ସରକାରୀ ଷଡଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଉତ୍କଳଦୀପିକାର ସମ୍ପାଦକୀୟରୁ ଯେଉଁ କଥାଟି ସ୍ପଷ୍ଟ ହୁଏ, ତାହା ହେଲା ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧିନସ୍ଥ ଓଡ଼ିଆ ଇଲାକାରେ ତେଲୁଗୁ ଭାଷାକୁ ସରକାରୀ ଭାଷା ଭାବେ ପ୍ରବର୍ତ୍ତିତ କରାଯାଇଥିବା ବେଳେ ବଙ୍ଗଳା ଗଭର୍ଣ୍ଣମେଣ୍ଟ ଓ ମଧ୍ୟପ୍ରଦେଶ ଚିଫ୍ କମିଶନରଙ୍କ ଅଧିନସ୍ଥ ଓଡ଼ିଆ ଇଲାକାରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ଚାଲୁଥିଲା । କିନ୍ତୁ ସେହି ଉଭୟ ଗଭର୍ଣ୍ଣମେଣ୍ଟ ଦପ୍ତରରେ କାମ କରୁଥିବା “ସ୍ଵାର୍ଥପର ଲୋକେ” ଓଡ଼ିଆ ଭାଷାକୁ କାର୍ଯ୍ୟାଳୟମାନଙ୍କରୁ ଉଠାଇ ଦେବାକୁ ନାନା ଷଡ଼ଯନ୍ତ୍ର ଚଳାଇଥିଲେ । ଉତ୍କଳଦୀପିକା ସମ୍ପାଦକ ଲେଖିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ନହେବା “ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ” ହେବ ବୋଲି ଉଭୟ ବଙ୍ଗଳା ଓ ମଧ୍ୟପ୍ରଦେଶ ସରକାରର ମୁଖ୍ୟ ପଦଧିକାରୀ ବିଚାର କରୁଥିବା ହେତୁ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ଥିଲା । 

ଏହି ଭିତ୍ତି ଉପରେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧୀନସ୍ଥ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ପରିଚାଳନା ପାଇଁ ଗୁମୁସର-ସମ୍ମିଳନୀର ପ୍ରସ୍ତାବ ସପକ୍ଷରେ ଉତ୍କଳଦୀପିକା ଯୁକ୍ତି କରିଥିଲା ।

କ’ଣ ଥିଲା ଏହି ପ୍ରସ୍ତାବ?

(କ୍ରମଶଃ ) 

ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରସୁଲକୋଣ୍ଡାରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗଠିତ ଜନମତର ପ୍ରଥମ ପରିପ୍ରକାଶ । ଏଥିରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତହିଁରେ  ଥିବା ପ୍ରକଟିତ ସତ୍ଯର ଅବତାରଣା ଏକାନ୍ତ ଐତିହାସିକ । ଓଡ଼ିଆମାନଙ୍କ ଇଲାକାରେ ରାଜଭାଷା ଭାବେ ତେଲୁଗୁ ପ୍ରଚଳିତ ହେବାରୁ ଯେଉଁ ତେଲେଙ୍ଗାମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଯମାଳୟ ପରି ଜ୍ଞାନ କରୁଥିଲେ ସେମାନେ ……… ଯମଦୂତ ପରି କର୍ମ କରୁଛନ୍ତି ।” ନିଜ ଭାଷା ରାଜଭାଷା ହୋଇ ନରହିଲେ ଜନସାଧାରଣଙ୍କର କିପରି ସର୍ବନାଶ ଘଟେ ତାହାର ଏହା ଏକ ନିରୋଳା ବିବରଣୀ । 

ପତ୍ର ରୂପେ ଏହା ପ୍ରାପ୍ତ ହୋଇ ‘ଉତ୍କଳଦୀପିକା ‘ର ସମ୍ପାଦକ ଗୌରୀ ଶଙ୍କର ରାୟ ୨୦.୧୨.୧୮୭୦ ତାରିଖରେ ତାଙ୍କ ସଂପାଦକୀୟ ସହ “ଘୁମୁସର ପତ୍ର” ଶୀର୍ଷକରେ ଏହାକୁ ପ୍ରକାଶ କରିଥିଲେ ।  

ଐତିହାସିକ ଗୁରୁତ୍ଵ ଦୃଷ୍ଟିରୁ ନିମ୍ନରେ ତାହା ପ୍ରଦତ୍ତ ହେଲା:

ଅଦ୍ୟ ଦିବସର ଅତିରିକ୍ତ ପତ୍ରିକାରେ ଘୁମୁସରରୁ ଆସିଥିବା ଗୋଟିଏ ପତ୍ର ମୁଦ୍ରିତ କରି ପାଠକମାନଙ୍କୁ ଅନୁରୋଧ କରୁଅଛୁ କି,  ସେମାନେ ମନୋଯୋଗପୂର୍ବକ ତାହା ପାଠ କରିବେ । ଉତ୍କଳ ଦେଶ ହିତ ଚିନ୍ତାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଏ ବିଷୟରେ ବିଶେଷ ଉଦଯୋଗୀ ହେବାର ଆବଶ୍ୟକ । ଘୁମୁସରବାସୀମାନେ ଯାହା ପ୍ରାର୍ଥନା କରନ୍ତି ତାହା ଯେ ସର୍ବତୋଭାବେ ଯୁକ୍ତିଯୁକ୍ତ ଓ ବହୁ ଉପକାରମୂଳକ ଅଟଇ ଏ କଥାରେ ଅଣୁମାତ୍ର ସନ୍ଦେହ ନାହିଁ । ଓଡ଼ିଶାର ଦୂରବସ୍ଥା ଯେଉଁମାନେ ଜାଣନ୍ତି ଓ ତହିଁର କାରଣ ଅନୁସନ୍ଧାନ କରନ୍ତି ସେମାନେ ଅବଶ୍ୟ ଅବଗତ ହୋଇଥିବେ ଯେ, ଏ ଦେଶ ତିନି ଖଣ୍ଡ ହୋଇ ତିନି ଶାସନକର୍ତ୍ତାଙ୍କ ଅଧୀନରେ ରହିବାରୁ ଏହାର ଉନ୍ନତି ହେଉନାହିଁ । ଏକ ଖଣ୍ଡ ବଙ୍ଗଳା ଗଭର୍ଣ୍ଣମେଣ୍ଟ , ଏକ ଖଣ୍ଡ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଓ ଅପର ଏକ ଖଣ୍ଡ ମଧ୍ୟପ୍ରଦେଶର ଚିଫ୍ କମିଶ୍ନରଙ୍କ ଶାସନରେ ରହିବାରୁ ଏ ଦେଶ ସମୁଦାଯ ଏକ ହୋଇ ଚଳିପାରେନାହିଁ । ମାତ୍ର ଏ ପ୍ରକାର ଅବସ୍ଥାରେ ଥିଲେ ମଧ୍ୟ ଗଭର୍ଣ୍ଣମେଣ୍ଟ ଗୋଟିଏ କଥାରେ ଦ୍ରୁଷ୍ଟି ରଖିଥିବାରୁ ଅନେକ ମଙ୍ଗଲ ହେଉଅଛି । ବଙ୍ଗଳା ଓ ମଧ୍ୟପ୍ରଦେଶର ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ଓ ସ୍ଵାର୍ଥପର ଲୋକେ କେତେ ଉପାୟ କାଲେ ହେଁ ଗଭର୍ଣ୍ଣମେଣ୍ଟ ଏ ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ କରିବାକୁ ସମ୍ମତ ହୋଇନାହାନ୍ତି । ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ ? ଓ, ଯେ ସ୍ଥଳେ ପୂର୍ବରେ ସେ ଭାଗର ରାଜକାର୍ଯ୍ୟ ଓଡ଼ିଆ ଭାଷାରେ ହୋଇ ଆସୁଥିଲା ତେବେ ଇଂରେଜ ଗଭର୍ଣ୍ଣମେଣ୍ଟ କାହିଁକି ଭିନ୍ନରୂପ ଆଚରଣ କରିବ? ଆମମାନଙ୍କୁ ନିଶ୍ଚୟ ବୋଧ ହେଉଅଛି ଯେ, ଉତ୍କଳବାସୀମାନେ ଏ ବିଷୟରେ ଏକମତ ହୋଇ ଗଭର୍ଣ୍ଣମେଣ୍ଟଙ୍କୁ ଆବେଦନ କାଲେ ତାହାଙ୍କର ପ୍ରାର୍ଥନା ସଫଳ ହେବ । ବିଦେଶୀୟ ଭାଷାରେ କାର୍ଯ୍ୟାଳୟର ଯାବତୀୟ କାର୍ଯ୍ୟ କରବା କଦାଚ ଗଭର୍ଣ୍ଣମେଣ୍ଟଙ୍କ ଅନୁମୋଦିତ ନୁହଇ । କେବଳ ଘୁମୁସରବାସୀମାନେ ଏତେଦିନ ଯତ୍ନ କରିନାହାନ୍ତି ବୋଲି ତାହାଙ୍କର ଦୁଃଖ ଶୁଣାଯାଇନାହିଁ । ଏବେ ସେମାନେ ସମସ୍ତ ଉତ୍କଳବାସୀଙ୍କଠାରେ ଏକଥା ଜଣାଇଲେ । ଏଥକୁ ଆବଶ୍ୟକ ଯେ, ପୁରୀ, କଟକ ଓ ବାଲେଶ୍ବରରେ ଥିବା ସମସ୍ତ ଉତ୍କଳୀୟ ତାହାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଆମ୍ଭେମାନେ ଭରସା କରୁ ଯେ, ଉତ୍କଳୋଲ୍ଲାସିନୀ ସଭା ବିଶେଷ ଆଗ୍ରହ ପୂର୍ବକ ଏ ବିଷୟରେ ହସ୍ତକ୍ଷେପ କରନ୍ତୁ ।       

(ଦ୍ରଷ୍ଟବ୍ୟ – https://www.scribd.com/doc/19216578/Role-of-Mass-Media-in-Creation-of-Orissa )

କ୍ରମଶଃ 

 

ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶା ରାଜ୍ୟଭାଷା -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମେ ଓଡ଼ିଆ ବୋଲି ଆମ ଭାଷା ଓଡ଼ିଆ – ଏକଥା ନୁହେଁ ; ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ଆମ ଭାଷା ହିଁ ଆମ ପରିଚୟ ।

ଅନୁପ୍ରବେଶକାରୀ ଇଂରେଜଙ୍କ ଆଧିପତ୍ୟ ବିରୁଦ୍ଧରେ ଆମ ପୂର୍ବ ପୁରୁଷେ ସାରା ଭାରତରେ ପ୍ରଥମେ ତଲୱାର ତୋଳିଥିବା ହେତୁ ଆମକୁ ଦୁର୍ବଳ କରି ରଖିବା ପାଇଁ ସେମାନେ ଆମ ମାଟିର ଯେଉଁ ଯେଉଁ ଅଞ୍ଚଳ ଯେତେବେଳେ ଦଖଲ କରୁଥିଲେ ତାକୁ ଆମ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପଡ଼ୋଶୀ ପ୍ରଦେଶମାନଙ୍କ ସହ ଏପରି ସାନ୍ଧି ଦେଉଥଲେ, ଯେପରି ସେଠାରେ ଆମେ ସଂଖ୍ୟାଲଘୁ ହୋଇଯିବା ଓ ଓଡ଼ିଆ ଭାବେ ଆମ ପରିଚୟ ବୁଡ଼ିଯିବ । ଏହା ଆମ ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

ଅବସ୍ଥା ଏପରି ଶୋଚନୀୟ ହୋଇଉଠିଥିଲା ଯେ, ତେଲୁଗୁ ଭାଷାରେ ସରକାରୀ କାମ ହେଉଥିବା ହେତୁ ସେଠାରେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜନ୍ମ ଓଡ଼ିଆ ଶିଷ୍ଟକରଣମାନେ ତେଲୁଗୁଭାଷା ଶିଖୁଥିଲେ (ଇଂରେଜ ସରକାରଙ୍କ ପ୍ରକାଶିତ କୋରାପୁଟ ଗେଜେଟିୟର , ପୃଷ୍ଠା ୮୫)

ଏହି ବିପର୍ଯ୍ୟୟ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ଗଞ୍ଜାମର ଘୁମୁସର ନିବାସୀ ଦୀନବନ୍ଧୁ ପଟ୍ଟନାୟକ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ପ୍ରଥମ କରିଥିଲେ । ତାଙ୍କ ଉଦ୍ୟମରେ ସେଦିନ ଘୁମୁସରର ରସୁଲକୋଣ୍ଡା ମୁକାମରେ ଋଷିକୁଲ୍ୟା ନଦୀର ଉଭୟ ପାର୍ଶ୍ଵବାସୀ ବାସିନ୍ଦାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆ ଯାଇଥିଲା  (କ୍ରମଶଃ

ଐତିହାସିକ ଶିକ୍ଷା ପୀଠ ରେଭେନ୍ସା ଉପରେ ରାଜନୈତିକ ଆକ୍ରମଣ ଘୋର ନିନ୍ଦନୀୟ : ଭାଷା ଆନ୍ଦୋଳନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

ଓଡ଼ିଆ ଅସ୍ମିତା ଆଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଉଚ୍ଚ ଶିକ୍ଷାର ପ୍ରଥମ ଓ ଶ୍ରେଷ୍ଟ ପୀଠଟିକୁ ରେଭେନ୍ସା-ମୁକ୍ତ କରିବାକୁ ସର୍ବସାଧାରଣ ସମ୍ମୁଖରେ ଏକ ପ୍ରସ୍ତାବ ଦେଇଛନ୍ତି । ଭାଷା ଆନ୍ଦୋଳନ, ଓଡ଼ିଶା ତାଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣତଃ ପ୍ରତ୍ୟାଖ୍ୟାନ କରୁଛି ଓ ଏହି ଐତିହାସିକ ଶିକ୍ଷା ପୀଠ ଉପରେ ରାଜନୈତିକ ଆକ୍ରମଣକୁ ନିନ୍ଦା କରୁଛି । 

ଇଂରେଜ ଶାସନ କାଳରେ ଓଡ଼ିଆ ଜାତି ଘୋର ଦୁର୍ଦ୍ଦିନ କବଳରେ ପଡ଼ି ପରିଚୟ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ, ତା ସୌଭାଗ୍ୟକୁ ଓଡ଼ିଶା ଡିଭିଜନରେ କମିଶନର ଭାବେ ପଦାସୀନ ହୋଇଥିଲେ ଥୋମାସ ଏଡୱାର୍ଡ ରେଭେନ୍ସା (Thomas Edward Ravenshaw)। ଆମ ଜାତିର ଭାଷା ଜାତୀୟତାର ପୁନର୍ଜୀବନର ସେ ଥିଲେ ମୂଳ ଉତ୍ସ । ବ୍ୟାସକବି  ଫକୀର ମୋହନଙ୍କ ଭାଷାରେ ଓଡ଼ିଆ ଜାତିର “ମା ବାପ” । 

ସେ ଓଡ଼ିଶା ଡିଭିଜନର ଦାୟିତ୍ଵ ନେଲାବେଳକୁ ନ’ଙ୍କ ଦୁର୍ଭିକ୍ଷ ତାଙ୍କ କର୍ତ୍ତୃତ୍ଵାଧୀନ ବାଲେଶ୍ୱର, କଟକ ଓ ପୁରୀଜିଲ୍ଲାକୁ ଗ୍ରାସ କରିସାରିଥିଲା । ସେ ଲୋକଙ୍କୁ ତତ୍କାଳ ସାହାଯ୍ୟ  କରିବା ପାଇଁ ଓ ଭବିଷ୍ୟତରେ ଯେପରି ଏପରି ଦୁର୍ଭିକ୍ଷ ପୁନଶ୍ଚ ମୁଖବ୍ୟାଦାନ ନକରେ ତା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେଇଥିଲେ ।

ଅପରପକ୍ଷେ ସେ ଅନୁଭବ କରିଥିଲେ ଯେ, ବଙ୍ଗ ରାଜ୍ୟରୁ ଆସି ଓଡ଼ିଶା ଭୂଖଣ୍ଡରେ ଚାକିରି କରୁଥିବା ବଙ୍ଗାଳିମାନେ ଓଡ଼ିଆ ବିଦ୍ଵେଷୀ ହୋଇଥିବା ହେତୁ ଓଡ଼ିଆ ଲୋକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି , ସେମାନେ ଦୁର୍ଭିକ୍ଷ କବଳକୁ ଠେଲି ହୋଇଯାଇଛନ୍ତି । ତହିଁର ପ୍ରତିକାର ପାଇଁ ସେ କ’ଣ କରିଥିଲେ ଏବଂ ନିଜ ଭୂଖଣ୍ଡର ଉପଯୁକ୍ତ ପରିଚାଳନା ପାଇଁ ସେମାନଙ୍କୁ ସମର୍ଥ କରାଇବା ସକାଶେ ସେ କ’ଣ କରିଥିଲେ ତହିଁର ପରମାଣିକ ଆଲୋଚନା ନିମ୍ନ ମତେ ଦୁଇ କିସ୍ତିରେ ପ୍ରକାଶ ପାଇଛି । 

ଭାଷା ଆନ୍ଦୋଳନ ତାହାକୁ ପୂର୍ଣ୍ଣତଃ ସମର୍ଥନ କରିବା ସଙ୍ଗେ ସଙ୍ଗେ ରେଭେନ୍ସାଙ୍କ ନାମକୁ ନେଇ ରାଜନୈତିକ ଖେଳ ନଚଳାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେଇଛି ।      

 

କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୧ )

କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୨)

ହନୁ ମଲାବେଳକୁ ସତ କହେ, ବିଜେଡ଼ି କେତେବେଳକୁ କହିବ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବା ଦୋଷରେ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହେବା ପରେ ତାଙ୍କର ଉଚିତ ଥିଲା ବିଜେଡ଼ିର ସର୍ବନିୟନ୍ତା ପଦରୁ ଇସ୍ତଫା ଦେଇ ଦଳଟି ପ୍ରକୃତରେ ଯେଉଁମାନଙ୍କର ସେମାନଙ୍କ ହାତରେ ତା’ର ଭବିଷ୍ୟତ ଛାଡ଼ିଦେବା । ସେ ତାହା କଲେନି ।

ଏକ ରାଜନୈତିକ ଦଳର ସର୍ବନିୟନ୍ତା ହୋଇ ରହିବାର ମୋହ ତାଙ୍କର ଏତେ ପ୍ରଚଣ୍ଡ ଯେ, ଓଡ଼ିଆଭାଷାବିଦ୍ଵେଷ ପାଇଁ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହୋଇଥିବା ସ୍ଵୀକାର କରିବା ପରିବର୍ତ୍ତେ, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିବାରେ ତାଙ୍କୁ ସହଯୋଗ କରିଥିବା କୁଖ୍ୟାତ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପୂର୍ଣ୍ଣ ସମର୍ଥନ କରି ଘର ପୋଡ଼ିଗଲା ପରେ ନିଦ ଭାଙ୍ଗିଥିବା ବିଜୁଆମାନଙ୍କୁ  ଚୁପ୍ କରାଇଦେଲେ ଓ ସେମାନଙ୍କୁ ଭୁଆଁ ବୁଲାଇବା ପାଇଁ ନିର୍ବାଚିତ ହୋଇପାରିଥିବା  ଅନୁଗତମାନଙ୍କ ଭିତରେ ଓଡ଼ିଶା ପ୍ରଶାସନର ବିଭିନ୍ନ ବିଭାଗ ବାଣ୍ଟି ପୋଷାମନା ମେଡ଼ିଆ ମାଧ୍ୟମରେ ଏପରି ପ୍ରଚାର କଲେ , ସତେ ଯେମିତି ସେ ନିଜେ ଭାରତର ସମ୍ବିଧାନଠୁ ଊର୍ଦ୍ଧ୍ଵତର ଓ ଭାରତରେ “ଛାୟା ମନ୍ତ୍ରୀମଣ୍ଡଳ” ପରି ଏକ ନୂଆ ବ୍ୟବସ୍ଥାର ପ୍ରବର୍ତ୍ତକ !

ଯେଉଁମାନେ ମନ୍ତ୍ରୀ ଥିବା ବେଳେ କର୍ମଚାରୀଙ୍କ ବୋଲକରା ସାଜିଥିଲେ, ଏବଂ ଏହା ଏପରି ଯେ, ଭାଷା ଆଇନରେ ଜାଲିଆତି ହୋଇଥିବା ସତ୍ତ୍ୱେ ପାଟି ଫିଟେଇବାକୁ ସାହସ କରିପାରୁନଥିଲେ, ସେମାନେ ପୁଣି କ୍ଷମତା ବାହାରେ ଛାୟା ମନ୍ତ୍ରୀ ସାଜି ନୂଆ ମନ୍ତ୍ରୀଙ୍କ ସାହାଯ୍ୟରେ ନୂଆ ପଦକ୍ଷେପ ନେବା ବେଳେ କେଉଁ କର୍ମନିର୍ବାହୀ କର୍ମଚାରୀ କେଉଁ ବିଭାଗର କେଉଁଠି ଝୁଣ୍ଟିଲେ, ତାହା ତଦ୍ବିର କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗ ସଳଖିବେ !

ଏପରି ଏକ ଆଦେଶ ଦେଇ ନବୀନବାବୁ  ତାଙ୍କ ଅନୁଗତମାନଙ୍କ ପାଖରେ ନିଜକୁ ବିଜେଡ଼ିର ସର୍ବନିୟନ୍ତା ବୋଲି ଜାରିକରିଥିଲେ ମଧ୍ୟ,  ବିଧାନସଭା ପାଇଁ ନିର୍ବାଚନ ଜିତିଥିବା ସବୁ ସଦସ୍ଯଙ୍କୁ ସେମାନଙ୍କ ଭିତରୁ କେଇଜଣ ଛାୟାମନ୍ତ୍ରୀ ହେବା ସହ୍ୟ ବି ହେଲାନି । ପାଣ୍ଡିଆନକୁ ଗମ୍ଭୀରାରେ ରଖି ନବୀନ ଚଳାଇଥିବା ନିର୍ବାଚନୋତ୍ତର ନାଟକରେ ଅତିଷ୍ଠ ହୋଇ ତାଙ୍କ ଦଳର ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲା ପରେ ସେ  ଏକ ନୂଆ ଭେଳିକି ସୃଷ୍ଟି କରିଛନ୍ତି । ତାହା ହେଲା – ତାଙ୍କ ଦଳରେ “ସମନ୍ଵୟ ଓ କାର୍ଯ୍ୟାନ୍ବୟନ” ପାଇଁ ଏକ ୧୫ ଜଣିଆ କମିଟି । ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଜ ନିର୍ବାଚନମଣ୍ଡଳୀ ନରସିଂହପୁରର ଏକ ଜନସଭାରେ ସର୍ବପ୍ରଥମେ ଘୋଷଣା କରିଥିବା  ଦେବୀ ପ୍ରସାଦ ମିଶ୍ର ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ଉଲ୍ଲେଖନୀୟ । 

ଆମ ପାଇଁ କୌତୁହଳର କଥା ହେଲା, ଏହି କମିଟିରେ କେତେକଙ୍କ ସଦସ୍ଯତା, ଯେଉଁମାନଙ୍କ କାପୁରୁଷତା ହେତୁ ନବୀନ ପଟ୍ଟନାୟକ କ୍ଷମତାରୁ ଅବଶେଷରେ ହଟିଲେ । ସେମାନେ ହେଲେ, ଦେବୀବାବୁଙ୍କ ସାଙ୍ଗକୁ ବାବୁ ଅରୁଣ କୁମାର ସାହୁ ଓ ବାବୁ ବିକ୍ରମ ଆରୁଖ । ଏହି ତିନିଜଣ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର କାର୍ଯ୍ୟକରିତା ପାଇଁ ୨୦୧୫ରେ ନବୀନ ବାବୁ କବି ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଚାପରେ ପଡ଼ି ଯେଉଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ତହିଁରେ ସଦସ୍ୟ ଥିଲେ  । ସେହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନ ସଂଶୋଧନ ପାଇଁ ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲି ଏବଂ ତଦ୍ଦୃପ ଆଇନସଂଶୋଧନ ପରେ ବିଧିଭୁକ୍ତ ହେବା ପାଇଁ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ସହ ତହିଁର ଯେଉଁ ଚିଠା ଦେଇଥିଲି ତାହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲା ଓ ତଦନୁଯାୟୀ ପଦକ୍ଷେପ ନେବାକୁ ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲା । ସମତାଳରେ ‘ଓଡ଼ିଆରେ ଶାସନ’ ନାମକ ଏକ ନଭମଞ୍ଚ (website) ଖୋଲାଯାଇ ତହିଁରେ ତାହାକୁ ସ୍ଥାନିତ କରାଯାଇଥିଲା । ବ୍ୟବସ୍ଥା ଥିଲା ଯେ, ଯେ କୌଣସି ଓଡ଼ିଆ ଭାଷା ଆଇନ ପ୍ରତି କୌଣସି କର୍ମଚାରୀ/ପଦାଧିକାରୀଙ୍କ ଅବଜ୍ଞା ଦେଖିଲେ ସେହି ନଭମଞ୍ଚରେ ତାହା ଉଲ୍ଲେଖ କରିପାରିବେ ଓ ତହିଁ ଉପରେ  କାର୍ଯ୍ୟାନୁଷ୍ଠାନ କରି ସରକାର ମଧ୍ୟ ସେହି ନଭମଞ୍ଚରେ ତାହା ସ୍ଥାନିତ କରିବେ । କିନ୍ତୁ ନବୀନବାବୁ ସେହି ମନ୍ତ୍ରୀସ୍ତରୀୟ କମିଟିକୁ ଲୋପ କରିଦେଲେ, ଭାଷା ଆଇନକୁ ସଂଶୋଧନ ବାହାନାରେ ଜାଲିଆତି ପ୍ରୟୋଗ ଦ୍ଵାରା ଅକର୍ମଣ୍ୟ କରିଦେଲେ । ୨୦୧୮ ସଂଶୋଧନ ସବୁ ଜଳିଆତିକୂ ଟପିଯାଇଥିଲା  । ଆଇନ ବିଭାଗର ପେନ୍ସିଲ ଭେଟିଙ୍ଗ ଅନୁସାରେ ଲିଖିତ ଯେଉଁ ବିଧେୟକକୁ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ଯାବିନେଟ ଗ୍ରହଣ କରିଥିଲା ସେହି ବିଧେୟକକୁ ବିଧାନସଭା ନଥିରୁ ବାହାର କରିନେଇ ନବୀନବାବୁ ତହିଁ ସ୍ଥାନରେ ଏକ ଜାଲ୍ ବିଧେୟକ ରଖି ବିକ୍ରମ ଆରୁଖଙ୍କ ଦ୍ଵାରା ୧.୫.୨୦୧୮ ତାରିଖରେ ତାକୁ ବିଧାନସଭାରେ ପରୀତ କରାଇଲେ । ଏହା ବିକ୍ରମ ଆରୁଖ ଜାଣନ୍ତି । ଜାଲ୍  ବିଧେୟକକୁ ପାରିତ  କରାଇବାକୁ   ନବୀନ ବାବୁ ଏତେ ବ୍ଯଗ୍ର ଥିଲେ ଯେ, ତହିଁର  ଉପସ୍ଥାପନାଠୁ ବିତର୍କ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ଆରୁଖ କା’ଣ କହିବେ ତାହା ନବୀନଙ୍କ ଦପ୍ତର ତାଙ୍କୁ ଲେଖିକରି ଦେଇଥିଲା ଓ ସେ ସେହି ଲେଖାକୁ କାମିଜ ପକେଟରୁ ବାହାର କରି ପଢିବାକୁ ବାଧ୍ୟ ହୋଇଥିଲେ । ଆଇନ ବିଭାଗର ମନ୍ତ୍ରୀ ଭାବେ ଅରୁଣ ସାହୁ ନୀରବ ଦ୍ରଷ୍ଟା ସାଜି ବସିଥିଲେ । ଉପରୋକ୍ତ କ୍ଯାବିନେଟ ବୈଠକ ନବୀନ ପଟ୍ଟନାୟକଙ୍କ ସ୍କାମର ଶିକାର ହୋଇଥିଲା । ଏହି ତିନି ବ୍ୟକ୍ତି ଯଦି କାପୁରୁଷତା ପ୍ରଦର୍ଶନ କରିନଥାନ୍ତେ ଏପରି ଏକ କ୍ଯାବିନେଟ୍ ସ୍କାମ୍ ପାଇଁ ନବୀନ ସାହସ କରିପାରିନଥାନ୍ତେ କି ଓଡ଼ିଆ ଜାତିର ଏତେବଡ଼ କ୍ଷତି କେବେ ବି ଘଟିପାରିନଥାନ୍ତା । 

ଏ ପାପର ଫଳ ନବୀନ ପାଇଛନ୍ତି । ଏ ତଥାକଥିତ ସମନ୍ଵୟ କମିଟି ଯେତେ କାପ ପକା ପରିଶ୍ରମ କଲେ ମଧ୍ୟ ଆମ ଭାଷାଜନନୀର ଅଭିଶାପରେ ବିଜୁ ଜନତା ଦଳ ମୂଳପୋଛ ହେବାକୁ ଯାଉଛି, ଯେମିତି ହୋଇଥିଲା ବିଜୁଙ୍କ ଉତ୍କଳ କଂଗ୍ରେସ । 

ଆମ ଓଡ଼ିଆ ପୂର୍ବଜେ କାହିଁକି ଏହା କହିଥିଲେ ସେମାନେ ଜାଣନ୍ତି, ମାତ୍ର କଥାଟି ହେଲା, “ହନୁ ମଲା ବେଳକୁ ସତ କହେ ।” 

ମରଣମୁଖୀ ବିଜେଡ଼ିର ଜୀବନରକ୍ଷା ପାଇଁ ସମନ୍ଵୟ ଦାୟିତ୍ଵ ଗ୍ରହଣ କରିଥିବା ଉପରୋକ୍ତ ତିନି “ମନ୍ତ୍ରୀସ୍ତରୀୟ କମିଟି” ସଦସ୍ୟ ଏବେ ହେଲେ ସତ୍ୟ ସ୍ଵୀକାର କରନ୍ତେ ଓ ଓଡ଼ିଆ ଭାଷା ବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କୁ ନିଜ ଦୋଷ ସ୍ଵୀକାର ପାଇଁ ପ୍ରବର୍ତ୍ତାନ୍ତେ ! କିଛି ତ ପାପ କ୍ଷୟ ହୁଅନ୍ତା ଓ ଓଡ଼ିଆ ଜାତିର ଭାଷା ଅଧିକାର ପଥରୁ ଅନ୍ତରାୟ କିଛି ପରିମାଣରେ ଅପସାରିତ ହୁଅନ୍ତା !