ବିଜେଡି ଜନ୍ମଦିନରେ ଭାଷାମାରଣ: ଦି ବର୍ଷ ହୋଇଗଲା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମନ୍ତ୍ରୀସ୍ତରୀୟ କମିଟିରେ ଭାଷା ଆଇନ ସଂଶୋଧନ ପାଇଁ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାକୁ ଗ୍ରହଣ କରି ସରକାର ୨୦୧୬ରେ ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା ଅଧିଗ୍ରହଣ କରିଥିଲେ ; ମାତ୍ର ଭାଷା ଆଇନର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ସକାଶେ ମୁଁ ଯେଉଁ ଚିଠା ଦେଇଥିଲି ତାହାକୁ ଗାଏବ କରିଦେଇଥିଲେ । ଫଳରେ କଳା ପତାକା ଅଭିଯାନ ବ୍ୟାପକ ହୋଇଥିଲା ।  ଓଡ଼ିଆ ଭାଷା ପ୍ରତି ନବୀନଙ୍କ ଏହି ବୈମାତୃକ ମନୋଭାବ ତାଙ୍କ ଦଳରେ ବି ଘୋର ଅସନ୍ତୋଷ ସୃଷ୍ଟି କରିଥିଲା । ତେଣୁ ନିଜ ଦଳର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପ୍ରତାରଣାର ଏକ ନୂଆ ଚାଲ୍ ଚଳାଇଥିଲେ ମୁଖ୍ୟମନ୍ତ୍ରୀ ଅଣଓଡ଼ିଆ ଅଫିସରମାନଙ୍କ ସଲାସୁତରାରେ ।

ସେଦିନ ଥିଲା ଏଇ ତାରିଖର ଦିନ । ଡିସେମ୍ବର ୨୬, ୨୦୧୭ । ବିଜେଡି ଦଳର ଥିଲା ଜନ୍ମଦିନ । ପୁରୀରେ ବସିଲା ତାର ସାଧାରଣ ଅଧିବେଶନ । ସେଇଠି ଅଭୂତପୂର୍ବ ଶୈଳୀରେ ବସିଲା ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକ । ସେପରି ଏକ ବୈଠକରେ ବସି  ବିଭିନ୍ନ ବିଭାଗ ସମ୍ପର୍କିତ ୨୦ଟା ପ୍ରସ୍ତାବ ସେମାନଙ୍କୁ ଗ୍ରହଣ କରିବାକୁ ହେବ ବୋଲି ମନ୍ତ୍ରୀମାନେ ବି ଜାଣିନଥିଲେ । ସମ୍ପୃକ୍ତ ଶାସନ ସଚିବ କହିଲେ, ପ୍ରସ୍ତାବଗୁଡ଼ିକ ଭାଷା ସଙ୍କ୍ରାନ୍ତିୟ । ବିନା ଆଲୋଚନାରେ , ବିନା ମଥାଖଟଣିରେ ଏକାବେଳକେ ୨୦ଟି ଯାକ ପ୍ରସ୍ତାବ ଗୃହୀତ ହୋଇଗଲା । ପ୍ରେସ୍ ନୋଟ୍ ରୂପେ ତାକୁ ବଣ୍ଟାହେଲା ଓ ସାରା ଓଡ଼ିଶାରୁ ଆସିଥିବା କର୍ମୀମାନଙ୍କ ସହାୟତାରେ ରାଜ୍ୟ ତମାମ ଏହି ବାର୍ତ୍ତା ଚହଟିଗଲା କି, ନବୀନ ବାବୁ ଏପରି ଭୀଷଣ ଓଡ଼ିଆଭାଷାପ୍ରେମୀ ଯେ, ଓଡ଼ିଆ ଭାଷାର ବିକାଶ ପାଇଁ କୋଡ଼ିଏକୋଡ଼ିଏଟା ପ୍ରସ୍ତାବ ଏକାଥରେ ଗ୍ରହଣ କରିଛନ୍ତି । ଆମକୁ କୁହାଗଲା ଯେ, ଆପଣଙ୍କର ଦାବି ତ ପୂରଣ ହୋଇଗଲା, ଆଉ ଆନ୍ଦୋଳନ କାହିଁକି?

ମୁଁ କିନ୍ତୁ ତାକୁ ବିରୋଧ କରିଥିଲି ।

ଆଖିମିଟିକା ଚଳିବନି ବୋଲି କହିଥିଲି ।

ସେଦିନ ବସ୍ତୁତଃ ନବୀନ ପଟ୍ଟନାୟକଙ୍କୁ ବ୍ୟବହାର କରି ଆମ ଭାଷା ଆଇନକୁ କାର୍ଯ୍ୟକାରୀ କରାଇନଦେବାପାଇଁ ବଦ୍ଧପରିକର ଅମଲାତନ୍ତ୍ର ସରକାରୀ ଭାଷା ଭାବେ ଆମ ଭାଷା ଯେପରି ବ୍ୟବହାର ହୋଇନପାରେ ତା ପାଇଁ ପୁରୀ କ୍ୟାବିନେଟରେ ପ୍ରସ୍ତାବ ଗ୍ରହଣ କରିଥିଲା । ପ୍ରସ୍ତାବଟି କାହିଁକି ଥିଲା ଆମ ଭାଷା ପାଇଁ ଘାତକ ତାହା ମୋର ଉପରୋକ୍ତ ଦୁଇ ଲେଖାରୁ ଆପଣ ସ୍ପଷ୍ଟ ହୋଇପାରିବେ ।

ସେହି ଦିନର ସେହି ପ୍ରସ୍ତାବ ସମ୍ପୂର୍ଣ ଅବୈଧ ଥିଲା । କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ ଉଲ୍ଲଂଘନ କରାଯାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ତାହା ଥିଲା ଏକ ଧୂର୍ତ୍ତ କୌଶଳ । ଅତ୍ୟନ୍ତ ଅବୈଧ ଶୈଳୀରେ ମଧ୍ୟ ସେହି ପ୍ରସ୍ତାବକୁ ବ୍ୟବହାର କରି ଭାଷା ଆଇନ ସଂଶୋଧନ ହୋଇଛି ଦୁଇ ଥର ୨୦୧୮ରେ । ଫଳରେ ଓଡ଼ିଆରେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣାକୁ ଘୋଡେଇପକାଇବାପାଇଁ ସେହି ଅବୈଧ ସଂଶୋଧନକୁ ବୈଧ ଦର୍ଶାଇ ଅବୈଧ ନିୟମାବଳୀର ସଂଶୋଧନ ହୋଇଛି ୨୦୧୯ରେ । ଏହି ଅବୈଧତାକୁ ଲୁଚାଇବା ପାଇଁ ଆମ ଭିତରୁ ଦୁଇଜଣ ଅର୍ଥଲୋଭୀଙ୍କୁ ପୋଷାମନାଇ ମୁଖ୍ୟମନ୍ତ୍ରୀ ସେହିମାନଙ୍କ ମାଧ୍ୟମରେ ଭାଷାଆନ୍ଦୋଳନସହ ଏକଦା ଜଡ଼ିତ ଥିବା ଲୋକମାନଙ୍କୁ କୁହା କରାଉଛନ୍ତି କି, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇସାରିଛି । ଏହି ଦୁଇ ବିଶ୍ଵାସଘାତକ  – ପବିତ୍ର ମହାରଥା ଓ ପ୍ରଦ୍ୟୁମ୍ନ ଶତପଥି – ଜାଣନ୍ତି ନାହିଁ, ଯଦି ଭାଷା ଆଇନ ନିର୍ଭୁଲ ହୋଇସାରିଛି ତେବେ ତାହା କାର୍ଯ୍ୟକାରୀ ହେଉନହିଁ କାହିଁକି !

ପ୍ରତାରଣାର ଏ ଦୁଇବର୍ଷ ଓଡ଼ିଆ ଜାତିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହି କଳଙ୍କ କବଳରୁ ଆମ ଭାଷା ମାଆକୁ ଉଦ୍ଧାର କରିବାକୁ ଚାଲିରହିଛି କଳାପତାକା ଅଭିଯାନ ।

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ତ୍ରିଂଶତମ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସୁଭାଷ ଚନ୍ଦ୍ର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଭାବେ ମୁଁ ଦୁଃଖିତ ଯେ, ଏକଦା ମୋର ସହକର୍ମୀ ଥିବା ପ୍ରଦ୍ୟୁମ୍ନ ଶତପଥୀ ଓ ମୋର ସାନଭଉଣୀତୁଲ୍ୟା ମାନସୀ ଷଡଙ୍ଗୀଙ୍କ ଏହି ବିପୂଳ ଉପାର୍ଜନକୁ ମୁଁ ଅଟକାଇ ଦେଲି ; ମାତ୍ର ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ମୁଁ ଖୁସି ଯେ, ଓଡ଼ିଆ ଜାତିର ଏହି ସର୍ବଶ୍ରେଷ୍ଠ ଆନ୍ଦୋଳନକୁ ଛୁରୀ ମାରି ଓଡ଼ିଶାର ଅସୀମ କ୍ଷତି ଘଟାଇଥିବା ପ୍ରଦ୍ୟୁମ୍ନ ଶତପଥୀ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପାଇଥିବା ଅଘୋଷିତ ‘ବିଶ୍ଵାସଘାତକ ଜାଗିରି’ର ଏହି ପ୍ରଥମ ପ୍ରକାଣ୍ଡ ଆର୍ଥିକ ଉପଢୌକନ ରୂପାଯିତ ହେବା ପୂର୍ବରୁ ମୋ ହେତୁ ଭୁଷୁଡ଼ିପଡ଼ିଲା । କିନ୍ତୁ ଏତିକି ଯଥେଷ୍ଟ ନୁହେଁ । ଆଇନତଃ ମାନସୀ ଷଡଙ୍ଗୀ ଚାକିରି ହରାଇବାକୁ ବାଧ୍ୟ ଏବଂ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଦେଇଥିବା ‘ବିଶ୍ଵାସଘାତକ ଜାଗିରି’ ବାତିଲ ହେବାକୁ ବାଧ୍ୟ । ତାହା କାହିଁକି ଆମେ ଦେଖିବା ।

ହାଇକୋର୍ଟଙ୍କୁ ଆଖିଠାର

ରାଜ୍ୟ ମହାଧିବକ୍ତାଙ୍କୁ ୧୩.୯.୨୦୧୯ ତାରିଖରେ ୧୮୭୫୮ ସଂଖ୍ୟକ ସ୍ମାରକ ଦେଇ ଉଚ୍ଚ ଶିକ୍ଷା ସଚିବ ଅବଗତ କରାଇଛନ୍ତି କି, ମାନସୀଙ୍କ ମାମଲା (W.P.(C) No. 19892/2018)ରେ ମାନ୍ୟବର ହାଇକୋର୍ଟ ଦେଇଥିବା ଆଦେଶ କାର୍ଯ୍ୟକାରୀ ହୋଇଛି । ସେ ମିଛ କହିଛନ୍ତି ବୋଲି ମହାଧିବକ୍ତା ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ଅଭିଯୋଗ ଆଣିବା ଉଚିତ; ମାତ୍ର ସେ ନୀରବ ! ସରକାରଙ୍କ ମତଲବ ବିରୁଦ୍ଧରେ ମହାଧିବକ୍ତା କ’ଣ ଯାଇପାରିବା ସମ୍ଭବ ?

ମାନସୀଙ୍କ ମାମଲାରେ ମହାଧିବକ୍ତା ଅଂଶଗ୍ରହଣ କରିନଥିଲେ, କାରଣ, ସରକାର ତାଙ୍କ ଦାବିକୁ ବିରୋଧ କରିବାକୁ ଚାହିଁ ନଥିଲେ । ତାହା ଥିଲା ଓଡ଼ିଆ ଜାତି ପ୍ରତି ଏକ ପ୍ରଚଣ୍ଡ ବିଶ୍ଵାସଘାତକତା । ତେଣୁ ୩.୪.୨୦୧୮ ତାରିଖରେ ମାମଲାଟିକୁ ନିର୍ବିରୋଧ ମୀମାଂସା କରି ହାଇକୋର୍ଟ ଶ୍ରୀମତୀ ଷଡଙ୍ଗୀଙ୍କ ଦରଖାସ୍ତ ଉପରେ ୩ ମାସ ମଧ୍ୟରେ ଉପଯୁକ୍ତ ଆଦେଶ ଦେବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ହୁକୁମ ଦେଇଥିଲେ । ହୁକୁମଟି ନିମ୍ନରେ ଉଦ୍ଧୃତ୍ତ ହେଲା । ଏହାର କ୍ରମାଙ୍କ ୩ , ତାରିଖ ୦୩.୦୪.୨୦୧୯ ।

“Heard Mr. K.P. Mishra, learned counsel for the petitioner.
The petitioner has filed this writ petition to quash the order dated 22.06.2015 issued by opposite party no.1 in annexure-19. She further seeks for direction to the opposite parties to accept her joining report w.e.f. the date she submitted her joining report with all consequential service and monetary benefits within a stipulated period.

In course of hearing, learned counsel for the petitioner states that highlighting the grievance, the petitioner has made representation to opposite party no. 1 vide Annexure-20 series and direction may be given to consider the same within a stipulated time.

In view of the aforesaid limited grievance of the petitioner, without expressing any opinion on the merits of the case, this Court disposes of this writ petition directing opposite party no.1 to take a decision on the representation stated to have been filed by the petitioner under Annexure-20 series and pass appropriate order in accordance with law, within a period of three months from the date of production of certified copy this order.
Issue urgent certified copy as per Rules.
(DR. B.R. SARANGI)
JUDGE

ଏହି ହୁକୁମରୁ ଏକ ବିଚିତ୍ର ସ୍ଥିତିର ସ୍ୱରୂପ ଧରାପଡ଼େ । ଏଥିରୁ ଦେଖାଯାଏ , ୨୨.୦୬.୨୦୧୫ ତାରିଖରେ ସରକାର ପ୍ରଦାନ କରିଥିବା ଆଦେଶ ବାତିଲ କରିବା ପାଇଁ ମାନସୀ ଏହି ରିଟ ମାମଲା ଦାଖଲ କରିଥିଲେ । ଅଥଚ ଶୁଣାଣି ବେଳେ ଓକିଲଙ୍କ ମାଧ୍ୟମରେ ସେ ହାଇକୋର୍ଟଙ୍କୁ କହିଲେ କି, ଉପରୋକ୍ତ ଆଦେଶ ରଦ୍ଦ କରିବାକୁ ସେ ଉଚ୍ଚ ଶିକ୍ଷା ସଚିବଙ୍କୁ ଏକ ଦରଖାସ୍ତ ଦେଇଛନ୍ତି । ସେହି ଦରଖାସ୍ତକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ବିଚାରକୁ ନେବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଉ ।

ଏଥିରୁ ଏହା ହିଁ ସ୍ପଷ୍ଟ ଯେ, ମାନସୀଙ୍କ ଏହି ମାମଲା ଏକ ନାଟକ ଥିଲା । ସେ ପ୍ରକୃତରେ ୨୨.୬.୨୦୧୫ ତାରିଖର ସରକାରୀ ଆଦେଶ ବିରୁଦ୍ଧରେ ହାଇକୋର୍ଟ ଶୁଣାଣି କରନ୍ତୁ ଓ ନ୍ୟାୟ ସଙ୍ଗତ ନିଷ୍ପତ୍ତି ପ୍ରଦାନ କରନ୍ତୁ ବୋଲି ଚାହୁଁନଥିଲେ , କାରଣ ସେ ଓ ଉଚ୍ଚ ଶିକ୍ଷା ସଚିବ ଭଲଭାବେ ଜାଣିଥିଲେ ଯେ, ହାଇକୋର୍ଟରେ ବିଚାର ହେଲେ ସେ ହାରିବେ ଓ ଚାକିରି ହରାଇବେ । ଅଧିକନ୍ତୁ ଶିକ୍ଷା ଆଇନର ସମ୍ପୂର୍ଣ ଉଲ୍ଲଂଘନ କରାଯାଇ ତାଙ୍କୁ ବିପୁଳ ଆୟ ଅର୍ଜନ ପାଇଁ ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗ ଯେଉଁ ଗାଲୁକଳ୍ପ ପ୍ରୟୋଗ କରିଥିଲେ ତାହା ବି ସମ୍ପୂର୍ଣତଃ ଧରା ପଡ଼ିଯିବ । ତେଣୁ, ବହୁ ଭାବିଛିନ୍ତି, ମାନସୀଙ୍କ ମାଧ୍ୟମରେ ସରକାର ଏହି ଚାଲ୍ ଚଳାଇଥିଲେ । ଏହା ହେଲା, ସରକାରଙ୍କୁ ପ୍ରତିପକ୍ଷ ରଖି ସେ ହାଇକୋର୍ଟରେ ଉପରୋକ୍ତ ସରକାରୀ ଆଦେଶ ରଦ୍ଦ ପାଇଁ ମକଦ୍ଦମା କରିବେ, ହାଇକୋର୍ଟ ତାଙ୍କ ନାଟକକୁ ସତ ବୋଲି ବିଚାରି ମକଦ୍ଦମା ପଞ୍ଜୀକୃତ କରିବେ, ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହେବ , ସରକାର ନିଜ ପକ୍ଷ ରଖିବେ ନାହିଁ, ଓ ଯେତେବେଳେ ଶୁଣାଣି ଆରମ୍ଭ ହେବ, ସେତେବେଳେ ସେ ନିଜେ ମହଲତ ନେବେ ଏବଂ ପରବର୍ତ୍ତୀ ତାରିଖରେ ଅଦାଲତଙ୍କୁ କହିବେ କି, ତାଙ୍କ ବିବାଦଭୁକ୍ତ ସରକାରୀ ଆଦେଶ ବିରୁଦ୍ଧରେ ସେ ସରକାରଙ୍କୁ ଯେଉଁ ଦରଖାସ୍ତ କରିଛନ୍ତି, ଏକ ସୀମିତ ସମୟ ଭିତରେ ସେହି ଦରଖାସ୍ତ ଉପରେ ନିଷ୍ପତ୍ତି ନେବାକୁ ଅଦାଲତ ଯଦି ସରକାରଙ୍କୁ ହୁକୁମ ଦିଅନ୍ତି, ତେବେ ତାଙ୍କ ଦୁଃଖ ଦୂରହୋଇଯିବ । ଯେହେତୁ ଅଦାଲତରେ ବିଚାରପାଇଁ ମାମଲାକାରିଣୀ ନିଜେ ଆଉ ଗୁରୁତ୍ଵ ଦେବେନାହିଁ, ସେହେତୁ ତାଙ୍କ ଶୁଣାଣିକାଳୀନ ପ୍ରାର୍ଥନା ମଞ୍ଜୁର କରି ଅଦାଲତ ନିଶ୍ଚୟ ଏକ ସମୟସୀମା ଭିତରେ ତାଙ୍କ ଦରଖାସ୍ତ ଫଇସଲା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବେ । ଏହା ହୋଇଗଲେ , ସରକାରଙ୍କ ବେଆଇନ ଆଚରଣ ଆଉ ଧରା ପଡ଼ିବନି ଓ ହାଇକୋର୍ଟଙ୍କ ନାମ ବ୍ୟବହାର କରି, ୨୨.୬.୨୦୧୫ର ସରକାରୀ ଆଦେଶକୁ ବିଧିବଦ୍ଧ ଭାବେ ରଦ୍ଦ କରି ସମସ୍ତ ପିଛିଲା ବେତନ ଓ ପଦୋନ୍ନତି ଇତ୍ୟାଦି ଦେଇ ମାନସୀ ଷଡଙ୍ଗୀଙ୍କୁ ଚାକିରିରେ ନିରବଚ୍ଛିନ୍ନତା ସହ ନିୟମିତ କରାଯିବ ।

ଏହି ଚାଲ୍ ସମ୍ପୂର୍ଣ ସଫଳ ହୋଇଥିଲା ଏବଂ ହାଇକୋର୍ଟଙ୍କୁ ଆଖିଠାର ମାରି ମାନସୀ ଷଡଙ୍ଗୀ ଏପରି ଏକ ଆଦେଶ ହାସଲ କରିଥିଲେ, ଯାହା ଉଚ୍ଚ ଶିକ୍ଷା ସଚିବଙ୍କୁ ଅଖଣ୍ଡ କ୍ଷମତା ଦେଇଥିଲା ନିର୍ଦ୍ଦେଶକଙ୍କ ୧୪.୨.୨୦୧୮ ତାରିଖର ତଦନ୍ତ ରିପୋର୍ଟ ସତ୍ତ୍ୱେ, ସରକାରଙ୍କ ୨୨.୬.୨୦୧୫ ତାରିଖର ଆଦେଶକୁ ବିଧିବଦ୍ଧ ଭାବେ ରଦ୍ଦ କରି ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ‘ବିଶ୍ଵାସଘାତକ ଜାଗିରି’କୁ ସମ୍ପୂର୍ଣ ନିଷ୍କଣ୍ଟକ କରିବା ପାଇଁ ।

କିନ୍ତୁ ମୋ ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଓ କି କାର୍ଯ୍ୟାନୁଷ୍ଠାନ ହେଲା ତାହା ମୋତେ ଜଣାଇବା ପାଇଁ ରାଜ୍ୟପାଳଙ୍କ ଆଦେଶ ଏହି ଅନ୍ଧାରୀ ଅଭିସନ୍ଧିର ଫସରଫଟାଇଦେଲା । (କ୍ରମଶଃ)

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଊନତ୍ରିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପଦରେ ଅଧିଷ୍ଠିତ କରିଥିଲେ କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟରେ । ତାହା ଥିଲା, ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ନିଷ୍କଣ୍ଟକ କରିବା ପାଇଁ ସେ ତାଙ୍କ ଅନୁପସ୍ଥିତି ସମୟ ଉପରେ ସାନି ତଦନ୍ତ କରି ଏକ ନୂଆ ରିପୋର୍ଟ ଦେବେ, ଯାହା
୧୪.୨.୨୦୧୯ରେ ପରମେଶ୍ଵରମ୍ ଦେଇଥିବା ରିପୋର୍ଟକୁ ବଦଳାଇଦେବ । ମାତ୍ର ଶ୍ରୀମତୀ ଷଡଙ୍ଗୀଙ୍କ ନିଜ ବୟାନ ଦୃଷ୍ଟିରୁ ଏହା ଏପରି ଅସମ୍ଭବ ଥିଲା ଯେ, ଷଡଙ୍ଗୀଙ୍କ ପାରିବାରିକ ବନ୍ଧୁ ହୋଇ ମଧ୍ୟ ନିରଞ୍ଜନ ସାହୁ ତତ୍କାଳ କିଛି କରିନପାରି କେଉଁ ଉପାୟରେ ତାଙ୍କୁ ସାହାଯ୍ୟ କରାଯାଇପାରେ ସେଥିପାଇଁ ମଥା ଖେଳାଉ ଖେଳାଉ ମାସେ ଗଡ଼ିଯାଇଥିଲା ।

ଏହି ମାସେ ବିଳମ୍ବ ବି ଥିଲା ଅସହ୍ୟ । ପ୍ରଦ୍ୟୁମ୍ନ ଶତପଥିଙ୍କ ବିଶ୍ଵାସଘାତକତା ସତ୍ତ୍ୱେ କଳା ପତାକା ଅଭିଯାନ ଚାଲିଥିଲା । ସେ କିନ୍ତୁ “ମାଇପ ଆଗରେ ପାଇକିପଣ” ଦେଖାଇଲା ପରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବାହାସ୍ଫୋଟ ମାରି କହିଚାଲିଥିଲେ ଯେ, ତାଙ୍କ ସ୍ତ୍ରୀଙ୍କ ଚାକିରି ୧୦ ବର୍ଷର ଅନୁପସ୍ଥିତି କାଳୀନ ବେତନ ସହ ନିୟମିତ ହେବା ପରେ ହିଁ ସେ ଏହି ଅଭିଯାନକୁ ପୂର୍ଣତଃ ବନ୍ଦ କରିଦେଇପାରିବେ । ଏବଂ, ସେଠାରେ ପ୍ରତ୍ୟୟ ସୃଷ୍ଟି ପାଇଁ ମୋ ସହ ଥିବା ଆନ୍ଦୋଳନକାରୀଙ୍କ ସଂଖ୍ୟାହ୍ରାସ ଓ ଜଣେ ଘନିଷ୍ଠ ସହକର୍ମୀଙ୍କ ଖୋଲା ବିଦ୍ରୋହକୁ ତାଙ୍କ କୃତିତ୍ଵ ବୋଲି ଦେଖାଉଥିଲେ ।

ଫଳରେ, ଏକଦା ବାବୁ ନିରଞ୍ଜନ ଯେଉଁ ଦପ୍ତରରେ ଅତିରିକ୍ତ ସଚିବ ଥିଲେ, ସେହି ଦପ୍ତରରୁ ତାଙ୍କୁ ଚାପ ଦିଆଯାଇଚାଲିଥିଲା କି, ପରମେଶରମ୍ ଦେଇଥିବା ରିପୋର୍ଟକୁ ସେ ଯଥାଶୀଘ୍ର ସମ୍ଭବ ବଦଳାନ୍ତୁ । ତାହା ସମ୍ଭବ ହେଲା ନାହିଁ । ଜୁନ ୨୦୧୯ରେ ନିର୍ଦ୍ଦେଶକ ହୋଇଥିବା ନିରଞ୍ଜନ ସାହୁ ମାତ୍ର ଏକ ମାସ ରହି ଜୁଲାଇ ୨୦୧୯ରେ ଦାୟିତ୍ଵ ହସ୍ତାନ୍ତର କଲେ ନୂଆ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ମିଶ୍ରଙ୍କୁ । ନୂଆ ନିର୍ଦ୍ଦେଶକ ଦାୟିତ୍ଵ ନେଲା ବେକକୁ ମୁଁ ମାନସୀ ଷଡଙ୍ଗୀଙ୍କ ଅବୈଧ ପଦାସୀନତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୨.୦୭.୨୦୧୯ରେ ରାଜ୍ୟପାଳଙ୍କୁ ଲେଖିଥିବା ଚିଠିର ନକଲ ତାଙ୍କ ପାଖରେ ପହଞ୍ଚି ସାରିଥିଲା ।

ଏହି ଚିଠିଟି ଉଚ୍ଚ ଶିକ୍ଷା ବିଭାଗର ଶାସନକଳକୁ ମହା ଅଡ଼ୁଆରେ ପକାଇଲା । କାରଣ, ଅକାଟ୍ୟ ପ୍ରାମାଣିକ ତଥ୍ୟ ଦେଇ, ଷଡଙ୍ଗୀଙ୍କ ଅବୈଧ ପଦାସୀନତା ଲୋପ କରିବାକୁ ରାଜ୍ୟପାଳଙ୍କ ନିକଟରେ ମୁଁ ଦାବି ରଖିଥିଲି ଓ ତହିଁ ଉପରେ କାର୍ଯ୍ୟାନୁଷ୍ଠାନ କରି ସେହି କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମୋତେ ଦେଇ, ତାହା ତାଙ୍କ ଦପ୍ତରକୁ ଅବଗତ କରାଇବା ପାଇଁ ରାଜ୍ୟପାଳ ଆଦେଶ ଦେଇଥିଲେ (ଆଦେଶ ସଂଖ୍ୟା ୯୯୪୬, ତା ୨.୮.୧୯) । ଏଥିରେ ମୁଁ ଯେଉଁ ଯୁକ୍ତି ରଖିଥିଲି ତାହା ଖଣ୍ଡନ କରିବାକୁ ଶାସନ କଳର ଶକ୍ତି ନଥିଲା । ଫଳରେ, ହାଇକୋର୍ଟରେ ପ୍ରତିବାଦ ନକରି ମାନସୀ ଷଡଙ୍ଗୀଙ୍କୁ ଯଦ୍ଦୃଛା ସାହାଯ୍ୟ କରିବାକୁ ଅଖଣ୍ଡ କ୍ଷମତା ପାଇଥିଲେ ମଧ୍ୟ, ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବ ୧୮.୭.୨୦୧୮ରେ ଦେଇଥିବା ୨୦୪୪୫ ସଂଖ୍ୟକ ଆଦେଶ ଏବଂ ତାହାକୁ ପରିପୁଷ୍ଟ କରିବା ପାଇଁ ୧.୩.୨୦୧୯ରେ ନିର୍ଦ୍ଦେଶକଙ୍କୁ ଦେଇଥିବା ୫୪୭୦ ସଂଖ୍ୟକ ଆଦେଶକୁ “ପକାଇଲା ଛେପ ଢୋକିବା” ପରି ନିଜେ ଢୋକି ୧୩.୯.୨୦୧୯ରେ ୧୮୭୫୭ ସଂଖ୍ୟକ ଆଦେଶ ଦେଲେ ।

ଏହି ଆଦେଶଟି କ’ଣ?

ଏହା ହେଲା, “ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କର ) ଅନଧିକୃତ ଅନୁପସ୍ଥିତି ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ ।“

ପକାଇଲା ଛେପ ଢୋକିଲା କଥା

ପକାଇଲା ଛେପ ଢୋକିଲା ପରି ଉଚ୍ଚ ଶିକ୍ଷା ସଚିବ ତାଙ୍କର ଯେଉଁ ଆଦେଶ ଦୁଇଟିକୁ ଏହି ଆଦେଶ ଦ୍ଵାରା ଢୋକି ପକାଇଲେ, ସେ ଦୁଇଟି ଆଦେଶରେ ଥିଲା କ’ଣ?
ପ୍ରଥମଟି ଥିଲା –
୧. କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ କାର୍ଯ୍ୟକ୍ଷମ ଥିବାର ଡାକ୍ତରୀ ପ୍ରମାଣପତ୍ର ସହ ଶ୍ରୀମତୀ ମାନସୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ପ୍ରଦାନ କରିବେ, ଯାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତହେବ ;
୨. ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କୌଣସି ସମବର୍ଗୀୟ କଲେଜରେ ସ୍ଥାନ ଠାବ କରି ତାଙ୍କୁ ସେଠାରେ ସ୍ଥାନିତ କରିବେ ;
୩. ତାଙ୍କୁ ଯେଉଁ ଦିନ ଠାରୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା ସେହିଦିନ ଠାରୁ ଅର୍ଥାତ୍ ୨.୭.୨୦୦୮ ତାରିଖଠାରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ସମୟ ପାଇଁ ନିର୍ଦ୍ଦେଶାଳୟର ଉପଯୁକ୍ତ ତଦନ୍ତ ଶେଷରେ ନିଷ୍ପତ୍ତି ନିଆଯିବ । (ଆଦେଶ ସଂଖ୍ୟା ୨୦୪୪୫, ତ। ୧୮.୭.୨୦୧୮) ।
ଦ୍ଵିତୀୟଟି ଥିଲା –
ମାନସୀ ଷଡଙ୍ଗୀଙ୍କ ଚାକିରିକୁ ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ୧୪.୨.୨୦୧୯ ତାରିଖରେ ଦେଇଥିବା ୬୩୫୮ ସଂଖ୍ୟକ ପତ୍ରରେ ୦୨.୦୭.୨୦୦୮ରୁ ୨୨.୦୭.୨୦୧୮ ପର୍ଯ୍ୟନ୍ତ ତାଙ୍କ ଅନୁପସ୍ଥିତି ସମ୍ପର୍କରେ ଯେଉଁ ମତ ଦେଇଛନ୍ତି ତହିଁର ପୁନର୍ବିଚାର କରନ୍ତୁ । (ଆଦେଶ ସଂଖ୍ୟା ୫୪୭୦ ତା ୧.୩.୨୦୧୯)

ଏ ଉଭୟ ଆଦେଶକୁ ମିଳାଇ ପଢିଲେ ଏହା ସ୍ପଷ୍ଟ ହୋଇଯାଏ ଯେ, ପ୍ରଥମ ଆଦେଶର ୩ୟ ବିନ୍ଦୁରେ ଥିବା ଗୋପନ ଅଭିସନ୍ଧିକୁ କାର୍ଯ୍ୟକାରୀ କରିବା ପାଇଁ ୨ୟ ଆଦେଶଟି ଦିଆ ହୋଇଥିଲା । ପ୍ରଥମ ଆଦେଶର ୩ୟ ବିନ୍ଦୁରେ ଶିକ୍ଷା ସଚିବ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିଜ ଅଭିସନ୍ଧି ଅବଗତ କରାଇଥିଲେ । ଭାବିଥିଲେ ଯେ, ସମ୍ପୃକ୍ତ ସମୟରେ ମାନସୀ ଷଡଙ୍ଗୀଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖା ଯାଇଥିଲା ବୋଲି ସେ ଯେହେତୁ କହିଛନ୍ତି, ସେହେତୁ ନିର୍ଦ୍ଦେଶକ ତାହାକୁ ଶିରୋଧାର୍ଯ୍ୟ ମନେକରି ତାଙ୍କ ଅନୁପସ୍ଥିତି କାଳକୁ ସବେତନ ଓ ନିରବଚ୍ଛିନ୍ନ ଚାକିରିକାଳ ଭାବେ ଘୋଷଣା କରିବାକୁ ସୁପାରିଶ କରିବେ । ନିର୍ଦ୍ଦେଶକ ପରମେଶ୍ଵରମ୍ ବିଗାଡ଼ି ଦେଲେ । ଏହି ଯୁବ ଆଇ.ଏ.ଏସ୍. ଅଫିସର୍ ଥିଲେ ଅତ୍ୟନ୍ତ ତେଜସ୍ଵୀ । ସେ ଏକାଧିକବାର ତଦନ୍ତ କରି ଦେଖିଲେ ଯେ, ମାନସୀ ଷଡଙ୍ଗୀଙ୍କୁ କେହି କର୍ମକ୍ଷେତ୍ରରୁ ଦୂରେଇ ରଖିନଥିଲେ, ବରଂ ସେ ନିଜେ ଅସୁସ୍ଥତାର ମିଛ ବାହାନା କରି ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ଵ କାଳ କର୍ମକ୍ଷେତ୍ରରୁ ଅନୁପସ୍ଥିତ ଥିଲେ । ଏହି ସତ୍ୟ ନିର୍ଦ୍ଧାରଣ କରି ସେ ତାଙ୍କ ବିରୁଦ୍ଧରେ ନିୟମାନୁମୋଦିତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କଲେ, ଯାହା ଶାସନ ସଚିବଙ୍କର ତଥା ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗର ମୁଖା ଖୋଲିଦେଇଥିଲା । ସଚିବଙ୍କ ଉପର ଲିଖିତ ୨ୟ ଆଦେଶଟି ଥିଲା ପରମେଶ୍ଵରମ୍ ଦେଇଥିବା ତଦନ୍ତ ରିପୋର୍ଟ (ସଂଖ୍ୟା ୬୩୫୮, ତା. ୧୪.୨.୨୦୧୯)କୁ ବଦଳାଇଦେବା ପାଇଁ ଏକ କୁତ୍ସିତ ପ୍ରୟାସ ଯାହା ଚାରି ଚାରି ଜଣ ନିର୍ଦ୍ଦେଶକ ବଦଳି ହୋଇ ବି ବଦଳି ପାରିଲା ନାହିଁ ।

ମୋ ଚିଠି ଉପରେ ରାଜ୍ୟପାଳ ହସ୍ତକ୍ଷେପ କରି ଉଚ୍ଚ ଶିକ୍ଷା ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଶାସନ ସଚିବ ନିଜ ଛେପ ନିଜେ ଢୋକି ଆଦେଶ ଦେବାକୁ ବାଧ୍ୟ ହୋଇଛନ୍ତି ଯେ, “ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କର ) ଅନଧିକୃତ ଅନୁପସ୍ଥିତି ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ ।“

ଦେଢକୋଟି ଟଙ୍କା ବଞ୍ଚିଗଲା

ମୁଁ ଖୁସି ଯେ, ଭାଷା ଆନ୍ଦୋଳନକୁ ଛୁରୀ ମାରିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କ ସ୍ତ୍ରୀଙ୍କ ବିପୂଳ ବେତନ ରୂପକ ଯେଉଁ ବିଶ୍ଵାସଘାତକ ଜାଗିରି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ, ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ତହିଁରେ ନୀତିନିଷ୍ଠ ହସ୍ତକ୍ଷେପ କରି ଭାଷାଜନନୀଙ୍କ ସନ୍ତାନମାନଙ୍କ ରାଜକୋଷରୁ ପ୍ରାୟ ଦେଢକୋଟି ଟଙ୍କାର ଲୁଣ୍ଠନକୁ ମୁଁ ବନ୍ଦ କରିଦେଇପାରିଛି । ଭାଷା ଆନ୍ଦୋଳନରେ ଯୋଗ ଦେଇ, ଭାଷା ଆନ୍ଦୋଳନ ହେତୁ ପରିଚିତି ଅର୍ଜନ କରି, ଅର୍ଥଲୋଭରେ ଭାଷା ଆନ୍ଦୋଳନକୁ ଛୁରୀ ମାରିଥିବା ପ୍ରଦ୍ୟୁମ୍ନ ଶତପଥୀ ସେହି କିସମର ବ୍ୟକ୍ତି, ଯେଉଁ କିସମର ବ୍ୟକ୍ତିମାନଙ୍କ ହେତୁ ଏପରି ଏକ ସାମାଜିକ ଆନ୍ଦୋଳନ ପ୍ରତି ସାଧାରଣ ଲୋକର ବିଶ୍ଵାସ ଭାଙ୍ଗିଯାଇପାରେ । ତେଣୁ ଏହି କିସମର ଲୋକଙ୍କ ଉପରୁ ପର୍ଦ୍ଦା ଅପସାରଣ ଏକ ସାମାଜିକ ଦାୟିତ୍ଵ । ଏହା ହିଁ କାରଣ , ଯେଉଁଥିପାଇଁ ମୋତେ ଏହି ଆଲୋଚନା ରଖିବାକୁ ପଡ଼ିଛି, ଯଦିଓ ଶ୍ରୀମତୀ ଷଡଙ୍ଗୀ ମୋର ଭଗ୍ନୀତୁଲ୍ୟା ଓ ଭାଷା ଆନ୍ଦୋଳନକୁ ତାଙ୍କ ସ୍ଵାମୀ ଛୁରୀ ନମାରି , ନ୍ୟାୟିକ ସଂଘର୍ଷରେ ସେ ଚାକିରି ଫେରି ପାଇଥିଲେ ମୁଁ ଯେଉଁ ଆନନ୍ଦ ଅନୁଭବ କରିଥାନ୍ତି ତାହାର ସୀମା କଳନା କରାଯାଇପାରିନଥାନ୍ତା । (କ୍ରମଶଃ)

ବାଣପୁରରେ ଭାଷା ଆନ୍ଦୋଳନ: ଓଡ଼ିଆ ଜାତି ବିରୋଧୀ ଭାଷା ନିୟମାବଳୀ ତୁରନ୍ତ ବିଲୋପ କରିବାକୁ ଦାବିପତ୍ର ପ୍ରଦାନ

ଦି ନିଉଜ୍ ସିଣ୍ଡିକେଟ୍

ଭଗବତୀ ପୀଠ, ବାଣୀକ୍ଷେତ୍ର ବାଣପୁରରେ ଡିସେମ୍ବର ୧୨ରେ ଆରମ୍ଭ ହୋଇଛି ଭାଷା ଆଂଦୋଳନର କଳା ପତାକା ଅଭିଯାନ । ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅନୁଷ୍ଠାନିକ ଭାବେ ଏଥିପାଇଁ ପତାକା ପ୍ରଦାନ କରି, ଇଂରାଜୀ ବିରୁଦ୍ଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ପ୍ରଥିତଯଶା ମହାବୀର କୃତିବାସ ପାଟଶାଣିଙ୍କ ପବିତ୍ର ପ୍ରତିମୂର୍ତ୍ତି ସମ୍ମୁଖରେ ଅଭିଯାନର ଶୁଭାରମ୍ଭ କରିଥିଲେ।


ବାଣପୁର ଶାଖାର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଆମ ନିଜ ସରକାରଙ୍କ ଦ୍ଵାରା ଆମ ଭାଷା ବିପଦାପନ୍ନ ବୋଲି ଦର୍ଶାଇଥିଲେ । ଭାଷା ଆଇନର ସଶକ୍ତିକରଣ ପାଇଁ କଳା ପତାକା ଅଭିଯାନ ଚାଲିଥିବା ବେଳେ, ଭୁଲ ସଂଶୋଧନ ଦ୍ଵାରା ସରକାର ତାହାକୁ ଦ୍ଦୁର୍ବଳତର କରିଛନ୍ତି ଓ ଏହି ଅଭିଯାନରେ ସକ୍ରିୟ ଥିବା କେତେକ ଅର୍ଥଲୋଭୀ ବ୍ୟକ୍ତିଙ୍କୁ ପୋଷା ମନାଇ ଭାଷା ଆଇନ ନିର୍ଭୁଲ ହୋଇଯାଇଛି ବୋଲି ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ସେ କହିଥିଲେ । ଏପରିକି ଓଡ଼ିଆ ଜାତିର ଭାଷା ଅଧିକାରକୁ ସମ୍ପୂର୍ଣ ପଙ୍ଗୁ କରିଦେବା ପାଇଁ ୨୦୧୯ର ସଂଶୋଧିତ ଭାଷା ନିୟମାବଳୀ ଉଦ୍ଦିଷ୍ଟ ବୋଲି ସେ ଦର୍ଶାଇଥିଲେ ଏବଂ ଇଂରାଜୀମନସ୍କ ନେତା ଓ ଅମଲାମାନଙ୍କ ଚକ୍ରାନ୍ତ ହେତୁ ୧୯୫୪ର ସରକାରୀ ଭାଷା ଆଇନ ଏଯାଏଁ କାର୍ଯ୍ୟକାରୀ ନ ହୋଇ ଓଡ଼ିଆ ଜାତିର ଭବିଷ୍ୟତ ବଂଶଧରମାନଙ୍କୁ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ଶିକ୍ଷାପାଇଁ ପ୍ରୋତ୍ସାହିତ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଆମ ଜାତିର ଏହି ସଙ୍କଟ ସମୟରେ ବାଣପୁର ନିଜ ମାତୃଭାଷାର ପ୍ରଶାସନିକ ଅଲଙ୍ଘ୍ୟତା ପାଇଁ ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଥିବା ହେତୁ ସେ ବାଣପୁର ଶାଖାର ସଦସ୍ୟମାନଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ ।

ଚିଲିକା ପ୍ରେସ୍ କ୍ଲବ ଉପଦେଷ୍ଟା ବରେଣ୍ୟ ନୃସିଂହ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତାବିତ ଦାବିପତ୍ର ପାଠ କରିଥିଲେ ଚିଲିକା ସାହିତ୍ୟ ସଂସଦର ସଭାପତି ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ବାଳମୁକୁନ୍ଦ ଦାସ । ଉପସ୍ଥିତ ସମସ୍ତ ସଦସ୍ୟ କରତାଳି ଦ୍ଵାରା ତାହାକୁ ଅନୁମୋଦନ କରି ସ୍ଵାକ୍ଷର କରିଥିଲେ ।


ଶ୍ରୀଯୁକ୍ତ ମିଶ୍ର ଓ ଶ୍ରୀଯୁକ୍ତ ଦାସଙ୍କ ସମେତ ସର୍ବଶ୍ରୀ ବିଜୟ କୁମାର ତ୍ରିପାଠୀ,ପ୍ରତାପରୁଦ୍ର ମହାରଣା, ମନୋଜ କୁମାର ସାହୁ, ପ୍ରକାଶ ପ୍ରଧାନ, ସେକ୍ ମୋହିନୁର ହକ୍, ରାମଚନ୍ଦ୍ର ସାହୁ, ଅଜୟ କୁମାର ଦାସ, କବି ଦେବାଶିଷ ପଟ୍ଟନାୟକ, ଆର୍ତ୍ତତ୍ରାଣ ଢାଲି, ମୃଯୁଞ୍ଜୟ ଦାଶ, ଶରତ ଚନ୍ଦ୍ର ପ୍ରଧାନ, ଅଖିଳ ପ୍ରଧାନ, ନାରାୟଣ ବେହେରା, ସଉରୀ ପ୍ରଧାନ, ସୁରେନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ ସମନ୍ତରାୟ, ସନ୍ତୋଷ କୁମାର ପଣ୍ଡା, ବ୍ରଜବନ୍ଧୁ ବେହେରା, ଡମ୍ବରୁଧର ବିଶ୍ଵାଳ, କିଣୁପ୍ରସାଦ ଦାଶ, ମନୋଜ କୁମାର ବିଶ୍ଵାଳ, ଅମ୍ବିକା ପ୍ରସାଦ ମହାନ୍ତି, ଚନ୍ଦ୍ର ଶେଖର ଘଡ଼ାଇ ପ୍ରମୁଖ ଅଭିଯାତ୍ରୀମାନେ ସେଠାରୁ ନୀରବ ପଟୁଆରରେ ଯାଇ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେହି ଦାବିପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶା ସରକାରୀ ଭାଷା ନିୟମାବଳୀ ୨୦୧୯ ସଂଶୋଧନ ସମେତ ଓଡ଼ିଆ ସ୍ଵାର୍ଥ ବିରୋଧୀ ହୋଇଥିବା ହେତୁ ତାହାକୁ ବିଲୋପ କରାଯାଇ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ୩.୯.୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଯେଉଁ ଭାଷା ନିୟମାବଳୀ ପ୍ରଦାନ କରିଥିଲେ ତାହାକୁ ଅବିଳମ୍ବେ ବିଧିଭୁକ୍ତ କରିବାକୁ ଏହି ଦାବିପତ୍ରରେ ଦାବି କରାଯାଇଛି ।

କାର୍ଯ୍ୟକ୍ରମ ଶେଷରେ କବି ଦେବାଶିଷ ପଟ୍ଟନାୟକ ପରମପୂଜ୍ୟ ମହାବୀର କୃତିବାସ ପାଟଶାଣିଙ୍କ ପ୍ରତିମୂର୍ତ୍ତି ସନ୍ନିଧରେ ସ୍ଵରଚିତ ଦେଶାତ୍ମବୋଧକ ଗୀତିକବିତା ପରିବେଷଣ କରିଥିଲେ ।

 

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଅଷ୍ଟବିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଉଚ୍ଚ ଶିକ୍ଷା ବିଭାଗ ଜାଣିଥିଲା ଯେ, ସ୍ତ୍ରୀ ମାନସୀଙ୍କ ଚାକିରି ହାସଲ କରିବାକୁ ଭାଷା ଆନ୍ଦୋଳନକୁ ଛୁରୀ ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ରାଜିହୋଇଯିବା ପରଠୁ ଏହା ନେଇଥିବା ପ୍ରତିଟି ନିଷ୍ପତ୍ତିରେ ଭରି ହୋଇରହିଥିଲା ପଶାସନିକ ସ୍ଵେଚ୍ଛାଚାର; କାରଣ ତଦ୍ଭିନ୍ନ ତାଙ୍କୁ ସାହାଯ୍ୟ କରିହୋଇନଥାନ୍ତା । ଏହି ଏକା କାରଣରୁ ଏହି ବିଭାଗ ଓଡ଼ିଶା ହାଇ କୋର୍ଟରେ ମାନସୀଙ୍କ ରିଟ୍ ମାମଲାରେ ପ୍ରତିବାଦୀ ଥାଇ ମଧ୍ୟ ଅଂଶ ଗ୍ରହଣ କରିନଥିଲା ଏବଂ ତାଙ୍କୁ ଏକ ନିର୍ବିବାଦ ଆଦେଶ (uncontested order) ହାସଲ କରିବାରେ ସାହାଯ୍ୟ କରିଥିଲା । ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ମାନସୀଙ୍କ ସପକ୍ଷରେ ଯେପରି ଉପଯୁକ୍ତ ମଣିବେ ସେପରି ନିଷ୍ପତ୍ତି ନେବାକୁ ଉଚ୍ଚ ଶିକ୍ଷା ବିଭାଗକୁ ଦେଇଥିଲା ଅଖଣ୍ଡ ଅଧିକାର (carte blanche) ।

ସାଂଘାତିକ ପେଞ୍ଚ

ମାନସୀଙ୍କ ରିଟ୍ ମାମଲା ଓଡ଼ିଶା ରାଜ୍ୟବାସୀଙ୍କ ବିରୁଦ୍ଧରେ ଏକ ସାଂଘାତିକ ପେଞ୍ଚ ଥିଲା । ଆଦୌ କାମ ନକରି, ୧୦ ବର୍ଷ କାଳ ଅଡ଼ଶପୁର କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀମାନଙ୍କ ଅଧ୍ୟୟନ ଅଧିକାରକୁ ବିପର୍ଯ୍ୟସ୍ତ କରି, କେବଳ ଭାଷା ଆନ୍ଦୋଳନ ବିରୁଦ୍ଧରେ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥିଙ୍କ ଦଲାଲୀ-ଦକ୍ଷତା ହେତୁ ସେ ପ୍ରାୟ ଦେଢକୋଟି ଟଙ୍କାର ପିଛିଲା ବେତନ ସହ ଚାକିରିରେ ନିୟମିତ ହେବା ପାଇଁ ପେଞ୍ଚ କରିଥିଲେ । ଏପରି ସାଂଘାତିକ ପେଞ୍ଚକୁ ହାଇକୋର୍ଟରେ ଉଚ୍ଚ ଶିକ୍ଷା ବିଭାଗ ବିରୋଧ ନକରିବା ମୂଳରେ ସମ୍ପୃକ୍ତ ସରକାରୀ ଓକିଲଙ୍କ ଭୂମିକା ଯଦି ଦୃଷ୍ଟିକୁ ଆସେ ତେବେ ତ ଏ ଷଡ଼ଯନ୍ତ୍ରର ଗଭୀରତା ମାପିବାକୁ ରାଜ୍ୟ ଅପରାଧ ଅନୁସନ୍ଧାନ ବିଭାଗ (CID)କୁ ବି ନାକେଦମ୍ ହେବାକୁ ହେବ ।

ଏ ଷଡ଼ଯନ୍ତ୍ରର ଯଥାସମ୍ଭବ ଆକଳନ ପାଇଁ ମାନସୀ ଷଡଙ୍ଗୀଙ୍କ ରିଟ୍ ମାମଲା ଉପରେ ଆଉ ଥରେ ନଜର ପକାଇବା । ଏହା ୪.୧୨.୨୦୧୮ ତାରିଖରେ ଦାଖଲ ହୋଇଥିଲା । ସମୁଦାୟ ଦୁଇଟି ତାରିଖରେ ଶେଷ ହୋଇଥିଲା । ଦୁଇଟିଯାକ ତାରିଖରେ ମାନ୍ୟବର ନ୍ୟାୟମୂର୍ତ୍ତି ଡଃ ବି. ଆର. ଷଡଙ୍ଗୀ କେବକ ମାନସୀ ଷଡଙ୍ଗୀଙ୍କ ଓକିଲଙ୍କୁ ଶୁଣିଥିଲେ ; ସରକାରୀ ଓକିଲଙ୍କ ଦେଖାଦର୍ଶନ ନଥିଲା । ତେଣୁ ଏହାକୁ ନିର୍ବିବାଦ ମାମଲା ବୋଲି କହି ୩.୪.୨୦୧୯ରେ ସେ ରାୟ ଦେଇଥିଲେ । ତହିଁରୁ ଜଣାଗଲା ଯେ, ୨୨.୬.୨୦୧୫ ତାରିଖରେ ତାଙ୍କ ଅନୁପସ୍ଥିତି ଉପରେ ଉଚ୍ଚ ଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଥିଲେ ସେହି ନିଷ୍ପତ୍ତିକୁ ବାତିଲ କରାଯାଇ ଅଡ଼ଶପୁର କଲେଜରେ ସେ ଦେଇଥିବା ଯୋଗଦାନ ପତ୍ର (joining report)କୁ ବୈଧ ଘୋଷଣା କରାଯାଉ ଓ ତଦନୁଯାୟୀ ସେହିଦିନଠାରୁ ତାଙ୍କୁ ସମସ୍ତ ପରିଣତିଗତ ଫାଇଦା (consequential benefit) ସହ ପିଛିଲା ବେତନ ପ୍ରଦାନ କରାଯାଉ ବୋଲି ସେ ଦାବି କରିଥିଲେ । ଏହାକୁ ଉଚ୍ଚ ଶିକ୍ଷା ବିଭାଗ ବିରୋଧ କରିନଥିଲା, ଯଦିଓ ଏହି ୨୨.୬.୨୦୧୫ର ସରକାରୀ ଆଦେଶକୁ ବାତିଲ କରାଯିବା ଭିତ୍ତିରେ (in supersession of) ଏହା ମାନସୀ ଷଡଙ୍ଗୀଙ୍କ ଚାକିରିରେ ଯୋଗଦାନ ପାଇଁ ୧୬.୭.୨୦୧୮ ତାରିଖରେ ନିଷ୍ପତ୍ତି ନେଇ ୧୮.୭.୨୦୧୮ ତାରିଖରେ ୨୦୪୪୫ ପତ୍ରାଙ୍କରେ ଜାରି କରିଥିଲା ।

ମାନ୍ୟବର ହାଇକୋର୍ଟଙ୍କଠାରୁ ଏହି ସତ୍ୟ ଲୁଚାଇରଖିବାକୁ ଉଚ୍ଚ ଶିକ୍ଷା ସଚିବ ରିଟ୍ ମାମଲାଟିକୁ ନିର୍ବିବାଦ କରାଇଥିଲେ । ଫଳରେ ମାମଲାଟିକୁ ନିର୍ବିବାଦ (uncontested ) ଫଇସଲା କରି ସରକାର ନିଜେ ପ୍ରାର୍ଥିତ ବ୍ୟାପାରରେ ଅର୍ଥାତ୍ ୨୨.୬.୨୦୧୫ର ସରକାରୀ ଆଦେଶର ରଦ୍ଦିକରଣ (to quash the order dated 22.6.2015) ଓ ସେ କଲେଜରେ ଯେଉଁଦିନ ଯୋଗଦାନପତ୍ର ଦେଇଥିଲେ ସେହିଦିନ ଠାରୁ ସେ ନିରବଚ୍ଛିନ୍ନ ଭାବେ ଚାକିରିରେ ଥିବା ଗ୍ରହଣ କରି ସର୍ବବିଧ ପରିଣତିଗତ ଓ ଆର୍ଥିକ ଫାଇଦା (to accept her joining report w.e.f. the date she submitted her joining report (in the college) with all consequential service and monetary benefits) ପ୍ରଦାନ ପାଇଁ ଉପଯୁକ୍ତ ଆଦେଶ ଦେବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ଅଧିକାର ଦେଇଥିଲେ । ଏହି ଆଦେଶର ସୁଯୋଗ ନେଇ ଶ୍ରୀମତୀ ଷଡଙ୍ଗୀଙ୍କୁ ସମସ୍ତ ପିଛିଲା ବେତନ (ପ୍ରାୟ ଦେଢକୋଟି ଟଙ୍କା) ସହ ପଦୋନ୍ନତି ପରି ପରିଣତିଗତ ଫାଇଦା ଦେଇ ତାଙ୍କ ଚାକିରିକୁ ନିରଙ୍କୁଶ ନିୟମିତତା ପ୍ରଦାନ କରିବାକୁ ଅପେକ୍ଷା କରି ରହିଥିଲେ ଉଚ୍ଚ ଶିକ୍ଷା ସଚିବ । ଅପେକ୍ଷା ଥିଲା ସଚିବଙ୍କ ଅଧସ୍ତନ ନିର୍ଦ୍ଦେଶକଙ୍କ ସାନି ତଦନ୍ତ ରିପୋର୍ଟକୁ ।

ମାନସୀପାଇଁ ନିର୍ଦ୍ଦେଶକ ବଦଳି; ୪ ମାସରେ ୪

ଏଥିପାଇଁ ମାତ୍ର ୪ ମାସରେ ୩ ଜଣ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅଘୋଷିତ ଶାସ୍ତି ସ୍ୱରୂପ ବଦଳି କରାଯାଇଥିବା ସାଧାରଣତଃ ବିଶ୍ୱାସଯୋଗ୍ୟ ହୋଇନପାରେ । ମାତ୍ର ଏହା ସତ୍ୟ । ଭାଷା ଆନ୍ଦୋଳନର ସଭାପତି ପଦରେ ଭାଷଣଦକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଁ ନିଯୁକ୍ତ କରିଥିଲି । ସର୍ତ୍ତ ମୁତବକ ସେ ପ୍ରତିଦିନ କଳା ପତାକା ଧରିବାକୁ ୪ ଜଣ ବ୍ୟକ୍ତି ଯୋଗଉଥିଲେ । ଫଳରେ ସରକାରଙ୍କ ଉପରେ ଲୌକିକ ଚାପ ପ୍ରୟୋଗ ସହ ଆନ୍ଦୋଳନର ଲକ୍ଷ୍ୟ ହାସଲ ପାଇଁ ବୌଦ୍ଧିକ ଅଗ୍ରଗତି ମୋ ପକ୍ଷେ ସହଜ ଥିଲା । ସେ ଯଦି ଲୋକ ନଯୋଗାନ୍ତି କଳା ପତାକା ଅଭିଯାନ ବନ୍ଦ ହୋଇଯିବ – ଏହି ବିଶ୍ଵାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସୁପାରି ଦେଇଥିଲେ । ସେ ସୁପାରି ଥିଲା ତାଙ୍କ ଅଧ୍ୟାପିକା ସ୍ତ୍ରୀଙ୍କ ଚାକିରି । ଦୀର୍ଘ ୧୦ ବର୍ଷ କାଳ କଲେଜ ନ ଯାଇଥିବା ମାନସୀ ଷଡଙ୍ଗୀଙ୍କୁ ସେହି ୧୦ ବର୍ଷର ପିଛିଲା ବେତନ (ପ୍ରାୟ ଦେଢକୋଟି ଟଙ୍କା ) ସହ ଚାକିରିରେ ନିୟମିତ କରିବା ଥିଲା ଏହି ସୁପାରିର ସ୍ଥୂଳରୂପ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେତେ ସବୁ ପ୍ରଶାସନିକ ସ୍ଵେଚ୍ଛାଚାର ଘଟିଗଲା ମୁଁ ସେସବୁକୁ ପୂର୍ବରୁ ଦର୍ଶାଇଛି । କିନ୍ତୁ ଏହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରିବାରେ ବାଧକ ହେବା ହେତୁ ମାତ୍ର ୪ ମାସରେ ୩ ଜଣ ନିର୍ଦ୍ଦେଶକଙ୍କୁ ବଦଳି କରି ଶେଷରେ ନିଜ ଅତିରିକ୍ତ ସଚିବଙ୍କୁ ଯେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକ କରାଇଥିଲେ ତାହା ଓଡ଼ିଶାର ପ୍ରଶାସନିକ ଇତିହାସରେ ଥିଲା ଅଭୂତପୂର୍ବ । ବର୍ତ୍ତମାନ ଏହି ବଦଳି ପ୍ରବାହ ଉପରେ ଦ୍ରୁଷ୍ଟି ଦେବା ।

ବି. ପରମେଶ୍ଵରମ୍

ପୂର୍ବରୁ କୁହା ହୋଇଛି ଯେ, ୧୮.୭.୨୦୧୮ ତାରିଖର ସରକାରୀ ଆଦେଶରେ ଥିବା ତଥ୍ୟଗତ ମିଥ୍ୟାକୁ ତାଙ୍କ ୧୪.୨.୨୦୧୯ ତାରିଖର ତଦନ୍ତ ରିପୋର୍ଟରେ ଫୁଙ୍ଗୁଳା କରିଦେଇ, ଅନଧିକୃତ ଭାବେ ୧୦ ବର୍ଷରୁ ଉର୍ଦ୍ଧ୍ଵ କାଳ ଅନୁପସ୍ଥିତ ଥିବା ହେତୁ ମାନସୀଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ ତତ୍କାଳୀନ ନିର୍ଦ୍ଦେଶକ ବି. ପରମେଶ୍ଵରମ୍ (B Parameswaran) । ଏହା ପ୍ରତ୍ୟାହାର କରି ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ସୁପାରିଶ କରିବାକୁ ତାଙ୍କ ଉପରେ ଚାପ ପଡ଼ିଥିଲା । ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫଳରେ ୭.୯.୨୦୧୮ରେ ନିର୍ଦ୍ଦେଶକ ପଦ ସମ୍ଭାଳିଥିବା ପରମେଶ୍ଵରମ୍ ରହସ୍ୟଜନକ ଭାବେ ବିଦା ହୋଇଯାଇଥିଲେ ମାନସୀଙ୍କ ବିରୁଦ୍ଧରେ ରିପୋର୍ଟ ଦେବାର ୪ର୍ଥ ଦିବସରେ ୧୮.୨.୨୦୧୯ ତାରିଖରେ ।

ରମେଶ ରାଉତ

ରମେଶ ରାଉତ ହେଲେ ନିର୍ଦ୍ଦେଶକ । ଉଚ୍ଚ ଶିକ୍ଷା ବିଭାଗ ତାଙ୍କ ଉପରେ ଚାପ ପକାଇଲା ପରମେଶ୍ଵରମ୍ ଦେଇଥିବା ରିପୋର୍ଟ ବଦଳାଇବାକୁ । ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗର କୃପାସିନ୍ଧୁ ମିଶ୍ର (ଅତିରିକ୍ତ ସଚିବ)ଙ୍କ ସ୍ଵାକ୍ଷରରେ ୧.୩.୨୦୧୯ ତାରିଖର ପତ୍ରାଙ୍କ ୫୪୭୦ରେ ତାଙ୍କୁ ନିର୍ଦ୍ଦେଶ ଦିଆଗଲା କି, ୨.୭.୨୦୦୮ ତାରିଖରୁ ୨୨.୭.୨୦୧୮ ପର୍ଯ୍ୟନ୍ତ ମାନସୀ ଷଡଙ୍ଗୀଙ୍କ ଅନୁପସ୍ଥିତି ଉପରେ ସେ ସାନି ତଦନ୍ତ କରି ରିପୋର୍ଟ ଦିଅନ୍ତୁ । କିନ୍ତୁ ପରମେଶ୍ଵରମ୍ ଦେଇଥିବା ରିପୋର୍ଟ ଏତେ ନିର୍ଭୁଲ ଥିଲା ଯେ, ସେ ତହିଁର ପୁନର୍ବିଚାର କରୁବାକୁ ଉଚିତ ମଣିଲେନି ।

ଉପନିର୍ଦ୍ଦେଶକ ୧୪.୩.୨୦୧୯ ତାରିଖରେ ତାଙ୍କ ପାଖରେ ନଥି ରଖି ଜଣାଇଥିଲେ ,”The DHE (O) may kindly re-examine the period of absence of Smt. Manasi Sarangi, Ex-Lecturer in Botany of U.N.(Auto) College of Science and Technology,Adashpur, Cuttack from her duties from 02.07.2008 to 22.07.2018 as per relevant rules.” (ଅଡ଼ଶପୁର କଲେଜର ପୂର୍ବତନ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କ ୨.୭.୨୦୦୮ ତାରିଖରୁ ୨୨.୭.୨୦୧୮ ତାରିଖ ପର୍ଯ୍ୟନ୍ତ ଅନୁପସ୍ଥିତି ଉପରେ ସାନି ତଦନ୍ତ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସଦୟ ପଦକ୍ଷେପ ନେଇପାରନ୍ତି) । ଏ ସାନି ତଦନ୍ତ ସରକାରଙ୍କ ୧୮.୭.୨୦୧୮ ତାରିଖର ୨୦୪୪୫ ସଂଖ୍ୟକ ଆଦେଶ ଅନୁରୂପ ହୋଇଥାନ୍ତା । କାରଣ , ଏହି ଆଦେଶରେ କୁହା ହୋଇଥିଲା , “Th intervening from the date she was kept out of service from 02.07.2008 till she joins in the directorate shall be decided after due enquiry made at the level of Directorate”. ଅତଏବ ସରକାର ସିଦ୍ଧାନ୍ତ କରିସାରିଥିଲେ ଯେ, ଶ୍ରୀମତୀ ଷଡଙ୍ଗୀ ଏହି ସମୟରେ କାମ କରିନଥିଲେ, ଯେହେତୁ ତାଙ୍କୁ କାମ କରିବାକୁ ଦିଆ ହୋଇନଥିଲା । ନିୟମ ହେଲା, ଯାହାକୁ କାମ କରିବାକୁ ଦିଆହୋଇନଥିବ, ସେହି ନିକମା ସମୟ (period of enforced idleness ) ତାର ନିୟମିତ ନିଯୁକ୍ତି ସମୟ ଭାବେ ବିବେଚିତ ହେବ ଓ ସେହି ସମୟର ସମ୍ପୂର୍ଣ ବେତନ ତଥା ପଦୋନ୍ନତି ଆଦି ଫାଇଦା ତାକୁ ପ୍ରାପ୍ତ ହେବ ।

ପରମେଶ୍ଵରମ୍ ତଦନ୍ତ କରି ଦେଖିଥିଲେ ଯେ, ମାନସୀଙ୍କୁ ନିକମା କରି ରଖା ହୋଇନଥିଲା; ସେ ତାଙ୍କ ନିଜ ସୌଖୀନପାଇଁ ଅସୁସ୍ଥତା ବାହାନାରେ ୧୦ ବର୍ଷ କାଳ ଅନୁପସ୍ଥିତ ଥାଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଥିଲେ । ତହିଁ ଉପରେ ସାନି ତଦନ୍ତ ପାଇଁ ଆଦେଶ ଦେଇ ସରକାର ଜଣାଇଦେଇଥିଲେ ଯେ, ତାଙ୍କୁ ନିକମା କରି ରଖାହୋଇଥିଲା ବୋଲି ସରକାର କହିଥିବା କଥାକୁ ଠିକ୍ ବୋଲି କହି ନିକମା ରଖା ହୋଇଥିବାରୁ ମାନସୀଙ୍କ ଚାକିରିକ୍ରମ ଓ ବେତନ ନିୟମତଃ ଅକ୍ଷୁର୍ଣ ରଖିବାକୁ ନୂଆ ନିର୍ଦ୍ଦେଶକ ସୁପାରିଶ କରିବେ ।

ମାତ୍ର ଭିତିରି ସତ୍ୟ ଜାଣିସାରିବା ପରେ ନୂଆ ନିର୍ଦ୍ଦେଶକ ଶ୍ରୀ ରାଉତ ମଧ୍ୟ ୧୪.୩.୨୦୧୯ ତାରିଖରେ ଉପନିର୍ଦ୍ଦେଶକଙ୍କ ଉପରୋକ୍ତ ଟିପ୍ପଣୀ ସତ୍ତ୍ୱେ ଶ୍ରୀ ପରମେଶ୍ଵରମ୍ ଦେଇଥିବା ଅଭିମତର ସାନି ପରୀକ୍ଷା କଲେ ନାହିଁ । ଫଳରେ ମାତ୍ର ଦୁଇ ମାସଠି ନିର୍ଦ୍ଦେଶକ ପଦରୁ ତାଙ୍କୁ ବାହାର କରାଯାଇ ୧୭.୪.୨୦୧୯ ତାରିଖରେ ଯାମିନୀ ଷଡଙ୍ଗୀଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କରାଗଲା ।

ଯାମିନୀ ଷଡଙ୍ଗୀ

ଦାୟିତ୍ଵ ଗ୍ରହଣ କଲା ପରେ ଯାମିନୀ ଷଡଙ୍ଗୀ ଯେତେବେଳେ ନଥି ଅନୁଧ୍ୟାନ କଲେ, ତଟସ୍ଥ ହୋଇଗଲେ । ସେ ଦେଖିଲେ ବ୍ୟକ୍ତିଗତ ପରିସ୍ଥିତି ଓ ଅସୁସ୍ଥତା ତାଙ୍କ ଅନୁପସ୍ଥିତିର କାରଣ ବୋଲି ଦର୍ଶାଇଥିବା ମାନସୀ ଷଡଙ୍ଗୀଙ୍କୁ ନିକମା କରି ରଖା ହୋଇଥିଲା ବୋଲି ସ୍ଥିରୀକୃତ ସରକାରୀ ସିଦ୍ଧାନ୍ତ ବାସ୍ତବତଃ ସମର୍ଥନଯୋଗ୍ୟ ନୁହେଁ । ତେଣୁ ସେ ସରକାରଙ୍କ ୧.୩.୨୦୧୯ ତାରିଖର ଅଯୌକ୍ତିକ, ଅଭିସନ୍ଧିମୂଳକ ଓ ବେଆଇନ ଆଦେଶକୁ କୌଣସି ଗୁରୁତ୍ଵ ଦେଲେନାହିଁ । ଫଳରେ ତାଙ୍କୁ ବି ଦାୟିତ୍ଵ ନେବାର ଦୁଇ ମାସଠି ବିଦା କରାଗଲା ଓ ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵସ୍ତ ତଥା ପ୍ରଦ୍ୟୁମ୍ନ ଶତପଥୀଙ୍କ ଖାସ୍ ବନ୍ଧୁ ନିରଞ୍ଜନ ସାହୁଙ୍କୁ ୨୧.୬.୨୦୧୯ ତାରିଖରେ ନିର୍ଦ୍ଦେଶକ କରାଗଲା ।

ନିରଞ୍ଜନ ସାହୁ

ନଥିଟି ଅନୁଧ୍ୟାନ କରି ନିରଞ୍ଜନ ଭୀଷଣ ଧର୍ମ ସଙ୍କଟରେ ପଡ଼ିଥିଲେ, କାରଣ ନିଜର ବନ୍ଧୁପତ୍ନୀଙ୍କୁ ପରମେଶ୍ଵରମ୍ ବାବୁଙ୍କ ତଦନ୍ତ ରିପୋର୍ଟ କବଳରୁ ମୁକ୍ତ କରିବା ପାଇଁ ତାଙ୍କୁ ଘୋର ପ୍ରଶାସନିକ ଅସଙ୍ଗତି ଆଚରଣ କରିବାକୁ ପଡ଼ିଥାନ୍ତା ଓ ଆଇନ ଆଖିରେ ସେ ବି ଉତ୍ତରଦାୟୀ ହୋଇପଡ଼ିଥାନ୍ତେ । ତେଣୁ, ସେ କିଂକର୍ତ୍ତବ୍ୟବିମୁଢ ହୋଇପଡ଼ିଥିଲେ, ଯେତେବେଳେ ୨୨.୭.୨୦୧୯ ତାରିଖରେ ମୁଁ ଏହି ସାଂଘାତିକ ପ୍ରଶାସନିକ ଦୁରାଚାର ଉପରେ ରାଜ୍ୟପାଳଙ୍କୁ ଦେଇଥିବା ଚିଠିର ନକଲ ତାଙ୍କ ପାଖରେ ପହଞ୍ଚିଲା ।

ଏହି ଚିଠିରେ ମୁଁ ସ୍ପଷ୍ଟ ଲେଖିଥିଲି, “(Sri Niranjan Sahu) personal friend of the said Pradyumna Satpathy, placed as Director of Higher Education by way of stage-management to build up the regularization of all the irregularities sic passim her service records, be debarred from conducting the contemplated investigation.” ।

ଏହି ସ୍ପଷ୍ଟ ଅଭିଯୋଗ ତାଙ୍କୁ ସରକାରଙ୍କ କଥାରେ ଭୁଲ ନାଚ ନାଚିବାରୁ ଅବଶ୍ୟ ରକ୍ଷାକରିଦେଇଥିଲା, କାରଣ ଏହା ପାଇ ସାରିବା ପରେ ନୈତିକତଃ ସେ ଆଉ ତଦନ୍ତ କରିପାରି ନଥାନ୍ତେ ।

ମୁଖ୍ୟମନ୍ତ୍ରୀ ନିଜେ ହିଁ ଖଳନାୟକ

କିନ୍ତୁ ଓଡ଼ିଶାର ପ୍ରଶାସନିକ ଇତିହାସରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପରି ଗୋଟିଏ ପଦବୀରେ ମାତ୍ର ୪ ମାସ ୬ ଦିନରେ ୪ ଜଣ ଆଇ.ଏ .ଏସ୍. ଅଫିସରଙ୍କର ଏହି ଯେଉଁ ବିତାଡ଼ନ ମୁତୟନ ଘଟିଲା, ତାହା ମୂଳରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ, ଯେ କି ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସୁପାରି ଆକାରରେ ଦେଇଥିଲେ ତାଙ୍କ ପତ୍ନୀ ମାନସୀ ଷଡଙ୍ଗୀଙ୍କ ଚାକିରି ଏବଂ ଯେତେ ଅବୈଧ ହେଲେ ମଧ୍ୟ ତାଙ୍କ ୧୦ ବର୍ଷର ଅନଧିକୃତ ଅନୁପସ୍ଥିତିକୁ ନିୟମିତ କରି ସେହି ସମୟର ସମସ୍ତ ବେତନ ଓ ପଦୋନ୍ନତିକରଣ ସହ ତାଙ୍କୁ ପଦାସୀନ କରାଇବାକୁ ପ୍ରଶାସନକୁ ବାଧ୍ୟ କରିଥିଲେ । ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ଵୀକୃତି ଓ ସ୍ଵାକ୍ଷର ବିନା କୌଣସି ଆଇ.ଏ .ଏସ୍. ଅଫିସରଙ୍କର କୌଣସି ପଦବୀରୁ ବଦଳି ବା କୌଣସି ପଦବୀରେ ସଂସ୍ଥାପନ ହୋଇପାରିବନାହିଁ । ଏଥିରେ ତ ପୁଣି ତାଙ୍କ ନିଜ ଦପ୍ତର (Chief Minister’s Office)ର ଅତିରିକ୍ତ ସଚିବଙ୍କ ବଦଳି ନିହିତ, ଯାହା ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ଆଉ କେହି ପ୍ରସ୍ତାବ କରିବାକୁ ବି ସାହସ କରନ୍ତେ ନାହିଁ । ଅତଏବ , ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ନଥିଗତ ସ୍ଥିତି ସୁଧାରିବା ପାଇଁ ମାତ୍ର ୪ ମାସ ୬ ଦିନରେ ଚାରି ଚାରି ଜଣ ଆଇ.ଏ .ଏସ୍. ଅଫିସରଙ୍କ ପଦାସୀନତାରେ ଯେଉଁ ଅବାଞ୍ଛିତ ହସ୍ତକ୍ଷେପ ହେଲା , ତହିଁ ଉହାଡ଼ର ଅସଲ ଖଳନାୟକ ନିଜେ ହିଁ ମୁଖ୍ୟମନ୍ତ୍ରୀ ଏବଂ ଏହି ଖଳନାୟକତ୍ଵ କେବଳ ଗୋଟି ଉଦ୍ଦେଶ୍ୟରେ ନିୟୋଜିତ, ଯାହା ହେଲା – ଓଡ଼ିଆରେ ଓଡ଼ିଶାର ପରିଚାଳନା ନ କରାଇଦେବାପାଇଁ ଭାଷା ଆନ୍ଦୋଳନର ଶକ୍ତି ସଂହାର । ଏହା ହିଁ ଓଡ଼ିଶାର ଚରମ ଦୁର୍ଭାଗ୍ୟ । (କ୍ରମଶଃ)