ବନ୍ଦେ ଉତ୍କଳ ଜନନୀ // ପ୍ରଦ୍ୟୁମ୍ନ ଶତପଥୀଙ୍କ ନୂଆ ଚାରିଶବିଶ୍ ଚାଲ୍

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ କରୋନାକାଳୀନ ଅତ୍ୟାଚାର ଉପରେ ଆମ୍ଭେ ବାରମ୍ବାର ସପ୍ରମାଣ ଆଲୋଚନା କଲା ପରେ ଜନବିଭ୍ରାନ୍ତି ପାଇଁ ସେ ଗତ ୧୮ବର୍ଷ ଧରି ପ୍ରତ୍ୟାଖ୍ୟାନ କରି ଆସିଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଡାକ୍ତରୀ ଓ ପୋଲିସ ଜଗତ ପ୍ରତି ଓଡିଆ ଜାତିର କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ଗାନ କରିବାକୁ ଆହ୍ଵାନ ଦେଲେ । କାରଣ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଉପଲବ୍ଧି ଅନୁସାରେ ସେହିମାନେ ହିଁ କରୋନା ଭୂତାଣୁ ସହ ଯୁଦ୍ଧ କରିଥିବା ବ୍ୟକ୍ତି; ଯେଉଁ ଶ୍ରମଜୀବୀ ସାଧାରଣ ମଣିଷ ଏହି ମାରକ ଭୂତାଣୁ ସହ ଅହରହ ଲଢେଇ କରି ଜୀଉଛି ବା ମରୁଛି ସେ ନୁହଁ । ମିଥ୍ୟା ପ୍ରଚାର ବି ହେଲା, ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ବି କରିଦେଇଛନ୍ତି, ସତେ ଯେମିତି ଆମେ ଏକ ରାଜତନ୍ତ୍ରର ବାସିନ୍ଦା ଓ “ରାଜନନ୍ଦିନୀ ପ୍ୟାରୀ ଯା ବଲେ ତା ଭାଲୋ” !

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଡାକରାକୁ ନିଜ ସାଞ୍ଜୁଭାବେ ନେଇ ଏହି ସଙ୍ଗୀତ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ହେବାର “ପ୍ରଥମ ଉଦ୍ୟୋକ୍ତା” ଭାବେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସାମାଜିକ ଗଣମାଧ୍ୟମ – ଫେସ୍ ବୁକ୍ – କାନ୍ଥରେ ଉପସ୍ଥାପିତ କରିବାର ଯେଉଁ ଉଦ୍ୟମ ହୋଇଛି ତାହା ହିଁ ଆମ ପାଇଁ ଆଲୋଚ୍ୟ ।

ଚାରିଶବିଶ୍ ଚାଲ୍ (୧)

ନିଜର ଆର୍ଥିକ ଫାଇଦା ପାଇଁ ଯେଉଁ ବ୍ୟକ୍ତି ଭାଷା ଆନ୍ଦୋଳନକୁ ଛୁରା ମାରିଲେ, ନିଜକୁ ଭାଷାପ୍ରେମୀ ଦେଖେଇବାକୁ ସେ କେଉଁ କେଉଁ ଚାରିଶବିଶ୍ ଚାଲ୍ ଚଳାଇପାରନ୍ତି ତାହା ଜାଣିବା ପାଇଁ ଆମକୁ ଏହି ଚର୍ଚ୍ଚାଧାରା ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ । ସେଥିପାଇଁ ନିମ୍ନସ୍ଥ ସ୍କ୍ରିନସଟ ପ୍ରତି ଦୃଷ୍ଟି ଦିଆଯାଉ ।

 

ବନ୍ଦେ ଉତ୍କଳ ଜନନୀ ଗୀତ ପାଇଁ ଲୋକଙ୍କ ଆବେଗ ଥିବା ବେଳେ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ଭାବେ ତାହାର ଅଭ୍ୟୁଦୟର “ପ୍ରଥମ ଉଦ୍ୟୋକ୍ତା” ରୂପେ ଏଥିରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରଦର୍ଶିତ କରାଯାଇଛି , ଯେତେବେଳେ ସରକାରଙ୍କଠାରୁ ଆର୍ଥିକ ଫାଇଦା ପାଇଁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିବାକୁ ଅସମର୍ଥ ।

ବହୁ ଭାବିଚିନ୍ତି ଏହି ଯେଉଁ ଚାଲ୍ ଚଳା ଯାଇଛି ତାକୁ ଫେସ୍ ବୁକ୍ ମାଧ୍ୟମରେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କର ଜଣେ ଅନୁଗତ ଶ୍ରୀ ଆଶିଷ ରଞ୍ଜନ ମହାପାତ୍ର ମଇ ୨୯, ରାତି ୯.୪୬ରେ ।

ଏହି ଉପସ୍ଥାପନାର ବିଶ୍ଳେଷଣ ବହୁ କଥା କହିବ । ମୁଁ ସେ ସବୁ ଭିତରକୁ ନଯାଇ ଯେଉଁ ଯେଉଁଠି ଚାରିଶବିଶ୍ ଚାଲ୍ ପରିଦୃଶ୍ୟମାନ, କେବଳ ସେଇସେଇଠିକି ଯିବି । ସେ ଯେଉଁ ମିଛ କହିଛନ୍ତି ତାହା କାହିଁକି କହିଛନ୍ତି ତାହା ଯଦି ସ୍ପଷ୍ଟ ନକରିବେ, ବୁଝିବାକୁ ହେବ ଯେ, ପ୍ରଦ୍ୟୁମ୍ନ ଶତପଥୀଙ୍କ ବୋଲରେ ସେ ଏହି ଚାରିଶବିଶ୍ ଚାଲ୍ ଖେଳିଛନ୍ତି ।

ଚାରିଶବିଶ୍ ଚାଲ୍ (୨)

ଏହି ଚାଲ୍ ପାଇଁ ସେ ବାଛିଛନ୍ତି “୨୦୦୨ ମସିହା, ନଭେମ୍ବର ୧୬ ତାରିଖ, ‘ଜାତୀୟ ସାମ୍ବାଦିକ ଦିବସ’ ପାଳନ ଅବସରରେ ଭୁବନେଶ୍ବରସ୍ଥିତ ସୂଚନା ଭବନର (ଅନୁଷ୍ଠିତ) ଏକ ଭରପୂର ସଭା”କୁ ପ୍ରେକ୍ଷାପଟ ଭାବେ ।

ସେ ଲେଖିଛନ୍ତି , “ନୀରବତା ଭଙ୍ଗ କରି ସୁଲଳିତ ମୂର୍ଚ୍ଛନାରେ ମଞ୍ଚ ଉପରୁ ଭାସିଆସିଲା “ବନ୍ଦେ ଉତ୍କଳ ଜନନୀ…” ସହସା ପ୍ରଦ୍ୟୁମ୍ନ ଶତପଥୀ ଠିଆ ହୋଇପଡିଲେ । ତାଙ୍କ ପାର୍ଶ୍ବରେ ମୁଁ ବି ମଥାନତ ମୁଦ୍ରାରେ ଦଣ୍ଡାୟମାନ ହେଲି । ମୋ ପରେ ଅନ୍ୟ ଦୁଇଜଣ, ନାମ ଭୁଲିଯାଇଛି, ସେମାନେ ଠିଆହେଲେ । ଆମ ଠିଆହେବାର ମୁହୂର୍ତ୍ତକ ମଧ୍ୟରେ ସଭାରେ ଉପସ୍ଥିତ ଶହ ଶହ ଦର୍ଶକ ତଳ-ଉପର ସମସ୍ତେ ବିନା ଦ୍ବିଧାରେ “ବନ୍ଦେ ଉତ୍କଳ ଜନନୀ”ଙ୍କ ସମ୍ମାନାର୍ଥେ ସମ୍ପୂର୍ଣ୍ଣ ନୀରବତାର ସହ ଦଣ୍ଡାୟମାନ ହେଲେ ।“

ଅତଏବ ସେ ଦର୍ଶାଇଛନ୍ତି – ଏହି ସଙ୍ଗୀତ ପ୍ରତି ସମ୍ମାନ ଜଣାଇ ପ୍ରଦ୍ୟୁମ୍ନ ଓ ତାଙ୍କ ପାର୍ଶ୍ଵଚରମାନେ ଠିଆ ହୋଇନଥିଲେ, “ଉପସ୍ଥିତ ଶହ ଶହ ଦର୍ଶକ” ଠିଆ ହୋଇନଥାନ୍ତେ । ଏହା ଏକ ସମ୍ପୂର୍ଣ ମିଥ୍ୟା ଆସ୍ଫାଳନ । ସତ୍ୟ ହେଲା, ବାଚସ୍ପତି ଶରତ କୁମାର କର, ଯେ କି ୨୦୦୨ ନଭେମ୍ବର ୧୬ର ବହୁ ପୂର୍ବରୁ ବିଧାନନସଭା ଅଧିବେଶନର ଅନ୍ତିମ କାର୍ଯ୍ୟକ୍ରମ ଭାବେ ଏହାର ପ୍ରବର୍ତ୍ତନ କରିଥାନ୍ତି, ସେଦିନ ଏହାର ପରିବେଷଣ ପୂର୍ବରୁ ଉପସ୍ଥିତ ଆମ ସମସ୍ତଙ୍କୁ ନୀରବରେ ଠିଆ ହୋଇ ଏହାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ ଓ ତଦନୁଯାୟୀ ଆମେ ସମସ୍ତେ ତାହା ଆନନ୍ଦରେ ପାଳନ କରିଥିଲୁ । ସୂଚନା ଭବନର ଶ୍ରୋତାମାନେ ଠିଆ ହୋଇ ଏହାକୁ ସମ୍ମାନ ଦେବାରେ ପ୍ରଦ୍ୟୁମ୍ନ ଶତପଥୀ ବା ତାଙ୍କ ପାର୍ଶ୍ଵଚରଙ୍କର କୌଣସି ଭୂମିକା ନଥିଲା ।

ଚାରିଶବିଶ୍ ଚାଲ୍ (୩)

ଏହି ଚାଲ୍ ଚାଳନା ପାଇଁ ଯେଉଁ ବାକ୍ୟଗୁଡିକ ବ୍ୟବହୃତ ହୋଇଛି ସେଗୁଡ଼ିକ ହେଲା –

(କ) “ମଞ୍ଚ ତଳେ ଠିଆହୋଇ ପ୍ରଦ୍ୟୁମ୍ନ ଯୋଡହସ୍ତରେ ମଞ୍ଚାସୀନ ଅତିଥି ଓ ଶ୍ରୋତୃମଣ୍ଡଳୀଙ୍କୁ ନିବେଦନ କଲେ ଆସନ୍ତା କାଲି ବିଧାନସଭାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ଓଡିଶାର ଜାତୀୟ ସଙ୍ଗୀତ ରୂପେ ଘୋଷଣା କରାଯିବାର ପ୍ରକ୍ରିୟା ଆରମ୍ଭ କରିବାକୁ ବାଚସ୍ପତି ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି । (ବାକ୍ୟଗଠନର ପ୍ରମାଦ ମହାପାତ୍ରଙ୍କର)
(ଖ) “ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଶରତ କୁମାର କର ମହୋଦୟ ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାର ଉଦଘୋଷଣା କଲେ । ତହିଁପରଦିନ ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା ଏବଂ “ବନ୍ଦେ ଉତ୍କଳ ଜନନୀ” କୁ ଦଳ-ମତ ନିର୍ବିଶେଷରେ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାପାଇଁ କାର୍ଯ୍ୟାନ୍ବୟନ ଆରମ୍ଭ ହେଲା ।“

ଡାହାମିଛ

ଏହି ଦୁଇଟି ବାକ୍ୟରେ କିପରି ଅତ୍ୟନ୍ତ ନିର୍ଲଜ ଭାବେ ଡାହାମିଛ ହିଁ କୁହା ହୋଇଛି ତାହା ଜାଣିବାକୁ ଆମେ ଜାକିହୋଇଆସିବା ସବୁଠୁ ପ୍ରାସଙ୍ଗିକ ଶବ୍ଦଦୁଇଟି ପାଖକୁ । ସେଗୁଡିକ ହେଲା “ଆସନ୍ତାକାଲି” ଓ “ତହିଁପରଦିନ” , ଯାହା ଆସନ୍ତାକାଲି ଅର୍ଥରେ ହିଁ ଉଲ୍ଲିଖିତ ହୋଇଛି ।

ପ୍ରଥମତଃ, “ଆସନ୍ତାକାଲି ବିଧାନସଭାରେ” ଗୀତଟିକୁ ଓଡ଼ିଶାର ଜାତୀୟ ସଙ୍ଗୀତ ବୋଲି ଘୋଷଣା କରିବାକୁ ପ୍ରଦ୍ୟୁମ୍ନ ଶତପଥୀ ବାଚସ୍ପତିଙ୍କୁ କହିବା ଏବଂ “ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା”କୁ ବାଚସ୍ପତିଙ୍କ ଘୋଷଣା ଆସନ୍ତାକାଲିଭିତ୍ତିକ  । ଆସନ୍ତାକାଲି ଅର୍ଥ ୧୭.୧୧.୨୦୦୨ ।

ଦ୍ଵିତୀୟତଃ, ଯାହା କୁହା ହୋଇଛି ତାହା ହେଲା “ତହିଁପରଦିନ” ଅର୍ଥାତ୍ ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” ।

ବାବୁ ଆଶିଷ ରଞ୍ଜନ ମହାପାତ୍ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଭାବେ ଏହା ଉଲ୍ଲେଖ କରିଛନ୍ତି ଓ ୧୬.୧୧.୨୦୦୨ ତାରିଖରେ ସୂଚନାଭବନରେ ବାଚସ୍ପତି କରିଥିବା “ଉଦ୍ଘୋଷଣା” ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ” “ଘଟିଲା” ବୋଲି କହିଛନ୍ତି ।

ଏପରି ଡାହାମିଛ କୌଣସି ପେଷାଦାର ମିଛ ସାକ୍ଷୀ ବି କହିବାକୁ ଡରିବ । ଅଥଚ ନିଃଶଙ୍କୋଚ କହିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କ ଏହି ପାର୍ଶ୍ଵଚର !

ବିଧାନସଭା ତ ଆଦୌ ନଥିଲା ନଭେମ୍ବର ମାସରେ । ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” କିପରି? ଜାଲିଆତିର କେତେ ଚାଲ୍ ଚଳାଇବେ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ପାର୍ଶ୍ଵଚରମାନେ?

ତତ୍କାଳୀନ ବିଧାନସଭାର ଅଷ୍ଟମ ଅଧିବେଶନ ୨୩.୯.୨୦୦୨ରୁ ଆରମ୍ଭ ହୋଇ ୧୦.୧୦.୨୦୦୨ ତାରିଖରେ ଶେଷ ହୋଇଥିଲା ଓ ପରବର୍ତ୍ତୀ ଅଧିବେଶନ, ଯାହା ୦୨.୧୨.୨୦୦୨ ତାରିଖରେ ଆରମ୍ଭ ହୋଇଥିଲା, ତାହା ୧୬.୧୧.୨୦୦୨ ବା ୧୭.୧୧.୨୦୦୨ରେ ବସିବାର ବି ନଥିଲା ।

କେଉଁ କାରଣ ହେତୁ ସେ ଏହି ଚାରିଶବିଶ୍ ଚାଲ୍ ଖୋଦିତ କରିଛନ୍ତି ଫେସ୍ ବୁକ୍ କାନ୍ଥରେ ତାହା ଯଦି ସ୍ପଷ୍ଟତଃ ପ୍ରକାଶ ନକରନ୍ତି, ଏହା ସ୍ପଷ୍ଟ ହେବ ଯେ, ସରକାରଙ୍କ ସୁପାରି ନେଇ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅପୋଦ୍ୟମ କରିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରମାଣ ଭିତ୍ତିରେ ମୁଁ ସ୍ତର ସ୍ତର ବିବସ୍ତ୍ର କଲା ପରେ ଇଜ୍ଜତ ବଞ୍ଚାଇବା ପାଇଁ ସେ ଯେଉଁ ଅପଚେଷ୍ଟା ଚଳାଇଛନ୍ତି, ତହିଁର ଗୋଟାଏ ଗୋଟି ଭାବେ ଅବତୀର୍ଣ୍ଣ ହୋଇଛନ୍ତି ମହାପାତ୍ର ମହାଶୟ ଏବଂ ଏହି ଡାହାମିଛ ପରିବେଷଣ କରି ସରକାରୀ ଦଲାଲ ଭାବେ ଫୁଙ୍ଗୁଳା ହୋଇପଡ଼ିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଏପରି ସାତସିଆଁ ଲୁଗା ପିନ୍ଧାଇ ପୁଣି କେଉଁ ସାମାଜିକ ଆନ୍ଦୋଳନକୁ ଭାଙ୍ଗିବା ସକାଶେ ସରକାରୀ ଦଲାଲ ସାଜିବାକୁ ଭେକ ଯୋଗାଇଛନ୍ତି ।

ଆଶିଷ ରଞ୍ଜନଙ୍କ ଏହି ଡାହାମିଛର ହିରୋ ପ୍ରଦ୍ୟୁମ୍ନ ଶତପଥୀ ଏ ସମ୍ପର୍କରେ ଅବଗତ । କାରଣ ଏହି ଲେଖାଟି ସମ୍ପର୍କରେ ଶ୍ରୀ ତୁଷାରକାନ୍ତ ଶତପଥୀ ତାଙ୍କୁ ମେସେଜ୍ (message) ମାଧ୍ୟମରେ ଅବଗତ କରାଇଥିବା ସଙ୍ଗେ ସଙ୍ଗେ ଫୋନ୍ ଯୋଗେ କଥା ବି ହୋଇଥିଲେ । ଏହି ଚର୍ଚ୍ଚାଧାରାରେ ସେ ଦେଇଥିବା ମନ୍ତବ୍ୟର ଆବଶ୍ୟକୀୟ ଅବିକଳ ନକଲ ନିମ୍ନରେ :

Tusarkanta Satapathy ଆଶିଷଜୀ,
ଶ୍ରଦ୍ଧେୟ ପ୍ରଦ୍ଯୁମଙ୍କୁ ଗତ କାଲି(28.5) ଏ ବିଷୟରେ ଜଣାଇ ବ୍ୟବସ୍ଥା କରେଇବାକୁ ମେସେଜ କରିଥିଲି।ଆଜି ସକାଳେ ଫୋନ କରିଥିଲି ଓ ସେ କହିଥିଲେ ” ପନ୍ଦର ମିନିଟ୍ ପରେ କଥା ହେବି”।

ଅଥଚ, ଏଥିରେ ଯେଉଁ ଭୟଙ୍କର ମିଥ୍ୟା ପ୍ରଚାରିତ ହୋଇଛି ତାହାକୁ ସେ ଏଯାଏଁ ଖଣ୍ଡନ କରିନାହାନ୍ତି । ପଇସା ପାଇଁ ଯେଉଁ ଲୋକ ଭାଷା ଆନ୍ଦୋଳନକୁ ଛୁରିମାରିପାରେ, ଲୋକଙ୍କୁ ଭୁତାଇବା ପାଇଁ ସେ କେଉଁ ଚାରିଶବିଶ୍ ଚାଲ୍ ଚଳାଇ ବା ନପାରେ?

ଅନ୍ୟ ପାଇଁ ଯିଏ ପ୍ରବାଦ ପୁରୁଷ , ଆମ ପାଇଁ ସିଏ ବରବାଦ ପୁରୁଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଯେଉଁ ଖବରକାଗଜ ଓ ଟିଭି ଚ୍ୟାନେଲମାନେ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଯୁଗାନ୍ତକାରୀ କଳାପତାକା ଅଭିଯାନକୁ ଲୋକ ଚକ୍ଷୁରୁ ଦୂରେଇ ରଖିବା ପାଇଁ ତା ଉପରେ କଳାପରଦା (blackout) କାଇଦା ପ୍ରୟୋଗ କରୁଛନ୍ତି, ସେମାନେ ଆଜି ବିଜୁ ପଟ୍ଟନାୟକଙ୍କୁ ପ୍ରବାଦ ପୁରୁଷ ଭାବେ ଓଡ଼ିଆ ଜାତିର ମନ ଉପରେ ପୁଣି ନଦିବାକୁ ପ୍ରଗଳ୍ଭ ହୋଇଉଠିଛନ୍ତି । ଗଣମାଧ୍ୟମ ଯଦି ଗଣନାୟିକା ଭୂମିକାକୁ ଖସିଆସେ ବିନା ବ୍ରହ୍ମାରେ ବି ଦସ୍ୟୁ ରତ୍ନାକର ବାଲ୍ମୀକି ପାଲଟିଯାଇପାରେ !

ଯେଉଁ ଛାତ୍ର-ଯୁବ- ଜନ ଆନ୍ଦୋଳନରେ ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ କାଳ ଅଧାରେ ଭୁଷୁଡ଼ି ପଡ଼ିଥିଲା, ସେ ଆଂଦୋଳନର ଏକ ମୁଖ୍ୟ ସ୍ଲୋଗାନ ଥିଲା: ବିଜୁ ବିରେନ ଯେଉଁଠି , ମଦ ବୋତଲ ସେଇଠି । ମଦଲୋଭୀ ସମ୍ବାଦିକମାନେ ତାଙ୍କୁ ପ୍ରବାଦପୁରୁଷ ବନେଇଦେଲେ । ଦ୍ବିତୀଯଥର ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ, ଏପରି ଅରାଜକତା ବ୍ୟାପିଗଲା ଯେ, ରାଜ୍ୟ ସଚିବାଳୟର କର୍ମଚାରୀମାନେ ତାଙ୍କ ଜୀବନ ନେଇଯାଇଥାନ୍ତେ ଯଦି ଜଣେ ସାମ୍ବାଦିକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିନଥାନ୍ତେ । ଏ କଥା କାହାକୁ ଅଜଣା? ତଥାକଥିତ ପ୍ରବାଦ ପୁରୁଷ ଯେତେବେଳେ ମୃତ୍ୟୁମୁଖରେ ପଡ଼ିଲେ, ସେତେବେଳେ ସେ ଅପଶାସନ ହେତୁ ଲୋକଙ୍କଦ୍ଵାରା ପ୍ରତ୍ୟାଖ୍ୟାତ ଅବସ୍ଥାରେ ଥିଲେ ।

ଏ ବାବୁ ପ୍ରକୃତରେ କ’ଣ ତାହା ମୋର ଚାରୋଟି ସ୍ତମ୍ଭ ସଂହିତାରେ ସପ୍ରମାଣ ଅଛି । ସେଗୁଡ଼ିକ: ସିଂହାବଲୋକନ , Animadversion, ସିଂହାବଲୋକନରେ ବିଜୁ ଓ ବିଜୁଙ୍କ ଛୁରା ।

ନିଜ ସ୍ଵାର୍ଥ ପାଇଁ ବିଜୁବାବୁ ଯେକୌଣସି କାମ କରିପାରୁଥିଲେ; କିନ୍ତୁ ମଦଲୋଭୀ ସମ୍ବାଦିକମାନେ ଲୋକଙ୍କୁ ବୁଝାଉଥିଲେ ଯେ, ସେ ଯାହା କରୁଥିଲେ ସବୁ ଥିଲା ଓଡ଼ିଆ ଜାତିର ସ୍ବାର୍ଥପାଇଁ !

ସେ ନିଜକୁ ଓଡ଼ିଆ ବୋଲି ମନେକରୁନଥିଲେ । ବିଧାନସଭାରେ ସେ ଘୋଷଣା କରିଥିଲେ, ରାଜନୈତିକ ବାଧ୍ୟବାଧକତା ହେତୁ ସେ ଓଡ଼ିଆ କହୁଥିଲେ ବି , ତାଙ୍କ ଭିତ୍ତି ଥିଲା ଇଂରାଜୀ ଭାଷା (“My language was the other day English”) ; ମୋ ସଂସ୍କୃତି ଥିଲା ଇଂରେଜ ଲୋକର ସଂସ୍କୃତି (“My culture was the culture of an Englishman”) । (ବିଧାନସଭା ବିବରଣୀ, ୩୦.୯.୧୯୬୩ ପୃ.୩୯) । ତାଙ୍କ ଇଂରାଜୀମନସ୍କତା ଏତେ ତୀବ୍ର ଥିଲା ଯେ, ମୁଖ୍ୟମନ୍ତ୍ରୀ ହେଉହେଉ ସେ ୨୩.୮.୧୯୬୧ତାରିଖରେ ଆସ୍ପର୍ଦ୍ଧ କରିଥିଲେ କହିବାକୁ, ବିଧାନସଭାକୁ ଆସିବା ପୂର୍ବରୁ ସବୁ ସଭ୍ୟ ଇଂରାଜୀ ଜାଣିଥିବା ଦରକାର (“Every member should know English before coming to the House.”) (ଏଜନ, ପୃ.୨୫) । ଏପରିକି ଓଡ଼ିଆ ପରି ଭାଷା ପ୍ରଚଳିତ ଥିବା ଭାରତକୁ ଗୋଟାଏ ଦେଶ ବୋଲି ମାନିବାକୁ ସେ ଘୃଣା କରୁଥିଲେ ( “So many languages there in our country. This is not a country at all.”) (ବିଧାନସଭା ବିବରଣୀ, ସେପ୍ଟେମ୍ବର ୧୯୮୫, ପୃ ୧୦୮)।

ଏହି ଇଂରାଜୀମନସ୍କ ଓଡ଼ିଆଭାଷାବିଦ୍ଵେଷୀ ବ୍ୟକ୍ତି ବିଧାନସଭାର ଅଧିକାଂଶ ସଦସ୍ୟଙ୍କୁ ନିଜର ଚାବୁକ ଦ୍ଵାରା ନିୟନ୍ତ୍ରିତ କରିବା ସ୍ଥିତିରେ ଥିବା ବେକେ ବିଧାନସଭାକୁ ମିଛ କହି ୧୯୬୩ରେ ଇଂରାଜୀ ଭାଷାକୁ ଯଦି କବର ତଳୁ ଉଠାଇ ଆଣି ସେହିସ୍ଥଳରେ ଆମ ଉପରେ ନଦିଦେଇନଥାନ୍ତେ, ତେବେ ଆମ ଭାଷା ଅଧିକାର ପାଇଁ ଆମକୁ ପ୍ରାୟ ୪ ବର୍ଷ ଧରି କଳାପତାକା ଅଭିଯାନ କରିବାକୁ ପଡ଼ିନଥାନ୍ତା ।

ଅତଏବ, ଅନ୍ୟ କାହାପାଇଁ ବିଜୁ ପଟ୍ଟନାୟକ ପ୍ରବାଦ ପୁରୁଷ ହୋଇପାରନ୍ତି, ଆମ ଭାଷା ପ୍ରେକ୍ଷାପଟରେ ଆମ ପାଇଁ ବରବାଦ ପୁରୁଷ । ଓଡ଼ିଆ ଗଣମାଧ୍ୟମମାନେ ତାଙ୍କୁ ଅଯଥା ଟେକିବା ବନ୍ଦ କରି ଏହି ସତ୍ୟ ଅନୁଭବ କରନ୍ତୁ ।

ଭାଷାବଲୋକନ // ଓଡ଼ିଆ ଭାଷା ବିରୁଦ୍ଧରେ ‘ସମ୍ବାଦ’ ଏବେ ନବୀନଙ୍କ କାଷ୍ଟିଂ କାଉଚ୍ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନିଜକୁ ଓଡ଼ିଆ ଭାଷା ସ୍ଵାର୍ଥର ସେବକ ଭାବେ ଏକଦା ପରିଚିତ କରାଇଥିବା ଖବର କାଗଜ ‘ସମ୍ବାଦ’ ଯେ ଓଡ଼ିଆ ଭାଷାକୁ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚଳାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କାଷ୍ଟିଂ କାଉଚ୍ ହୋଇଯାଇପାରେ ତାହା ମୋ ପାଇଁ କଳ୍ପନାତୀତ ଥିଲା । ଏହାର ଜାନୁଆରୀ ୨୩ ତାରିଖର ସମ୍ପାଦକୀୟ ଏହି ଆଶଙ୍କା ଉଦ୍ରେକ କରୁଛି ।

ଜାନୁଆରୀ ୨୩ ଆମ ପାଇଁ ମସିହାଠୁ ବଢ଼ । ମସିହା ତ ବଦଳେ, କିନ୍ତୁ ଜାନୁଆରୀ ୨୩ ଆମ ପାଇଁ ବଦଳେ ନାହିଁ । କାରଣ ଏହା ଦୁଇଜଣ ଶ୍ରେଷ୍ଠ ଓଡ଼ିଆଙ୍କ ଜନ୍ମଦିନ । ସେମାନେ ହେଲେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର । ଏ ଦୁଇଜଣ ଆମ ପାଇଁ ଚିର ସ୍ମରଣୀୟ ଏଇଥିପାଇଁ ଯେ, ଇଂରାଜୀ ଭାଷାଭାଷୀଙ୍କ କବଳରୁ ଆମ ଜାତିର ମୁକ୍ତି ପାଇଁ ଏ ଉଭୟେ ଆମକୁ ଅସ୍ମିତାଭରା ନେତୃତ୍ଵ ଦେଇଥିଲେ, ଅଭୂତପୂର୍ବ କଷ୍ଟ ସହିଥିଲେ ଓ ଶେଷରେ ଜୀବନଦାନ ବି ଦେଇଥିଲେ । ଅଥଚ ଆମ ଓଡ଼ିଆଙ୍କ ସହଯୋଗ ହେତୁ ନାମ ଓ ପ୍ରତିପତ୍ତି ଅର୍ଜନ କରିଥିବା ଦୈନିକ ‘ସମ୍ବାଦ’ ଏହି ଦିନ ହିଁ ଏହି ଉଭୟଙ୍କ ତ୍ୟାଗ ଉପରକୁ ଛେପ ଫିଙ୍ଗି ଆମ ଜାତିକୁ ଇଂରେଜୀ ଭାଷାର ଆଧିପତ୍ୟ ମାନି ଆମ ପିଲାମାନଙ୍କୁ ଇଂରେଜୀ ଭାଷାରେ “ଓଳିଆରୁ ଗଜା” କରାଇବାକୁ ସରକାରୀ ଷଡ଼ଯନ୍ତ୍ର ପ୍ରତି ସଂପାଦକୀୟ ପୃଷ୍ଠପୋଷକତା ଯୋଗାଇଛି ।

ଇଂରାଜୀ ଭାଷାଭାଷୀଙ୍କ କବଳରୁ ଆମକୁ ମୁକ୍ତ କରିବା ପାଇଁ ସୁରେନ୍ଦ୍ର ଓ ସୁଭାଷ କରିଥିବା ଚରମ ତ୍ୟାଗ ସମ୍ପର୍କରେ ସେଦିନ ଏହାର ସମ୍ପାଦକୀୟରେ ବା ସଂପାଦକୀୟ ପୃଷ୍ଠାରେ ଶବ୍ଦଟିଏ ବି ଉଲ୍ଲେଖ ନଥିବା ବେଳେ ଏହାର ସମ୍ପାଦକୀୟରେ ଆମ ଜାତି ପାଇଁ ଇଂରାଜୀ ଭାଷା ହିଁ ମୁକ୍ତିର ମାର୍ଗ ବୋଲି କୁହାହୋଇଛି ଓ ଏହି ମାର୍ଗରେ ରାଜ୍ୟକୁ ଚଳାଇବା ପାଇଁ ନବୀନ ପଟ୍ଟନାୟକଙ୍କ ସରକାର “ନିଷ୍ପତ୍ତି” ନେଉଥିବା ହେତୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ ବି କରାଯାଇଛି । ଏହାର ଭାଷା:

“ଆମ ପିଲାମାନେ ଯେତେ ସଅଳ ଇଂରାଜୀରେ କଥାବାର୍ତ୍ତା କରିବାର ସୁଯୋଗ ପାଇବେ, ତାହା ସେମାନଙ୍କ ପାଇଁ ସେତେ ସହଜ ହେବ ଏବଂ ସେମାନଙ୍କ ଭବିଷ୍ୟତ ସେତେ ସୁରକ୍ଷିତ ହେବ । ତେଣୁ ପ୍ରଥମ ଶ୍ରେଣୀରୁ ଆମ ରାଜ୍ୟର ପିଲାମାନଙ୍କୁ ଇଂରାଜୀରେ କଥାବାର୍ତ୍ତା କରିବା ଶିଖାଇବା ଆରମ୍ଭ କରିବା ପାଇଁ ଓଡ଼ିଶା ସରକାର ନେଇଥିବା ନିଷ୍ପତ୍ତି ହେଉଛି ସମ୍ପୂର୍ଣ ବିଜ୍ଞାନସମ୍ମତ ଓ ଅଭିନନ୍ଦନୀୟ ।“

 

ଘରଭାଷା ପ୍ରଥମେ, ବିଦେଶୀଭାଷା ପରେ

କେଉଁଠୁ ଏ “ବିଜ୍ଞାନସମ୍ମତ” ବୁଦ୍ଧି ସମ୍ବାଦ ପାଇଲା ଆମକୁ ଜଣା ନାହିଁ , କିନ୍ତୁ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ୨୦୦୫ରେ ଜାତୀୟ ପାଠ୍ୟକ୍ରମର ଯେଉଁ ମୂଳ ପଦ୍ଧତ୍ତି (National Curriculum Framework, 2005) ପ୍ରଦାନ କରିଥିଲେ ତାହା ଯେ ବିଜ୍ଞାନସମ୍ମତ ନ ଥିଲା, ତାହା ତ ନୁହେଁ । ତାହା ଦୁଇଟି କଥା ସ୍ପଷ୍ଟ କହିଥିଲା :

(୧) ପିଲାମାନଙ୍କ ମାତୃଭାଷା ହିଁ ସ୍କୁଲ ଶିକ୍ଷାର ମାଧ୍ୟମ ହେବା ଉଚିତ (“Home language(s) of children, as defined above in 3.1, should be the medium of learning in Schools”) ଏବଂ
(୨) ଶାସ୍ତ୍ରୀୟ ବା ବିଦେଶୀ ଭାଷା (ଇଂରାଜୀ) ସହ ସେମାନଙ୍କ ପରିଚୟ ପରବର୍ତ୍ତୀ କାଳରେ କରାଯାଇପାରେ ( “At later stages, study of classical and foreign languages may be introduced.”) (୩.୧.୧.) ।

ଏହା ପୁନଶ୍ଚ କହିଥିଲା, ପ୍ରାଥମିକ ଶ୍ରେଣୀରେ ବନାନ ଉପରେ ଗୁରୁତ୍ଵ ଦେଇ ପିଲାକୁ ଚାପଗ୍ରସ୍ତ କରାଯିବା ଅନୁଚିତ, କାରଣ ବାନାନଶୁଦ୍ଧି ସେ ଆପେ ଆପେ ଶିଖିଯିବ । କିନ୍ତୁ ସେ ଘରେ କହୁଥିବା ଭାଷା / ମାତୃଭାଷାକୁ ସମ୍ମାନ ଓ ମାନ୍ୟତା ପ୍ରଦାନ ପ୍ରାଥମିକ ଶିକ୍ଷାର ଆଧାର ହେବା ଆବଶ୍ୟକ । (“At the primary stage, child’s languages must be accepted as they are, with no attempt to correct them. By Class IV, if rich and interesting exposure is made available, the child will herself acquire the standard variety and the rules of correct orthography, but care must be taken to honour and respect the child’s home language(s)/mother tongue(s).”) (୩.୧.୨.) ।

ଇଂରାଜୀ ଶିକ୍ଷା ବିଶେଷଜ୍ଞମାନେ ଶିକ୍ଷାୟତନରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷା ଶିକ୍ଷା ବିରୁଦ୍ଧରେ ମତ ଦେଇଆସିଛନ୍ତି ଓ ସେମାନଙ୍କ ମତ ଶିକ୍ଷାନୀତି ସମ୍ପର୍କୀୟ ବିଭିନ୍ନ ଦଲିଲରେ ପ୍ରତିଫଳିତ ହୋଇଆସିଛି (“The English teaching experts recommend that English should be introduced late and not from class I and this is reflected in spirit in various policy documents.) ବୋଲି ଏହି ରିପୋର୍ଟ ହିଁ ଲିପିବଦ୍ଧ କରିଛି । ଏହି ବିଶେଷଜ୍ଞମାନଙ୍କ ମତ ସହ କେଉଁ ଭାଷା ବିଜ୍ଞାନୀ ଅସମ୍ମତ ହୋଇଛନ୍ତି?

ଓଡ଼ିଶା ଭାଷନୀତି ପ୍ରଣେତାଙ୍କ ମତ

ଆମ ନିଜ ପ୍ରଦେଶର ତିଗିରିଆ ରାଜ୍ୟରେ ଜନ୍ମିତ ଭାରତର ଅନ୍ୟତମ ଶ୍ରେଷ୍ଠ ଭାଷାବିଜ୍ଞାନୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓଡ଼ିଶା ସରକାରଙ୍କ ଭାଷାନୀତି ପ୍ରଣୟନ ଦାୟିତ୍ଵରେ ଥିଲେ । ସେ ଦେଇଥିବା ଭାଷାନୀତି ଭାଷା ଆଇନ କାର୍ଯ୍ୟକାରୀ ହେବା ପାଇଁ ମୁଁ ଦେଇଥିବା ଚିଠା ବିଧାନ ସହ “ଓଡ଼ିଆରେ ଶାସନ” ନାମକ ସରକାରୀ ୱେବସାଇଟରେ ଏକାଦିନ ସ୍ଥାନିତ ହୋଇଛି । ତହିଁରେ ସେ କେଉଁଠି ବି କହିନାହାନ୍ତି ଯେ, ପ୍ରଥମ ଶ୍ରେଣୀରୁ ଓଡ଼ିଶା ସରକାର ଇଂରାଜୀ ଭାଷାର ପ୍ରଚାଳନ କରିବେ । ବରଂ ସେ ତାଙ୍କର ଏକ ମହାର୍ହ ପୁସ୍ତକରେ କହିଛନ୍ତି, ଜୀବନରେ ଅର୍ଥନୈତିକ ଉନ୍ନତି ଓ ସାମାଜିକ ପ୍ରତିପତ୍ତି ମିଳିବା ବାହାନାରେ ଯଦି ଶିଶୁକୁ ତା ମାତୃଭାଷା ପରିବର୍ତ୍ତେ ଅନ୍ୟ ଭାଷା ଶିଖାଯାଏ, ତେବେ ବୟସ୍କମାନଙ୍କ ଦୁନିଆ ଉପରେ ସେ କେବଳ ନିର୍ଭରଶୀଳ ହେବ, ତା ନୁହେଁ, ସେ ମଧ୍ୟ କତିପୟ ଅଖିଝଲସା ଲୋକଙ୍କ ଚାତୁରୀକୀର୍ଣ ଦୁନିଆ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେବ (“a language which promises social and economic gratification in a later stage of life in place of the mother tongue is to make the child dependant not only on an adult world, but a world manipulated by a limited elite।” – Dr. Debi Prasanna Pattanayak, Mother Tongue Education and Destiny, (Language and Cultural Diversity,Vol.1) ଏବଂ ଏହା ତାର ସ୍ଵଚ୍ଛନ୍ଦ ବ୍ୟକ୍ତିତ୍ଵ ବିକାଶରେ ବାଧକ ହେବ ବୋଲି ସେ କହିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ମତ

ଜାତିର ପିତା ମହାତ୍ମା ଗାନ୍ଧୀ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ୬.୨.୧୯୧୬ ତାରିଖରେ ଭାଷଣ ଦେଇ କହିଥିଲେ, “କେତେକ କହୁଛନ୍ତି ଇଂରାଜୀ ଭାଷାରେ ଶିକ୍ଷା ଲାଭ କରିଥିବା ଲୋକେ ହିଁ ଦେଶ ପାଇଁ ନେତୃତ୍ବ ଦେଉଛନ୍ତି ଓ ଦେଶକୁ ଚଳାଉଛନ୍ତି ; ଅନ୍ୟଥା ସବୁ ଗୋଳମାଳ ହୋଇଯାନ୍ତା । ଆମେ ତ ଯେଉଁ ଶିକ୍ଷା ପାଉଛୁ ତାହା ଇଂରାଜୀ ଶିକ୍ଷା । ତା ସପକ୍ଷରେ ତ ଆମକୁ କିଛିନାକିଛି ଦେଖାଇବାକୁ ପଡ଼ିବ । କିନ୍ତୁ, ଧରାଯାଉ, ଗତ ପଚାଶ ବର୍ଷ ଭିତରେ ଆମେ ଆମ ମାତୃଭାଷାରେ ହିଁ ଶିକ୍ଷା ଲାଭ କରିଥାନ୍ତେ , ଆଜି ଆମେ କି ଲାଭ ପାଇଥାନ୍ତେ ? ଆଜି ଆମେ ସ୍ଵାଧୀନ ଭାରତ ପାଇଥାନ୍ତେ,ଆମେ ଆମ ନିଜର ଶିକ୍ଷିତ ସମ୍ପ୍ରଦାୟ ପାଇଥାନ୍ତେ – ଯେଉଁମାନେ ନିଜ ଦେଶରେ ମନେହେଉନଥାନ୍ତେ ସତେ ଯେମିତି ବିଦେଶୀ; କିନ୍ତୁ ଏମିତି ହୋଇଥାନ୍ତେ ଯେଉଁମାନେ କି ଆମ ଜାତିର ହୃଦୟ ସହ କଥା ହୋଇପାରିଥାନ୍ତେ, ଦରିଦ୍ରଙ୍କ ଭିତରୁ ଦରିଦ୍ରତମ ସହ ଏକାଠି କାମ କରି ଆମ ଜାତିର ଅମୁଲ୍ୟ ସମ୍ପଦ ସୃଷ୍ଟି କରିପାରିଥାନ୍ତେ” (I have heard it said that after all it is English-educated India which is leading and which is doing all the things for the nation. It would be monstrous if it was otherwise. The only education we receive is English education. Surely we must show something for it. But suppose that we had been receiving during the past fifty years education through our vernaculars, what should we have had today? We should have today a free India, we should have our educated men, not as if they were foreigners in their own land but speaking to the heart of our nation; they would be working amongst the poorest of the poor, and whatever they would have gained during the past 50 years would be a heritage for the nation. [Collected works, 13, p.211-12]) ।

ମହାତ୍ମାଙ୍କ ଏହି ଅଭିମତକୁ ଖାତିର ନକରି ପ୍ରଥମ ଶ୍ରେଣୀରୁ ଆମ ପିଲାମାନଙ୍କୁ ଇଂରେଜୀଆ କରାଇ, ଆମ ଭାଷା ବିରୋଧୀ ନବୀନ ପଟ୍ଟନାୟକ ଆମ ଭବିଷ୍ୟ ପିଢିକୁ ଏମିତି କରାଇବାକୁ ବସିଛନ୍ତି ଯେଉଁମାନେ ଗାନ୍ଧୀଜୀଙ୍କ ଭାଷାରେ ନିଜ ଦେଶରେ ମନେହେବେ ସତେ ଯେମିତି ବିଦେଶୀ !

ଗାନ୍ଧିଜୀ କହିଥିଲେ, ମାତୃଭାଷାକୁ ଅବହେଳା ପ୍ରଦର୍ଶନ କରିବା ଜାତି ପକ୍ଷେ ଆତ୍ମହତ୍ୟା ସହ ସମାନ (“neglect of the vernacular means national suicide”) (Preface in P.J.Mehta’ସ ବୂକ ‘Vernaculars as media of education in Indian Schools and Colleges) । ଆମ ଜାତିକୁ ଏହି ଆତ୍ମହତ୍ୟା ଦିଗକୁ ଠେଲି ନେଉଛନ୍ତି ଦୁରଦୃଷ୍ଟିହୀନ ନବୀନ ପଟ୍ଟନାୟକ ଯାହାଙ୍କ ନୂଆ କାଷ୍ଟିଂ କାଉଚ୍ ସାଜିଛି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ସମ୍ବାଦ’ !

ସମ୍ବିଧାନର ଧାରା ୩୫୦-କ

ମାତୃଭାଷାରେ ପ୍ରାଥମିକ ଶିକ୍ଷା ଏତେ ଗୁରୁତ୍ଵପୂର୍ଣା ଯେ, କାଳେ ସଂଖ୍ୟାଲଘୁ ଭାଷାଭାଷୀଙ୍କ ପିଲାମାନେ ସଂଖ୍ୟାଗରିଷ୍ଠ ଭାଷାଭାଷୀଙ୍କ ଭାଷାଧିପତ୍ୟ ହେତୁ ଅସୁବିଧାରେ ପଡ଼ିବେ, ତାକୁ ଆଖିରେ ରଖି ସମ୍ବିଧାନର ୩୫୦-କ ଧାରାରେ ଭାରତର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାଥମିକ ଶିକ୍ଷାର ଅଧିକାର ପ୍ରଦାନ କରାଯାଇଛି । ଯଥା-
Article 350A – It shall be the endeavour of every State and of every local authority within the State to provide adequate facilities for instruction in the mother-tongue at the primary stage of education to children belonging to linguistic minority groups; and the President may issue such directions to any State as he considers necessary or proper for securing the provision of such facilities.

ବିଶ୍ଵାୟନର ବିଷ

ଆମେରିକାପନ୍ଥୀ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବିଶ୍ଵାୟନ ଆଳରେ ଯାହା କରୁଥିଲେ ତାକୁ ସୁହାଇବା ପରି ଭିତ୍ତିଭୂମି ତିଆରି କରିବା ସକାଶେ ଭାରତର ଶିଶୁମାନେ ପ୍ରଥମ ଶ୍ରେଣୀରୁ ଇଂରାଜୀ ଅଧ୍ୟୟନ କରିବା ଉପରେ ଗୁରୁତ୍ଵ ଦିଆଯାଇଥିଲା ତାଙ୍କ ୨ୟ ଦଫା ଦାୟିତ୍ଵାସୀନତାର ପ୍ରାରମ୍ଭରୁ ।
ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଓ ସର୍ବଶିକ୍ଷା ଅଭିଯାନକୁ ପ୍ରୟୋଗ କରି ପ୍ରାଥମିକ ସ୍କୁଲ ସ୍ତରରୁ ଇଂରାଜୀ ଶିକ୍ଷା ସପକ୍ଷରେ ଯୁକ୍ତି ନିର୍ମାଣ କରାଯାଇଥିଲା । “Teaching of English at Primary level in Government Schools” ଶୀର୍ଷକ ସେମାନଙ୍କ ମିଳିତ ରିପୋର୍ଟ,୨୦୧୨ରେ କହିଥିଲା କି, ତଦ୍ଦ୍ଵାରା ମାତୃଭାଷା ସଦ୍ଦୃଶ ସହଜ ଶୈଳୀରେ ଇଂରାଜୀ ଶିଖି ହେବ ଓ ଜ୍ଞାନାର୍ଜନର ମାଧ୍ୟମ ଭାବେ ତାହା ପ୍ରଯୁକ୍ତ ହେବ ।

ମୌଳିକ ଅଧିକାର: ସାମ୍ବିଧାନିକ ବେଞ୍ଚ 

ମାତ୍ର ପ୍ରାଥମିକ ଶିକ୍ଷାର ଭାଷା ଉପରେ ୬ ମଇ୨୦୧୪ରେ ଭାରତର ସର୍ବୋଚ୍ଚ ନ୍ୟାୟଳୟର ସାମ୍ବିଧାନିକ ବେଞ୍ଚ ସ୍ପଷ୍ଟ କରିଦେଇଛନ୍ତି ଯେ, ପ୍ରାଥମିକ ଶିକ୍ଷାୟତନରେ ପ୍ରାଦେଶିକ ମାତୃଭାଷା ମଧ୍ୟ ଶିକ୍ଷାର୍ଥୀଙ୍କ ଉପରେ ନଦାଯାଇପାରିବ ନାହିଁ । ଶିକ୍ଷାର୍ଥୀ ବା ତା ପକ୍ଷରୁ ତା ବାପମାଆ ସେ କେଉଁ ଭାଷାରେ ପ୍ରାଥମିକ ଶିକ୍ଷା ପାଇବ ତାହା କହିବେ, “ଏଇ ଭାଷାରେ ଶିକ୍ଷା ଲାଭ କଲେ ଭବିଷ୍ୟତ ଉଜ୍ଜ୍ଵଳ ହେବ” ବୋଲି କହି ସରକାର ତା ଉପରେ ପ୍ରାଦେଶିକ ମାତୃଭାଷା ନଦି ଦେଇ ପାରିବେ ନାହିଁ ।
(“We are of the view that the right to freedom of speech and expression under Article 19(1) (a) of the Constitution includes the freedom of a child to be educated at the primary stage of school in a language of the choice of the child and the State cannot impose controls on such choice just because it thinks that it will be more beneficial for the child if he is taught in the primary stage of school in his mother tongue. We hold that a child or on his behalf his parent or guardian, has a right to freedom of choice with regard to the medium of instruction in which he would like to be educated at the primary stage in school.”)

ତା ପସନ୍ଦର ଭାଷା (“Language of his choice”) ଉପରେ ସର୍ବୋଚ୍ଚ ଅଦାଲତ ଯେଉଁ ଗୁରୁତ୍ଵ ଦେଇଛନ୍ତି ସେ ଭାଷା ହେଉଛି ସେ ଘରେ ବ୍ୟବହାର କରୁଥିବା ଭାଷା, ଯାହାକୁ National Curriculum Framework, 2005ରେ “home language” ବୋଲି କୁହା ହୋଇଛି ।

ଭାଷା ସମ୍ବନ୍ଧୀୟ ସଂଖ୍ୟାଲଘୁମାନଙ୍କ ଜାତୀୟ ଆୟୁକ୍ତଙ୍କ ସଜ୍ଞାନୁସାରେ, ପ୍ରତି ରାଜ୍ୟରେ ସଂଖ୍ୟା ଗରିଷ୍ଠ ବାସିନ୍ଦାଙ୍କ ମାତୃଭାଷାକୁ ସେହି ରାଜ୍ୟର ମାତୃଭାଷା ମର୍ଯ୍ୟାଦା ଦିଆଯାଇଥାଏ । ଏହି “ମାତୃଭାଷା” ଯେଉଁମାନଙ୍କର ଘରଭାଷା (home language) ନୁହେଁ ସେମାନେ ହିଁ ଭାଷାଭିତ୍ତିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଅନ୍ତର୍ଗତ । “There is a language in every State which is spoken by means of majority of the residents of that State, all other residents now no longer communicate that majority language belong to the linguistic minority.” (File 38, National Commission of Linguistic Minority). ଏହି ସଂଖ୍ୟାଲଘୁମାନଙ୍କ ଉପରେ ପ୍ରାଥମିକ ଶିକ୍ଷା ସ୍ତରରେ ରାଜ୍ୟର ମାତୃଭାଷାକୁ “ଏଇ ଭାଷାରେ ଶିକ୍ଷା ଲାଭ କଲେ ଭବିଷ୍ୟତ ଉଜ୍ଜ୍ଵଳ ହେବ” ବୋଲି କହି ସରକାର ପ୍ରାଦେଶିକ ମାତୃଭାଷା ବି ଲଦି ଦେଇ ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି , ଯାହାର ପ୍ରଣେତା ଜଣେ ଓଡ଼ିଆ , ନ୍ୟାୟାମୂର୍ତ୍ତି ଏ. କେ. ପଟ୍ଟନାୟକ ।

ଯେତେବେଳେ ପ୍ରାଥମିକ ଶିକ୍ଷାରେ ରାଜ୍ୟର ମାତୃଭାଷାଠାରୁ ଶିକ୍ଷାର୍ଥୀଙ୍କ ଘରଭାଷା (home language)କୁ ସର୍ବାଧିକ ଗୁରୁତ୍ଵ ଦିଆ ହୋଇଛି ଓ ତାହା ବିଜ୍ଞାନସମ୍ମତ ତଥା ଶିକ୍ଷାର୍ଥୀର ମୌଲିକ ଅଧିକାରଭୁକ୍ତ ବୋଲି ସ୍ପଷ୍ଟ ହୋଇସାରିଛି ଏବଂ “ଏଇ ଭାଷାରେ ଶିକ୍ଷା ଲାଭ କଲେ ଭବିଷ୍ୟତ ଉଜ୍ଜ୍ଵଳ ହେବ” ବୋଲି କହି ପ୍ରାଥମିକ ଶିକ୍ଷାର୍ଥୀ ଉପରେ ରାଜ୍ୟର ମାତୃଭାଷା ବି ଲଦା ଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି ଓ ସେ ରାୟ ପ୍ରସିଦ୍ଧ ଭାଷା ବିଜ୍ଞାନୀମାନଙ୍କର, ଏକରିକି ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ସୂଚିତ ଇଂରାଜୀ ଭାଷା ବିଶେଷଜ୍ଞମାନଙ୍କର ଅଭିମତ ଅନୁରୂପ ହୋଇଛି, ସେତେବେଳେ ପ୍ରଥମ ଶ୍ରେଣୀରୁ ଓଡ଼ିଶାର ସମସ୍ତ ଶିକ୍ଷାର୍ଥୀଙ୍କୁ ଇଂରାଜୀ ଭାଷାଧିପତ୍ୟ କବଳକୁ ଠେଲି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଯେ, ଆମ ଭବିଷ୍ୟ ପିଢିର ବାସ୍ତବ ବୌଦ୍ଧିକ ବିକାଶର ଘୋର ପରିପନ୍ଥୀ ଏଥିରେ ସନ୍ଦେହର ଅବକାଶ ନାହିଁ ।

କାଷ୍ଟିଂ କାଉଚ୍

ଅତଏବ, ପ୍ରଥମ ଶ୍ରେଣୀରୁ ଆମ ରାଜ୍ୟର ପିଲାମାନଙ୍କୁ ଇଂରାଜୀ ଭାଷାରେ ଅଭ୍ୟସ୍ତ କରିବା ଉଦ୍ୟମ ସେମାନଙ୍କ ସ୍ଵଚ୍ଛନ୍ଦ ବିକାଶରେ ବାଧା ଦେବାକୁ ଆମ “ରାଜା” ପରି ପୋଜ୍ ମାରୁଥିବା ଭୋଟ-ଭିକାରୀମାନଙ୍କର ଏକ କୁତ୍ସିତ ଷଡ଼ଯନ୍ତ୍ର । କିନ୍ତୁ ଏହି ଅବିମୃଷ୍ୟକାରୀତା ସେମାନେ ଜାରି କରିବେ, କାରଣ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଚାଲିଥିବା ନିଶବ୍ଦ କଳା ପତାକା ଅଭିଯାନରୁ ଓଡ଼ିଆ ଜାତିର ଦୃଷ୍ଟି ହଟାଇବା ପାଇଁ ଏହି ହଟଚମଟ ଛଡ଼ା ନବୀନଙ୍କ ଗତ୍ୟନ୍ତର ନାହିଁ । ଆମ ପାଇଁ ଅଧିକ ଦୁଃଖର କଥା, ସମ୍ବାଦ କାଗଜ ଏହି ଅବିମୃଷ୍ୟକାରୀଙ୍କ କାଷ୍ଟିଂ କାଉଚ୍ ଭାବେ ଏକ ନୂଆ ଭୂମିକାରେ ଅବତୀର୍ଣ । ପ୍ରଥମେ ଏହା ଏ ପର୍ଯ୍ୟନ୍ତ ନିର୍ବିବାଦୀୟ ଥିବା ଜଣେ ସମ୍ବାଦିକଙ୍କ ମାଧ୍ୟମରେ ଇଂରାଜୀ ଭାଷା ବିଷୟରେ “ଉଦାର” ହେବାକୁ ହାଲୁକା ବିଷ ବିଛାରିଲା (ଜାନୁଆରୀ ୯, ୨୦୨୦), ତା ପରେ ରସିକିଆ ଦୁଃସାହସ ହେତୁ ବିବଦମାନ ହୋଇପଡ଼ିଥିବା ଜଣେ ଲେଖକଙ୍କ ଇଂରାଜୀ ସପକ୍ଷବାଦୀ ବୟାନକୁ ସଶକ୍ତୀକୃତ କରି ଇଂରାଜୀ ଭାଷା ସପକ୍ଷରେ ସାଧାରଣ ଲୋକଙ୍କ ମଥାଧୌତିକରଣ ପାଇଁ ଉଦ୍ୟମ କଲା (ଜାନୁଆରୀ ୧୫,୨୦୨୦) ଓ ଶେଷରେ ନିଜ ସମ୍ପାଦକୀୟରେ ଘୋଷଣା କଳା ଯେ, ଓଡ଼ିଆ ଜାତି ବିରୁଦ୍ଧରେ ଏହି ସରକାରୀ “ନିଷ୍ପତ୍ତି ହେଉଛି ସମ୍ପୂର୍ଣ ବିଜ୍ଞାନସମ୍ମତ ଓ ଅଭିନନ୍ଦନୀୟ” (ଜାନୁଆରୀ ୨୩। ୨୦୨୦) ।

ଛିଃ ! ଛିଃ ! ଶେଷରେ ଏ ଖବର କାଗଜ ଏହି ସ୍ତରକୁ ଆସିଗଲା !

ବର୍ଣସଙ୍କର ବର୍ଣ୍ଣବୋଧ ଓ ବର୍ଣ୍ଣ ବିପର୍ଯ୍ୟୟ

ଜଗନ୍ନାଥ ପ୍ରସାଦ ଦାସ

ପାଞ୍ଚ ଛ ବର୍ଷ ତଳେ ମଧୁବାବୁଙ୍କ ବର୍ଣ୍ଣବୋଧକୁ ନେଇ ତୁମୁଳ ବାଦବିସମ୍ବାଦ ହେଉଥିବାବେଳେ ନଭେମ୍ବର ୨୦୧୪ରେ ମୁଁ ଏହି ଲେଖାଟି ଲେଖିଥିଲି। ବର୍ତ୍ତମାନ କୁଆଡ଼େ କୋର୍ଟ କଚେରୀ, ବିଧାନସଭା ଆଲୋଚନା ପରେ ସରକାର ନିଷ୍ପତ୍ତି କରିଛନ୍ତି ଯେ ବହିଟିକୁ ମୂଳରୂପରେ ଛପାଇ ପିଲାମାନଙ୍କୁ ଯୋଗାଇ ଦିଆଯିବ। ଆଜିର ପିଲାମାନଙ୍କ ପାଇଁ ଯେ ଗୋଟିଏ ନୂଆବହି ଦରକାର ସେଥିପାଇଁ ବୋଧହୁଏ ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି l

(ଆଉ କିଛି ଦିନପରେ ଜାନୁଆରୀ ୨୯ ତାରିଖରେ ୧୮୫୩ ମସିହାରେ ଜନ୍ମିତ ମଧୁସୂଦନ ରାଓଙ୍କର ଜନ୍ମଦିନ।)

ଓଡ଼ିଶାରେ ବର୍ତ୍ତମାନ ଚିଟ୍‌ଫଣ୍ଡ ଘୋଟାଲା ଓ ଖଣି ଦୁର୍ନୀତିର ଖବର ଭଳି ଆଉ ଯେଉଁ ଖବରଟି ସମ୍ବାଦପତ୍ର ପୃଷ୍ଠା ଛାଡ଼ିବାକୁ ନାରାଜ, ସେଇଟି ହେଲା ଭକ୍ତିକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଜନିତ ବିବାଦ। ଏ ବିବାଦରେ ଓଡ଼ିଶା ସରକାର, ବିଭିନ୍ନ ସାହିତ୍ୟ ଓ ଭାଷା ଅନୁଷ୍ଠାନ ଏବଂ ହାଇକୋର୍ଟ ବାହାରେ ସାହିତ୍ୟିକ ଓ ଭାଷାବିତ୍‌ମାନେ ଅଳ୍ପ ବହୁତ ଜଡ଼ିତ। ତା’ ବ୍ୟତୀତ, ପାଠ ପଢୁଆ ସର୍ବସାଧାରଣ ମଧ୍ୟ ଏ ବିଷୟରେ ପ୍ରତିକ୍ରିୟା ଦେବା ପାଇଁ ଆଗଭର। ବିଷୟଟି ତେଣୁଏକ ଜନ ଆନ୍ଦୋଳନର ରୂପ ନେଇଛି ଏବଂ ଖବରକାଗଜ ପୃଷ୍ଠାରେ ଉଗ୍ର ଲେଖାମାନ ପ୍ରକାଶ ପାଉଛି ଏବଂ ମାମଲା କୋର୍ଟ କଚେରୀକୁ ଯାଉଛି । ନିକଟରେ ପ୍ରକାଶିତ ଏକ ଇଂରେଜୀ କାଗଜର ହେଡଲାଇନର ଓଡ଼ିଆ ଅନୁବାଦ ହେବ: ଭକ୍ତକବିଙ୍କ ପରିବାର ରକ୍ତଚାଉଳ ଚୋବାଇଲେ! ସେହି ଭକ୍ତକବି ଲେଖୁଥବା ଭଣ୍ଡ ରସାୟନ କାବ୍ୟ ଭାଷାରେ କହିଲେ ପରିସ୍ଥିତି ବର୍ତ୍ତମାନ

ଉତ୍କଳ ସାହିତ୍ୟ କ୍ଷେତ୍ରେ ଲାଗିଛି ସମର
ଅବ୍ଦ ବ୍ୟାପୀ ଶବ୍ଦମୟ ମହା ଭୟଙ୍କର ।

ସଂପ୍ରତି ପ୍ରକାଶିତ ବିବରଣୀ ଅନୁଯାୟୀ ବହିଟି ପ୍ରଥମେ ପ୍ରକାଶ ପାଇଥିଲା ୧୮୯୫ରେ ଏବଂ ଏହାର ନବମ ସଂସ୍କରଣ ପ୍ରକାଶ ପାଇଲା ୧୯୦୧ରେ । ସେହି ଦିନଠାରୁ ଏ ବହିଟି ସବୁ ସମୟରେ ଉପଲବ୍ଧ ରହି ଆସିଛି। ମଧୁସୂଦନ ଗ୍ରନ୍ଥାବଳୀରେ ସଂଯୋଜିତ ହୋଇଥିବାରୁ ଏହାକୁ ଏକ ସାହିତ୍ୟିକ ମାନ୍ୟତା ମଧ୍ୟ ମିଳିଛି। (ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଧାନାଥ ଓ ଫକୀରମୋହନ, ଅଥବା ନିକଟ ଅତୀତରେ କାଳିନ୍ଦୀ ଚରଣ ପାଣିଗ୍ରାହୀ, ଲେଖିଥିବା ପାଠ୍ୟପୁସ୍ତକ ସେମାନଙ୍କ ଗ୍ରନ୍ଥାବଳୀରେ ସ୍ଥାନ ପାଇନାହିଁ ।) ଅନେକ ଦିନରୁ ବର୍ଣ୍ଣବୋଧର କପି ରାଇଟ୍ ସରି ଯାଇଥିବାରୁ ଯେ କେହି ବହିଟିକୁ ପ୍ରକାଶ କରିବାରେ କୌଣସି ବାଧା ନାହିଁ । ତେଣୁ ବିଭିନ୍ନ ପ୍ରକାଶକ ବିଭିନ୍ନ ନାଁରେ – ଯଥା, ମଧୁ ବର୍ଣ୍ଣବୋଧ, ସହଜ ବର୍ଣ୍ଣବୋଧ, ଛବିଳ ମଧୁ ବର୍ଣ୍ଣବୋଧ – ବହିଟିକୁ ପ୍ରକାଶ କରୁଛନ୍ତି । ବହିର ଅକ୍ଷର ବିନ୍ୟାସ, ସାଜସଜ୍ଜା ଓ ଅଳଙ୍କରଣ ପ୍ରକାଶକଙ୍କ ମର୍ଜି ନିର୍ଭର । କେତେକ ମଲାଟରେ ଏକ ବୃହତକାୟ ବିରାଡ଼ିର ଛବି କାହିଁକି ଦିଆଯାଇଛି ସେ କଥା ଗବେଷଣା ସାପେକ୍ଷ । କେବଳ ବାଲୁବଜାରର ବହି ଦୋକାନରେ ନୁହେଁ, ହାଟବଜାର ଓ ରାସ୍ତାକଡ଼ର ଦୋକାନରେ ମଧ୍ୟ ବହିଟି ଉପଲବ୍ଧ।

ଗୋଟିଏ ଶତାବ୍ଦୀ ପରେ ବର୍ଣ୍ଣବୋଧକୁ ନୂଆ ରୂପ ଦେଇ ତା’ର ବ୍ୟାପ୍ତିକୁ ଆହୁରି ପ୍ରସାରିତ କରାଯାଇଛି ବିଭିନ୍ନ ମାଧ୍ୟମରେ । ସୃଜନିକା ସଂସ୍ଥା ଏହାର ଏକ ଡିଜିଟାଲ ସଂସ୍କରଣ ପ୍ରକାଶ କରିଛନ୍ତି। ଶାନ୍ତନୁ ମହାପାତ୍ରଙ୍କ ସଂଗୀତ ସହିତ ବର୍ଣ୍ଣବୋଧର ସିଡି ବଜାରରେ, ଏବଂ ଇଣ୍ଟରନେଟ୍‌ରେ ମିଳୁଛି । ପ୍ରକାଶିତ ଖବର ଅନୁସାରେ ଦୃଷ୍ଟିଶକ୍ତି ଆକ୍ରାନ୍ତ ପାଠକମାନଙ୍କ ପାଇଁ ସରକାର ଏକ ବ୍ରେଲ ସଂସ୍କରଣ ତିଆରି କରୁଥିଲେ ଏବଂ ଏହା ମଧୁବାବୁଙ୍କ ଜନ୍ମଦିନ ୨୮ ଏପ୍ରିଲ ଉନ୍ମୋଚିତ ହେବାର ଥିଲା ।(ଏଥିରେ ସାମାନ୍ୟ ବିଡ଼ମ୍ବନା ଥିଲା ଯେ ଏ ତାରିଖଟି ଉତ୍କଳଗୌରବ ମଧୁସୂଦନଙ୍କ ଜନ୍ମଦିନ, ଭକ୍ତକବି ମଧୁସୂଦନଙ୍କର ନୁହେଁ!)

ନିକଟରେ ଓଡ଼ିଶା ସରକାରଙ୍କ ଦ୍ଵାରା ବର୍ଣ୍ଣବୋଧର ପରିବର୍ତ୍ତିତ (ବିଭିନ୍ନ ମତ ଅନୁସାରେ ପରିମାର୍ଜିତ, ଧର୍ଷିତ, ସମୟୋପଯୋଗୀ କୃତ, ବିକର୍ତ୍ତିତ) ସଂସ୍କରଣ ବାହାରିବାରେ ଏହି ବିବାଦର ସୃଷ୍ଟି । ବିବାଦଟି ହଠାତ୍ ଉତ୍କଟ ହେବାର ମୂଳ କାରଣ ହେଲା, ଯେଉଁ ଲକ୍ଷାଧିକ ‘ନୂଆ’ ବର୍ଣ୍ଣବୋଧ ଛପା ହୋଇ ବଣ୍ଟା ହେବା ପାଇଁ ରହିଛି, ତାର କଣ କରାଯିବ।

କୌଣସି ବହିର ପାଠକୁ ବଦଳାଇବା ଏକ ନୀତିଗତ ପ୍ରଶ୍ନ । ମଧୁବାବୁଙ୍କ ବର୍ଣ୍ଣବୋଧକୁ ପରିବର୍ତ୍ତନ କରିବା ଯଥାର୍ଥ କି, ଏ ପ୍ରଶ୍ନର ସିଧାସଳଖ ଉତ୍ତର ହେବ, ନା। ଜଣେ ଲେଖକର ମୂଳ ଲେଖାକୁ ପରିବର୍ତ୍ତନ କରିବାର ଅଧିକାର କାହାରି ନାହିଁ । ଏ ବିଷୟରେ କୌଣସି ମତାମତ, ଯୁକ୍ତିତର୍କର ଅବକାଶ ନାହିଁ । ମୋହିନୀମୋହନ ସେନାପତି ଫକୀରମୋହନଙ୍କ ଲେଖା କାଟଛୋଟ କରିଥିବାରୁ ୧୯୩୨ ରେ ମାୟାଧର ମାନସିଂହ ଯାହା ଲେଖିଥିଲେ ତା ସବୁବେଳେ ପ୍ରଯୁଜ୍ୟ: ପରଲୋକଗତ ଗ୍ରନ୍ଥକର୍ତ୍ତାଙ୍କ ରଚିତ ଗ୍ରନ୍ଥର ଗୋଟିଏ ପଂକ୍ତିକି ମଧ୍ୟ ଅନ୍ୟଥା କରିବା ବର୍ବରତା ଛଡ଼ା ଅନ୍ୟ କିଛି ନୁହେଁ ।

ଏ ସବୁ ବାଦବିସମ୍ବାଦ ମଝିରେ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ଓଡ଼ିଶାରେ ସମସ୍ତେ ମଧୁସୂଦନଙ୍କର ବର୍ଣ୍ଣବୋଧ ବହିରୁ ହିଁ ଅକ୍ଷର ଶିକ୍ଷା କରିଥିଲେ ଏବଂ ଶହେ ବର୍ଷ ଧରି ଏହା ପିଲାମାନଙ୍କର ପାଠ୍ୟପୁସ୍ତକ ଥିଲା । ଓଡ଼ିଶାର ବିଭିନ୍ନ ଲେଖକ ବର୍ଣ୍ଣବୋଧରୁ ଅକ୍ଷର ଶିଖୁଥିଲେ ବୋଲି କହୁଛନ୍ତି । ଆଧୁନିକ କବିତାର କେତୋଟି ଧାଡ଼ିରୁ ନିଷ୍କର୍ଷ ବାହାର କରାଯାଉଛି ଯେ ସଂପୃକ୍ତ କବି ତାଙ୍କର ପ୍ରାଥମିକ ଶିକ୍ଷା ପାଇଁ ବର୍ଣ୍ଣବୋଧଠାରେ ଋଣୀ ।

ଏହି ଶତାବ୍ଦୀରୁ ଅଧିକ ସମୟ ଭିତରେ ବର୍ଣ୍ଣବୋଧ ଅକ୍ଷର ଶିକ୍ଷାର ଏକମାତ୍ର ବହି ନଥିଲା । ବର୍ଣ୍ଣବୋଧ ପୂର୍ବରୁ ଯେଉଁ ବହି ସବୁ ଥିଲା ସେଥିରୁ କେତୋଟି ହେଲା: ବର୍ଣ୍ଣବୋଧକ (ଓଡ଼ିଶା ମିଶନ ପ୍ରେସ, ୧୮୬୭), ବର୍ଣ୍ଣପରିଚୟ (ଘନଶ୍ୟାମ ମିଶ୍ର, ୧୮୬୯), ବର୍ଣ୍ଣଶିକ୍ଷା (କପିଳେଶ୍ୱର ବିଦ୍ୟାଭୂଷଣ, ୧୮୭୩), ବର୍ଣ୍ଣବୋଧକ (ଗୋବିନ୍ଦ ରଥ, ୧୮୮୭) ଇତ୍ୟାଦି । ଏଗୁଡ଼ିକ ସମ୍ଭବତଃ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ‘ବର୍ଣ୍ଣ ପରିଚୟ’ ଧାରାରେ ଲେଖା ହୋଇଥିଲେ।

ସେହି ଭଳି ପରବର୍ତ୍ତୀ ସମୟରେ ମଧ୍ୟ ଏ ପ୍ରକାରର ଅନେକ ବହି ପ୍ରକାଶ ପାଇଥିଲେ। ନିକଟ ଅତୀତରେ ପ୍ରକାଶିତ ଦୁଇଟି ବହି ହେଲା, ଫତୁରାନନ୍ଦଙ୍କ ‘ମୋ ପାଠ ବହି’ ଓ ୨୦୦୩ରେ ଦିଲ୍ଲୀରୁ ପ୍ରକାଶିତ ଆସୋଶିଏଶନ ଅଫ୍ ରାଇଟର୍ସ ଫର ଚିଲଡ୍ରେନଙ୍କର ‘ଅଆଇ ଏବଂ କଖଗ’। ଅବଶ୍ୟ ଅନ୍ୟ କୌଣସି ବହି କୌଣସି ସମୟରେ ମଧୁସୂଦନଙ୍କ ବର୍ଣ୍ଣବୋଧ ଭଳି ଲୋକପ୍ରିୟ ହୋଇ ପାରିନାହାନ୍ତି।

ଏ କଥା ମଧ୍ୟ ସତ ଯେ ବର୍ଣ୍ଣବୋଧ ଅନେକ ଦିନରୁ ସ୍କୁଲ ପାଠ୍ୟପୁସ୍ତକ ତାଲିକାରେ ନଥିଲା । ଗତ ଶତାବ୍ଦୀର ଚାଳିଶ ଦଶକରେ ଆମେମାନେ ପାଠ ପଢ଼ା ଆରମ୍ଭ କଲା ବେଳେ ଆମ ବହି ଅଆକଖରୁ ଆରମ୍ଭ ହେଉ ନଥିଲା । ଏ ବହିର (ଲେଖକ ବୋଧହୁଏ ଅଧିରାଜ ମୋହନ ସେନାପତି) ଆରମ୍ଭରେ ଥିଲା ମା, ରମା, ରବର, ରମାର କଳା ବାଳ ।

ତେବେ ମଧୁସୂଦନଙ୍କର ବର୍ଣ୍ଣବୋଧ ଯେ ଏକ ସମୟରେ ବହୁ ପଠିତ ପାଠ୍ୟପୁସ୍ତକ ଥିଲା ଏଥିରେ ସନ୍ଦେହ ନାହିଁ । ଏହାର ଏକ କାରଣ ହୋଇପାରେ ଯେ ମଧୁସୂଦନ ସେତେବେଳେ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତା ଥିଲେ । ଏବଂ ସର୍ବୋଚ୍ଚ କର୍ତ୍ତା ରାଧାନାଥ ରାୟଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା । (ସେ ଦୁହିଁଙ୍କୁ ସେତେବେଳେ ଲୋକେ ଶିକ୍ଷା ବିଭାଗର ଛୋଟ ଲାଟ ଓ ବଡ଼ ଲାଟ କହୁଥିଲେ ।)

ପିଲାଦିନେ ବର୍ଣ୍ଣବୋଧ ପଢ଼ିଥାନ୍ତୁ କି ନଥାନ୍ତୁ, ଓଡ଼ିଶାର ଅଧକାଂଶ ଶିକ୍ଷିତ ଲୋକ ବର୍ଣ୍ଣବୋଧର ନିମ୍ନଲିଖୁତ ପାଠ ସହିତ ଊଣା ଅଧିକେ ପରିଚିତ:

ଛେଳି ଛୁଆଟିକି ଦେଖ । ମେଷ ଛୁଆଟିକି ରଖ ||
ଦୁଗ୍ଧ ପାନ କଲେ ବଢ଼ଇ ଶକ୍ତି । ସାଧୁର ଲକ୍ଷଣ ଈଶ୍ବର ଭକ୍ତି ||
ଅରଣା ମଇଁଷି ରହିଛି ଅନାଇ । ମଇଁଷିର ପାଖ ନ ଯାଅ ଦନାଇ ||
ହରିଣ ନ ଦିଏ ଧରା । ଦଉଡ଼ନା ବଡ଼ ଖରା || ଇତ୍ୟାଦି

ଲକ୍ଷ୍ୟ କରିବାର କଥା ଯେ ଏହି ଅସଂଲଗ୍ନ, ଅସଂଗତ ଓ ହାସ୍ୟ ଉଦ୍ରେକ କରୁଥିବା ଧାଡ଼ିଗୁଡ଼ିକ ମନେ ରଖୁଥିବା ବେଳେ ବର୍ଣ୍ଣବୋଧରେ ଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦଗୁଡ଼ିକ ଆମ ସ୍ମୃତିରେ ନାହିଁ । ଏ ଧାଡ଼ିଗୁଡ଼ିକ ମୁଁ ନିଜେ ପିଲାବେଳେ ବର୍ଣ୍ଣବୋଧ ବହିରୁ ପଡ଼ିଥିବା ମୋର ମନେ ନାହିଁ । ପରବର୍ତ୍ତୀ ସମୟରେ ବୋଧହୁଏ ସାଙ୍ଗସାଥଙ୍କ ମେଳରେ ମୁହଁରୁ ମୁହଁକୁ ଏ ଧାଡ଼ି ସବୁ ସ୍ମରଣରେ ରହିଥିଲା । ଏ ପଦମାନ ବ୍ୟବହାର କରାଯାଉଥିଲା ଥଟ୍ଟା ତାମସା ମଜା କରିବା ପାଇଁ । ମୁଁ ବିବଦ୍ଧ ଭାବରେ ବର୍ଣ୍ଣବୋଧ ପଢ଼ିଲି ଏଇମାତ୍ର, ୧୯୭୦ରେ କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟାର ପ୍ରକାଶିତ ଗ୍ରନ୍ଥାବଳୀର ଦ୍ବିତୀୟ ସଂସ୍କରଣରୁ। ସରକାରଙ୍କ ଦ୍ଵାରା ପ୍ରକାଶିତ (ଓ ବର୍ତ୍ତମାନ ବୋଧହୁଏ ତାଲା ବନ୍ଦ) ବର୍ଣ୍ଣବୋଧ ବା ବର୍ଣବୋଧ ଦେଖୁବାର ସୌଭାଗ୍ୟ ହୋଇନାହିଁ। ବର୍ତ୍ତମାନ ପ୍ରଶ୍ନ ହେଉଛି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଆଜିର ପିଲାଙ୍କ ପାଇଁ ଉପଯୁକ୍ତ କି ? ମୋ ମତରେ ଏହାର ଉତ୍ତର, ନା। ମଧୁସୂଦନ ଶହେ ବର୍ଷରୁ ବେଶି ସମୟ ଆଗରୁ ଯେତେବେଳେ ଏହି ବହିଟି ଲେଖିଥିଲେ ସେ ସମୟର ସମାଜ, ଭାଷା, ଶିକ୍ଷା ପଦ୍ଧତି, ଆଚାର ବ୍ୟବହାର, ନୀତି ନିୟମ ଅଲଗା ଥିଲା । ସେ ସବୁ ବର୍ତ୍ତମାନ ବଦଳି ଯାଇଛନ୍ତି ଏବଂ ଆମର ଜ୍ଞାନର ପରିସର ମଧ୍ୟ ଅନେକ ଗୁଣ ବଢ଼ି ଯାଇଛି। ମଧୁବାବୁଙ୍କ ବହିରେ ଅଛନ୍ତି ଗାଁର ରଜକ ରଇତ ଚାଷୀ ଧୀବର ପାଇକ ବୈଦ୍ୟ ଶ୍ରେଣୀ ପାଞ୍ଜି ରଥ ହଳ; ଏଥିରେ ସହର ସଂପୂର୍ଣ୍ଣ ଅନୁପସ୍ଥିତ । ଏଥିରେ ରେଳଗାଡ଼ି ଓ ଉଡ଼ାଜାହାଜ ତ ନାହିଁ, ସାଇକେଲ ବି ନାହିଁ, କଂପ୍ୟୁଟର ଓ ମଙ୍ଗଳ ଯାନ ତ ଦୂରର କଥା।

ସେତେବେଳେ ବର୍ଣ୍ଣବୋଧରେ ଦିଆଯାଇଥିବା ଅନେକ ଶବ୍ଦ ଆଉ ସାଧାରଣ ବ୍ୟବହାରରେ ନାହିଁ, ଯଥା: ଅବଜ ବ୍ରୀହି ଊନ ପୁଣ୍ଡ୍ର ବର୍ହ ଯାଚଞ୍ଜା ଶ୍ଳାଘା ଉଦବାହ ଉଚ୍ଚୈଃ । ଗୌଣୀ ଓ ବାମ୍ଫୀ ଏବେ ଦେଖୁବାକୁ ସ୍ୱପ୍ନ ।

ସେହି ଭଳି ବର୍ଣ୍ଣବୋଧରେ ଦିଆଯାଇଥିବା କେତୋଟି କଥା ଆଉ ପଲିଟିକାଲି କରେକ୍ଟ ବା ଭଦ୍ରୋଚିତ ବୋଲି ଗ୍ରହଣ କରା ହେଉନାହିଁ, ଯଥା:

ଦରିଦ୍ର ପିନ୍ଧେ ଛିଣ୍ଡା କନ୍ଥା। ଅନ୍ଧକୁ ନ ଦିଶଇ ପନ୍ଥା ।।
ପଂଝାଏ ଖଂଜ ବସି ବସି। କଥା କହନ୍ତି ହସି ହସି ।।
ଦ୍ଵାର ଦ୍ଵାର ବୁଲି ମାଗଇ ଦୁଃଖୀ। ଭିକ ପାଇଲେ ସେ ହୁଅଇ ସୁଖୀ।।

ବର୍ଣ୍ଣବୋଧର ଆଉ କେତୋଟି ଫକ୍ତି ଗୁରୁଚଣ୍ଡାଳ ଦୋଷ, ଅତି ଭାରି ସଂସ୍କୃତ ଶବ୍ଦର ବ୍ୟବହାର ଓ ଅସଂଗତ ଭାବ ଯୋଗୁ ହସର ଖୋରାକ ଯୋଗାଇଥାନ୍ତି:

ଗାଈକୁ ତୃଣ ଦିଅ । ଜଣେ ଲୋକ ଗୋଟିଏ ଅଶ୍ବକୁ ଧରିଅଛି। ଅର୍ଦ୍ଧରାତ୍ର ସମୟରେ ମୁଁ ଉର୍ଦ୍ଧ୍ଵକୁ ଅନାଇ ନକ୍ଷତ୍ରପୂର୍ଣ୍ଣ ଆକାଶକୁ ଦେଖିଲି। ଅବ୍ଜ ଫୁଟିଛି ସରୋବରେ, ବେଢ଼ି ଅଛନ୍ତି ମଧୁକରେ । ପଡ଼ନ୍ତେ କର୍ଣ୍ଣେ ସେହି ଶବ୍ଦ, ଆନନ୍ଦ ପ୍ରାଣେ ହେଲା ଲବ୍ଧ ।

ଏ ସବୁ ଦାନ୍ତ ଭଙ୍ଗା ଲେଖା ପଢ଼ଇବା ପରେ କୁହାଯାଇପାରିବ ନାହିଁ ଯେ: ବାଳକେ ଆସିଲେ ପାଠଶାଳାରୁ, ହସ ହସ ମୁହଁ ଦିଶେ ସୁଚାରୁ। ଅବଶ୍ୟ ସେମାନେ ଯେତେବେଳେ ପଢ଼ିବେ ଯେ କୁକୁରକୁ କୁହାଯାଉଛି, “ନାନା ଜାତି ଫୁଲ ଦେବି ତୋତେ ଆଣି, ଦେଖ୍ ତୁ ହସିବୁ ଆରେ ଧନମଣି’, ସେମାନଙ୍କ ଓଠକୁ ସାମାନ୍ୟ ହସ ଆସିପାରେ ।

ବର୍ତ୍ତମାନ ଏ କଥା ମଧ୍ୟ କେହି କେହି କହିଲେଣି ଯେ ବର୍ଣ୍ଣବୋଧରେ ପିଲାମାନଙ୍କୁ ଭୁଲ୍ ନୀତିଶିକ୍ଷା ଦିଆଯାଉଛି, ଯଥା, ମଇଁଷିର ପାଖେ ନ ଯାଅ ଦନାଇ । ଆମର ସାହସୀ ଦନାଇ କାହିଁକି ଗୋଟିଏ ଛାର ଅରଣା ମଇଁଷି ପାଖକୁ ଯିବାକୁ ଡରିବ?

ମୋର କିନ୍ତୁ ଏହି ବିହିଟି ବିଷୟରେ ଦୁଇଟି ଅଭିଯୋଗ ଅଛି । ପ୍ରଥମଟି ହେଲା ବର୍ଣ୍ଣବୋଧର ବିବିଧ ପାଠରେ କୁହାଯାଇଥିବା “ମା ଯାହା ଖାଇବାକୁ ଦେବେ ତାହା ଖାଇବା… ବାପା ଯାହା କହି ବେ ତାହା କରିବା”। ଏ ଉପଦେଶ ନିଶ୍ଚିତ ଭାବେ ବିଦ୍ୟାସାଗରଙ୍କ ବର୍ଣ୍ଣ ପରିଚୟର ଅନୁସରଣ : “ଗୋପାଲ ବଡ଼ ସୁବୋଧ । ତାର ବାବା ମା ଯଖନ ଯା ବଲେନ ତାଇ କରେ… ଗୋପାଲ ଯା ପାୟ ତା ଖାୟ”। ଏ ଭଳି ଉପଦେଶ ସମସ୍ୟାପୂର୍ଣ୍ଣ । ଭଜିଲାନ୍ସରେ ଧରାପଡ଼ି ନିଲମ୍ବିତ ହୋଇ ଘରେ ବସି ରହିଥିବା ଚୋର ବାପା କଥା ପିଲା ମାନିବ କାହିଁକି ? ପିଲାଟିକୁ କାହିଁକି କୁହାଯିବ ଯେ ତେଲ ଛଣା ଜିନିଷ ଖାଇ ମୋଟୀ ହୋଇଯାଉଥିବା ମା ଯାହା ଖାଇବାକୁ ଦେବେ ପିଲା ତାକୁ ଖାଇବ । ତା ବଦଳରେ କହିବା କଥା, ଆମେ ପୁଷ୍ଟିକର ଖାଦ୍ୟ ଖାଇବା, ଆମେ ଉଚିତ କାମ କରିବା । ରବୀନ୍ଦ୍ର ନାଥ ଠାକୁର ମଧ୍ୟ ବିଦ୍ୟାସାଗରଙ୍କର ବାପମାଙ୍କ କଥା ମାନୁଥିବା ସୁବୋଧ ପିଲାକୁ ଆଦର୍ଶ ଭାବେ ଗ୍ରହଣ କରିବାର ସପକ୍ଷରେ ନଥିଲେ।

ମୋର ଅନ୍ୟ ସମାଲୋଚନାଟି ଆହୁରି ଗୁରୁତର । ମଧୁସୂଦନ ରାଓ ଜଣେ ରଷିପ୍ରତିମ ଲୋକ ଥିଲେ ବୋଲି ବିଦିତ ଓ ଭକ୍ତକବି ନାଁରେ ଖ୍ୟାତ। ଫକୀରମୋହନ ତାଙ୍କ ବିଷୟରେ ଲେଖିଥିଲେ: ଆଦର୍ଶ ମନୁଷ୍ୟ ଯଦି ଦେବାରେ ଚାଓ, ଧାଇଁ ଯାଇ ଦେଖ୍ ଆସ ଘରେ ମଧୁ ରାଓ । ଅନେକ ବର୍ଷ ତଳେ ମୁଁ ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ କ୍ଲରିହିଉ ଲେଖିଥିଲି (ଆଳିମାଳିକା, ୧୯୯୩) : ମଧୁସୂଦନ ରାଓ, ପାଠକଙ୍କୁ କହିଲେ ଯାଅ, ଆଖୁବୁଜି ବସ ପଦ୍ମାସନ, ତା ହେଲେ ପାଇବ ମୋର କବିତାର ଜ୍ଞାନ । ଏ ଲେଖା ତାଙ୍କର ଧର୍ମପ୍ରାଣତାକୁ ସୂଚାଉଥିଲା । ସେ ଓଡ଼ିଶାର ଜଣେ ଆଦ୍ୟ ବ୍ରାହ୍ମ ଥିଲେ ଏବଂ ବ୍ରାହ୍ମଧର୍ମ ପ୍ରଚାର ଓ ପ୍ରସାର କରୁଥିଲେ । ସେଥିପାଇଁ ତାଙ୍କ ଲେଖାରେ ଧର୍ମର ପ୍ରଭାବ ଦେଖୁବାକୁ ମିଳେ । ଯଦିଓ ବର୍ଣ୍ଣବୋଧ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବହି ଓ ଧର୍ମଗ୍ରନ୍ଥ ନୁହେଁ, ସେଥିରେ ମଧ୍ୟ ସେ ତାଙ୍କର ଧାର୍ମିକତାର ବ୍ୟତିକ୍ରମ କରିନାହାନ୍ତି । ହିନ୍ଦୁ ହୋଇଥିଲେ ସେ ହୁଏତ ଦୁର୍ଗାସ୍ତୁତି ବା ଜଗନ୍ନାଥ ଜଣାଣ ଲେଖିଥାନ୍ତେ, କିନ୍ତୁ ବ୍ରାହ୍ମ ହୋଇଥିବାରୁ ତାଙ୍କ ଲେଖାରେ ଦେଖିବାକୁ ମିଳନ୍ତି ଜଗତପିତା, ପରମେଶ୍ଵର, ମହାପ୍ରଭୁ, ପରାତ୍ପର, ଅନାଦି ଇତ୍ୟାଦି । ବର୍ଣ୍ଣବୋଧର ବର୍ଣ୍ଣନା ଅନୁସାରେ :

ଆକାଶ ଦିଶେ କି ସୁନ୍ଦର । ତାହାକୁ ରଚିଲେ ଈଶ୍ଵର II
ମନୁଷ୍ୟ ପଶୁପକ୍ଷୀ ଆଦି । ସକଳ ସୃଜିଲେ ଅନାଦି II

ଏହାର ଭାବାର୍ଥ ହେଲା ଯେ ଈଶ୍ବର ହିଁ ଗ୍ରହ ନକ୍ଷତ୍ର ଆକାଶ ମଣିଷ ବୃକ୍ଷ ଲତା ଓ ପଶୁପକ୍ଷୀଙ୍କୁ ସୃଷ୍ଟି କରିଛନ୍ତି। ଏ କଥା ବିଜ୍ଞାନ ଅନୁମୋଦିତ ଡାରୱିନଙ୍କ ବିବର୍ତ୍ତନବାଦର ସଂପୂର୍ଣ୍ଣ ବିରୋଧ କରୁଛି । ବିଜ୍ଞାନରେ ଅସମ୍ଭବ ପ୍ରଗତି କରିଥିଲେ ମଧ୍ୟ ଆମେରିକାର ଅନେକ ଲୋକ ରକ୍ଷଣଶୀଳ ଓ କୁସଂସ୍କାରଗ୍ରସ୍ତ । ସେମାନେ ବାଇବର ଜେନେସିସରେ ଲେଖା ଥିବା କଥାରେ ବିଶ୍ଵାସ କରନ୍ତି ଯେ ପୃଥିବୀ ମଣିଷ ପଶୁପକ୍ଷୀ ସମସ୍ତଙ୍କୁ ଈଶ୍ଵର ଛ’ ଦିନରେ ସୃଷ୍ଟି କରିଥିଲେ । ଏ କଥା ବିଜ୍ଞାନ ବିରୋଧୀ ହୋଇଥିବାରୁ ବର୍ତ୍ତମାନ ବିବର୍ତ୍ତନବାଦ ଓ ସୃଷ୍ଟିବାଦ ଭିତରେ ଦ୍ବନ୍ଦ ଲାଗି ରହିଛି। ୧୯୮୨ ରେ ଲୁଜିଆନା ଷ୍ଟେଟ ଉଭୟ ମତକୁ ଏକା ଭଳି ଦେଖୁବା ପାଇଁ ଏକ ଆଇନ ପ୍ରଣୟନ କରିବାରେ ୭୨ ଜଣ ବୈଜ୍ଞାନିକ ଓ ୧୭ଟି ବିଜ୍ଞାନ ଏକାଡେମୀ ଏ ବିଷୟରେ କଚେରୀକୁ ଯାଇଥିଲେ । ୧୯୮୭ରେ ସୁପ୍ରିମ କୋର୍ଟ ରାୟ ଦେଲେ ଯେ ଆଇନଟି ଅସିଦ୍ଧ କାରଣ ଏକ ପରମପୁରୁଷ ମଣିଷ ଜାତି ସୃଷ୍ଟି କରିଛନ୍ତି କହିବା ଦ୍ଵାରା ଏହି ଆଇନ ଧର୍ମ ପ୍ରବର୍ତ୍ତନ କରୁଛି ଯାହା ସମ୍ବିଧାନ ବିରୁଦ୍ଧ ।

ବିବର୍ତ୍ତନବାଦରେ ଆଜି ଆଉ କାହାରି କୌଣସି ସଂଶୟ ନାହିଁ, କେବଳ କିଛି କୁସଂସ୍କାରବାଦୀ ଛଦିନିଆ ସୃଷ୍ଟିରେ ବିଶ୍ବାସ କରୁଥିବା ଲୋକଙ୍କ ବ୍ୟତୀତ । ଏହି ପରିପ୍ରେକ୍ଷୀରେ ପୃଥବୀ ମଣିଷ ପଶୁପକ୍ଷୀ ବିବର୍ତ୍ତନ ଦେଇ ନୁହେଁ ଜଣେ ଈଶ୍ବରଙ୍କ ଦ୍ଵାରା ସୃଷ୍ଟି ହୋଇଛନ୍ତି ଏପରି କହିବା ପିଲାମାନଙ୍କୁ ଭୁଲ୍ ଶିକ୍ଷା ଦେବା ହେବ ।

ଏହା ବ୍ୟତୀତ ଅନେକ ବିଦ୍ୱାନ (ଯଥା ରିଚାର୍ଡ ଡକିନ୍ସ, ଏ.ସି. ଗ୍ରେଲିଙ୍ଗ, କ୍ରିଷ୍ଟୋଫର ହିଚେନ୍ସ)ଙ୍କର ମତ ଯେ ପିଲାମାନଙ୍କୁ ଧର୍ମ ବା ଈଶ୍ୱରଙ୍କ ବିଷୟରେ କହି ସେମାନଙ୍କ କୋମଳ ମନକୁ ପ୍ରଭାବିତ କରିବା ଉଚିତ ନୁହେଁ । କୌଣସି ପୂର୍ବଗ୍ରହ ବିନା ବଡ଼ ହେଲେ ସେମାନେ ନିଜେ ନିଷ୍ପତ୍ତି ନେବେ ଈଶ୍ଵରରେ ବିଶ୍ୱାସ କରିବେ କି ନା ଏବଂ କୌଣସି ଧର୍ମକୁ ଗ୍ରହଣ କରିବେ କି ନା ।

ଏହି ଦୃଷ୍ଟିକୋଣରୁ ମଧ୍ୟ ମଧୁବାବୁଙ୍କ ବର୍ଣ୍ଣବୋଧ ଆଜିର ପିଲାମାନଙ୍କ ପାଇଁ ଆଦୌ ଉପଯୋଗୀ ନୁହେଁ ।ବର୍ଣ୍ଣବୋଧର ଭବିଷ୍ୟତ କଣ ହେବ ତା ବର୍ତ୍ତମାନ ଏକ କମିଟି ହାତରେ । ଗୋଦାମ ଘରେ ରହିଥିବା ଅସଂଖ୍ୟ ବର୍ଣ୍ଣସଂକର ବର୍ଣ୍ଣବୋଧ ବହିସବୁକୁ ଜାଳି ଦେବା ପାଇଁ ସୁପାରିଶ କରିବା ସହିତ ସେମାନେ ନିଶ୍ଚୟ ପିଲାମାନଙ୍କ ପାଇଁ କି ପ୍ରକାରର ବହି ଦରକାର ସେ ବିଷୟରେ ପରାମର୍ଶ ଦେବେ। ବର୍ତ୍ତମାନ ସମସ୍ତେ ସେଇ କମିଟିର ଅଭିମତ ଅପେକ୍ଷାରେ । ତେବେ ଏ କଥା ମଧ୍ୟ କୁହାଯାଇଛି ଯେ, ବର୍ଣ୍ଣବୋଧର ସାଧୁ ଭାଷାରେ ଲେଖୁଲେ, ଉଷ୍ଟ୍ର ହେଉଚି ଏକ କମିଟି ସୃଷ୍ଟ ଅଶ୍ୱ ।

ନଭେମ୍ବର, ୨୦୧୪

ସୁବିଦିତ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସ ଲେଖିଥିବା ଅର୍ଦ୍ଧଦଶନ୍ଧି ତଳର ଏହି ଲେଖା ଚଳିତ ଶାସନରେ ଆମ ଭାଷା ଭୋଗିଚାଲିଥିବା ଦୁର୍ଦ୍ଦଶାର ଏକ ବ୍ୟଥାଡାୟକ ଦୃଷ୍ଟାନ୍ତ ଉପରେ ଆଧାରିତ ।ଅବସରପ୍ରାପ୍ତ ସର୍ବ ଭାରତୀୟ ପ୍ରଶାସନିକ ସେବାଧିକାରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଏହାର ଗୁରୁତ୍ଵ ଅନୁଭବ କରି ପ୍ରସାରିତ କରିଥିଲେ ; ଆମ ବିଚାରରେ ସବୁ ଓଡ଼ିଆ ଏହା ଅବଗତ ହେବା ଉଚିତ । ସେଥିପାଇଁ ଏହା ଏଠି ଉପସ୍ଥାପିତ ହେଲା । ଏହାର ଲେଖକ ଓ ପ୍ରସାରକ ଉଭୟଙ୍କୁ ଅଶେଷ ଧନ୍ୟବାଦ । (ସମ୍ପାଦକ) । 

ତର୍କାତୀତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଆମ ଜାତିକୁ ନିରଙ୍କୁଶ ଭାଷା ଅଧିକାର ପ୍ରାପ୍ତି ଆମର ଦାବି । ଏହା ନଦେବା ପାଇଁ ରାଜ୍ୟ ସରକାର ବହୁବିଧ ଉଦ୍ୟମ କଲା ପରେ ଯେତେବେଳେ ଭାଷାପ୍ରାଣ ଓଡ଼ିଆ ଜାତି ଏହି ଦାବି ସପକ୍ଷରେ ଭାଷା ଆନ୍ଦୋଳନକୁ ପ୍ରସାରିତ କରିବାରେ ଲାଗିଛି, ସେତେବେଳେ ରାଜ୍ୟରେ ଇଂରାଜୀ ଭାଷାଧିପତ୍ୟ କାଏମ ରଖିବା ପାଇଁ ସରକାର ନାନା ଅଭିନବ ପନ୍ଥା ଅନୁସରଣ କରୁଛନ୍ତି । ଭାଷାଆନ୍ଦୋଳନର ଦାବି ଉପରୁ ଦୃଷ୍ଟି ଅପସାରଣ ପ୍ରଚେଷ୍ଟା ତନ୍ମଧ୍ୟରୁ ଅନ୍ୟତମ । ଏହି କ୍ରମରେ ଏଠାରେ ପ୍ରକାଶିତ ଏକ ଆଲୋଚନାର ଉତ୍ତରରେ ସାମାଜିକ ଗଣମାଧ୍ୟମ ‘ଫେସବୁକ’ରେ ସାମ୍ବାଦିକ ସନ୍ଦୀପ ସାହୁ ମୋତେ ଏକ ଖୋଲା ଚିଠି ଦେଇଛନ୍ତି । ଏବଂ ସମ ତାଳରେ ସେ କହିଛନ୍ତି ଯେ, ସେ ଯାହା କହିଛନ୍ତି ତହିଁ ଉପରେ ଆଉ କୌଣସି ତର୍କ ତାଙ୍କର କାମ୍ୟ ନୁହେଁ । ତେଣୁ ଏହି ତର୍କାତୀତ ଉପସ୍ଥାପନାରେ ମୋତେ ଅଗତ୍ୟା ଏହି ସ୍ପଷ୍ଟୀକରଣ ଦେବାକୁ ହେଉଛି, ଯେହେତୁ ତାଙ୍କ ଉତ୍ତରରେ କେତେକ ଅଭିଯୋଗ ଓ ଆକ୍ଷେପ ଏପରି ଦୃଶ୍ୟମାନ ଯେ, ତାହା ତହିଁ ଉପରେ ମୋର ଅଭିମତ ଆବଶ୍ୟକ କରୁଛି । ଅବଧାନକୁ ଆସୁ –

ଆଦରଣୀୟ ଭାଇ ସନ୍ଦୀପ ସାହୁ,
ମୋ ଲେଖା ଆପଣଙ୍କୁ ଦୁଃଖ ଦେଇଥିବା ହେତୁ ମୁଁ ଦୁଃଖ ପ୍ରକାଶ କରୁଛି । କାରଣ, ମୋର କହିବା ନିଷ୍ପ୍ରୟୋଜନ ଯେ, ସାମୟିକ ମତପାର୍ଥକ୍ୟ ସତ୍ତ୍ୱେ ଆପଣ ମୋର ଅତ୍ୟନ୍ତ ପ୍ରିୟ ଓ ବୃତ୍ତିନିଷ୍ଠ ସମ୍ମାନର ଅଧିକାରୀ । ଥିଲେ, ଅଛନ୍ତି ଓ ରହିବେ ।

ଆପଣ ଏକ କିମ୍ଭୂତକିମାକାର ପ୍ରସ୍ତାବ ଥୋଇଛନ୍ତି । ଭାଷା ଆନ୍ଦୋଳନରେ ମୋର ପ୍ରାୟ ସବୁ ଘନିଷ୍ଠ ସହଯୋଗୀ ମୋତେ କାହିଁକି ଛାଡ଼ିଚାଲିଗଲେ ବୋଲି ମୁଁ ନିଜକୁ ପ୍ରଶ୍ନ କରିବା ଉଚିତ ବୋଲି ଆପଣ ଯାହା କହିଛନ୍ତି ତାହା ବେଶ୍ କୌତୁହଳୋଦ୍ଦୀପକ । ସେମାନେ ମୋତେ କେହି ଛାଡ଼ିକରି ଯାଇନାହାନ୍ତି ; ସେମାନଙ୍କ ଉଦ୍ଦେଶ୍ୟ ପୂର୍ଣ ହୋଇଗଲା ପରେ ସେମାନେ ଚାଲିଗଲେ । ମୋ ପାଇଁ ମୋ ଲକ୍ଷ୍ୟ ହାସଲ ହୋଇନାହିଁ , କାରଣ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ମୁଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଏଯାଏଁ ବିଧିକୃତ ହୋଇନାହିଁ , ତେଣୁ ମୁଁ ଆନ୍ଦୋଳନ ଚଳାଇଛି । ଓଡ଼ିଶାର ନିରୋଳା ନିସ୍ଵାର୍ଥପର ଭାଷାପ୍ରାଣ ଭାଇଭଉଣୀମାନେ ମୋ ସହ ଆନ୍ଦୋଳନରେ ଅଛନ୍ତି, କଳାପତାକା ଲକ୍ଷ୍ୟ ହାସଲ ପଥରେ ଅବିଚଳିତ ଭାବେ ଆଗେଇ ଚାଲିଛି । ପାର୍ଶ୍ଵବର୍ତ୍ତୀ ପ୍ରକାଶିତ ସମ୍ବାଦରେ ସେମାନେ ନିଜକଥା ନିଜେ କହିଛନ୍ତି ଓ ସରକାରଙ୍କୁ ଚିଠି ଲେଖି ସରକାରୀ କରୁଣା ପାଇଁ କୃତଜ୍ଞତା ବି ଜ୍ଞାପନ କରିଛନ୍ତି । ସୁତରାଂ ସେମାନେ କାହିଁକି ମୋତେ ଛାଡ଼ିଚାଲିଗଲେ ବୋଲି ମୁଁ ନିଜକୁ ପ୍ରଶ୍ନ କରିବାର କିଛି ଆବଶ୍ୟକତା ଅଛି କି ?

ଆପଣ ଆପଣଙ୍କ ପ୍ରତିକ୍ରିୟାର ଶେଷରେ ଲେଖିଛନ୍ତି , ”ସ୍ପଷ୍ଟ କରିଦିଏ ଯେ ଏ ପ୍ରସଙ୍ଗରେ ମୋର ଯାହା କିଛି କହିବାର ଥିଲା, କହିଦେଲି । ଏହାପରେ ଆପଣଙ୍କ ସହ ମୁଁ ଆଉ ଯୁକ୍ତି, ତର୍କ କରିବାକୁ ଚାହୁଁନାହିଁ ।“

ଏପରି ସ୍ଥଳେ ତର୍କ ଆଗକୁ ଚାଲୁ ବୋଲି କହିବାର କୌଣସି ସମୀଚୀନତା ମୁଁ ଆଉ ଦେଖୁନି, ଯଦିଓ ଆମ ଜାତିର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଏହା ଚାଲିବା ଉଚିତ ବୋଲି ମୁଁ ଅନୁଭବ କରୁଛି । ଆପଣଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ ଏହାକୁ ‘ତର୍କାତୀତ’ ବର୍ଗରେ ରଖୁଛି ।

କୌଣସି ଏକ ବିଶେଷ ପ୍ରଭାବ କବଳରେ ପଡ଼ିନଥିଲେ ଆପଣଙ୍କ ପରି ବ୍ୟକ୍ତି ଯାହା ଲେଖିଛନ୍ତି ତାହା ହୁଏତ ଲେଖିନଥାନ୍ତେ ବୋଲି ମୁଁ ଲେଖିବା ଆପଣଙ୍କ integrity ଉପରେ ଆଦୌ ଆକ୍ରମଣ ନୁହେଁ । ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଆମେ ୧୯୬୦ ଦଶକର ଆଦ୍ୟଭାଗରେ କରିଥିବା ଆଂଦୋଳନର ବିଶେଷ ପ୍ରଭାବରେ ଲାଲ୍ ବାହାଦୁର ଶାସ୍ତ୍ରୀ ତାଙ୍କ ବିରୁଦ୍ଧରେ ସି.ବି.ଆଇ. ତଦନ୍ତ କରାଇଥିଲେ । ଏହା କହିଲେ କ’ଣ ଶାସ୍ତ୍ରୀଜୀଙ୍କ integrity ଉପରେ ଆକ୍ରମଣ ବୋଲି କୁହାଯିବ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶେଷ ପ୍ରଭାବ କବଳରେ ପଡ଼ି ଭାରତୀୟ ରିଜର୍ଭ ବ୍ୟାଙ୍କର ତଦାନୀନ୍ତନ ଗଭର୍ଣର ବିମୁଦ୍ରୀକରଣ ପାଇଁ ରାଜି ହୋଇଥିଲେ । ଏହା କହିଲେ କ’ଣ ସେହି ଗଭର୍ଣରଙ୍କ integrity ଉପରେ ଆକ୍ରମଣ ବୋଲି କୁହାଯିବ? ଆପଣ କୌଣସି ଏକ ବିଶେଷ ପ୍ରଭାବ କବଳରେ ପଡ଼ି ଜାନୁଆରୀ ୯ ତାରିଖର ନିବନ୍ଧର ବିବାଦୀୟ ଅଂଶଟି ଲେଖିଥାଇପାରନ୍ତି ବୋଲି ପ୍ରକଟିତ ମୋର ଆଶଙ୍କା ଆପଣଙ୍କ integrity ଉପରେ ଆକ୍ରମଣ ହେଲା କିପରି?

ମୁଁ ଲେଖିଥିଲି, “ଏ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ଅନୁଗତ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ବାଦ କାଗଜରେ ଓଡ଼ିଆ ଭାଷାକୁ ନେଇ ଏପରି ଏକ ଲେଖା ପ୍ରକାଶ ପାଇଛି ଯାହା ବାହାରକୁ ନିରିହ ଜଣା ପଡୁଥିଲେ ମଧ୍ୟ ଭାଷା ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ ଶେଷ ଚାତୁରୀର ଝଲକ ଦେଖିହେଉଛି ତାର ଶବ୍ଦଜାଲରେ ।“ ଏହା କହି କେଉଁଠି ମୁଁ ଆପଣଙ୍କ integrity ଉପରେ ଆକ୍ରମଣ କଲି? କିନ୍ତୁ ଆପଣଙ୍କ ଲେଖାର ଅନୁଭବ୍ୟ ବାର୍ତ୍ତା ଏପରି ଥିଲା ଯେ, ଆପଣଙ୍କ ବିଦଗ୍ଧ ପାଠକମାନଙ୍କ ମଧ୍ୟରୁ ଜଣେ ସକ୍ରିୟ ସାଥୀ ସବ୍ୟସାଚୀ ଅମିତାଭ ତଦ୍ଦ୍ଵାରା ପ୍ରଭାବିତ ହୋଇ ଭାଷା ଆନ୍ଦୋଳନକୁ ଏକ “ପ୍ରହସନ” ବୋଲି ଆଖ୍ୟାୟିତ କରି ଏହି “ପ୍ରହସନ” ସମ୍ପର୍କରେ ଲୋକଙ୍କ “ଆଖି ଖୋଲୁ” ବୋଲି ମତ ରଖିଥିଲେ, ଯଦିଓ ଆପଣ ସେହି ନିବନ୍ଧରେ ଭାଷା ଆନ୍ଦୋଳନର ନାମ ନେଇନଥିଲେ ।

ଆପଣ କେଉଁ ଉଦ୍ଦେଶ୍ୟରେ ଲେଖାଟି ଲେଖିଥିଲେ ତାହା କେବଳ ଆପଣଙ୍କୁ ହିଁ ଜଣା; ମାତ୍ର ଆପଣଙ୍କ ଏହି ଲେଖା ଯେଉଁ ଶୈଳୀରେ ଆମ ସମାଜର ସବ୍ୟସାଚୀ ଅମିତାଭମାନଙ୍କୁ ପ୍ରଭାବିତ କଲା , ତାହା ହିଁ ଥିଲା ମୋ ଲେଖାର ଆଧାର । ଏହି ଅମିତାଭମାନଙ୍କୁ ସ୍ପଷ୍ଟ କରିଦେବା ପାଇଁ ଯେ, ଆମ ଜାତିର ଭାଷା ଅଧିକାର ହାସଲ କରିବାକୁ ସରକାରଙ୍କ ସହ ତର୍କ  ଚଳାଇଥିବା ଏବଂ ଓଡ଼ିଆ ଭାଷା ଜାତୀୟତାର ସତର୍କ ପ୍ରହରୀ ଭୂମିକା ନିର୍ବାହ କରୁଥିବା ଭାଷା ଆନ୍ଦୋଳନ ଏକ “ପ୍ରହସନ” ନୁହେଁ, ମୁଁ ଏହି ନିବନ୍ଧରେ ଆମ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରୟୋଗ କରିଥିବା ୧୨ ଗୋଟି ଅପକୌଶଳର ବିଶ୍ଲେଷଣାତ୍ମକ ଉପସ୍ଥାପନା କରିଥିଲି, ଯହିଁ ଉପରେ ଆପଣ ସମ୍ପୂର୍ଣ ନୀରବ ରହିଛନ୍ତି ଓ ଏହି ପ୍ରତ୍ୟୁତ୍ତରରେ ଆପଣଙ୍କ integrity ଉପରେ ମୁଁ ଆକ୍ରମଣ କରିଛି ବୋଲି ଅଭିଯୋଗ କରି ଅସଲ ପ୍ରସଙ୍ଗରୁଦୃଷ୍ଟି ଅପସାରିତ କରିବାକୁ ଚେଷ୍ଟା କରିଛନ୍ତି ।

ଶ୍ରଦ୍ଧାସ୍ପଦ ସନ୍ଦୀପବାବୁ, ଆପଣଙ୍କ ଘୋଷଣା ହେତୁ ଆଉ ଯେହେତୁ ଆଲୋଚନାର ଅବକାଶ ନାହିଁ, ସେହେତୁ ମୁଁ କେବଳ ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛି; ଯୁକ୍ତି ନୁହେଁ । ଆଉ ଗୋଟିଏ ସ୍ପଷ୍ଟୀକରଣ ସହ ଏହି ତର୍କାତୀତ ଆଲୋଚନାଟି ସାରିବି ।

“ସରକାରଙ୍କୁ “ଓଡ଼ିଆ ଭାଷାର ହତ୍ୟାକାରୀ” ଆଖ୍ୟା ଦେଇ କଟୁ ଭାଷାରେ ସମାଲୋଚନା କରିବା ସତ୍ତ୍ୱେ” ମୁଁ “ଏଯାଏଁ ସରକାରୀ ଘରେ” ରହିଛି ବୋଲି ଆପଣ ମୋତେ ଆକ୍ଷେପ କରିଛନ୍ତି ।

ମୁଁ କ’ଣ ସରକାରଙ୍କ ପ୍ରଚାର କରିବା ସର୍ତ୍ତରେ ସରକାରୀ ଘର ଗ୍ରହଣ କରିଛି, ଭାଇ?

କେବଳ ଭାଷା କାହିଁକି, ଯେ କୌଣସି ସରକାରୀ ଭୁଲ ଯେତେବେଳେ ବି ମୋ ଦୃଷ୍ଟିକୁ ଆସିଛି ଓ ଅନୁସନ୍ଧାନ କରି ମୁଁ ସେହି ଭୁଲତ୍ରୁଟି ଠାବ କରିଛି, ସରକାରୀ ଘରେ ଥାଇ ମଧ୍ୟ ମୁଁ ତାହା ଉପରେ ନିଶଙ୍କ ଆଲୋକପାତ କରୁଛି, କାରଣ ତାହା ହିଁ ମୋର କାମ ଏବଂ ମୋର ଧର୍ମ ।

ଯାହା ଜାଣିବାର ଅଧିକାର ଲୋକଙ୍କର ଅଛି ତାହା ସେମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ବୋଲି ମୁଁ ଜାଣିଛି ଓ ଏହା ହିଁ ମୋ ବୃତ୍ତିର ଧର୍ମ । ଏହି ଧର୍ମ ପାଳନ ପାଇଁ ମୋ ରାଜ୍ୟବାସୀ ମୋତେ ଏହି ରହଣୀସ୍ଥାନ ଦେଇଛନ୍ତି ଯାହା ମୋ ପ୍ରତି ସେମାନଙ୍କ ବିଶ୍ଵାସର ପ୍ରତୀକ ଏବଂ ମୁଁ କେବେ ମୋ ଲୋକଙ୍କ ପ୍ରତି ବିଶ୍ଵାସଘାତକତା କରିନି ।

ସରକାରୀ ଘରେ ଥାଇ ମଧ୍ୟ ମୁଁ ଇମର୍ଜେନ୍ସିକାଳୀନ ଅପଶାସନକୁ ସମାଲୋଚନା କରୁଥିଲି ଓ ସେହେତୁ ମୁଁ ସରକାରୀ ଷଡଯନ୍ତ୍ରର ଶିକାର ହୋଇ ଚାକିରି ହରାଇଥିଲି ଏବଂ ଯୌବନର ମୁଖ୍ୟ ଭାଗ ବିତାଇଦେଇଥିଲି ସେହି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ।

ବିଜୁବାବୁଙ୍କ ଲଗାମହୀନ ଦୁର୍ନୀତି ଉପରେ ସରକାରୀ ଘରେ ଥାଇ ମଧ୍ୟ ସପ୍ରମାଣ ତଥ୍ୟ ଉପସ୍ଥାପିତ କରୁଥିଲି ଓ ସେହେତୁ ପିଛିଲା ତାରିଖରୁ ପ୍ରେସ ଆକ୍ରୀଡିଟସନ ନିୟମାବଳୀ ସଂଶୋଧନ କରାଯାଇ ମୋତେ ବୃତ୍ତିଗତ ସଙ୍କଟରେ ପକାଯାଇଥିଲା ।

ଉଭୟ କ୍ଷେତ୍ରରେ ଓଡ଼ିଶା ହାଇ କୋର୍ଟ ମୋ ସପକ୍ଷରେ ରାୟ ଦେଇଥିଲେ ।

ବିଦ୍ୟୁତ ବୋର୍ଡ ଉପରୁ ରାଜ୍ୟବାସୀଙ୍କ ମାଲିକାନା ଲୋପ ପାଇଁ ବିଜୁ ବାବୁ ଯେଉଁ ଚାଲ୍ ଚଳାଇଲେ ଓ ବିଲାତର କେ. ପି. ଏମ. ଜି. ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟକୁ ବେଆଇନ ଭାବେ ନିଯୁକ୍ତି ଦେଇ ତା ମାଧ୍ୟମରେ ସେତେବେଳର ମୁଦ୍ରାରେ ପ୍ରାୟ ୧୦ କୋଟି ଟଙ୍କାର ସ୍କାମ କରିଥିଲେ, ମୁଁ ଯଦି ସରକାରୀ ଘରେ ରହି ମଧ୍ୟ ତାକୁ ପଦାକୁ ଆଣି ନଥାନ୍ତି ତେବେ କ’ଣ ସେ ସ୍କାମ ସେଇଠି ସରିଥାନ୍ତା? ମୋ ବ୍ୟତୀତ ଅନ୍ୟ କେହି ତାହା ପଦାକୁ ଆଣିଥିଲା କି?

ଅତଏବ ସରକାରୀ ଘରେ ରହୁଛି ବୋଲି ସରକାରଙ୍କୁ ସମାଲୋଚନା ନ କରିବା , ଭିନ୍ନ୍ନାର୍ଥରେ, ସରକାରଙ୍କ ଚାଟୁକାର ବନିବା ମୋ ପାଇଁ କେବେ ବି ସ୍ପୃହଣୀୟ ହୋଇନାହିଁ ।

ରକାରୀ ଘରେ ରହି ସରକାରଙ୍କୁ ତାଙ୍କ ତ୍ରୁଟିବିଚ୍ୟୁତି ଦେଖାଇବା କେବଳ ଜଣେ ବୃତ୍ତିନିଷ୍ଠ ଓ ପ୍ରତିବଦ୍ଧ ସାମ୍ବାଦିକ ପକ୍ଷେ ସମ୍ଭବ, ଯାହା ମୁଁ ଏପର୍ଯ୍ୟନ୍ତ କରିଆସିଥିବା ହେତୁ ଜଣେ ବୃତ୍ତିନିଷ୍ଠ ବନ୍ଧୁ ଭାବେ ଖୁସି ହେବା ଆପଣଙ୍କୁ ଅଧିକ ଶୋଭା ପାଇଥାନ୍ତା । କେଉଁ ମାନସିକ ଚାପରେ ଆପଣ ଏପରି ବୃତ୍ତିବିରୋଧୀ ଆଭିମୁଖ୍ୟ ପ୍ରକଟ କରିଛନ୍ତି ତାହା ଆପଣ ହିଁ ଜାଣନ୍ତି ।

ଅମିତାଭମାନଙ୍କ ପାଇଁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ସ୍ପେଶିଆଲ ଆକୋମୋଡ଼େସନ ରୁଲ୍ସ ଅନୁଯାୟୀ ମୋ ଯୋଗ୍ୟତା ଭିତ୍ତିରେ ମୁଁ ଏହି ସରକାରୀଘର ପାଇଛି, କାହାରି ଦୟାରେ ନୁହେଁ । ଏବଂ ଏଥିପାଇଁ ମୁଁ କାହାର ଦୟା ଭିକ୍ଷା ବି କରିନାହିଁ ।

ଆପଣଙ୍କ ଲେଖା ଦ୍ଵାରା ସବ୍ୟସାଚୀ ଅମିତଭାମାନେ କେତେଦୂର ପ୍ରଭାବିତ, ତାହା ଅନୁଧ୍ୟାନ କରିବା ପାଇଁ ମୁଁ ଏହି ସ୍ପଷ୍ଟୀକରଣ ଦେବା ବିଳମ୍ବ କରିଥିଲି ।
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ