ପ୍ରସଙ୍ଗ : ମଦମୁକ୍ତି, ପତ୍ନୀ ଓ ପ୍ରଦ୍ୟୁମ୍ନ ଶତପଥୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରା ମାରିଥିବା ପ୍ରଦ୍ୟୁମ୍ନ ଶତପଥୀ ପ୍ରଚାର ଚଳାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସେ ଏକ ଖୋଲା ଚିଠି ଦେଇଛନ୍ତି ଯହିଁରେ ଅନ୍ୟ କେତେକ ପ୍ରସଙ୍ଗର ଅବତାରଣା କରିଥିବା ବେଳେ ଓଡ଼ିଶାକୁ ମଦମୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ଏହା ମୋତେ ମନେ ପକାଇଦେଉଛି ୨୦୧୭ର ଏକ ସକାଳର କଥା । ତାରିଖ ଥିଲା ନଭେମ୍ବର ୨୫ ।

ସୌମ୍ୟ ପଟ୍ଟନାୟକଙ୍କ ଚାନ୍ଦା

ସେତେବେଳେ ସଂବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଷା ଆଂଦୋଳନର ଜଣେ ଦୃଢ ସମର୍ଥକ ଥାନ୍ତି । କଳାପତାକାଧାରୀମାନଙ୍କ ଫଟୋଚିତ୍ର ତାଙ୍କ କାଗଜରେ ସବୁଦିନ ବାହାରୁଥାଏ ଓ ଆନ୍ଦୋଳନ ସପକ୍ଷରେ ମୁଁ ଯେଉଁ ତାତ୍ତ୍ଵିକ ଆଲୋଚନା ରଖେ ତହିଁରୁ ଅଧିକାଂଶ ମଧ୍ୟ ସେହି କାଗଜରେ ପ୍ରକାଶ ପାଉଥାଏ । ମୋ ଲେଖାଗୁଡ଼ିକ ମୁଁ ସବୁବେଳେ ସୌମ୍ୟବାବୁଙ୍କୁ ଦେଇଥାଏ । ସେଦିନ ସକାଳେ ପ୍ରାୟ ସାଢେ ଆଠଟା ବେଳେ ମୁଁ ତାଙ୍କ ଘରକୁ ଯାଇଥିଲି; ପବିତ୍ର ମହାରଥା ମୋ ଲେଖାଟିକୁ ହାତରେ ଧରିଥାନ୍ତି ତାଙ୍କୁ ଦେବା ପାଇଁ । ୧୯୯୦ ଦଶକରୁ ସେ ପର୍ଯ୍ୟନ୍ତ ତାଙ୍କ ସହ ମୋର ଦେଖା ସବୁବେଳେ ଥିଲା ମର୍ଯ୍ୟାଦାସମ୍ପନ୍ନ । ମାତ୍ର ପ୍ରଥମଥର ସେଦିନ ମୁଁ ଅପଦସ୍ତ ଅନୁଭବ କରିଥିଲି । ସବୁଥର ପରି ସେ ମୋତେ ସ୍ଵାଗତ କରିନଥିଲେ , ଗମ୍ଭୀର ହୋଇ ନିଜ ଆସନରେ ବସିଥିଲେ । ମୁଁ ପବିତ୍ରକୁ ଇସାରା ଦେଲି ଲେଖାଟି ନଦେବା ପାଇଁ । ତା ପରେ ସେ ବିନ୍ଧିଚାଲିଲେ ପବିତ୍ରକୁ ପ୍ରଶ୍ନବାଣ । ହ୍ଵାଟ୍ସଆପରୁ ଫଟୋ ଦେଖୁଥାନ୍ତି, ପବିତରକୁ ପଚାରୁଥାନ୍ତି – ଅମକ ଲୋକ କାହିଁକି ଆସିନଥିଲେ, ସମକଲୋକ କାହିଁକି ଆସିନଥିଲେ ଇତ୍ୟାଦି । ପବିତ୍ର ମୁଁହ ତଳକୁ କରି ଚୁପ୍ଚାପ ବସିଥାନ୍ତି । ଟଙ୍କା ନେବାବେଳକୁ ତ ନେଇଯିବ, କାମ କାହିଁକି ସେ ଅନୁସାରେ ହେବ ନାହିଁ ?- ବୋଲି ତୀକ୍ଷ୍ନ କଣ୍ଠରେ ପଚାରିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ତା ପରେ ପବିତ୍ର ପାଟି ଖୋଲିଲେ । “ଆପଣ ମୋତେ କାହିଁକି ପଚାରୁଛନ୍ତି? ପ୍ରଦ୍ୟୁମ୍ନ ଶତପଥୀ ଆପଣଙ୍କ ସହ କଣ କଥା ହୋଇଥିଲେ ତା ତ ମୁଁ ଜାଣିନି । ସେ ମୋତେ କହିଲେ, ସୌମ୍ୟବାବୁ ୩୫ ହଜାରେ ଟଙ୍କା ଦେବାକୁ କହିଛନ୍ତି , ତୁ ଯାଇ ନେଇ ଆ । ମୋତେ ଆପଣ ସେ ଟଙ୍କା ଦେଲେ, ମୁଁ ନେଇ ତାଙ୍କୁ ଦେଲି । କିଏ ଆସିଲେ ନ ଆସିଲେ ମୋତେ ପଚାରିଲେ ମୁଁ କଣ କହିବି?” ସୌମ୍ୟବାବୁ ପବିତ୍ରକୁ କହିଲେ – ତମ ଉପସ୍ଥିତିରେ ଆଲୋଚନା ହୋଇଥିଲା । ପବିତ୍ର କହିଲେ ମୁଁ ଉପସ୍ଥିତ ଥିଲି, କଣ କଥା ହୋଇଥିଲା ମୁଁ ଜାଣି ନାହିଁ । ଦୀକ୍ଷିତ ବାବୁଙ୍କ ସହ ମୁଁ କଥା ହେଉଥିଲି ଯେତେବେଳେ ଆପଣ ପ୍ରଦ୍ୟୁମ୍ନ ବାବୁଙ୍କ ସହ କଥା ହେଉଥିଲେ । ଅସ୍ଵସ୍ତି ସହିବାର ସୀମା ମୋର ଟପିଥିଲା । ମୁଁ ଉଠିଲି । ପବିତ୍ର ବି ମୋ ସହ ଉଠିଲେ ।

“କଥା କଣ?”- ଗାଡ଼ିରେ ବସି ମୁଁ ପଚାରିଲି ପବିତ୍ରକୁ । ସେ କହିଲେ – ନବବାବୁଙ୍କ ଜନ୍ମଦିନରେ ମଦମୁକ୍ତି ସମ୍ମିଳନୀ କରିବାକୁ ପ୍ରଦ୍ୟୁମ୍ନବାବୁ ସୌମ୍ୟବାବୁଙ୍କଠାରୁ ୩୫ ହଜାର ଟଙ୍କା ନେଇଥିଲେ ଓ କିଏ କିଏ ସେହି ସମ୍ମିଳନୀରେ ଯୋଗ ଦେବେ ତାକୁ ଆଖିଆଗରେ ରଖି ସୌମ୍ୟବାବୁ ସେ ଟଙ୍କା ଦେଇଥିଲେ । ସେମାନେ ନ ଆସିବାରୁ ସେ ବିଗୁଡୁଛନ୍ତି ।

ମୁଁ ସେହି ଗାଡ଼ିରୁ ପ୍ରଦ୍ଯୁମ୍ନ ଶତପଥୀଙ୍କୁ ଫୋନ କଲି ଓ ଯେହେତୁ ସେ ଭାଷା ଆନ୍ଦୋଳନରେ ଅଛନ୍ତି ଏପରି ଭାବେ କାହାଠୁ କଣ୍ଟ୍ରାକ୍ଟ ନେବା ବା ଚାନ୍ଦା ନେବା କେତେଦୂର ଉଚିତ ବୋଲି ପଚାରିଲି । “ଆପଣ କେଉଁଠି ଅଛନ୍ତି?” – ସେ ପଚାରିଲେ । ମୁଁ କାର୍ ଭିତରେ ଅଛି ବୋଲି କହିଲି । “ଘରେ କେତେବେଳେ ପହଞ୍ଚିବେ?” ବୋଲି ସେ ପଚାରିଲେ । “୫ ମିନିଟରେ” ବୋଲି ମୁଁ ଉତ୍ତର ଦେଲି ।

ମୁଁ ଘରେ ପହଞ୍ଚୁ ପହଞ୍ଚୁ ସେ ଆସି ପହଞ୍ଚିଲେ । ମୁଁ କିଛି କହିବା ପୂର୍ବରୁ କାନ ଧରି ବସ୍ ଉଠ୍ ହେଲେ ଓ ଆଉ ଦିନେ ହେଲେ ଏପରି ଭୁଲ କରିବେ ନାହିଁ ବୋଲି କହିଲେ । ଏବଂ କହିଥିଲେ, “ମୁଁ ଦି ଚାରି ଦିନରେ ସେ ପଇସା ତାଙ୍କୁ ଫେରାଇ ଦେବି।“

ଫେରେଇଛନ୍ତି କି ନାହିଁ ସେ କଥା ସୌମ୍ୟବାବୁ କହିବା ଉଚିତ ।

କିନ୍ତୁ ସେଦିନଠୁ ଆଜିଯାଏଁ ମଦ ବିରୁଦ୍ଧରେ ନୀରବ ଥିବା ପ୍ରଦ୍ୟୁମ୍ନ ଶତପଥୀ ହଠାତ୍ ମୁଖ୍ୟମନ୍ତ୍ରୀଙ୍କୁ ଏ ଖୋଲା ଚିଠି ଲେଖିଛନ୍ତି କାହିଁକି ? ଦୁଇଟି ସମ୍ଭାବ୍ୟ କାରଣ ମନକୁ ଆସୁଛି । ହୁଏତ ସୌମ୍ୟବାବୁ ବା ତାଙ୍କପରି କେହି ଏଥିପାଇଁ ତାଙ୍କୁ କିଛି ଚାନ୍ଦା ଦେଇଥାଇପାରନ୍ତି; ବା ହୁଏତ ସରକାରୀକଳରୁ କେହି ତାଙ୍କୁ ଏଥିପାଇଁ ଧରି ଥାଇ ପାରନ୍ତି । ୨ୟ କାରଣଟି ଅଧିକ ସମ୍ଭାବନା ବହନ କରୁଛି ।

ନିଶାମୁକ୍ତି ବିରୁଦ୍ଧରେ ଷଡଯନ୍ତ୍ର ?

ବସ୍ତୁତଃ, ବର୍ଷୀୟାନ ସ୍ଵାଧୀନତା ସଂଗ୍ରାମୀ ଓ ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ବହୁବର୍ଷ ଧରି ଚାଲିଥିବା ମଦମୁକ୍ତି ଆନ୍ଦୋଳନ ସରକାରଙ୍କୁ ନାକେଦମ କଲାଣି । ମଦ ଓ ଅନ୍ୟ ନିଶାଦ୍ରବ୍ୟ କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶାରେ କାର୍ଯ୍ୟରତ ୧୧୧ଟି ସଂଗଠନ ଏକତ୍ର ହୋଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (MONA) ଗଠନ କରିଛନ୍ତି, ଯାହାର ମୁଖ୍ୟ ପଦ୍ମଚରଣବାବୁ । ଏହି ସଂଗଠନ ଭାରତ ସରକାରଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିପାରିଛି ଏବଂ ଭାରତର ଦୁଇଟି ପ୍ରଦେଶରେ ମଦମୁକ୍ତି ପାଇଁ ସରକାରୀ ପଦକ୍ଷେପ ଯେ ନିଆଯାଇପାରିଛି ତା ମୂଳରେ MONA ଏକ ଆଦର୍ଶ ଆଧାର ଭାବେ ବିବେଚିତ ହେଉଛି । ତେଣୁ ଏହି ଆନ୍ଦୋଳନ ମଦପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଡ଼ୁଆରେ ପକାଇଛି ଓଡ଼ିଶାରେ । ଏହି କାରଣରୁ ହୁଏତ ଏହାକୁ ଦୁର୍ବଳ କରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପୁଣି ଥରେ ପୋଷାମନେଇ ପ୍ରୟୋଗ କରୁଥାଇପାରନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଏହାଙ୍କୁ ପ୍ରୟୋଗ କରିପାରିଥିବା ହେତୁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଏହା ହୁଏତ ସହଜ ହୋଇଛି । ଏହି ମଉକାରେ ଶତପଥି ଠିକ୍ ସେହି ଚାଲ୍ ଖେଳିଛନ୍ତି ଯେଉଁ ଚାଲ୍ ୨୦୧୮ ମଇ ମାସରୁ ଜୁଲାଇ ଯାଏଁ ସେ ଖେଳିଥିଲେ । ସେତେବେଳେ ସେ ଯେପରି ସରକାରୀ କ୍ଵାଟର ଓ ସ୍ତ୍ରୀଙ୍କ ଚାକିରି କଥା ଉଠାଇଥିଲେ, ମଦମୁକ୍ତି ଆନ୍ଦୋଳନ କଥା କହି ଠିକ୍ ସେହିପରି ସରକାରୀ କ୍ଵାଟର ଓ ସ୍ତ୍ରୀଙ୍କ ୧୦ ବର୍ଷର ଦରମା ପ୍ରସଙ୍ଗ ଉଠାଇଛନ୍ତି ।

ନିମକହାରାମ ଜାଗିରି

“ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ: ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ” ଶୀର୍ଷକରେ ଏହି ପୃଷ୍ଠାମାନଙ୍କରେ ମୁଁ ୩୩ଟି ପ୍ରାମାଣିକ ତଥ୍ୟସମ୍ପନ୍ନ ନିବନ୍ଧ ପ୍ରକାଶ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ଜାଣିବା ପାଇଁ ଇଂରାଜୀ ଭାଷାରେ ORISSA MATTERS ପୃଷ୍ଠାରେ ବି କେତେକ ନିବନ୍ଧରେ ରହିଛି । ମୁଖ୍ୟମନ୍ତ୍ରୀ ନିଜେ ସେହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ସନ୍ଦେହ ଅଲଙ୍ଘ୍ୟଥିବା ହେତୁ ମୁଁ ରାଜ୍ୟପାଳଙ୍କ ହସ୍ତକ୍ଷେପ  ଦାବି କରିଥିଲି । ମୁଖ୍ୟମନ୍ତ୍ରୀଙ୍କ ସୁପାରି ପରି ତାଙ୍କ ସ୍ତ୍ରୀ ୧୦ ବର୍ଷର ସୌଖୀନ ଅନୁପସ୍ଥିତି ସତ୍ତ୍ୱେ ଚାକିରିରେ ପୁନଃସଂସ୍ଥିତ ହୋଇଥିବାବେଳେ ଏବଂ ଏହି ବେଆଇନ କାମରେ ସାହାଯ୍ୟକରିଥିବା ସବୁ ଅଫିସର ପଦୋନ୍ନତି ପାଇଥିବା ବେଳେ, ରାଜ୍ୟପାଳଙ୍କ ହସ୍ତକ୍ଷେପ ହେତୁ ସେହି ୧୦ ବର୍ଷ ପାଇଁ ତାଙ୍କ ସ୍ତ୍ରୀଙ୍କ ବେତନ ପ୍ରଦାନ ବନ୍ଦ ହୋଇଯାଇଛି । ମାତ୍ର ଆଇନତଃ ତାଙ୍କ ସ୍ତ୍ରୀ ଫେରିପାଇଥିବା ଚାକିରି ବାତିଲ ହେବାକୁ ବାଧ୍ୟ । ମୁଖ୍ୟମନ୍ତ୍ରୀ ତାହା କରିନାହାନ୍ତି ଏଯାଏଁ । ଓଡ଼ିଆ ଭାଷାସ୍ଵାର୍ଥକୁ ଛୁରୀ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିମକହାରାମ ଜାଗିରି ସ୍ୱରୂପ ପ୍ରତିମାସରେ ପ୍ରାୟ ଲକ୍ଷେ ଟଙ୍କା  “ସାରା ବିଶ୍ଵରେ ବିଶ୍ଵାଏ ଭୂମିର ମଳିକାନଗିରି” ନଥିବା ପ୍ରଦ୍ୟୁମ୍ନ ଶତପଥୀ  ରୋଜଗାର କରୁଛନ୍ତି ସ୍ତ୍ରୀଙ୍କ ବେଆଇନ ନିଯୁକ୍ତି ମାଧ୍ୟମରେ ।

ଧୂର୍ତ୍ତ ଅଭିସନ୍ଧି

ତେଣୁ, ପଦ୍ମଚରଣ ନାୟକଙ୍କ ନେତୃତ୍ଵାଧୀନ ନିଶାମୁକ୍ତି ଅଭିଯାନକୁ ଦୁର୍ବଳ କରିବା ପାଇଁ ମଦପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ଦେବା ସକାଶେ ହୁଏତ ସିଏମଓ ବା ସୌମ୍ୟବାବୁଙ୍କ ଦ୍ଵାରା ଆହୁତ ହେବା ପରେ ସେ ସେହି ପୁରୁଣା ଚାଲ୍ ଚଳାଇ ତାଙ୍କ ସ୍ତ୍ରୀଙ୍କ ନିଷିଦ୍ଧ କରାହୋଇଥିବା ୧୦ ବର୍ଷର ପିଛିଲା ବେତନ ପ୍ରାୟ ଦେଢକୋଟି ଟଙ୍କା ପ୍ରଦାନ କରାଯିବା ଦୁହା ତୋଳିଛନ୍ତି ଓ ସରକାରୀ ଘର ହାତେଇବା ପାଇଁ ଅଧାରେ ରହିଯାଇଥିବା ମିଶନକୁ ଅଙ୍କୁରିତ କରିଛନ୍ତି ।

ଭାଷା ଆନ୍ଦୋଳନକୁ ନେଇ କ୍ଵାଟର ସଉଦା

ସରକାରୀ ଘର (କ୍ଵାଟର) ପାଇବା ପାଇଁ ସେ ଭାଷା ଆନ୍ଦୋଳନକୁ ଛୁରୀ ମାରିବାକୁ କିପରି ପ୍ରସ୍ତୁତ ଥିଲେ ତାହା ତାଙ୍କ ଅନୁଗତ ବନିଥିବା ପବିତ୍ର ମହାରଥା ଓ କମ୍ମ୍ୟୁନିଷ୍ଟ ପାର୍ଟି ଛାଡ଼ି ନବୀନ ପଟ୍ଟନାୟକଙ୍କ ପାଖଲୋକ ବନିଥିବା ସୁବାସ ସିଂ ଓଡ଼ିଆ ଜାତିର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ପ୍ରକାଶ କରିଦେବା ଊଚିତ । ଘଟଣାଟି ଥିଲା ଏହିପରି :

ପିଏମଜି ଛକରେ ଥିବା ଏକ ଚା ଦୋକାନରେ ନିତିଦିନ ସକାଳେ ଖଟି କରୁଥିବା ପ୍ରଦ୍ୟୁମ୍ନ ଶତପଥୀ ସୁବାସ ସିଂଙ୍କ ସହ ଗଭୀର ଆଲୋଚନାରେ ଲିପ୍ତ ଥାଇ ଜାଣିପାରୁନଥିଲେ ଯେ, ସେହି ଖଟିରେ ପ୍ରତିଦିନ ହାଜରା ପକାଉଥିବା ପବିତ୍ର ମହାରଥା ତାଙ୍କ ପଛପଟେ ଠିଆ ହୋଇ ସବୁକଥା ଶୁଣୁଥିଲେ । ଶେଷ କଥୋପକଥନ ଥିଲା ଦିଆନିଆର କଥା ।

ସିଂ କହିଲେ, “ଆପଣ ଭାଷା ଆନ୍ଦୋଳନକୁ ଯେମିତି ହେଲେ ଭାଙ୍ଗନ୍ତୁ, ଆପଣଙ୍କୁ କ୍ଵାଟର ମିଳିବା ଦାୟିତ୍ଵ ମୋର ।“ ଶତପଥୀ କହିଲେ, “ତାହା ମୋର ବାମ ହାତର ଖେଳ । ମୁଁ ଲୋକ ଯୋଗଉଛି ବୋଲି ଆନ୍ଦୋଳନ ଚାଲିଛି । ମୁଁ ଯଦି ଲୋକ ନ ଯୋଗାଏ ସୁଭାଷ ପଟ୍ଟନାୟକ କଣ କରିବେ?”

କଥୋପକଥନ ପରେ ଯେତେବେଳେ ସିଂ ଉଠିଲେ, ସେତେବେଳେ ସେଠାରେ ପବିତ୍ରଙ୍କୁ ଦେଖି ଉଭୟେ ଚମକି ପଡ଼ିଥିଲେ । ପବିତ୍ର ସେହି ସଙ୍ଗେ ସଙ୍ଗେ ଆସିଥିବା କହି କିଛି ନଶୁଣିଥିବାର ଧାରଣ ତିଆରି କରାଇଥିଲେ , କିନ୍ତୁ ତାହାକୁ ହଜମ କରିବାକୁ ସକ୍ଷମ ନ ହୋଇ ସେ କଥାଟି କହିଦେଇଥିଲେ ବିଶିଷ୍ଟ ସାମ୍ବାଦିକ ଓ ସଂସ୍କୃତି ଆଲୋଚକ ଡଃ ଅସିତ ମହାନ୍ତିଙ୍କୁ ପ୍ରାୟତଃ ତୁରନ୍ତ “ଆମ ଓଡ଼ିଶା” ଅଫିସରେ । ଡଃ ମହାନ୍ତି ତାଙ୍କୁ ପଚାରିଥିଲେ, “ସୁଭାଷବାବୁଙ୍କୁ ଏହା କହିଛ?” “ସେ ଘରେ ନାହାନ୍ତି, ବାହାରକୁ ଯାଇଛନ୍ତି” ବୋଲି କହିଥିଲେ ପବିତ୍ର । ବସ୍ତୁତଃ ସେଦିନ ମୁଁ ସକାଳୁ ସକାଳୁ ଢେଙ୍କାନାଳ ଯାଇଥିଲି । ଫେରିଲା ପରେ ଅସିତବାବୁ ମୋତେ ଏହା କହିଥିଲେ ଓ ସନ୍ଧ୍ୟାବେଳେ କଳାପତାକା ଆରମ୍ଭ ପୂର୍ବରୁ ପବିତ୍ର ବି କହିଥିଲେ ।

ଭାଷା ଆନ୍ଦୋଳନ ବିରୁଦ୍ଧରେ ଥୋପଗିଳା

ପ୍ରଦ୍ୟୁମ୍ନ ଶତପଥୀ ନିଜ ସ୍ଵାର୍ଥ ପାଇଁ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ସମ୍ମତ ବୋଲି ସୁବାସ ସିଂଙ୍କଠାରୁ ଅବଗତ ହେଲା ପରେ ତାଙ୍କୁ ପୋଷାମନେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବ୍ୟଗ୍ର ହୋଇଉଠିଥିଲା । ଯୋଗକୁ ତାଙ୍କ ସ୍ତ୍ରୀଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ ଦେଇଥିବା ଶେଷ ଆଦେଶର ପୁନର୍ବିଚାର ପାଇଁ ଶ୍ରୀମତୀ ଶତପଥୀ (ମାନସୀ ଷଡଙ୍ଗୀ) ଦେଇଥିବା ଦରଖାସ୍ତ ଶିକ୍ଷା ସଚିବ ଜି॰ ଭି॰ ଭି॰ ଶର୍ମାଙ୍କ ପରି ଓଡ଼ିଆବିଦ୍ଵେଷୀ ଅଫିସରଙ୍କ ହାତରେ ଥିଳା । ଭାଷା ଆନ୍ଦୋଳନକୁ ଭାଙ୍ଗିଦେଲେ ସେ ତାଙ୍କ ସ୍ତ୍ରୀଙ୍କୁ ସାହାଯ୍ୟ କରିବେ ବୋଲି ପଦ୍ୟୁମ୍ନ ଶତପଥୀଙ୍କୁ ଥୋପ ଗିଲାଇଲେ ଓ ତା ପରେ ଯାହା ହେଲା, ସେ ସମସ୍ତ ମୁଁ ଉପର ସୂଚିତ ନିବନ୍ଧମାନଙ୍କରେ ସପ୍ରମାଣ ଉଲ୍ଲେଖ କରିଛି ।

ହାଇକୋର୍ଟ ନାମରେ ବି ମିଛ 

ମୁଁ ଉଠାଇଥିବା ପ୍ରମାଣସିଦ୍ଧ ଅଭିଯୋଗ ଉପରେ ଅନେକ ମାସ ଆଲେଜିଆ ହୋଇ ପଡ଼ିରହି ପ୍ରଦ୍ୟୁମ୍ନ ଶତପଥୀ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ ବଳରେ ତାଙ୍କ ସ୍ତ୍ରୀ ଚାକିରି ଫେରି ପାଇଛନ୍ତି ଓ ସମସ୍ତ ପିଛିଲା ଦରମା ସହ ତାଙ୍କ ସ୍ତ୍ରୀଙ୍କୁ (ମାନସୀ ଷଡଙ୍ଗୀଙ୍କୁ) ପୁନଃସଂସ୍ଥିତ କରିବାକୁ ହାଇକୋର୍ଟ ରାୟ ଦେଇଥିଲେ ମଧ୍ୟ ସରକାର ତାଙ୍କ ପିଛିଲା ଦରମା ଦେଇନାହାନ୍ତି । ମିଛ କଥା । ହାଇକୋର୍ଟ ସେପରି କୌଣସି ରାୟ ଦେଇନାହାନ୍ତି । ତାର ସବିଶେଷ ବିବରଣୀ ମୁଁ ସୂଚିତ କରିଥିବା ନିବନ୍ଧମାଳାରେ ପ୍ରକାଶିତ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନୀରବତା ହିଁ ତାଙ୍କ ଦୋଷ ବଖାଣେ

ଭାଷା ଆନ୍ଦୋଳନ ବିରୁଦ୍ଧରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ସୁପାରି ସ୍ୱରୂପ ତାଙ୍କ ସ୍ତ୍ରୀ ପୁନଃସଂସ୍ଥିତା ହୋଇଥିବା ଚାକିରି ଅବିଳମ୍ବେ ରଦ୍ଦ କରିବାକୁ ମୁଁ ତୋଳିଥିବା ଦାବି ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଶୋଇରହିଛନ୍ତି ତାହା ତାଙ୍କ ଦପ୍ତର ସର୍ବ ସମ୍ମୁଖରେ ରଖୁ । ତାଙ୍କ ନୀରବତା ହିଁ ତାଙ୍କ ଦୋଷ ବଖାଣୁଛି ।

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକମାନେ ତାଙ୍କୁ କହନ୍ତୁ ଯେ, ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିଷିଦ୍ଧ କରାହୋଇଥିବା ପିଛିଲା ବେତନ ତ ଦୂରର କଥା, ତାଙ୍କୁ ଦିଆହୋଇଥିବା ଅବୈଧ ନିଯୁକ୍ତିକୁ ଯଦି ସେ ରଦ୍ଦ ନକରନ୍ତି ତେବେ ତାହା କରିବାକୁ ମୁଁ ତାଙ୍କୁ ବାଧ୍ୟ କରିବି । କାରଣ, ଆମ ଭାଷାକୁ ଛୁରୀ ମାରିଥିବା ମାୟାବୀର ସ୍ଵାର୍ଥସିଦ୍ଧି କାରସାଦିକୁ ବରଦାସ୍ତ କରିବା ଭାଷା ଆନ୍ଦୋଳନ ପ୍ରତି ଅନ୍ୟାୟ ହେବ ।

ଆମ ଭାଷା ପାଇଁ ଆମ ଅଭିଯାନ // ଆଜି କଲା ଚାରିବର୍ଷ ଅତିକ୍ରମ

ଚିତ୍ର ଉପସ୍ଥାପନା : ରଞ୍ଜନ କୁମାର ସାହୁ,

ବିଷୟ ଉପସ୍ଥାପନା :  ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ସୃଷ୍ଟି ହୋଇଥିଲା ଓଡ଼ିଶା । ବ୍ରିଟିଶ ଯେତେବେଳେ ଆମ ମାଟିରେ ରଖିଥିଲା ତାର ଅନୁପ୍ରବେଶକାରୀ ପଦ, କିପରି ଥିଲା ଆମ ଜାତି? ଟୟନବୀଙ୍କ ଭାଷାରେ “It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” (A Sketch of the History of Orissa, G.Toynbee) । ପରେ ଯୁଗ୍ମ ବିଚାରପତି ଡବ୍ଲ୍ୟୁ॰ ଫରେଷ୍ଟର ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ଲେଖିଥିଲେ ଓଡ଼ିଆ ଲୋକଙ୍କ ମାଟି ଏତେ ବୀରତ୍ବବ୍ୟଞ୍ଜକ ଓ ମିଜାଜ ଏତେ କଡ଼ା ଯେ, ସେନା ବାହିନୀ ବ ପୋଲିସ ବଳରେ ସେମାନଙ୍କୁ କାବୁ କରିହେବନି (କମିଶନର ରୋବର୍ଟ କେରଙ୍କୁ ରିପୋର୍ଟ , ୯.୯.୧୮୧୮) । ଏହି ବୀରତ୍ବପୂର୍ଣ ମିଜାଜକୁ ଧ୍ବଂସ କରିଦେବାପାଇଁ ବ୍ରିଟିଶ କୂଟନୀତିଜ୍ଞମାନେ ବହୁ ଷଡ଼ଯନ୍ତ୍ର କରି ଆମ ପଡ଼ୋଶୀ ଭିନ୍ନ ଭାଷା ଭାଷୀ ପ୍ରଦେଶମାନଙ୍କରେ  ଆମ ମାଟିକୁ  ଭାଗ ଭାଗ କରି ମିଶାଇ ଦେଇଥିଲେ ଓ ସେଠାରେ ଆମକୁ ସଂଖ୍ୟାଲଘୁ କରାଇ ସେମାନଙ୍କ ଭାଷା ଆମ ଉପରେ ନଦିଦେଇଥିଲେ । ଅଣଓଡ଼ିଆ ଭାଷାରେ ଚାଲିଥିଲା ଓଡ଼ିଶାର ଶାସନ । କିନ୍ତୁ ଓଡ଼ିଆ ମିଜାଜ ଏହି ଚକ୍ରାନ୍ତକୁ ଚୁରମାର କରିଦେଲା ଏବଂ ଓଡ଼ିଆ ଅସ୍ମିତା ପାଖରେ ମୁଣ୍ଡ ନୂଆଁଇ ବ୍ରିଟିଶ ସରକାର ଅବଶେଷରେ ନିଜ ଛାପ ନିଜେ ଢୋକି ଆମ ଭାଷାରେ ଆମ କାର୍ଯ୍ୟ ପରିଚାଳନା ପାଇଁ ଆମ ପୂର୍ବସୂରୀମାନଙ୍କ ଦାବିକୁ ସମ୍ମାନ ଜଣାଇ ମା ଓଡ଼ିଶାକୁ ଆବିର୍ଭୂତ ହେବାରେ ସାହାଯ୍ୟ କଲା । କିନ୍ତୁ  ସ୍ଵାଧୀନତା ପରେ ଆମ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଉତ୍କଟ ଇଂରାଜୀମନସ୍କତା ହେତୁ ଆମ ରାଜ୍ୟରେ ଆମ ଭାଷାରେ ନୁହେଁ ,ଇଂରାଜୀ ଭାଷାରେ ରାଜୁତି ଚାଲିଛି ।

ଆମ ଭାଷା ବିରୁଦ୍ଧରେ ସରକାରୀ ଷଡ଼ଯନ୍ତ୍ର  ବନ୍ଦ ହେଉ ଓ ଓଡ଼ିଶାର ପରିଚାଳନା ଓଡ଼ିଆରେ ହେଉ ବୋଲି ସରକାରଙ୍କୁ ପରାମର୍ଶ ଦେଇ ମୁଁ ସେଥିପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଯେଉଁ ଚିଠା ବିଧାନ ଦେଇଥିଲି ତାହାକୁ ମୁଖ୍ୟମନ୍ତ୍ରୀ ମାନିଥିଲେ ୨୦୧୫ ସାରିବା ପୂର୍ବରୁ ବି ଆଇନ ସଂଶୋଧନ ହୋଇ ଆମ ଭାଷାରେ ଆମ ରାଜ୍ୟ ଚାଲନ୍ତାଣି । କିନ୍ତୁ ଓଡ଼ିଆବିଦ୍ଵେଷୀ ନବୀନ ପଟ୍ଟନାୟକ ତାହା କରାଇଦେଉନାହାନ୍ତି । ମନ୍ତ୍ରୀସ୍ତରୀୟ କମିଟି ମୁଖ୍ୟମନ୍ତ୍ରୀଙ୍କ ହେତୁ ନିରର୍ଥକ ହୋଇଗଲା ପରେ ୨୦୧୬ର ଆଜିର ଦିନରେ ମୁଁ ଯେଉଁ କଳା ପତାକା ଅଭିଯାନ ଆରମ୍ଭ କରିଥିଲି ତହିଁରେ ସାମିଲ  ହୋଇଥିବା ମୋର ମୁଖ୍ୟ ସହକର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୋଷାମନେଇ ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଯେଉଁ ଅପୋଦୟାମ କରିଥିଲେ , ତାହାକୁ ଓଡ଼ିଆ “ମିଜାଜ୍” ପ୍ରତ୍ୟାଖ୍ୟାନ କରିଛି ଓ ଓଡ଼ିଆ ଜାତିର ସଚେତନବର୍ଗ ନିଜ ଭାଷା ମାଆକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି । ଫଳରେ ଏହି ଯୁଗାନ୍ତକାରୀ ଆନ୍ଦୋଳନ ଆଜି ଅତିକ୍ରମ କରିଛି ଚତୁର୍ଥ ବର୍ଷ ।

ଆମେ ଆଶା କରୁଛୁ , ମୁଖ୍ୟମନ୍ତ୍ରୀ ନିଜର ଭୁଲ ସଂଶୋଧନ କରିବେ ଓ ଆଇନର ପୁନଃ ସଂଶୋଧନ କରି ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ଅଲଙ୍ଘ୍ୟ କରିବେ ।

ଶ୍ରୀମାନ୍ ରଞ୍ଜନ କୁମାର ସାହୁ ଆଜିର ଏହି ସ୍ଵତନ୍ତ୍ର ଦିବସ ପାଇଁ ଓଡ଼ିଆ ଜାତି ସମ୍ମୁଖରେ ଆମ ପୂର୍ବସୂରୀମାନଙ୍କ ମଧ୍ୟରୁ ଯତ୍ପରୋନାସ୍ତି ସମ୍ଭବ ଏପରି କେତେକଙ୍କ ଫଟୋଚିତ୍ର ସଂଗ୍ରହ କରି ଭାଷାଆନ୍ଦୋଳନର ବାର୍ତ୍ତା ସହ ପ୍ରଦାନ କରିଛନ୍ତି, ଯେଉଁମାନେ  ସୁଦୃଢ଼ କରିଥିବା ଓଡ଼ିଆ ଅସ୍ମିତାକୁ ଆଧାର କରି କଳା ପତାକା ଅଭିଯାନ ଚାଲିଛି । ଆଉ କେତେକଙ୍କ ଫଟୋଚିତ୍ର ସମୟ ଅଭାବରୁ ସେ ସଂଗ୍ରହ କରିପାରିନାହାନ୍ତି । ତାହା ହସ୍ତଗତ ହେଲେ ଏଠାରେ ସ୍ଥାନିତ ହେବ । ଆମକୁ ବୁଝିବାକୁ ହେବ ଯେ, ଓଡ଼ିଶାରେ ଇଂରାଜୀ ରାଜୁତି ଯେତେଦିନ ଚାଲିଥିବ ଆମ ଏହି ପୂର୍ବସୂରୀମାନଙ୍କ ପ୍ରତି ରାଷ୍ଟ୍ରୀୟ ଅପମାନ ସେତେଦିନ ଆମକୁ ଦଗ୍ଧିଭୂତ କରିଚାଲିଥିବ ।

ଓଡ଼ିଆ ଅସ୍ମିତାର ଏହି ରୂପକଳ୍ପମାନଙ୍କ ପ୍ରତି ଭାଷା ଆନ୍ଦୋଳନ ଜଣାଉଛି କୋଟି ପ୍ରଣାମ ଓ ଆଦର୍ଶସ୍ଥାନୀୟ  ଭାଷାପ୍ରାଣ ଶ୍ରୀମାନ୍ ରଞ୍ଜନ କୁମାର ସାହୁଙ୍କୁ  ତାଙ୍କ ଏହି ଅନନ୍ୟ ଅବଦାନ ପାଇଁ ଅର୍ପଣ କରୁଛି ଅଶେଷ ଧନ୍ୟବାଦ ।

ଅନ୍ୟ ପାଇଁ ଯିଏ ପ୍ରବାଦ ପୁରୁଷ , ଆମ ପାଇଁ ସିଏ ବରବାଦ ପୁରୁଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଯେଉଁ ଖବରକାଗଜ ଓ ଟିଭି ଚ୍ୟାନେଲମାନେ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଯୁଗାନ୍ତକାରୀ କଳାପତାକା ଅଭିଯାନକୁ ଲୋକ ଚକ୍ଷୁରୁ ଦୂରେଇ ରଖିବା ପାଇଁ ତା ଉପରେ କଳାପରଦା (blackout) କାଇଦା ପ୍ରୟୋଗ କରୁଛନ୍ତି, ସେମାନେ ଆଜି ବିଜୁ ପଟ୍ଟନାୟକଙ୍କୁ ପ୍ରବାଦ ପୁରୁଷ ଭାବେ ଓଡ଼ିଆ ଜାତିର ମନ ଉପରେ ପୁଣି ନଦିବାକୁ ପ୍ରଗଳ୍ଭ ହୋଇଉଠିଛନ୍ତି । ଗଣମାଧ୍ୟମ ଯଦି ଗଣନାୟିକା ଭୂମିକାକୁ ଖସିଆସେ ବିନା ବ୍ରହ୍ମାରେ ବି ଦସ୍ୟୁ ରତ୍ନାକର ବାଲ୍ମୀକି ପାଲଟିଯାଇପାରେ !

ଯେଉଁ ଛାତ୍ର-ଯୁବ- ଜନ ଆନ୍ଦୋଳନରେ ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ କାଳ ଅଧାରେ ଭୁଷୁଡ଼ି ପଡ଼ିଥିଲା, ସେ ଆଂଦୋଳନର ଏକ ମୁଖ୍ୟ ସ୍ଲୋଗାନ ଥିଲା: ବିଜୁ ବିରେନ ଯେଉଁଠି , ମଦ ବୋତଲ ସେଇଠି । ମଦଲୋଭୀ ସମ୍ବାଦିକମାନେ ତାଙ୍କୁ ପ୍ରବାଦପୁରୁଷ ବନେଇଦେଲେ । ଦ୍ବିତୀଯଥର ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ, ଏପରି ଅରାଜକତା ବ୍ୟାପିଗଲା ଯେ, ରାଜ୍ୟ ସଚିବାଳୟର କର୍ମଚାରୀମାନେ ତାଙ୍କ ଜୀବନ ନେଇଯାଇଥାନ୍ତେ ଯଦି ଜଣେ ସାମ୍ବାଦିକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିନଥାନ୍ତେ । ଏ କଥା କାହାକୁ ଅଜଣା? ତଥାକଥିତ ପ୍ରବାଦ ପୁରୁଷ ଯେତେବେଳେ ମୃତ୍ୟୁମୁଖରେ ପଡ଼ିଲେ, ସେତେବେଳେ ସେ ଅପଶାସନ ହେତୁ ଲୋକଙ୍କଦ୍ଵାରା ପ୍ରତ୍ୟାଖ୍ୟାତ ଅବସ୍ଥାରେ ଥିଲେ ।

ଏ ବାବୁ ପ୍ରକୃତରେ କ’ଣ ତାହା ମୋର ଚାରୋଟି ସ୍ତମ୍ଭ ସଂହିତାରେ ସପ୍ରମାଣ ଅଛି । ସେଗୁଡ଼ିକ: ସିଂହାବଲୋକନ , Animadversion, ସିଂହାବଲୋକନରେ ବିଜୁ ଓ ବିଜୁଙ୍କ ଛୁରା ।

ନିଜ ସ୍ଵାର୍ଥ ପାଇଁ ବିଜୁବାବୁ ଯେକୌଣସି କାମ କରିପାରୁଥିଲେ; କିନ୍ତୁ ମଦଲୋଭୀ ସମ୍ବାଦିକମାନେ ଲୋକଙ୍କୁ ବୁଝାଉଥିଲେ ଯେ, ସେ ଯାହା କରୁଥିଲେ ସବୁ ଥିଲା ଓଡ଼ିଆ ଜାତିର ସ୍ବାର୍ଥପାଇଁ !

ସେ ନିଜକୁ ଓଡ଼ିଆ ବୋଲି ମନେକରୁନଥିଲେ । ବିଧାନସଭାରେ ସେ ଘୋଷଣା କରିଥିଲେ, ରାଜନୈତିକ ବାଧ୍ୟବାଧକତା ହେତୁ ସେ ଓଡ଼ିଆ କହୁଥିଲେ ବି , ତାଙ୍କ ଭିତ୍ତି ଥିଲା ଇଂରାଜୀ ଭାଷା (“My language was the other day English”) ; ମୋ ସଂସ୍କୃତି ଥିଲା ଇଂରେଜ ଲୋକର ସଂସ୍କୃତି (“My culture was the culture of an Englishman”) । (ବିଧାନସଭା ବିବରଣୀ, ୩୦.୯.୧୯୬୩ ପୃ.୩୯) । ତାଙ୍କ ଇଂରାଜୀମନସ୍କତା ଏତେ ତୀବ୍ର ଥିଲା ଯେ, ମୁଖ୍ୟମନ୍ତ୍ରୀ ହେଉହେଉ ସେ ୨୩.୮.୧୯୬୧ତାରିଖରେ ଆସ୍ପର୍ଦ୍ଧ କରିଥିଲେ କହିବାକୁ, ବିଧାନସଭାକୁ ଆସିବା ପୂର୍ବରୁ ସବୁ ସଭ୍ୟ ଇଂରାଜୀ ଜାଣିଥିବା ଦରକାର (“Every member should know English before coming to the House.”) (ଏଜନ, ପୃ.୨୫) । ଏପରିକି ଓଡ଼ିଆ ପରି ଭାଷା ପ୍ରଚଳିତ ଥିବା ଭାରତକୁ ଗୋଟାଏ ଦେଶ ବୋଲି ମାନିବାକୁ ସେ ଘୃଣା କରୁଥିଲେ ( “So many languages there in our country. This is not a country at all.”) (ବିଧାନସଭା ବିବରଣୀ, ସେପ୍ଟେମ୍ବର ୧୯୮୫, ପୃ ୧୦୮)।

ଏହି ଇଂରାଜୀମନସ୍କ ଓଡ଼ିଆଭାଷାବିଦ୍ଵେଷୀ ବ୍ୟକ୍ତି ବିଧାନସଭାର ଅଧିକାଂଶ ସଦସ୍ୟଙ୍କୁ ନିଜର ଚାବୁକ ଦ୍ଵାରା ନିୟନ୍ତ୍ରିତ କରିବା ସ୍ଥିତିରେ ଥିବା ବେକେ ବିଧାନସଭାକୁ ମିଛ କହି ୧୯୬୩ରେ ଇଂରାଜୀ ଭାଷାକୁ ଯଦି କବର ତଳୁ ଉଠାଇ ଆଣି ସେହିସ୍ଥଳରେ ଆମ ଉପରେ ନଦିଦେଇନଥାନ୍ତେ, ତେବେ ଆମ ଭାଷା ଅଧିକାର ପାଇଁ ଆମକୁ ପ୍ରାୟ ୪ ବର୍ଷ ଧରି କଳାପତାକା ଅଭିଯାନ କରିବାକୁ ପଡ଼ିନଥାନ୍ତା ।

ଅତଏବ, ଅନ୍ୟ କାହାପାଇଁ ବିଜୁ ପଟ୍ଟନାୟକ ପ୍ରବାଦ ପୁରୁଷ ହୋଇପାରନ୍ତି, ଆମ ଭାଷା ପ୍ରେକ୍ଷାପଟରେ ଆମ ପାଇଁ ବରବାଦ ପୁରୁଷ । ଓଡ଼ିଆ ଗଣମାଧ୍ୟମମାନେ ତାଙ୍କୁ ଅଯଥା ଟେକିବା ବନ୍ଦ କରି ଏହି ସତ୍ୟ ଅନୁଭବ କରନ୍ତୁ ।

ଭାଷା ଉପରେ ଖେଳ ଖେଳିବା ବନ୍ଦ ହେଉ : ଭାଷା ପ୍ରତିଷ୍ଠାନକୁ ପତ୍ର

ଓଡ଼ିଆ ଭାଷା ଉପରେ ଖେଳ ଖେଳିବା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକାଙ୍କୁ ଦିଆହୋଇଥିବା ଏକ ପତ୍ରର ଫଟୋଚିତ୍ର ପ୍ରଦତ୍ତ ହେଲା । ଏହାକୁ ଆଧାର କରି ଆଲୋଚନା ଅବଶ୍ୟମ୍ଭାବୀ ।

 

ମାତୃଭାଷା, ଆମ ସରକାର ଓ ଆମେ ଓଡ଼ିଆମାନେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜି ବିଶ୍ଵ ମାତୃଭାଷା ଦିବସ । ଏହି ନାମରୁ ବୁଝିହୁଏ ଯେ, ମାତୃଭାଷା ଉପରେ ସମଗ୍ର ବିଶ୍ଵ ଗୁରୁତ୍ଵ ଦେଉଛି । ମାତ୍ର ଆମ ରାଜ୍ୟ ସରକାର ନିଆରା । ମାତୃଭାଷାକୁ କିପରି ମରାଯାଇପାରେ ତହିଁରେ ଆମ ସରକାର ମନଧ୍ୟାନ ଦେଇ ଲାଗିଛନ୍ତି । ଫଳରେ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ଓଡ଼ିଶା ଦାପ୍ତରିକ ଭାଷା ଆଇନ (Orissa Official Language Act) କାର୍ଯ୍ୟକାରୀ ହୋଇପାରୁନି । ଓଡ଼ିଶାର ସବୁଠି ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବ ବୋଲି ଏହି ଆଇନରେ ବ୍ୟବସ୍ଥା ଅଛି । କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଥିବା ଆମ ସରକାର ୨୦୧୮ରେ ଏହାକୁ ସଂଶୋଧନ କରି ଓଡ଼ିଶାର ସବୁଠି ସମସ୍ତ ଓ ଯେକୌଣସି ଦାପ୍ତରିକ କମ ଓଡ଼ିଆରେ ହେବନାହିଁ ବୋଲି ଧାର୍ଯ୍ୟ କରିଛନ୍ତି । ସେ ଏହା ବି ଧାର୍ଯ୍ୟ କାରିଛନ୍ତି ଯେ, କର୍ମଚାରୀମାନେ ଯେଉଁଠି ଯେପରି ଭାବେ ଚାହିବେ ସେଇଠି ସେପରି ଭାବେ ଓଡ଼ିଆରେ କାମ ହୋଇପାରେ, ନହେଲେ ନାହିଁ । କେବଳ ଏତିକି ନୁହେଁ, ଯେଉଁ କର୍ମଚାରୀ ବା ପଦଧିକାରୀ ସମ୍ପୂର୍ଣତଃ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ସରକାର ପୁରସ୍କୃତ କରିବେ ବୋଲି ବି ନବୀନ ବାବୁ ବ୍ୟବସ୍ଥା କରିଛନ୍ତି । ଆମ ମାତୃଭାଷା ବିରୁଦ୍ଧରେ ଏହି କୁତ୍ସିତ ଷଡ଼ଯନ୍ତ୍ରର ପରିସମାପ୍ତି ପାଇଁ ଓ ଆମ ମାତୃଭାଷାରେ ଆମ ମାତୃଭୂମିର ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଆଜି ୧୪୦୬ ଦିନରେ ପହଞ୍ଚିଛି । ଏହି ଅନନ୍ୟ ଅନ୍ଦୋଳନକୁ ଭାଙ୍ଗିଦେବା ପାଇଁ ଆମ ଭିତରୁ କେଇଜଣଙ୍କ ଅର୍ଥଲୋଭକୁ ଉପଯୋଗ କରି ସୁଦ୍ଧା ସରକାର ସଫଳ ନହେବା ପରେ କେତେକ ମାନ୍ୟତାସମ୍ପନ୍ନ ସାମ୍ବାଦିକ,ସାହିତ୍ୟିକ ଓ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବିବେଚିତ ବ୍ୟକ୍ତିଙ୍କ ସଂବାଦପତ୍ର ମାଧ୍ୟମରେ ଏକ ନୂଆ କୌଶଳ ପ୍ରୟୋଗ କରିଛନ୍ତି । ତାହା ହେଲା, “ଭାଷା ଆନ୍ଦୋଳନ ହିଁ ଓଡ଼ିଶାର ମୁକ୍ତି ଆନ୍ଦୋଳନ” ବୋଲି ମୁଁ ଯାହା ଦର୍ଶାଇଥିଲି ତହିଁର ବିପରୀତ ଧାରଣା ବାଣ୍ଟିବାର କୌଶଳ । ଏମାନେ ଯୁକ୍ତି କରୁଛନ୍ତି, ଓଡ଼ିଆ ଭାଷା ନୁହେଁ , ଇଂରାଜୀ ଭାଷା ହିଁ ଓଡ଼ିଶାକୁ ମୁକ୍ତି ଦେବ ! ଏବଂ ସମତାଳରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷାରେ କଥାକୁହା ଶିଖାଯିବ ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ କେତେକ ପ୍ରାଥମିକ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ କଲେଣି ଆମ ସରକାର । ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଥମିକତା ନଷ୍ଟ କରି, ଏହାକୁ ଗୌଣ ଓ ଇଂରାଜୀ ଭାଷାକୁ ମୁଖ୍ୟ ଭାବେ ଗ୍ରହଣ କରିବାକୁ ଲୋକଙ୍କ ମାନସିକତା ସୃଷ୍ଟି ହିଁ ଏହି କୁତ୍ସିତ ଷଡ଼ଯନ୍ତ୍ରର ଏକମାତ୍ର ଉଦ୍ଦେଶ୍ୟ ।

ଜାତୀୟ ପାଠ୍ୟକ୍ରମ ଖସଡ଼ାକୁ ବେଖାତିର

ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଅଣଓଡ଼ିଆ ଅଧ୍ୟୁଷିତ ଶାସନକଳ ଏତେ ବ୍ୟଗ୍ର ଯେ, ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଉପରେ ନିଜ ମାତୃଭାଷା ଭିନ୍ନ ଅନ୍ୟ କୌଣସି ଭାଷା ନଦାଯିବା ବିରୁଦ୍ଧରେ ଥିବା କୌଣସି ସିଦ୍ଧାନ୍ତକୁ ବି ଆମ ସରକାର ଖାତିର କରୁନାହାନ୍ତି । ଉଦାହରଣ ସ୍ବରୂପ, ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ୨୦୦୫ରେ ଯେଉଁ ଜାତୀୟ ପାଠ୍ୟକ୍ରମ ଖସଡ଼ା ତିଆରି କରିଥିଲେ, ତହିଁରେ କହିଥିବା ଦୁଇଟି ମୁଖ୍ୟକଥାକୁ ବିଚାରକୁ ନିଆଯାଇପାରେ । ଏହା ହେଲା (୧) ପିଲାମାନଙ୍କ ମାତୃଭାଷା ହିଁ ସ୍କୁଲ ଶିକ୍ଷାର ମାଧ୍ୟମ ହେବା ଉଚିତ ଓ (୨) ଶାସ୍ତ୍ରୀୟ ବା ବିଦେଶୀ ଭାଷା ସହ ସେମାନଙ୍କ ପରିଚିତି ପରେ କରାଯାଇପାରେ ।

ଘର ଭାଷା ବନାମ ପର ଭାଷା

କନ୍ନଡ଼ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ପରେ କର୍ଣାଟକ ସରକାର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ କେବଳ ସେହି ଭାଷାରେ ଶିକ୍ଷାଦାନ ହେବ ବୋଲି ଆଦେଶ ଜାରିକଲେ । ଏହା ନାନା ନ୍ୟାୟିକ ପରୀକ୍ଷଣ ଶେଷରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ପୀଠରେ ପହଞ୍ଚିଲା । ଏହି ପୀଠ ସିଭିଲ ଅପିଲମାଳା ୫୧୬୬-୫୧୯୦ / ୨୦୧୩ ଉପରେ ୬.୫.୨୦୧୪ ତାରିଖରେ ଦେଇଥିବା ରାୟରେ ସ୍ପଷ୍ଟ କହିଛନ୍ତି, ପ୍ରାଥମିକ ସ୍ତରରେ ପିଲା ତ ନିଜର ମାତୃଭାଷାରେ ହିଁ ଶିକ୍ଷା ଲାଭ ପାଇଁ ମୌଲିକ ଅଧିକାରଡ଼ ଅଧିକାରୀ । ଅନ୍ୟ କେଉଁ ଭାଷାରେ ଶିକ୍ଷାର୍ଜନ ତାର ଭବିଷ୍ୟତରେ ମଙ୍ଗଳକାରକ ହେବ ବୋଲି କହି ସରକାର ତା ଘର ଭାଷା ଉପରେ ପର ଭାଷା ନଦିଦେଇ ପରିବେନାହିଁ (“We are of the view that the right to freedom of speech and expression under Article 19(1) (a) of the Constitution includes the freedom of a child to be educated in the primary stage of school in a language of the choice of the child and the State cannot impose controls on such choice just because it thinks that it will be more beneficial for the child.”) ।

ଓଡ଼ିଶାଜନ୍ମିତ ଭାରତର ବିଶିଷ୍ଟ ଭାଷାତତ୍ତ୍ଵବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଆପାତତଃ ଏହା ହିଁ କହିଛନ୍ତି ତାଙ୍କ ଆଲୋକବର୍ଷୀ ନିବନ୍ଧ Mother Tongue Education and Destinyରେ । ସେ କହିଛନ୍ତି, କୌଣସି ଭାଷା ଭବିଷ୍ୟତରେ ସାମାଜିକ ଓ ଆର୍ଥିକ ସୁଖ ଦେବ ବୋଲି ବିଚାରି ତାକୁ ଯଦି କୋମଳମତି ଶିଶୁ ଉପରେ ତା ମାତୃଭାଷା ବଦଳରେ ନଦି ଦିଆଯାଏ, ତେବେ ତାକୁ ଯେ କେବଳ ବୟସ୍କ ଲୋକଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ କରାଯିବ ତା ନୁହେଁ, ସେ ମଧ୍ୟ ସୀମିତ ସଂଖ୍ୟକ ଅଖିଝଲସା ଲୋକଙ୍କ କୂଟକୌଶଳଭରା ଦୁନିଆ ପାଲରେ ପଡ଼ିଯିବ । ତେଣୁ ନିଜ ଘର ଭାଷା ବଦଳରେ ପର ଭାଷା ଚଳାଇବା ଯେ ଶିଶୁ ପାଇଁ ଭୟଙ୍କର ଏକଥା ଆମ ସରକାର ବୁଝିବା ଆବଶ୍ୟକ ।

ଅଧା ବାଟରେ ପାଠତ୍ୟାଗ

ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକୀୟ ଶିକ୍ଷାର୍ଥୀ ହେଉନଥିବାରୁ ଓଡ଼ିଶାରେ ଶହ ଶହ ବିଦ୍ୟାଳୟ ବନ୍ଦ ହୋଇଯାଉଥିବା ଏକ ଦୁଃଖଦ ବିଭାବନା । କେତେବେଳେ ୧୦ ଜଣରୁ ଊଣା ପିଲାଙ୍କ କାରଣରୁ ବିଦ୍ୟାଳୟ ବନ୍ଦ ତ କେତେବେଳେ ୫ ଜଣରୁ କମ ଶିକ୍ଷାର୍ଥୀ ଥିବାରୁ ବିଦ୍ୟାଳୟ ବନ୍ଦ ହୋଇଯାଉଛି । ଏହାର ଏକ ପ୍ରଧାନ କାରଣ ହେଲା ଘର ଭାଷାରେ ଶିକ୍ଷାଦାନର ଅଭାବ । ଏହା ଅନୁଭବ କରି ଅଗ୍ରଗାମୀ ନାମକ ଏକ ସଂସ୍ଥା କୋରାପୁଟର ୧୮ଟି ପ୍ରାଥମିକ ବିଦ୍ୟାଳୟକୁ କୁଇ ଭାଷା ଜାଣିଥିବା ଶିକ୍ଷକ ଯୋଗାଇ ଦେଇଛି, ଫଳରେ ସେଇ ବିଦ୍ୟାଳୟଗୁଡିକରୁ ପାଠଛାଡି ପଳାଉଥିବା ପିଲାଙ୍କ ସଂଖ୍ୟା କମିଛି । ଅତଏବ, ରାଜ୍ୟ ମାତୃଭାଷା (ଓଡ଼ିଶାରେ ଓଡ଼ିଆ) ସତ୍ତ୍ଵେ, ଶିଶୁର ନିଜସ୍ଵ ମାତୃଭାଷା ତା ପାଇଁ ଗୁରୁତ୍ବପୂର୍ଣ, ଯେପରି କୋରାପୁଟର ଏହି ୧୮ଟି ବିଦ୍ୟାଳୟର ଶୋକ୍ଷାର୍ଥୀଙ୍କ ପାଇଁ କୁଇ ଭାଷା ।

ମାତୃଭାଷା ବନାମ ମାତୃଭାଷା

ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ପୀଠ ଉପରୋଦ୍ଧୃତ୍ତ ରାୟରେ ଏଇଥିପାଇଁ କହିଛନ୍ତି ଯେ, ନିମ୍ନ ପ୍ରାଥମିକ ସ୍ତରରେ ଯେଉଁ ଛାତ୍ରର ରାଜ୍ୟ ମାତୃଭାଷା ଘର ଭାଷା ନୁହେଁ, ତାକୁ ରାଜ୍ୟ ମାତୃଭାଷାରେ ଶିକ୍ଷା ଦିଆ ନଯାଇ ତା ନିଜ ମାତୃଭାଷାରେ, ଅର୍ଥାତ୍ ଯେଉଁ ଭାଷାରେ ସେ ଘରେ ତା ମାଆ ସହ କଥା ହୁଏ, ସେହି ଭାଷାରେ ଶିକ୍ଷା ଦିଆଯିବ ।

ସରକାରୀ ମୂର୍ଖତା

ଯେତେବେଳେ ଏହି ରାୟରେ ସର୍ବୋଚ୍ଚ ନ୍ୟାୟଳୟ ସ୍ପଷ୍ଟ କହିଛନ୍ତି ଯେ, ପ୍ରଥମରୁ ତୃତୀୟ ଶ୍ରେଣୀ ଭିତରେ ପିଲାଙ୍କ ଉପରେ ପ୍ରାଦେଶିକ ମାତୃଭାଷା ବି ନଦା ଯାଇ ପାରିବ ନାହିଁ , ସେତେବେଳେ ଆମ ସରକାର ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷା-ବଳୟକୁ ଆମ ଭବିଷ୍ୟତ ବଂଶଧରମାନଙ୍କୁ ଠେଲି ଦେବାକୁ ଯେଉଁ ଚକ୍ରାନ୍ତ ଆରମ୍ଭ କଲେଣି ତାହା ମୂର୍ଖତା ଭିନ୍ନ କିଛିନୁହେଁ ।

ଇଂରାଜୀ ଭାଷାରେ ପିଲାଙ୍କୁ ଦୋରସ୍ତ କରାଯାଉ ବୋଲି ଆମେରିକା ପ୍ରେମୀ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ଵ କାଳରେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦକୁ ନିର୍ଦ୍ଧେଶ ଦିଆଯାଇଥିଲା । ନିର୍ଦ୍ଧେଶନାମାର ଶୀର୍ଷକ ଥିଲା “Teaching of English at the primary level” । ଯେଉଁ ବିଶେଷଜ୍ଞ କମିଟି ଏହା ଉପରେ ଅନୁଧ୍ୟାନ କରିଥିଲେ ସେମାନେ ଓଡିଶାର ପ୍ରାଥମିକ ଶିକ୍ଷାର ସ୍ଥିତି ଉପରେ ଆଲୋକପାତ ବି କରିଛନ୍ତି । ସେମାନଙ୍କ ମତରେ, ଇଂରାଜୀ ପଢାଉଥିବା ଶିକ୍ଷକମାନେ ବି ଇଂରାଜୀରେ ପଢାଇବାକୁ ସୁଖକର ମନେକରୁନାହାନ୍ତି । ସରଳ ଇଂରାଜୀରେ ଶିକ୍ଷାଦାନର ଗୁରୁତ୍ଵ ତ ସେମାନେ ବୁଝନ୍ତିନି, ତାହା କରିବାର ଯୋଗ୍ୟତା ବି ସେମାନଙ୍କର ନାହିଁ । (“It is evident that the teachers teaching English were not comfortable in using English. Not only he/she was unaware of the importance of transacting the lesson in simple English, he/she was not equipped to do so.”) ଶିକ୍ଷାର୍ଥୀମାନଙ୍କ ଭିତରୁ ଶତକଡ଼ା ୨୦ ଭାଗଙ୍କ ସ୍ପଷ୍ଟ ମତ ହେଲା, ସେମାନେ ଇଂରାଜୀ ପଢିବାକୁ ଆଦୌ ପସନ୍ଦ କରନ୍ତିନାହିଁ , କାରଣ ସେମାନେ ତାହା ବୁଝି ପାରନ୍ତି ନାହିଁ କି କହି ପାରନ୍ତିନାହିଁ (“20% students said that they did not like studying English because they could not understand or speak English।“) । ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୪ର୍ଥ ୫ମ ଶ୍ରେଣୀରେ ପଢୁଥିବା ପିଲାମାନେ ବି ସରଜମିନ ତଦନ୍ତରେ ଦୋକାନଗୁଡ଼ିକର ନାମ ବା ନାମଫଳକ ପଢିପାରିବାକୁ ସକ୍ଷମ ନଥିବା କହି ଏହି ରିପୋର୍ଟରେ କୁହା ହୋଇଛି, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପଢା ବହି ଭିନ୍ନ ଅନ୍ୟ କୌଣସି ଇଂରାଜୀ ବହି ପଢିନାହାନ୍ତି ( “Most of these children studying in class IV-V could not read the names of the shops and signboards. They had not read any English book other than the text book.”) (Teaching of English at the primary level , 2012) । ଇଂରାଜୀ ପଢା ହେଉଥିବା ବିଦ୍ୟାଳୟମାନଙ୍କୁ ଅନୁଧ୍ୟାନ କରି ଏହା ହିଁ ଯେତେବେଳେ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଓ ସର୍ବ ଶିକ୍ଷା ଅଭିଯାନର ମିଳିତ ରିପୋର୍ଟ, ସେତେବେଳେ ଆମ ସରକାର ପ୍ରଥମ ଶ୍ରେଣୀରୁ ଆମ ପିଲାମାନଙ୍କୁ ଇଂରାଜୀ ଭାଷା କବଳକୁ ଠେଲି ଦେଇ ଆମ ମୁମୁର୍ଷୁ ପ୍ରାୟ ପ୍ରାଥମିକ ଶିକ୍ଷାକୁ ଯେ ଆହୁରି ସଂକଟାପନ୍ନ କରାଇବାକୁ ଯାଉଛନ୍ତି ତାହା ଆମେ ଯେତେଶୀଘ୍ର ବୁଝିପାରିବା ସେତେ ମଙ୍ଗଳ ।

ଆମ ସରକାରଙ୍କ ମତଲବ

ଏହି ଆତ୍ମଘାତୀ ଅବିମୃଷ୍ୟକାରିତା ମୂଳରେ ଆମ ସରକାରଙ୍କ ଊହ୍ୟ ମତଲବ ହେଲା, ଯେ କୌଣସି ପ୍ରକାରେ ମଧ୍ୟ ଆମ ରାଜ୍ୟରେ ଆମ ମାତୃଭାଷାକୁ ଗୌଣ କରାଇ , ଇଂରାଜୀ ଭାଷାର ଆଧିପତ୍ୟ କାଏମ ରଖାଇବା ଓ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ଆମ ଆନ୍ଦୋଳନ ଉପରୁ ରାଜ୍ୟବାସୀଙ୍କ ଦୃଷ୍ଟି ଅପସାରଣ କରାଇବା ।

ଆଜି ଯେଉଁ ଓଡ଼ିଆମାନେ ମାତୃଭାଷା ଦିବସ ପାଳନରେ ମତ୍ତ, ସେମାନେ ଏହି ମାରାତ୍ମକ ସରକାରୀ ଷଡଯନ୍ତ୍ର ସମ୍ପର୍କରେ ସାମାନ୍ୟ ମଥା ଖେଳାଇବେ କି?