ଭାଷା ଆନ୍ଦୋଳନ: ସ୍ବାଗତଯୋଗ୍ୟ ଚୈତନ୍ୟୋଦୟ


ଆଜି ସାମାଜିକ ଗଣମାଧ୍ୟମ -ଫେସବୁକ – ପୃଷ୍ଠାରେ ଏକ ସୁଖଦାୟକ ଖବର ନଜରକୁ ଆସିଲା ।

ମୋ ପାଇଁ ଅତ୍ୟନ୍ତ ଆନନ୍ଦର କଥା , ମୋର ଯେଉଁ ସାଥିମାନେ ଭ୍ରମିତ ହୋଇ ଭାବିଥିଲେ, ନବୀନ ପଟ୍ଟନାୟକ ଭାଷା ଆଇନରେ ଆଣିଥିବା ସଂଶୋଧନ ନିର୍ଭୁଲ,  ଓ ସେହି ବିଶ୍ୱାସରେ ଆନ୍ଦୋଳନର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ଘୋଷଣା କରି କଳାପତାକା ଅଭିଯାନରୁ ଓହରି ଯାଇଥିଲେ, ସେମାନଙ୍କ ଭ୍ରମ ତୁଟିଛି । ସେମାନେ ଘୋଷଣା କରିଛନ୍ତି , ଓଡ଼ିଆ ନୂଆବର୍ଷଠାରୁ ପୁନଶ୍ଚ କଳାପତାକା ଅଭିଯାନ ଚଳାଇବେ ।

ସେମାନଙ୍କର ଏହି ଚୈତନ୍ୟୋଦୟକୁ ସର୍ବାନ୍ତଃକରଣରେ ମୁଁ ସ୍ଵାଗତ କରୁଛି ଓ ନିଜ ଭାଷା ଅଧିକାର ହାସଲ କରିବା ପାଇଁ ସମଗ୍ର ଓଡ଼ିଆ ଜାତି ଭାଷା ମାଆର ଜୈତ୍ରବାନା – କଳାପତାକା – ଉତ୍ତୋଳନ କରି ଏହି ଅଭିଯାନକୁ ସଫଳ କରିବାକୁ ମୁଁ ନିବେଦନ କରୁଛି ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପ୍ରତିଷ୍ଠାତା , ଭାଷା ଆନ୍ଦୋଳନ,ଓଡ଼ିଶା

ସରକାରୀ ଷଡଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଉତ୍କଳଦୀପିକାର ସମ୍ପାଦକୀୟରୁ ଯେଉଁ କଥାଟି ସ୍ପଷ୍ଟ ହୁଏ, ତାହା ହେଲା ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧିନସ୍ଥ ଓଡ଼ିଆ ଇଲାକାରେ ତେଲୁଗୁ ଭାଷାକୁ ସରକାରୀ ଭାଷା ଭାବେ ପ୍ରବର୍ତ୍ତିତ କରାଯାଇଥିବା ବେଳେ ବଙ୍ଗଳା ଗଭର୍ଣ୍ଣମେଣ୍ଟ ଓ ମଧ୍ୟପ୍ରଦେଶ ଚିଫ୍ କମିଶନରଙ୍କ ଅଧିନସ୍ଥ ଓଡ଼ିଆ ଇଲାକାରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ଚାଲୁଥିଲା । କିନ୍ତୁ ସେହି ଉଭୟ ଗଭର୍ଣ୍ଣମେଣ୍ଟ ଦପ୍ତରରେ କାମ କରୁଥିବା “ସ୍ଵାର୍ଥପର ଲୋକେ” ଓଡ଼ିଆ ଭାଷାକୁ କାର୍ଯ୍ୟାଳୟମାନଙ୍କରୁ ଉଠାଇ ଦେବାକୁ ନାନା ଷଡ଼ଯନ୍ତ୍ର ଚଳାଇଥିଲେ । ଉତ୍କଳଦୀପିକା ସମ୍ପାଦକ ଲେଖିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ନହେବା “ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ” ହେବ ବୋଲି ଉଭୟ ବଙ୍ଗଳା ଓ ମଧ୍ୟପ୍ରଦେଶ ସରକାରର ମୁଖ୍ୟ ପଦଧିକାରୀ ବିଚାର କରୁଥିବା ହେତୁ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ଥିଲା । 

ଏହି ଭିତ୍ତି ଉପରେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧୀନସ୍ଥ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ପରିଚାଳନା ପାଇଁ ଗୁମୁସର-ସମ୍ମିଳନୀର ପ୍ରସ୍ତାବ ସପକ୍ଷରେ ଉତ୍କଳଦୀପିକା ଯୁକ୍ତି କରିଥିଲା ।

କ’ଣ ଥିଲା ଏହି ପ୍ରସ୍ତାବ?

(କ୍ରମଶଃ ) 

ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରସୁଲକୋଣ୍ଡାରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗଠିତ ଜନମତର ପ୍ରଥମ ପରିପ୍ରକାଶ । ଏଥିରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତହିଁରେ  ଥିବା ପ୍ରକଟିତ ସତ୍ଯର ଅବତାରଣା ଏକାନ୍ତ ଐତିହାସିକ । ଓଡ଼ିଆମାନଙ୍କ ଇଲାକାରେ ରାଜଭାଷା ଭାବେ ତେଲୁଗୁ ପ୍ରଚଳିତ ହେବାରୁ ଯେଉଁ ତେଲେଙ୍ଗାମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଯମାଳୟ ପରି ଜ୍ଞାନ କରୁଥିଲେ ସେମାନେ ……… ଯମଦୂତ ପରି କର୍ମ କରୁଛନ୍ତି ।” ନିଜ ଭାଷା ରାଜଭାଷା ହୋଇ ନରହିଲେ ଜନସାଧାରଣଙ୍କର କିପରି ସର୍ବନାଶ ଘଟେ ତାହାର ଏହା ଏକ ନିରୋଳା ବିବରଣୀ । 

ପତ୍ର ରୂପେ ଏହା ପ୍ରାପ୍ତ ହୋଇ ‘ଉତ୍କଳଦୀପିକା ‘ର ସମ୍ପାଦକ ଗୌରୀ ଶଙ୍କର ରାୟ ୨୦.୧୨.୧୮୭୦ ତାରିଖରେ ତାଙ୍କ ସଂପାଦକୀୟ ସହ “ଘୁମୁସର ପତ୍ର” ଶୀର୍ଷକରେ ଏହାକୁ ପ୍ରକାଶ କରିଥିଲେ ।  

ଐତିହାସିକ ଗୁରୁତ୍ଵ ଦୃଷ୍ଟିରୁ ନିମ୍ନରେ ତାହା ପ୍ରଦତ୍ତ ହେଲା:

ଅଦ୍ୟ ଦିବସର ଅତିରିକ୍ତ ପତ୍ରିକାରେ ଘୁମୁସରରୁ ଆସିଥିବା ଗୋଟିଏ ପତ୍ର ମୁଦ୍ରିତ କରି ପାଠକମାନଙ୍କୁ ଅନୁରୋଧ କରୁଅଛୁ କି,  ସେମାନେ ମନୋଯୋଗପୂର୍ବକ ତାହା ପାଠ କରିବେ । ଉତ୍କଳ ଦେଶ ହିତ ଚିନ୍ତାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଏ ବିଷୟରେ ବିଶେଷ ଉଦଯୋଗୀ ହେବାର ଆବଶ୍ୟକ । ଘୁମୁସରବାସୀମାନେ ଯାହା ପ୍ରାର୍ଥନା କରନ୍ତି ତାହା ଯେ ସର୍ବତୋଭାବେ ଯୁକ୍ତିଯୁକ୍ତ ଓ ବହୁ ଉପକାରମୂଳକ ଅଟଇ ଏ କଥାରେ ଅଣୁମାତ୍ର ସନ୍ଦେହ ନାହିଁ । ଓଡ଼ିଶାର ଦୂରବସ୍ଥା ଯେଉଁମାନେ ଜାଣନ୍ତି ଓ ତହିଁର କାରଣ ଅନୁସନ୍ଧାନ କରନ୍ତି ସେମାନେ ଅବଶ୍ୟ ଅବଗତ ହୋଇଥିବେ ଯେ, ଏ ଦେଶ ତିନି ଖଣ୍ଡ ହୋଇ ତିନି ଶାସନକର୍ତ୍ତାଙ୍କ ଅଧୀନରେ ରହିବାରୁ ଏହାର ଉନ୍ନତି ହେଉନାହିଁ । ଏକ ଖଣ୍ଡ ବଙ୍ଗଳା ଗଭର୍ଣ୍ଣମେଣ୍ଟ , ଏକ ଖଣ୍ଡ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଓ ଅପର ଏକ ଖଣ୍ଡ ମଧ୍ୟପ୍ରଦେଶର ଚିଫ୍ କମିଶ୍ନରଙ୍କ ଶାସନରେ ରହିବାରୁ ଏ ଦେଶ ସମୁଦାଯ ଏକ ହୋଇ ଚଳିପାରେନାହିଁ । ମାତ୍ର ଏ ପ୍ରକାର ଅବସ୍ଥାରେ ଥିଲେ ମଧ୍ୟ ଗଭର୍ଣ୍ଣମେଣ୍ଟ ଗୋଟିଏ କଥାରେ ଦ୍ରୁଷ୍ଟି ରଖିଥିବାରୁ ଅନେକ ମଙ୍ଗଲ ହେଉଅଛି । ବଙ୍ଗଳା ଓ ମଧ୍ୟପ୍ରଦେଶର ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ଓ ସ୍ଵାର୍ଥପର ଲୋକେ କେତେ ଉପାୟ କାଲେ ହେଁ ଗଭର୍ଣ୍ଣମେଣ୍ଟ ଏ ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ କରିବାକୁ ସମ୍ମତ ହୋଇନାହାନ୍ତି । ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ ? ଓ, ଯେ ସ୍ଥଳେ ପୂର୍ବରେ ସେ ଭାଗର ରାଜକାର୍ଯ୍ୟ ଓଡ଼ିଆ ଭାଷାରେ ହୋଇ ଆସୁଥିଲା ତେବେ ଇଂରେଜ ଗଭର୍ଣ୍ଣମେଣ୍ଟ କାହିଁକି ଭିନ୍ନରୂପ ଆଚରଣ କରିବ? ଆମମାନଙ୍କୁ ନିଶ୍ଚୟ ବୋଧ ହେଉଅଛି ଯେ, ଉତ୍କଳବାସୀମାନେ ଏ ବିଷୟରେ ଏକମତ ହୋଇ ଗଭର୍ଣ୍ଣମେଣ୍ଟଙ୍କୁ ଆବେଦନ କାଲେ ତାହାଙ୍କର ପ୍ରାର୍ଥନା ସଫଳ ହେବ । ବିଦେଶୀୟ ଭାଷାରେ କାର୍ଯ୍ୟାଳୟର ଯାବତୀୟ କାର୍ଯ୍ୟ କରବା କଦାଚ ଗଭର୍ଣ୍ଣମେଣ୍ଟଙ୍କ ଅନୁମୋଦିତ ନୁହଇ । କେବଳ ଘୁମୁସରବାସୀମାନେ ଏତେଦିନ ଯତ୍ନ କରିନାହାନ୍ତି ବୋଲି ତାହାଙ୍କର ଦୁଃଖ ଶୁଣାଯାଇନାହିଁ । ଏବେ ସେମାନେ ସମସ୍ତ ଉତ୍କଳବାସୀଙ୍କଠାରେ ଏକଥା ଜଣାଇଲେ । ଏଥକୁ ଆବଶ୍ୟକ ଯେ, ପୁରୀ, କଟକ ଓ ବାଲେଶ୍ବରରେ ଥିବା ସମସ୍ତ ଉତ୍କଳୀୟ ତାହାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଆମ୍ଭେମାନେ ଭରସା କରୁ ଯେ, ଉତ୍କଳୋଲ୍ଲାସିନୀ ସଭା ବିଶେଷ ଆଗ୍ରହ ପୂର୍ବକ ଏ ବିଷୟରେ ହସ୍ତକ୍ଷେପ କରନ୍ତୁ ।       

(ଦ୍ରଷ୍ଟବ୍ୟ – https://www.scribd.com/doc/19216578/Role-of-Mass-Media-in-Creation-of-Orissa )

କ୍ରମଶଃ 

 

ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶା ରାଜ୍ୟଭାଷା -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମେ ଓଡ଼ିଆ ବୋଲି ଆମ ଭାଷା ଓଡ଼ିଆ – ଏକଥା ନୁହେଁ ; ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ଆମ ଭାଷା ହିଁ ଆମ ପରିଚୟ ।

ଅନୁପ୍ରବେଶକାରୀ ଇଂରେଜଙ୍କ ଆଧିପତ୍ୟ ବିରୁଦ୍ଧରେ ଆମ ପୂର୍ବ ପୁରୁଷେ ସାରା ଭାରତରେ ପ୍ରଥମେ ତଲୱାର ତୋଳିଥିବା ହେତୁ ଆମକୁ ଦୁର୍ବଳ କରି ରଖିବା ପାଇଁ ସେମାନେ ଆମ ମାଟିର ଯେଉଁ ଯେଉଁ ଅଞ୍ଚଳ ଯେତେବେଳେ ଦଖଲ କରୁଥିଲେ ତାକୁ ଆମ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପଡ଼ୋଶୀ ପ୍ରଦେଶମାନଙ୍କ ସହ ଏପରି ସାନ୍ଧି ଦେଉଥଲେ, ଯେପରି ସେଠାରେ ଆମେ ସଂଖ୍ୟାଲଘୁ ହୋଇଯିବା ଓ ଓଡ଼ିଆ ଭାବେ ଆମ ପରିଚୟ ବୁଡ଼ିଯିବ । ଏହା ଆମ ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

ଅବସ୍ଥା ଏପରି ଶୋଚନୀୟ ହୋଇଉଠିଥିଲା ଯେ, ତେଲୁଗୁ ଭାଷାରେ ସରକାରୀ କାମ ହେଉଥିବା ହେତୁ ସେଠାରେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜନ୍ମ ଓଡ଼ିଆ ଶିଷ୍ଟକରଣମାନେ ତେଲୁଗୁଭାଷା ଶିଖୁଥିଲେ (ଇଂରେଜ ସରକାରଙ୍କ ପ୍ରକାଶିତ କୋରାପୁଟ ଗେଜେଟିୟର , ପୃଷ୍ଠା ୮୫)

ଏହି ବିପର୍ଯ୍ୟୟ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ଗଞ୍ଜାମର ଘୁମୁସର ନିବାସୀ ଦୀନବନ୍ଧୁ ପଟ୍ଟନାୟକ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ପ୍ରଥମ କରିଥିଲେ । ତାଙ୍କ ଉଦ୍ୟମରେ ସେଦିନ ଘୁମୁସରର ରସୁଲକୋଣ୍ଡା ମୁକାମରେ ଋଷିକୁଲ୍ୟା ନଦୀର ଉଭୟ ପାର୍ଶ୍ଵବାସୀ ବାସିନ୍ଦାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆ ଯାଇଥିଲା  (କ୍ରମଶଃ

ବୌଦ୍ଧିକ ଯବକାଚରେ ‘ଦାନାର ତୋବଡ଼ା’


ସୂତ୍ର: ମାତୃଭାଷା ବାହିନୀ

ଭାଷା ବିରୁଦ୍ଧରେ ଅନ୍ତର୍ଘାତକ ନିଯୁକ୍ତ କରି କଳାପତାକା ଅଭିଯାନକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିବା ହେତୁ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ଇଂରାଜୀ ଭାଷା ସାହିତ୍ୟର ପ୍ରଫେସର କମଳା ପ୍ରସାଦ ମହାପାତ୍ର (ପ୍ରାକ୍ତନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ), ଓଡ଼ିଆ ଭାଷା ସାହିତ୍ୟର ପ୍ରଫେସର ବାଉରିବନ୍ଧୁ ସାହୁ (ପ୍ରାକ୍ତନ ଅଧ୍ୟକ୍ଷ , ରେଭେନ୍ସା ମହାବିଦ୍ୟାଳୟ) ତଥା ପ୍ରଫେସର ମନୋରଞ୍ଜନ ଦାସ (ଅବସରପ୍ରାପ୍ତ ଓଡ଼ିଶା ଉଚ୍ଚଶିକ୍ଷା ସେବା, ବରିଷ୍ଠ ବର୍ଗ) ଏବଂ ଓଡ଼ିଆ ଜାତୀୟ ସମ୍ମିଳନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀକାନ୍ତ ଦାଶ ।
ଓଡ଼ିଆ ଭାଷା ଓଡ଼ିଶାର କାର୍ଯ୍ୟଭାଷା ହେବା ପଥରେ ଓଡ଼ିଶା ସରକାର ଅନ୍ତରାୟ ସୃଷ୍ଟି କରିବାକୁ ଯାଇ ପ୍ରଶାସନିକ କଳକୁ କିପରି ପ୍ରଦୂଷିତ କରିଛନ୍ତି ତାହା ଏହି ପୁସ୍ତକରେ ପ୍ରମାଣିତ ହୋଇଛି ।

ଗତ ୧୩ ତାରିଖରେ ଏହି ପୁସ୍ତକକୁ ଲୋକାର୍ପିତ କଲାବେଳେ ଏହାର ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଜୁନ ୨୪ରେ ଏହି ପୁସ୍ତକ ଉପରେ ଖୋଲା ଆଲୋଚନା ପାଇଁ ଆହ୍ଵାନ ଦେଇଥିଲେ ।

ତଦନୁଯାୟୀ, ଫେସବୁକ ଅନ୍ତର୍ଗତ ‘ଭାଷା ମା ପାଇଁ ପଦେ’ ପୃଷ୍ଠାରେ ଏହି ଆଲୋଚନା ସିଧା ପ୍ରସାରିତ ହୋଇଥିଲା ।
ଓଡ଼ିଆ ଭାଷା ଇତିହାସରେ ଏହା ଏକ ଅନତିକ୍ରମ୍ୟ ପୁସ୍ତକ ଓ ଭାଷା ଗବେଷକମାନଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା ।

ବିଶିଷ୍ଟ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ଏହି ଖୋଲା ଆଲୋଚନାର ସଂଯୋଜନା କରିଥିଲେ ।