୋଇଥିଲା ।

ସେଦିନ ଥିଲା 7 ସେପ୍ଟେମ୍ବର 1954 । ବିତର୍କ ଚାଲିଥିଲା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଆଗତ କରିଥିବା ‘ଓଡିଶା ସରକାରୀ ଭାଷା ବିଧେୟକ’ ଉପରେ । 1 ଏପ୍ରିଲ 1948ରେ ସମ୍ବଲପୁରର ପ୍ରାତଃସ୍ମରଣୀୟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବାପାଇଁ ଆଇନ ପ୍ରଣୟନ ସକାଶେ ଆଣିଥିବା ‘ସଂକଳ୍ପ’କୁ ଯେଉଁମାନେ ବିରୋଧ କରିଥିଲେ, ସେହିମାନଙ୍କ ସମାନ ଷଡ଼ଯନ୍ତ୍ରର ପଦଧ୍ଵନୀ ବାରିହୋଇପଡୁଥିଲା ବିତର୍କରେ ।

ଜୁନାଗଡ଼ର ପ୍ରତିନିଧିତ୍ବ କରୁଥିବା ପ୍ରତାପ କେଶରୀ ଗର୍ଜି ଉଠିଥିଲେ , “ଯେଉଁମାନେ ଓଡ଼ିଶାରେ ବାସ କରିବାକୁ ଚାହାନ୍ତି ସେମାନଙ୍କୁ ଓଡ଼ିଆ ନିଶ୍ଚୟ ଶିଖିବାକୁ ପଡ଼ିବ । ସେ ଆମର ଜଣେ ଆନ୍ଧ୍ର ଭାଇ ହୁଅନ୍ତୁ କିମ୍ବା ସେ ଆମର ଚିଫ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ, ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ । They must learn Oriya or else they will have to clear out” – ଏହା କହି ପ୍ରତାପ କେଶରୀ ଯେତେବେଳେ ତାଙ୍କ ଭାଷଣ ଶେଷ କଲେ, ଚୁପ ହୋଇଯାଇଥିଲେ ଓଡ଼ିଆଵିରୋଧୀଏ ଏବଂ ତାଙ୍କ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିବାକୁ ବାଧ୍ୟ ହୋଇଥିଲେ ଯେ, ଅଣଓଡ଼ିଆମାନଙ୍କୁ ଓଡ଼ିଆ ଭାଷାରେ ଧୂରୀଣ ହେବାପାଇଁ ତିନିବର୍ଷ କରୁଣା କାଳ ଦିଆଯିବ ଓ ଯେଉଁମାନେ ତିନିବର୍ଷ ଭିତରେ ଓଡ଼ିଆରେ କାମ କରିବା ନ ଶିଖିବା ସେମାନଙ୍କୁ ଦଣ୍ଡବିଧାନ ହେବ । ପ୍ରତାପ କେଶରୀ ଯଦି “ଓଡ଼ିଆ ନ ଶିଖିବା ଲୋକେ ଓଡିଶା ଛାଡି ପଳାଇବାକୁ ବାଧ୍ୟ” ବୋଲି ଯଦି ନ କହିଥାନ୍ତେ ସେଦିନ , ତେବେ ଓଡ଼ିଆ ଭାଷାରେ କାମ ନକରିବା ଦଣ୍ଡନୀୟ ହେବ ବୋଲି ବିଧାୟକକୀୟ ଉଦ୍ଦେଶ୍ୟ (legislative intention) ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଆଦୌ ଉଚ୍ଚାରିତ ହୋଇନଥାନ୍ତା । ତେଣୁ ସମଗ୍ର ଓଡ଼ିଆଜାତି କଳାହାଣ୍ଡିର ଶେଷ ମହାରାଜାଙ୍କ ଏହି ସମ୍ପୂର୍ଣ ଓଡିଆଜାତିପ୍ରାଣତା ନିକଟରେ ମୁଁ ସଦାକାଳେ ନତମସ୍ତକ ହୋଇରହିଛି ।

ଯେଉଁ ପବିତ୍ରମାଟିର ସନ୍ତାନ ଓ ଶେଷ ସ୍ଵାଧୀନ ନରେଶ ଥିଲେ ଏହି ପ୍ରଚଣ୍ଡ ଓଡିଆଜାତିପ୍ରାଣ ପ୍ରତାପ କେଶରୀ, ସେହି ପବିତ୍ରମାଟିରେ ହିଁ ଓଡ଼ିଆ ଜାତିକୁ ତାର ଭୌଗୋଳିକ ପରିଚୟ-ପ୍ରଦାତା କୁଳଗୌରବ ମଧୁସୂଦନଙ୍କ ସୁଯୋଗ୍ୟ ବୃତ୍ତି-ଦାୟାଦମାନେ ଓଡ଼ିଆ ଭାଷାରେ ସେବାଦାନ ପ୍ରତ୍ୟାଖ୍ୟାନ କରୁଥିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନରେ ଝାସ ଦେବା ଖବର ଓଡ଼ିଆ ଭାଷା ଜନନୀର ସମଗ୍ର ସତ୍ତାକୁ ଆଜି ଗର୍ଵମଞ୍ଜୁଳ କରୁଥିବ – ଏହା ନିଃସନ୍ଦେହ ।

ସାଥୀ ସନ୍ତୋଷ ମିଶ୍ର ଏଠାରେ ପ୍ରଦତ୍ତ ଫଟୋଚିତ୍ରଗୁଡ଼ିକ ଦେଇ ଜଣାଇଛନ୍ତି କି, ଯେଉଁମାନେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶାର ଏହି ଅଭିନବ ମୁକ୍ତି ଆନ୍ଦୋଳନର ଭିତ୍ତି ସ୍ଥାପନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ସମେତ ସର୍ବଶ୍ରୀ ଅଶୋକ ସାହୁ, ସୌମେନ୍ଦ୍ର ଚାନ୍ଦ, ନିହାର ମିଶ୍ର, ଭୁପେନ୍ଦ୍ର ପଣ୍ଡା, ଅନୁପ ଜେନା, ରାଜେଶ ନାୟକ, ଲୋକନାଥ ନାୟକ, ପ୍ରଶାନ୍ତ ଭୋଇ, ସନ୍ତୋଷ ସାହୁ, ପରମାନନ୍ଦ ପଣ୍ଡା, ଅନୱର ଭାରତୀ, ରାଜକୁମାର ଛାତିଆ, ପ୍ରତାପ ପ୍ରଧାନ, ପ୍ରଦୀପ ପତ୍ର, ବିରଂଚି ସେଠି, ଲୋକନାଥ ନାୟକ, ସନ୍ତୋଷ ମିଶ୍ର, ପ୍ରକାଶ ହରପାଲ, ରାମଚନ୍ଦ୍ର ଦାସ, ଧର୍ମେନ୍ଦ୍ର ପାତ୍ର ପ୍ରମୁଖ । ଦାବିଫଳକ ସହ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରୁ ଅଭିଯାତ୍ରାରେ ଆସି ଦେୱାନୀ ଅଦାଲତ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦାବି ହାସଲ ଯାଏଁ ସଂଗ୍ରାମ ଅତୁଟ ରହିବ ବୋଲି ସେମାନେ ପ୍ରତିଜ୍ଞା ପ୍ରକଟ କରିଥିଲେ  ।

ଭବାନୀପାଟଣାର ଏହି ମାତୃଭକ୍ତ ବୀର ଓଡିଆମାନଙ୍କୁ ମୁଁ ଏବଂ ଭାଷା ଆନ୍ଦୋଳନ, ଓଡ଼ିଶାର ସବୁ ସଂଗ୍ରାମୀ ଜଣାଉଛୁ କୋଟି କୋଟି ସଶ୍ରଦ୍ଧ ପ୍ରଣାମ ।

ଭାଷା ଆନ୍ଦୋଳନ : ଅଧ୍ୟକ୍ଷଙ୍କ ସହ ବୈଷ୍ଣବ ପରିଡ଼ାଙ୍କ କଥୋପକଥନ

ଓଡ଼ିଆ ଭାଷାରେ କାମ ନକଲେ ଦଣ୍ଡବିଧାନ ଓ ଦଣ୍ଡବିଧାନପାଇଁ ‘ଭାଷା ଅଦାଲତ’ ଗଠନ – ଏହି ଦାବି ଉପରେ ସାରା ବିଶ୍ଵର ଅନନ୍ୟ କଳାପତାକା ଅଭିଯାନ ଓଡ଼ିଆଵିଦ୍ଵେଷୀ ନବୀନ ସରକାରଙ୍କୁ ଅସ୍ତବ୍ୟସ୍ତ କରିଚାଲିଥିବାବେଳେ ଜଣେ ସରକାରୀ ପ୍ରଚୋଦିତ ବ୍ୟକ୍ତିଭାବେ ମୁଖ୍ୟମନ୍ତୀଙ୍କ ଦଳର ପୂର୍ବତନ ସାଂସଦ ବୈଷ୍ଣବ ପରିଡା ‘ଭାଷା ଆୟୋଗ’ ପରି ଏକ ନୂଆ ଦୁହା ତୋଳି ବିଭ୍ରାନ୍ତି ସୃଷ୍ଟିପାଇଁ ଚେଷ୍ଟା ଚଳାଇଛନ୍ତି । ଓଡ଼ିଶାର ଓଡ଼ିଆଵିଦ୍ଵେଷୀ ସରକାର ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ସରକାରୀ ସନ୍ଦର୍ଭ ଚୋରିକରିଥିବା ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ତଥା ତାଙ୍କ ଗୋଷ୍ଠୀକୁ ଲଗାଇ ଏ ସମ୍ପର୍କୀୟ କ୍ୟାବିନେଟ ପ୍ରସ୍ତାବ ଉପରେ ଖସଡ଼ା ପ୍ରସ୍ତୁତି ପାଇଁ ଆଜି ଏକ ବୈଠକ ଡାକିଛନ୍ତି ।

ଏହି ପ୍ରବଞ୍ଚନା ଉପରେ ମୁଁ ଆଲୋଚନା କରିବି ଆସନ୍ତାକାଲି । ତା ପୂର୍ବରୁ ବୈଷ୍ଣବ ପରିଡା ମୋ ସହ ଟେଲିଫୋନରେ ହୋଇଥିବା କଥାର ଅଡ଼ିଓ ରେକର୍ଡ ମୁଁ ଏଠାରେ ରଖୁଛି ସମସ୍ତଙ୍କ ଅବଗତି ପାଇଁ । କାରଣ ଏହା ଆମ ଭାଷା ଉପରେ ଚାଲିଥିବା ଦୁଷ୍କର୍ମ ଅନୁଧ୍ୟାନ କରିବାରେ ସହାୟକ ହେବ ।

ଏବେ ଅଡ଼ିଓ ରେକର୍ଡ ଶୁଣାଯାଉ

 

ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ ? ସୁନିଶ୍ଚିତ ବୋଲି ସମସ୍ତଙ୍କ ମତ


‘ସମ୍ପର୍କ ମିଡ଼ିଆ’ର ‘କୁଳ ତିଳକ’ ଉପାଧି ପ୍ରଦାନ ଅବସରରେ ଜାନୁଆରୀ 7 ଦିନ ତମାମ ଶ୍ରୀ ଜୟ ଦେବଙ୍କ ନାମରେ ପୁନର୍ନାମୀତ ହୋଇଥିବା ରାଜ୍ୟ ସୂଚନା ଭବନ ସଭାକକ୍ଷରେ ‘ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ?’ ପ୍ରଶ୍ନ ଉପରେ ଏକ ଗୁରୁ ଗମ୍ଭୀର ଆଲୋଚନା ହୋଇଥିଲା ∣ ସଭାପତିତ୍ଵ କରିଥିଲେ ସୁବାର୍ତ୍ତାର ସମ୍ପାଦକ ତଥା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ∣

ଆଲୋଚନା ଆରମ୍ଭ କରି ସମ୍ପର୍କ ମିଡ଼ିଆର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ସାହୁ ବ୍ୟଙ୍ଗ ସାହିତ୍ୟର ବୈଶିଷ୍ଟ୍ୟ ଉପରେ ଚର୍ଚ୍ଚା କରି ଓଡିଶା ସାହିତ୍ୟ ଏକାଡେମୀ ବ୍ୟଙ୍ଗ ସାହିତ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେବାପାଇଁ ପରାମର୍ଶ ଦେବା ସହ ଏ ଦିଗରେ ତାଙ୍କ ସଂସ୍ଥା ଯେଉଁ ଅଭିଯାନ ଆରମ୍ଭ କରିଛି ତହିଁର ସମ୍ୟକ ସୂଚନା ଦେଇଥିଲେ ∣

ବ୍ୟଙ୍ଗ ବିଳାସ ପାଇଁ ନୁହେଁ, ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ ବ୍ୟଙ୍ଗ କବି ଜ୍ଞାନ ହୋତା ∣ କବି ସତ୍ୟାନାଶ ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟର ବୈପ୍ଲବିକ ଧାରାର ଏକ ନିଖୁଣ ଚିତ୍ର ଦେଇ, ବ୍ୟଙ୍ଗ ରଚନାକୁ ସାହିତ୍ୟର ଏକ ଉଚ୍ଚାଙ୍ଗ ବିଭବ ବୋଲି ବର୍ଣନା କରିଥିଲେ ∣

ଅନ୍ୟମାନଙ୍କ ମଧ୍ୟରେ ବ୍ରଜବିହାରୀ ସୁବୁଦ୍ଧି , ଅନନ୍ତ ଜେନା, ଉମାକାନ୍ତ ମହାପାତ୍ର, ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ପ୍ରସନ୍ନ ଦାଶ ପ୍ରମୁଖ ବ୍ୟଙ୍ଗ ରଚନାକୁ ଏକ ବୈଶିଷ୍ଟ୍ୟସମ୍ପନ୍ନ ସାହିତ୍ୟ ଭାବେ ସ୍ବୀକୃତି ଦେବାକୁ ଓଡିଶା ସାହିତ୍ୟ ଏକାଡେମୀକୁ ଆହ୍ବାନ ଦେଇଥିଲେ ∣

ଏହି ଦାବି ସହ ଏକମତ ହୋଇ ଅଧ୍ୟକ୍ଷତା କରୁଥିବା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ଶତପଥୀ କହିଥିଲେ , ଅନ୍ତର୍ଭେଦୀ ଦୃଷ୍ଟି ଓ ସାର୍ବଜନିକ ଚେତନାର ନିର୍ଭିକ ଉପଯୋଗ କରି ଲୌକିକ ଭାଷାରେ ଯେଉଁ ସଂସ୍କାରଧର୍ମୀ ସାହିତ୍ୟ ସୃଷ୍ଟିକରାଯାଏ ତାହା ହିଁ ରୂପନିଏ ରମଣୀୟ ବ୍ୟଙ୍ଗର , ଯାହା ତାର ସର୍ଜନଶୀଳତାର ଶାଣୀତ ଶବ୍ଦ ବାଣରେ ଶ୍ରୋତା ଓ ପାଠକର ଚେତନା ଜାଗ୍ରତ କରାଇଥାଏ ଏବଂ ଦେଇଥାଏ ସଦା ଅନିର୍ବଚନୀୟ ବିରଳ ଆନନ୍ଦ ∣ ଏପରି ସାହିତ୍ୟକୁ ତାର ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ ସମ୍ପର୍କ ମିଡ଼ିଆ ଆରମ୍ଭ କରିଥିବା ଅଭିଯାନକୁ ସେ ଭାଷା ଆନ୍ଦୋଳନ ପକ୍ଷରୁ ପୁର୍ଣ ସମର୍ଥନ ଜ୍ଞାପନ କରିଥିଲେ ∣

ଭାଷା ଆନ୍ଦୋଳନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ମାନବିକ ସମ୍ପର୍କର ସ୍ଵାକ୍ଷର ରଖିଥିବା ବିଶିଷ୍ଟ ଓଡ଼ିଆଙ୍କ ଭିତରୁ ଉପାଧି ଗ୍ରହଣ କରିଥିଲେ ଡାକ୍ତର କମଳାକାନ୍ତ କର, ଡା. ନାରାୟଣ ରାଉତ, ମନୋରଞ୍ଜନ ମହାପାତ୍ର, ରଞ୍ଜନ କୁମାର ମହାପାତ୍ର, ବିପିନ ବିହାରୀ ଜୟସିଂହ , ଭୀମସେନ ପାଇକରାୟ , ଡା. ଚିତ୍ରଲେଖା ଜେନା ଓ ଶ୍ରୀମତୀ ଗୀତା ଦାଶ ∣