ଭଲକରି ଚିହ୍ନିରଖ ପ୍ରଦ୍ୟୁମ୍ନ ବଦନ । ଭିତର ଅଙ୍ଗାର ଯା’ର ବାହାର ମହିମ୍ନ (୩)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଇଂରାଜୀ ଭାଷାଧିପତ୍ୟ କବଳରେ ଆମ ଭାଷାଗାରିମା ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ଆମ ଶୋଇପଡ଼ିଥିବା ଜାତିକୁ ନିଦରୁ ଉଠାଇବା ପାଇଁ ମୁଁ ମୋର ପୂର୍ବ ପରୀକ୍ଷିତ ନିରବ କଳାପତାକା ପଦ୍ଧତି ପ୍ରୟୋଗ କରି ଏକ ନୂଆ ଆନ୍ଦୋଳନର ଯୋଯନା ପ୍ରସ୍ତୁତ କରିଥିଲି ଓ ବିଧାନସଭା ସମ୍ମୁଖସ୍ଥ ଅବିସ୍ମରଣୀୟ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଆଗରୁ ପ୍ରତିଦିନ କଳାପତାକା ସହ ବାହାରି ରାଜଭବନ ସମ୍ମୁଖରେ ଥିବା କୁଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇ ସରକାର ତଥା ଇଂରାଜୀମନସ୍କ ରାଜଧାନୀବାସୀଙ୍କୁ ନିୟମିତ ଝଟକା ଦେବି ବୋଲି ଠିକ୍ କଲି ।

ସେତେବେଳେ ମୋର ଏକାନ୍ତ ଅନୁଗତ ଥିବା ପବିତ୍ର ମହାରଥା ମୋ ସହ ରହିବାକୁ ତତ୍କାଳ ରାଜି ହୋଇଗଲେ ଓ ପ୍ରଦ୍ଯୁମ୍ନ ଶତପଥୀଙ୍କୁ ହଳେଇଲେ ।

ଏକାଧିକ ବାର ଆଲୋଚନାରେ ମୁଁ ତାଙ୍କୁ ବୁଝାଇଲି କି, ମୋ ପଦ୍ଧତି ଓ ସ୍ଥାନ ନିରୁପଣ ସମ୍ପୂର୍ଣ୍ଣ ଆଇନାନୁବର୍ତ୍ତୀ ଓ ନିରାପଦ ।

ତା ପରେ ସେ ରାଜି ହେଲେ ଓ କଳାପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗାଡ଼ କରିଦେବେ ବୋଲି ଦୃଢ଼ତା ପ୍ରକାଶ କଲେ , ଯାହା ସେ କରିଚାଲିଲେ ମଧ୍ୟ । ଫଳରେ ସରକାରଙ୍କ ସହ ବୌଦ୍ଧିକ ଲଢ଼େଇ ମୋ ପାଇଁ ସହଜ ହୋଇଥିଲା ଓ ଆମେ ସଫଳତା ଦିଗକୁ ଚାଲିଥିଲୁ ।

ଅସୁବିଧା ଆରମ୍ଭ ହେଲା ଯେଉଁ ଦିନ ପବିତ୍ର ମହାରଥା ଭାଷା ଆନ୍ଦୋଳନର ପାଣ୍ଠି ତୋଷରପାତ କରିଥିବା ମୁଁ ଜାଣିଲି ଓ ତାଙ୍କୁ ହିସାବ ମାଗିଲି । ତେଲି ଓ ତେଲ ଏକ୍ ହେଲା ପରି ଏ ଦୁହେଁ ଏକ୍ ହୋଇଗଲେ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ପର୍କୀୟ ଜଣେ ଓକିଲଙ୍କ ମାଧ୍ୟମରେ ପ୍ରସ୍ତାବ ଦେଲେ କି ପବିତ୍ରଙ୍କ ଅପରାଧ ଉପରେ ଘାଣ୍ଟଚକଟ ନ ହେଉ । ପବିତ୍ର ହିସାବ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଚିନ୍ତା କରାଯାଇପାରେ ବୋଲି ମୁଁ କହିଥିଲି । ଓକିଲ ମହାଶୟ ତହିଁ ପରଦିନ ସକାଳେ ମୋ ପାଖକୁ ଆସି ଏ ସମ୍ପର୍କରେ ଅଧିକ ଆଲୋଚନା କରିବେ ବୋଲି ମୋତେ କହିଥିଲେ । ଆସିଲେ ନାହିଁ; କିନ୍ତୁ ଭାଷା ଆନ୍ଦୋଳନରେ ଏପରି ସଙ୍କଟ ସୃଷ୍ଟି କରାଗଲା, ଯେପରି ତାର ପାଣ୍ଠି ତୋଷରପାତ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୋର ଅଧିକାର କ୍ଷୁର୍ଣ୍ଣ ହୁଏ ।

ଭାଷା ଆନ୍ଦୋଳନର ଲକ୍ଷ୍ୟ ନଷ୍ଟ କରିବାକୁ ଏ ଦୁହେଁ ସରକାରଙ୍କ ସହ ଗୋପନ ବୁଝାମଣା କରିବା ବି ଏହି ଆର୍ଥିକ ଦୁରାଚାରରୁ ସମ୍ଭୂତ । ସେଥିପାଇଁ ଆହୂତ ହୋଇ ମଧ୍ୟ ଏମାନେ କହିପାରୁନାହାନ୍ତି କେଉଁ କାରଣ ହେତୁ ଏମାନେ ଆମ ଭାଷା ଆଇନରେ ଯୋଗ ହୋଇଥିବା ତହିଁର ହାନିକାରକ 4-କ ଧାରାକୁ ସ୍ଵାଗତ ଜଣାଇଛନ୍ତି ।

ଓଡ଼ିଆ ଭାଷା ପ୍ରତି ଏପରି ଜଘନ୍ୟ ବିଶ୍ଵାସଘାତକତା ଏହା ପୂର୍ବରୁ କେହି ବି କେବେ କରିନଥିଲେ ।

ଦୁଇ ଆତତାୟୀଙ୍କ ହେତୁ ଓଡ଼ିଆ ଭାଷାଜନନୀ ବିପଦାପନ୍ନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆଜି ସେପ୍ଟେମ୍ବର ୧୧, ୨୦୧୮ । ଆଜିକୁ ୧୪୭ ବର୍ଷ ତଳେ , ୧୮୭୦ର ଏହି ଦିବସରେ ଭାଷା ଭିତ୍ତିରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ସୃଷ୍ଟିର ପ୍ରଥମ ଦାବି ଉଠିଥିଲା ଗଂଜାମ ଜିଲ୍ଲାର ଘୁମୁସର ତାଲୁକ ରସୁଲକୋଣ୍ଡା ମୁକାମରେ ପୁଣ୍ୟଶ୍ଳୋକ ଦୀନବନ୍ଧୁ ପଟ୍ଟନାୟକଙ୍କ ଉଦ୍ୟମରେ ।

ଓଡ଼ିଆରେ ସମସ୍ତ ପ୍ରଶାସନିକ କାର୍ଯ୍ୟ ପରିଚାଳନା ପାଇଁ ଯେଉଁ ଓଡିଶା ପ୍ରଦେଶ ସୃଷ୍ଟି ହେଲା, ସେହି ପ୍ରଦେଶରେ ଏବେ ବି ଓଡ଼ିଆ ଭାଷା ପ୍ରଶାସନର ଭାଷା ହୋଇପାରିନି । ୧୯୫୪ର ଏହି ମାସରେ ସମ୍ବିଧାନ ଅନୁସାରେ ଗଠିତ ପ୍ରଥମ ବିଧାନସଭାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓଡ଼ିଆରେ ଓଡ଼ିଶାର ପରିଚାଳନା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରବର୍ତ୍ତନ କଲେ । କିନ୍ତୁ ତହିଁର ଉଲ୍ଲଙ୍ଘନ ହେଲେ ଦଣ୍ଡବିଧାନର ବ୍ୟବସ୍ଥା ନଥିବା ହେତୁ ତାକୁ କେହି ମାନିଲେ ନାହିଁ ।

ମୋ ନିଜର ଗବେଷଣା ଦ୍ଵାରା ଏହା ମୁଁ ନିରୂପଣ କଲା ପରେ ୨୦୧୫ର ଏହି ସେପ୍ଟେମ୍ବର ମାସ ୩ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ସରକାରଙ୍କୁ ମୁଁ ଏହା ଅବଗତ କରାଇଥିଲି ଓ ଆଇନଟି କିପରି ସଂଶୋଧନ ହେଲେ କାର୍ଯ୍ୟକାରୀ ହେବ ତାହାର ଚିଠା କରି ମଧ୍ୟ ଦେଇଥିଲି । ତହିଁରେ ମୁଖ୍ଯତଃ ଦୁଇଟି ବ୍ୟବସ୍ଥା ପ୍ରସ୍ତାବିତ ହୋଇଥିଲା : (୧) ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ଓ (୨) ଏହାର ପ୍ରୟୋଗ ପାଇଁ ନିୟମାବଳୀ ପ୍ରଣୟନ ସକାଶେ ସରକାରଙ୍କୁ ଦିଆଯାଇନଥିବା କ୍ଷମତା ପ୍ରଦାନ ।

ଏହା କାର୍ଯ୍ୟକାରୀ ହେଲେ ନିଜେ ଓଡ଼ିଆରେ କାମ କରିନପାରି ଦଣ୍ଡବିଧାନର ସମ୍ମୁଖୀନ ହେବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ଆଉ ଧରାଛୁଆଁ ଦେଲେନି ଓ ମନ୍ତ୍ରୀସ୍ତରୀୟ କମିଟିଟିକୁ ଅକାମି କରାଇଦେଲେ ।

ତେଣୁ ଏହି ସଙ୍କଟ ପ୍ରତି ଜନସଚେତନତା ସୃଷ୍ଟି କରିବାକୁ ମୁଁ ମୋର ପରିସୃଷ୍ଟ ପଦ୍ଧତ୍ତି “ନୀରବ କଳାପତାକା ଅଭିଯାନ” ଆରମ୍ଭ କଲି ।

ଏହି ଅଭିଯାନରେ ମୋତେ ପ୍ରତିଦିନ ପତାକାଧାରୀ ଯୋଗାଉଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ଏହାର ସମ୍ବାଦ ଗଣମାଧ୍ୟମକୁ ପ୍ରେରଣ କରୁଥିଲେ ପବିତ୍ର ମହାରଥା । ଫଳରେ ସରକାରଙ୍କ ସହ ବୌଦ୍ଧିକ ସଂଘର୍ଷ କରି ଆଇନ ସଂଶୋଧନ କରାଇବା ମୋ ପାଇଁ ସହଜସାଧ୍ୟ ଥିଲା । ମୋ ପ୍ରସ୍ତାବର ଗୋଟିଏ ଅଂଶକୁ ୨୧. ୫. ୨୦୧୬ ତାରିଖରେ ଅଧ୍ୟାଦେଶ ବଳରେ ସରକାର କାର୍ଯ୍ୟକାରୀ କଲେ, ଯାହା ପରେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଆଇନ, ୨୦୧୬ ଭାବେ ପ୍ରବର୍ତ୍ତିତ ହେଲା । ଏଥି ବଳରେ ନିୟମାବଳୀ ପ୍ରଣୟନ ଓ ପ୍ରବର୍ତ୍ତନ ପାଇଁ ସରକାର ଅଧିକୃତ ହେଲେ । କିନ୍ତୁ ଦଣ୍ଡବିଧାନ ପାଇଁ ଉଦ୍ଦିଷ୍ଟ ମୋର ଅନ୍ୟ ପ୍ରସ୍ତାବଟି ଏହି ସଂଶୋଧନରେ ସ୍ଥାନିତ ହେଲାନାହିଁ । କଳାପତାକା ଅଭିଯାନ ଚାଲୁରହିଲା ଓ ମୁଖ୍ୟମନ୍ତ୍ରୀ କିପରି ତାଙ୍କ ପିତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରେ ପାଇଥିବା ଓଡ଼ିଆ ଭାଷା ବିରୋଧୀ ମନୋବୃତ୍ତି ହେତୁ ଓଡ଼ିଆ ଭାଷାକୁ ଜଖମ କରି ରଖିବାକୁ ଚାହାନ୍ତି ତାହା ଦର୍ଶାଇବାକୁ ତାଙ୍କ ବାପା ଓଡ଼ିଆ ଭାଷା ବିରୁଦ୍ଧରେ କରିଥିବା ଷଡ଼ଯନ୍ତ୍ରକୁ ‘ବିଜୁଙ୍କ ଛୁରା’ ଶୀର୍ଷକରେ ମୁଁ କ୍ରମାଗତ ଲେଖିବା ଆରମ୍ଭ କଲି । ଏଥିରେ ଚମକି, ଆଇନଟି କିପରି କାର୍ଯ୍ୟକାରୀ ହୋଇପାରିବ ତହିଁ ଉପରେ ୧୯. ୫. ୨୦୧୭ରେ ମୋ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସେଠାକୁ ମୁଁ ଉପରୋକ୍ତ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ନେଇଯାଇଥିଲି ।

ସେହି ଅବସରରେ, ଏହି ଉଭୟଙ୍କ ଉପସ୍ଥିତିରେ ଏକ ଲିଖିତ ସ୍ମାରକପତ୍ର ଦେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ସ୍ପଷ୍ଟ ପରାମର୍ଶ ଦେଲି । (୧) ଭାଷା ଆଇନରେ ୨୦୧୬ ସଂଶୋଧନ ଆଳରେ ଅବୈଧ ଭାବେ ଯୋଡ଼ା ହୋଇଥିବା ଧାରା – ୪ ଅତ୍ୟନ୍ତ ଦୁର୍ବଳ, ଅକୁଳାନ ଓ ଲକ୍ଷ୍ୟହୀନ ହୋଇଥିବା ହେତୁ ତାହାକୁ ସଂଶୋଧିତ ବା ପରିବର୍ତ୍ତିତ କରାଯାଇ ଉଲ୍ଲେଖ କରାଯାଉ କି, “ଭାଷା ଆଇନ ଉଲ୍ଲଙ୍ଘନ ହେବା ବିରୁଦ୍ଧରେ କାହାପାଖରେ କିପରି ଅଭିଯୋଗ ଦାଖଲ ହେବ ତାହା ନିୟମାବଳୀରେ ସ୍ପଷ୍ଟ କରି ସରକାର ଜନସାଧାରଣଙ୍କଠାରୁ ଅଭିଯୋଗ ଗ୍ରହଣ କରିବେ ଏବଂ ଏପରି ଅଭିଯୋଗ ଅଧିକନ୍ତୁ , ଭାଷା ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମକଦ୍ଦମା କରିବାକୁ ଓଡ଼ିଶାର ଯେ କୌଣସି ବ୍ୟକ୍ତିର ଅଧିକାର ପ୍ରତି କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ନକରି, ଭାଷା ଆଇନର ଅଧିସୂଚନାଗୁଡ଼ିକ କେହି ଅମାନ୍ୟ କରୁଛି କି ନାହିଁ ତାହା ନିଜ ଆଡୁ ତନଖି କରି ଅମାନ୍ୟକାରୀ ବିରୁଦ୍ଧରେ ଦଣ୍ଡବିଧି ବ୍ୟବସ୍ଥା ପ୍ରୟୋଗ କରିବେ ।” ଏବଂ (୨) ସଂଶୋଧିତ ଭାଷା ଆଇନ (୨୦୧୬) ଦ୍ଵାରା ଯେଉଁ ନିୟମାବଳୀ ପ୍ରବର୍ତ୍ତିତ ହୋଇଛି ତାହା ଆଇନର ଉଦ୍ଦେଶ୍ୟସିଦ୍ଧିର ଅନ୍ତରାୟ ହୋଇଥିବା ହେତୁ ତାକୁ ପରିହାର କରାଯାଇ ସରକାରୀ ୱେବସାଇଟରେ ସ୍ଥାନିତ ହୋଇଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଚିଠା ନିୟମାବଳୀକୁ ପ୍ରବର୍ତ୍ତିତ କରିବେ ।”

ଏତଦନୁଯାୟୀ , ଓଡ଼ିଆରେ କାମ ନ କରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଚଳିତ ବର୍ଷ ମଇ ପହିଲାରେ ବିଧେୟକ ପାରିତ ହୋଇ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ, ୨୦୧୮ ଜନ୍ମ ନେଲା । କିନ୍ତୁ ଏହି ସଂଶୋଧନ ଥିଲା ସମ୍ପୂର୍ଣ ତଞ୍ଚକତାପୂର୍ଣ୍ଣ ।

ସବୁଦିନପାଇଁ ଓଡ଼ିଶା ସରକାରୀ ଭାଷା ଆଇନକୁ ଅକାମି କରାଇଦେବା ସକାଶେ ଏଥିରେ ୪-କ ନାମକ ଏକ ନୂଆ ଧାରା ଖଞ୍ଜା ଯାଇ ଅତି ଅବୈଧ ଭାବେ ମୂଳ ଭାଷା ଆଇନର ସୀମା ସଂକୋଚନ କରାଯାଇଛି ଓ ଏହାର କାର୍ଯ୍ୟକାରିତାକୁ କର୍ମଚାରୀଙ୍କ ମର୍ଜୀ ପାଖରେ ବନ୍ଧା ପକାଇ ଦିଆଯାଇଛି ଏବଂ ଆଇନ ଉଲ୍ଲଙ୍ଘନ କଲେ କର୍ମଚାରୀଙ୍କ ବଦଳରେ ଜନସାଧାରଣ କିପରି ଦଣ୍ଡିତ ହେବେ ତା ପାଇଁ ବ୍ୟବସ୍ଥା କରାଯାଇଛି ।

ଓଡ଼ିଆ ଜାତି ବିରୁଦ୍ଧରେ ଏହି ଭୟଙ୍କର ଷଡ଼ଯନ୍ତ୍ରକୁ ବିରୋଧ କରି କଳାପତାକା ଅଭିଯାନକୁ ଅଧିକ ଜୋରଦାର କରିବା ଉପରେ ମୁଁ ଗୁରୁତ୍ବ ଦେଲି । ମାତ୍ର ସେତେବେଳକୁ ବୋଧେ ମୋର ଉପରୋକ୍ତ ଦୁଇ ସହକର୍ମୀଙ୍କୁ ସରକାର ପୋଷାମନାଇ ସାରିଥିଲେ । କାରଣ ସେମାନେ କଳାପତାକା ଅଭିଯାନ ଅତି କମ୍ ଦୁଇମାସ ସ୍ଥଗିତ ରଖିବାକୁ ଜିଦ୍ କଲେ । ଯେହେତୁ ଏହି ନୂତନ ଧାରାରେ ବିହିତ ଦଣ୍ଡବିଧାନ ପାଇଁ ନିୟମାବଳୀରେ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ ଥିଲା , ସେହେତୁ ନିୟମାବଳୀ ସଂଶୋଧନ ପର୍ଯ୍ୟନ୍ତ କଳାପତାକା ଅଭିଯାନ ସ୍ଥଗିତ ରଖିବା ଉଚିତ ବୋଲି ସେମାନଙ୍କ ଯୁକ୍ତିଥିଲା । ସଂଶୋଧନ ବିଧାୟକରେ ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେହେତୁ ୨୬. ୧୨. ୨୦୧୭ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ପ୍ରସ୍ତାବ ଉପରେ ଯେହେତୁ ସଂଶୋଧନଟି ଆଧାରିତ ଓ ସେହି କ୍ୟାବିନେଟ ପ୍ରସ୍ତାବ ଯେହେତୁ ଭାଷା ଆଇନର ସୀମା ସଂକୋଚନ ପରି ଉପର ଲିଖିତ ଉପସର୍ଗଗୁଡ଼ିକ ସୃଷ୍ଟି କରିଛି ସେହେତୁ ଏହାକୁ ସମ୍ପୂର୍ଣ ବିଲୋପିତ କରାନଗଲେ ଆମ ଭାଷା ଉପରୁ ବିପତ୍ତି ହଟିବା ଅସମ୍ଭବ ବୋଲି ମୁଁ ଯେତେ ବୁଝାଇଲି, ଶତପଥୀ ଓ ମହାରଥା ନିଜ ଜିଦ୍ ଅଟଳ ରଖିଲେ । କଳାପତାକା ଅଭିଯାନଟି ବାସ୍ତବରେ ଚଳାଇବା ପାଇଁ ମୁଁ ଏହି ଦୁଇଜଣଙ୍କ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଥିଲି । ଫଳରେ ଏମାନଙ୍କ କଥା ଅନୁସାରେ ଦୁଇ ମାସ ପାଇଁ କଳାପତାକା ଅଭିଯାନ ସ୍ଥଗିତ ରହିଲା । କିନ୍ତୁ ଯେହେତୁ ମୋ ବିଚାରରେ ଏହି ସଂଶୋଧନଟିକୁ ସମ୍ପୂର୍ଣ ପରିହାର କରାନଗଲେ ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ କେବେ ସମ୍ଭବ ହେବନାହିଁ , ସେହେତୁ ଏହି ସଂଶୋଧନ ବିଧେୟକଟିକୁ ଅନୁମୋଦନ ନକରି ବିଧାନସଭାକୁ ଫେରାଇ ଦିଆଯାଉ ବୋଲି ମୁଁ ଓଡ଼ିଶା ରାଜ୍ୟପାଳଙ୍କୁ ମଇ ୨୪,୨୦୧୮ରେ ଅନୁରୋଧ କଲି । ତାହା କାମ କଲାନାହିଁ । ଜୁନ ୨୯,୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖି ମୋର ଅନୁରୋଧ ଦୋହରାଇଲି ଓ ୧୪.୦୩.୨୦୧୮ର କ୍ୟାବିନେଟ ପ୍ରସ୍ତାବକୁ ସମ୍ପୂର୍ଣ କବର ଦେଇ , ଏକ ପୁରୁଣା ଓ ଦୋଷପୂର୍ଣ୍ଣ ପ୍ରସ୍ତାବ ଉପରେ ଏହି ସଂଶୋଧନ ଆଧାରିତ କରି ଯେଉଁ ଶାସନସଚିବ ଓଡ଼ିଆ ଭାଷାକୁ ମାରିଦେବାପାଇଁ ଚକ୍ରାନ୍ତ କଲେ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକଲି ।

ନିଜ ଭୁଲ ସୁଧାରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ କଳାପତାକା ଅଭିଯାନକୁ ହତ୍ୟା କରିବା ପାଇଁ ଉପରୋକ୍ତ ଶତପଥୀ ଓ ମହାରଥାଙ୍କୁ ସୁପାରୀ ଦେଇଥିବା ମନେହୁଏ । କାରଣ ଏ ଦୁଇଜଣ ଜୁଲାଇ ୨ରେ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନର ୩ୟ ପର୍ଯ୍ୟାୟକୁ ଆଉ ୧୫ ଦିନ ଘୁଞ୍ଚାଇଦେବାକୁ ଜିଦ୍ କଲେ ଓ ସେମାନଙ୍କ ଉପରେ ମୁଁ ନିର୍ଭର କରୁଥିବା ହେତୁ ଅଗତ୍ୟା ତହିଁରେ ରାଜି ହେଲି ।

ଜୁଲାଇ ୧୬ରେ କଳାପତାକା ଅଭିଯାନ ଆରମ୍ଭ ହେଲା । ଏମାନେ ଅଭିଯାନର ଆରମ୍ଭ ସ୍ଥଳ – ବିଧାନସଭା ସମ୍ମୁଖସ୍ଥ ନବବାବୁଙ୍କ ପ୍ରତିମୂର୍ତ୍ତି – ପାଖକୁ ଆସିଲେ ନାହିଁ । ଆମେମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଥିବାବେଳେ ହଠାତ ଆସି କହିଲେ , “ବିଧାନସଭାରେ ଆପଣ କହିଥିବା ଅନୁସାରେ ଆଇନ ସଂଶୋଧନ ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି, ତେଣୁ କଳାପତାକା ଅଭିଯାନ ବିଧାନସଭାଯାଏଁ ସ୍ଥଗିତ ରଖିବାକୁ ଆମେ ତାଙ୍କୁ ପ୍ରତିଶ୍ରୁତି ଦେଇଛୁ ।” ମୋ ପାଇଁ ଏମାନଙ୍କ ଏହି ଅନଧିକୃତ ଆଚରଣ ଥିଲା ଏକ ଅତ୍ୟନ୍ତ ଆକସ୍ମିକ ଆଘାତ । ମୁଁ ପ୍ରତିବାଦ କଲି ଓ ସରକାର ଅଧ୍ୟାଦେଶ ଜାରିକରିବା ପର୍ଯ୍ୟନ୍ତ ବା ଏକ ପ୍ରେସ ନୋଟ ଜାରିକରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉପରେ ଗୁରୁତ୍ବ ଦେଲି । ଏ ଉଭୟେ ଆଉ ପାଞ୍ଚଜଣ ଲୋକଙ୍କୁ ସାଙ୍ଗରେ ଧରି ସନ୍ଧ୍ୟାବେଳେ ଗଣମାଧ୍ୟମରେ ପ୍ରଚାର କଲେ ଯେ, ଭାଷା ଆନ୍ଦୋଳନର ନିଷ୍ପତ୍ତି କ୍ରମେ କଳାପତାକା ଅଭିଯାନ ସ୍ଥଗିତ ହୋଇଗଲା !

ଓଡ଼ିଆ ଜାତି କଳାପତାକା ଅଭିଯାନ ସ୍ଥଗିତ କରିନାହିଁ । ପ୍ରତିଦିନ ଯଥାରୀତି ଏ ଅଭିଯାନ ଚାଲିଛି ଓ ଓଡ଼ିଆ ଭାଷା ଉପରୁ ବିପତ୍ତି ହଟିବା ଯାଏଁ ଚାଲିବ ।

ପବିତ୍ର ମହାରଥା ଭାଷା ଆନ୍ଦୋଳନର ସ୍ମରଣିକା ବାହାନାରେ ବହୂଲକ୍ଷ ଟଙ୍କା ଖାଇଯାଇଛନ୍ତି । ଏହି ଅପରାଧକୁ ଘଣ୍ଟଘୋଡେଇବାକୁ ଚେଷ୍ଟା କରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ । ଏହି ଅପରାଧ ଜଣାପଡ଼ିଲା ପରେ ମୁଁ ଯେତେବେଳେ ମହାରଥାଙ୍କ ଠାରୁ କୈଫିୟତ ମାଗିଲି, ପ୍ରଦ୍ୟୁମ୍ନ ଶତପଥୀ ଚିଠି ମାଧ୍ୟମରେ ମୋତେ ପ୍ରାର୍ଥନା କରିଥିଲେ ଜୁଲାଇ ୧୬ ତାରିଖଯାଏଁ ଅପେକ୍ଷା କରିବାପାଇଁ ଓ ସାମ୍ବାଦିକ ଅସିତ ମହାନ୍ତିଙ୍କୁ ତଥା ଜନକୀଶ ବଡ଼ପଣ୍ଡାଙ୍କୁ ସାଙ୍ଗରେ ଧରି ମୋ ଘରକୁ ଆସି ତାଙ୍କ ଉପସ୍ଥିତିରେ ବି ମୋତେ ଏହି ପ୍ରାର୍ଥନା ପୁନରାୟ କରିଥିଲେ , ଯଦିଓ ଆଲୋଚନା କାଳରେ ମହାରଥାଙ୍କ ବିରୁଦ୍ଧରେ ଗୁଡ଼ାଏ ବିଷୋଦ୍ଗାର ବି କରିଥିଲେ । ଯାହା ମନେ ହୁଏ, ପବିତ୍ର ମହାରଥାଙ୍କ ଆର୍ଥିକ ଅପରାଧ ବିରୁଦ୍ଧରେ ମୁଁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଭାବେ ପୋଲିସରେ ଦେଇଥିବା ଅଭିଯୋଗକୁ ନିଷ୍ପ୍ରଭ କରିଦେବା ପାଇଁ ଭାଷା ଆନ୍ଦୋଳନରେ ସଙ୍କଟ ସୃଷ୍ଟି କରାଇବା ପ୍ରଦ୍ୟୁମ୍ନ ଶତପଥୀଙ୍କ ଚାଲ୍ ଥିଲା ଓ ସେ କେବଳ ସେଥିପାଇଁ କିଛି ସମୟ ଚାହୁଁଥିଲେ , ଯେଉଁ ସମୟରେ କି ଅର୍ଥମନ୍ତ୍ରୀଙ୍କ ସହ କଳାପତାକା ଅଭିଯାନକୁ ଖତମ କରିଦେବା ସକାଶେ ସୁପାରୀ ଆକାର ଚୂଡାନ୍ତ ହେବାର ଥିଲା । ଧୀରେ ଧୀରେ ମୋ ପାଖରେ ଖବର ପହଞ୍ଚିବାରେ ଲାଗିଛି କି ୧୦ ବର୍ଷ ଧରି ଚାକିରି ପରିତ୍ୟାଗ କରିଥିବା ପତ୍ନୀଙ୍କ ପୁନର୍ନିଯୁକ୍ତି ଓ ତଦ୍ଦ୍ଵାରା ତାଙ୍କର ପିଛିଲା ବେତନ ବାବଦରେ ଶତାଧିକ ଲକ୍ଷ ଟଙ୍କା ନଗଦ ପାଇବାର ଥୋପ ଉପରେ ପ୍ରଦ୍ଯୁମ୍ନ ଶତପଥୀ ଭାଷା ଆନ୍ଦୋଳନକୁ ଛୁରି ମାରିଛନ୍ତି । ଏହାର ପ୍ରମାଣ ସନ୍ଧାନରେ ମୁଁ ଅଛି ।

ଏ ଦୁଇ ଆତତାୟୀ ଯଦି ନିଜ ସ୍ଵାର୍ଥ ପାଇଁ ଏପରି କୁତ୍ସିତ ଆଚରଣ କରି ନଥାନ୍ତେ, ଚଳିତ ବିଧାନସଭାରେ ହିଁ ଭାଷା ଆଇନରେ କରାଯାଇଥିବା ଭୁଲ ସଂଶୋଧନ ସଂଶୋଧିତ ହୋଇ ଆଇନଟି ନିର୍ଭୁଲ ହୋଇପାରିଥାନ୍ତା ଓ ଆମ ଭାଷା ଉପରୁ ସରକାରୀ ସଙ୍କଟ ସବୁଦିନ ପାଇଁ ଅପସାରିତ ହୋଇଥାନ୍ତା ।

କଳାପତାକା ଅଭିଯାନ ସ୍ଥଗିତ ରହିଛି ବୋଲି ଏହି ଦୁଇ ସ୍ବାର୍ଥାନ୍ବେଷୀ ଆତତାୟୀ ଯେଉଁ ପ୍ରଚାର କଲେ, ତାହା ମିଥ୍ୟା ଦର୍ଶାଇବାକୁ ରଞ୍ଜନ କୁମାର ଦାସ ଓ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ କେନ୍ଦ୍ରାପଡା ଓ କଟକର ୮ ଜଣ ଭାଷାପ୍ରାଣ ଯୁବନେତା ସତ୍ୟଭାମାପୁରରେ ଥିବା ମଧୁବାବୁଙ୍କ ଅନ୍ତୁଡ଼ିଘରଠାରୁ ୮୭ କିଲୋମିଟର ପଥ କଳାପତାକା ସହ ପାଦରେ ଚାଲିଚାଲି ଅଗଷ୍ଟ ୧୭ ତାରିଖରେ ଭୁବନେଶ୍ୱରରେ ଅଭିଯାନ ଚଳାଇ ସରକାରଙ୍କୁ ଛାନିଆ କଲା ପରେ, ସରକାର ଜନସାଧାରଣଙ୍କୁ ଭୁତେଇଦେବା ପାଇଁ ୨୧ ତାରିଖରେ ଆଦେଶ ଜାରି କଲେ କି, ଓଡ଼ିଶାର ସର୍ବତ୍ର ୧୫ ଦିନ ମଧ୍ୟରେ ସରକାରୀ ଓ ବେପାରୀ ପ୍ରତିଷ୍ଠାନର ନାମ ଓ ପ୍ରଜ୍ଞାପନ ଫଳକ ଓଡ଼ିଆରେ ନ ଲେଖିଲେ ଦଣ୍ଡବିଧାନ ହେବ । ତାହା ଏଯାଏଁ ହୋଇନାହିଁ । କାରଣ ଏଥିପାଇଁ ଆଇନଟି ଯାହା ହେବା କଥା ତାହା ହୋଇନାହିଁ । ସତେ ଯେମିତି ଗବାମାନେ ହିଁ ବିଧାନସଭାରେ ବସୁଛନ୍ତି, ମତଲବଖୋର ଅମଲାତନ୍ତ୍ର ଯେପରି ଆଇନ ଚିଠା କଲା ସେହିପରି ତାହା ପାରିତ ହେଲା !

ଠିକ୍ ଏହିପରି ଏ ମାସ ୫ ତାରିଖରେ ଭାଷା ଆନ୍ଦୋଳନର ଉପସଭାପତି କମଳ ଲୋଚନ ନାୟକ ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ବିଭୂଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ ବରୁଣାଇ ପୀଠଠାରୁ ଭୟଙ୍କର ବର୍ଷା ସତ୍ତ୍ଵେ ୧୦ ଜଣ ଭାଷାପ୍ରାଣ ପାଦରେ ଚାଲି ଚାଲି କଳାପତାକା ସହ ଭୁବନେଶ୍ୱରରେ ପହଞ୍ଚି ରାଜଧାନୀର ଛାତି ଚହଲାଇ ଦେଲାପରେ ସରକାର ଅତର୍ଛରେ ଭାଷା ଆଇନ ସଂଶୋଧନ ପ୍ରସ୍ତାବ ଗ୍ରହଣ କରିଛନ୍ତି କ୍ୟାବିନେଟରେ । କିନ୍ତୁ ଖଳବୁଦ୍ଧି ଛାଡ଼ିନାହାନ୍ତି ।

ବିଧାନସଭା ନିକଟରେ ସରକାର ଏଯାଏଁ ଏ ପ୍ରସ୍ତାବ ରଖିନାହାନ୍ତି ; କିନ୍ତୁ କ୍ୟାବିନେଟରେ ଗୃହୀତ ଏହି ପ୍ରସ୍ତାବ ମୁଁ ପାଇଛି । ଏହାକୁ ଯଦି ସରକାର ଏହି ବିଧାନସଭାରେ ଆଇନର ରୂପ ଦିଅନ୍ତି ତେବେ ତାହା ହେବ ଓଡ଼ିଆ ଭାଷା ଜନନୀ ଉପରେ ଏକ ମର୍ମନ୍ତୁଦ ମରଣ ଆଘାତ । କାରଣ,ତାହା ମଇ ପହିଲାର କୁତ୍ସିତ ଅଭିସନ୍ଧିସମ୍ପନ୍ନ ସଂଶୋଧନକୁ ବିଲୋପ କରିବା ପରିବର୍ତ୍ତେ ଅଧିକ ଆଇନସମ୍ମତ କରାଇବ ।

ଓଡ଼ିଆ ଭାଷାଜନନୀ ଉପର ଉଲ୍ଲିଖିତ ଦୁଇ ଆତତାୟୀଙ୍କ ଦ୍ଵାରା ଯେପରି ବିପତ୍ତିରେ ପଡିଛି ସେପରି ସଙ୍କଟ କେବେ ବି ସୃଷ୍ଟି ହୋଇ ନଥିଲା ତା ଜୀବନରେ ଆଜିଯାଏଁ । ଓଡ଼ିଆ ଭାଷାକୁ ନେଇ ସାହିତ୍ୟ ଲେଖୁଥିବା, ନିଜକୁ ଓଡ଼ିଆ ବୋଲି କହି ଗର୍ବ କରୁଥିବା ପ୍ରତି ଶିକ୍ଷିତ ସଚେତନ ବ୍ୟକ୍ତି ନିଜ ଭାଷା ଉପରେ ପଡିଥିବା ଏହି ସଙ୍କଟ ଅବିଳମ୍ବେ ଅନୁଧ୍ୟାନ କରନ୍ତୁ ଓ ଏହାର ନିରାକରଣ ପାଇଁ ୨୦୧୮ ମଇ ପହିଲାର ସଂଶୋଧନ ବିଲୋପ କରିବାକୁ ଓ ବିଧାନସଭାର ଚଳିତ ଅଧିବେଶନରେ ଆସିବାକୁ ଥିବା ପ୍ରମାଦପୂର୍ଣ୍ଣ ସଂଶୋଧନ ପରିବର୍ତ୍ତେ ଏକ ନିର୍ଭୁଲ ସଂଶୋଧନ ପାଇଁ ଦାବି ତୋଳନ୍ତୁ ।

କାରଣ, ଆଜକୁ ୧୪୭ ବର୍ଷ ତଳେ ଯେଉଁ ସ୍ଵପ୍ନ ସ୍ଵତନ୍ତ୍ର ଓଡିଶା ପ୍ରଦେଶକୁ ସୃଷ୍ଟି କରିଥିଲା, ସେହି ସ୍ଵପ୍ନକୁ ଉଜୁଡ଼ି ଯିବାକୁ ଆମେ ଦେବା ନାହିଁ ।

ଓଡ଼ିଆ ଭାଷା ଜାତୀୟତା ସୃଷ୍ଟି ପାଇଁ ଗଙ୍ଗାଧର ମେହେରଙ୍କ ସାରସ୍ବତ ବିପ୍ଳବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସମ୍ବଲପୁର ଅଂଚଳ – ଯାହାକୁ ସାଧାରଣତଃ ପଶ୍ଚିମ ଓଡ଼ିଶା କୁହାହେଉଛି – ଇଂରାଜୀ କବଳରେ ପଡ଼ି ମଧ୍ୟପ୍ରଦେଶ ଅନ୍ତର୍ଗତ ହୋଇଗଲା ଏବଂ ଓଡ଼ିଆ ପରିବର୍ତ୍ତେ ସେଠାରେ ୧୮୯୬ ଜାନୁଆରୀ ପହିଲାରୁ ହିନ୍ଦୀ ହିଁ ରାଜଭାଷା ହେବ ବୋଲି ଆଦେଶ ହେଲା ।

ଏହା ବିରୁଦ୍ଧରେ ଯେଉଁ ଅତୁଳନୀୟ ଜନ ଆନ୍ଦୋଳନ ହେଲା ତାହା ମୁଁ ଅନ୍ୟତ୍ର ଲେଖିଛି । ଏହି ପ୍ରତିବେଦନରେ ମୁଁ କେବଳ ଏହି ଆନ୍ଦୋଳନ ପ୍ରତି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅବଦାନ ଉଲ୍ଲେଖ କରିବି; କାରଣ ଆଜି ତାଙ୍କର ଶୁଭ ଜନ୍ମଦିନ ।

ବିଲାତି ସରକାରଙ୍କ ପ୍ରିୟପାତ୍ର ହୋଇ ରହିବାକୁ ବ୍ୟାକୁଳ ଥିବା ସେ ଅଂଚଳର ବାମଣ୍ଡା,ବଲାଙ୍ଗୀର,କଳାହାଣ୍ଡି,ସୁବର୍ଣ୍ଣପୁର,ବରପଲ୍ଲୀ ଆଦି ରାଜ୍ୟର ରାଜା ଜମିଦାରମାନେ ଓଡ଼ିଆ ଜାତିର ଏହି ଚରମ ଦୁର୍ଦ୍ଦିନରେ ପ୍ରତିବାଦ କରିବା ପରିବର୍ତ୍ତେ ମଉଜ ମଜଲିସରେ ମାତିଥିଲେ ଓ ସବୁ ଦେଖି କିଛି ନଦେଖିଲା ପରି ରହିଥିଲେ ।
ଉତ୍କଳଭାରତୀଙ୍କ ନିବେଦନ ଶୀର୍ଷକ ଏକ କବିତା ମାଧ୍ୟମରେ ଗଙ୍ଗାଧର ଜଣାଇଥିଲେ ତହିଁର ତୀବ୍ର ପ୍ରତିବାଦ ।

ବଲାଙ୍ଗୀର ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ :

“ରାମଚନ୍ଦ୍ର ଦେବ ପାଟଣା ମହୀମଣ୍ଡଳେ ଶୂର
ବାଘ ମାରିବାକୁ ବୁଲୁଛ ବଣେ ନିଶି ବାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମର କିଛି ନଜର ନାଇଁ ?
ଏ ଗାଈଟି ମଲେ ମିଳିବ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାନ ବୀର ।”

ସେହିପରି କଳାହାଣ୍ଡି ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ,

“ଦେଖା କି ନା ରଘୁକିଶୋର କଳାହାଣ୍ଡି ଭୂପତି
ଘର ଭାତ ହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ ?
ସେହି ଭାତ ହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି ।”

ମେହେରଙ୍କ ଭର୍ତ୍ସନାରୁ ରକ୍ଷା ପାଇପାରିନଥିଲେ ସୁବର୍ଣପୁରର ରାଜା । ସେ ତାଙ୍କୁ ତାଙ୍କ ସଂସ୍କୃତପ୍ରୀତି କଥା ଚେତେଇ ଦେଇ ମାତୃଭାଷା ପ୍ରତି ଅବହେଳା ପାଇଁ ଆକ୍ଷେପ କରି କହିଥିଲେ,

“ସୁବର୍ଣ୍ଣପୁରପତି ବସିଛ ସ୍ଵର୍ଣ୍ଣମୟ ଆସନେ
ସଂସ୍କୃତେ ମାତିଛ ମୋ କଥା କାହିଁ ପଡିବ ମନେ?”

ଏପରିକି ତାଙ୍କ ନିଜ ରାଜ୍ୟ ବରପାଲିର ଜମିଦାରଙ୍କୁ ଓଡ଼ିଆ ଭାଷା ପ୍ରତି ଅବହେଳା ସକାଶେ କଠୋର ସମାଲୋଚନା କରିବାକୁ କୁଣ୍ଠିତ ହୋଇନଥିଲେ ସ୍ଵଭାଵ କବି । ଓଡ଼ିଆ ଭାଷା ସପକ୍ଷରେ କଥା କହିଲେ କାଳେ ବିଲାତି ସରକାର ଉପାଧି ଛଡାଇନେବେ ସେହି ଭୟରେ ସେ ନୀରବ ଥିବାର ଆକ୍ଷେପ ଉତ୍କଳ ଭାରତୀଙ୍କ ରୋଦନ ଆଳରେ ପ୍ରକଟିଉଠିଥିଲା କବି କଲମରୁ :

“ବରପଲ୍ଲୀପତି ଜାଣଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେଅଧେ ବଚନ ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ !”

ମାତୃଭାଷା ଓଡ଼ିଆର ବିକାଶ, ବିସ୍ତାର ଓ ସୁରକ୍ଷା ପାଇଁ ନିଜ ନିଜକୁ ଉତ୍ସର୍ଗ କରିଥିବା ପ୍ରଜାବର୍ଗଙ୍କୁ ଏହି କବିତାରେ ହାର୍ଦ୍ଦିକ ପ୍ରଶଂସା କରି ଉପରୋକ୍ତ ରାଜାମାନଙ୍କୁ ସେମାନଙ୍କ ବିଦେଶୀ ଭାଷା ପ୍ରୀତି ପାଇଁ ସ୍ଵଭାଵ କବି ଯେଉଁ କାଟୁ ଭର୍ସନା କରିଥିଲେ ତାହା କେବଳ ଅନନ୍ୟ ଥିଲା ତା ନୁହେଁ, ସମ୍ବଲପୁର ଅଂଚଳରେ ଭାରତର ପ୍ରଥମ ଭାଷା-ଜାତୀୟତାର ଯେଉଁ ଉନ୍ମେଷ ଓ ବିକାଶ ଘଟିଥିଲା , ଯାହା ସହଜ କରିଦେଇଥିଲା ଓଡିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ, ତାହା ମୂଳରେ ବି ଥିଲା ଗଙ୍ଗାଧରଙ୍କ ଏହି ଅକୁତୋଭୟ ସାରସ୍ବତ ବିପ୍ଳବ ।

ଭାଷା ଆନ୍ଦୋଳନ : ଅର୍ଥମନ୍ତ୍ରୀଙ୍କ ଭୂମିକା ସନ୍ଦେହଘେରରେ

ସ୍ୱତନ୍ତ୍ର ପ୍ରତିନିଧି

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।

କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।

ତହିଁରେ ସେ ଲେଖିଛନ୍ତି,

“ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”

ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :

(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?

ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।

ପ୍ରତିଜ୍ଞା ଟିଭିରେ ଭାଷା ପାଇଁ ଓଡ଼ିଆର ଲଢ଼େଇ: ଭାଙ୍ଗିଯିବ ବଇରୀଙ୍କ ବଡ଼େଇ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସଂଶୋଧନ ଆଳରେ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ସବୁଦିନପାଇଁ ଅକର୍ମଣ୍ୟ କରିଦେବାକୁ ତହିଁରେ ଧାରା ୩କକୁ କାଏମ ରଖି ଧାରା  ୪ ଓ ଧାରା ୪କ ପରି ଯେଉଁ କ୍ଷତିକାରକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଖଞ୍ଜିଛନ୍ତି ତାହା ଓଡ଼ିଆ ଜାତିର ଆଜନ୍ମ ବଇରୀ ହିଁ କେବଳ କରିପାରେ ।  ସେ ତାହା କରିଛନ୍ତି । କାରଣ ବାବୁ ନବୀନ ପଟ୍ଟନାୟକ ଜଣେ ଆଜନ୍ମ ଓଡ଼ିଆ ବିରୋଧୀ ବ୍ୟକ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶା ସରକାରୀ ଭାଷା ଆଇନକୁ ଅତି ଅନଧିକୃତ ଭାବେ ୧୯୬୩ରେ ସଂଶୋଧିତ କରି ଇଂରାଜୀ ଭାଷାକୁ ବିଧାନସଭାରେ ସରକାରୀ ଭାଷା କରାଇଦେଇଥିଲେ, ଯାହା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ବସ୍ତୁତଃ ଅଚଳ କରିଦେଇଛି । ପିତାଙ୍କ ପଥ ଅନୁସରଣ କରି ନବୀନ ବାବୁ ବି ଓଡ଼ିଆ ଭାଷାକୁ ମୁମୂର୍ଷୁତର କରାଇଛନ୍ତି । ଏପରିକି, ଗତ ବିଧାନସଭାରେ ପୁନଶ୍ଚ ଏକ ସଂଶୋଧନ ଆଣି ମୂଳ ଭାଷା ଆଇନକୁ ମଧ୍ୟ ଅକାମି କରିଦେଇଛନ୍ତି । ଏହା ବିରୁଦ୍ଧରେ ମୁଁ ତାଙ୍କୁ ପତ୍ର ଲେଖି ପ୍ରତିକାର ଦାବି କଲାପରେ, ଭାଷା ଆନ୍ଦୋଳନକୁ ଗଳା ମୋଡ଼ି ମାରିଦେବା ପାଇଁ , ଆନ୍ଦୋଳନର କଳାପତାକା ଧରିବାକୁ ଯେଉଁ ଦୁଇଜଣ ବ୍ୟକ୍ତି ସହଯୋଗୀ ଯୋଗାଡ଼ କରୁଥିଲେ ସେହି ଦୁଇଜଣଙ୍କୁ କାବୁ କରି ନେଇଛନ୍ତି । ସାରା ଓଡିଶା ଏହି ହୀନ ଚକ୍ରାନ୍ତ ବିରୁଦ୍ଧରେ ଜାଗି ଉଠିଛି ।

ଏହି ଚକ୍ରାନ୍ତକୁ ଅତ୍ୟନ୍ତ ଦୃପ୍ତତାର ସହ ବ୍ୟର୍ଥ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଶ୍ରୀ ରଞ୍ଜନ କୁମାର ଦାସ ଓ ତାଙ୍କ ସହଯୋଗୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ସେମାନେ କୁଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଆନ୍ଦୋଳନର କଳାପତାକା ସହ ପାଦରେ ଚାଲି ଚାଲି ଭୁବନେଶ୍ଵରରେ ପହଞ୍ଚି ଓଡ଼ିଶାର ଏହି ନବଜାଗୃତିର ସ୍ଵାକ୍ଷର ରଖିଛନ୍ତି ଏବଂ ଛନକା ସୃଷ୍ଟିକରିଛନ୍ତି ଭାଷା ବିଦ୍ଵେଷୀ ନବୀନ ସରକାରଙ୍କ ଛାତିରେ ।  ସରକାରୀ ଚାପରେ ଓଡ଼ିଶାର ସମସ୍ତ ଗଣମାଧ୍ୟମ ଓଡ଼ିଆ ଜାତିର ଏହି ଶ୍ରେଷ୍ଠ ଲଢ଼େଇର ଦୃଶ୍ୟପଟକୁ ଲୋକଲୋଚନରୁ ଦୂରେଇ ରଖିଥିବା ବେଳେ ଭାଷା ଆନ୍ଦୋଳନର ଛତ୍ରପୁର ଶାଖା ସଂଚାଳକ ତଥା ଯୁବସାମ୍ବାଦିକ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏହାର ସିଧା ପ୍ରସାରଣ କରିଥିଲେ । ଅତ୍ୟନ୍ତ ସୁଖର କଥା, ସାଧାରଣ ଲୋକର ନିଶଙ୍କ ସ୍ଵର ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରତିଜ୍ଞା ଟିଭି ସୌମ୍ୟଙ୍କ ବିବରଣୀକୁ ଓଡ଼ିଆ ଜାତି ସ୍ଵାର୍ଥରେ ବିଶ୍ଵାର୍ପିତ କରିଛି । ଆମେ ଆଶା କରୁଛୁ, ଓଡ଼ିଆ ଜାତିର ବଇରୀଙ୍କ ବଡ଼େଇ ଭାଙ୍ଗିବାରେ ଏହା ସହାୟକ ହେବ ।