ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶା ରାଜ୍ୟଭାଷା -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମେ ଓଡ଼ିଆ ବୋଲି ଆମ ଭାଷା ଓଡ଼ିଆ – ଏକଥା ନୁହେଁ ; ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ଆମ ଭାଷା ହିଁ ଆମ ପରିଚୟ ।

ଅନୁପ୍ରବେଶକାରୀ ଇଂରେଜଙ୍କ ଆଧିପତ୍ୟ ବିରୁଦ୍ଧରେ ଆମ ପୂର୍ବ ପୁରୁଷେ ସାରା ଭାରତରେ ପ୍ରଥମେ ତଲୱାର ତୋଳିଥିବା ହେତୁ ଆମକୁ ଦୁର୍ବଳ କରି ରଖିବା ପାଇଁ ସେମାନେ ଆମ ମାଟିର ଯେଉଁ ଯେଉଁ ଅଞ୍ଚଳ ଯେତେବେଳେ ଦଖଲ କରୁଥିଲେ ତାକୁ ଆମ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପଡ଼ୋଶୀ ପ୍ରଦେଶମାନଙ୍କ ସହ ଏପରି ସାନ୍ଧି ଦେଉଥଲେ, ଯେପରି ସେଠାରେ ଆମେ ସଂଖ୍ୟାଲଘୁ ହୋଇଯିବା ଓ ଓଡ଼ିଆ ଭାବେ ଆମ ପରିଚୟ ବୁଡ଼ିଯିବ । ଏହା ଆମ ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

ଅବସ୍ଥା ଏପରି ଶୋଚନୀୟ ହୋଇଉଠିଥିଲା ଯେ, ତେଲୁଗୁ ଭାଷାରେ ସରକାରୀ କାମ ହେଉଥିବା ହେତୁ ସେଠାରେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜନ୍ମ ଓଡ଼ିଆ ଶିଷ୍ଟକରଣମାନେ ତେଲୁଗୁଭାଷା ଶିଖୁଥିଲେ (ଇଂରେଜ ସରକାରଙ୍କ ପ୍ରକାଶିତ କୋରାପୁଟ ଗେଜେଟିୟର , ପୃଷ୍ଠା ୮୫)

ଏହି ବିପର୍ଯ୍ୟୟ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ଗଞ୍ଜାମର ଘୁମୁସର ନିବାସୀ ଦୀନବନ୍ଧୁ ପଟ୍ଟନାୟକ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ପ୍ରଥମ କରିଥିଲେ । ତାଙ୍କ ଉଦ୍ୟମରେ ସେଦିନ ଘୁମୁସରର ରସୁଲକୋଣ୍ଡା ମୁକାମରେ ଋଷିକୁଲ୍ୟା ନଦୀର ଉଭୟ ପାର୍ଶ୍ଵବାସୀ ବାସିନ୍ଦାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆ ଯାଇଥିଲା  (କ୍ରମଶଃ

ପ୍ରଥମଥର ପାଇଁ ଭାଷା ଆନ୍ଦୋଳନ ଉପରେ ଆକ୍ରମଣ: ହସ୍ତକ୍ଷେପ ପାଇଁ ପୋଲିସକୁ ଅନୁରୋଧ

ଭୁବନେଶ୍ବର ,ତା ୦୨.୦୨.୨୦୨୫

ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଆଜି ନବମ ବର୍ଷର ଦଶମ ମାସ ଦ୍ଵିତୀୟ ଦିବସରେ ପହଞ୍ଚିଲା । ଯାହାଙ୍କ ତ୍ୟାଗ ଓ ତପସ୍ୟା ହେତୁ ଏକ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଆବିର୍ଭାବ, ଓଡ଼ିଆ ଜାତିର ସେହି ପରମପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପ୍ରତିଦିନ ପ୍ରଦକ୍ଷିଣ କରି ଓଡ଼ିଆ ଜାତିର ଦୁଃଖଦଗ୍ଧ ଐକ୍ଯର ପ୍ରତୀକ “କଳାପତାକା”ର ଅର୍ଘ୍ୟ ଆମ୍ଭେ ଦେଇଥାଉ। 

କୁଳବୃଦ୍ଧଙ୍କ ପୀଠକୁ ଯିବା ପାଇଁ ପାହାଚ ପରି ଏକ ପଥର ଥିଲା ଯାହା ଉପରେ ପଦ ରଖି ମୁଁ ଉପରକୁ ଉଠିପାରୁଥିଲି ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମାତୃଭାଷାପ୍ରାଣ ଓଡ଼ିଆମାନେ କଳାପତାକାର ଅର୍ଘ୍ୟ ଦେବାକୁ ମୋ ସହ ଯୋଗ ଦେଇ ପାରୁଥିଲେ । କେଇ ଦିନ ତଳେ, ହଠାତ୍ ଦେଖାଗଲା, ସେହି ପଥରଟି ଆଉ ନାହିଁ । ମୁଁ ବେଢା ତଳେ ଠିଆ ହୋଇ କଳାପତାକାର ଅର୍ଘ୍ୟ ଦେଉଥିଲି । 

ଗତକାଲି ସନ୍ଧ୍ୟା ୫ଟାରେ ମୁଁ ପୂର୍ବବତ୍ ଅର୍ଘ୍ୟ ଦେଇ ପେରୁଥିବା ବେଳେ ମୋ ସହ ଚିହ୍ନା ପରିଚୟ ନଥିବା ଜଣେ ବ୍ୟକ୍ତି ମୋତେ ହଠାତ୍ ଭୟଙ୍କର ବାଚନିକ ଆକ୍ରମଣ କଲେ ଓ ଓଡ଼ିଆ ଜାତିର ସୁପରିଚିତ ଏବଂ ସୁପ୍ରିୟ କଳାପତାକା ଅଭିଯାନ ବନ୍ଦ ରଖିବାକୁ ଧମକ ଦେଲେ । 

ମୁଁ ଏହା ପୋଲିସକୁ ଅବଗତ କରାଇଛି ଇ-ମେଲ୍ ମାଧ୍ୟମରେ । ନିମ୍ନରେ ତାହା ଓଡ଼ିଆ ଜାତିର ଅବଗତି ପାଇଁ ଉପସ୍ଥାପିତ ହେଲା : 

ମଧୁବାବୁଙ୍କୁ ଭାଷା ଆନ୍ଦୋଳନର କଳାପତାକାର ନିତ୍ୟ ନିବେଦନ ପ୍ରଦାନ ବେଳେ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ ଓ ଗତକାଲି ଏହି ଅର୍ଘ୍ୟ ପ୍ରଦାନ ବେଳେ ପୋଲିସ ଉପସ୍ଥିତିରେ ମୋ ଉପରେ ହୋଇଥିବା ଆକ୍ରମଣର ପ୍ରତିକାର ପାଇଁ ପ୍ରାର୍ଥନା 

ମହାଶୟ,
ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ (Orissa Official Language Act, 1954)ର ଅଲଙ୍ଘ୍ଯ କାର୍ଯ୍ୟକାରିତା ପାଇଁ ୦୧.୦୪.୨୦୧୬ ତାରିଖରେ ମୋ ଦ୍ଵାରା ପ୍ରତିଷ୍ଠିତ ଭାଷା ଆନ୍ଦୋଳନ, ଓଡ଼ିଶାର ପ୍ରୟୋଗାତ୍ମକ ପଦ୍ଧତ୍ତି – ନିରବ କଳାପତାକା ଅଭିଯାନ – ଗତ ୧୩.୦୪.୨୦୧୬ ତାରିଖରୁ ଅଦ୍ୟାବଧି ସମ୍ପୁର୍ଣ୍ଣ ଶାନ୍ତିପୂର୍ବ ଭାବେ ଚାଲିଛି । କେବେ ବି ଆମ୍ଭେ କୌଣସି ବେଆଇନ ପଦକ୍ଷେପ ନେଇନାହୁଁ ଓ ପୋଲିସ ଯେତେବେଳେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ସଫା ରଖିବାକୁ ଅଟକାଇଛନ୍ତି , କୌଣସି ପ୍ରତିବାଦ ନକରି ଆମ୍ଭେ ସହଯୋଗ କରିଛୁ । ଏହା ଏକ ଅଦର୍ଶସ୍ଥାନୀୟ ସଂପୂର୍ଣ୍ଣ ଶାନ୍ତ ସାମାଜିକ ଆନ୍ଦୋଳନ ବୋଲି ସ୍ବନାମଧନ୍ୟ ପ୍ରଫେସର, ସାମାଜିକ କର୍ମୀ, ଲେଖକ ଓ ଗବେଷକମାନେ ମୌଖିକ ଓ ଲିଖିତ ପ୍ରଶଂସା କରିଛନ୍ତି । ଏପରିକି, ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ଗବେଷଣା ଉପାଧି (Ph D) ସନ୍ଦର୍ଭରେ ଏହି ଆନ୍ଦୋଳନ ଏକ ଆଦର୍ଶ ଆନ୍ଦୋଳନ ଭାବେ ସ୍ଥାନିତ ହୋଇଛି । ଏହା ନିଜ ଶାନ୍ତିପୂର୍ଣ୍ଣ ପଦ୍ଧତ୍ତି ଅନୁସରଣ କରି ନବମ ବର୍ଷର ନବମ ମାସ ଅତିକ୍ରମ କରିଛି ଓ ଆମ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ଦେଇ ଏବଂ ଏହାର ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆଚରଣକୁ ନଜରରେ ରଖି ଓଡ଼ିଶା ପୋଲିସ ସମଗ୍ର ରାଜ୍ୟରେ କେବେ ବି କୌଣସି ବାଧା ଦେଇନାହାନ୍ତି ।

ଦୁଃଖର କଥା , ପ୍ରତିଦିନ ପରି ଗତକାଲି ଅପରାହ୍ନ ୫ଟାରେ ମଧୁବାବୁଙ୍କ ବିଜେସ୍ଥଳୀରେ ପ୍ରତୀକାତ୍ମକ ଭାବେ କଳାପତାକାର ଅର୍ଘ୍ୟ ନିବେଦନ କରି ଫେରୁଥିବା ବେଳେ ମୁଁ ଚିହ୍ନି ନଥିବା ଜଣେ ବ୍ୟକ୍ତି ମୋତେ ଭୟଙ୍କର ବାଚନିକ ଭର୍ତ୍ସନା କରି ଏ ଅଭିଯାନ ବନ୍ଦ କରିବାକୁ ଧମକ ଦେଇଥିଲେ , ୟୁନିଫର୍ମରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାହା ପ୍ରତ୍ଯକ୍ଷ କରିଛନ୍ତି ।

ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ଗତ ନଅ ବର୍ଷ ନଅ ମାସ ଧରି ନିରବଚ୍ଛିନ୍ନ ଭାବେ ଓ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଶୈଳୀରେ ଚାଲିଆସିଥିବା ଏହି ଜାତୀୟ ତପସ୍ୟାରେ ଓ କୁଳବୃଦ୍ଧ ମଧୁସୂଦନଙ୍କୁ କଳାପତାକାର ନିତ୍ୟ ଅର୍ଘ୍ଯ ପ୍ରଦାନ କରିବାରେ କେହି ବାଧାଦେବା ଯେପରି ନହୁଏ ତାହା ପୂର୍ବବତ୍ ସୁନିଶ୍ଚିତ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି । ମୋର ସମସ୍ତ କାର୍ଯ୍ୟକ୍ରମ ପୂର୍ବବତ୍ ସନ୍ଧ୍ଯା ୫ଟାରୁ ୫ଟା ୧୦ ଭିତରେ ସମାପ୍ତହେବ ଓ ମୁଁ ଯାନବାହାନ ଚଳାଚଳରେ କୌଣସି ବାଧା ଦେବି ନାହିଁ ବୋଲି ଆପଣଙ୍କୁ ପୁନର୍ବାର କଥା ଦେଉଛି । ଉଚିତ ମନେକଲେ, ଏହି ସମୟରେ ମୋତେ ସୁରକ୍ଷା ଦେବାକୁ ଆପଣଙ୍କୁ ବିନମ୍ର ଅନୁରୋଧ ।
ଇତି
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠତା, ଭାଷା ଆନ୍ଦୋଳନ, ଓଡ଼ିଶା




Subhas Chandra Pattanayak
Founder,
Bhasha Andolan, Orissa
https://bhashaandolan.com

ଆଲୋଚନାର ମୁଖ୍ୟ ଧାରାରେ ନଥିବା ଅତୀତରୁ ପୃଷ୍ଠାଏ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାରତର ସମ୍ବିଧାନ ଅନୁସାରେ ନିର୍ବାଚିତ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ । ନବବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ଖଣି ଓ ଶିଳ୍ପ ମନ୍ତ୍ରୀ ହେବାକୁ ବିଜୁ ପଟ୍ଟନାୟକ ଜିଦ୍ ଧରିବସିଥିଲେ । ସେତେବେଳକୁ ମହତାବଙ୍କୁ ଧରି ସେ ପ୍ରାୟ ଚାରି ହଜାର ଏକରର ଲୁହାପଥର ଖଣି ହାତେଇ ସାରିଥାନ୍ତି ଓ ଶିଳ୍ପପତି ବି ସାଜିଥାନ୍ତି । ତେଣୁ ନୀତି ଦୃଷ୍ଟିରୁ ତାଙ୍କୁ ଖଣି ଓ ଶିଳ୍ପମନ୍ତ୍ରୀ କରିବାକୁ ନବବାବୁ ମନା କରିଦେଇଥିଲେ ।

ପ୍ରତିଶୋଧ ପରାୟଣ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲା ପରେ ଓଡ଼ିଶାରେ ଖଣି ଓ ଶିଳ୍ପ ମନ୍ତ୍ରୀ ହୋଇ ନିଜ ଫାଇଦା ପାଇଁ ସେହି ପଦାଧିକାରର ଯେଉଁ ଦୁରପୋଯୋଗ କରିଥିଲେ ତାହା ‘ସିଂହାବଲୋକନରେ ବିଜୁ ପଟ୍ଟନାୟକ’ ଶୀର୍ଷକ ମୋ ବହିରେ ସପ୍ରମାଣ ଲିପିବଦ୍ଧ ହୋଇଛି ।

ନବବାବୁଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ତାଙ୍କର ଲୋକହିତୈଷୀ ପଦକ୍ଷେପଗୁଡ଼ିକପ୍ରତି ସରକାରୀ ସହଯୋଗ ବନ୍ଦ କରିଦେଇଥିଲେ । କବର ତଳୁ ଇଂରାଜୀ ଭାଷାକୁ ଉଠାଇ ଆଣି ପୁନଃ ପ୍ରଚଳିତ କରାଇ ନବବାବୁ ତିଆରି କରିଥିବା ଭାଷା ଆଇନକୁ ସେ ଜିଅନ୍ତା କବର ଦିଆଇଦେଇଥଲେ ଓ ଓଡ଼ିଶାର ସର୍ବତ୍ର ମଦର ବନ୍ୟା ଖେଳାଇ ନବବାବୁଙ୍କ ନିଶାନିବାରଣ ଆଇନକୁ ବି ନିଷ୍ଫଳ କରାଇ ଦେଇଥିଲେ ।

ଅବସ୍ଥା ଏପରି ହୋଇଥିଲା ଯେ ତାଙ୍କ ଭୟଙ୍କର କୁଶାସନ କବଳରୁ ଓଡ଼ିଶାକୁ ବଞ୍ଚାଇବା ପାଇଁ ଯେଉଁ ଅଭୂତପୂର୍ବ ଆନ୍ଦୋଳନ ହେଲା ତହିଁରେ ଆମମାନଙ୍କ ଦୁହା ଥିଲା – ମଦବୋତଲ ଯେଉଁଠି, ବିଜୁ ପଟ୍ଟନାୟକ ସେଇଠି । ନବବାବୁଙ୍କୁ ପଦତ୍ୟାଗ ପାଇଁ ପରିସର ତିଆରି କରିଥିବା ବିରେନ୍ ମିତ୍ରଙ୍କ ନାମ ଲଗାଇ ଏ ଦୁହା ମଧ୍ୟ ହୋଇଯାଇଥିଲା – ବିଜୁ ବିରେନ୍ କେଉଁଠି? ମଦବୋତଲ ଯେଉଁଠି ।

ଜନରୋଷ ପ୍ରଭାବରେ ବିଜୁ ଯାଇଥିଲେ, ବିରେନ୍ ବି ଗଲେ । ବୁଡ଼ିଯାଉଥିବା ମଣିଷ କୁଟାଖିଅକୁ ଆଶ୍ରା କଲା ପରି ଭାରତୀୟ ଜାତୀୟ କଂଗ୍ରେସ ଅଗତ୍ୟା ସଦାଶିବ ତ୍ରିପାଠୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରି ପରିସ୍ଥିତି ସୁଧରିବାକୁ ଚେଷ୍ଟା କରିଥିଲା । ତ୍ରିପାଠୀ ଦେଖିଲେ, ରାଜ୍ୟ ପ୍ରଶାସନରେ ଇଂରାଜୀ ଭାଷାକୁ ପୁନର୍ଜୀବନ ଦେଇ ଓଡ଼ିଆ ଭାଷାକୁ ଅଚଳ କରି ଦେଇଥିବା ହେତୁ ଲୋକେ କେବଳ ବିଜୁ ପଟ୍ଟନାୟକଙ୍କ ଉପରେ ଖପ୍ପା , କଥା ସେତିକି ନୁହେଁ, ବିଜୁଙ୍କୁ ଘଣ୍ଟ ଘୋଡ଼େଇଥିବା ହେତୁ, କଂଗ୍ରେସ ଦଳ ଉପରେ ବି ଖପ୍ପା । ତେଣୁ, କ୍ଷମତାସୀନ ହେବା ପରେ ପରେ ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରାଯିବ ବୋଲି ସେ ୧୯୫୪ର ଭାଷା ଆଇନ ଉପରେ ପ୍ରଥମ ଅଧିସୂଚନା ଜାରି କଲେ । ମାତ୍ର ସେହି ଅଧିସୂଚନା କାର୍ଯ୍ୟକାରୀ କରିବାକୁ ତାଙ୍କ ହାତରେ ବେଳ ନଥିଲା, ୧୯୬୭ର ସାଧାରଣ ନିର୍ବାଚନରେ ଜନାଦେଶ-ବୈତରଣୀ କିପରି ପାରିହେବାକୁ ହେବ ସେହିକଥା ତ୍ରିପାଠୀଙ୍କ ପାଇଁ ହୋଇଯାଇଥିଲା ଏକମାତ୍ର ଧ୍ୟେୟ । ଜନାଦେଶ କଂଗ୍ରେସ ବିରୁଦ୍ଧରେ ଗଲା ।

ନାନା ଦୃଶ୍ୟମାନ ଅପରାଧ ସତ୍ତ୍ବେ ବିଜୁ ପଟ୍ଟନାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଥିବା ହେତୂ ଓଡ଼ିଶାର ଲୋକମାନେ କଙ୍ଗ୍ରେସକୁ ପ୍ରତ୍ୟାଖ୍ୟାନ କଲେ ଓ ରାଜେନ୍ଦ୍ର ନାରାୟଣ ସିଂହଦେଓ  ସ୍ଵତନ୍ତ୍ର-ଜନକଙ୍ଗ୍ରେସ ମିଳିତ ସରକାରର ନୂଆ ମୁଖ୍ୟମନ୍ତ୍ରୀ  ଭାବେ କ୍ଷମତାସୀନ ହେଲେ ।

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରାଇଦେବାକୁ ବିଜୁବାବୁଙ୍କ କୁତ୍ସିତ ଷଡ଼ଯନ୍ତ୍ର ତାଙ୍କ ବିରୁଦ୍ଧରେ ଜନାଦେଶର ଏକ ମୁଖ୍ୟ କାରଣ ଥିବା ଯେହେତୁ ସେ ଜାଣିଥିଲେ, ସେହେତୁ ୧୯୬୮ରେ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ସେ ଏକ ସାନି ଅଧିସୂଚନା ଜାରି କରିଥିଲେ, ଯହିଁରେ ପ୍ରଶାସନର କେଉଁ କ୍ଷେତ୍ରରେ ଓଡ଼ିଆ ଭାଷା କାର୍ଯ୍ୟର ଭାଷା ହେବ ତାହା ଚିହ୍ନିତ ହୋଇ ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷିତ ହୋଇଥିଲା । ମାତ୍ର ତହିଁରେ କେବଳ ରାଜନୀତି ଥିଲା, ଭାଷାପ୍ରୀତି ନଥିଲା ।

ମହତାବ ସେହିସମୟରେ ସ୍ବତନ୍ତ୍ର-ଜନକଙ୍ଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳର ଚତୁର ଗୋଟିଚାଳକ ହୋଇଥିବା ହେତୂ ଏହି ଅଧିସୂଚନା ବି ଅକାମୀ ହୋଇଯାଇଥିଲା । (କ୍ରମଶଃ )

ଐତିହାସିକ ଶିକ୍ଷା ପୀଠ ରେଭେନ୍ସା ଉପରେ ରାଜନୈତିକ ଆକ୍ରମଣ ଘୋର ନିନ୍ଦନୀୟ : ଭାଷା ଆନ୍ଦୋଳନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

ଓଡ଼ିଆ ଅସ୍ମିତା ଆଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଉଚ୍ଚ ଶିକ୍ଷାର ପ୍ରଥମ ଓ ଶ୍ରେଷ୍ଟ ପୀଠଟିକୁ ରେଭେନ୍ସା-ମୁକ୍ତ କରିବାକୁ ସର୍ବସାଧାରଣ ସମ୍ମୁଖରେ ଏକ ପ୍ରସ୍ତାବ ଦେଇଛନ୍ତି । ଭାଷା ଆନ୍ଦୋଳନ, ଓଡ଼ିଶା ତାଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣତଃ ପ୍ରତ୍ୟାଖ୍ୟାନ କରୁଛି ଓ ଏହି ଐତିହାସିକ ଶିକ୍ଷା ପୀଠ ଉପରେ ରାଜନୈତିକ ଆକ୍ରମଣକୁ ନିନ୍ଦା କରୁଛି । 

ଇଂରେଜ ଶାସନ କାଳରେ ଓଡ଼ିଆ ଜାତି ଘୋର ଦୁର୍ଦ୍ଦିନ କବଳରେ ପଡ଼ି ପରିଚୟ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ, ତା ସୌଭାଗ୍ୟକୁ ଓଡ଼ିଶା ଡିଭିଜନରେ କମିଶନର ଭାବେ ପଦାସୀନ ହୋଇଥିଲେ ଥୋମାସ ଏଡୱାର୍ଡ ରେଭେନ୍ସା (Thomas Edward Ravenshaw)। ଆମ ଜାତିର ଭାଷା ଜାତୀୟତାର ପୁନର୍ଜୀବନର ସେ ଥିଲେ ମୂଳ ଉତ୍ସ । ବ୍ୟାସକବି  ଫକୀର ମୋହନଙ୍କ ଭାଷାରେ ଓଡ଼ିଆ ଜାତିର “ମା ବାପ” । 

ସେ ଓଡ଼ିଶା ଡିଭିଜନର ଦାୟିତ୍ଵ ନେଲାବେଳକୁ ନ’ଙ୍କ ଦୁର୍ଭିକ୍ଷ ତାଙ୍କ କର୍ତ୍ତୃତ୍ଵାଧୀନ ବାଲେଶ୍ୱର, କଟକ ଓ ପୁରୀଜିଲ୍ଲାକୁ ଗ୍ରାସ କରିସାରିଥିଲା । ସେ ଲୋକଙ୍କୁ ତତ୍କାଳ ସାହାଯ୍ୟ  କରିବା ପାଇଁ ଓ ଭବିଷ୍ୟତରେ ଯେପରି ଏପରି ଦୁର୍ଭିକ୍ଷ ପୁନଶ୍ଚ ମୁଖବ୍ୟାଦାନ ନକରେ ତା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେଇଥିଲେ ।

ଅପରପକ୍ଷେ ସେ ଅନୁଭବ କରିଥିଲେ ଯେ, ବଙ୍ଗ ରାଜ୍ୟରୁ ଆସି ଓଡ଼ିଶା ଭୂଖଣ୍ଡରେ ଚାକିରି କରୁଥିବା ବଙ୍ଗାଳିମାନେ ଓଡ଼ିଆ ବିଦ୍ଵେଷୀ ହୋଇଥିବା ହେତୁ ଓଡ଼ିଆ ଲୋକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି , ସେମାନେ ଦୁର୍ଭିକ୍ଷ କବଳକୁ ଠେଲି ହୋଇଯାଇଛନ୍ତି । ତହିଁର ପ୍ରତିକାର ପାଇଁ ସେ କ’ଣ କରିଥିଲେ ଏବଂ ନିଜ ଭୂଖଣ୍ଡର ଉପଯୁକ୍ତ ପରିଚାଳନା ପାଇଁ ସେମାନଙ୍କୁ ସମର୍ଥ କରାଇବା ସକାଶେ ସେ କ’ଣ କରିଥିଲେ ତହିଁର ପରମାଣିକ ଆଲୋଚନା ନିମ୍ନ ମତେ ଦୁଇ କିସ୍ତିରେ ପ୍ରକାଶ ପାଇଛି । 

ଭାଷା ଆନ୍ଦୋଳନ ତାହାକୁ ପୂର୍ଣ୍ଣତଃ ସମର୍ଥନ କରିବା ସଙ୍ଗେ ସଙ୍ଗେ ରେଭେନ୍ସାଙ୍କ ନାମକୁ ନେଇ ରାଜନୈତିକ ଖେଳ ନଚଳାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେଇଛି ।      

 

କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୧ )

କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୨)

ବୈଷ୍ଣବ ମହାନ୍ତି ଏକା ନୁହନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ସ୍ବନାମଧନ୍ୟ ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ପଦରୁ  ଅବସର ଗ୍ରହଣ କରିବାର ପ୍ରାୟ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ପେନସନ ପାଇନାହାନ୍ତି – ଏହା ବିଶ୍ଵାସଯୋଗ୍ୟ ନହୋଇଥିଲେ ବି ସତ୍ୟ ।

ଏ ସମ୍ପର୍କରେ ନିଜ ଫେସବୁକ ପୃଷ୍ଠାରେ ଶ୍ରୀ ମହାନ୍ତି ଲେଖିଛନ୍ତି :

ମାନ୍ଯବର ହାଇକୋର୍ଟ ଦୁଇଦୁଇ ଥର ମୋ ପେନସନ ଦେଇଦେବାକୁ ନିର୍ଦ୍ଦେଶ ଦେବାପରେ ବି ମୋ ପ୍ରାପ୍ୟ ମୋତେ ମିଳୁନି ।  ଥରେ କହିଲେ ତିନିମାସ ଭିତରେ ଦେଇଦିଅ, ତିନିମାସ ଯାଇ ପାଞ୍ଚ ମାସ ଗଲା। ଅଦାଲତ ଅବମାନନା କେସ୍ କଲି। କୋର୍ଟ କହିଲେ ଦେଇନ, କିନ୍ତୁ ଏଥର ମାସକ ଭିତରେ ଦିଅ, ନ ହେଲେ ଜାଣିକି ଦେଉନ ବୋଲି ଧରାଯିବ। ଏ ଅର୍ଡର ଦେବାର ତିନିମାସ ପରେ ବି ମୋ ପେନସନ ଶିକ୍ଷାନିର୍ଦ୍ଦେଶାଳୟ ଓ ବିଦ୍ୟାଳୟ ଗଣଶିକ୍ଷାବିଭାଗ ଦେଉନାହିଁ।
ଶ୍ରୀ ମହାନ୍ତି ନିଜକୁ ଅତ୍ୟନ୍ତ ଅସହାୟ ଅନୁଭବ କରୁଛନ୍ତି । ଶିକ୍ଷା ନିର୍ଦ୍ଦେଶାଳୟରେ ସେ ୩୦ ବର୍ଷ କାମ କରିଛନ୍ତି । ଏହି ୩୦ ବର୍ଷ ଭିତରେ ତାଙ୍କ କର୍ତ୍ତବ୍ୟପରାୟଣତା ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତାଙ୍କୁ ଦିଆଯାଇଛି ଓ  ଆଦର୍ଶସ୍ଥାନୀୟ ନିଷ୍ଠା ସହ ସେହି ସମସ୍ତ ଦାୟିତ୍ଵ ସେ ନିର୍ବାହ କରିଛନ୍ତି । ଅଥଚ ଅବସର ଗ୍ରହଣ ପରେ ବିନା ଦୋଷରେ ଓ ସଂପୂର୍ଣ୍ଣ ଅନଧିକୃତ ଭାବେ ତାଙ୍କ ପେନ୍ସନ୍ ଅଟକାଇ ରଖାଯାଇଛି । 
 
“ସରକାର ମୋତେ ପେନ୍ସନ ଦେବାଠାରୁ ଏଯାଏଁ ନଦେଇଥିବାର କାରଣ ଜାଣିବା ମୋ ପାଇଁ ନିହାତି ଜରୁରୀ” ବୋଲି କହିଛନ୍ତି ଶ୍ରୀ ମହାନ୍ତି । 
 
ଓଡ଼ିଶା ଉଚ୍ଚ ଅଦାଲତଙ୍କ ଅପେକ୍ଷା ଗଣ ଶିକ୍ଷା ବିଭାଗ ନିଜକୁ ଅଧିକ ଶକ୍ତିଶାଳୀ ମନେ କରୁଥିବା ହେତୁ ଜନ ସମ୍ମୁଖରେ ସେ କର୍ତ୍ତୃପକ୍ଷଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ଯେ, କେଉଁ କାରଣ ହେତୁ ଜନସାଧାରଣଙ୍କଠାରୁ ବେତନ ପାଇ ପେଟ ପୋଷୁଥିବା ବିଭାଗୀୟ ପଦାଧିକାରୀ ତାଙ୍କୁ ଆଇନତଃ ପ୍ରାପ୍ୟ ତାଙ୍କ ପେନ୍ସନ୍ ଦେଇନାହାନ୍ତି । ତାଙ୍କର ପ୍ରଶ୍ନ ହେଲା –   
 
୧ .ମୋ ନାଆଁରେ କିଛି ସରକାରୀ ଅର୍ଥ ତୋଷରପାତର ଅଭିଯୋଗ ଅଛି କି?
୨.ଅଡିଟ୍ ଅବଜେକସନ୍ ଅଛି କି ?
୩. ଅଫିସିଆଲ ପ୍ରୋସିଡିଙ୍ଗ୍ ଅଛି କି ?
୪.ପୋଲିସ କେସ୍, ଭିଜିଲାନ୍ସ କେସ୍ ଅଛି କି ?
ଏହି ଏକା ପ୍ରଶ୍ନ ଉଚ୍ଚ ଅଦାଲତ ମଧ୍ୟ ଶ୍ରୀ ମହାନ୍ତିଙ୍କ ମକଦ୍ଦମା (W.P.(C) (OAC) No.1248 of 2019)ରେ ସରକାରଙ୍କୁ ପଚାରିଥିଲେ । ଉତ୍ତର ଥିଲା – ନା, ଏପରି କୌଣସି ଅଭିଯୋଗ ବା ମାମଲା ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ନାହିଁ । ତେବେ କାହିଁକି ତାଙ୍କ ପେନ୍ସନ୍ ଦିଆଯାଇନି ବୋଲି ପଚାରିଥିଲେ ଅଦାଲତ । ଯେଉଁ ଉତ୍ତର ମିଳିଲା, ତାହା ଥିଲା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅମୂଳକ ବୋଲି ନିର୍ଣ୍ଣୟ ଦେଇ, ୧୦ ଅକ୍ଟୋବର ୨୦୨୩ ତାରିଖରେ ବିଚାରପତି ଆଦେଶ ଦେଇଥିଲେ କି, ଆଦେଶ ମିଳିବାର ୩ ମାସ ମଧ୍ୟରେ ଶ୍ରୀ ମହାନ୍ତିଙ୍କର ପେନ୍ସନ୍ ଓ ଅବସରୋତ୍ତର ଅନ୍ଯାନ୍ଯ ସମସ୍ତ ପ୍ରାପ୍ୟ ସୁଧ ସହ ତାଙ୍କୁ ପ୍ରଦାନ କରାଯାଉ । 
 
କିନ୍ତୁ ସେତେବେଳକୁ ନବୀନ ପଟ୍ଟନାୟକ ଯେଉଁ ଅରାଜକତା ଚଳାଇଥିଲେ ସେହି ଅରଜକତାର ଆବର୍ତ୍ତରେ  ଅଦାଲତଙ୍କ ଏହି ଆଦେଶ ନଥି ଥାକରେ ପୋତି ହୋଇଯାଇଥିଲା । ସେତେବେଳର ମହାଧିବକ୍ତା ନବୀନଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ହେତୁ ଅରାଜକତାବାଦୀ ନବୀନ ପଟ୍ଟନାୟକଙ୍କୁ ବା ତାଙ୍କ ସରକାରର ସମ୍ପୃକ୍ତ ବିଭାଗକୁ ଅଦାଲତଙ୍କ ଆଦେଶର ଅପରିହାର୍ଯ୍ୟତା ସମ୍ପର୍କରେ ଅବଗତ ବି କରାଇଲେ ନାହିଁ । ଫଳରେ ଅଦାଲତ ଅବମାନନା ହେଲା । 
 
ଅଦାଲତ ଅବମାନନା ମକଦ୍ଦମା (CONTC No. 1593 of 2024)ରେ ଯେଉଁ ରାୟ ପ୍ରକାଶ ପାଇଛି ମାର୍ଚ୍ଚ ୧୮ ତାରିଖରେ ତାହା ସରକାରଙ୍କ ଆଚରଣକୁ ଗର୍ହିତ ବୋଲି ଦର୍ଶାଇଛି । W.P.(C) (OAC) No.1248 of 2019ମକଦ୍ଦମାରେ ୧୦ ଅକ୍ଟୋବର ୨୦୨୩ ତାରିଖରେ ପ୍ରଦତ୍ତ ଆଦେଶକୁ ମାସକ ଭିତରେ ଯଦି ସମ୍ପୂର୍ଣ୍ଣତଃ କାର୍ଯ୍ୟକାରୀ କରା ନଯାଏ, ତେବେ ତାହା ଇଚ୍ଛାକୃତ ଅଦାଲତ ଅବମାନନା (deliberate violation of the Court’s Order) ଭାବେ ଗୃହୀତ ହେବ ବୋଲି ଅଦାଲତ ନିର୍ଣ୍ଣୟ ଦେଇଛନ୍ତି । ଏହା ସତ୍ତ୍ଵେ ସରକାର ଏଯାଏଁ ଶ୍ରୀ ମହାନ୍ତିଙ୍କ ପ୍ରାପ୍ୟ ଦେଇନାହାନ୍ତି । ଏପରିକି ଜଣେ କର୍ମଚାରୀ ଭାବେ ନିଜ ଆପତ୍କାଳୀନ ପାଣ୍ଠି (General Provident Fund) ଜମାଖାତାରେ ସରକାରଙ୍କ ହେପାଜତରେ ଯେଉଁ ବେତନାଂଶ ଜମାଇରଖିଥାନ୍ତି , ତାହା ସମୂଳସୁଧ ତାଙ୍କୁ ଅବସର ଗ୍ରହଣ ପରେ ପରେ ତୁରନ୍ତ ଦେଇଦେବାକୁ ନିର୍ଦ୍ଦିଷ୍ଟ ଓ ଅଲଙ୍ଘ୍ୟ ଆଇନ ଥିଲେ ମଧ୍ୟ  ଶ୍ରୀ ମହାନ୍ତିଙ୍କୁ ତାହା ଏଯାଏଁ ପ୍ରଦାନ କରାଯାଇନି । 
 
ଅଣଓଡ଼ିଆଙ୍କ ପ୍ରେମପାଗଳ ନବୀନ ପଟ୍ଟନାୟକ ଅରାଜକତାର ଯେଉଁ ଖାଣ୍ଡବବନରେ ଓଡ଼ିଶାକୁ ରୂପାନ୍ତରିତ କରିଥିଲେ, ତହିଁରେ ଏପରି କେଉଁ ନରଘାତକ ତକ୍ଷକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ରାଜୁତି କରୁଥିଲା ଓ କରୁଛି ଯେ, ବୈଷ୍ଣବ ଚରଣ ମହାନ୍ତିଙ୍କ ପରି ଜଣେ ଶ୍ରେଷ୍ଠ ଓଡ଼ିଆଙ୍କ ହକ୍ ପ୍ରାପ୍ୟ ଅଦାଲତ ଆଦେଶ ଓ ଆଇନର  ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ – ତାହା ମୋହନ ଚରଣ ମାଝିଙ୍କ ସରକାର ତୁରନ୍ତ ଠାବ କରି ସେ ତକ୍ଷକ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ଦରକାର । ଗତ ୧୨ ବର୍ଷ ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁମାନେ ଶାସନସଚିବ ଓ ନିର୍ଦ୍ଦେଶକ ଥିଲେ ଓ ରହିଛନ୍ତି , ସେ ସମସ୍ତଙ୍କ ବିରୁଦ୍ଧରେ ଦଣ୍ଡବିଧାନ ଆବଶ୍ୟକ ।  
 
ସରକାର ମନେ ରଖନ୍ତୁ ଯେ, ବୈଷ୍ଣବ ଚରଣ ମହାନ୍ତି ଏକା ନୁହନ୍ତି । ଓଡ଼ିଆ ଭାଷା ଅସ୍ମିତାର ଅନ୍ଯତମ ତୁଙ୍ଗ କର୍ଣ୍ଣଧାର ହେଉଛନ୍ତି ଶ୍ରୀ ବୈଷ୍ଣବ ଚରଣ ମହାନ୍ତି । ଓଡ଼ିଆ ଭାଷାତତ୍ତ୍ଵର ପ୍ରୟୋଗାତ୍ମକ ବିଶ୍ଳେଷଣ କରି ସେ ଆମ ଭାଷାର ମୌଳିକତାକୁ ଯେଉଁ ଜାଜୁଲ୍ୟମାନତା ଦେଇଛନ୍ତି ତାହା ଅନନ୍ୟ । ତାଙ୍କୁ ନ୍ୟାୟ ଦେବା ପାଇଁ ଆମେ ଓଡ଼ିଆମାନେ ତାଙ୍କ ସହ ନିଶ୍ଚୟ ରହିବୁ ।