ବାତିଲ ହେଉ ଶିକ୍ଷାବର୍ଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ମହାମାରୀରେ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକରେ “ଅନ୍ଲାଇନ” ଶିକ୍ଷା ଯେଉଁ ପ୍ରହସନ ଚଳାଇଛନ୍ତି ସରକାର,   ତାହା ଲୋପ ହେବା ଉଚିତ ଓ ସେଥିପାଇଁ ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଆଯିବା ଆବଶ୍ୟକ ।

ବାସ୍ତବ କ୍ଷେତ୍ରରେ ପ୍ରାୟ ୯୦ % ଛାତ୍ରଛାତ୍ରୀ ଏହି “ଅନ୍ଲାଇନ” ଶିକ୍ଷାର ଉପଯୋଗ କରିପାରୁନାହାନ୍ତି । ଉପଯୋଗ କରିବାକୁ ସକ୍ଷମ କେବଳ ପ୍ରାୟ ୧୦ % ଛାତ୍ରଛାତ୍ରୀ ଯେଉଁମାନେ ଅତ୍ୟନ୍ତ ସ୍ବଚ୍ଛଳବର୍ଗ ଅନ୍ତର୍ଗତ, ଯେଉଁ ମାନଙ୍କ ଘରେ ସର୍ବୋଚ୍ଚ ବେଗବାନ ଇଣ୍ଟର୍ନେଟ ସଂଯୋଗ ଅଛି । ଯଦି ଏ ଶିକ୍ଷାବର୍ଷ ବାତିଲ ନହୁଏ, କେବଳ ସେହି ବର୍ଗର ପିଲେ ଏହି ଶିକ୍ଷାବର୍ଷର ଉପକାର ପାଇବେ ଯାହା ଅବଶିଷ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

The Unified District Information System for School Education ୨୦୧୬-୧୭ ପାଇଁ ଦେଇଥିବା ତଡ଼ିତ୍ ପରିସଂଖ୍ୟାନ ଅନୁଯାୟୀ ସରକାରୀ ସ୍କୁଲମାନଙ୍କ ମଧ୍ୟରୁ କେବଳ ୪% ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ଅଛି । ଅତଏବ ଧନପତି ହୋଇପାରିନଥିବା ସାଧାରଣ ବର୍ଗର ବା ନିର୍ଧନ ବର୍ଗର ସନ୍ତାନମାନେ ଯେଉଁ ସରକାରୀ ସ୍କୁଲମାନଙ୍କରେ ପଢନ୍ତି ସେହି ସ୍କୁଲଗୁଡ଼ିକର ଶତକଡ଼ା ୯୬ ଭାଗ ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ନାହିଁ । ସେହି ସ୍କୁଲଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀମାନେ କେଉଁଠୁ କିପରିଭାବେ ଇଣ୍ଟର୍ନେଟ ମାଧ୍ୟମରେ ଶିକ୍ଷାଦାନ ଦେବେ ?

Naational Sample Survey Report on Education ୨୦୧୭ ଜୁଲାଇରୁ ୨୦୧୮ ଜୁନ କାଳଖଣ୍ଡ ଉପରେ ଯେଉଁ ଆଲୋକପାତ କରିଛି ତାହା ସ୍ପଷ୍ଟ କରେ ଯେ, ଗ୍ରାମାଞ୍ଚଳ ଘରମାନଙ୍କରୁ ୪.୪ ଶତାଂଶ ଘରେ କମ୍ପୁଟର ଥିବା ବେଳେ ମାତ୍ର ୧୪.୯ ଶତାଂଶ ପରିବାରରେ ଇଣ୍ଟର୍ନେଟ ସଂଯୋଗ ଅଛି । ସର୍ବ ଭାରତୀୟ ସ୍ତରରେ ଏହାର ପରିମାଣ ଯଥାକ୍ରମେ ୧୦.୭ ଓ ୨୩.୮ ଶତାଂଶ ।

ଏହି ସମ୍ପୂର୍ଣ ଅସମତଳ ଭିତ୍ତିଭୂମି ଉପରେ ଯଦି ଚଳିତ ଶିକ୍ଷାବର୍ଷକୁ ବାତିଲ କରାନଯାଇ ଆଗକୁ ମଡ଼େଇ ନିଆଯାଏ, ତେବେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ପ୍ରାୟ ୯୦ ଶତାଂଶ ଛାତ୍ରଛାତ୍ରୀ ଯେଉଁମାନେ ଚଳିତ ବର୍ଷସ ଶିକ୍ଷା ଆଦୌ ପାଇନଥିବେ ।

ସରକାରୀ ଇଚ୍ଛାକୃତ ଅବହେଳାରୁ ଉଜୁଡ଼ା ଅବସ୍ଥାରେ ଥିବା ସ୍କୁଲସମୂହ ହେଉ କି ଚାକଚକ୍ୟମୟ ଘରୋଇ ସ୍କୁଲ ହେଉ, କୌଣସିଥିର ଶିକ୍ଷକ ଶିକ୍ଷୟତ୍ରୀ ତଥାକଥିତ “ଅନ୍ଲାଇନ” ଶିକ୍ଷାଦାନରେ ଦକ୍ଷ ନୁହନ୍ତି ; କାରଣ ସେପରି କୌଣସି ପାଠ୍ୟକ୍ରମରେ ସେମାନେ ତାଲିମ ପାଇନାହାନ୍ତି । “ଅନ୍ଲାଇନ” ଶିକ୍ଷାଦାନକୁ ଆଖିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ ବି ହୋଇନାହିଁ । ସୁତରାଂ “ଅନ୍ଲାଇନ ଶିକ୍ଷା” ଏକ ପ୍ରହସନ ଭିନ୍ନ କିଛି ବି ନୁହେଁ ।

ଅତି ଉଚ୍ଚ ବର୍ଗର ସ୍କୁଲରେ ପଢୁଥିବା ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ “ଅନ୍ଲାଇନ” ପରୀକ୍ଷାରେ କିପରି ହତାଶ ହେଉଛନ୍ତି ତାହାର ଏକ ପ୍ରମାଣ ଏଠାରେ ଉପସ୍ଥାପିତ ହେଲା । “ଅନ୍ଲାଇନ” ଶିକ୍ଷାଦାନ ଓ “ଅନ୍ଲାଇନ” ପରୀକ୍ଷଣରେ ଉଚ୍ଚବର୍ଗ ଅନ୍ତର୍ଗତ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କର କୌଣସି ବାସ୍ତବ ଜ୍ଞାନ ଓ ଅଭିଜ୍ଞତା ନଥିବା ହେତୁ ସେମାନେ ଏହି ଦାୟିତ୍ଵ ତୃତୀୟ ପକ୍ଷକୁ ପ୍ରଦାନ  କରିଛନ୍ତି । ଗତକାଲି ଏକ ନାମଜାଦା ସ୍କୁଲର ଅନ୍ଲାଇନ ପରୀକ୍ଷା ଚାଲିଥିବା ବେଳେ ହଠାତ ସଂଯୋଗ ଛିନ୍ନ ହେଲା । ଆଊ ଇଣ୍ଟର୍ନେଟରେ ପରୀକ୍ଷକ ମିଳିଲେନି । ଏହି ବ୍ୟବସ୍ଥାରେ ପରୀକ୍ଷା ଶେଷରେ ସଙ୍ଗେ ସଙ୍ଗେ ପରୀକ୍ଷିତ ବିଷୟର ଫଳ ପ୍ରକାଶ ହୁଏ । ତାହା ହେଲା ନାହିଁ   । ପରୀକ୍ଷାର୍ଥୀମାନେ ଇଣ୍ଟର୍ନେଟରେ ଯେତେବେଳେ ଫଳ ଖୋଜିଲେ ତାହା ମିଳିଲାନି । ଉତ୍ତର ମିଳିଲା “No result found” !

ସୁତରାଂ, ଜାଜୁଲ୍ୟମାନ ବେସରକାରୀ ସ୍କୁଲ ହେଉ ବା ଓଡ଼ିଶା ସରକାରଙ୍କ ଅଧା ଝଲସା ଇଂରାଜୀ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ହେଉ, “ଅନ୍ଲାଇନ” ଶିକ୍ଷାଦାନ  ଉଚ୍ଚବର୍ଗୀୟ ବିଦ୍ୟାଳୟମାନଙ୍କରେ ମଧ୍ୟ ଏକ ପରିହାର୍ଯ୍ୟ ପ୍ରହସନ ଭାବେ ଅନୁଭୂତ ହେଉଛି । ଝାଉଁଳା ବ୍ୟାଧିଗ୍ରସ୍ତ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକର କଥା ସହଜେ ଅନୁମେୟ ।

ଏହି ପ୍ରହସନ ବନ୍ଦ କରି ସରକାର ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଅନ୍ତୁ ଓ ଭରତ ସରକାରଙ୍କ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ଚଳାଇରଖନ୍ତୁ ଯାହା ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଅଭ୍ୟାସକୁ ବଞ୍ଚାଇରଖିବ ଓ ନୂଆ ଶିକ୍ଷାବର୍ଷରେ ଅଧ୍ୟୟନର ମୂଳଦୁଆ ଭାବେ କାମରେ ଲାଗିବ ।

ନବୀନଙ୍କ ରାଜୁତିରେ ମୃତ୍ୟୁ ମୁହଁରେ ଓଡ଼ିଆ ଭାଷା: ଭାଷା ଆନ୍ଦୋଳନର ସିଧାପ୍ରସାରଣରେ ଡଃ ଗୋବିନ୍ଦ ଭୂୟାଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶିଷ୍ଟ ଲେଖକ ଓ ସ୍ତମ୍ଭକର ଡଃ ଗୋବିନ୍ଦ ଭୂୟାଁ ଭାଷା ଆନ୍ଦୋଳନର ‘ଭାଷା ମା ପାଇଁ ପଦେ’ ମଞ୍ଚରୁ ସିଧା ପ୍ରସାରିତ ହୋଇଥିବା ବକ୍ତବ୍ୟରେ ଓଡ଼ିଆ ଭାଷାର ଗରିମାମୟ ଅତୀତ ଓ ଅଗ୍ରଗତିର ଏକ ଆଲୋକବର୍ଷୀ ବର୍ଣନା ରଖି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଆ ଜାତିର ମାତୃଭାଷାକୁ ମାରିଦେବାକୁ ଉଦ୍ୟମ ଚାଲିଥିବା ଦର୍ଶାଇଛନ୍ତି ।

ଉଲ୍ଲେଖନୀୟ ଯେ, କରୋନା କାଳରେ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବାବେଳେ ବୌଦ୍ଧିକତଃ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଜଣେ ବିଜ୍ଞ ଓଡ଼ିଆ ଫେସ୍ ବୁକ୍ ମାଧ୍ୟମରେ ଏହି ଭିଡ଼ିଓ ବକ୍ତୃତାମାଳାରେ ଏହି ଅଭିଯାନକୁ ସମର୍ଥନ ପ୍ରଦାନ କରୁଛନ୍ତି । ଜୁଲାଇ ୨୦ ସୋମବାର ସିଧାପ୍ରସାରିତ ହୋଇଥିଲା ଡଃ ଭୂୟାଁଙ୍କ ବକ୍ତୃତା ।

ସମୟସୀମା ଦୃଷ୍ଟିରୁ ତାହା ଅଦ୍ୟତନ କରି ନିମ୍ନରେ ପ୍ରଦତ୍ତ ହେଲା –

ଭାଷା ଆନ୍ଦୋଳନ // ପ୍ରୀତମ ତ୍ରିପାଠୀ : ଆମେ ଓ ମୁଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପୂଜ୍ୟ ନେଲ୍ସନ ମଣ୍ଡେଲାଙ୍କ ସ୍ମୃତି ଚାରଣ ଅବସରରେ ମୁଁ ନିମ୍ନ ଲେଖାଟି ଫେସ୍ ବୁକ୍ ମଞ୍ଚରେ ଲେଖିଥିଲି :

ମହାତ୍ମା ଗାନ୍ଧୀ, ମଣ୍ଡେଲା, ମାର୍ଟିନ୍ ଲୁଥର୍ ଓ ମାଲ୍କମ୍ ଏକ୍ସ – ଏହି ଚାରି ଜଣଙ୍କ ତତ୍ତ୍ଵ ଫେଣ୍ଟାଫେଣ୍ଟି କରି ମୁଁ ଗଢ଼ିଛି ଭାଷା ଆନ୍ଦୋଳନ।
ଏଥିରେ ମୋର ନିର୍ବିଚଳତାର ମୂଳାଧାର କିନ୍ତୁ ମଣ୍ଡେଲା, ଯିଏ କହିଛନ୍ତି : “”ମୋ ଜୀବନରେ ପରାଜୟ ନାହିଁ । ମୁଁ ଜିତିବି, ନହେଲେ ଶିଖିବି ।”
ଭାଷା ଆନ୍ଦୋଳନର ଭାଷାପ୍ରାଣ ଭାଇଭଉଣୀମାନଙ୍କୁ ମୋର ଅନୁରୋଧ : ମଣ୍ଡେଲାଙ୍କ ଏହି ଉକ୍ତି ଆପଣାନ୍ତୁ । ଆମକୁ ଆମ ଭାଷା ମା ପାଇଁ ବିଜୟ ହାସଲ କରିବାକୁ ହେବ ।
ବେଳେବେଳେ ପ୍ରଦ୍ୟୁମ୍ନ ଶତପଥୀ, ପବିତ୍ର ମହାରଥା ଓ ତାଙ୍କ ବର୍ଗୀୟ ଜନ୍ତୁମାନେ ସରକାରଙ୍କ ପୋଷା ମାନି ଆମ ଆନ୍ଦୋଳନକୁ ଜଖମ କରିବାକୁ ଚେଷ୍ଟା କରିବେ ।
ତହିଁରୁ ସେହି ଜନ୍ତୁମାନେ ଓ ସେମାନଙ୍କୁ ଆମ ଆନ୍ଦୋଳନ ବିରୁଦ୍ଧରେ ବ୍ୟବହାର କରୁଥିବା ସରକାରଙ୍କ ଅଭିସନ୍ଧି ଓ ଆଚରଣ ଆମେ ଅନୁଧ୍ୟାନ କରିପାରିବା ଓ ତାକୁ ପ୍ରତିହତ କରି ଆମ ଭାଷା ମାଆକୁ କିପରି ରକ୍ଷା କରିବାକୁ ହେବ, ତାହା ବି ଆମେ ଶିଖିପାରିବା ।
ଯୁଗସ୍ରଷ୍ଟା ମଣ୍ଡେଲାଙ୍କୁ ଅଶେଷ ପ୍ରଣାମ ।
କେଜାଣି କାହିଁକି ପ୍ରୀତମ ତ୍ରିପାଠୀ ନାମକ ଜଣେ ବନ୍ଧୁ ପ୍ରତିକ୍ରିୟାଶୀଳ ହୋଇଉଠିଲେ । ସେ ଲେଖିଲେ :
ଆପଣଙ୍କୁ ଅନେକ ଅନେକ ଶୁଭ କାମନା ଏହି ଆନ୍ଦୋଳନ ର ସଫଳତା ଏବଂ ଲକ୍ଷ ପାଇଁ….ଆଗେଇ ଚାଲନ୍ତୁ…………କିନ୍ତୁ ବ୍ୟକ୍ତିଗତ ଭାବରେ ମତା ମତ ଦେବାକୁ ଚାହୁଁଛି, “ମୁଁ ଗଢିଛି ଭାଷା ଆନ୍ଦୋଳନ” ଅପେକ୍ଷା “ଆମେ ଗଢିଛୁ ଭାଷା ଆନ୍ଦୋଳନ” ଲେଖି ଥିଲେ ଉକ୍ତି ଟି ଆହୁରି ଶ୍ରୁତି ମଧୁର ହେଇଥାନ୍ତା, ସବୁ କ୍ଷେତ୍ର ରେ “ମୁଁ” ଅପେକ୍ଷା “ଆମେ” ଶବ୍ଦ ଟି ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟ ନିଷ୍ଠ ର ପରିଚାୟକ…..ଜଣେ Leader ସବୁବେଳେ “ମୁଁ” ଛାଡ଼ି “ଆମେ” ବୋଲି ଭାବିଲେ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇପାରିବ……ବୋଧେ ହୁଏ ଆପଣଙ୍କ କ୍ଷେତ୍ର ରେ ଏହି ବ୍ୟତିକ୍ରମ ଟି ରହୁଚି ।
ମୁଁ ତାଙ୍କ ଅଭିଯୋଗର ଉତ୍ତର ନିମ୍ନମତେ ଦେଲି :
ଭାଇ Pritam Tripathy! ଏହା ଉଲ୍ଲେଖ କରିବାର ଆବଶ୍ୟକତା ଅଛି, ମୋ ନିଜ ସ୍ଵାର୍ଥ ପାଇଁ ନୁହେଁ, ଭାଷା ଆନ୍ଦୋଳନର ସ୍ଵାର୍ଥ ପାଇଁ । ଧନ୍ୟବାଦ ।
କିନ୍ତୁ ସେ ଏକ ଭୟଙ୍କର, ଅଥଚ ଅମୂଳକ ଆକ୍ଷେପ ହାଣିଲେ । ତାହା ଏହିପରି –
ଆପଣକଂ ମନ୍ତବ୍ୟଟି ଉଠାଇ ଥିବା ପ୍ରଶ୍ନର ସବିଶେଷ ଉତ୍ତର ଦେଇପରିଲା ନାହିଁ, ହୁଏତ ଆପଣ “ଆମେ” ଅପେକ୍ଷା “ମୁଁ” କୁ ବେଶୀ ଭଲ ପାଆନ୍ତି…”
ନବୀନବାବୁଙ୍କ ସରକାର ମୋର କିଛି ଅର୍ଥଲୋଭୀ ଅସାଧୁ ସହକର୍ମୀଙ୍କୁ ପୋଷାମନାଇ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବାକୁ ଯେଉଁସବୁ ବେଆଇନ କାମ କରିଛନ୍ତି ସେ ସମସ୍ତର ସପ୍ରମାଣ ଆଲୋଚନା ଏହି ୱେବ୍ସାଇଟରେ ଅଛି । ସେମାନଙ୍କ ସକଳ ହୀନଉଦ୍ୟମ ସତ୍ତ୍ୱେ ଭାଷା ଆନ୍ଦୋଳନ ଭାଙ୍ଗିନାହିଁ, ଚାଲିଛି ଦିନୁ ଦିନ ଅଧିକ ଶକ୍ତିଶାଳୀ ଭାବେ । ସୁତରାଂ ସେମାନେ ଏକ ନୂଆ କୌଶଳ ବ୍ୟବହାର କରୁଛନ୍ତି । ତାହା ହେଲା – ସୁଭାଷ ଚନ୍ଦ୍ର ପଟ୍ଟନାୟକ ଜଣେ “ମୁଁ” କୈନ୍ଦ୍ରିକ ବ୍ୟକ୍ତି , ଯେ କି “ଆମେ” କୈନ୍ଦ୍ରିକ ଆନ୍ଦୋଳନର ପକ୍ଷପାତି ନୁହନ୍ତି । ଏହି କପୋଳକଳ୍ପିତ ଅଭିଯୋଗ ଦ୍ଵାରା ସେମାନେ ସରକାରୀ ପାଲରେ ନପଡ଼ି ଆନ୍ଦୋଳନ ଚଳାଇରଖିଥିବା ଭାଷାପ୍ରାଣମାନଙ୍କୁ ଭାଷା ଆନ୍ଦୋଳନ ପ୍ରତି ବୀତସ୍ପୃହ କରାଇବା ମତଲବରେ ଖୁବ ସକ୍ରିୟ । ଜାଣିଶୁଣି ହେଉ ବା ଅଜଣାରେ ହେଉ, ଶ୍ରୀ ତ୍ରିପାଠୀ ତାଙ୍କ ଉପରୋଦ୍ଧୃତ୍ତ ପ୍ରତିକ୍ରିୟାରେ ଯାହା କହିଛନ୍ତି ତାହା  ସରକାରଙ୍କ ସୁପାରିଖିଆ ଲୋକମାନଙ୍କ ଅପପ୍ରଚାର ସହ ମିଶିଯାଉଛି ।
ଲୋକେ ବିଭ୍ରାନ୍ତ ନହୁଅନ୍ତୁ – ଏଥିପାଇଁ ମୁଁ ଶ୍ରୀ ତ୍ରିପାଠୀଙ୍କ ଅଭିଯୋଗର ଉତ୍ତର ରଖିବାକୁ ଯାଇ ଦେଖିଲି,  ଭାଷା ଆଂଦୋଳନର ଗତିଧାରା ସମ୍ପର୍କରେ ସବିଶେଷ ଜାଣିଥିବା ଭାଷାପ୍ରାଣ ରଞ୍ଜନ କୁମାର ସାହୁ ତହିଁ ଉପରେ ନିମ୍ନମତେ ନିଜ ଅଭିମତ ରଖିଛନ୍ତି, ଯାହା ପ୍ରୀତମବାବୁଙ୍କ ଭ୍ରାନ୍ତ ଧାରଣା ଦୂରକରିବାକୁ ଶତଧା ସକ୍ଷମ । ଶ୍ରୀ ସାହୁଙ୍କ ଅଭିମତ ନିମ୍ନରେ ଦେଲି :
ପ୍ରୀତମ ଭାଇ, ତୁମେ ଯାହା କହୁଛ ସ୍ଥୂଳ ରୂପେ ଠିକ୍ ଲାଗୁଥିଲେ ମଧ୍ୟ ସୁକ୍ଷ୍ମ ରୂପେ ସମ୍ପୂର୍ଣ୍ଣ ଭୁଲ୍ । କାହିଁକି କହୁଛି, ଶେଷ ପର୍ଯ୍ୟନ୍ତ ପଢିଲେ ଜାଣିବ ।
ଏହି ‘ମୁଁ’ ହିଁ ଆଜି ଭାଷା ଆନ୍ଦୋଳନକୁ ବଞ୍ଚାଇ ରଖିଛି, ନେହେଲେ ‘ଆମେ’ ରଡି ପକାଉଥିବା ଲୋକମାନେ ତ ଏହାକୁ ଏକାଧିକବାର ବିସର୍ଜନ କରିସାରିଛନ୍ତି । ଏହାର ଅର୍ଥ ନୁହେଁ ଯେ ତାଙ୍କ ବିସର୍ଜନ ଗୁଡିକ ଯଥାର୍ଥ କାରଣ ଆମେ ସମସ୍ତେ ଜାଣିଛେ ଆଜିବି ଓଡ଼ିଶାର ଶାସନ ଓଡ଼ିଆରେ ହେଉନାହିଁ, କିନ୍ତୁ ‘ଆମେ’ ମାନେ କେଉଁ ସ୍ୱାର୍ଥରେ ଭାଷା ଆନ୍ଦୋଳନକୁ ବିସର୍ଜନ କରିଛନ୍ତି ତାହାତ ବିସ୍ତୃତ ଆଲୋଚନା ହୋଇଛି, ଓ ତାକୁ ପୁନଃ ଆଲୋଚନା କରିବାର ପରିସର ଇଏ ନୁହେଁ । ସୁଭାଷ ସାର୍ କେତେ ‘ଆମେ’ ଉପରେ ଧ୍ୟାନ ଦିଅନ୍ତି ତାହା ତାଙ୍କ ସହ ଜଡ଼ିତ ଥିବା ଲୋକମାନେ ହିଁ ଜାଣନ୍ତି ଓ ଏକଥା ମଧ୍ୟ ଜାଣନ୍ତି ଯେ ଯଦିଓ ସେ ସମସ୍ତଙ୍କୁ ସାଥିରେ ନେଇ ଚାଲିବା ପାଇଁ ସତତ ପ୍ରଚେଷ୍ଟା କରନ୍ତି, ତଥାପି ଯଦି କେହି ନଆସନ୍ତି, ସେ ଏକେଲା(ମୁଁ) ଚାଲିବା ପାଇଁ ସଦା ପ୍ରସ୍ତୁତ ଥାଆନ୍ତି । ଏହାକୁ ବିସ୍ତାର କରୁନାହିଁ, କାରଣ ଏହାର ସାକ୍ଷୀ ଇତିହାସ ।
କାନ୍ଦୁଥିବା ଛୁଆଟିଏ ସେତେବେଳେ କ୍ଷୀର ପିଇଥାଏ ଯେତେବେଳେ କେହିଜଣେ ‘ମୁଁ’ ତା’ର ମାଆ ବୋଲି ଉଦଘୋଷଣ କରି ଆଗକୁ ଆସିଥାଏ । ତାହା ପୂର୍ବରୁ ଯଦି କେହି ପଚାରେ, ‘ଏହି ଛୁଆଟି କାହାର?’ ଉତ୍ତର ଆସେ, ‘ଆମର’ । ପୁଣି ଯେତେବେଳେ ପ୍ରଶ୍ନ ଆସେ ଏହି ଛୁଆଟି କାହିଁକି କାନ୍ଦୁଛି? ‘ତା’ର ମାଆ ତାକୁ କ୍ଷୀର ଦେଇନି ବୋଲି’ ଉତ୍ତର ଆସେ । ତେଣୁ ଏଠି ‘ମୁଁ’ ତାର ମାଆ ବୋଲି ନକହିଥିଲେ ଛୁଆଟି କ’ଣ କାନ୍ଦ ବନ୍ଦ କରିଥାନ୍ତା? ‘ମୁଁ’ ର ସ୍ଥାନ ‘ଆମେ’ର ଗହଳି ମଧ୍ୟରେ କେତେ ଯେ ମହତ୍ୱପୂର୍ଣ୍ଣ, ତାହା ଏହି ଉଦାହରଣ ସୂଚାଇଦିଏ ।
ଜାତିର ଯେମିତି ଏକ ‘ଅସ୍ମିତା’ ଥାଏ, ପ୍ରତ୍ୟେକ ବ୍ୟକ୍ତିର ସେମିତି ଏକ ‘ମୁଁ’ ଥାଏ । ‘ମୁଁ’ ନଥିବା ଲୋକ ଅମେରୁଦଣ୍ଡୀ ହୋଇଥାଏ, ଠିକ୍ ଅସ୍ମିତା ନଥିବା ଏକ ଜାତି ଭଳି । କିନ୍ତୁ, ଏହାର ଅର୍ଥ ନୁହେଁ ଯେ ‘ମୁଁ’ ‘ଆମେ’କୁ ଅସ୍ବୀକାର କରେ । ‘ମୁଁ’ ମାନଙ୍କର ମିଳିତ ରୂପକୁ ‘ଆମେ’ କୁହାଯାଏ । ଯେତେବେଳେ ‘ଆମେ’ ଦୁର୍ବଳ ହୋଇପଡେ ବା ପଥହୁଡା ହୁଏ, ସେତେବେଳେ ‘ମୁଁ’ ହିଁ ତାକୁ ଉଦ୍ଧାର କରିଥାଏ । ‘ମୁଁ’ ଟି ବେଙ୍ଗଳାର ମେରି ଭଳି । ‘ମୁଁ’ ଟି ନେତୃତ୍ବର ବର୍ତ୍ତାବହ ଓ ଯେହେତୁ ନେତୃତ୍ବର ବର୍ତ୍ତାବହ, ସେହେତୁ ଉତ୍ତରଦାୟିତ୍ୱର ମଧ୍ୟ ବର୍ତ୍ତାବହ ।
‘ମୁଁ’ କୁ ଅସ୍ୱୀକାର କରୁଥିବା ଅମେରୁଦଣ୍ଡୀ ଲୋକ ‘ଆମେ’ ଉହାଡରେ ରହି ‘ମୁଁ’ ର କୁତ୍ସାରଟନା କରିଥାନ୍ତି । ଅମେରୁଦଣ୍ଡୀ ଭାବେ ଗୁରୁଣ୍ଡୁଥିବା ପ୍ରାଣୀଟିଏ ଗୋଟିଏ ମେରୁଦଣ୍ଡୀ ପ୍ରାଣୀକୁ ଅନମନୀୟ ଓ ଅଦମ୍ୟ ଉତ୍ସାହ ସହ ଚାଲୁଥିବାର ଦେଖିଲେ ଏହି ଅସୁୟା ଭାବ ଜାଗ୍ରତ ହେବା ସ୍ବାଭାବିକ ।
ବିନ୍ଦୁ ଅଛି ବୋଲି ବୃତ୍ତ ଅଛି । ‘ମୁଁ’ (ସୁଭାଷ ସାର୍) ଅଛନ୍ତି ବୋଲି ଆଜି ଭାଷା ଆନ୍ଦୋଳନ ବଞ୍ଚିଛି ଓ ସଗର୍ବେ ଆଗେଇ ଚାଲିଛି, ବିଭିନ୍ନ ଭେରାଇଟିର ‘ଆମେ’ ଆସିଛନ୍ତି ଓ ଯାଇଛନ୍ତି ମଧ୍ୟ, ବିସ୍ତୃତ ଭାବରେ bhashaandolan.com ରେ ସମସ୍ତ ତଥ୍ୟ ସର୍ବସାଧରରଣଙ୍କ ପାଇଁ ସ୍ଥାନିତ ହୋଇଛି । ‘ଆମେ’ ମାନେ କି ଦକ୍ଷତାର ସହ ଭାଷାକୁ ଛୁରା ମାରିପାରନ୍ତି, ଏହା ଇତିହାସ ସାକ୍ଷୀ । ହେଲେ, ଏହା ମଧ୍ୟ ଇତିହାସ ସାକ୍ଷୀ ଯେ ‘ମୁଁ’ ମଧ୍ୟ ସେ ଛୁରାକୁ କାଢ଼ି କିଭଳି ଭାବରେ ଏକ ମନ ଏକ ପ୍ରାଣରେ ଭାଷା ମାଆର ଚିକିତ୍ସା କରିଚାଲିଛି ଓ ଏହି ଆନ୍ଦୋଳନକୁ ଲକ୍ଷ୍ୟ କରିଆସୁଥିବା ପ୍ରତ୍ୟେକ ଲୋକ ଜାଣନ୍ତି ଯେ ଏହି ‘ମୁଁ’ ଟି, ‘ଓଡ଼ିଆରେ ଓଡ଼ିଶାର ଶାସନ ଓ ସେଥିରେ ଖିଲାପ କରୁଥିବା ଲୋକକୁ ଦଣ୍ଡବିଧାନ’ ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ ପଛଘୁଞ୍ଚା ଦେବ ନାହିଁ ।
ଏହାକୁ ଉଲ୍ଲେଖ କରିବା ଯଥାର୍ଥ ମଣିଲି, ଏଥିପାଇଁ ଯେ ଆମ ଲୋକମାନେ ‘ମୁଁ’ ର ମୂଲ୍ୟ ବୁଝନ୍ତୁ ଓ ‘ମୁଁ’ କୁ ଏକ ନକାରାତ୍ମକ ଶବ୍ଦ ଭାବରେ ଗ୍ରହଣ ନକରି ଏକ ସକାରାତ୍ମକ ଶବ୍ଦ ଭାବରେ ଗ୍ରହଣ କରନ୍ତୁ । ହଁ, ସମସ୍ତେ ଗ୍ରହଣ କରିବା ପାଇଁ ବାଧ୍ୟ ନୁହନ୍ତି, ଯେମିତି ସମସ୍ତେ ମେରୁଦଣ୍ଡୀ ହେବା ପାଇଁ ବାଧ୍ୟ ନୁହନ୍ତି । ଅଶେଷ ଧନ୍ୟବାଦ ଭାଇ, ତୁମ ପାଇଁ ମୋତେ ମୋ ବିଚାର ଲେଖିବାକୁ ମୋତେ ସୁଯୋଗ ମିଳିଲା ।
ମୁଁ ଭାବୁଥିଲି ଏପରି ଏକ ନିର୍ଭୁଲ ଅଭିମତ ଅନୁଧ୍ୟାନ କରି ପ୍ରୀତମବାବୁଙ୍କ ଭ୍ରାନ୍ତ ଧାରଣା କଟିଯିବ ଓ ସେ ନିଜ ଭ୍ରାନ୍ତି ଦ୍ଵାରା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଚେଷ୍ଟାରୁ ନିବୃତ୍ତ ହେବେ । ମାତ୍ର ତାହା ହେଲା ନାହିଁ । ସେ ରଞ୍ଜନବବୁଙ୍କୁ ଓଲଟି ଲେଖିଲେ,
ସବିଶେଷ ବିବରଣୀ ପାଇଁ ଧନ୍ୟବାଦ୍, ତୁମର କହିବାର ଅର୍ଥ ବୁଝି ପାରିଲି, କିନ୍ତୁ ମୁଁ ମୋ ମନ୍ତବ୍ୟ ରେ ଅଟଳ…..ଯିଏ ଯେ କୌଣସି ପାଇଁ ବ୍ୟକ୍ତିଗତ ଭାବେ ଯେତେ ବି କାମ କରୁନା କାହିଁକି, “ମୁଁ” ଶବ୍ଦ ଟି ସର୍ବଦା ଭୟାବହ ଏବଂ ଆତ୍ମାଗର୍ବି ହେବାର ସୂଚନା, ଗୋପବନ୍ଧୁ ଆଉ ମଧୁ ବାବୁ କେଡେ କେଡେ ବିପ୍ଳବ କରିଥିଲେ…କିନ୍ତୁ ସେ କେବେବି “ମୁଁ” ଶବ୍ଦ ର ପ୍ରୟୋଗ କରି ନଥିଲେ….ତାଙ୍କ ଆଗରେ ଆମେ ତ ନଗଣ୍ୟ….ତେଣୁ “ମୁଁ” ବୋଲାଉଥିବା ବ୍ୟକ୍ତି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ଏକ ଅନ୍ୟାୟସ ଏବଂ ଗରିହିତ ଦୋଷ…..ଏବଂ ତୁମକୁ ମଧ୍ୟ ବଡ଼ ଭାଇ ହିସାବରେ ପରାମର୍ଶ , ଏହି ଭଳି ଚିନ୍ତା ଧାରାରୁ ନିଜକୁ ମୁକ୍ତ କର ।
ଏଇଠି ସ୍ପଷ୍ଟ ହୁଏ, ମଣ୍ଡେଲାଙ୍କ ପ୍ରତି ମୋର ଶ୍ରଦ୍ଧା ନିବେଦନ ଉପରେ ଶ୍ରୀ ତ୍ରିପାଠୀଙ୍କ ପ୍ରତିକ୍ରିୟାର ଅସଲ ଉଦ୍ଦେଶ୍ୟ । ଭାଷା ଆନ୍ଦୋଳନରେ ଅନୁପ୍ରାଣିତ ହେବା ଏକ ଅନ୍ୟାୟ ଓ ଗର୍ହିତ ଦୋଷ ବୋଲି କହି ରଞ୍ଜନଙ୍କୁ (ଏବଂ ତାଙ୍କ ତୁଲ୍ୟ ଅନ୍ୟମାନଙ୍କୁ) ଆନ୍ଦୋଳନ ବିମୁଖୀ କରାଇବା ତାଙ୍କ ଉଦ୍ଦେଶ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୁଖର କଥା, ଓଡ଼ିଆ ଭାଷା ବିଦ୍ଵେଷୀଙ୍କ ତୂଣୀରର ଏହି ସର୍ବଶେଷ ଶର ଲକ୍ଷ୍ୟଭ୍ରଷ୍ଟ ହୋଇଛି, କାରଣ ଶ୍ରୀ ରଞ୍ଜନ କୁମାର ସାହୁ ପ୍ରୀତମଙ୍କ “ପରାମର୍ଶ”କୁ ପ୍ରତ୍ୟାଖ୍ୟାନ କରି ଲେଖିଛନ୍ତି :
ଯଦିଓ ତୁମେ ଲେଖିଛ ବୁଝିପାରିଛ ବୋଲି କିନ୍ତୁ ସ୍ୱୀକାର କରିଛ ବୁଝିପାରିନ ବୋଲି ।
ମଧୁବାବୁ ହିଁ ମଧୁବାବୁ କାରଣ ସେ ମଧୁବାବୁ । ମଧୁବାବୁ ସତତ ନିଜ ମୁଁ (ଅସ୍ମିତା)କୁ ଜଗିଥିଲେ । ଓଡ଼ିଆ ଜାତିର ଅସ୍ମିତା ଯଦି କୌଣସି ବ୍ୟକ୍ତିର ଜୀବନରେ ପ୍ରତି ମୁହୂର୍ତ୍ତ ଜୀଇଁଥିଲା, ସେ ହେଉଛନ୍ତି ମଧୁବାବୁ । ମଧୁବାବୁଙ୍କୁ ପୁନଃ ପଢିବାକୁ ଅନୁରୋଧ ।
ଏବେ ପ୍ରୀତମବାବୁଙ୍କୁ ମୁଁ ଯାହା କହିବା ଆବଶ୍ୟକ ତାହା କହିବି । କାରଣ ସେ ଯଦି ମୋତେ ଗାଳିଗୁଲଜ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଶିବିର ଦ୍ଵାରା ପ୍ରଭାବିତ ହୋଇନଥିବେ , ତେବେ ତାଙ୍କ ମନରୁ ଭ୍ରାନ୍ତ ଧାରଣା କଟିବା ଦରକାର ।
ମୁଁ ଲେଖିଥିଲି ,”ମହାତ୍ମା ଗାନ୍ଧୀ, ମଣ୍ଡେଲା, ମାର୍ଟିନ୍ ଲୁଥର୍ ଓ ମାଲ୍କମ୍ ଏକ୍ସ – ଏହି ଚାରି ଜଣଙ୍କ ତତ୍ତ୍ଵ ଫେଣ୍ଟାଫେଣ୍ଟି କରି ମୁଁ ଗଢ଼ିଛି ଭାଷା ଆନ୍ଦୋଳନ ।” ମୁଁ ଯେତେବେଳେ ଏହି ଚାରିଜଣଙ୍କ ଆନ୍ଦୋଳନତତ୍ତ୍ଵ ଉପରେ ଗବେଷଣା କରିଥିଲି, ସେତେବେଳେ କଣ ପ୍ରୀତମବାବୁ ମୋ ସହ ଥିଲେ? ନ ଥିଲେ । ଆଉ କେହି ଥିଲେ? କେହି ବି ନଥିଲେ । ମୋର କେହି ପଥଦର୍ଶକ (guide) ଥିଲେ? ନ ଥିଲେ । କେହି ତ ନଥିଲେ, ମୁଁ “ଆମେ”କରିଥିଲୁ ବୋଲି କିପରି କହନ୍ତି?
ମୁଁ ଏହି ଚାରିଜଣଙ୍କ ଆନ୍ଦୋଳନାତ୍ମକ ତତ୍ତ୍ଵକୁ ଅପଣାଇଛି, କିନ୍ତୁ ମୋ ନିଜସ୍ଵ ବିଜ୍ଞତାପ୍ରୟୋଗ କରି ଏମାନଙ୍କ ଆନ୍ଦୋଳନର ପଦ୍ଧତ୍ତି ବଦଳାଇଦେଇଛି । ଏମାନଙ୍କ ପଦ୍ଧତ୍ତି : ଲୋକଙ୍କ ସହ ଆନ୍ଦୋଳନ, ମୋ ପଦ୍ଧତ୍ତି : ଲୋକଙ୍କ ପାଇଁ ଆନ୍ଦୋଳନ । ଗତ ୧୯୮୧-୮୨ରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ଯେତେବେଳେ ତାଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼ର ପ୍ରାୟତଃ ସବୁଲୋକ ତାଙ୍କ ସହ ଥିଲେ, ତାଙ୍କ ପ୍ରତାରଣା ସମ୍ପର୍କରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ମୁଁ ସେଠାରେ ଏହି ପଦ୍ଦତ୍ତି ସଫଳତାର ସହ ପ୍ରୟୋଗ କରିଥିଲି । ନିମ୍ନସ୍ଥ ଫଟୋଚିତ୍ରର ତାରିଖ ୨୦.୩.୧୯୮୧ ।
ତେଣୁ “ନୀରବ କଳାପତାକାଅଭିଯାନ”, ଆମ ଭାଷା ପ୍ରେକ୍ଷାପଟରେ ଯାହାର ନାମ ଭାଷା ଆନ୍ଦୋଳନ, ତାହା ହେଲା ମୋ ନିଜର ବୌଦ୍ଧିକ ସୃଷ୍ଟି , ଯାହାକୁ ରାଜ୍ୟର ବହୁ ବ୍ୟକ୍ତି ସହଯୋଗ ପ୍ରଦାନ କରିଛନ୍ତି ଏବଂ ଆଠଗଡ଼ରେ ଯାହା ହୋଇଥିଲା ଏଠି ବି ତାହା ହିଁ ହୋଇଛି – ଜନଚେତନାର ଜୟଯାତ୍ରା ।
ପ୍ରୀତମବାବୁଙ୍କ ପରି ବନ୍ଧୁମାନଙ୍କ ସକାଶେ ମୁଁ କହିବାକୁ ଚାହେଁ ଯେ, ମୁଁ ହିଁ ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ପାଇଁ ଆରମ୍ଭ ହୋଇଥିବା ଜନଚେତନାର ଜନ୍ମଦାତା । ୨୯.୮.୨୦୦୯ ତାରିଖରେ ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ପୋର୍ଟାଲ scribd॰comରେ ପ୍ରକାଶିତ ମୋ ଗବେଷଣାପୁଷ୍ଟ ପୁସ୍ତକ “ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ” ଏହି ଦିଗରେ ପ୍ରଥମ ଶକ୍ତିଶାଳୀ ପ୍ରାମାଣିକ ପ୍ରଚେଷ୍ଟା ।  ଏହି ପ୍ରଚେଷ୍ଟା ମୋ ପୂର୍ବରୁ କେହି କରିନଥିଲେ ବା ଏଯାଏଁ ବି କେହି ବ୍ୟକ୍ତି କରିନାହାନ୍ତି । ଏଥିରେ ମଞ୍ଜଶବ୍ଦଟି କଣ – ମୁଁ ନା ଆମେ? ବର୍ତ୍ତମାନର ଆନ୍ଦୋଳନ ପାଇଁ ପୃଷ୍ଠଭୂମି ପ୍ରସ୍ତୁତି ସକାଶେ ଏହି ଯେଉଁ ଗବେଷଣା ମୁଁ କରିଥିଲି, ତହିଁରେ କୌଣସି “ଆମେ” ଭାବେ ବିବେଚ୍ୟ ବ୍ୟକ୍ତି ସମ୍ପୃକ୍ତ ନଥିଲେ, ମୁଁ ହିଁ ଥିଲି । ଏବେ ପ୍ରୀତମବାବୁମାନଙ୍କୁ ଖୁସିକରିବାପାଇଁ ମୋତେ କ’ଣ କହିବାକୁ ହେବ ଯେ “ଆମେ” ଏହି  ଗବେଷଣା କରିଥିଲୁ ଓ ଏହି ପଥଦର୍ଶୀ ପୁସ୍ତକ ପ୍ରଣୟନ କରିଥିଲୁ?
ଓଡ଼ିଶା ଦାପ୍ତରିକ ଭାଷା ଆଇନ କାର୍ଯ୍ୟକାରୀ ହେବାପାଇଁ ପରାମର୍ଶ ଦେବାକୁ ୩୧.୭.୨୦୧୫ ତାରିଖରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହେଲା, ଯହିଁରେ ମୁଁ ଥିଲି ଜଣେ ମନୋନୀତ ସଦସ୍ୟ । ଏହି କମିଟିର କୌଣସି ସଦସ୍ୟ ଏବଂ ଓଡ଼ିଶାର କେହି ବି ଯେତେବେଳେ ଏହି ଆଇନ ଉପରେ କୌଣସି ପ୍ରସ୍ତାବ ଦେବାକୁ ସକ୍ଷମ ନଥିଲେ, ମୁଁ ଏହାର ଅକର୍ମଣ୍ୟତାର କାରଣ ବାହାର କଲି ଓ ଆଇନ ସଂଶୋଧନର ପ୍ରସ୍ତାବ ସହ ତହିଁର ଖିଲାପକାରୀ ବିରୁଦ୍ଧରେ ଦଣ୍ଡବିଧାନ ତଥା ଆନୁଷଙ୍ଗିକ ସାଧନ ସୃଷ୍ଟି ସକାଶେ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ଓ ଚିଠା ୩.୯.୨୦୧୫ ତାରିଖରେ ପ୍ରଦାନ କଲି । ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଆଇନ ସଂଶୋଧନର ଯେଉଁ ନୂଆ ଯୁଗ ଚାଲିଛି ତାର ଆରମ୍ଭ ଏହିଠାରୁ । pdf ବର୍ଗରେ ତଳେ ଥିବା ଦସ୍ତାବିଜ ତହିଁର ସରକାରୀ ନକଲ ।
ଏହାର ସୃଷ୍ଟିକର୍ତ୍ତା ମୁଁ ଓ ସ୍ଵାକ୍ଷରକର୍ତ୍ତା ମୁଁ  । ଏହି ପ୍ରସ୍ତାବ ଅନୁସାରେ ସରକାର ଭାଷା ଆଇନରେ ଧାରା ୫ ଖଞ୍ଜିଛନ୍ତି  ଓ ସମୟକ୍ରମେ ଏଥିରେ ପ୍ରଦତ୍ତ ନିୟମ -୪ ଓ ନିୟମ-୮ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି । ଅବଶିଷ୍ଟଗୁଡିକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଭାଷା ଆଇନକୁ ଚିରକାଳ ଅକର୍ମଣ୍ୟ କରି ଓଡ଼ିଆ ଜାତିକୁ ତାର ଭାଷା ଅଧିକାରରୁ ବଞ୍ଚିତ କରି ରଖିବା ପାଇଁ ଭୟାନକ ଜାଲିଆତି ବଳରେ ଧାରା ୪ ଓ ଧାରା ୪-କ ନାମକ ଦୁଇଟି ଅବୈଧ ଧାରା ଖଞ୍ଜି ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଷଡଯନ୍ତ୍ର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଜାତି ବିରୁଦ୍ଧରେ ଏହି ଅପରାଧ କରି ନିରାପଦରେ ଖସିଯିବା ପାଇଁ ସେହିମାନଙ୍କୁ ବ୍ୟବହାର କରିଛନ୍ତି , ଯେଉଁମାନଙ୍କୁ ମୁଁ ମୋ ପ୍ରତିଷ୍ଠିତ ଆନ୍ଦୋଳନରେ କର୍ମକର୍ତ୍ତା କରିଥିଲି । ଶ୍ରୀମାନ ରଞ୍ଜନ କୁମାର ସାହୁ ତାଙ୍କ ଉପରିସ୍ଥ ଅଭିମତରେ ଏହି “ଅମ” ଚକ୍ରର ବିଶ୍ଵାସଘାତକତା ସମ୍ପର୍କରେ ବୋଧଗମ୍ୟ ସୂଚନା ଏତେ ନିଖୁଣ ଭାବେ ପ୍ରଦାନ କରିଛନ୍ତି ଯେ, ତହିଁର ଅଧିକ ବିସ୍ତାର ଅନାବଶ୍ୟକ ।
ଏହି “ଆମ” ଚକ୍ରର ଚକ୍ରାନ୍ତ ଉପରେ ଭବିଷ୍ୟତରେ ଅଧିକ ଆଲୋଚନା ହେବ । କିନ୍ତୁ ଏହି “ଆମ” ଚକ୍ରର ଚକ୍ରାନ୍ତ ସତ୍ତ୍ୱେ ଓଡ଼ିଶାର ଯେଉଁ ଶ୍ରେଷ୍ଠ ସନ୍ତାନମାନେ ଭାଷା ଆନ୍ଦୋଳନ ଚଳାଇ ରଖିଛନ୍ତି ସେମାନେ ସମସ୍ତେ ଜାଣନ୍ତି ଯେ, ଏହି ଆନ୍ଦୋଳନ “ମୋ” ପାଇଁ ନୁହେଁ, “ଆମ” ସମସ୍ତଙ୍କ ପାଇଁ ଅଭିପ୍ରେତ ।

କରୋନା ମୁକାବିଲା ପାଇଁ ସର୍ବଦଳୀୟ ମିଳିତ ମନ୍ତ୍ରୀମଣ୍ଡଳ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦି ଓ ଆମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିସଭାର ନେତୃତ୍ବରେ ଥିଲେ ମଧ୍ୟ ସେମାନଙ୍କ ଏକନାୟକୀୟ ଆଧିପତ୍ୟ ଏତେ ପ୍ରଚଣ୍ଡ ଯେ, ଯୌଥ ବିଜ୍ଞତା ଅଭାବରୁ ଓଡ଼ିଶା ସମେତ ସମଗ୍ର ଭରତ ବିନାଶକ କରୋନା ମହାମାରୀର କବଳରେ । ଏହି ମହାମାରୀର ମୁକାବିଲା ପାଇଁ ଯେଉଁ ନେତୃତ୍ଵ ଦେଶ ଆବଶ୍ୟକ କରୁଛି ସେ ନେତୃତ୍ଵ ଉପଲବ୍ଧ ହେଉନାହିଁ ।

ଏହି ଉଭୟ ନେତା ନିଜ ନିଜର ରାଜନୈତିକ ସ୍ଵାର୍ଥ ପାଇଁ ଏପରି ଆଚରଣ ପ୍ରଦର୍ଶନ କରିଆସିଛନ୍ତି ଯାହା ଭୂତାଣୁ ନିୟନ୍ତ୍ରଣ ଆଳରେ ପୋଲିସ୍ ରାଜ୍ ବଳବତ୍ତର କରିଛି । ସତେ ଯେମିତି କରୋନା ଆକ୍ରାନ୍ତମାନେ ଅପରାଧୀ ସେହି ପରି ଭାବନା ଉଦ୍ରେକ କରାହୋଇଛି ସାଧାରଣ ମଣିଷର ମନରେ । ଅଥଚ କରୋନା ଠାବ କରିବା, ଚିକିତ୍ସା କରିବା, ଆରୋଗ୍ୟ ଘିସନା କରିବା – ସବୁ ପ୍ରଶାସନିକ ଇନ୍ଦ୍ରଜାଲରେ ଛନ୍ଦିହୋଇରହିଛି । ପ୍ରକୃତ ଚିତ୍ର ଠାରୁ ଲୋକଙ୍କୁ ଦୂରେଇ ରଖାଯାଇଛି ଓ ସରକାର ଯାହା ଜଣାଇବାକୁ ଚାହୁଞ୍ଛନ୍ତି ଲୋକେ ସେତିକି ହିଁ ଜାଣୁଛନ୍ତି ।

ଭୂତାଣୁ ପାଇଁ ଚାଈନାକୁ ଶୋଧିବାରେ ଯେତେ ଶକ୍ତି ଅପଚୟ ହେଲାଣି ତହିଁର କାଣିଚାଏ ମଧ୍ୟ ଲୋକଙ୍କ ପାଇଁ ଲାଗିନାହିଁ । ଯେତେବେଳେ ସବୁ ଡାକ୍ତରଖାନା ଦିନରାତି ଖୋଲା ରହି ରୋଗୀଙ୍କୁ ସାହାଜ୍ଯ କରିବା କଥା ସେତେବେଳେ ସର୍ବଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଓ ରାଜ୍ୟ ସରକାରଙ୍କ ମେଡିକାଲ କଲେଜଗୁଡ଼ିକ ସେମାନଙ୍କ ବହିର୍ଚ୍ଚିକିତ୍ସା ବିଭାଗ ବନ୍ଦ ରଖିଛନ୍ତି ଓ କୌଣସି ଚିକିତ୍ସାଳୟରେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଉପଲବ୍ଧ ନାହିଁ । ସବୁଠୁ ମାରାତ୍ମକ କଥା ହେଲା, ଏହି ମଉକାରେ ରୋଗୀ ଶୋଷଣ ପାଇଁ ଡାକ୍ତର ଓ ଡାକ୍ତରଖାନାମାନଙ୍କୁ ଏପରି ଅଧିକାର ଦିଆଯାଇଛି ଯେ, ଯଦି କୌଣସି ରୋଗୀ ଅପଚିକିତ୍ସା ବା ଅଚିକିତ୍ସା ବିରୁଦ୍ଧରେ ପଟି ଫିଟାଏ ତାକୁ ୧୦ ଲକ୍ଷ ଟଙ୍କା ଜୋରିମାନା ଓ ୧୦ ବର୍ଷ ଜେଲ ଦଣ୍ଡ ଦିଆଯିବ ( The Health Services Personal and Clinical Establishments (Prohibition of violence and damage to property) Bill, 2019) । “ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବା ପ୍ରାଣ?” ବୋଲି ମଧୁବାବୁ ଲେଖିଥିଲେ । ଅବସ୍ଥା ଏଇନେ ଏହା ହିଁ ହୋଇଛି । ଓଡ଼ିଶା ରାଜ୍ୟରେ ପୋଲିସ ମାଡ଼କୁ ନୀରବରେ ବରଦାସ୍ତ ନକଲେ, ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ୨ ବର୍ଷ ଜେଲ ଦଣ୍ଡ ପାଇବାକୁ ଆଇନ ପ୍ରବର୍ତ୍ତନ କରାଯାଇଛି (Epidemic Diseases (Amendment) Ordinance, 2020) ଓ ଲୋକେ କାକୁସ୍ଥ ହୋଇ ରହିଛନ୍ତି । କରୋନା ସମ୍ପର୍କୀୟ ଆଇନ ଓ ନିର୍ଦ୍ଦେଶନାମାଗୁଡ଼ିକ ଘନଘନ ସଂଶୋଧନ ହେଉଛି । ସବୁ ଇଂରାଜୀରେ ଓ ଏପରି ଭାଷାରେ , ଯାହା ସାଧାରଣ ଲୋକେ ଜାଣନ୍ତି ନାହିଁ । ଲୋକଙ୍କ ମାତୃଭାଷାରେ ଆଇନକାନୁନ ନ କରି, ଲୋକଙ୍କୁ ଅନ୍ଧକାରରେ ରଖି ପୋଲିସ ଲାଠି, ଜେଲ କୋଠି, ଜୋରିମାନା ଓ ଡାକ୍ତରୀ ନାଲିଆଖିରେ ଲୋକେ ସିନା ଦାବିଯାଉଛନ୍ତି, କରୋନା ଭୂତାଣୁ ମାଡ଼ି ଚାଲିଛନ୍ତି ।

ଅରାଜକତା ଚରମ ସୀମାରେ ପହଞ୍ଚିଛି ।

ଆମ ବିଚାରରେ ଏଥିପାଇଁ ଦାୟୀ, ପ୍ରଧାନମନ୍ତ୍ରୀ (ଓ ଓଡ଼ିଶା ପରି ରାଜ୍ୟର ମୁଖ୍ୟମନ୍ତ୍ରୀ)ଙ୍କ ଏକନାୟକୀୟ ଆଧିପତ୍ୟ । ଏହାର ପ୍ରତିବିଧାନ ଦରକାର ।

ଏଥିପାଇଁ ଏକାଧିପତ୍ୟ ଜରିକରିଚାଲିଥିବା ଦଳୀୟ ସରକାର ନିଜର ଅପରାଗପଣିଆ ଅନୁଭବ କରି ସର୍ବାଦଳୀୟ କରୋନା କ୍ୟାବିନେଟ୍ ଗଠନ କରୁ । ପ୍ରତିଷ୍ଠିତ ସରକାର ଯେଉଁ ମର୍ଯ୍ୟାଦାରେ ଅଛନ୍ତି ସେହି ମର୍ଯ୍ୟାଦାରେହ ଥାନ୍ତୁ । କିନ୍ତୁ ସବୁ ଦଳର ପ୍ରତିନିଧିମାନଙ୍କୁ ନେଇ କେବଳ କରୋନା ମହାମାରୀର ମୁକାବିଲା ପାଇଁ ଏକ ସ୍ଵତନ୍ତ୍ର ମନ୍ତ୍ରୀମଣ୍ଡଳ ଗଠିତ ହେଉ ଯାହାର ନିର୍ଦ୍ଧାରଣ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କାର୍ଯ୍ୟକାରୀ କରନ୍ତୁ । ଏହି କାରୋନା କ୍ୟାବିନେଟ କେବଳ ମାତୃଭାଷାରେ ତାର ସମସ୍ତ ନିର୍ଦ୍ଧାରଣ ପ୍ରଦାନ କରୁ ।

ଦେଶବାସୀଙ୍କୁ ବିପଦମୁକ୍ତ କରିବା ପାଇଁ ଏହି ଯୌଥନେତୃତ୍ଵ ଏକାନ୍ତ ଆବଶ୍ୟକ ।

orissamatters॰comରେ ଏହା ପୂର୍ବରୁ ଆଲୋଚିତ ହୋଇଛି । ସଂଯୋଗ ସରଣୀ : https://orissamatters.com/2020/07/05/572020/

ଭାଷା ଆନ୍ଦୋଳନର ଫେସ୍ ବୁକ୍ ଲାଇଭରେ ସତୀଶ ମିଶ୍ର : ଓଡ଼ିଆ ସ୍ଵାଭିମାନର ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଚଣ୍ଡ ସମାଲୋଚନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

 

 

ଓଡ଼ିଆ ଭାଷାକୁ ଅଚଳ କରି ରଖି ଓଡ଼ିଆ ସ୍ଵାଭିମାନର ବିପର୍ଯ୍ୟୟ ଘଟାଇଥିବା ହେତୁ ସାଂପ୍ରତିକ ଓଡ଼ିଶାର ଅନ୍ୟତମ ତୀକ୍ଷ୍ନସ୍ଵର କମ୍ରେଡ ସତୀଶ ମିଶ୍ର ଆଜି ନବୀନ ପଟ୍ଟନାୟକଙ୍କ ସରକାରକୁଡ ପ୍ରଚଣ୍ଡ ସମାଲୋଚନା କରିଛନ୍ତି ।

କରୋନା କାରଣରୁ ଭାଷା ଆନ୍ଦୋଳନର କଳା ପତାକା ଅଭିଯାନ କାୟିକ ଭାବେ ନ ଚାଲି ବୌଦ୍ଧିକ ଅଭିଯାନର ରୂପ ପରିଗ୍ରହଣ କରିଛି । ଫେସ୍ ବୁକ୍ ମଞ୍ଚରେ ‘ଭାଷା ମା ପାଇଁ ପଦେ’ ନାମକ ଏକ ସ୍ଵତନ୍ତ୍ର ପ୍ରୁଷ୍ଠା (page) ଖୋଲି ତା ମାଧ୍ୟମରେ ଓଡ଼ିଶାର ଲୋକଙ୍କୁ ମାତୃଭାଷାମନସ୍କ କରିବା ପାଇଁ ଏକ ସାପ୍ତାହିକ ଭିଡ଼ିଓ ସିଧା (live) ପ୍ରସାରିତ ହେଉଛି, ଯହିଁରେ ରାଜ୍ୟର ବିଜ୍ଞ ବ୍ୟକ୍ତିମାନେ ଆମ ଭାଷାରେ କାହିଁକି ଆମ ପ୍ରଦେଶ ପରିଚାଳିତ ହେବା ଆବଶ୍ୟକ ତାହା ଓଡ଼ିଶାବାସୀଙ୍କୁ ବୁଝାଉଛନ୍ତି ।  ଆଜି ଥିଲା ଭାଷା ଆନ୍ଦୋଳନର ୧୫୫୨ତମ ଦିବସ । ଆଜିର ସିଧା ପ୍ରସାରଣରେ ବକ୍ତା ଥ୍ଗିଲେ ଶ୍ରୀ ମିଶ୍ର ।

Posted by ଭାଷା ମାଆ ପାଇଁ ପଦେ on Sunday, July 12, 2020