ସୁଭାଷ ଚନ୍ଦ୍ର ପଟ୍ଟନାୟକ
ବିଲାତି ଶାସନ ସଂକଳିତ ‘କୋରାପୁଟ ଗେଜେଟିଅର’ର ପୃଷ୍ଠା ୮୫ ରେ ଉଲ୍ଲେଖ ଅଛି:
“Sisti Karanas, originally Oriya, adopted Telugu language when Southern areas were lost to Oriyas.”
“କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି” ବୋଲି ଦର୍ଶାଇଥିଲା ଘୁମୁସରର ରସଲକୋଣ୍ଡା ଠାରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଓଡ଼ିଆମାନଙ୍କର ପ୍ରଥମ ସମ୍ମିଳନୀ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଭାଷାକୁ ପୁନର୍ବାର ଦାପ୍ତରିକ ଭାଷା କରାଯାଉ, ନଚେତ ସବୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖାଯାଇ ସେଠାରେ ଓଡ଼ିଆକୁ ରାଜଭାଷା କରାଯାଉ ବୋଲି ଏହି ସମ୍ମିଳନୀରେ ଦାବି କରାଯାଇ ଏଥିରେ ସହଯୋଗ କରିବାକୁ “କଟକଜିଲ୍ଲା ଉତ୍କଳଦେଶୀୟ ମହାଶୟମାନଙ୍କୁ” ନିବେଦନ କରାହୋଇଥିଲା । ସେମାନଙ୍କୁ ଆହ୍ୱାନ ଦେଇ କୁହାହୋଇଥିଲା , “ଶାସ୍ତ୍ରାନୁସାରେ (ଅର୍ଥାତ୍ ସେମାନଙ୍କ ଭାଷା ସାହିତ୍ୟର ଭିତ୍ତି ଉପରେ) ଉତ୍କଳଦେଶ ସମଗ୍ର ଏକତ୍ର ହୋଇ ଓଡ଼ିଶା ଜିଲ୍ଲାରେ ରହିବା ଓ ସର୍ବତ୍ର ଉତ୍କଳ ଦେଶ ଅଦାଲତରେ ଉତ୍କଳ ବିଦ୍ୟା ପ୍ରଚଳ ହେବା ନିମିତ୍ତ ଭାରତବର୍ଷର ଶ୍ରୀଯୁକ୍ତ ରାଇଟ୍ ଅନରେବ୍ଲ ଗଭର୍ଣ୍ଣର ଜେନେରାଲ୍ ବାହାଦୁରଙ୍କ ହଜୁରରୁ ହୁକୁମ ହେବା କାରଣ କଟକ ଜିଲ୍ଲା ଉତ୍କଳ ଦେଶୀୟ ମହାଶୟମାନେ ଯଥୋଚିତ ତଦ୍ବିର କରି ଚିରସ୍ଥାୟୀ କୀର୍ତ୍ତି ରଖିବାର ଯଶଃ ପ୍ରକାଶ କରନ୍ତୁ ।”
ଅତଏବ ଓଡ଼ିଆ ଭାଷାରେ ଦପ୍ତର ଓ ଅଦାଲତଗୁଡ଼ିକ ନ ଚାଲି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷା ରାଜଭାଷା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆମାନଙ୍କର “ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା” ଫଳରେ ନିଜ ମାତୃଭାଷା ଓଡ଼ିଆ ଯେପରି ଅଫିସ ଓ ଅଦାଲତମାନଙ୍କରେ ପୁନଃ ପ୍ରବର୍ତ୍ତିତ ହୁଏ ତା ପାଇଁ ଏକ ସ୍ୱତନ୍ତ ଓଡିଶା ପ୍ରଦେଶ ଗଠନ ପାଇଁ ଘୁମୁସର ସମ୍ମିଳନୀ ଆହ୍ୱାନ ଦେଇଥିଲା । ଏହା ଯଥୋଚିତ ବୋଲି ମତ ଦେଇ ଉତ୍କଳ ଦୀପିକା ସମ୍ପାଦକ ଲେଖିଥିଲେ:
“ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ……ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ?” (ଉତ୍କଳଦୀପିକା, ୨୨ । ୧୦ । ୧୮୭୦) । (କ୍ରମଶଃ)
Category: Actions
ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୨
ଏହି ପୁସ୍ତକର ପାଠ୍ୟ ଓଡ଼ିଆ ଜାତିର ଅବଗତି ପାଇଁ କ୍ରମାଗତ ଭାବେ ପରିବେଷଣ କରାଯିବ । ଆମ ରାଜ୍ୟଭାଷା ଭୟଙ୍କର ବିପଦରେ ।
କ୍ରମାନୁବୃତ୍ତି
ଓଡ଼ିଆ ଲୋକେ ନଜାଣିଥିବା ଭାଷାରେ ସେମାନଙ୍କ ଜମିଜମାର ରେକର୍ଡ ବି ତିଆରିହେଲା । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନ ୩ ଗୋଟି ଦଲିଲ ଦ୍ରଷ୍ଟବ୍ୟ ।
ତେଲୁଗୁ ଅକ୍ଷରରେ ମୁଦ୍ରିତ ହୋଇଥିବା ‘କ’ ଚିହ୍ନିତ ଫର୍ମରେ ହାତରେ ଲେଖା ହୋଇଛି ଗଂଜାମ ଜିଲ୍ଲା ନିବାସୀ ଜଣେ ଓଡ଼ିଆଙ୍କ ନାମ ଓ ଠିକଣା । ଏହା କି ଫର୍ମ , କଣ ଏଥିରେ ଲେଖା ହୋଇଛି କିଏ ଜାଣେ ? ଏଇଟିକି ମୁଁ ବ୍ରହ୍ମପୁର ସହରର ଗାନ୍ଧିନଗର ୯ମ ସାହି ବାସିନ୍ଦା ଓଡ଼ିଆଭାଷାପ୍ରାଣ ଶ୍ରୀଯୁକ୍ତ ଭଗବାନ ସାହୁଙ୍କଠାରୁ ସଂଗ୍ରହ କରିଛି । ଏହା ୧୯୦୫ ମସିହାର ଏକ ଦସ୍ତାବିଜ । ଏଇଟି ତେଲୁଗୁ ଭାଷାରେ ମୁଦ୍ରିତ ହୋଇଥିବା ବେଳେ ‘ଖ’ ଚିହ୍ନିତ ଦଲିଲଟି ୧୮୯୭ର ଓ ସମ୍ପୂର୍ଣ ଓଡ଼ିଆରେ ମୁଦ୍ରିତ । ‘ଗ’ ଚିହ୍ନିତ ଦଲିଲଟି ୧୮୯୮ର । ଏଠାରେ ଓଡ଼ିଆ ଲେଖା ତଳେ ତେଲୁଗୁ ଭାଷାରେ ଲେଖା ଅଛି । ଏହାର ଅର୍ଥ ହେଲା , ୧୮୯୭ରେ ଗଞ୍ଜାମ ଜିଲ୍ଲାର ଦପ୍ତରମାନଙ୍କର ଭାଷା ସମ୍ପୂର୍ଣ୍ଣତଃ ନିରୋଳା ଓଡ଼ିଆ ହୋଇଥିବା ବେଳେ ୧୮୯୮କୁ ଓଡ଼ିଆ ସାଙ୍ଗକୁ ତେଲୁଗୁ ଚଳାଇ ୧୯୦୫ ବେଳକୁ ସମ୍ପୂର୍ଣ୍ଣ ତେଲୁଗୁରେ ଶାସନ ଚାଲିଥିଲା ବ୍ରିଟିଶ ଶାସନରେ । ଏହା ଫଳରେ ଓଡ଼ିଆ ଲୋକମାନେ ଏପରି ତଳିତଳାନ୍ତ ହୋଇଗଲେ ଯେ ଗଞ୍ଜାମର ‘ଶିଷ୍ଟକରଣ’ମାନେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ଆଇନ ଅଦାଲତରେ ହେଉ ବା ଜମିଜମା ବନ୍ଦୋବସ୍ତରେ ହେଉ ସାହାଯ୍ୟ କରିବା ପାଇଁ ତେଲୁଗୁ ଭାଷା ଆୟତ୍ତ କରିବାକୁ ବାଧ୍ୟ ହେଲେ । (କ୍ରମଶଃ)
ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ : ଆସନ୍ତାକାଲିଠାରୁ କ୍ରମିକ ଉପସ୍ଥାପନା
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆସନ୍ତାକାଲିଠାରୁ କ୍ରମାଗତ ଭାବେ ଉପସ୍ଥାପିତ ହେବ ଏହି ପୁସ୍ତକର ପାଠ୍ୟ ମୋର ସମ୍ବାଦିକୀୟ କର୍ତ୍ତବ୍ୟ ଭାବେ ଏହିଠାରେ। ଓଡ଼ିଆ ଭାଷାକୁ ମାରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଲିଆତି ପ୍ରୟୋଗ କରି ଭାଷା ଆଇନର ଅପସଂଶୋଧନ କରିଛନ୍ତି ।
ଏପରି ଜାଲିଆତି ଗଣତାନ୍ତ୍ରିକ ଇତିହାସରେ କେଉଁଠି କେବେ ଘଟିନାହିଁ । ତେଣୁ ଏହା ଜାଣିବାର ଅଧିକାର ସମସ୍ତ ଓଡ଼ିଆଙ୍କର ଅଛି ।
ମୁଖ୍ୟମନ୍ତ୍ରୀ ଚାହିଁଲେ ଏହାକୁ ସପ୍ରମାଣ ଖଣ୍ଡନ କରିପାରିବେ ଓ ସେ ଯାହା କହିବେ, ମୁଁ ତାହା ପ୍ରକାଶ ବି କରିବି ।
ଆମ ଭାଷାମାଆ ଏଥର କିନ୍ତୁ ହାରିବ ନାହିଁ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
(ଫେସବୁକରେ ଥିବା ୧୩।୧୧।୨୦୧୯ ତାରିଖର ଉପସ୍ଥାପନା)
ଆମ ଭାଷାମାଆ ଏଥର କିନ୍ତୁ ହାରିବ ନାହିଁ ।
ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସରମାନେ ଓଡ଼ିଶା ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ରହି ଓଡ଼ିଶାର ମୁଖ୍ଯମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ନିଜ କାବୁରେ ରଖି ଆମ ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଆମ ଭାଷାକୁ କିପରି ଆମ ରାଜ୍ୟ ପରିଚାଳନାର ଭାଷା କରାଇଦେଉନାହାନ୍ତି ତାହାର ଦୃଷ୍ଟାନ୍ତ ଭାବେ ମୁଁ ଏଥିପୂର୍ବରୁ ଜି.ଭି ଭି.ଶର୍ମାଙ୍କ କଥା ଉଲ୍ଲେଖ କରିଛି । ସ୍ବାଧୀନତା ପରେ ପରେ ଏହି ଅଣଓଡ଼ିଆଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିଲା ଆମ ଭାଷା ତାହାର ଏକ ଉଦାହରଣ ଦେବା ପାଇଁ ମୁଁ ଆଜି ୧୪।୯।୧୯୪୭ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବିଶେଷ ଅଧିବେଶନର ପ୍ରଥମ ପ୍ରସ୍ତାବଟିକୁ ଏଠାରେ ଉଦ୍ଧାର କରୁଛି:
“୧ମ ପ୍ରସ୍ତାବ – ଓଡ଼ିଶା ପ୍ରାଦେଶିକ ସରକାର ଗଞ୍ଜାମ ଓ କୋରାପୁଟରେ କେତେ ଅଞ୍ଚଳରେ ତେଲୁଗୁ ଭାଷାକୁ ସରକାରୀ ଭାଷା ରୂପେ ଚଳାଇବା ପାଇଁ ଯେଉଁ ଆଦେଶ କରିଛନ୍ତି ଏ ସମ୍ମିଳନୀ ତାର ତୀବ୍ର ପ୍ରତିବାଦ କରୁଅଛି । ଏହି ସମ୍ମିଳନୀ ଦୃଢ଼ ବିଶ୍ବାସ କରନ୍ତି ଯେ, ପ୍ରତ୍ୟେକ ପ୍ରଦେଶରେ କେବଳ ପ୍ରାଦେଶିକ ଭାଷା ହିଁ ସେହି ପ୍ରଦେଶର ଭାଷା ହୋଇ ରହିବା ଉଚିତ । ଓଡ଼ିଶା ପ୍ରଦେଶରେ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାର ସ୍ଥାନ ନାହିଁ । ଯେଉଁ ମୁଷ୍ଟିମେୟ ଆନ୍ଧ୍ର ବିକ୍ଷିପ୍ତ ଭାବରେ ଏ ପ୍ରଦେଶରେ ଅଛନ୍ତି ସେମାନେ ଏ ପ୍ରଦେଶର ପ୍ରାଦେଶିକ ଭାଷା ଜାଣନ୍ତି । ଏହିପରି ସମସ୍ତ କାରଣରୁ ଆମ୍ଭେମାନେ ସରକାରଙ୍କ ନିକଟରେ ଦାବି କରୁଅଛୁ ଯେ, ସରକାର ତୁରନ୍ତ ତାଙ୍କର ଆଦେଶ ପ୍ରତ୍ୟାହାର କରି ଓଡ଼ିଆ ଭାଷା ସମଗ୍ର ପ୍ରଦେଶର ଏକମାତ୍ର କଚେରୀ ଭାଷା ବୋଲି ଇସ୍ତାହାର କରନ୍ତୁ” (ନବୀନ, ୧୬।୯।୧୯୪୭) ।
ସରକାର କର୍ଣ୍ଣପାତ କରି ନଥିଲେ; କାରଣ ତହିଁର ମୁଖ୍ୟ ଥିଲେ ହରେକୃଷ୍ଣ ମହତାବ । ଏ ହେଉଛନ୍ତି ସେହି ମହତାବ ଯାହାଙ୍କ ଇଙ୍ଗିତରେ ୧୯୪୮ ଏପ୍ରିଲ ପହିଲାରେ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ ସକାଶେ ପ୍ରସ୍ତାବ ଦେଇ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଭୟଙ୍କର ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅତଏବ, ଦୁର୍ନୀତିଲିପ୍ତ ରାଜନେତାମାନଙ୍କୁ କବ୍ଜାରେ ରଖି ଅଣଓଡ଼ିଆ ଅଫିସରମାନେ ସ୍ୱାଧୀନତା ପରଠାରୁ ଏ ଯାଏଁ ଆମ ମାତୃଭାଷାକୁ ଆମ ରାଜ୍ୟରେ ଅକାମୀ କରିରଖିଛନ୍ତି ।
ତେଣୁ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ଆମ ଆନ୍ଦୋଳନ ଅଣଓଡ଼ିଆ ଅଧ୍ୟୁଷିତ ରାଜ୍ୟ ସରକାରଙ୍କ ପାଇଁ ଅସହ୍ୟ ହେଉଛି ଓ ଆମ ଭିତରୁ ଅର୍ଥଲୋଭୀମାନଙ୍କୁ ଠାବ କରି ସରକାର ପୋଷାମନେଇ ଆମ ବିରୁଦ୍ଧରେ ପ୍ରୟୋଗ କରୁଛନ୍ତି ।
ଆମ ଭାଷା ମାଆ ଏଥର କିନ୍ତୁ ହାରିବ ନାହିଁ । କାରଣ ଆମେ ତାକୁ ଅଧାବାଟରେ ଛାଡ଼ି ପଳାଇବୁ ନାହିଁ । କଳାପତାକାର ନିଶବ୍ଦ ଲହର ଓଡ଼ିଆ ଜାତିର ଆତ୍ମାରେ ପ୍ରତିଧ୍ୱନିତ ହେବା ଆରମ୍ଭ କଲାଣି । ସୁପ୍ତ ସିଂହ ଧୀରେ ଧୀରେ ଜାଗୁଛି ।
ଓଡ଼ିଆରେ ଯାନ୍ତ୍ରିକ ଶିକ୍ଷା // ଶିକ୍ଷା ନାଁରେ କଳଙ୍କ: ମାଫିଆଙ୍କ ସହ ଶିକ୍ଷା ପରିଷଦର ଅସଂଯତ ସହବାସ
ସୂତ୍ର- ମାତୃଭାଷା ବାହିନୀ
ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ହେତୁ ଓଡ଼ିଶାରେ ଭାଷା ଜାତୀୟତାର ଯେଉଁ ନୂଆ ଯୁଗ ଆରମ୍ଭ ହୋଇଛି, ତାହାକୁ ନିଜ ଉପାର୍ଜନର ମହାମାଧ୍ୟମ କରିବାକୁ ଧୂର୍ତ୍ତ ଉଦ୍ୟମ ଚଳାଇଛି ଭୁବନେଶ୍ୱରର ଏକ ଭାଷା ମାଫିଆ ଗୋଷ୍ଟୀ – ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା । ଏହି ସଂସ୍ଥା ଓଡ଼ିଶା ସରକାରଙ୍କ ଦ୍ଵାରା ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦାବି ସପକ୍ଷରେ ପ୍ରସ୍ତୁତ ଯୁକ୍ତି-ସନ୍ଦର୍ଭକୁ ଚୋରୀ କରି ତହିଁର ବ୍ୟବସାୟିକ ବ୍ୟବହାର କରିଛି କେବଳ ନୁହେଁ, ସେହି ସନ୍ଦର୍ଭର ପ୍ରସ୍ତୁତକର୍ତ୍ତା ଭାବେ ଜାଲ୍ ପ୍ରମାଣପତ୍ର ତିଆରିକରାଇ ବିଭିନ୍ନ ସରକାରୀ ସସ୍ଥାରୁ ବିପୂଳ ଆୟକାରୀ କାର୍ଯ୍ୟାଦେଶ ବି ହାସଲ କରିଛି ଓ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ସହାୟତାରେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ହାସଲ କରିଛି ଭାଷା ସମ୍ମିଳନୀ ନାଁରେ । ଏହି ସଂସ୍ଥାର ଆପରାଧିକ ଆଚରଣର ପ୍ରାମାଣିକ ତଥ୍ୟ ଭାଷା ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପୁସ୍ତକ ‘ମିଛ କେବେ ସତ ହୁଏନା’ରେ ଲିପିବଦ୍ଧ ହୋଇଛି । ସରକାରୀ ସନ୍ଦର୍ଭ ଚୋରୀ ପାଇଁ ଏହା ବିରୁଦ୍ଧରେ ଆରମ୍ଭ ହୋଇଥିବା ତଦନ୍ତ ଯେ ଏହି ଅପରାଧୀଙ୍କୁ ଦିନେ କାରାଗାରକୁ ପଠାଇବ, ତାହା ବି ଏହି ମାଫିଆ ଗୋଷ୍ଠୀ ଜାଣେ । ଏହି ପରିସ୍ଥିତିରେ ପୂର୍ବ ପରି ଏହା ରାଜ୍ୟ ରାଜକୋଷ ଲୁଟ୍ କରିବା ଆଉ ସହଜ ହୋଇ ନପାରେ ବୋଲି ଆଶଙ୍କା କରୁଛି । ତେଣୁ, କେନ୍ଦ୍ର ସରକାରଙ୍କ ପାଣ୍ଠି ଉପରେ ଏହା ନଜର ପକାଇଛି । ଏହି କାମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସାହାଜ୍ୟ କରୁଥିବା ପ୍ରକାଶ । ଏପରି ସନ୍ଦେହର କାରଣ ହେଲା, ଏହି ସଂସ୍ଥାର କର୍ମକର୍ତ୍ତା ଏ ଭିତରେ ଯେଉଁଦିନ ଧର୍ମେନ୍ଦ୍ରଙ୍କୁ ଭେଟିଥିଲେ, ତହିଁ ପରେ ପରେ କେନ୍ଦ୍ର ସରକାରଙ୍କ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏଙ୍କ ପାଲରେ ପଡ଼ିଛି ।
ଓଡ଼ିଶାର ବହୁ ଖବରକାଗଜରେ ଗତକାଲି ପ୍ରକାଶ ପାଇଛି କି, ଓଡ଼ିଆ ଭାଷାରେ ଯାନ୍ତ୍ରିକ ଶିକ୍ଷାଦାନ ହେବ ଓ ସେଥିପାଇଁ ଉପରୋକ୍ତ କେନ୍ଦ୍ରୀୟ ପରିଷଦ ପୁସ୍ତକ ପ୍ରଣୟନ ଦାୟିତ୍ଵ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ କୁ ପ୍ରଦାନ କରିଛି । ଏହି ସଂସ୍ଥାର ମାଲିକ ସୁବ୍ରତ ପୃଷ୍ଟି ଏକ ଟିଭି ପ୍ରସାରଣର ଏକ ୟୁଟ୍ୟୁବ୍ ଲିଙ୍କ୍ ପ୍ରଦାନ କରି ଏହି ଖବରକୁ ପ୍ରସାରିତ ବି କରିଛନ୍ତି । ତାହା ନିମ୍ନରେ ସ୍ଥାନିତ ହେଲା ।
ଏହି ପ୍ରଚାର ଉପରୋକ୍ତ ପରିଷଦ କରିନାହିଁ ; କରିଛି ଏହି ମାଫିଆ ସଂସ୍ଥା, ନିଜ ପ୍ରଚାର ପାଇଁ, ନିଜ ସପକ୍ଷରେ । ଏହା ସହ ଜଡ଼ିତ ସିପ୍ରା ମଳିକ ଏଥିରେ ଯେଉଁ ବୟାନ ରଖିଛନ୍ତି ତହିଁରୁ ଆଶଙ୍କା ଉପୁଜେ କି, ଯଦି ଏହି କେନ୍ଦ୍ରୀୟ ପରିଷଦ ଏହି ମଫିଆ ଗୋଷ୍ଠୀ ସହ ଆରମ୍ଭ କରିଥିବା ଅସଂଯତ ସହବାସ ବନ୍ଦ ନକରେ, ତେବେ ଯାନ୍ତ୍ରିକ ଶିକ୍ଷା ପାଇଁ ଗୁଡ଼େ ନିମ୍ନମାନର ପାଠ୍ୟ ପୁସ୍ତକ ପ୍ରସ୍ତୁତ ହେବ । ସେହି ପୁସ୍ତକ ଉପରେ ନିର୍ଭର କରି ଯେଉଁମାନେ ଯାନ୍ତ୍ରିକ ଶିକ୍ଷା ଅର୍ଜନ କରିବେ ସେମାନେ ଚାକିରି ପାଇଲେ ସାରା ରାଜ୍ୟ ବୁଡିଯିବ ବିପଦରେ ।
ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଉପରୋକ୍ତ ପରିଷଦକୁ ଚିଠି ଲେଖି ଏହି ଅସଂଯତ ସହବାସ ବନ୍ଦ କରିବାକୁ ଦାବି କରିଛନ୍ତି ଓ ଭାଷା ମାଫିଆଙ୍କ ପରିବର୍ତ୍ତେ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଓ /ବା ଓଡ଼ିଆ ଭାଷା ପ୍ରତିଷ୍ଠାନ ପରି ଉଚ୍ଚ ମାନଯୁକ୍ତ ସରକାରୀ ସଂସ୍ଥାର ଆଶ୍ରୟ ନେବାକୁ ପରାମର୍ଶ ଦେଇଛନ୍ତି ।