ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ଅର୍ଥମନ୍ତ୍ରୀ ଶଶି ବେହେରା ଟିକଟ ହରାଇଲେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଏତେ ବିରକ୍ତ ଯେ, ବିଜେଡି ଟିକଟରେ ବିଧାନସଭାକୁ ଆସିବା ବାଟ ତାଙ୍କ ପାଇଁ ବନ୍ଦ ହୋଇଯାଇଛି । ଅର୍ଥମନ୍ତ୍ରୀ ବେହେରଙ୍କୁ ନବୀନବାବୁଙ୍କ ମନ୍ତ୍ରୀମଣ୍ଡଳରେ ସବୁଠୁ ଶକ୍ତିଶାଳୀ ମନେକରାହେଉଥିଲା । ତାଙ୍କ ଉପରେ ରୋଷ ହେତୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଇଛନ୍ତି ନବୀନ ବାବୁ ଏବଂ ଶଶିବାବୁ ଯେ ତାଙ୍କ ବିଶ୍ଵାସ ହରାଇ ସାରିଛନ୍ତି – ଏହି ଧାରଣା ବଳବତ୍ତର ହୋଇଛି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଅଧକୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଶ୍ଵସ୍ତ ପ୍ରକାଶ । ପ୍ରଦ୍ୟୁମ୍ନ ଶତପଥି ଓ ପବିତ୍ର ମହାରଥାଙ୍କ ସହାୟତାରେ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଏହି ଅର୍ଥ ବ୍ୟୟ କରାଯାଇଥିଲେ ବି ଆନ୍ଦୋଳନ ଭାଙ୍ଗି ନହିଁ , ଚାଲିଛି । ପ୍ରତିଦିନ ଦୁଇଜଣ ଭାଷାପ୍ରାଣ ଓଡ଼ିଆ କଳା ପତାକା ଧରି ଘୋଷଣାନାମା ସହ ବିଧାନସଭା ସମ୍ମୁଖସ୍ଥ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ରାଜଭବନ ସମ୍ମୁଖସ୍ଥ କୁଳବୃଦ୍ଧ ମଧୁସୂଦନଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ଆସୁଛନ୍ତି ।

କୌଣସି ଆଇନ ଉଲ୍ଲଂଘନ ନ କରି ଆଇନ ବଦଳାଇବାକୁ ଏକ ଆଇନସମ୍ମତ ସରକାରକୁ ପ୍ରବର୍ତ୍ତାଇବାପାଇଁ ସ୍ଵଳ୍ପସଙ୍ଖ୍ୟକ ବ୍ୟକ୍ତି ବି କିପରି ସକ୍ଷମ ହୋଇପାରନ୍ତି ଏହି ଆନ୍ଦୋଳନ ତାର ଏକ ସଫଳ ପରୀକ୍ଷଣ ।

ମୋର ମାନସପ୍ରସୂତ ଏହି ପଦ୍ଧତ୍ତି ମୁଁ ପ୍ରଥମେ ପ୍ରୟୋଗ କରିଥିଲି ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶ୍ରୁତି ଭଙ୍ଗ ବିରୁଦ୍ଧରେ ୧୯୮୦ ଦଶକର ଆଦ୍ୟଭଗରେ ।

ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ପାଇଁ ସରକାରୀ ଷଡ଼ଯନ୍ତ୍ର: ଜାଗ ଓଡ଼ିଆ, ଜାଗ !

ଉତ୍କଳ ଦିବସ, ୨୦୧୯ ଉପଲକ୍ଷେ

ଜାଗ ଓଡ଼ିଆ ଜାଗ by on Scribd

କଙ୍ଗ୍ରେସ ମଥାରେ ଭାଷା ଆନ୍ଦୋଳନର ଦାବି

ଗତ ମାସ ୬ ତାରିଖରେ ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀ ଓଡ଼ିଶାରେ ସକ୍ରିୟ ଥିବା ସବୁ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲା କି, ଓଡ଼ିଶାରେ ଓଡ଼ିଆ ଭାଷାର ରାଜୁତି ପାଇଁ ସେମାନେ ନିଜ ନିଜ ନିର୍ବାଚନ ଇସ୍ତାହାରରେ ସ୍ପଷ୍ଟ ପ୍ରତିଶ୍ରୁତି ଦିଅନ୍ତୁ ।

ଏହି ପ୍ରେକ୍ଷାପଟରେ ଓଡ଼ିଶା ପ୍ରଦେଶ କଙ୍ଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ପଠାଇଥିବା ଏକ ନିବେଦନ ପତ୍ର ଉଲ୍ଲେଖନୀୟ । ସମସ୍ତଙ୍କ ଅବଗତି ପାଇଁ orissamatters.comରୁ ଆହରଣ କରି ଏହାକୁ ଏଠାରେ ସ୍ଥାନିତ କରାଗଲା ।

ତପନ ପାଢ଼ୀଙ୍କୁ ସସମ୍ମାନ ମୁକ୍ତ କର, ଅପରାଧୀ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କର

ରଞ୍ଜନ କୁମାର ଦାସ ଓ ଭୁବନ ଚାନ୍ଦ ହାତୀଙ୍କ ଠାରୁ

ଭାଷା ଆନ୍ଦୋଳନର ଦୃଢ଼ ସମର୍ଥକ, ସମାଜବାଦୀ ଚେତନାର ବାହକ, ମାନବାଧିକାରର ଅନ୍ୟତମ ଅତନ୍ଦ୍ର ପ୍ରହରୀ ତପନ ପାଢ଼ୀଙ୍କୁ ଅଭିସନ୍ଧିମୂଳକ ଭାବେ ତାଙ୍କ ଚୌଦ୍ୱାର ବାସଭବନରୁ ଉଠାଇନେଇ, ପାଣିକୋଇଲି ଥାନାର ଭାରପ୍ରାପ୍ତ ଅଧିକାରୀ ଥାନା ହାଜତରେ ତାଙ୍କ ଉପରେ କରିଥିବା ଅମାନୁଷିକ ପ୍ରହାର ସାରା ଓଡ଼ିଶାରେ ଭର୍ତ୍ସିତ ହୋଇଚାଲିଥିବା ବେଳେ ୨୬ ତାରିଖରେ ମାନବାଧିକାର କମିଶନଙ୍କ ତଦନ୍ତ ବିଭାଗର ଏଡିଜିଙ୍କ ସଦଳବଳ ଯାଇ ଜେଲରେ ଶ୍ରୀପାଢ଼ୀଙ୍କୁ ଭେଟିବା ସହିତ ପୁଲିସ୍ ଏସପି ଓ ପାଣିକୋଇଲି ଥାନାରେ ପ୍ରତ୍ୟକ୍ଷ ବିବରଣୀ ସଂଗ୍ରହ କରିଛନ୍ତି ।

ଏତେ ସବୁ ସତ୍ତ୍ବେ ଥାନା ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯାନୁଷ୍ଠାନ ନ ହେବା ଦୁର୍ଭାଗ୍ୟଜନକ ବୋଲି ସିଭିଲି ସୋସାଇଟି ପକ୍ଷରୁ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି। ସାରା ରାଜ୍ୟରେ ସୂଚନା ଅଧିକାର କର୍ମୀ ଓ ମାନବ ଅଧିକାର କର୍ମୀଙ୍କ ଉପରେ ନିର୍ଯାତନା ଓ ପୁଲିସର ମିଥ୍ୟା ମାମଲା ବଢି ଚାଲିଛି।

ଏ ନେଇ ପୁଲିସ୍ ପ୍ରଶାସନ ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ତପନ ପାଢୀଙ୍କୁ ଜେଲରୁ ଖଲାସ କରିବା ସହିତ ପାଣିକୋଇଲି ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି।

ରାଜ୍ୟର ବିଭିନ୍ନ ଅଂଚଳରୁ ସାମାଜିକ କର୍ମୀମାନେ ଆଜି (ମାର୍ଚ୍ଚ ୨୮) ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଏକାଠି ହୋଇ ପୁଲିସ ବର୍ବରତାଙ୍କୁ ନିନ୍ଦା କରିବା ସହିତ ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ସ୍ୱର ମିଳାଇଛନ୍ତି।

ଏହି ପ୍ରତିବାଦରେ ଲୋକଶକ୍ତି ଅଭିଯାନର ମୁଖ୍ୟ ପ୍ରଫୁଲ ସାମନ୍ତରାୟ, ବରିଷ୍ଠ ସାମ୍ୱାଦିକ ତଥା ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଓଡିଶା ସାମ୍ୱାଦିକ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି, ସୂଚନାଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ, ପ୍ରଦୀପ୍ତ ନାୟକ, ଭଜମନ ବିଶ୍ୱାଳ, ସଂଯୁକ୍ତା ପାଣିଗ୍ରାହୀ, ସାହିତ୍ୟକ ଓ କଂଗ୍ରେସ ନେତା ଅମୀୟ ପାଣ୍ଡବ, ବସ୍ତିଊ ବାସିନ୍ଦା ମହାସଂଘ ସମ୍ପାଦିକା ରଂଜୁଲତା ମହାପାତ୍ର, ପ୍ରତାପ ସାହୁ, ରୋମା ଦାଶ ମହାପାତ୍ର, ଅଶୋକ ନନ୍ଦ, ଅରୁଣ କୁମାର ଦିହୁଡି, ବିଶ୍ୱନାଥ ପାତ୍ର, ରଂଜନ କୁମାର ଦାସ,ଶ୍ରୀକାନ୍ତ ପାକଳ, ଅଶୋକ ଦତ୍ତ, ଜିତେନ୍ଦ୍ର ସାହୁ, ପ୍ରକାଶ ସାମନ୍ତସିଂହାର, ପ୍ରତାପ ମହାନ୍ତି, ସୁଜିତ୍ ସାହୁ, ମାଧବାନନ୍ଦ ଭୋଇ, ଶାନ୍ତନୁ କୁମାର ସାହୁ, ଚୌଦ୍ବାର ସାମ୍ବାଦିକ ଦୀପକ ମଙ୍ଗରାଜ, ଏସ. କେ. ଜାବେଦ, ଅଜିତ୍ ସ୍ବାଇଁ, ଅକ୍ଷୟ ଫଗୁଣ, ପ୍ରଦୀପ ନାୟକ,ସ୍ବାଧିନ ଦାସ, ସମ୍ବିଧାନ ବଂଚାଓ ଆନ୍ଦୋଳନ କର୍ମୀ ମାନସ ପଟ୍ଟନାୟକ, ଅଧିବକ୍ତା ଦିଲ୍ଲୀପ ସାମନ୍ତରାୟ, ଭୁବନ ଚନ୍ଦ୍ର ହାତୀ, ସମାଜସେବୀ ଅନୁପ ପରିଡା,ଭୀମସେନ ବିଶ୍ବାଳ ସହ ରାଜ୍ୟର ବିଭିନ୍ନ ଅଂଚଳରୁ ସାମାଜିକ କର୍ମୀମାନେ ଯୋଗଦାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ବିଶିଷ୍ଟ ସମାଜସେବୀ ଅଶୋକ ନନ୍ଦଙ୍କ ନେତୃତ୍ବରେ ଏକ ୬ଜଣିଆ ପ୍ରତିନିଧି ଦଳ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟି ତାପନବାବୁଙ୍କୁ ସସମ୍ମାନେ ମୁକ୍ତ କରିବା ଓ ପାଣିକୋଇଲି ଆଇଆଇସି ଅଜୟ ଜେନାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଗିରଫ କରିବା ପାଇଁ ଦାବି କରିଥିଲେ l ଏହି ବିଷୟକୁ ଗୁରୁତ୍ବ ସହ ନେଇ ତଦନ୍ତ ମୁତାବକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ l

ନିର୍ବାଚନରେ ପ୍ରସଙ୍ଗ ହେଉ ଭାଷା : ସୂର୍ଯ୍ୟପ୍ରଭା ପଥ ଦେଖାଇଛି , ଅନ୍ୟମାନେ ଚାଲନ୍ତୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀ ଓଡ଼ିଶାରେ ନିର୍ବାଚନ ଲଢ଼ୁଥିବା ସମସ୍ତ ରାଜନୈତିକ ଦଳଙ୍କୁ ଗତ ମାସ ୬ ତାରିଖରେ ପତ୍ର ଲେଖି ଓ ସାକ୍ଷାତ କରି ସେମାନଙ୍କ ନିର୍ବାଚନ ଇସ୍ତାହାରରେ “ଓଡିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡ ବିଧାନ ବ୍ୟବସ୍ଥା ପାଇଁ” ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରିଥିଲେ । ଏ ପର୍ଯ୍ୟନ୍ତ କେବଳ ଭାରତୀୟ ଜନତା ପାର୍ଟି ନେତୃତ୍ବ ସାର୍ବଜନୀନ ସଭାରେ ଏହି ପ୍ରତିଶୃତି ଦେଇଥିଲେ ମଧ୍ୟ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଲେ ହିଁ ଏହାର ପ୍ରକୃତ ଆଭିମୁଖ୍ୟ ଜଣାଯିବ ।

ଉତ୍କଳ ସମ୍ମିଳନୀ, ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚ ମିଳିତ ଭାବେ ରାଉରକେଲାରୁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି କି, ଓଡ଼ିଆ ଭାଷା ସ୍ଵାର୍ଥକୁ ନିର୍ବାଚନ ଇସ୍ତାହାରରେ ନ ରଖିବା ଦଳକୁ ଭୋଟ ଦିଆ ନ ଯାଉ ।

ସୁଖର କଥା, ସୂର୍ଯ୍ୟପ୍ରଭାର ସମ୍ପାଦକ, ସୁଲେଖକ ଓ ଚିନ୍ତକ ରବି କାନୁନଗୋ “ଓଡ଼ିଆ ଭାଷା ନିର୍ବାଚନୀ ପ୍ରସଙ୍ଗ ହେବ କି?” ବୋଲି ଆଜିର ସମ୍ପାଦକୀୟରେ ଉତ୍ଥାପିତ କରିଛନ୍ତି ଏହି ପ୍ରସଙ୍ଗ ।

ସରକାରୀ ବିଜ୍ଞାପନପୁଷ୍ଟ ଓଡ଼ିଶାର ଖବରକାଗଜଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ରୋଷ ଭୟରେ ଭାଷା ଆନ୍ଦୋଳନର ଅନାହଟ ଥିବା କଳାପତାକା ଅଭିଯାନକୁ ଲୋକଚକ୍ଷୁରୁ ଲୁଚାଇରଖିବା ପରି ସାମ୍ବାଦିକୀୟ କୃଷ୍ଟି ବିରୋଧୀ କୁତ୍ସିତ ଆଚରଣ ପ୍ରଦର୍ଶନ କରିବାକୁ ଲଜ୍ଜ୍ୟାବୋଧ କରୁନଥିଲେ ମଧ୍ୟ ମାତୃଭାଷା ଓଡ଼ିଆର ସ୍ଵାର୍ଥ ରକ୍ଷା ପାଇଁ ରବିବାବୁ ଦେଖାଇଥିବା ମାର୍ଗରେ ଚାଲିପାରିବେ ବୋଲି ଆଶା କରିବା ଦୁରାଶା ହୋଇନପାରେ ।