ଓଡ଼ିଆ ଭାଷାର ପ୍ରାଣ ରକ୍ଷା ପ୍ରଥମ ଧ୍ୟେୟ ହେଉ , ପ୍ରିୟ ମୁଖ୍ୟମନ୍ତ୍ରୀ !

ନିଉଜ୍୧୮ ଦ୍ଵାରା ଆୟୋଜିତ ଓଡ଼ିଆ ଅସ୍ମିତା ସମ୍ପର୍କୀୟ ଏକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଭାଷଣ ଉପରେ ମୋର ପ୍ରତିକ୍ରିୟା

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମ୍ପୂର୍ଣ୍ଣ ଅବଗତ ଯେ, ଓଡ଼ିଶା ଯେଉଁ ଭାଷାର ସୃଷ୍ଟି, ସେ ଭାଷା ଓଡ଼ିଶାର କୌଣସି କାର୍ଯ୍ୟାଳୟରେ ଅଲଙ୍ଘ୍ୟ ହୋଇନଥିବା ହେତୁ ଇଂରାଜୀରେ ଚାଲିଛି ରାଜ୍ୟର ପରିଚାଳନା ।

ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି କରି ବିଜୁ ପଟ୍ଟନାୟକ ୧୯୬୩ରେ ଓଡ଼ିଶା ରାଜଭାଷା ଆଇନ, ୧୯୫୪ରେ ଯେଉଁ ୩(କ) ଧାରା ଯୋଡ଼ିଥିଲେ ଓ ତତୋଧିକ ଜାଲିଆତି କରି ମୋହନ ବାବୁଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଧାରା ୪ , ୫ ଓ ୪(କ) ତଥା ଜାଲିଆତି ପ୍ରସୂତ ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି, ତାହା ସରକାରୀ ଭାଷା ଭାବେ ଓଡ଼ିଆ ଭାଷାକୁ ଅକର୍ମଣ୍ୟ କରିଦେଇଛି ଓ ପ୍ରଥମ ଓଡ଼ିଶା ବିଧାନ ସଭା ୧୯୫୪ରେ ପ୍ରଣୟନ କରିଥିବା ଉପରୋକ୍ତ ଆଇନକୁ ବସ୍ତୁତଃ ଅକାମୀ କରିଦେଇଛି ।

ସ୍ମାରକପତ୍ର ମାଧ୍ୟମରେ ତାଙ୍କୁ ଏହା ଅବଗତ କରାଇଥିଲେ ମଧ୍ୟ, ଉପରୋକ୍ତ ଅବୈଧ ଧାରାଗୁଡ଼ିକୁ ତଥା ନିୟମାବଳୀକୁ ଲୋପ କରିବାକୁ କୌଣସି ପଦକ୍ଷେପ ନ ନେଇ ସେ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦାକୁ ଅପାଙ୍କ୍ତେୟ କରି ରଖିଛନ୍ତି ।

ଯେଉଁ ଭାଷା କାର୍ଯ୍ୟାଳୟର ଭାଷା ନ ହୁଏ ତାହା ନିଷ୍ପ୍ରଭ ହୋଇଯାଏ ଓ କାଳ କବଳରେ ମରିଯାଏ, ଯେପରି ମରିଯାଇଛି ପାଲି ଭାଷା ଓ ସଂସ୍କୃତ, ବିପୂଳ ସାହିତ୍ୟ ସତ୍ତ୍ଵେ ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏହି ଅସଲ କଥା ଉପରେ ପାଟି ନ ଖୋଲି ବାକି ଯାହା କହିଛନ୍ତି ତାହା ତାଙ୍କ ଲୋକସମ୍ପର୍କ ଅଧିକାରୀ ବି କହିପାରିଥାନ୍ତେ।

ପ୍ରିୟ ମୁଖ୍ୟମନ୍ତ୍ରୀ! ଆପଣ ଯାହା କହିଛନ୍ତି ତାକୁ ନିଜେ ଅନୁଧ୍ୟାନ କରନ୍ତୁ ଓ ଓଡ଼ିଆ ଜାତିକୁ ଆଖିମିଟିକା ନମାରି , ଭାଷା ଆଇନରୁ ପ୍ରତାରଣା ଓ ଜାଲିଆତି ଦ୍ଵାରା ଘଟିତ ସଂଶୋଧନ ସମୂହର ବିଲୋପନ ଘଟାଇ ସାନି ସଂଶୋଧନ ଦ୍ଵାରା ତାକୁ ଅଲଙ୍ଘ୍ୟ କରନ୍ତୁ । ଧାରା ୩ (କ), ୪, ୫ ଓ ଧାରା ୪(କ) ଲୋପ ନହେଲେ, ଓଡ଼ିଆ ଭାଷାରେ ଓଡ଼ିଶା ଚାଲିବା ସମ୍ଭବ ହେବ ନାହିଁ ।    

ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

ନବୀନ ଶାସନ: ଆଦର୍ଶ ମହାବିଦ୍ୟାଳୟରେ ନାହିଁ ଓଡ଼ିଆ ସମ୍ମାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ



ଏହି ସରକାରୀ ଆଦେଶରେ ସ୍ବାକ୍ଷରକାରୀ ପଦାଧିକାରୀ ଅବଶ୍ୟ ଜଣେ ଅଣଓଡ଼ିଆ । ମାତ୍ର ଏ ଆଦେଶ ତ ହେଉଛି ଓଡ଼ିଶା ସରକାରଙ୍କର, ଯାହାର ଶ୍ରୀ ନବୀନ ପଟ୍ଟନାୟକ ହିଁ ମୁଖିଆ !

ଏହି ଆଦେଶଟିରେ ଦେଖାଯାଏ,  ଉଚ୍ଚ ଶିକ୍ଷାରେ ଏକାନ୍ତ ଅନୁନ୍ନତ ଆଠୋଟି ଜିଲ୍ଲାରେ ଥିବା  ଆଠୋଟି ଉପାଧି ମହାବିଦ୍ୟାଳୟ (Degree College)ରେ ଛାତ୍ରଛାତ୍ରୀମାନେ ସମ୍ମାନ ସହ ସ୍ନାତକ ଉପାଧି ଯେପରି ଅର୍ଜନ କରିପାରିବେ, ତାହାର ବ୍ୟବସ୍ଥା ଖଞ୍ଜାହୋଇଛି ; କିନ୍ତୁ କୌଣସି ଛାତ୍ର ଛାତ୍ରୀ  ଓଡ଼ିଆ ଭାଷାରେ ଯେପରି ଏହି ସମ୍ମାନ ଅର୍ଜନ କରିନପରାନ୍ତି , ତାହା ପାଇଁ  ଷଡ଼ଯନ୍ତ୍ର ବି ହୋଇଛି । 

ଏହି ଆଦେଶ ଅନୁସାରେ ଛାତ୍ରଛାତ୍ରୀମାନେ ଅର୍ଥନୀତି, ରାଜନୀତି ବିଜ୍ଞାନ, ଶିକ୍ଷା, ସମାଜବିଜ୍ଞାନ, ଏବଂ ନୃତତ୍ତ୍ଵରେ ସସମ୍ମାନ ସ୍ନାତକ ପାଠ୍ୟକ୍ରମରେ (Honors Degree Course ) ନାମ ଲେଖାଇ ପାରିବେ ; ମାତ୍ର ଓଡ଼ିଆରେ ସମ୍ମାନ ସହ ସ୍ନାତକ ଉପାଧି ପାଇଁ ନୁହେଁ । 

ଉଲ୍ଲେଖନୀୟ, ଏହି ମହାବିଦ୍ୟାଳୟଗୁଡ଼ିକ ମାଲକାନଗିରି, ନୂଆପଡ଼ା , ନବରଙ୍ଗପୁର, ନୟାଗଡ଼, ବୌଦ, ସୋନପୁର, ରାୟଗଡ଼ ଓ ଦେଓଗଡ଼ରେ ଅବସ୍ଥିତ ଓ ଆଦର୍ଶ ମହାବିଦ୍ୟାଳୟ ଭାବେ  ସଜ୍ଞାୟିତ । ମହାବିଦ୍ୟାଳୟଗୁଡ଼ିକ ଯଦି “ଆଦର୍ଶ”, ତେବେ ତହିଁରେ ଓଡ଼ିଆ ଛାତ୍ରଛାତ୍ରୀମାନେ ଓଡ଼ିଆରେ ସମ୍ମାନ ସହ ସ୍ନାତକ ଉପାଧି ଅର୍ଜନ କରିବାରେ ବାଧା କାହିଁକି ?

ବାଧା- ମୁଖ୍ୟମନ୍ତ୍ରୀଙ୍କ ମାନସିକତାରେ ।

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆବିଦ୍ଵେଷୀ ମାନସିକତା ଶାସନକଳକୁ କିପରି ଓଡ଼ିଆ ଭାଷା ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ପ୍ରବର୍ତ୍ତାଇ ଥାଏ ତାହାର ପ୍ରମାଣ ବିଜୁ ପଟ୍ଟନାୟକଙ୍କ ବେଳେ ଆଇନ ବିଭାଗରେ ଦେଖିବାକୁ ମିଳିଥିଲା ।

ପ୍ରଶାସନିକ ଶବ୍ଦକୋଷର ଏକ ନିର୍ଭୁଲ ସଂସ୍କରଣ ପ୍ରକାଶ କରିବାକୁ ଓଡ଼ିଆ ଭାଷାରେ ଶାସନ ଉପରେ ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଡଃ ବଂଶୀଧର ମହାନ୍ତିଙ୍କ ଅଧ୍ୟଷତାରେ ଏକ କମିଟି ଗଠନ କରିଥିଲେ । ପାଣ୍ଡୁଲିପି ପ୍ରସ୍ତୁତି ସାରିବା ପୂର୍ବରୁ ଡଃ ମହାନ୍ତିଙ୍କର କାଳ ହୋଇଗଲା । ଡଃ ଖଗେଶ୍ଵର ମହାପାତ୍ରଙ୍କ ଅଧକ୍ଷତାରେ କମିଟି ପୁନର୍ଗଠିତ ହୋଇ ପାଣ୍ଡୁଲିପି ଚୁଡାନ୍ତ କରି ତହିଁର ରିପୋର୍ଟ ଦେଲାବେଳକୁ ଜାନକୀବାବୁ  ଆଉ କ୍ଷମତାରେ ନଥିଲେ । ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ ଓଡ଼ିଆ ଭାଷାକୁ ୧୯୬୩ ରେ ଏକ ଅବୈଧ ସଂଶୋଧନଦ୍ବାରା ଅଚଳ କରାଇଦେଇଥିବା ବିଜୁ ପଟ୍ଟନାୟକ ।

ପ୍ରଶାସନିକ ଶବ୍ଦକୋଷର ସେହି ଚୁଡାନ୍ତ ପାଣ୍ଡୁଲିପି ମୁଦ୍ରଣ କରିବାପାଇଁ ସରକାରୀ ଛାପାଖାନାକୁ ପଠାଇବାକୁ ଯେତେବେଳେ ନଥି ସହାୟକ ପ୍ରସ୍ତାବ ପଇଠ କଲେ, ଆଇନ ବିଭାଗର ଉପଶାସନ ସଚିବ ପ୍ରଫୁଲ୍ଲ କୁମାର  ପଟ୍ଟନାୟକ ତହିଁ ଉପରେ ଟିପ୍ପଣୀ ଦେଇ କହିଲେ – ବିଜୁବାବୁ ଓଡ଼ିଆ ଭାଷା ପ୍ରତି ବିଦ୍ଵେଷପୂର୍ଣ୍ଣ ଥିବାହେତୁ ଓଡ଼ିଆରେ ଶାସନର ସମ୍ଭାବନା ନାହିଁ। ତେଣୁ, ପ୍ରଶାସନ ଶବ୍ଦକୋଷର ପାଣ୍ଡୁଲିପିକୁ ମୁଦ୍ରଣ ପାଇଁ ପଠାଇବାର ଆବଶ୍ୟକତା ନାହିଁ । ତାହାକୁ ନଥିଥାକରେ  ରଖିଦିଆଯାଉ ।

ବିଜୁ ଓଡ଼ିଶାର ଜନସାଧାରଣଙ୍କ ଦ୍ଵାରା କ୍ଷମତାରୁ ବିତାଡ଼ିତ ହୋଇ ଜାନକୀବାବୁ ପୁଣି ମୁଖ୍ୟମନ୍ତ୍ରୀ ହେଲାବେଳକୁ ସେହି ଏକା ପ୍ରଫୁଲ୍ଲ କୁମାର ପଟ୍ଟନାୟକ ସେହି ଏକା ପଦବୀରେ ତଥାପି ଥିଲେ । ସେ ତୁରନ୍ତ ନଥିଥାକରୁ ସେହି ଶବ୍ଦକୋଷଟିର ପାଣ୍ଡୁଲିପିକୁ ବାହାର କରି ତହିଁରେ ଲେଖିଲେ, ” (ବିଶେଷଜ୍ଞ କମିଟି ଶବ୍ଦକୋଷ  ଚୂଡ଼ାନ୍ତ ହୋଇଥିବାର ରିପୋର୍ଟ ୭.୫.୧୯୯୧ରେ ଦାଖଲ କଲା ବେଳକୁ) ସରକାର ବଦଳିଯାଇଥିଲେ ଏବଂ (ବିଜୁବାବୁଙ୍କ ନେତୃତ୍ବରେ) ନୂଆ କରି ଦାୟିତ୍ଵ ନେଇଥିବା ସରକାରଙ୍କ ଭାଷା ନୀତି କେବଳ ଯେ ସୁସ୍ପଷ୍ଟ ନଥିଲା ତାହା ନୁହେଁ, ବରଂ ଓଡ଼ିଆକୁ ସରକାରୀ ଭାଷା ଭାବରେ ବ୍ୟବହାର କରିବାକୁ ସେମାନେ  ଅନାଗ୍ରହ ଥିଲେ । ତତ୍କାଳୀନ ମନ୍ତ୍ରୀ ମହୋଦୟ ନଥିରେ ଏପରି ଆଦେଶ ଦେଲେ ଯାହାର ପରିଣାମ ସ୍ଵରୂପ ଏହି କାର୍ଯ୍ୟ ବର୍ଷ ବର୍ଷ ଧରି ଶୀତଳଭଣ୍ଡାରରେ ପଡ଼ିରହିଲା । ମୁଦ୍ରଣ ନିଷ୍ପତ୍ତି ଏପରି ବିଳମ୍ବିତ ହେଲା ଯେ, (ଜାନକୀବାବୁଙ୍କ ନେତୃତ୍ବରେ ଗଠିତ ) ବର୍ତ୍ତମାନର ସରକାର ଦାୟିତ୍ଵ ଗ୍ରହଣ କଲା ପର୍ଯ୍ୟନ୍ତ କୌଣସି ଫଇସଲା ହେଲାନାହିଁ ।” (ନଥି ପ୍ରୁଷ୍ଠା ୧୨୬) । 

ବିଜୁ ପଟ୍ଟନାୟକଙ୍କ ଓଡ଼ିଆବିଦ୍ଵେଷୀ ମାନସିକତା ଯେପରି ଶାସନକଳକୁ ଓଡ଼ିଆ ଭାଷା ବିରୁଦ୍ଧରେ ପ୍ରଭାବିତ କରିଥିବାର ଉପରୋକ୍ତ ପ୍ରମାଣ ସ୍ପଷ୍ଟ କରେ ଠିକ୍ ସେହିପରି ନବୀନ ପଟ୍ଟନାୟକଙ୍କ ଓଡ଼ିଆବିଦ୍ଵେଷୀ ମାନସିକତା ୨୦୧୬ର ସନ୍ନିହିତ ଆଦେଶରେ ଶାସନକଳକୁ ବାଧ୍ୟକରିଛି ଉପରୋକ୍ତ ଅଠୋଟି ଅନୁନ୍ନତ ଜିଲ୍ଲାରେ ଥିବା “ଆଦର୍ଶ ମହାବିଦ୍ୟାଳୟ”ମାନଙ୍କରେ ଓଡ଼ିଆ ଭାଷାରେ ସମ୍ମାନ ପାଠ୍ୟକ୍ରମ ନରଖିବା ପାଇଁ । 

ସେହିସବୁ ଜିଲ୍ଲାର ସର୍ବଜ୍ଞାତ ଭାଷା ହେଉଛି ଓଡ଼ିଆ । ଓଡ଼ିଆ ଭାଷାରେ ସମ୍ମାନ ପାଠ୍ୟକ୍ରମ (Honors Courses ) ଥିଲେ, ସେହି ଜିଲ୍ଲାମାନଙ୍କରୁ ସମ୍ମାନ ସହ ସ୍ନାତକ ଉପାଧିଧାରୀଙ୍କ ସଂଖ୍ୟା ଅଧିକ ହୋଇଥାନ୍ତା । ଓଡ଼ିଶା ସରକାର ଅଭିସନ୍ଧିମୂଳକଭାବେ ତହିଁରେ ବାଧା ଦେଇଛନ୍ତି । 

ସରକାର ନିଜକୁ ସୁଧାରନ୍ତୁ ଓ ଅବିଳମ୍ବେ ସେହି ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ସମ୍ମାନ (Oriya Honors ) ପାଠ୍ୟକ୍ରମ ଖୋଲନ୍ତୁ । 

ଭାଷା ଆଇନ ଉଲ୍ଲଂଘନ ପାଇଁ ଦଣ୍ଡ ସଂହିତା ପ୍ରଣୟନ ଜରୁରୀ : ସାମ୍ବାଦିକ ଅରୂପ କୁମାର ଜେନା

theNEWSsyndicate 

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ଉଲ୍ଲଂଘନକାରୀଙ୍କୁ “ବିଧାନ ପାଇଁ ଦଣ୍ଡ ସଂହିତା ପ୍ରଣଯନ ହେବା ଆବଶ୍ୟକ । ଆଉ ବିଳମ୍ବର ଆବଶ୍ୟକତା ନାହିଁ ।“ ଏଥିପାଇଁ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯେଉଁ “ଅତ୍ୟନ୍ତ ଯଥାର୍ଥ ଓ ଗବେଷଣା ଭିତ୍ତିକ ପ୍ରସ୍ତାବ ଦେଇଥିଲେ” , ତାହାକୁ ତୁରନ୍ତ ଗ୍ରହଣ କରାଯାଉ ବୋଲି ଅକ୍ଟୋବର ୧୯ ପୂର୍ବାହ୍ନରେ କହିଛନ୍ତି ସୁବିଦିତ ସାମ୍ବାଦିକ ଡଃ ଅରୂପ କୁମାର ଜେନା ।

କରୋନା ମହାମାରୀ କାଳରେ କାୟିକ ସ୍ତରରେ ସ୍ଥଗିତ ଥିବା କଳାପତାକା ଅଭିଯାନର ସୋମବାସରୀୟ ବୌଦ୍ଧିକ ସଂସ୍କରଣରେ ଅଭିଭାଷଣ ରଖି କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଅଧିଷ୍ଠିତ ଏହି ସମ୍ବାଦତତ୍ତ୍ଵବିଶାରଦ ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଭାଷା ଆନ୍ଦୋଳନର ଫୁଲବାଣୀ ଶାଖା ପ୍ରଦାନ କରିଥିବା ପ୍ରସ୍ତାବ ଗୁଡ଼ିକର ଉଲ୍ଲେଖ କରି କହିଛନ୍ତି, ସରକାରୀ ସ୍ତରରେ ଥିବା ଅଣଓଡ଼ିଆ କର୍ମକର୍ତ୍ତାମାନେ ଆମ ଭାଷାକୁ ନେଇ ଯେଉଁ ଛାଇ-ଆଲୁଅର ଖେଳ ଖେଳୁଛନ୍ତି ତାହା ବନ୍ଦ କରନ୍ତୁ । ସେମାନେ ମନେରଖନ୍ତୁ ଯେ, ଓଡ଼ିଆ ଜାତି ଜୀବନରେ ଆସିଥିବା ଅନ୍ଧାର ରାତି ହଟିଯିବାକୁ ବାଧ୍ୟ , କାରଣ ଭାଷା ଜନନୀର କଳାପତାକା ଏ ଜାତି ପାଇଁ ଆଲୋକର ପଥ ପରିଷ୍କାର କରିବାରେ ଲାଗିଛି । ରାତି ଯେତେବେଳେ ଚାଲିଯାଏ, ସକାଳ ଆସେ । ସେହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ମହାନ ସତ୍ୟ ପ୍ରକାଶ ପାଏ । ସେ ସତ୍ୟ ଐଶ୍ଵରୀୟ ସତ୍ୟ ଏବନ ତାହା ହେଲା, ଅନ୍ଧକାର ବିତାଡ଼ିତ ହେବ, ପଙ୍ଗୁ ହେବ ଆଲୋକର ଶକ୍ତି ନିକଟରେ । ଭାଷା ପାଇଁ ସଂଗ୍ରାମରତ କଳାପତାକା ଏହି ଶକ୍ତିର ପତାକା, ଆଲୋକର ପତାକା । ଏହି କଳାପତାକା ତଳେ ଆମେମାନେ ସମସ୍ତେ ଶପଥ ନେଇଛୁ ଯେ, ଅନ୍ଧକାର କବଳରୁ ଆମ ଭାଷା ମାଆକୁ ଉଦ୍ଧାର କରିବାକୁ ହେବ । ସରକାର ଜାଣନ୍ତୁ ଯେ, ଏହି କଳାପତାକା ତଳେ ଓଡ଼ିଆ ଜାତି ନିଦ ଭାଙ୍ଗି ସୁପ୍ତ ଭାବରେ ଜାଗୁଛି ।

“ଓଡ଼ିଆ ଜାତି ଯେତେବେଳେ ଜାଗେ, ଅତି ସୁପ୍ତ ଭାବରେ ଜାଗେ । ସୁପ୍ତରୁ ଜାଗ୍ରତ ହୋଇ ଯେତେବେଳେ ଏହା ମହାଆନ୍ଦୋଳନରେ ପରିଣତ ହେବ ହିଁ ହେବ । ସରକାର ଉଦାସୀନ ଅଛନ୍ତି, ସରକାର ଭାଷା ଆନ୍ଦୋଳନକୁ ସ୍ଵୀକାର କରୁନାହାନ୍ତି, କି ତାଙ୍କର ଆନ୍ତରିକତା ନାହିଁ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର କରିବା ପାଇଁ – ଏକଥା ଯେତେବେଳେ ପ୍ରତ୍ୟେକ ଓଡ଼ିଆ ବ୍ୟକ୍ତି ବୁଝିବେ, ଜାଣିବେ, ସଂଗ୍ରାମ କରିବେ , ତା ହେଲେ ସେଦିନ ଯାହା ହେବ, ତା ପାଇଁ ସରକାର ସତର୍କ ରହନ୍ତୁ ବୋଲି ଫେସବୁକରୁ ସିଧା ପ୍ରସାରିତ ଏହି ଚେତାବନୀ ଦେଇଛନ୍ତି ମା ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନ।

ଭାଷା ମାଆ ପାଇଁ କବିତାଟିଏ //କରୁଣାକର ମଲିକ

[ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ଵରେ ବିରଳ । ବିଶ୍ଵରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ, ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ ଯେଉଁ ସମସ୍ତ ଭାଷାମନସ୍କ  କବିତା ଉପସ୍ଥାପିତ ହେବ, ସେଗୁଡ଼ିକୁ ଏହି ମଞ୍ଚରେ ଆମେ ‘ଭାଷା ମାଆ ପାଇଁ କବିତାଟିଏ ‘ ପୃଷ୍ଠାରେ ସ୍ଥାନିତ କରିବୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                                                                                                  ମାତୃଭାଷା 

ଏଥୁ ଅନନ୍ତରେ ଶୁଣ ମୋର ସୁଧୀ ଜନ
ମାତୃଭାଷା କଥା ଏବେ କରୁଛି ବଖାଣ ।
                               ଯା ମାଟି,ପାଣି,ପବନେ ଏ ଶରୀର ଗଢା
                              ସେହି ଏକା ମାଟି ମାଆ ବୁଝିଥା ବାପୁଡା।
ତାହାରି ସେବା କରିବୁ ଗାଇବୁ ତା ଗୁଣ
ସେହି ଭାଷା ତୋ ପାଇଁ ଅଟଇ ମହାନ।
                              ମାଆ ଶିଖାଇବା ଭାଷା ତୋର ମାତୃଭାଷା
                             ସେ ଭାଷା ବିଦ୍ରୁପ କଲେ ହେବୁ ଲୋକହସା।
ଓଡିଶା ମାଟିରେ ଜନ୍ମ ଓଡିଆ ତୋ ଭାଷା
ଭାଷା ର ବିକାଶ ହେଲେ ହେବୁ ତୁ ରେ ଯଶା।
                            ନିଜ ଭାଷା ଛାଡି ତୁ ଯେ ହେଉ ବାଟ ବଣା
                            ଜ୍ଞାନ ଗାରିମା ଦେଖାଉ ଏ କି ବିଚାରଣା ।
ମାଉସୀ ଗୁଣ ଗାଉଛୁ ମାଆ ହୁଏ ପର
କିବା ଜ୍ଞାନ ଅଛି ତୋର ହେଉ ହରବର।
                            ମାଆ, ବାବା ଡାକରେ ଯେ କେତେ ଆତ୍ମୀୟତା
                            ଡାଡି,ମମି ଡାକି ଖାଲି କରୁଛୁ ଦୂରତା ।
ପ୍ରତ୍ୟେକ କଥାରେ କହୁ ବିଦେଶୀ ଭାଷାକୁ
ମାଆର ଭାଷା କି ଭଲ ନ ଲାଗେ ମନକୁ ।
                           ନମସ୍କାର ଭୁଲି ଏବେ ହାଏ,ବାଏ,ହ୍ଯାଣ୍ଡସେକ୍
                          ନମ୍ରତା ଭକ୍ତି ଭାବନା ଯାଏ କରି ହତବାକ୍ ।
କୁନା,କୁନି, ମୁନା,ମୁନି ଡାକ କେଣେ ଗଲା
କି ନାମ ରଖିଲେ ବାପା ଆଈ ନ ବୁଝିଲା ।
                           ଆରେ ବାବୁ ବାପଧନ କେତେ ସୁମଧୁର
                           ଆଜ୍ଞା, ସାର୍ ,ଅମୁକ ବାବୁ ଲାଗେ କି ନିଜର ?
ବିଦେଶୀ ଭାଷା କହି ତୁ ଭାବୁଅଛୁ ଜ୍ଞାନୀ
କହିଲେ କହୁଛୁ ପୁଣି ଭୁଲି ତୁ ଗଲୁଣି ।
                           ଇଂରାଜୀ ପଢୁଆ ବାବୁ ଓଡିଶାରେ ଘର
                           ଓଡିଆ ଭାଷାରେ କହି ନ ପାରନ୍ତି ସତ୍ବର ।
ଖଣ୍ଡି ଇଂରାଜୀ କହନ୍ତି ପ୍ରତି ପଦେ ପଦେ
ଜ୍ଞାନୀ ପାଠୁଆ ବୋଲାନ୍ତି ସାହିତ୍ୟ ଜଗତେ ।
                           ପ୍ରବାସୀ ଓଡିଆ ଭାଇ ବିଦେଶରେ ଛନ୍ତି
                           ଓଡିଆ ଭାଷା ଶୁଣି ମୁହଁ ବୁଲାଅନ୍ତି ।
ପରିଚୟ ଦେବାପାଇଁ ମନେ ନ କରନ୍ତି
ଯଦି ଚିହ୍ନା ହୋଇଗଲ ,ଇଂରାଜୀ କହନ୍ତି ।
                            ପାଟିରେ ପଶୁନି ଆଉ ସେ ଓଡିଆ ଶବ୍ଦ
                            ବେଶୀ ଦିନ ଛାଡିଲିଣି ଓଡିଶା ଭୁବନ।
ତଥାପି କେତେକ ଭାଇ ଛନ୍ତି ବିଦେଶରେ
ଭାଷା ପାଇଁ ହୃଦ କାନ୍ଦେ କହନ୍ତି ବ୍ଯାକୁଳେ ।
                           ଏବେ କହୁଅଛି ବାବୁ ଶୁଣ ମୋର କଥା
                            ଭୁଲ ନାହିଁ କେବେ ଆମ ଭାଷାର ମମତା ।
କରୁଅଛି ନିବେଦନ ଓଡିଶା ବାସୀଙ୍କୁ
ଭାଷାର ଟେକ ରଖିବା ଜିତିବା ଜଗତକୁ ।
                            ଧନ୍ୟ ମୋ ଓଡିଶା ମାଟି ଧନ୍ଯ ମୋର ମାଆ
                            ତାର ଭାଷା ସୁରକ୍ଷା ହେବ ଦେଖିବ ଦୁନିଆ ।

ତାର୍ଲାକୋଟା, ମାଲକାନଗିରି

ଭାଷା ମା ପାଇଁ କବିତାଟିଏ // ଶଶୀକାନ୍ତ ପଣ୍ଡା

[ଆମ ଭାଷାକୁ ମାରିଦେବା ପାଇଁ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେଉଁ ଚକ୍ରାନ୍ତ ଚଳାଇଛନ୍ତି ତା କବଳରେ ପଡ଼ି ଆମ ଜାତିର ପରିଚୟ ଏବେ ବିପଦାପନ୍ନ । ତାକୁ ବିପଦମୁକ୍ତ କରିବା ପାଇଁ ଆମେ ଯେଉଁ ଭାଷା ଆନ୍ଦୋଳନ ଚଳାଇଛୁ, ତାହା ପ୍ରତ୍ୟାହୃତ ହୋଇସାରିଛି ବୋଲି ଏକଦା ଆନ୍ଦୋଳନ ପ୍ରତିଷ୍ଠତାଙ୍କ ଦୁଇ ସହଯୋଗୀଙ୍କଠାରୁ କଳା ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ଲେଖେଇନେଇଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷାକୁ ମାରିଦେବା ପାଇଁ ଏପରି କୁତ୍ସିତ ଚକ୍ରାନ୍ତ କରିବା ସାରା ବିଶ୍ବରେ ବିରଳ । ବିଶ୍ବରେ ବିରଳ ମଧ୍ୟ ଆମ ଆନ୍ଦୋଳନ ପରି ଏକ ଆନ୍ଦୋଳନ ଯାହା ନିଜର ମାତୃଭାଷାକୁ ସରକାରୀ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ବର୍ଷ ବର୍ଷ ଧରି ନୀରବରେ ନିଜର ଦାବି ନିବେଦନ କରିପାରେ । ଏହି ଆନ୍ଦୋଳନ ଏତେ ନୀତିନିଷ୍ଠ ଯେ, କରୋନା ପରିଚାଳନାରେ ସରକାରଙ୍କୁ ଚାପମୁକ୍ତ  ରଖିବା ପାଇଁ ଏହା ପ୍ରତ୍ୟହ ଚଳାଇଥିବା କଳାପତାକା ଅଭିଯାନକୁ କାୟିକତଃ ସ୍ଥଗିତ ରଖିଛି ; କିନ୍ତୁ ଅବ୍ୟାହତ ରଖିଛି ବୌଦ୍ଧିକ ସ୍ତରରେ । ପ୍ରତିଦିନ ଆନ୍ଦୋଳନର ଦାବି ଅଦ୍ୟତନ କରାଯିବା ସଙ୍ଗେ ସଙ୍ଗେ ପ୍ରତି ରବିବାର ସନ୍ଧ୍ୟା ୭ରୁ ଚାଳୁଛି ନଭମଞ୍ଚ ମାଧ୍ୟମରେ ଏହାର  ସାରସ୍ଵତ ସାଙ୍ଗଠନିକ ଅଧିବେଶନ ; ଏବଂ ପ୍ରତି ସୋମବାର ପୂର୍ବାହ୍ନ ୧୦ରେ ଫେସବୁକରେ ଥିବା  ‘ଭାଷା ମାଆ ପାଇଁ ପଦେ’ ପୃଷ୍ଠାରୁ ଜଣେ ବିଜ୍ଞ ଓଡ଼ିଆ ଆନ୍ଦୋଳନର ଦାବି ଯଥାର୍ଥ ଓ ତାହାକୁ ସରକାର ମାନିନିଅନ୍ତୁ ବୋଲି ସାରଗର୍ଭକ ପରାମର୍ଶ ଦେଉଛନ୍ତି ସରକାରଙ୍କୁ । ବିଶ୍ଵର ଆନ୍ଦୋଳନ ଇତିହାସରେ ଏହା ଯେତିକି ବିରଳ, ସେତିକି ଅଭିନବ । ଏହି କ୍ରମରେ ଅନୁଷ୍ଠିତ ରବିବାସରୀୟ ଅଧିବେଶନରେ ଯେଉଁ ସମସ୍ତ ଭାଷାମନସ୍କ  କବିତା ଉପସ୍ଥାପିତ ହେବ, ସେଗୁଡ଼ିକୁ ଏହି ମଞ୍ଚରେ ଆମେ ‘ଭାଷା ମାଆ ପାଇଁ କବିତାଟିଏ ‘ ପୃଷ୍ଠାରେ ସ୍ଥାନିତ କରିବୁ । (ସୁଭାଷ ଚନ୍ଦ୍ର ପଟ୍ଟନାୟକ )]

                                                                             ଶବ୍ଦ-ଭାଷା

                                                                                          ଶଶୀକାନ୍ତ ପଣ୍ଡା,ଅସୁରେଶ୍ୱର, କଟକ।

ଶବ୍ଦ ବ୍ରହ୍ମ, ଶବ୍ଦ ପୁଣ୍ୟ, ଶବ୍ଦ ସନାତନ,
ଵିଦ୍ୟାଦାତ୍ରୀ ସରସ୍ୱତୀ ଦେବୀ କଣ୍ଠସ୍ଵନ;
ଦିବ୍ୟ ଶବ୍ଦମୟ ଭାଷା ,ହୃଦୟ ସ୍ପନ୍ଦନ,
ଭାଷା ପୂଜନୀୟା ମାତା, ପ୍ରାପ୍ତ ଶୀର୍ଷସ୍ଥାନ;

ବ୍ରହ୍ମଶବ୍ଦ ଓଁ କାରୁ ,ବ୍ରହ୍ମାଣ୍ଡ ସୃଜନ,
ଅନନ୍ତ ଅକ୍ଷୟ ଶବ୍ଦ, ବ୍ୟାପ୍ତି ଅକଳନ;
ନିରପେକ୍ଷ ଲିପି, ମାତ୍ରା ସ୍ୱର ବା ଗାୟନ,
ଭାଷା କୋଣ ଅନୁକୋଣ, ଶବ୍ଦ ରସାୟନ;

ଭାଷା, ସାହିତ୍ୟ, ଶବ୍ଦ ବିଭୁ ବରଦାନ,
ସଂଭ୍ରମ ,ଦୟା, ଶ୍ରଦ୍ଧା ,ସ୍ନେହଁ ଆଭୂଷଣ;
ଅସ୍ୱୀୟା ବିରହିତ ଭାଷା ଅଭିଧାନ,
ଏକାତ୍ମ ଅତ୍ମୀୟତା ନିହିତ ଦର୍ଶନ;

ମାତୃଭୂମି ,ମାତୃଭାଷା ଗର୍ଜନ ତର୍ଜନ,
ସଭା ,ସମିତି ,ସଙ୍ଘ, ସତ ସଂଗଠନ;
ଅଦୃଶ୍ୟ ଅବୋଧ୍ୟ ନୁହେଁ କୁମ୍ଭୀର ରୋଦନ,
ଗୌରବ ଗାରୀମା କ୍ଷୟ ସ୍ଵକୀୟ ସ୍ଖଳନ;

ପ୍ରହସନ ପ୍ରବଞ୍ଚନା କ୍ଷଣ ପ୍ରତୀକ୍ଷଣ,
ଆତ୍ମବଡ଼ିମା ମୟ ଶୟନ ସପନ,
ଦୃଶ୍ୟମାନ ଆଭ୍ୟନ୍ତର ସ୍ବସ୍ୱାର୍ଥ ପ୍ରଚ୍ଛନ୍ନ,
ସାହିତ୍ୟ ଧରାଶାୟୀ, ଭାଷା ହୀନିମାନ;