ବିଜୁ ପଟ୍ଟନାୟକଙ୍କୁ ନର୍କରେ ପକାଇଛି ସଂସ୍କୃତି ବିଭାଗ : ଚିତ୍ର ବୀଥି ହଟୁ ବା ସଜଡ଼ା ହେଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରାଜ୍ୟ ସଂସ୍କୃତି ବିଭାଗ ବିଜୁ ପଟ୍ଟନାୟକଙ୍କୁ ଯେପରି ନର୍କରେ ପକାଇଛି ତାହାର ତୁରନ୍ତ ପରିସମାପ୍ତି ଆବଶ୍ୟକ ; କାରଣ ଏଠାକୁ ଆସୁଥିବା ଅଣଓଡ଼ିଆମାନଙ୍କ ଆଖିରେ ଏହା ଆମ ଜାତୀୟ ଅସ୍ମିତାକୁ ଉପହାସିତ କରୁଛି ।

ଏହାର ଅର୍ଥ ନୁହେଁ ଯେ, ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର କୌଣସି ଦରଦ ଅଛି।

ତାଙ୍କ ଛଳନାରେ ବିଭ୍ରାନ୍ତ ହୋଇ ଓଡ଼ିଶା ଲୋକେ ତାଙ୍କୁ ଥରେ କ୍ଷମତା ଦେଇଦେଲେ ଏପରି କୁଶାସନ କବଳରେ ପଡ଼ନ୍ତି ଯେ, ପଶ୍ଚାତାପ ହେତୁ ତାଙ୍କୁ ଲାଗ୍ ଲାଗ୍ ଅନ୍ୟୁନ୍ୟ ଦିଥର ପ୍ରତ୍ୟାଖ୍ୟାନ କରି ପ୍ରତିଶୋଧ ନିଅନ୍ତି (ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସମ୍ବାଦ, ୬।୬।୧୯୯୪) । ଏହି କାରଣ ହେତୁ ହିଁ  ମୃତ୍ୟୁ ପୂର୍ବରୁ ସେ କ୍ଷମତାରୁ ବିତାଡ଼ିତ ହୋଇରହିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କୁ “ଝଡ଼ର ଇଗଲ” ବୋଲି ବର୍ଣନା କରି, ସଞ୍ଜୟ ଗାନ୍ଧିଙ୍କୁ “ଋତୁରାଜ ବସନ୍ତ” କହିପାରିଥିବା ସୁଦକ୍ଷ ଶବ୍ଦବିନ୍ଧାଣି ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୁଙ୍କୁ ଏପରି ମରଣୋତ୍ତର ଗୌରବ ପ୍ରଦାନ କଲେ ଯେ, ନବୀନ ପଟ୍ଟନାୟକଙ୍କ ରାଜୁତି ଚାଲିଲା କେବଳ ବିଜୁଙ୍କ ନାଁରେ ! ଛାଇ ହୋଇଗଲେ ବିଜୁ ସମଗ୍ର ଓଡ଼ିଶାରେ ଓଡ଼ିଆ ଜାତିର ଯୁଗ ପୁରୁଷ ସାଜି । ସେହି କ୍ରମରେ ଓଡ଼ିଶା ସଂସ୍କୃତି ନିର୍ଦ୍ଦେଶାଳୟରେ ମଧ୍ୟ ସ୍ଥାପିତ ହେଲା ‘ବିଜୁ ଚିତ୍ର ବୀଥି’ (Biju Photo Gallery) ଓଡ଼ିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ବ୍ୟୟକରି ।

ସେ ‘ଚିତ୍ର ବୀଥି’ର ସ୍ଥିତି ଏବେ ଯାହା, ଦେଖିଲେ ମନେହୁଏ, ଓଡ଼ିଆ ଭାଷା ପ୍ରତି ବିଶ୍ବାସଘାତକତା କରିଥିବା ବିଜୁଙ୍କୁ ନର୍କଗତି ହୋଇଛି ଓ ଏହି ନର୍କ ନିବାସ ହେଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଶାସନିକ ମୁଖ୍ୟାଳୟ, ଯେଉଠି ରହିଛି ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଶା ଲଲିତକଳା ଏକାଡ଼େମୀ ଓ ସର୍ବୋପରି ଏ ସମସ୍ତର ନିର୍ଦ୍ଦେଶାଳୟ ।

ଆମ ଭାଷାର ଆଜନ୍ମ ବିରୋଧୀ 

ଓଡ଼ିଆ ଭାଷାକୁ ଇଂରାଜୀ ଭାଷାର ପୋଇଲି କରି ରଖିବାକୁ ବିଜୁ ଯେଉଁ ଚକ୍ରାନ୍ତ କରିଥିଲେ ମୁଁ ତାର ସବିଶେଷ ଆଲୋଚନା କରିଛି ଏ ବର୍ଷ ପ୍ରକାଶିତ ମୋ ପୁସ୍ତକ ‘ବିଜୁଙ୍କ ଛୁରା’ରେ, ଯାହା ୧୪।୩।୧୯୯୬ରେ ପ୍ରକାଶିତ ମୋର ନିବନ୍ଧ ‘ପ୍ରଶାସନ ଶବ୍ଦକୋଷ: ଓଡ଼ିଆ ଭାଷା ଉପରେ ବିଜୁଙ୍କ ରୋଷ’ରୁ ଆରମ୍ଭ ହୋଇଥିବା ଉଦ୍ୟମର ଏକ କ୍ରମ ରୂପାଯନ । ୧୯୬୩ରେ ଓଡ଼ିଆ ଭାଷାକୁ ଇଂରାଜୀ ଭାଷାର ପୋଇଲି ବନାଇବାକୁ ଆମ ଭାଷା ଆଇନରେ ସେ ଯେଉଁ ସଂଶୋଧନ ଘଟାଇଲେ, ସେତେବେଳେ ତାଙ୍କ ଅସଲ ରୂପ ପଦାକୁ ବାହାରି ଆସିଥିଲା।  ଇଂରାଜୀ ସପକ୍ଷରେ ନିଜର କ୍ରୀତଦାସସୁଲଭ ଆନୁଗତ୍ୟ ପ୍ରକାଶ କରି ସେ କହିଥିଲେ, ଆଜି ଯଦିଓ ପରିସ୍ଥିତି ବଦଳି ଯାଇଛି, ଇଂରାଜୀ ହେଉଛି ମାଲିକର ଭାଷା (Language of the Masters) , ସେଦିନ ମୋ ଭାଷା ଥିଲା ଇଂରାଜୀ (My language was the other day English), ମୋ ସଂସ୍କୃତି ଥିଲା ଇଂରେଜର ସଂସ୍କୃତି (“My culture was the culture of an Englishman”) (ବିଧାନସଭା ବିବରଣୀ , ୩୦।୯।୧୯୬୩) । ସେ ଏତେ ଉଦଗ୍ର ଇଂରାଜୀ ଅନୁଗତ ଥିଲେ ଯେ, ବିଧାନସଭାରେ କହିଥିଲେ, ଓଡ଼ିଆ ପରି ଭାଷା ଥିବା ହେତୁ ଭାରତ ଗୋଟାଏ ଦେଶ ପଦବାଚ୍ୟ ନୁହେଁ (“This is not a country at all.”) (ଓଡ଼ିଶା ସରକାରୀ ଭାଷା ଆଇନ ସଂଶୋଧନ ଉପରେ ବିଧାନସଭା ବିତର୍କ, ୧୯୮୫, ପୃ॰ ୧୦୮) ।

ବିଜୁ ୱସିୟତ

ଇଂରାଜୀ ଭାଷା ପ୍ରତି ଏହି କ୍ରୀତଦାସସୁଲଭ ଅନୁରକ୍ତି ଓ ଓଡ଼ିଆ ଭାଷା ପ୍ରତି ଏହି ଅଯୌକ୍ତିକ ଘୃଣା ବିଜୁ ପଟ୍ଟନାୟକଙ୍କ ଠାରୁ ନବୀନ ପଟ୍ଟନାୟକ ଯଦି ରକ୍ତସୂତ୍ରରେ ଆହରଣ କରିନଥାନ୍ତେ , ସେ କଣ ଓଡ଼ିଶାକୁ ବିଜୁମୟ କରି ଓଡ଼ିଆ ଭାଷାକୁ ଅକାମୀ କରିଦେବାକୁ ଯାବତୀୟ ହୀନ ଚକ୍ରାନ୍ତ ଚଳାଇଥାନ୍ତେ; ଏତେ ବର୍ଷ କ୍ଷମତାରେ ଥାଇ ବି ଓଡ଼ିଆ ଭାଷାରେ କାମ କରିବାକୁ ସକ୍ଷମ ହୋଇନଥାନ୍ତେ; ଇଂରାଜୀ ଭାଷାର ଅଧସ୍ତନ କରି ରଖିଥାନ୍ତେ ଓଡ଼ିଶାକୁ ; ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଦଲାଲ ନିଯୁକ୍ତ କରିଥାନ୍ତେ?

ଅତଏବ ଓଡ଼ିଆ ଭାଷା ଆଜି ଯେଉଁ ବିପଦରେ ପଡ଼ିଛି , ତା ମୂଳରେ ଅଛି ବିଜୁ ୱସିୟତ (Biju Legacy) ।  ଏହି ୱସିୟତର ଅନ୍ଧମୁହାଣୀରେ ଓଡ଼ିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ସ୍ଵାହା କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଜୁମୟ କରିବା ପାଇଁ ଯେଉଁ ବିଜୁ ଚିତ୍ର ବୀଥି ସୃଷ୍ଟି କରଯାଇଥିଲା ସଂସ୍କୃତି ଭବନରେ, ମା ଓଡ଼ିଶାର ଆତ୍ମା ତାକୁ ବରଦାସ୍ତ କରିନାହିଁ । ସଂସ୍କୃତି ଭବନର ବର୍ଜ୍ୟ ପାଣିର ଗନ୍ଧରା ସମୁଚ୍ଚୟରେ ହିଁ ତା ପରିଚୟ ସୀମିତ ହୋଇ ପଡ଼ିଛି । ଲୁହା  ଜାଫ୍ରିରେ ପଡ଼ିଥିବା ତାଲା କେବଠୁ ଫିଟି ନାହିଁ । ଏଥିରେ ଥିବା ଚିତ୍ର ଗୁଡ଼ିକୁ କେହି ଓଡ଼ିଆ କେବେ ଦେଖିବାକୁ ଚାହିଁ ନାହାନ୍ତି ।

ନର୍କ ନିବାସ 

ଏହି ସମ୍ବାଦ ସନ୍ନିହିତ ଚିତ୍ରଗୁଡ଼ିକୁ ଦେଖିଲେ ଜାଣିବେ ଯେ , ସଂସ୍କୃତି ନିର୍ଦ୍ଦେଶକଙ୍କ ଦପ୍ତରକୁ ଯାଇଥିବା ପାହାଚ ଏହି ଚିତ୍ର ବୀଥି ସମ୍ମୁଖରେ ଅବସ୍ଥିତ । ନିର୍ଦ୍ଦେଶାଳୟର ସମସ୍ତ କର୍ମଚାରୀ / ପଦଧିକାରୀ ଏହି ପାହାଚ ପ୍ରତିଦିନ ବ୍ୟବହାର କରନ୍ତି, ପ୍ରତିଦିନ ବିଜୁଙ୍କ ଏ ଚିତ୍ର ବୀଥିକୁ ଏହିପରିଭାବେ ଦେଖନ୍ତି । ପାହାଚକୁ ଲାଗି ସାହିତ୍ୟ ଏକାଡ଼େମୀ । ଏହାର କର୍ମକର୍ତ୍ତା ଓ କର୍ମଚାରୀମାନେ ପ୍ରତିଦିନ ଏହି ଗନ୍ଧରା ଦୃଶ୍ୟ ଦେଖନ୍ତି । ଉପରେ ପ୍ରଥମ ମହଲାରେ ଭାଷା ପ୍ରତିଷ୍ଠାନ । ସଭିଏଁ ଏହିବାଟେ ଯାଆନ୍ତି । ସାହିତ୍ୟ ଏକାଡ଼େମୀ ସହ ସଂସ୍କୃତି ଭବନର ତଳ ମହଲାରେ ଅଛି ଓଡ଼ିଶା ଲଳିତକଳା ଏକାଡ଼େମୀ । ତହିଁର କର୍ମକର୍ତ୍ତା ଓ କର୍ମଚାରୀମାନେ ମଧ୍ୟ ପ୍ରତିଦିନ ଦେଖନ୍ତି ଏହି ଦୃଶ୍ୟ । ମନେହୁଏ , ବିଜୁଙ୍କ ଚିତ୍ର ବୀଥିକୁ ସର୍ବ ଶକ୍ତିମାନ ସମୟ ସଂସ୍କୃତି ବିଭାଗ ମାଧ୍ୟମରେ ଠିକଣା ସ୍ଥାନରେ ରଖିଛି ।  ଏବେ ଏହି ଦୃଶ୍ୟ ପ୍ରତି ଦୃଷ୍ଟିପଡୁ :

ହଟା ହେଉ ବ ସଜଡ଼ା ହେଉ 

ବିବେକ ଜାଗ୍ରତ ହେଉ । ଏହାକୁ ଏଠୁ ଉଠାଇ ଦିଆଯାଉ ବା ସଜଡ଼ାଯାଉ । ନବୀନବାବୁଙ୍କ ରାଜୁତିରେ ଓଡ଼ିଆ ଜାତି ତ ତା ଭାଷା ମାଆ ଉପରେ ଚାଲିଥିବା ସରକାରୀ ଅତ୍ୟାଚାର ସହି ଚାଲିଛି , ତାଙ୍କରି ରାଜୁତିରେ ତାଙ୍କ ପିତାଙ୍କ ଚିତ୍ର ବୀଥି ଉପରେ ଚାଲିଥିବା ଏହି ନାରକୀୟ ନିର୍ଯ୍ୟାତନାର ନୀରବଦ୍ରଷ୍ଟା ହୋଇ ରହିବାକୁ ଓଡ଼ିଆ ଜାତିକୁ ବାଧ୍ୟ କରା ନ ହେଉ । ବିଜୁ ବାବୁ ଜଣେ ରାଜନୈତିକ ବ୍ୟକ୍ତିଥିଲେ ଓ ସେହେତୁ ଓଡ଼ିଶାର ସାର୍ବଜନୀନ ନେତା ନଥିଲେ । ତେଣୁ ସଂସ୍କୃତି ଭବନ ପରି ଏକ ସାର୍ବଜନୀନ ସ୍ଥାନରେ ତାଙ୍କ ଏହି ଚିତ୍ର ବୀଥି ଅତ୍ୟନ୍ତ ଅନଧିକୃତ ଓ ବେଆଇନ । ସେହେତୁ ଏହାକୁ ଏଠାରୁ ହଟାଇ ଦିଆଯିବା ଉଚିତ । ଯଦି ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ପ୍ରଶାସନିକ ବାହୁବଳରେ ଏହାକୁ ଏଠାରେ ଜବରଦସ୍ତ ରଖାଯାଏ , ତେବେ ସମ୍ମାନର ରଖାଯାଉ, ଏପରି ନର୍କ ଭିତରେ ରଖାନଯାଉ । ସଂସ୍କୃତି ଭବନକୁ ଓଡ଼ିଶା ବାହାରର ବହୁ ବ୍ୟକ୍ତି ଓଡ଼ିଶା ସଂସ୍କୃତି ଅବଗତିରେ ସହାୟତା ଲୋଡ଼ି ଅନେକ ସମୟରେ ଆସିଥାନ୍ତି । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ନର୍କନିବାସ ଦେଖି ସେମାନେ ଓଡ଼ିଆ ଜାତିକୁ ଉପହାସ ନ କରନ୍ତୁ ।

ଭାଷା ବିରୋଧୀ ନିୟମାବଳୀ ଲୋପ ହେଉ, ଓଡ଼ିଆରେ କାମ ନକରିବା ବ୍ୟକ୍ତି ବିରୁଦ୍ଧରେ ମାମଲା କରିବାର ଅଧିକାର ପ୍ରତି ଓଡ଼ିଆକୁ ପ୍ରାପ୍ତ ହେଉ

ନିଉଜ ସିଣ୍ଡିକେଟ
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓଡ଼ିଶା ସରକାରୀ ଭାଷା ନିୟମାବଳୀ ଓଡ଼ିଆ ଭାଷା ପ୍ରତି ବିପଜ୍ଜନକ ହୋଇଥିବା ହେତୁ ତାହାକୁ ତୁରନ୍ତ ଲୋପ କରିବା ପାଇଁ ଓ ଓଡ଼ିଆରେ କମ କରୁନଥିବା ବ୍ୟକ୍ତି ବିରୁଦ୍ଧରେ ଦଣ୍ଡ ବିଧାନ ମାମଲା କରିବାକୁ ପ୍ରତ୍ଯେକ ଓଡ଼ିଆଙ୍କୁ ଅଧିକାର ଦିଆଯାଇ ସାନି ବିଧାନ ପ୍ରଣାୟକ କରିବାକୁ ଆଜି ଭୁବନେଶ୍ବର ନେହେରୁ ଯୁବ ପ୍ରତିଷ୍ଠାନରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି ।

ସେ କହିଛନ୍ତି,

ଓଡ଼ିଆ ସରକାରୀ ଭାଷା (ସଂଶୋଧନ) ନିୟମାବଳୀ, ୨୦୧୯ ଓଡ଼ିଆ ଜାତିର ଭାଷା ଅଧିକାରକୁ ବିପଦାପନ୍ନ କରୁଛି । ମୁଁ ତା’ର ତୁରନ୍ତ ବିଲୋପନ ଦାବି କରୁଛି ।
ଓଡ଼ିଆ ଜାତିର ସମସ୍ତ ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବା ସକାଶେ ଓଡ଼ିଆ ଜାତି ୧୮୭୦ରୁ ୧୯୩୬ ପର୍ଯ୍ୟନ୍ତ ସଂଗ୍ରାମ କରି ଓଡ଼ିଶା ପ୍ରଦେଶ ସୃଷ୍ଟ କରିଛି । ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ହେଲା ଓଡ଼ିଆରେ ଶାସନ ।
ସେହେତୁ, ସ୍ଵାଧୀନତା ଲାଭ ପରେ ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ଓଡ଼ିଶାର ପ୍ରଥମ ବିଧାନସଭା ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ କରିଥିଲା । ଏହି ଆଇନର ଧାରା ୧ର ଉପଧାରା (୨) ଓ ଉପଧାରା (୩) ବଳରେ ଏହା ସମଗ୍ର ଓଡ଼ିଶାରେ ତତ୍କାଳ ବଳବତ୍ତର ହୋଇଥିଲା । ଏହାର ଧାରା ୨ର ଉପଧାରା (୧) ଅନୁସାରେ ଓଡ଼ିଶାରେ ସମ୍ପୂର୍ଣତଃ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ ଓଡ଼ିଆରେ ହେବା ଧାର୍ଯ୍ୟ କରା ହୋଇଥିଲା ।
ମାତ୍ର ୨୦୧୯ରେ ରାଜ୍ୟ ସରକାର ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି ତାହା ମୂଳ ଭାଷା ଆଇନ ସୃଷ୍ଟି କରିଥିବା ଏହି ଭାଷା ଅଧିକାରକୁ ପଣ୍ଡ କରୁଛି । ଯଥା, ନିୟମ ୫-କ (୧) ରେ ଅଛି, “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ ହେଲା , ଯେଉଁ କର୍ମଚାରୀମାନେ ସମ୍ପୂର୍ଣ ଭାବେ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ରାଜ୍ୟ ସରକାର ପୁରସ୍କାର ଦେବେ । ସେହିପରି ନିୟମ ୫-କ(୨) ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ ଯେପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନପାରେ ତାର ବ୍ୟବସ୍ଥା କରିଛି । ଏଥିରେ କୁହା ହୋଇଛି “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ ,ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ”। ଅଥଚ “ପର୍ଯ୍ୟାପ୍ତ ବ୍ୟବହାର” ସଜ୍ଞାୟିତ ହୋଇନାହିଁ କି “ବାରମ୍ବାର ଖିଲାପ” କାହାକୁ କୁହାଯିବ ତାହା ମଧ୍ୟ ସଜ୍ଞାୟିତ ହୋଇନାହିଁ । ଏପରି ଅବସ୍ଥାରେ , ଏହି ନିୟମାବଳୀରେ ଯେଉଁ କାର୍ଯ୍ୟାନୁଷ୍ଠାନ କଥା କୁହା ହୋଇଛି ତାହା ମଧ୍ୟ ହେବ ନାହିଁ ।
“ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ” ବୋଲି ଯାହା କୁହା ହୋଇଛି, ତାହା ନୂଆ ବୋତଲରେ ପୁରୁଣା ମଦ । ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାକୁ ଛୁରି ମାରି ଭାଷା ଆଇନରେ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ଓଡ଼ିଶା ଉପରେ ନଦି ଦେବା ପରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଯେଉଁ ସଙ୍କଟର ସମ୍ମୁଖୀନ ହୋଇଥିଲା ତହିଁର ପ୍ରତିକାର ପାଇଁ ରାଜେନ୍ଦ୍ରନାରାୟଣ ସିଂହ ଦେଓଙ୍କ ସରକାର ୬।୪।୧୯୬୮ ତାରିଖରେ ୭୧୧୩ ସଂଖ୍ୟକ ଅଧିସୂଚନା ଜାରିକରିଥିଲେ, ଯେଉଁଥିରେ ଲେଖା ହୋଇଥିଲା, ୧୪।୪।୧୯୬୮ ତାରିଖରୁ ଯେଉଁମାନେ ଓଡ଼ିଆରେ କାମ ନ କରିବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ବହୁ ବାର ଏହି ଏକା ଆଦେଶ ହୋଇଛି । ଆଜିଯାଏଁ କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କାରଣ ଆଇନ ଅମାନ୍ୟକାରୀ କୌଣସି କର୍ମଚାରୀ ନିଜକୁ ନିଜେ ଦଣ୍ଡିତ କରେନାହିଁ ।
ତେଣୁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଅଧିକାର ସାଧାରଣ ଲୋକର ରହିବା ଆବଶ୍ୟକ । ଭାଷା ଅଧିକାର ଏକ ସହଜାତ ଅଧିକାର ହୋଇଥିବା ହେତୁ , ଏହା ଏକ ଅଲିଖିତ ମୌଳିକ ଅଧିକାର । ଅନ୍ୟ ମୌଳିକ ଅଧିକାରର ସୁରକ୍ଷା ସକାଶେ ଯେକୌଣସି ବ୍ୟକ୍ତି ବିଧିକ ପଦକ୍ଷେପ ନେବା ପାଇଁ ଯେମିତି ଅଧିକୃତ, ଠିକ ସେମିତି ଭାଷା ଅଧିକାରର ଖଣ୍ଡନ ହେଲେ ତା ବିରୁଦ୍ଧରେ ବିଧିକ ପଦକ୍ଷେପ ନେବା ପାଇଁ ଯେକୌଣସି ଓଡ଼ିଆ ଆଇନତଃ ଅଧିକୃତ ହେବା ଦରକାର ।

ଭାଷା ନିୟମାବଳୀକୁ ଭାଷା ଆନ୍ଦୋଳନ ପ୍ରତ୍ୟାଖ୍ୟାନ କଲା, ଆନ୍ଦୋଳନ ଚାଲିଲା

ନିଉଜ ସିଣ୍ଡିକେଟ

ଦୁଇଜଣ ଦଲାଲଙ୍କୁ ଲଗାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ସରକାର ଯେଉଁ ଉଦ୍ୟମ କରିଥିଲେ ତାହା ଫସରଫାଟି ଯାଇଛି । ଯେଉଁ ନିୟାମବଳୀକୁ ଅଶୁଦ୍ଧ ବୋଲି କହି ଭାଷା ଆନ୍ଦୋଳନ ତାହାକୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଥିଲା, ସେହି ଅଶୁଦ୍ଧ ନିୟମାବଳୀକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ଓ ତାହା ତତ୍କାଳ ଅଧିସୂଚନା ଦ୍ଵାରା ପ୍ରବର୍ତ୍ତିତ ହୋଇଛି ।

ଯଦି ଜୁଲାଇ ୧୭ରେ ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଆହ୍ଵାନରେ ଅନୁଷ୍ଠିତ ମାତୃଭାଷାପ୍ରେମୀ ସମ୍ମିଳନୀରେ ଆମ ଭାଷାକୁ ମାରିଦେବାପାଇଁ ଚାଲିଥିବା ସରକାରୀ ଚକ୍ରାନ୍ତକୁ ଭର୍ତ୍ସନା କରାଯାଇନଥାନ୍ତା ଏବଂ “ଆମ ଭାଷା ଆମ ଅଧିକାର” ଗୋଷ୍ଠୀ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଏକ ସମୀକ୍ଷାତ୍ମକ ଭିଡ଼ିଓ ପ୍ରକାଶ କରିନଥାନ୍ତେ ତେବେ ହୁଏତ ଏ ନିୟମାବଳୀ ଏଯାଏଁ ରାଜ୍ୟପାଳଙ୍କ ମେଜ ଉପରକୁ ଆସିନଥାନ୍ତା । ଜୁଲାଇ ୧୭ ତାରିଖର ସମ୍ମିଳନୀ ତଥା ସୁଭାଷ ବାବୁଙ୍କ ସାକ୍ଷାତ୍କାର ସରକାରଙ୍କୁ ଏତେ ଅତର୍ଚ୍ଛାଇ ଦେଇଛି ଯେ, ନିସ୍ତାର ପାଇବା ପାଇଁ ପୋଷାମନା ଦଲାଲମାନଙ୍କୁ ଡାକି ସେହିମାନଙ୍କ ଦ୍ଵାରା ଭାଷା ନିୟମାବଳୀ ସଂଶୋଧନ ହୋଇଥିବା କଥା ସରକାର ପ୍ରଚାର କରାଇଛନ୍ତି । ଜନଚେତନରୁ ଜୁଲାଇ ୧୭ ମାତୃଭାଷାପ୍ରେମୀ ସମ୍ମିଳନୀ ଓ “ଆମ ଭାଷା ଆମ ଅଧିକାର” ପ୍ରସାର କରିଥିବା ଭିଡ଼ିଓର ପ୍ରଭାବ ହ୍ରାସ କରିବା ପାଇଁ ଏହା ଯୋଜନା ଅନୁସାରେ କରାଯାଇଥିବା ଏବେ ସମସ୍ତଙ୍କର ହୃଦ୍ବୋଧ ହେଲାଣି । ଏହି ପ୍ରେକ୍ଷାପଟରେ ନିୟମାବଳୀ ସଂଶୋଧନର ସରକାରୀ ନାଟକକୁ ଭାଷା ଆନ୍ଦୋଳନ ପ୍ରତ୍ୟାକ୍ୟାନ କରିଛି ଓ ଯଥାପୂର୍ବ କଳା ପତାକା ଅଭିଯାନ ଚାଲୁରହିଛି ।

ଆଜି ଥିଲା ତ୍ରିରଙ୍ଗା ପତାକାର ଦିବସ । ତେଣୁ, ଭାଷା ଆନ୍ଦୋଳନର କଳାପତାକା ରାଜଧାନୀରେ ବନ୍ଦ ଥିଲା ସବୁଥର ପରି । ଓଡ଼ିଆ ଭାଷାଜନନୀର ଶ୍ରେଷ୍ଠ ସନ୍ତାନମାନଙ୍କ ହାତରେ ଥିଲା ଦୁଇଟି ଫଳକ । ଗୋଟିକରେ ଲେଖା ଥିଲା –

“ସରକାରୀ ଷଡ଼ଯନ୍ତ୍ର ବନ୍ଦ ହେଉ
ଭାଷା ଆଇନ ନିର୍ଭୁଲ ହେଉ ”

ଓ ଅନ୍ୟଟିରେ ଲେଖା ହୋଇଥିଲା –

“ଓଡ଼ିଶା ଗଠିତ ଓଡ଼ିଆ ପାଇଁ
ଇଂରେଜୀ ରାଜୁତି ଚଳିବ ନାଇଁ ”

ଏକୁ ସଗର୍ବେ ଧାରଣ କରିଥିଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ ଶିଶିର କୁମାର ସାହୁ

ଭାଇ କମଳଲୋଚନ ନାୟକ ଆଜି ନେତୃତ୍ବ ଦେଇଥିଲେ । ସାଙ୍ଗରେ ଥିଲେ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଓ କୃଷ୍ଣାନନ୍ଦ ସାହୁ ।

ଓଡ଼ିଆ ଜାତିକୁ ପ୍ରତାରିତ କରିବାକୁ ସରକାର ଯେତେ କଳକୌଶଳ ପ୍ରୟୋଗ କଲେ ସବୁ ବ୍ୟର୍ଥ ହୋଇଛି । ଆର୍ଥିକ ଫାଇଦା ପାଇଁ ସରକାରଙ୍କ ସହ ହାତ ମିଳାଇଥିବା ଦଲାଲ୍ ମାନେ ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ଯେତେ ବୟାନ ଦେଲେ ମଧ୍ୟ ଓଡ଼ିଆ ଜାତି ତହିଁରେ ବିଭ୍ରାନ୍ତ ହେବାର ନାହିଁ ।

ସବୁ ଦିନପାଇଁ ଆମ ଭାଷାଜନନୀଙ୍କୁ ବିପଦମୁକ୍ତ କରିବାକୁ ଏ ଆନ୍ଦୋଳନ ଆଜି ଟପିଲା ୧୨୧୮ ଦିନ । ଏବଂ ଏ ଆନ୍ଦୋଳନ ଚାଲିବ ଯେଉଁଯାଏଁ ଆମ ଭାଷା ଆଇନରେ ଖଞା ହୋଇଥିବା ମାରକ ଧାରା ୪କ ବିଲୁପ୍ତ ନ ହୋଇଛି ଏବଂ ଓଡ଼ିଆବିରୋଧୀ ନିୟମାବଳୀ ପ୍ରତ୍ୟାହୃତ ହୋଇ ଆମ ଭାଷା ପାଇଁ ଅନୁକୂଳ ନିୟମାବଳୀ ପ୍ରଣୟନ ଓ ପ୍ରବର୍ତ୍ତନ ନ ହୋଇଛି ।

ଫୁଲବାଣୀରେ ମଧ୍ୟ ଆଜି କଳାପତାକା ଅଭିଯାନ ଯଥାପୂର୍ବ ଅନୁଷ୍ଠିତ ହୋଇଛି । ଭାଷା ଆନ୍ଦୋଳନକୁ ସମର୍ଥନ କରି ସରକାରୀ ତଞ୍ଚକତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ଓଡ଼ିଆ ମାଟିର ତିନି ଶ୍ରେଷ୍ଠ ସନ୍ତାନ ସର୍ବଶ୍ରୀ ଅଶୋକ ପରିଡ଼ା, କାହ୍ନୁ ଚରଣ ଶତପଥୀ ଓ ସୁରେନ୍ଦ୍ର ମହାନ୍ତି ।

ସରକାର ସୁଧୁରି ଯାଆନ୍ତୁ ।

୧୨୧୭ ଦିନରେ ଭାଷା ଆନ୍ଦୋଳନ : ଭାଷାଜୀବୀମାନେ ଭାଷାନୁରକ୍ତ ହୁଅନ୍ତୁ

ନିଉଜ ସିଣ୍ଡିକେଟ
ଭାଷାଜୀବୀ ଓ ଭାଷାନୁରକ୍ତ ସମାନ ନୁହନ୍ତି । ସାହିତ୍ୟିକମାନେ , ଯେଉଁମାନେ ଆମ ଭାଷାକୁ ଉପଯୋଗ କରି ଅର୍ଥ ଉପାର୍ଜନ କରୁଛନ୍ତି ସେମାନେ ଭାଷାଜୀବୀ । ମାତ୍ର ଆମ ମାତୃଭାଷାକୁ ବିଦେଶୀ ଭାଷାର ଆଧିପତ୍ୟ କବଳରୁ ବଞ୍ଚାଇବା ପାଇଁ ଯେଉଁମାନେ ନିଜର ସମସ୍ତ ସୁଖ ସ୍ବାଚ୍ଛନ୍ଦ୍ୟ ଭୁଲି ପ୍ରତିଦିନ କଳାପତାକା ଅଭିଯାନ ଚଳାଇଛନ୍ତି ସେମାନେ ଭାଷାନୁରକ୍ତ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ନିଶବ୍ଦ କଳାପତାକା ଅଭିଯାନର ଏଇ ୧୨୧୭ ଦିନରେ ଆଜି ଯେଉଁ ଦୁଇ ଶ୍ରେଷ୍ଠ ଓଡ଼ିଆ ନିଜର ଭାଷାନୁରକ୍ତି ପ୍ରଦର୍ଶନ କରିଛନ୍ତି ସେମାନେ ହେଲେ ଭାଇ କମଳ ଲୋଚନ ନାୟକ ଓ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ । ସମଗ୍ର ଓଡ଼ିଆ ଜାତି ସାଙ୍କେତିକତଃ ଏହି ଦୁଇ ଭାଇଙ୍କ ଭିତରେ ସଂସ୍ଥିତ । ଡ॰ ଅଶୋକ ମିଶ୍ର ଏହି ଉଭୟ ଭାଷାନୁରକ୍ତଙ୍କ ଫଟୋ ଉଠାଇ ଆପଣମାନଙ୍କ ପାଇଁ ପଠାଇଛନ୍ତି ।

ଫୁଲବାଣୀ

କଳାପତାକା ଅଭିଯାନ ଭୁବନେଶ୍ଵର ବାହାରେ ସବୁଠୁ ଅଧିକ ଦିନ ଚାଲିଛି ଫୁଲବାଣୀ ସହରରେ । ଆଜି ଭାଇ ଅଶୋକ ପରିଡ଼ା ଓ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଜାତିର ଭୀଷ୍ମ ପ୍ରତିଜ୍ଞା ଜଣାଇ ଦେଇଛନ୍ତି ସରକାରଙ୍କୁ, ଯାହା ଭାଶାନୁରକ୍ଟିର ଶକ୍ତିରେ ଶକ୍ତିମାନ ।

ଓଡ଼ିଶାର ଭାଷାଜୀବୀମାନେ ଯଦି ଭାଷାନୁରକ୍ତ ହୋଇପାରନ୍ତେ ଓଡ଼ିଆ ଭାଷା ତା ନିଜ ପରିସୃଷ୍ଟ ପ୍ରଦେଶରେ ସରକାରୀ ଷଡ଼ଯନ୍ତ୍ର କବଳରୁ ନିସ୍ତାର ପାଇପାରନ୍ତା ।

ଭାଷା ମା ପାଇଁ ସଭିଏଁ ଠିଆ

ନିଉଜ ସିଣ୍ଡିକେଟ

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପୋଷା ମନାଇ ଓଡ଼ିଶାର ଓଡ଼ିଆବିଦ୍ଵେଷୀ ସରକାର ଭାବିଥିଲେ, ଭାଷା ଆନ୍ଦୋଳନ ଭାଙ୍ଗିଯିବ ଓ ଓଡ଼ିଆ ଭାଷା ମାଆକୁ ବିପତ୍ତିମୁକ୍ତ କରିବାପାଇଁ ଚାଲିଥିବା ଶେଷ ସଂଗ୍ରାମ ସରିଯିବ । ତାହା ଭୁଲ ପ୍ରମାଣିତ ହୋଇଛି ଓ କତିପୟ ଆତ୍ମକୈନ୍ଦ୍ରିକ ବ୍ୟକ୍ତିଙ୍କୁ ଛାଡି ସମଗ୍ର ଓଡ଼ିଆ ଜାତି ଏହି ଆନ୍ଦୋଳନ ସହ ଜଡ଼ିତ ହୋଇଛି ।

ଓଡ଼ିଆ ଜାତିକୁ ତାର ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଓଡ଼ିଶା ସରକାରୀ ଭାଷା ଆଇନରେ ଯେଉଁ ପ୍ରମାଦପୂର୍ଣ ସଂଶୋଧନ କରାଯାଇଛି ତହିଁର ବିଲୋପନ ଏବଂ ସୁଭାଷ ବାବୁ ଦେଇଥିବା ନିଯମାବଳୀ ବିଧିଭୁକ୍ତ କରାଯିବାର ଆବଶ୍ୟକତା ଉପରେ ଆଲୋଚନା ଓ କର୍ତ୍ତବ୍ୟ ନିରୂପଣ ପାଇଁ ପ୍ରତିଷ୍ଠିତ ମାତୃଭାଷାପ୍ରେମୀମାନଙ୍କ ଏହି ସମ୍ମିଳନୀ ଆଂଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ଜୁଲାଇ ୧୭ରେ ଭୂବନେଶ୍ଵରସ୍ଥ ଲୋହିଆ ଏକାଡ଼େମୀ କକ୍ଷରେ ଅନୁଷ୍ଠିତ ହୋଇ ୪ଟି ଗୁରୁତ୍ବପୂର୍ଣ ପ୍ରସ୍ତାବ ଗ୍ରହଣ କରିଥିବା ସଂବାଦ ପୂର୍ବରୁ ପ୍ରକାଶ ପାଇଛି ।

ଉଲ୍ଲେଖନୀୟ ଯେ, ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଆନ୍ଦୋଳନ ଏବଂ ତା ପ୍ରଭାବରେ ତିନି ତିନି ଥର ଆଇନଟିର ସଂଶୋଧନ ସରିଯାଇଥିବା ପଞ୍ଚଦଶ ବିଧାନସଭା କାଳରେ ହିଁ ଘଟିଛି ଏବଂ ସେହି ବିଧାନସଭା ହିଁ ଆଇନଟିର ଭୁଲ ସଂଶୋଧନ ଘଟାଇବାରେ ସରକାରଙ୍କୁ ସାହାଯ୍ୟ କରିଛି । ତହିଁର ତାତ୍ତ୍ଵିକ ଓ ତଥ୍ୟନିଷ୍ଠ ଚିତ୍ର ରଖିଛନ୍ତି ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ‘ସରିଯାଇଥିବା ବିଧାନସଭା ଓ ଆମ ଭାଷା’ ଶୀର୍ଷକ ପୁସ୍ତକରେ । ଏହି ଅବସରରେ ପୁସ୍ତକଟି ଲୋକାର୍ପିତ ହୋଇଥିଲା ବିଶ୍ଵପ୍ରସିଦ୍ଧ ମାନବଅଧିକାରବାଦୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଦ୍ଵାରା, ବିଶ୍ବବିଖ୍ୟାତ ବୈଜ୍ଞାନିକ ଡଃ ଅଶୋକ ମିଶ୍ରଙ୍କ ଅଧ୍ୟକ୍ଷତାରେ,ଅଧ୍ୟାପକ ବିଶ୍ବରଞ୍ଜନ ଓ ଅଧ୍ୟାପକ କମଳାପ୍ରସାଦ ମହାପାତ୍ରଙ୍କ ଅମୂଲ୍ୟ ଗହଣରେ । ସଭା କକ୍ଷରେ ଉପସ୍ଥିତ ଥିଲେ ଅନ୍ୟମାନଙ୍କ ମଧ୍ୟରେ ଭାଷା ଆଂଦୋଳନର ପ୍ରଥମ ପରମର୍ଶଦାତା ସୁବିଖ୍ୟାତ ପରିବେଶବିତ୍ ବିଶ୍ଵଜିତ ମହାନ୍ତି, ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ସର୍ବଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ, କମଳଲୋଚନ ନାୟକ, ଗିରିଜକାନ୍ତ ମିଶ୍ର ।

ଅନ୍ୟମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରୀ ଅଶୋକ ପରିଡ଼ା ,ବିଚିତ୍ର ମହାପାତ୍ର, ସଞ୍ଜୟ ସାହୁ, ବୀରକିଶୋର ବେହେରା, ପ୍ରଫେସର ଗୁରୁ ଚରଣ ଜେନା, ଶତ୍ରୁଘ୍ନ ସାସମଲ,ନାଗେନ କୁମାର ନାୟକ, ଆଶାରାଣୀ ମିଶ୍ର, ବିବେକାନନ୍ଦ ଦାଶ, ବିଶ୍ଵଜିତ ଲେଙ୍କା, ପ୍ରଫେସର ମନୋରଞ୍ଜନ ଦାସ, ସାରଦା ପ୍ରସାଦ ମହାପାତ୍ର, ସରଳ ଦାସ, ସୌମ୍ୟରଞ୍ଜନ ପ୍ରଧାନ, ଶିଶିର ରଞ୍ଜନ ମହାନ୍ତି, ପୂଜା ଦାସ, ଭୁବନମୋହନ ମହାନ୍ତି, ଶିଶିର କୁମାର ସାହୁ, ହରେକୃଷ୍ଣ ଦଳବେହେର, ବିବୁଧେନ୍ଦ୍ର ବିଦ୍ୟାଧର,ପ୍ରଫେସର ଗୀତା କାନୁନଗୋ, ସୌଭାଗ୍ୟ ମହାନ୍ତି, ହରେକୃଷ୍ଣ ପଟ୍ଟନାୟକ, ଲଡୁକିଶୋର ପଢିଆରୀ , ଜଗନ୍ନାଥ ସ୍ଵାଇଁ, ତପନ ସାହୁ, ପୂର୍ଣ ଚନ୍ଦ୍ର ଦାସ, ଗିରିଜା ପ୍ରସାଦ ପଟ୍ଟନାୟକ, ସଂବିତ ଚନ୍ଦ୍ର ଶେଖର ସେଠୀ, ଅଶ୍ଵିନୀ କୁମାର ପ୍ରଧାନ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ବେହେରା, ସିପିଏମ ନେତା ପ୍ରଦୀପ୍ତ ନାୟକ, ବୈପ୍ଳବିକ ବୁଦ୍ଧିଜୀବୀ ତୁଷାରକାନ୍ତ ଶତପଥୀ, ନିରାକାର ସାହୁ, ସଂସାରୀ ସାହୁ, ସାଗର କୁମାର ଜେନା, ରାକେଶ ରଞ୍ଜନ ପଣ୍ଡା, ରାମଶଙ୍କର, ବିଶ୍ବଭୂଷଣ ମହାପାତ୍ର, ଇଂ ପ୍ରଭାତ କୁମାର ବେହେରା, ବିମ୍ବାଧର ଶ୍ରୀଚନ୍ଦନ, ଶ୍ୟାମସୁନ୍ଦର , ରଞ୍ଜିତ କୁମାର ସାହୁ, ବିଶ୍ଵଜିତ ରାଉତ, ସୁବ୍ରତ କୁଣ୍ଡୁ, ଭୁବନ ଚାନ୍ଦ ହାତୀ, ମଧୁସୂଦନ ଛୋଟରାୟ , ନରେନ୍ଦ୍ର କୁମାର ସାହୁ, ବିଜଯ କେତନ ଶତପଥୀ ,ଦେବିପ୍ରସନ୍ନ ନାୟକ, ପ୍ରଦୀପ କୁମାର ସ୍ଵାଇଁ, ଇଂ ସୁବୋଧ କୁମାର ଢଳ, ଅମିତ ଅଭିଜିତ ସାମଲ, ରଞ୍ଜନ କୁମାର ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖ ।

ଏଠାରେ ଏହି ଐତିହାସିକ ସମ୍ମିଳନୀର ସାମାନ୍ୟ କେତେକ ଫଟୋ ଚିତ୍ର –

(କେତେକ ସକ୍ରିୟ ଆନ୍ଦୋଳନକାରୀ)

(ସଭା କକ୍ଷରେ ସମବେତ ମାତୃଭାଷାପ୍ରେମୀ)

(ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ଭିତ୍ତିପତ୍ର ଉପସ୍ଥାପନା)

(ସରିଯାଇଥିବା ବିଧାନସଭା ଓ ଆମ ଭାଷା ପୁସ୍ତକ ଉନ୍ମୋଚନ)