ସରିଯାଇଥିବା ବିଧାନସଭା ଓ ଆମ ଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଜାତି ବିରୁଦ୍ଧର ଯେଉଁ କୁତ୍ସିତ ଅପରାଧ ଓଡ଼ିଶା ବିଧାନସଭାରେ ଘଟିଗଲା ତାହାର ସାମାନ୍ୟ ଆକଳନ କରିବା ପାଇଁ ଭାଷା ବିଧେୟକ ସହ ସେହି ଏକା ଦିନରେ ପାରିତ ହୋଇଥିବା ଅନ୍ୟ ବିଧେୟକଗୁଡ଼ିକୁ ଆମେ ମିଳାଇ ଦେଖିବା ଅକବଶ୍ୟକ ।

ଅନ୍ୟ ବିଧେୟକରେ ନ ଥିଲା, ଏଥିରେ ଥିଲା । କାହିଁକି?

ସେଦିନ ୧.୫.୨୦୧୮ ତାରିଖରେ ବିଧାନସଭା ସମ୍ମୁଖରେ ‘ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ,୨୦୧୮’ ଏକ ମାତ୍ର ବିଧେୟକ ନ ଥିଲା । ଆହୁରି ୪ ଗୋଟି ବିଧେୟକ ସେଦିନ “ବିଚାର ଓ ପାରିତ” ହେବା ପାଇଁ ଥିଲା ଏବଂ ବିଚାର ବିତର୍କ ଶେଷରେ ପାରିତ ବି ହୋଇଥିଲା । ସେଗୁଡ଼ିକ ହେଲା – (୧) ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ, ୨୦୧୮; (୨) ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮; (୩) ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮ ଓ (୪) ଓଡ଼ିଶା ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଧେୟକ, ୨୦୧୮ ।

କେଉଁ ତାରିଖରେ କେତେବେଳେ ଅନୁଷ୍ଠିତ କେଉଁ ସଂଖ୍ୟକ ମନ୍ତ୍ରୀମଣ୍ଡଳ ବୈଠକରେ ଗୃହୀତ ପ୍ରସ୍ତାବ ଅନୁସାରେ ସେଗୁଡ଼ିକ ଭିତରୁ କେଉଁ ବିଧେୟକ ପ୍ରସ୍ତୁତ ହୋଇଥିଲା ତାହା ଏହି ୪ ଗୋଟିଯାକ ବିଧେୟକରୁ କୌଣସି ଗୋଟିକର “କାରଣ ଓ ଉଦ୍ଦେଶ୍ୟ କଥନ”ରେ ବି ଲେଖା ହୋଇନାହିଁ । କେବଳ ଏହି ଗୋଟିକମାତ୍ର ବିଧେୟକ – ‘ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮’ର “କାରଣ ଓ ଉଦ୍ଦେଶ୍ୟ କଥନ”ରେ ଲେଖା ହୋଇଛି, “ତା୨୬.୧୨.୨୦୧୭ରିଖରେ ଡିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ” ଏହି ବିଧେୟକ ପ୍ରଣୀତ ହୋଇଛି? ଏ ବ୍ୟତିକ୍ରମ କାହିଁକି?

ଯେଉଁମାନେ ପଞ୍ଚଦଶ ବିଧାନସଭାରେ ଏ ଜାତିର ସର୍ବୋଚ୍ଚ ନିୟନ୍ତା ଭାବେ ଝଲସୁଥିଲେ , ସେମାନଙ୍କ ଭିତରୁ କେହି ବି ଏହି ତାରତମ୍ୟ ଉହାଡ଼ରେ ଲୁକ୍କାୟିତ ଥିବା ଅଭିସନ୍ଧି ପ୍ରତି ଦୃଷ୍ଟି ଦେଲେ ନାହିଁ , ଯଦିଓ ଏହି ଲୁକ୍କାୟିତ ଅଭିସନ୍ଧି ସମ୍ପର୍କରେ ସେମାନଙ୍କୁ ମୁଁ ଅବଗତ କରାଇଥିଲି ମୋ ଲେଖା ମାଧ୍ୟମରେ ଓ ଅଧିକାଂଶଙ୍କୁ ବ୍ୟକ୍ତିଗଳ ଭାବେ । ଏହା ଓଡ଼ିଆ ଜାତି ବିରୁଦ୍ଧରେ ଓ ଓଡ଼ିଶା ବିଧାନସଭା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ କୁତ୍ସିତ ଓ ଭୟଙ୍କର ଅପରାଧ ଥିଲା । ଏହା ଥିଲା ଏକ କ୍ୟାବିନେଟ୍ ସ୍କାମ୍ । ଏହା ଥିଲା ୧୪.୩.୨୦୧୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବକୁ ଅତ୍ୟନ୍ତ ଅନଧିକୃତ ଭାବେ ମୁଖ୍ୟମନ୍ତ୍ରୀ ଲୁଚେଇ ଦେଇଥିବାର ଜଘନ୍ୟ ଅପରାଧ । ଏବଂ ବିଧାନସଭାକୁ ଏହି ସର୍ବାଧିକ ପ୍ରାସଙ୍ଗିକ କ୍ୟାବିନେଟ୍ ପ୍ରସ୍ତାବ ସମ୍ପର୍କରେ ସମ୍ପୂର୍ଣ ଅନ୍ଧକାରରେ ରଖି ଦୁରଭିସନ୍ଧି ସହ ବିଭ୍ରାନ୍ତ କରିଥିବାର ଅପରାଧ । ଏତଦ୍ଦ୍ବାରା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ନିଜ ଜାଲିଆତିର ଶିକାର କରିବାକୁ ଯାଉଥିବା ମୁଁ orissamatters॰comରେ ସ୍ପଷ୍ଟ ଅଭିଯୋଗ କରିଥିଲି । ଶୀର୍ଷକ ଥିଲା, ‘A FRAUD PERPETRATED BY THE CM ON THE CABINET’ , ଯାହାର ନକଲ ମୁଁ ବହୁ ବିଧାୟକଙ୍କ ହାତରେ ବି ଦେଇଥିଲି ଓ ଏହି ଜାଲିଆତି କବଳରୁ ଓଡ଼ିଶାକୁ ରକ୍ଷା କରିବାକୁ ସେମାନଙ୍କୁ ନିବେଦନ କରିଥିଲି । ଦଳମତ ନିର୍ବିଶେଷରେ ବିଧାନସଭାର ସଭ୍ୟମାନେ ଏବଂ ମନ୍ତ୍ରୀମାନେ ଓଡ଼ିଶା ପ୍ରତି ପ୍ରତିବଦ୍ଧ ହୋଇ ରହିବା ଅପେକ୍ଷା ,ମୁଖ୍ୟମନ୍ତ୍ରୀଙ୍କ ବଶମ୍ବଦ ହୋଇ ରହିବାକୁ ଏତେ ବ୍ୟଗ୍ର ଥିଲେ ଯେ, ଉପରୋକ୍ତ ଦୃଶ୍ୟମାନ ଜାଲିଆତି ଓ ବ୍ୟତିକ୍ରମ ସତ୍ତ୍ୱେ ଏହି ବିଧେୟକର “କାରଣ” ଭାବେ ତହିଁର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଅବିଚ୍ଛେଦ୍ୟ କରାଯାଇଥିବା କ୍ୟାବିନେଟ ପ୍ରସ୍ତାବଟିକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଉପସ୍ଥାପନକାରୀ ମନ୍ତ୍ରୀଙ୍କୁ କହିବାକୁ ଓ ୧୪.୩.୨୯୧୮ର କ୍ୟାବିନେଟ ପ୍ରସ୍ତାବ କୁଆଡ଼େ ଗଳବୋଲି ତାଙ୍କୁ ପଚାରିବାକୁ ସାହସ କରିପାରିଲେନାହିଁ । ସେମାନେ ଯଦି ଏହି ଅପରାଧ ସହ ହାତ ମିଳେନାଥାନ୍ତେ , ତେବେ ଓଡ଼ିଆ ଜାତି ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ର ଧରା ପଡ଼ିଯାଇଥାନ୍ତା ଓ ଓଡ଼ିଶା ସରକାରୀ ଭାଷା ଆଇନର ଶିରଛେଦ କରିବାକୁ ଅଣଓଡ଼ିଆ / ଇଂରାଜିମନସ୍କ ଅମଲାତନ୍ତ୍ର ଦ୍ଵାରା ପରିଚାଳିତ ମୁଖ୍ୟମନ୍ତ୍ରୀ ସକ୍ଷମ ହୋଇନଥାନ୍ତେ ।

ଯଦି ଅନ୍ୟ ବିଧେୟକରେ ରହିଲା, ଏଥିରେ କାହିଁକି ନରହିଲା?

ସେହି ଏକା ଦିନ ଆଲୋଚିତ ଓ ପାରିତ ହୋଇଥିବା ଅନ୍ୟ ଏକ ଭାଷା କୈନ୍ଦ୍ରିକ ବିଧେଯକ ପ୍ରତି ଡୃଷ୍ଟି ଦେଲେ, ସରକାରୀ ଭାଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ତଞ୍ଚକତାର ଭିନ୍ନ ଏକ ପାଖୁଡ଼ା ମେଲେଇ ହୋଇଯାଏ । ସେ ବିଧେୟକଟି ହେଲା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଧେୟକ, ୨୦୧୮’ ।

ଗତ “ତା୨୬.୧୨.୨୦୧୭ରିଖରେ ଦିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକ”ରେ ୨୦ଟି ଭାଷାକୈନ୍ଦ୍ରିକ ନିଷ୍ପତ୍ତି ନିଆଯାଇଥିଲା । ତହିଁର ୪ ନମ୍ବର ପ୍ରସ୍ତାବ ଅନୁସାରେ ଉପରୋକ୍ତ ବିଧେୟକଟି ଆଗତ ହୋଇଥିଲା । ତାହା ନିମ୍ନରେ ଉଦ୍ଧୃତ୍ତ ହେଲା :

“ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମ ଫଳକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରାଯିବା ବାଧ୍ୟତାମୂଳକ କରିବା ପାଇଁ ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ । ଏଥିରେ ଖିଲାପକାରୀକୁ ଦଣ୍ଡର ବ୍ୟବସ୍ଥା ରହିବ । ଖିଲାପକାରୀଙ୍କ ବିରୁଦ୍ଧରେ ତଥ୍ୟ ଦାଖଲ କରିବା ପାଇଁ ଏକ ସ୍ଵତନ୍ତ୍ର ପୋର୍ଟାଲ ପ୍ରଚାଳନ କରାଯିବ , ଯାହା ଫଳରେ ଏହାର ଅନୁପାଳନ ନିଶ୍ଚିତ କରାଯାଇପାରିବ ।“

ଏଥିରେ ଯେମିତି ଖିଲାପକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଆଇନ ସଂଶୋଧନ କଥା କୁହା ହୋଇଥିଲା, ସରକାରୀ ଭାଷା ସମ୍ପର୍କୀୟ ୩ ନମ୍ବର ପ୍ରସ୍ତାବରେ ବି ସେମିତି ଖିଲାପକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଆଇନ ସଂଶୋଧନ କଥା କୁହା ହୋଇଥିଲା । ମାତ୍ର ଏହି ଦୁଇ ପ୍ରସ୍ତାବ ଅନୁସାରେ ଏହି ଦୁଇ ବିଧେୟକ ଯେତେବେଳେ ସମାନ ସମୟରେ ବିଧାନସଭାରେ ରଖାଗଲା, ଦେଖାଗଲା ଯେ, ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବିଧେୟକରେ ଦଣ୍ଡର ସ୍ୱରୂପ ଓ ସୀମା ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ସରକାରୀ ଭାଷା ବିଧେୟକରେ ତାହା ଆଦୌ ନଥିଲା ।

‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’ର ଖିଲାପ କରାଗଲେ ଖିଲାପକାରୀକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି କହି ତାର ପରିମାଣ କେତେଟଙ୍କା ହେବ ତାହା ପ୍ରତିସ୍ଥାପନ ମାଧ୍ୟମରେ ସ୍ପଷ୍ଟ କରି ଦିଆହୋଇଥିଲା । ଯଥା –

“ଧାରା ୩୫॰ ଯଦି କୌଣସି ବ୍ୟକ୍ତି ଏହି ଅଧିନିୟମର କୌଣସି ବ୍ୟବସ୍ଥାର ଉଲ୍ଲଂଘନ କରନ୍ତି ତେବେ ସେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମ ଥର ଅପରାଧ ନିମନ୍ତେ ଅନ୍ୟୂନ ଏକ ହଜାର ଓ ସର୍ବାଧିକ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଏବଂ ଦ୍ଵିତୀୟ ବ ପରବର୍ତ୍ତୀ ଅପରାଧ ନିମନ୍ତେ ଅନ୍ୟୂନ ଦୁଇ ହଜାର ଓ ସର୍ବାଧିକ କୋଡ଼ିଏ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ ହେବେ ।“

ଯଦି ‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ’ ଦେହରେ ଅର୍ଥଦଣ୍ଡର ପରିମାଣ ଏପରି ଭାବେ ବିଧିକୃତ ହୋଇପାରିଲା, ‘ଓଡ଼ିଶା ସରକାରୀ ଭାଷା ଆଇନ’, ଯାହା ଓଡ଼ିଶାର ପିଣ୍ଡ ଆଇନ, ତହିଁରେ ତାହାର ଉଲ୍ଲଂଘନ ବିରୁଦ୍ଧରେ ଅର୍ଥ ଦଣ୍ଡର ପରିମାଣ ବିଧିକୃତ ହେଲା ନାହିଁ କାହିଁକି ? ସେଦିନ “ବିଚାର ଓ ପାରିତ” ହେବାକୁ ଥିବା ସବୁ ବିଧେୟକଗୁଡ଼ିକ ଏକ ସଙ୍ଗେ ସବୁ ବିଧାୟକଙ୍କୁ ଦିଆଯାଇଥିଲା ଓ ବିଧାନସଭାରେ ଥୁଆ ହୋଇଥିଲା । ଆମ ବିଧାୟକମାନେ କାହିଁକି ଏହି ପ୍ରଶ୍ନ ତୋଳିଲେନି?

ବିଧାନସଭା ସମ୍ମୁଖରେ ସମାନ ସମୟରେ ରଖାହୋଇଥିବା ଏହି ଦୁଇଟିଯାକ ଭାଷାକୈନ୍ଦ୍ରିକ ବିଧେୟକରେ ଖାଲି ଆଖିରେ ଧରାପଡୁଥିବା ଏହି ଭିନ୍ନତାରୁ ଆଖି ଏଡ଼େଇ ନେବା ପାଇଁ ଭାଷା ବିଧେୟକଟିରେ ଯେହେତୁ ମନ୍ତ୍ରୀମଣ୍ଡଳର ପ୍ରସ୍ତାବର ଦ୍ଵାହୀ ଦିଆଯାଇଛି, ସେହେତୁ ଆମ ବିଧାୟକବର୍ଗଙ୍କର ସର୍ବନିମ୍ନ କର୍ତ୍ତବ୍ୟ ଥିଲା ସେହି ନିର୍ଦ୍ଦିଷ୍ଟ ପ୍ରସ୍ତାବଟି କଣ ଥିଲା ତାହା ଦେଖିବା । ସେମାନେ ଦେଖିଲେନି ।

କଣ ଥିଲା ସେଇ ପ୍ରସ୍ତାବ?

ପୁନରୁକ୍ତିର ବିଡ଼ମ୍ବନା ପ୍ରତି ସଚେତନ ଥାଇ, କେବଳ ଏହି ସ୍ଥିତିରେ ପ୍ରାସଙ୍ଗିକତା ଦୃଷ୍ଟିରୁ ମୁଁ ସେହି ପ୍ରସ୍ତାବଟିକୁ ଉଦ୍ଧାର କରୁଛି । ତାହା ହେଲା:

“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ ।”

ଅର୍ଥାତ୍ ଯେଉଁ ବିଭାଗ ଏବଂ କର୍ମଚାରୀ ସରକାରୀ କାମରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବେ ସେହି ବିଭାଗକୁ ଏବଂ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ, ଯେଉଁ ବିଭାଗ ଏବଂ କର୍ମଚାରୀ ବହୁଳ ବ୍ୟବହାର ନ କରିବେ ତାଙ୍କୁ ଦଣ୍ଡିତ କରାଯିବ । ପ୍ରସ୍ତାବଟି “ତଥା” ଶବ୍ଦ ବ୍ୟବହାର କରି ବିଭାଗ ସହ କର୍ମଚାରୀଙ୍କୁ ଯୋଡ଼ିଛି । ବିଭାଗ ଦଣ୍ଡିତ ହେଲେ ସେ ଦଣ୍ଡ କି ଦଣ୍ଡ ହେବ? ମୁଁ ମୋ ପ୍ରସ୍ତାବିତ ନିୟମାବଳୀରେ, ଅର୍ଥଦଣ୍ଡର ଯେଉଁ ବ୍ୟବସ୍ଥା ରଖିଥିଲି , ଯାହା ହିଁ ଏତେ ବର୍ଷ ପରେ ଭାଷା ଆଇନ ସଂଶୋଧନ ପାଇଁ ସରକାରୀ ଉଦ୍ୟମର ଥିଲା ମୂଳଭିତ୍ତି, ତଦନୁଯାୟୀ ବିଚାରିଲେ, ବିଭାଗଗୁଡ଼ିକ ଅର୍ଥଦଣ୍ଡରେ ଦଣ୍ଡିତ ହେବେ ବୋଲି ମନେକରାଯିବା ସ୍ଵାଭାବିକ । ବିଭାଗଗୁଡ଼ିକ ଯେହେତୁ ଜନସାଧାରଣଙ୍କ ଅର୍ଥରେ ପରିଚାଳିତ , ସେହେତୁ ସେଗୁଡ଼ିକୁ ଅର୍ଥଦଣ୍ଡ ଦିଆଯିବା ଜନସାଧାରଣଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ସମାନ । ତେଣୁ ମୁଁ ମୋର ଉପର ସୂଚିତ ଲେଖାରେ ତାହାକୁ ବିରୋଧ କରିଥିଲି ଓ ମୋ ସହ ଏକମତ ହୋଇ ମୋର ସାଥୀମାନେ କଳା ପତାକା ଅଭିଯାନ ଜାରି ରଖିବାରୁ ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ୧୪.୩.୨୦୧୮ ତାରିଖରେ ଦଣ୍ଡବିଧାନ ପରିକଳ୍ପନାରୁ ବିଭାଗଗୁଡ଼ିକୁ ବାଦ ଦେଇ କେବଳ ପଦାଧିକାରୀ ଏବଂ କର୍ମଚାରୀଙ୍କୁ ଦଣ୍ଡ ଦେବାର ପ୍ରସ୍ତାବ ଗ୍ରହଣ କରିଥିଲା । ଦୁଃଖର କଥା, ଏହି ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ର ଓଡ଼ିଆଦ୍ରୋହୀ ପ୍ରସ୍ତାବ ଉପରେ ସଂଶୋଧନ ବିଧେୟକଟିକୁ ଠିଆ କରାଇଲେ ସରକାର ଓ ଓ ଆମ ବିଧାୟକମାନେ ଏହି ସ୍କାମ୍ ଜାଣି ମଧ୍ୟ ପଟି ଫିଟାଇଲେନାହିଁ !

ଆହୁରି ଦୁଃଖର କଥା , ବିଧେୟକଟିର ଚିଠା କରାଗଲାବେଳେ ଓଡ଼ିଆଦ୍ରୋହୀଙ୍କୁ ସୁହାଇବା ପାଇଁ ସେହି ପ୍ରସ୍ତାବରେ ଅନଧିକୃତ ଭାବେ ଅଦଳବଦଳ (tampering) ବି କରାଯାଇଥିଲା, ଯାହାକୁ ବିଧାୟକମାନେ ବିଧିସମ୍ମତ କରିଦେଲେ ! ବିଧାନସଭା ହୋଇଗଲା ଜାଲିଆତିର କମାରଶାଳ ! ଲଜ୍ଜା । (କ୍ରମଶଃ)
(୨୭.୫.୨୦୧୯)

ସରିଯାଇଥିବା ବିଧାନସଭା ଓ ଆମ ଭାଷା (୧)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ପଞ୍ଚଦଶ ବିଧାନସଭାର ଆୟୁଷ ସରିଯାଇଛି । ଆମ ଭାଷା ଇତିହାସରେ ଏହା ଏକ ସ୍ମରଣୀୟ ତଥା ଭର୍ତ୍ସନୀୟ ବିଧାନସଭା ହୋଇ ରହିବ । ଏହା ମୋ ପାଇଁ ସ୍ମରଣୀୟ ହୋଇ ରହିବ ଏଇଥିପାଇଁ ଯେ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇ ମଧ୍ୟ ଅକାମି ହୋଇ ପଡ଼ିରହିଥିବା ଓଡ଼ିଶା ସରକାରୀ ଭାଷା ଆଇନଟିକୁ କାର୍ଯ୍ୟକ୍ଷମ କରିବାକୁ ୩ .୯.୨୦୧୫ରେ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ହିଁ ଏହି ବିଧାନସଭା ଦ୍ଵାରା ୨୮ .୯.୨୦୧୬ ତାରିଖରେ ଆଇନରେ ପରିଣତ ହୋଇଥିଲା ଏବଂ ଭାଷା ଆଇନରେ ଥିବା ଯେଉଁ ଆଜନ୍ମ ତ୍ରୁଟିକୁ କେହି ଜାଣି ପାରିନଥିଲେ ସେ ପର୍ଯ୍ୟନ୍ତ, ତାହା ସୁଧୁରିଯାଇ ତହିଁର ନିଯମାବଳୀ ପ୍ରଣୟନ ପାଇଁ ସରକାର ସକ୍ଷମ ହୋଇଥିଲେ । ଓଡ଼ିଶା ସରକାରୀ ଭାଷା ଆଇନରେ ଯୋଡ଼ି ହୋଇଯାଇଥିଲା ଏକ ନୂଆ ଧାରା – ଧାରା ୫; ଯାହାର ସ୍ୱରୂପ ଥିଲା : “ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବା ସକାଶେ ରାଜ୍ୟ ସରକାର ନିଯମାବଳୀ ପ୍ରଣୟନ କରିପାରିବେ ।“

“ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ ୨୦୧୬” ନାମରେ ନାମିତ ଏହି ବିଧେୟକ ଥିଲା ୨୧ .୫. ୨୦୧୬ ତାରିଖରେ ରାଜ୍ୟ ସରକାର ଜାରିକରିଥିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧ୍ୟାଦେଶ ,୨୦୧୬ର ବିଧିରୂପ । ସୁତରାଂ ଏହା ମୋର ବ୍ୟକ୍ତିଗତ ଓ ଭାଷା ଆଂଦୋଳନର ସାମୁହିକ ବିଜୟ ଥିଲା ।

ଏହି ଅନନ୍ୟ ଉପଲବ୍ଧିର ଉତ୍ସବ ପାଳନ ବେଳେ, ସେତେବେଳେ ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ଆନ୍ଦୋଳନକାରୀମାନଙ୍କୁ କହିଥିଲେ,

“ସର୍ବ ପ୍ରଥମେ ସମସ୍ତେ ଜାଣିବା ଦରକାର ଯେ, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠି ପାରିଲା ଓ ଏତେ ବାଟ ଆଗେଇ ପାରିଛି, ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ , କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା, ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ର ଗୋଟିଏ ଆଇନକୁ କାହିଁକି ୨୦୧୬ ମେ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ? ଆମେ ଯେଉଁମାନେ ଓଡ଼ିଶା ସମ୍ପର୍କରେ ଆଲୋଚନା କରୁ, ମୋ ମନକୁ ଏ ପର୍ଯ୍ୟନ୍ତ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା , ଓଡିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞଲୋକ ଥିଲେ, ଏତେ ମୁଖ୍ୟମନ୍ତ୍ରୀ ଗଲେଣି, କେହି କଣ ଜାଣିପାରିଲେ ନାହିଁ ଯେ, ଏହି ଆଇନଟି ସଂଶୋଧନ ନ କଲା ପର୍ଯ୍ୟନ୍ତ ଏହା ଦ୍ଵାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ? ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି, ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲିଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ, କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିସ୍କାର ହେବ ଏବଂ ତାର ସଂସ୍କାର ପାଇଁ ବାଟ ଫିଟିବ ।“

‘ଭାଷା ପାଇଁ ଗଣ ଓ ଗଣମାଧ୍ୟମ’ ଶୀର୍ଷକ ଭାଷା ଆଂଦୋଳନର ସ୍ମରଣିକା, ଯାହାକୁ ସୌମ୍ୟବାବୁ ୩୦.୧୧.୨୦୧୬ ତାରିଖରେ ଲୋକାର୍ପିତ କରିଥିଲେ, ତହିଁରେ ଏହି ଭାଷଣଟି ସମଗ୍ରତଃ ପ୍ରକାଶିତ ହୋଇଛି । ଏହା ମଧ୍ୟ ସାଉଣ୍ଡକ୍ଲାଉଡ୍ ଡଟ୍ କମ୍ ମାଧ୍ୟମରେ https://soundcloud.com/orissamatters/sambad-editor-soumya-ranjan-patnaik-on-bhasa-andolan ସରଣିରେ ଉପଲଭ୍ୟ ।

ମୋ ପ୍ରସ୍ତାବଟି ଏହିପରିଭାବେ ଯେତେବେଳେ ଏହି ବିଧାନସଭାରେ ଆଇନରେ ରୂପାନ୍ତରିତ ହୋଇଛି ଏହା ମୋ ପାଇଁ ବ୍ୟକ୍ତିଗତ ସ୍ତରରେ ସ୍ମରଣୀୟ ହୋଇ ରହିବା ସ୍ଵାଭାବିକ । ମାତ୍ର ଏହାକୁ ଏକ ଭର୍ତ୍ସନୀୟ ବିଧାନସଭା ବୋଲି ମଧ୍ୟ ମୁଁ କହିବି । କାରଣ ଏହି ଯେଉଁ ବିଧାନସଭାର ଆୟୁଷ ସରିଗଲା, ତାହା ଆମ ରାଜ୍ୟ ପ୍ରତିଷ୍ଠାର ଉଦ୍ଦେଶ୍ୟ ସଫଳ କରିବାକୁ ସବୁ ସୁଯୋଗ ଥିଲେ ମଧ୍ୟ, ସେଥିପାଇଁ ଉଦ୍ୟମ ନ କରି ଓଡ଼ିଶା ସରକାରୀ ଭାଷା ଆଇନରେ ୪ ଓ ୪କ ନାମକ ଏପରି ଦୁଇଟି ଧାରା ଯୋଡ଼ିଦେଲା ଯେ, ସେଗୁଡ଼ିକୁ ବିଲୋପ କରା ନ ଗଲେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଯିବ ।

ଆମ ରାଜ୍ୟର ସୃଷ୍ଟି ମୂଳରେ ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ତା୨୯.୮.୨୦୦୯ରିଖରେ ସ୍କ୍ରାଇବ୍ଦ॰କମରେ ଥିବା ମୋ ଲିଖିତ ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ପୁସ୍ତକରେ ଏହା ପ୍ରତିପାଦିତ । ପରେ ୨୯.୧୨.୨୦୧୫ରେ ଏହାର ମୁଦ୍ରିତ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଲା, ଏହା ଉପରେ ଏକ ପ୍ରାକ୍ ସମୀକ୍ଷା ରଖିବାକୁ ପ୍ରକାଶକଙ୍କ ଦ୍ଵାରା ନିବେଦିତ ହୋଇ ଓଡ଼ିଆ ଜାତିର ଅନ୍ୟତମ ଶ୍ରେଷ୍ଠ ଜାତୀୟତାବାଦୀ କବି ଉମାକାନ୍ତ ରାଉତ (କବି ଅରୂପ) ସାମ୍ବାଦିକତାକୁ ଉଚ୍ଚାଙ୍ଗ ସାହିତ୍ୟର ସ୍ଵୀକୃତି ପ୍ରଦାନ କରାଇଥିବା ସେ ବର୍ଷର ନୋବେଲ ବିଜୟିନୀ ଶ୍ଵେତଲାନା ଆଲେକଜାନ୍ଦ୍ରୋଭାନା ଅଲେକ୍ସିଏଭିଚଙ୍କଏଙ୍କ ଉକ୍ତି ଉଦ୍ଧୃତ୍ତ କରିଥିଲେ, ଯାହା ତାଙ୍କ ଅନୁବାଦ ଅନୁସାରେ “ମୁଁ ଏକ ସୁଧାର ପଞ୍ଜିକାର ନୁହେଁ ; ମୋ ହୃଦୟ ସବୁବେଳେ ଥାଏ ସେହିମାନଙ୍କ ପାଖରେ (ଯାହାଙ୍କ ପାଇଁ ମୁଁ ଲେଖେ )। ମୁଁ କେବଳ ଇତିହାସର ଶୁଷ୍କ ତଥ୍ୟ ସଂଗ୍ରହ କରେନାହିଁ ; ସଂଗ୍ରହ କରେ ମଣିଷର ଅନୁଭବ ଓ ଆବେଗ ଏବଂ ତାକୁ ନେଇ ଲେଖେ ସତ୍ୟସିଦ୍ଧ ଅବେଗିକ ଇତିହାସ ।”

ଏହି ଉଦ୍ଧୃତ୍ତି ଉପସ୍ଥାପିତ କରି ସେ ଲେଖିଛନ୍ତି,

“ମୋ ଦୃଷ୍ଟିରେ ଏ ଉକ୍ତିଟି ମଧ୍ୟ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପାଇଁ ପ୍ରଯୁଜ୍ୟ । ଶ୍ଵେତଲାନାଙ୍କ ଭଳି, କେବଳ ତଥ୍ୟ ପରିବେଷଣର ମାମୁଲି ମାଧ୍ୟମ ନୁହେଁ, ତଥ୍ୟ ଓ ତତ୍ ସମ୍ବଳିତ ଆବେଗିକ ଇତିହାସକୁ ନାନ୍ଦନିକତାର ନିଭେଜାଲ ଦସ୍ତାବିଜରେ ପରିଣତ କରି ସେ ଜନଗଣଙ୍କୁ ଆଗକୁ ବଢ଼ିବାର ନିରନ୍ତର ପ୍ରଚେଷ୍ଟାରେ ଥାନ୍ତି ।

ଓଡ଼ିଆମାନଙ୍କର ଭୌଗୋଳିକ ସମ୍ପତ୍ତି ଓ ଐତିହ୍ୟ ଲୁଟ ସମ୍ପର୍କିତ ଅନଲୋଚିତ ତଥ୍ୟଦ୍ୱାରା ଋଦ୍ଧିମନ୍ତ ତାଙ୍କର ଏହି ସଙ୍କଳନ ପ୍ରତିଟି ଓଡ଼ିଆର ଆଖି ଖୋଲିଦେବା ପାଇଁ ସମର୍ଥ ନିଷ୍ଠାପର ପ୍ରଯତ୍ନ । ପ୍ରମାଣସିଦ୍ଧ ତଥ୍ୟ ସମ୍ବଳିତ ଏହି ଗବେଷଣାତ୍ମକ ନିବନ୍ଧର ପ୍ରତିଟି ବାକ୍ୟ, ପ୍ରତିଟି ଶବ୍ଦର ଉଲ୍ଲାସ ଓଡ଼ିଆ ଜାତିର ପ୍ରାଣଶକ୍ତିକୁ ଉଜ୍ଜୀବିତ କରିବାକୁ ସକ୍ଷମ ।”

ସମସ୍ତଙ୍କ ପାଇଁ ସୁଲଭ୍ୟ ସ୍କ୍ରାଇବ୍ଦ॰କମରେ ଥିବା ଏହାର ପ୍ରଥମ କୋମଳ ସଂସ୍କରଣ https://www.scribd.com/doc/19216578/Role-of-Mass-Media-in-Creation-of-Orissa ସରଣୀରେ ମଧ୍ୟ ଉପଲଭ୍ୟ ।

ଏହି ନିବନ୍ଧରେ ବର୍ଣୀତ ପଟ୍ଟଭୂମିରେ ଯେହେତୁ ଓଡ଼ିଶା ପ୍ରଦେଶ ଗଠିତ ହୋଇଛି , ସେହେତୁ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ ପ୍ରଥମ ଉତ୍କଳ ଦିବସ ପାଳନ ଅବସରରେ, ୧.୪.୧୦୪୮ ତାରିଖରେ ଭାଷାଜାତୀୟତାର ପାବନପୀଠ ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ତଦାନୀନ୍ତନ ଓଡ଼ିଶା ବିଧାନସଭାରେ ଏକ ସଂକଲ୍ପ ଆଗତ କରି ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ ସକାଶେ ଦାବି ରଖିଥିଲେ । ଏହି ପ୍ରଥମ ଉଦ୍ୟମ ଅତ୍ୟନ୍ତ ଅନ୍ତର୍ଘାତୀ ପରିସ୍ଥିତିରେ ବ୍ୟର୍ଥ ହୋଇଯିବାର ଦୁଖଦ ଦୃଶ୍ୟପଟକୁ ମୁଁ ବିଭିନ୍ନ ସ୍ଥଳରେ ଆଲୋଚନା କରିଛି । ଏଠାରେ ମଧ୍ୟ

ପଣ୍ଡିତ ମିଶ୍ରଙ୍କ ଆବେଗକୁ ଆଖିରେ ରଖି ମନୀଷୀ ନବକୃଷ୍ଣ ଚୌଧୁରୀ ପ୍ରଥମ ସାମ୍ବିଧାନିକ ବିଧାନସଭାରେ ହିଁ ୧୯୫୪ରେ ଉପସ୍ଥାପିତ କରିଥିଲେ ଓଡ଼ିଶା ସରକାରୀ ଭାଷା ବିଧେୟକ, ଯାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇ ଆଇନରେ ପରିଣତ ହୋଇଥିଲା ଓ ଆମ ସମଗ୍ର ରାଜ୍ୟ ପାଇଁ ତତ୍କାଳ ଲାଗୁହୋଇଥିଲା । ଏହି ଆଇନ ସାରା ଓଡ଼ିଶାରେ ସମସ୍ତ ଓ ଯେକୌଣସି କାମରେ ଓଡ଼ିଆ ହିଁ ହେବ ସରକାରୀ ଭାଷା ବୋଲି ଜାରି କରିଥିଲା । ଅଥଚ ଏହି ଗତାୟୁ ବିଧାନସଭା ଏହି ଆଇନର ଶିରଛେଦ କରିଛି ଏବଂ ଏପରି ବ୍ୟବସ୍ଥା କରିଛି ଯେ, ଯେଉଁ କର୍ମଚାରୀ/ପଦଧିକାରୀମାନେ ସମ୍ପୂର୍ଣତଃ ଓଡ଼ିଆରେ କାମ ନକରିବେ ସେମାନେ ସରକାରଙ୍କ ଦ୍ଵାରା ପୁରସ୍କୃତ ହେବେ ।

ଅବୈଧ ବିଧାନ

ଏହି ଅବୈଧ ବିଧାନ ପ୍ରଣଯନ କରିବାକୁ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ସ୍କାମ ଘଟାଇଥିବାର ତଥ୍ୟ ମୁଁ ପ୍ରଘଟ କରିଥିଲେ ମଧ୍ୟ ଏବଂ ବହୁ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତାହା ଅବଗତ କରାଇଥିଲେ ମଧ୍ୟ ଏହି ଗତାୟୁ ବିଧାନସଭାର କେହି ଜଣେ ହେଲେ ସଭ୍ୟ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ପାରିତ ହେବା ବେଳେ ତହିଁର ବିରୋଧ ନ କରିବାରୁ ଅଣଓଡ଼ିଆ ଅଧ୍ୟୁଷିତ ଅମଲାଗୋଷ୍ଠୀର ଚକ୍ରାନ୍ତ ସଫଳ ହୋଇଛି ଓ ଆମ ଭାଷାଜନନୀ ଘୋର ବିପଦାପନ୍ନ ଅବସ୍ଥାରେ ପଡିଛି ।

ମୁଁ ପ୍ରଥମେ ୪କ ଧାରାର ବିପଜ୍ଜନକତା ଓ କେଉଁ ଅପରାଧିକ ସରକାରୀ ଆଚରଣ ସହ ସହଯୋଗ କରି ଓଡ଼ିଶା ବିଧାନସଭା ଏହି ବିପଜ୍ଜନକ ଧାରାକୁ ବିଧିକୃତ କଲା , ତହିଁର ବିବରଣୀ ରଖିବି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧେୟକ ଆଗତ କରିବା ପାଇଁ ବିଧାନସଭାକୁ ଅବଗତ କରାଇଥିଲେ ମଧ୍ୟ ଏହାକୁ ତାଙ୍କ ତରଫରୁ ୧.୫.୨୦୧୮ ତାରିଖରେ ଆଗତ କରିଥିଲେ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ସେ କହିଥିଲେ:

“ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ ତାଙ୍କର ୨୬.୧୨.୨୦୧୭ ତାରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ , ୨୦୧୮ ଅଣାଯାଇଛି ।“

ସେଦିନ ବିଧାନସଭାରେ ଉପସ୍ଥିତ ସମସ୍ତ ମନ୍ତ୍ରୀ ଓ ବିଧାୟକ ଜାଣିଥିଲେ ଯେ, ଆରୁଖ ମିଛ କହିଛନ୍ତି । କାରଣ ସେମାନେ ସମସ୍ତେ ଜାଣିଥିଲେ ଯେ, ସଂଶୋଧନ ବିଧେୟକଟି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ନିଷ୍ପତ୍ତି ଉପରେ ନ ଆସି ୧୪.୩.୨୦୧୮ ତାରିଖର କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସିବାର ଥିଲା । ଅଥଚ ଆରୁଖଙ୍କ ମିଛ ବୟାନ ପାଇଁ କୌଣସି ଜଣେ ବି ମନ୍ତ୍ରୀ ଓ/ବା ବିଧାୟକ ତାଙ୍କୁ ବା ସେ ପ୍ରତିନିଧିତ୍ଵ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିନଥିଲେ; କି ବିଧାନସଭାକୁ ମିଛକଥା କହି ଆଇନ ସଂଶୋଧନ ପାଇଁ ଗୋଟି ଚଳାଯାଇଥିବା ହେତୁ ବିଧେୟକଟିକୁ ପ୍ରତ୍ୟାଖ୍ୟାନ କରିନଥିଲେ । ବିଧାନସଭାରେ ଏହି ଅବୈଧ ବିଧେୟକ ବିନା ବାଧାରେ ପାରିତ ହୋଇଯାଇଥିଲା ।

କ୍ୟାବିନେଟ ସ୍କାମ

ଏହି ବିଧେୟକ ପାଇଁ କ୍ୟାବିନେଟ ସ୍କାମ୍ ପରି ଏକ ନାହିଁନଥିବା ଅପରାଧ ଯେ ଘଟାଯାଇପାରେ ତାହା କଳ୍ପନାତୀତ, କିନ୍ତୁ ସତ୍ୟ । ପ୍ରକୃତରେ କଣ ଏହି ସ୍କାମ୍?

ମୋ ପ୍ରଦତ୍ତ ପ୍ରସ୍ତାବ ଅନୁସାରେ ଭାଷା ଆଇନକୁ ଆଗକୁ ନେବା ସକାଶେ ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା ହାସଲ କରିବାକୁ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ବଳରେ ଓଡ଼ିଶା ସରକାରୀ ଭାଷା ଆଇନରେ ସରକାର ଧାରା ୫ ଯୋଗ କରିଥିଲେ ମଧ୍ୟ, ୧୨.୮.୨୦୧୬ ତାରିଖରେ ଯେଉଁ ନିଯମାବଳୀ ପ୍ରଣୟନ କଲେ ତାହା ଥିଲା ଓଡ଼ିଆ ଭାଷା ଅସ୍ମିତା ଉପରେ ଏକ ପ୍ରଚଣ୍ଡ ପଦାଘାତ । ୩.୯.୨୦୧୫ରେ ମୁଁ ଦେଇଥିବା ନିଯମାବଳୀର ନାମଗନ୍ଧ ବି ଏଥିରେ ନଥିଲା, ଯଦିଓ ସେହି ନିଯମାବଳୀ ସପକ୍ଷରେ ଭାଷା ଆନ୍ଦୋଳନ ଚାଲିଥିଲା । ଫଳରେ ଉପରୋକ୍ତ ଅଧ୍ୟାଦେଶ ପରେ ସ୍ଥଗିତ ଥିବା କଳା ପତାକା ଅଭିଯାନର ପୁନରାରମ୍ଭ ହୋଇଥିଲା ୧୬.୮.୨୦୧୬ ତାରିଖରୁ ।

ଏହି ପ୍ରେକ୍ଷପଟରେ , ମୁଖ୍ୟମନ୍ତ୍ରୀ ଆମ ଭାଷାର ବିରୋଧୀ ବୋଲି ଅନୁଭବ କରି ତାଙ୍କ ଦଳରେ ମଧ୍ୟ ଅସନ୍ତୋଷ ପ୍ରଖର ହୋଇ ଉଠିଥିଲା । ତେଣୁ,, ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ନୂଆ ଚାଲ୍ ଖେଳିଥିଲେ । ତାଙ୍କ ଦଳର କର୍ମୀମାନଙ୍କୁ ଏବଂ ସେମାନଙ୍କ ମାଧ୍ୟମରେ ସାରା ଓଡ଼ିଶାକୁ ଏହି ବାର୍ତ୍ତା ଦେବାକୁ ଯେ, ସେ ଓଡ଼ିଆ ବିରୋଧୀ ନୁହନ୍ତି, ନବୀନବାବୁ ତାଙ୍କ ଦଳର ବିଂଶତିତମ ଜନ୍ମବାର୍ଷିକୀ ପାଇଁ ପୁରୀରେ ଏକ ବିଶାଳ ସମାବେଶ କରାଇ, ସେହିଠାରେ ମନ୍ତ୍ରୀମଣ୍ଡଳର ବୈଠକ ବସାଇ ଓଡ଼ିଆ ଭାଷାକୈନ୍ଦ୍ରିକ ୨୦ଟି ପ୍ରସ୍ତାବ ଗ୍ରହଣ କରିଥିଲେ । ମନ୍ତ୍ରୀସ୍ତରୀୟ କମିଟିରେ ମୁଁ ଦେଇଥିବା ପ୍ରସ୍ତାବ ଛାୟାରେ ଭାଷା ଆଇନ ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ଭାଷା ଆଇନ ସଂଶୋଧନ ହେବ ବୋଲି ଏକ ପ୍ରସ୍ତାବ (ପ୍ରସ୍ତାବ ନମ୍ବର ୩) ତହିଁର ଅନ୍ତର୍ଗତ ଥିଲା । ମୁଁ ତହିଁର ଦୁରଭିସନ୍ଧି ଉପରେ ତତ୍କାଳ ଆଲୋକପାତ କରିଥିଲି bhashandolan॰comରେ ଏବଂ ତହିଁ ଉପରେ ସବିଶେଷ ବ୍ୟାଖ୍ୟା ରଖିଥିଲି ବିଶ୍ଵବ୍ୟାପୀ ଓଡ଼ିଆମାନଙ୍କ ସମ୍ମୁଖରେ orissamatters॰comରେ, ଯଥାକ୍ରମେ http://bhashaandolan.com/cabinet-resolution-too-tricky-to-be-noted-as-honest/https://orissamatters.com/2017/12/27/bhasha-andolan-refuses-to-be-hoodwinked-by-the-state-cabinet/ ସରଣୀରେ । ଭାଷା ଆଂଦୋଳନର ସବୁ ସାଥୀ ମୋ ସହ ଦୃଢ଼ ଭାବେ ଠିଆ ହୋଇ ସରକାରଙ୍କ ଧୂର୍ତ୍ତତାକୁ ପଦାରେ ପକାଇ ଦେବା ପରେ ଓ କଳା ପତାକା ଅଭିଯାନ ଚାଲିରହିବା ଫଳରେ ମନ୍ତ୍ରୀମଣ୍ଡଳର ବହୁ ସଭ୍ୟ ୨୬ .୧୨॰ ୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବକୁ ବିଲୋପ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ପକାଇଲେ । ଫଳରେ ୧୪ .୩. ୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ପୁନଶ୍ଚ ବସି ନୂଆ ପ୍ରସ୍ତାବ ଗ୍ରହଣ କରିଥିଲା । ଯଥା –

“୧. ଓଡ଼ିଆ ଭାଷା କମିଟି ଦ୍ଵାରା ସମୀକ୍ଷା ସମୟରେ ଅନେକ ସରକାରୀ କର୍ମଚାରୀ /ଅଧିକାରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ କରୁନଥିବା କିମ୍ବା ଠିକ ଭାବରେ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
୨॰ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଯଦିଓ ୧୯୫୪ ମସିହା ଠାରୁ ଲାଗୁ ହୋଇଅଛି ଏବଂ ଏହାର ଧାରା ୨ ଉପଧାରା (୨) ଅନୁସାରେ ୧୯୮୫ ମସିହାରେ ବିଜ୍ଞାପନ ଦ୍ଵାରା ସରକାରୀ କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ନିୟମ କରାଯାଇଅଛି, ଯେହେତୁ ଏଥିରେ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ନାହିଁ , ଅନେକ ଅଧିକାରୀ ଏହାକୁ ସୂଚାରୁ ରୂପେ ପାଳନ କରୁନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଅଛି ।
“୩॰ ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ର ଧାରା ୨ ଉପଧାରା (୨) ଅନୁଯାୟୀ ବିଜ୍ଞପ୍ତି କରାଯାଇଥିବା ନିୟମ ଯେଉଁ ଅଧିକାରୀ / କର୍ମଚାରୀମାନେ ପାଳନ କରିବେ ନାହିଁ, ସେମାନଙ୍କ ପାଇଁ ଦଣ୍ଡବିଧାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
୪॰ ସେହିପରି ଯେଉଁ ଅଧିକାରୀ / କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ସଠିକ ପ୍ରୟୋଗ କରିବେ ସେମାନଙ୍କୁ ପୁରସ୍କୃତ କରିବା ପାଇଁ ସରକାର ସ୍ଥିର କରିଛନ୍ତି ।“

ଏହି ହେତୁ ଆମ ବିଚାରରେ ୧୪.୩.୨୦୧୮ ତାରିଖର କ୍ୟାବିନେଟ ଆମ ଭାଷା ଆଇନ ବିରୁଦ୍ଧରେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ କରିଥିବା ଭୁଲ ସୁଧାରି ଦେଇଥିଲା ଓ ଆମ ପାଇଁ ଗ୍ରହଣଯୋଗ୍ୟ ହୋଇଥିଲା । ଏହା ବୁଝିବାକୁ ହେଲେ, ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବଟି କଣ ଥିଲା ତାହା ଦେଖାଯାଉ । ତାହା ଥିଲା ଏହିପରି :

“୩॰ ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଦ୍ଧାରଣ କରିବେ ।”

ଅତଏବ, ସାରା ଓଡ଼ିଶା ପରିବର୍ତ୍ତେ, ବିଭାଗମାନେ ନିର୍ଦ୍ଦାରଣ କରିବାକୁ ଥିବା କ୍ଷେତ୍ରରେ ଭାଷା ଆଇନର କାର୍ଯ୍ୟକାରୀତା ସୀମିତ ରହିବ ଓ ଆମ ଭାଷାର ମାନଦଣ୍ଡ କଣ ହେବ / ରହିବ ତାହା ଆମ ଜାତି ବା ଆମ ଜାତିର ଆଇନ ପ୍ରଣେତାମାନଙ୍କ ପରିବର୍ତ୍ତେ କର୍ମଚାରୀ କାମ କରୁଥିବା ବିଭାଗ ଧାର୍ଯ୍ୟ କରିବେ ଏବଂ ଯେଉଁ କର୍ମଚାରୀ ଓ ବିଭାଗମାନେ ଆମ ଭାଷାର ବହୁଳ ବ୍ୟବହାର କରିବେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ , ଅର୍ଥାତ୍ ଯେଉଁମାନେ ସରକାରୀ କାମରେ ଆମ ଭାଷାର ସମ୍ପୂର୍ଣ ବ୍ୟବହାର ନ କରିବେ, ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ କରିଥିଲା । ଏହାଠୁ ବଳି ଅବିମୃଷ୍ୟକାରୀତା କଣ ଆଉ ଥାଇପାରେ? ସ୍ଵାଭାବିକ ଭାବେ ଆମେ ତାକୁ ବିରୋଧ କରିଥିଲୁ ।

ଏହା ମୁଁ ମୋ ନିଜ ନଭନିବାସ ସମେତ ଓଡ଼ିଶାର ଏକାଧିକ ସମ୍ବାଦପତ୍ରରେ ଅଲୋଚନା କଲା ପରେ ଏହି ଅବିମୃଷ୍ୟକାରୀତାର ପରିସମାପ୍ତି ଘଟାଇ ଥିଲା ୧୪.୩.୨୦୧୮ ତାରିଖର କ୍ୟାବିନେଟ ।

ପ୍ରଥମତଃ ଏହା ମୋ ପ୍ରଦତ୍ତ ଉଦ୍ଦେଶ୍ୟିକାକୁ ସମ୍ପୂର୍ଣତଃ ଗ୍ରହଣ କରି “ଯେହେତୁ ଏଥିରେ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ନାହିଁ , ଅନେକ ଅଧିକାରୀ ଏହାକୁ ସୂଚାରୁ ରୂପେ ପାଳନ କରୁନଥିବା” ସ୍ଵୀକାର କରିଥିଲା ଓ ସେହେତୁ ସଂଶୋଧନ-ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ କଣ ହେବ ତାହା ଏକପ୍ରକାର ନିର୍ଦ୍ଧାରିତ କରିଦେଇଥିଲା । ଦ୍ଵିତୀୟତଃ ୧୮୮୫ର “ବିଜ୍ଞାପନ” (Notification ବା ଅଧିସୂଚନା)ର ସମ୍ପୁର୍ଣ କାର୍ଯ୍ୟକାରୀତାକୁ କେନ୍ଦ୍ରୀୟ କାରଣ କରି ବିଭାଗଗୁଡ଼ିକର ନିର୍ଦ୍ଧାରଣୀୟ “କ୍ଷେତ୍ର” ପରିବର୍ତ୍ତେ ସମଗ୍ର ଓଡ଼ିଶାରେ ଭାଷା ଆଇନ ଲାଗୁ ହେବା ନିଶ୍ଚିତ କରିଥିଲା । ତୃତୀୟତଃ , ଭାଷା ଆଇନର ଉଲ୍ଲଂଘନ ପାଇଁ ବିଭାଗ ତଥା କର୍ମଚାରୀଙ୍କୁ ଦଣ୍ଡିତ କରାଯିବ ବୋଲି କହି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ଯେଉଁ ଭୟଙ୍କର ଭୁଲ ପ୍ରସ୍ତାବ କରିଥିଲା ତାହାକୁ ବଦଳାଇ ଏହା ଦଣ୍ଡବିଧାନ ବିଭାବନାରୁ ବିଭାଗଗୁଡ଼ିକୁ ମୁକ୍ତ କରିଦେଇଥିଲା । ବିଭାଗଗୁଡ଼ିକୁ ଦଣ୍ଡ ଦେବା ଅର୍ଥ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡ ଦେବା ବୋଲି ମୁଁ ଯେଉଁ ଯୁକ୍ତି ବାଢ଼ିଥିଲି ତାହାକୁ ଯଥାର୍ଥ ବୋଲି ବିବେଚନା କରି ଏହା ସ୍ପଷ୍ଟ କରିଦେଇଥିଲା ଯେ, ଭାଷା ଆଇନର ଉଲ୍ଲଂଘନ ହେଲେ କୌଣସି ବିଭାଗ ନୁହେଁ, କେବଳ ଖିଲାପକାରୀ ପଦଧିକାରୀ ଓ କର୍ମଚାରୀ ଦଣ୍ଡିତ ହେବେ ।

ଅଥଚ ମୁଖ୍ୟମନ୍ତ୍ରୀ ଯେତେବେଳେ ବିଧେୟକଟିକୁ ପ୍ରଣୟନ କଲେ, ସେତେବେଳେ ସେ ଏହି ୧୪.୩.୨୦୧୮ ତାରିଖର କ୍ୟାବିନେଟ ପ୍ରସ୍ତାବକୁ ଲୁଚାଇ ଦେଇ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ଗ୍ରହଣ କରିଥିବା ଓଡ଼ିଆବିରୋଧୀ ପ୍ରସ୍ତାବ ଉପରେ ହିଁ ତାହାକୁ ଆଧାରିତ କଲେ । ଦୁଃଖ ଓ ଲଜ୍ଜାର କଥା , ଗତାୟୁ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ ଏହି ଦୁରଭିସନ୍ଧିପ୍ରସୂତ ଅବୈଧ କାମକୁ ବୈଧ କରିଦେଲା ଏହି ଦୂଷିତ ସଂଶୋଧନକୁ ସମର୍ଥନ କରି ୨୦୧୮ ମେ ପହିଲାରେ । ଏପରି ଏକ କ୍ୟାବିନେଟ ସ୍କାମ୍ ପୂର୍ବରୁ କେବେ କେଉଁଠି ଘଟିନଥିଲା ।

ବିଧାନସଭାରେ ଅପରାଧ

ରହସ୍ୟମୟ କଥା ହେଲା, ୧୪.୩.୨୦୧୮ ତାରିଖର କ୍ୟାବିନେଟରେ ଉପସ୍ଥିତ ରହି ଆମ ଭାଷା ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଯେଉଁ ମନ୍ତ୍ରୀମାନେ ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଭୁଲ ଥିଲା ବୋଲି ମାନି ତାକୁ ବସ୍ତୁତଃ ବିଲୋପ କରି ନୂଆ ପ୍ରସ୍ତାବ ଗ୍ରହଣ କରିଥିଲେ, ସେହି ମନ୍ତ୍ରୀମାନେ ୧୪.୩.୨୦୧୮ ତାରିଖର କ୍ୟାବିନେଟ ପ୍ରସ୍ତାବ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ନାହିଁ! ମୁଖ୍ୟମନ୍ତ୍ରୀ ବିଧାନସଭାକୁ ବିଧେୟକଟିର ନକଲ ଦେଲା ପରେ ମୁଁ ତ ଏହି ଭୁଲ ଧରି ସର୍ବ ସମକ୍ଷରେ ରଖିଥିଲି ଓ ଘରକୁ ଘର ବୁଲି ବହୁ ଆଗଧାଡ଼ିଆ ବିଧାୟକଙ୍କୁ ଏହି ବ୍ୟାଖ୍ୟା ସମ୍ବଳିତ ଲେଖା ଦେଇ ବ୍ୟକ୍ତିଗତ ସ୍ତରରେ ବୁଝାଇଥିଲି ଯେ, ଏହି ଭୁଲ ଯଦି ଘଟିବାକୁ ଦିଆଯାଏ ତେବେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଯିବ ଓ ସାରା ଭାରତରେ କ୍ୟାବିନେଟ ସ୍କାମ୍ ପରି ଏକ ଅଭୂତପୂର୍ବ ଅପରାଧ ଘଟିବ, ଯାହା ସହ ଜଡିତ ହୋଇଯିବ ବିଧାନସଭା ।

ସମସ୍ତେ ଧୈର୍ଯ୍ୟର ସହ ସବୁ ଶୁଣିଥିଲେ ଓ ମୋ ଯୁକ୍ତିକୁ ମୁହଁରେ ସମର୍ଥନ କରିଥିଲେ । ତେଣୁ ଆଶା କରାଯାଉଥିଲା ଯେ, ବିଧେୟକଟି ଉପରେ ଆଲୋଚନା କାଳରେ ଏହି ସ୍କାମ୍ ଉପରେ ବିତର୍କ ହେବ ଓ ତହିଁର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ସ୍ଥାନରେ ୧୪.୩.୨୦୧୮ ତାରିଖର କ୍ୟାବିନେଟରେ ନିଆହୋଇଥିବା ପ୍ରସ୍ତାବ ସ୍ଥାନିତ ହୋଇ ବିଧେୟକଟିର ଭୁଲ ସୁଧୁରି ଯିବ । କିନ୍ତୁ ତାହା ହେଲା ନାହିଁ ।

ନିଜ ନିଜ ସ୍ଵତନ୍ତ୍ର ଅଧିକାର (privilege) ତେଜରେ ଝଲସୁଥିବା ଆମ ବିଧାୟକମାନେ ଯଦି ବିଧେୟକଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’ (Statement of Objects and Reasons) ଉପରେ ଦୃଷ୍ଟି ପକାଇଥାନ୍ତେ, ସେମାନେ ଏହା ପଛରେ ଲୁକ୍କାୟିତ ଥିବା ଷଡ଼ଯନ୍ତ୍ରର ସ୍ୱରୂପ ଦେଖିପାରିଥାନ୍ତେ । ଏଥିରେ ଲେଖଥିଲା ,

“ଓଡ଼ିଶା ରାଜ୍ୟରେ ସମସ୍ତ ବା ଯେକୌଣସି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପ୍ରଣୟନ କରାଯାଇଥିଲା ।

ତା୨୬.୧୨.୨୦୧୭ରିଖରେ ଡିବା ଘ ୧୧.୧୫ ମିନିଟ ସମୟରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳର ୫୧ତମ ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ /ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମର ସଂଶୋଧନ କରି ଆବଶ୍ୟକ ବ୍ୟବସ୍ଥାମାନ କରିବା ଦରକାର ଅଟେ ।

ତଦନୁସାରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ ୧୯୫୪ରେ ସଂଶୋଧନ କରିବା ନିମନ୍ତେ ଆବଶ୍ୟକୀୟ ଚିଠା ସଂଶୋଧନ ବିଧେୟକ ୨୦୧୮ ପ୍ରସ୍ତୁତ କରାଯାଇଛି ଯଦ୍ଦ୍ଵାରା ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ପ୍ରୋତ୍ସାହନ ଦେବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ/ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ବିହିତ କରିବା ପାଇଁ ରାଜ୍ୟ ସରକାରଙ୍କର କ୍ଷମତା ରହିବ ।

ଉପରୋକ୍ତ ଉଦ୍ଦେଶ୍ୟ ସାଧନ ଲାଗି ବିଧେୟକତି ଉଦ୍ଦିଷ୍ଟ ।
ନବୀନ ପଟ୍ଟନାୟକ
ଭରପ୍ରାପ୍ତ ସଦସ୍ୟ“

ମୋ ଯୁକ୍ତି ଦ୍ଵାରା ପ୍ରଭାବିତ ନ ହେଲେ ନାହିଁ, ବିଧାନ ପ୍ରଣୟନ ପାଇଁ ଲୋକଙ୍କ ପ୍ରତିନିଧି ଭାବେ ବିଧାୟକ ସାଜିଥିବା ମାନ୍ୟବରମାନେ ଯଦି ଏହି ‘ଉଦ୍ଦେଶ୍ୟ ଓ କାରଣ କଥନ’କୁ ଥରେ ଥରେ ମନଦେଇ ପଢ଼ିଥାନ୍ତେ , ଯାହା ସେମାନେ କରିବା ଉଚିତ ଥିଲା, ସେମାନେ ‘କଥନ’ (୧) ସଙ୍ଗେ ‘କଥନ’ (୨)ର ବିରୋଧାଭାସ ଦେଖିଥାନ୍ତେ । କାରଣ , ‘କଥନ’ (୧)ରେ “ଓଡ଼ିଶା ରାଜ୍ୟରେ ସମସ୍ତ ବା ଯେକୌଣସି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ ପ୍ରଣୟନ କରାଯାଇଥିଲା” ବୋଲି ସ୍ଵୀକାର କରାଯାଇଥିବା ବେଳେ, ‘କଥନ’ (୨)ରେ ସରକାରୀ ଭାଷାକୁ “ବ୍ୟାପକ ବ୍ୟବହାର” କରୁଥିବା କର୍ମଚାରୀ କିମ୍ବା ବିଭାଗକୁ ପ୍ରୋତ୍ସାହନ ଦେବା ପାଇଁ କୁହାଯାଇଥିଲା । ଯଦି ସେମାନେ ଏହି ବିଧେୟକଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’ ପଢ଼ିଥିଲେ, ତେବେ “ସମସ୍ତ ବା ଯେକୌଣସି କାମରେ ବ୍ୟବହାର” ଯାହା “ବ୍ୟାପକ ବ୍ୟବହାର” ଯେ ସେଇଆ ନୁହେଁ – ଏତିକି କଣ ସେମାନେ ବୁଝି ପାରିଲେନି ? ସେମାନେ ଏହା ବୁଝିଥିଲେ ଓ ଜାଣିଶୁଣି ଆମ ଭାଷା ଆଇନକୁ ମାରିଦେବାରେ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରି ଓଡ଼ିଆ ଜାତି ବିରୁଦ୍ଧରେ ଅପରାଧ କରିଥିଲେ ବୋଲି ଯଦି କୁହାଯାଏ , କ’ଣ ଭୁଲ ହେବ?

ଯଦି ଏହି ଅପରାଧ ସେମାନେ ନ କରିଥାନ୍ତେ, ତେବେ କଥନ (୩)ର ଅପରାଧିକ ଅଭିସନ୍ଧି ସେମାନଙ୍କୁ ସ୍ପଷ୍ଟ ଦିଶିଥାନ୍ତା । ଓଡ଼ିଆ ଜାତି ବିରୁଦ୍ଧରେ ଏପରି ଜଘନ୍ୟ ଅପରାଧ କରିବାକୁ ବିଧାନସଭାରେ ସେମାନେ ସରକାରଙ୍କୁ କେବେ ବି କ୍ଷମତା ଦେଇନଥାନ୍ତେ । ଏହାକୁ ଅସ୍ଵୀକାର କରାଯାଇପାରିବ ନାହିଁ ଯେ, ଓଡ଼ିଆ ଜାତି ବିରୁଦ୍ଧର ଏହି କୁତ୍ସିତ ଅପରାଧ ଓଡ଼ିଶା ବିଧାନସଭାରେ ହିଁ ଘଟିଗଲା । (କ୍ରମଶଃ )

(ଭୁବନେଶ୍ବର,୨୫.୫.୨୦୨୯)

କେବଳ ଓଡ଼ିଆ ଭାଷା ହିଁ ନବୀନଙ୍କୁ ଜିତାଇଲା; ଭୁଲିଗଲେ ଭୁଲ ହେବ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନିଶ୍ଚିତ ଥିଲେ ଯେ ତାଙ୍କ କାମରେ ଖୁସି ହୋଇ ଓଡ଼ିଆ ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ ତା ହେଲେ ସେ କାହିଁକି ତାହା କରୁଥିଲେ ଯାହା ସେ କେବେ କରିନଥିଲେ ?

ଇଂରାଜୀ ଅକ୍ଷରରେ ଲେଖା ହୋଇଥିବା ଓଡ଼ିଆ ଭାଷଣ ଘୋଷି ସାରା ଓଡ଼ିଶା ବୁଲି ବୁଲି ସେ ଓଡ଼ିଆରେ ଭୋଟ ଭିକ୍ଷା କରିଥିଲେ ।

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଓଡ଼ିଆବିଦ୍ଵେଷୀ ନବୀନବାବୁଙ୍କୁ ଏତେ ଅଡୁଆରେ ପକାଇଥିଲା ଯେ, ଏହି ଅଭିଯାନକୁ ଭଣ୍ଡୁର କରିବା ପାଇଁ ସେ ମୋର ଦୁଇ ମୁଖ୍ୟ ସହଯୋଗୀ ପବିତ୍ର ମହାରଥା ଓ ପ୍ରଦ୍ଯୁମ୍ନ ଶତପଥୀଙ୍କ ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ନିଜ ବଶକୁ ନେଇଯାଇଥିଲେ । ଫଳରେ ସେମାନେ ଭାଷା ଆନ୍ଦୋଳନକୁ ପଚ୍ଛରୁ ଛୁରା ମାରିଥିଲେ ।

କିନ୍ତୁ ଆନ୍ଦୋଳନ ବନ୍ଦ ନ ହୋଇ ଚାଲିଲା । ଭୁବନେଶ୍ବରରେ ଉପସ୍ଥିତ ରହି କେଉଁ ଓଡ଼ିଆ କଳାପତାକା ଧରିପାରିଲେ, କିଏ ବା ନ ଧରିପାରିଲେ ନିଆରା କଥା , କିନ୍ତୁ ପ୍ରତି ଭାଷାପ୍ରେମୀ ଓଡ଼ିଆ ଏହି ଅଭିଯାନ ସହ ନିଜ ନିଜ ଅନ୍ତରାତ୍ମାରେ ସଂଯୁକ୍ତ ହୋଇଯାଇଥିଲେ । ଭାଷା ଆନ୍ଦୋଳନ ଏତେ ଜନପ୍ରିଯ ହୋଇଉଠିଥିଲା ଯେ, ନିଜକୁ ଏହି ଆନ୍ଦୋଳନ ଚଳାଇଥିବା ଲୋକ ବୋଲି ନିଜ ଗଣମାଧ୍ୟମରେ ପ୍ରଚାର କରି ଏକଦା ଆମର ମୁଖ୍ୟ ଗଣମାଧ୍ୟମୀୟ ସହଯୋଗୀ ଥିବା ସଂବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟସଭାକୁ ଯିବା ଲୋଭରେ କଳାପତାକା ଅଭିଯାନ ବନ୍ଦ କରିବାକୁ ମୋ ଉପରେ ଚାପ ପକାଇଥିଲେ ଓ ମୁଁ ତାହା ପ୍ରତ୍ୟାଖ୍ୟାନ କରିଥିବା ହେତୁ, ସମ୍ବାଦରେ ଏହି ଅଭିଯାନର ବିବରଣୀ ପ୍ରକାଶନ ବନ୍ଦ କରିଦେଇଥିଲେ । ଏହି ଅଭିଯାନକୁ ସଫଳ କରାଇନଦେବା ପାଇଁ କ୍ୟାବିନେଟ୍ ସ୍କାମ୍ ପରି ଏକ ନାହିଁ ନ ଥିବା ଅପରାଧ କରି ଏହ ଅବୈଧ ବିଧାନ ପ୍ରଣଯନ ପାଇଁ ସମସ୍ତ କୁତ୍ସିତ ମିଥ୍ୟାର ଆଶ୍ରୟ ମଧ୍ୟ ନେଇଥିଲେ ନବୀନବାବୁ ବିଧାନସଭାରେ ।

କୌଣସି ତଞ୍ଚକତା ଓ ସୁପାରୀ ପ୍ରଦାନ, କୌଣସି ରାଜନୈତିକ ବଶୀକରଣ ଯେତେବେଳେ ଆମ ଆନ୍ଦୋଳନର କାଳିଆ ପତାକା ଅଭିଯାନକୁ ଅଟକାଇ ପାରିଲା ନାହିଁ , ସେତେବେଳେ Krushak Assistance for Livelihood and Income Augmentation ପରି ଭୋଟରମାନଙ୍କୁ ପ୍ରଭାବିତ କଲା ପରିକା ଏକ ପେଞ୍ଚ ତିଆରିକରି ତାକୁ ‘କାଳିଆ’ ନାମରେ ପ୍ରସାରିତ କରାଗଲା । ଏହା ସତ୍ତ୍ୱେ, ଭୁବନେଶ୍ବରରେ ଉଡ଼ି ଉଡ଼ି ଆମ ଆନ୍ଦୋଳନର କଳାପତାକା ଯେଉଁ ବାର୍ତ୍ତା ଦେଇ ଚାଲିଥିଲା କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଭାଷା ପାଇଁ ବିତସ୍ପୃହ ହୋଇଥିବା ହେତୁ ଆମ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ହୋଇଛି ଓ ଆମ ମାତୃଭାଷା ସଙ୍କଟଗ୍ରସ୍ତ ହୋଇପଡ଼ିଛି, ତହିଁର ନିରାକରଣ ପାଇଁ ସେ ଓଡ଼ିଆ ଭାଷାର ଆଶ୍ରା ନେବାକୁ ବାଧ୍ୟ ହୋଇଥିଲେ ।

ତାଙ୍କ ପାଖଲୋକେ କିପରି ଇଂରାଜୀ ଅକ୍ଷରରେ ଓଡ଼ିଆ ବାକ୍ୟ ଲେଖୁଥିଲେ ଓ ସେ ତାହା ପଠନ କରି ଓଡ଼ିଆ ଜାତିକୁ ଭୁଆଁ ବୁଲାଉଥିଲେ ତାହା ଇଣ୍ଟେର୍ନେଟରେ ଭାଇରାଲ ହୋଇଥିଲା । ଏହି ଦୁଇଟି ଫଟୋଚିତ୍ର ତହିଁର ନମୂନା ।

ଏହି ଶୈଳୀ ଅବଲମ୍ବନ କରି ଇଂରାଜୀ ଅକ୍ଷରରେ ଲେଖା ଓଡ଼ିଆ ଭାଷଣ ଘୋଷି ଘୋଷି ସେ ଏକାଏକ ରାଜ୍ୟସରା ବୁଲି ଲୋକଙ୍କୁ ଓଡ଼ିଆରେ ସମ୍ବୋଧନ କରିଚାଲିଲେ । ଜୀବନରେ ଏପରି ପରିଶ୍ରମ ସେ କେବେ ବି କରିନଥିଲେ । ଆମ ଆନ୍ଦୋଳନ ଏପରି ପରିଶ୍ରମ କରିବାକୁ ବାଧ୍ୟ କରିଥିଲା । ସେତେବେଳେ ବିଭିନ୍ନ ଟିଭି ଚ୍ୟାନେଲରେ ଜୀବନ୍ତ ପରିବେଷିତ ତାଙ୍କ ଏହି ଛଳପୂର୍ଣ ଓଡ଼ିଆ ଭାଷଣରୁ କିଛି ଦେଖାଯାଉ ।

ଏହା ଥିଲା ତାଙ୍କର ଦାରିଙ୍ଗିବାଡ଼ି ଭାଷଣ –

ନୂଆପଡ଼ାର କୋମନା ସଭାରେ ସେ କହିଥିଲେ –

କଳାହାଣ୍ଡିର ନର୍ଲାରେ ସେ କହିଥିଲେ –

ଏହିପରି ଭାବେ ସାରା ଓଡ଼ିଶାରେ ବୁଲି ବୁଲି ସେ ଇଂରାଜୀ ଅକ୍ଷରରେ ଲେଖି ମୁଖସ୍ଥ କରିଥିବା ଓଡ଼ିଆ ଭାଷଣ ପରିବେଷଣ କରିଥିବା ହେତୁ, ନିର୍ବାଚନରେ ଜିତିଗଲେ । ତା ନ ହୋଇଥିଲେ ତାଙ୍କ ଦଳର ପରାଜୟ ସୁନିଶ୍ଚିତ ଥିଲା ।

ଓଡ଼ିଆ ଭାଷା ପାଖରେ ଶରଣ ପଶି ସେ ନିର୍ବାଚନରେ ଜୟ ଲାଭ କରିଥିବା ହେତୁ ଆମେ ଭାଷାଆନ୍ଦୋଳନକାରୀମାନେ ତାଙ୍କୁ ବଧେଇ ଜଣାଉଛୁ ଓ ଆଶା କରୁଛୁ କି, ସେ ଏହା ଭୁଲିବେନି ଓ ମନ୍ତ୍ରୀସ୍ତରୀୟ କମିଟିରେ ୩.୯.୨୦୧୫ ତାରିଖରେ ପ୍ରଦତ୍ତ ପରାମର୍ଶ ଅନୁସାରେ ଆମ ସରକାରୀ ଭାଷା ଆଇନର ପୁନଶ୍ଚ ସଂଶୋଧନ କରି ଓଡ଼ିଆ ଭାଷାଜନନୀଙ୍କୁ କୃତଜ୍ଞତା ଜଣାଇବେ ।

ବିଜେଡି ଟିକଟରେ ବିଧାନସଭାକୁ ଆସିଥିବା ବନ୍ଧୁମାନେ ବି ଏହି ସତ୍ୟ ମନେରଖିବା ଉଚିତ । କାରଣ, ଏହା ଭୁଲିଯିବା ସେମାନଙ୍କ ପକ୍ଷରେ ଭୁଲ ହେବ ।

ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ଅର୍ଥମନ୍ତ୍ରୀ ଶଶି ବେହେରା ଟିକଟ ହରାଇଲେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭାଷା ଆନ୍ଦୋଳନକୁ ଭାଙ୍ଗି ନ ପାରିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଏତେ ବିରକ୍ତ ଯେ, ବିଜେଡି ଟିକଟରେ ବିଧାନସଭାକୁ ଆସିବା ବାଟ ତାଙ୍କ ପାଇଁ ବନ୍ଦ ହୋଇଯାଇଛି । ଅର୍ଥମନ୍ତ୍ରୀ ବେହେରଙ୍କୁ ନବୀନବାବୁଙ୍କ ମନ୍ତ୍ରୀମଣ୍ଡଳରେ ସବୁଠୁ ଶକ୍ତିଶାଳୀ ମନେକରାହେଉଥିଲା । ତାଙ୍କ ଉପରେ ରୋଷ ହେତୁ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଇଛନ୍ତି ନବୀନ ବାବୁ ଏବଂ ଶଶିବାବୁ ଯେ ତାଙ୍କ ବିଶ୍ଵାସ ହରାଇ ସାରିଛନ୍ତି – ଏହି ଧାରଣା ବଳବତ୍ତର ହୋଇଛି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଅଧକୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଶ୍ଵସ୍ତ ପ୍ରକାଶ । ପ୍ରଦ୍ୟୁମ୍ନ ଶତପଥି ଓ ପବିତ୍ର ମହାରଥାଙ୍କ ସହାୟତାରେ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଏହି ଅର୍ଥ ବ୍ୟୟ କରାଯାଇଥିଲେ ବି ଆନ୍ଦୋଳନ ଭାଙ୍ଗି ନହିଁ , ଚାଲିଛି । ପ୍ରତିଦିନ ଦୁଇଜଣ ଭାଷାପ୍ରାଣ ଓଡ଼ିଆ କଳା ପତାକା ଧରି ଘୋଷଣାନାମା ସହ ବିଧାନସଭା ସମ୍ମୁଖସ୍ଥ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ରାଜଭବନ ସମ୍ମୁଖସ୍ଥ କୁଳବୃଦ୍ଧ ମଧୁସୂଦନଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ଆସୁଛନ୍ତି ।

କୌଣସି ଆଇନ ଉଲ୍ଲଂଘନ ନ କରି ଆଇନ ବଦଳାଇବାକୁ ଏକ ଆଇନସମ୍ମତ ସରକାରକୁ ପ୍ରବର୍ତ୍ତାଇବାପାଇଁ ସ୍ଵଳ୍ପସଙ୍ଖ୍ୟକ ବ୍ୟକ୍ତି ବି କିପରି ସକ୍ଷମ ହୋଇପାରନ୍ତି ଏହି ଆନ୍ଦୋଳନ ତାର ଏକ ସଫଳ ପରୀକ୍ଷଣ ।

ମୋର ମାନସପ୍ରସୂତ ଏହି ପଦ୍ଧତ୍ତି ମୁଁ ପ୍ରଥମେ ପ୍ରୟୋଗ କରିଥିଲି ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶ୍ରୁତି ଭଙ୍ଗ ବିରୁଦ୍ଧରେ ୧୯୮୦ ଦଶକର ଆଦ୍ୟଭଗରେ ।

ଭାଷା ଆଇନ : ଆରମ୍ଭ ଓ ଆଜି

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡିଶା

ଓଡ଼ିଶାରେ ଭାଷା ଆଇନ ଅର୍ଥ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିବା ଓଡିଶା ସରକାରୀ ଭାଷା ଆଇନ, ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୬.୯.୧୯୫୪ ତାରିଖରେ ବିଧାସଭାରେ ଆଗତ କରିଥିଲେ ଓ ବିଧାନସଭାରେ ଗୃହୀତ ହୋଇ ରାଜ୍ୟପାଳଙ୍କ ସମ୍ମତି ପାଇ ୧୪.୧୦.୧୯୫୪ରେ ପ୍ରବର୍ତ୍ତିତ ହୋଇଥିଲା ।

କିନ୍ତୁ ଏହା ହିଁ ଭାଷା ଆଇନର ଆରମ୍ଭ ନୁହେଁ । ଆମ ଭାଷାରେ ଆମେ ସମସ୍ତ ସରକାରୀ ସେବା ପାଇବୁ – ଏଥିପାଇଁ ଆମ ଭାଷାଭାଷୀ ସମଗ୍ର ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ସୃଷ୍ଟି କରାଯାଉ ବୋଲି ଘୁମୁସରର ଦୀନବନ୍ଧୁ ପଟ୍ଟନାୟକ ୧୧.୯.୧୮୭୦ ତାରିଖରେ ଭିଆଇ ଥିବା ପ୍ରଥମ ଜନସମାବେଶରେ ଯେଉଁ ମତ ପ୍ରକାଶ ପାଇଥିଲା , ତାହା ତ ନିଶ୍ଚୟ ଆମ ପ୍ରଦେଶ ସୃଷ୍ଟିର ମୂଳାଧାର ଥିଲା; ମାତ୍ର ତାହା କୌଣସି ସରକାରୀ ଭାଷା ଆଇନର ପରିକଳ୍ପନା କରିନଥିଲା । ତହିଁ ପ୍ରଭାବରେ କାଳକ୍ରମେ ଯେଉଁ ଉତ୍କଳ ସମ୍ମିଳନୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଭୌଗୋଳିକ ଏକତ୍ରୀକରଣ ପାଇଁ ତଦାନୀନ୍ତନ ବ୍ରିଟିଶ ସରକାରକୁ ବାଧ୍ୟ କଲା ତାହା ବି ସରକାରୀ ଭାଷା ଆଇନ ପ୍ରଣୟନ ପାଇଁ କୌଣସି ଚିନ୍ତା ପ୍ରକଟ କରିନଥିଲା । ଘୁମୁସର ପ୍ରସ୍ତାବର ପ୍ରାୟ ଦୁଇ ଦଶନ୍ଧି ପରେ ଭାଷାଭିତ୍ତିକ ଜାତୀୟତାର ଯେଉଁ ଅନନ୍ୟ ପ୍ରସୂନ ପ୍ରସ୍ଫୁଟିତ ହେଲା ସମ୍ବଲପୁର ଅଞ୍ଚଳରେ, ଯାହାକୁ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଶ୍ରେଷ୍ଠ ବୌଦ୍ଧିକ ଆଧାର ଭାବେ ଗ୍ରହଣ କରାଯାଏ, ତାହା ମଧ୍ୟ ସରକାରୀ ଭାଷା ଆଇନର ପରିକଳ୍ପନା କରିନଥିଲା । ତେବେ ଭାଷା ଆଇନ କଥା ଆସିଲା କେଉଁଠୁ ?

ପ୍ରଥମ ପ୍ରସ୍ତାବକ

ସମ୍ବଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ହିଁ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବାକୁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଥିବା ପ୍ରଥମ ବ୍ୟକ୍ତି । ତାଙ୍କ ଓଡ଼ିଆ ଭାଷାପ୍ରେମ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା । ରାଜ୍ୟରେ ଜାରିହୋଇଥିବା ଅଣଓଡ଼ିଆ ଅଧ୍ୟୁଷିତ ପ୍ରଥମ ରାଷ୍ଟ୍ରପତି ଶାସନକାଳରେ ପଛରୁ ଛୁରାମାରି ତାଙ୍କୁ ହତ୍ୟା କରାହୋଇଥିଲା ଓ ସରକାରୀ ଚାପରେ ଓଡିଶା ରାଜ୍ୟ ପୋଲିସ ଏପରି ନାଟକ କରିଥିଲା ଯେ, ତାଙ୍କ ହତ୍ୟାକାରୀକୁ ଦଣ୍ଡିତ କରାହୋଇପାରିନଥିଲା ।

ସେ ପୂର୍ବ-ବରଗଡ଼ର ପ୍ରତିନିଧିତ୍ବ କରୁଥିଲାବେଳେ ୧.୪.୧୯୪୮ ତାରିଖରେ ପ୍ରଥମଥର ପାଇଁ ସରକାରୀ ଭାଷା ଆଇନ ପ୍ରଣୟନ କରିବାକୁ ସରକାରଙ୍କୁ ଆହ୍ବାନ ଦେଇ ଏକ ପ୍ରସ୍ତାବ ଆଗତ କରିଥିଲେ ଯାହାର ଶୀର୍ଷକ ଥିଲା “Resolution regarding adoption of Oriya as the Provincial State Language of Orissa from the 1st June, 1948” । ଏହି ମହାନ ଦେଶପ୍ରେମୀ, ଯେ କି ଶିଶୁ ପରି ସରଳ ଅଥଚ ଆଦର୍ଶରେ ଏତେ ଅଟଳ ଥିଲେ ଯେ, ଜୀବନର ଅଧିକାଂଶ ସମୟ ବିତାଇଥିଲେ କାରାଗାରରେ ଓ ଯାହାଙ୍କୁ ସମ୍ବଲପୁରର ଗାନ୍ଧୀ ଭାବେ ଆଖ୍ୟାୟିତ କରିବା ବି ତାଙ୍କର ତ୍ୟାଗପୂତ ଜୀବନର ପ୍ରକୃତ ମୂଲ୍ୟାୟନ ଠାରୁ ଉଣା ହେବ , ଏହି ପ୍ରସ୍ତାବ ଆଗତ କଲାବେଳେ ସେଦିନ କହିଥିଲେ, “At the first instance, Sir, this may appear to be a controversial bit of proposition on my part inasmuch as the Government spokesman have abhorred that the introduction of Oriya, the only mother tongue of Oriyas, as the State Language, will ill-suit to the Secretariat and other branches of administration.” ଅତଏବ “ଓଡ଼ିଶାର ଏକମାତ୍ର ଭାଷା ଓଡ଼ିଆ”କୁ ସରକାରୀ ଭାଷା କରାଯିଵା ସଚିବାଳୟ ଓ ଅନ୍ୟ ପ୍ରଶାସନିକ ଦପ୍ତର ପାଇଁ ଗ୍ରହଣୀୟ ହେବନାହିଁ ବୋଲି ସରକାରୀ ମୁଖପତ୍ର ହିଁ କହିଥିଲେ । ପଣ୍ଡିତ ମିଶ୍ରଙ୍କ ଭାଷଣରୁ ବୁଝାଯାଏ , ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ମହତାବଙ୍କ ରାଜନୈତିକ ସରକାର ଯେଉଁ ତାତ୍ସଲ୍ୟ ପ୍ରଦର୍ଶନ କରିଥିଲେ, ତାହା ହିଁ ତାଙ୍କୁ ଏହି ବୈଧାନିକ ପ୍ରସ୍ତାବ ଆଗତ କରିବାକୁ ବାଧ୍ୟ କରିଥିଲା । ପଣ୍ଡିତ ମିଶ୍ର କହିଥିଲେ, ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାପାଇଁ ସରକାର କି ପଦକ୍ଷେପ ନେଲେଣି ବୋଲି ମୁଁ ଯେଉଁଦିନ ପଚାରିଥିଲି, ସରକାର କହିଥିଲେ ତାଙ୍କ ପାଇଁ ଅନ୍ୟ କାମ ଅଧିକ ଗୁରୁତ୍ବପୂର୍ଣ । ଓଡ଼ିଆ ଭାଷା ପାଇଁ ଏହି ଅବଜ୍ଞା – ବସ୍ତୁତଃ ଆପରାଧୀକ ଅବଜ୍ଞା – ଓଡ଼ିଆ ଜାତିକୁ ତାର ସ୍ବରାଜ୍ୟାଧିକାରରୁ ବଞ୍ଚିତ କରିବ ବୋଲି କହି, ପଣ୍ଡିତ ମିଶ୍ର କହିଥିଲେ, “We are going to dupe our own men by making them bereft of their sacred and hallowed mother tongue in the Courts,in the Schools and other sphere of activities concerning the body politics.”

ଭାଷା ଆଇନର ଜନ୍ମ

ମହତାବଙ୍କ ସରକାର ପଣ୍ଡିତ ମିଶ୍ରଙ୍କୁ ବାଧ୍ୟ କରିଥିଲା ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିନେବା ପାଇଁ । ଜଣେ ମନ୍ତ୍ରୀ ହୋଇଥିବା ହେତୁ, ମନ୍ତ୍ରୀମଣ୍ଡଳୀୟ ଶୃଙ୍ଖଳାରେ ଆବଦ୍ଧ ହୋଇ, ସେଠି ଅଗତ୍ୟା ନୀରବ ରହିଥିବା ନବକୃଷ୍ଣ ଚୌଧୁରୀ ଆତ୍ମଗ୍ଲାନିର ଚାପରେ ତିନି ସପ୍ତାହଠି ଉଭୟ ମନ୍ତ୍ରୀପଦ ଓ ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେଇ ଚାଲିଯାଇଥିଲେ । ତେଣୁ, ସମ୍ବିଧାନ ଗୃହୀତ ହେବା ପରେ ଯେତେବେଳେ ସାର୍ବଜନୀନ ଭୋଟ ବଳରେ ପ୍ରଥମ ନିର୍ବାଚିତ ସରକାର ଗଠିତ ହେଲା, ସେତେବେଳେ ମହତାବ ନୁହନ୍ତି, ନବବାବୁ ହିଁ ଥିଲେ ସାରା ଓଡ଼ିଶାର ସର୍ବୋତ୍ତମ ପସନ୍ଦ ମୁଖ୍ୟମନ୍ତ୍ରୀ ପଦପାଇଁ । ପଣ୍ଡିତ ମିଶ୍ରଙ୍କ ପ୍ରତ୍ୟାହୃତ ପ୍ରସ୍ତାବ ତାଙ୍କପାଇଁ ଜୀବନ୍ତ ସ୍ମୃତି ହୋଇ ରହିଥିଲା । ସେହି ସ୍ମୃତିରୁ ହିଁ ଜନ୍ମ ନେଲା ଓଡିଶା ସରକାରୀ ଭାଷା ଆଇନ, ଯାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ ଓ ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ହଜାରେ ଦିନ ହୋଇଗଲା ଚାଲିଛି କଳାପତାକା ଅଭିଯାନ ।

ଓଡ଼ିଶା ସୃଷ୍ଟିର ଉଦ୍ଦେଶ୍ୟ

ଭାରତର ପ୍ରଥମ ଭାଷା ଭିତ୍ତ୍ୱିକ ରାଜ୍ୟ ଭାବେ ଓଡିଶା ପରିଚିତ । ଏହି ସ୍ବତନ୍ତ୍ର ପରିଚୟର ଭିତ୍ତି ଉପରେ ମୁଁ ଯେତେବେଳେ ଗବେଷଣା କଲି, ସେତେବେଳେ ଏହି ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ କଣ ଥିଲା ତାହା ଅନୁଧ୍ୟାନ କରିବା ଅପରିହାର୍ଯ୍ୟ ଥିଲା । ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ମଞ୍ଚ scribd.comର https://www.scribd.com/doc/19216578/Role-of-Mass-Media-in-Creation-of-Orissaରେ ୨୯.୮.୨୦୦୯ ତାରିଖରେ ପ୍ରକାଶିତ ମୋର ନିବନ୍ଧରେ ମୁଁ ଦର୍ଶାଇଛି , କେବଳ ଓଡ଼ିଆ ଭାଷାରେ ହିଁ ସମସ୍ତ ସରକାରୀ ସେବା ପାଇବା ଉଦ୍ଦେଶ୍ୟରେ ଆମ ଜାତି ନାହିଁନଥିବା ଆନ୍ଦୋଳନ କରି ସୃଷ୍ଟି କରିଛି ଓଡ଼ିଶା । ଏବଂ ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ପଣ୍ଡିତ ମିଶ୍ର ପ୍ରଥମେ ପ୍ରସ୍ତାବ ରଖିଥିଲେ ଓ ମୁଖ୍ୟମନ୍ତ୍ରୀ ହେବା ପରେ ମନୀଷୀ ନବକୃଷ୍ଣ ଭାଷା ଆଇନଟିର ପ୍ରଣୟନ କରିଥିଲେ ।

ଆଇନ ପ୍ରଣୟନର କାରଣ

ଆଇନଟି ଆରମ୍ଭ ହୋଇଛି ଏହିପରି: “Whereas it is expedient to provide for the adoption of Oriya as the language to be used for all or any of the official purposes of the State of Orissa; It is hereby enacted by the Legislature of the State of Orissa ….” ଅର୍ଥାତ, ଯେହେତୁ ସମସ୍ତ ଓ ପ୍ରତ୍ୟେକ ସରକାରୀ କର୍ମ ଓଡ଼ିଆ ଭାଷାରେ ହିଁ ହେବା ଆବଶ୍ୟକ, ସେହେତୁ ଏହି ଆଇନ ପ୍ରଣୀତ ହେବା ଆବଶ୍ୟକ ।

ଦୁଃଖର କଥା , ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ନବବାବୁଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମହତାବ ଏହାକୁ ଅବଜ୍ଞା ପ୍ରଦର୍ଶନ କଲେ ଓ ନବବାବୁଙ୍କ ଉପରେ ରାଗ ଶୁଝାଇବା ପାଇଁ ମହତାବଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ସଂଶୋଧନ କରି ୧୯୬୩ରେ ସମ୍ପୂର୍ଣ ବେଆଇନ ଶୈଳୀରେ ଇଂରାଜୀ ଭାଷାକୁ କବର ତଳୁ ଉଠାଇ ଓଡିଶା ବିଧାନସଭା ପରିସରରେ ସରକାରୀ ଭାଷା କରାଇଦେଲେ , ଯାହା ଫଳରେ ସାରା ଓଡିଶା ଇଂରାଜୀ ଭାଷାଧିପତ୍ୟ କବଳକୁ ଠେଲି ହୋଇଯାଇଛି ଏବଂ ଆମ ଭାଷା ଆଇନ ଅକାମି ହୋଇ ପଡିଛି ।

ମନ୍ତ୍ରୀସ୍ତରୀୟ କମିଟି

କବି ଗଜାନନ ମିଶ୍ରଙ୍କ ଅନଶନ ଧର୍ମଘଟ ପ୍ରେକ୍ଷାପଟରେ ୩୧.୭.୨୦୧୫ରେ ଏକ ବିଧିକ ସଂକଳ୍ପ ଜାରି କରି ଓଡ଼ିଶା ସରକାର ଆଇନଟିର କାର୍ଯ୍ୟକାରିତା ଉପରେ ପରାମର୍ଶ ଦେବାକୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ଯହିଁରେ ଜଣେ ସଭ୍ୟ ଭାବେ ମୁଁ ସ୍ଥାନିତ ହେଲି ।

Scribd.comରେ ୨୯.୮.୨୦୦୯ ତାରିଖରେ ପ୍ରକାଶିତ ମୋର ନିବନ୍ଧ ରଚନା ବେଳେ ଭାଷା ଆଇନର ମୂଳ ନଥି ମୁଁ ଯେତେ ଖୋଜିଲେ ମଧ୍ୟ ମିଳି ନଥିଲା । ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ହେବା ଫଳରେ ଏହି ପଦାଧିକାର ପ୍ରୟୋଗ କରି ସରକାରୀ ସିନ୍ଧୁକରେ ଲୁଚା ହୋଇରହିଥିବା ନଥିଟି ମୁଁ ଅନୁଧ୍ୟାନ କଲି ଓ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଅମଲାତନ୍ତ୍ର ପରିସୃଷ୍ଟ କି ପ୍ରବଳ ପ୍ରତିକୂଳ ପରିସ୍ଥିତିରେ ଆଇନଟିକୁ ତିଆରି କରିଥିଲେ ତାହା ଅନୁଭବ କଲି ।

ଆଜନ୍ମ ତ୍ରୁଟି ଓ ତାର ସଂଶୋଧନ ପାଇଁ ମୋର ପ୍ରସ୍ତାବ

ଆଇନଟିରେ ତିନୋଟି ଆଜନ୍ମ ତ୍ରୁଟି ଥିଲା, ଯାହା ପ୍ରତି ସେହି ବିଶେଷ ପରିସ୍ଥିତିରେ ନବବାବୁ ଆଖିବୁଜି ଦେଇଥିବା ସ୍ଵାଭାବିକ ବୋଲି ମୋର ମନେ ହେଲା । ସେ ତିନୋଟି ହେଲା – (୧) ଆଇନଟି ବେସରକାରୀ ସ୍ତରରେ ବି ଓଡ଼ିଆ ଲୋକଙ୍କୁ ସେମାନଙ୍କର ଈପ୍ସିତ ସେବା ପାଇବାର ଅଧିକାର ଦେଇ କୌଣସି ସ୍ପଷ୍ଟ ବିଧିକ ବ୍ୟବସ୍ଥା ରଖିନଥିଲା , ଯଦିଓ ଧାରା ୨ର ଉପଧାରା (୨)ରେ କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କେଉଁ ନିର୍ଦ୍ଦିଷ୍ଟ ତାରିଖରୁ କେଉଁ ନିର୍ଦ୍ଦିଷ୍ଟ ବ୍ୟାପାରରେ ଓଡ଼ିଆ ଭାଷାରେ ସେବା ଉପଲବ୍ଧି ସୁନିଶ୍ଚିତ କରାହେବ ତାହା ଅଧିସୂଚନା ବଳରେ ଧାର୍ଯ୍ୟ ହେବ ବୋଲି କହି ପରୋକ୍ଷରେ ଏହା “ବେସରକାରୀ” ସ୍ତରରେ ଆଇନଟିର ପ୍ରବର୍ତ୍ତନ ପାଇଁ ଉପାଦାନ ରଖିଥିଲା । ଦ୍ଵିବିଧ ସେବା ପାଇବା ପ୍ରତି ଓଡ଼ିଆର ହକ୍ । ତାହା ହେଲା ସରକାରୀ ଓ ବେସରକାରୀ । ଶିଲ୍ପ ଓ ବାଣିଜ୍ୟ ଯେହେତୁ ବେସରକାରୀ ସ୍ତରରେ ପ୍ରାୟତଃ ସମସ୍ତ ବ୍ୟକ୍ତିଙ୍କୁ ନିଜ ପରିସରଭୁକ୍ତ କରିଥାଏ, ସେହେତୁ ଏହି ଉଭୟ କ୍ଷେତ୍ରରୁ ମିଳୁଥିବା ସେବା ଓଡ଼ିଆରେ ଉପଲବ୍ଧ ହେବା ଆବଶ୍ୟକ । ଏହି ଉଭୟ କ୍ଷେତ୍ର ସରକାରୀ ଆଇନ ଦ୍ଵାରା ନିୟନ୍ତ୍ରିତ ହୋଇଥାନ୍ତି । ଅଥଚ ଭାଷା ଆଇନଟିରେ ଏହି କ୍ଷେତ୍ର ସ୍ପଷ୍ଟତଃ ଅନ୍ତର୍ଭୁକ୍ତ ହୋଇନଥିଲା । ଯଦିଓ ଧାରା ୧ର ଉପଧାରା (୨)ରେ ସମଗ୍ର ଓଡିଶା ଏହାର ପରିସରଭୁକ୍ତ ବୋଲି କୁହ ହୋଇଥିଲା, ଆଇନଟିର ଶୀର୍ଷକ “ସରକାରୀ ଭାଷା ଆଇନ” ବୋଲି ଥିବା ହେତୁ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ଏହା ପରିସରରୁ ଅକ୍ଳେଶ ଖସି ଚାଲିଥିଲେ । ଏହି ବିଭ୍ରାନ୍ତି ଦୂର କରିବାକୁ ଆଇନଟିରେ କୌଣସି ସ୍ପଷ୍ଟ ଉପାଦାନ ନ ଥିଲା । ତେଣୁ, ମୋ ବିଚାରରେ ଏହା ଥିଲା ଆଇନଟିର ପ୍ରଥମ ତ୍ରୁଟି । ଅନ୍ୟ ତ୍ରୁଟି ଗୁଡିଆ ହେଲା – (୨) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅନୁପସ୍ଥିତି ଓ (୩) ଦଣ୍ଡବିଧାନ ପାଇଁ ତଥା ଆଇନଟିକୁ କ୍ରିୟାଶୀଳ କରିବା ପାଇଁ ଯେଉଁ ନିୟମାବଳୀ ଆବଶ୍ୟକ ତାହା ପ୍ରଣୟନ ସକାଶେ ସରକାରଙ୍କ ଅସାମର୍ଥ୍ୟ । ତେଣୁ ଏଇ ତିନୋଟି ଆଜନ୍ମ ତ୍ରୁଟି କବଳରୁ ଆଇନଟିକୁ ଉଦ୍ଧାର କରିବା ପାଇଁ ମୁଁ କେବଳ ପ୍ରସ୍ତାବ ଦେଲି, ତା ନୁହେଁ; ଆଇନ ସଂଶୋଧନର ଚିଠା ଓ ନିୟମାବଳୀର ଚିଠା ବି ଦାଖଲ କଲି ୩. ୯. ୨୦୧୫ ତାରିଖରେ ।

ଆଇନ ସଂଶୋଧନ ଚିଠାରେ ନୂଆ ଧାରା ସଂଯୋଜନ ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ତହିଁର ଶୀର୍ଷକ ଥିଲା, “ନାମ ପରିବର୍ତ୍ତନ ଓ ନିୟମାବଳୀ ପ୍ରଣୟନ” । ମୁଁ ଲେଖିଥିଲି ଯେ, ଓଡିଶା ସରକାରୀ ଭାଷା ଆଇନ,୧୯୫୪ରେ ଏକ ନୂତନ ଧାରା ଭାବେ ଧାରା – ୪ ଯୋଡ଼ା ଯାଉ ଓ ତାହା ଏହି ପରି ହେଉ :

“ଧାରା – ୪ (୧) ଓଡିଶା ସରକାରୀ ଭାଷା ଆଇନ ୧୯୫୪ର ନାମ ପରିବର୍ତ୍ତିତ ହୋଇ ଓଡିଶା ଲୋକଭାଷା ଆଇନ, ୧୯୫୪ ହେବ ;

(୨) ଏହି ଆଇନଟିକୁ ତାର ସମସ୍ତ ବା ଯେ କୌଣସି ଉଦ୍ଦେଶ୍ୟରେ ପ୍ରୟୋଗ କରିବା ପାଇଁ , ଆଇନଟିର ଯେ କୌଣସି ବା ସମସ୍ତ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ , ଆଇନଟିର ପରିସର ବା ଉଦ୍ଦେଶ୍ୟ ପରିବର୍ଦ୍ଧନ ପାଇଁ , ଆଇନଟିର କୌଣସି ବ୍ୟବସ୍ଥାର ଲଙ୍ଘନ ବିରୁଦ୍ଧରେ ଦଣ୍ଡ ବିଧାନ ପାଇଁ , ସରକାର ନିୟମାବଳୀ ପ୍ରଣୟନ କରିବେ ।”

ଉପଧାରା (୧)ରେ ମୁଁ ଦେଇଥିବା ପ୍ରସ୍ତାବ ମନ୍ତ୍ରୀସ୍ତରୀୟ କମିଟିରେ ଥିବା ମନ୍ତ୍ରୀମାନଙ୍କ ସହ ୧୭.୧୨.୨୦୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଓ ସିଦ୍ଧାନ୍ତରେ ସ୍ବୀକୃତି ଅର୍ଜନ କରିଥିଲା । ସେ ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଗତ ପ୍ରେସବିବୃତ୍ତିରେ ହୋଇଥିବା ଘୋଷଣାରୁ ଏହା ସ୍ପଷ୍ଟ । ଏହି ବିବୃତ୍ତିକୁ ବିଜ୍ଞାପନ ରୂପେ ବି ସରକାର ବୃହତ ଓଡ଼ିଆ ଦୈନିକମାନଙ୍କରେ ପ୍ରକାଶ କରିଥିଲେ , ଯହିଁର ପ୍ରଥମ ବାକ୍ୟତି ଥିଲା ଏହିପରି :

“ଓଡ଼ିଶା ସରକାରୀ ଭାଷା ଆଇନ୧୯୫୪କୁ ସରକାରୀ ଓ ବେସରକାରୀ ସ୍ତରରେ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ।”

କିନ୍ତୁ ଆଇନ ସଂଶୋଧନ ବେଳେ ଏହା ଅନୁସାରେ ଆଇନଟିର ଶୀର୍ଷକ ନ ବଦଳାଇ ମୋର ଅନ୍ୟ ଦୁଇଟିଯାକ ପ୍ରସ୍ତାବକୁ ସରକାର ଦୁଇ ଥାକରେ ବିଧିକ ରୂପ ଦେଇଛନ୍ତି । ପ୍ରଥମତଃ , ନିୟମାବଳି ପ୍ରଣୟନ ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରିବା ପାଇଁ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ଜାରି କରି “The State Government may make Rules to carry out the purposes of the Act” ବୋଲି କହିଛନ୍ତି ଓ ୨୮.୯.୨୦୧୬ ତାରିଖରେ ଏହି ଅଧ୍ୟାଦେଶକୁ ବିଧାନସଭାରେ ପାରିତ କରାଇ ରାଜ୍ୟପାଳଙ୍କ ସମ୍ମତି ବି ପାଇଛନ୍ତି । ଦ୍ବିତୀୟତଃ , ଦଣ୍ଡବିଧାନ ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରିବାକୁ ୧.୫.୨୦୧୮ ତାରିଖରେ ଆଇନଟିର ସଂଶୋଧନ କରି ୪-କ ନାମକ ନୂଆ ଧାରା ଖଞ୍ଜି ତହିଁରେ କରିଥିବା ଗୁରୁତର ପ୍ରମାଦକୁ ମୁଁ ରାଜ୍ୟପାଳଙ୍କୁ ଦେଇଥିବା ପତ୍ର ଭିତ୍ତିରେ ସୁଧାରିବାକୁ ଚେଷ୍ଟା କରି ୧୯.୯.୨୦୧୮ ତାରିଖରେ ପୁନଃ ସଂଶୋଧନ ବି କରିଛନ୍ତି , ଯହିଁ ଅନୁସାରେ ୪-କ ଧାରାର ଚୂଡାନ୍ତ ଭାଷା ହେଲା :

“ସରକାର ସରକାରୀ ଭାଷା ରୂପେ ଓଡ଼ିଆର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ବା ଉଭୟଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଅଧିକନ୍ତୁ ଏହି ଶେଷ ସଂଶୋଧନ – ଓଡ଼ିଶା ସରକାରୀ ଭାଷା (୨ୟ ସଂଶୋଧନ) ଅଧିନିୟମ, ୨୦୧୮ର ଉଦ୍ଦେଶ୍ୟ ଓ କାରଣ କଥନରେ ବି ମୋ ଦାବି (ଅସିତ ମହାନ୍ତି,ରାଜଭସ ଓଡ଼ିଆ:ମିଛ ରାଣୀ କାହାଣୀ , ସାହିତ୍ୟଘର ୪ର୍ଥ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ମରଣିକା, ୨୦୧୭, ପୃ ୩୩) ପ୍ରତି ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୬୩ରେ ତାଙ୍କ ବାପା ବିଜୁ ପଟ୍ଟନାୟକ ଖଞ୍ଜିଥିବା ୩-କ ଧାରା ସାଧାରଣ ପ୍ରଶାସନରେ ଆଉ ପଯୁଜ୍ୟ ହେବନାହିଁ ବୋଲି ଏକ ସ୍ପଷ୍ଟକାରଣ ଦେଇଛନ୍ତି । ତହିଁର ଭାଷା ହେଲା –

“ଧାରା ୩-କରେ ବିଧାନମଣ୍ଡଳ ଇଂରାଜୀ ଭାଷାର ବ୍ୟବହାରକୁ ଚାଲୁରଖିବା ପାଇଁ ବ୍ୟବସ୍ଥା ଥିବା ହେତୁ , ସରକାରୀ ଭାଷା ରୂପେ ଇଂରାଜୀ ଭାଷାର ବ୍ୟବହାର ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି । ଉକ୍ତ ଦ୍ଵନ୍ଦ୍ଵକୁ ଦୂର କରିବା ସକାଶେ ଅଧିନିୟମର ଧାରା ୪-କରେ ଥିବା “ଭାଷାର” ଶବ୍ଦ ବଦଳରେ “ଭାଷାରୂପେ ଓଡ଼ିଆର” ଶବ୍ଦମାନ ପ୍ରତିସ୍ଥାପିତ କରିବା ପାଇଁ ପ୍ରସ୍ତାବ କରାଯାଉଛି ।”

ଏତଦ୍ଦୃଷ୍ଟେ ଏହା ହିଁ କୁହାଯାଇ ପାରିବ ଯେ, ୩. ୯. ୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ଯେଉଁ ତିନୋଟି ପ୍ରସ୍ତାବ ଦେଇଥିଲି, ତହିଁରୁ ଶୀର୍ଷକ ସଂକ୍ରାନ୍ତୀୟ ପ୍ରସ୍ତାବତିକୁ ୧୭.୧୨.୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ମନ୍ତ୍ରୀମାନଙ୍କ ପରମର୍ଶକ୍ରମେ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ଥିବା ବେଳେ, ୨୧.୪.୨୦୧୬ ଓ ୧୯.୯.୨୦୧୮ ତାରିଖମାନଙ୍କରେ ମୋର ଅନ୍ୟ ଦୁଇଟିଯାକ ପ୍ରସ୍ତାବକୁ ଗ୍ରହଣ କରି ସରକାର ଦୁଇ ଖେପାରେ ଭାଷା ଆଇନ ସଂଶୋଧନ କରିଛନ୍ତି । ତେବେ, ଏହି ଦୁଇ ପରାମର୍ଶ ସପକ୍ଷରେ ଚାଲିଥିବା କଳାପତାକା ଅଭିଯାନ ବନ୍ଦ ନ ହୋଇ ଆଜିଯାଏଁ ଚାଲିଛି କାହିଁକି ? ସରକାରୀ ଚଞ୍ଚକତା ହିଁ ଏହାର କାରଣ ।

ଭାଷା ଆନ୍ଦୋଳନ

ଏହି ଚଞ୍ଚକତା ପାଇଁ ସରକାର ସାହସ କରିପାରିନଥାନ୍ତେ, ଯଦି ଭାଷା ଆନ୍ଦୋଳନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଆନ୍ଦୋଳନ ପ୍ରତି ବିଶ୍ଵାସଘାତକତା କରି ସରକାରଙ୍କ ସହ ହାତ ମିଳାଇନଥାନ୍ତେ ।

ଭାଷା ଆନ୍ଦୋଳନ ଏକ ଅନନ୍ୟ ଆନ୍ଦୋଳନ, ଯାହା ମୋ ପରିସୃଷ୍ଟ ନୀରବ କଳାପତାକା ଅଭିଯାନର ସାଙ୍ଗଠନିକ ନାମ । ଗତ ଶତାବ୍ଦୀର ଅଶୀ ଦଶକରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶୃତି ଭଙ୍ଗ ସମ୍ପର୍କରେ ଜନଚେତନା ଜାଗରଣ ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼-ତିଗିରିଆର ବାସିନ୍ଦା ଭାବେ ମୁଁ ଏହି ଅନନ୍ୟ ପଦ୍ଧତ୍ତି ସୃଷ୍ଟି ଓ ପ୍ରୟୋଗ କରିଥିଲି ଯାହା ସାବ୍ୟସ୍ତ କରିଥିଲା କି, ନୀରବତା କୌଣସି ପ୍ରତିବାଦକାରୀର ଦୁର୍ବଳତା ନୁହେଁ, ତାର ଦୂର୍ବାରତା । ଆଇନର ଚଉସୀମା ଭିତରେ ରହି ଆଇନ ସପକ୍ଷରେ କାମ କରିବାକୁ ଏକ ଆଇନବିମୁଖୀ ସରକାରଙ୍କୁ ବାଧ୍ୟ କରିବା ପାଇଁ ସମ୍ପୂର୍ଣ ଶାନ୍ତିପୂର୍ଣ ଭାବେ ନୀରବ ସଂଗ୍ରାମର ଏହା ଏକ ପରୀକ୍ଷଣ, ଯାହାର ବୈଶିଷ୍ଟ୍ୟ ଓ ସଫଳତା ଉପରେ ନିମ୍ନ ଦୁଇଟି ଉଦ୍ଧୃତି ଆଲୋକପାତ କରେ :
(୧) “ବରେଣ୍ୟ ସୁଭାଷ ପଟ୍ଟନାୟକଙ୍କ ପ୍ରଜ୍ଞାଜ ଏହି ଦର୍ଶନର ଆମେ ସମସ୍ତେ ସଂଚାଳକ ।” ଏହା ମଇ ୧୨, ୨୦୧୬ ସମେତ ବିଭିନ୍ନ ଦିବସରେ ନିଜ ଫେସ ବୁକ ପୃଷ୍ଠାରେ ଲେଖିଥିଲେ ପ୍ରଦ୍ୟୁମ୍ନ ଶତପଥୀ ଯେ କି ଏବେ ନିଜ କୁତ୍ସିତ ଅଭିସନ୍ଧି ହେତୁ ଏହି ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ ସହ ହାତ ମିଳାଇଛନ୍ତି ।
(୨) “ସର୍ବପ୍ରଥମେ ସମସ୍ତେ ଜାଣିବା ଦରକାର ଯେ, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠିପାରିଲା ଓ ଏତେ ବାଟ ଆଗେଇପାରିଛି, ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ, କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା, ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ ମସିହାର ଗୋଟିଏ ଆଇନକୁ କାହିଁକି ୨୦୧୬ ମଇ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ ?ଆମେ ଯେଉଁମାନେ ଓଡ଼ିଶା ସମ୍ପର୍କରେ ଆଲୋଚନା କରୁ – ମୋ ମନକୁ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା – ଓଡ଼ିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞ ଲୋକ ଥିଲେ, କେହି କ’ଣ ଜାଣିପାରିଲେନି  ଯେ, ଏହି ଆଇନଟି ସଂଶୋଧନ ନ କଲା ପର୍ଯ୍ୟନ୍ତ ଏହା ଦ୍ଵାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ?ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି, ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲି ଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ, କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିସ୍କାର ହେବ ଏବଂ ତାର ସଂସ୍କାର ଓ ପରିବର୍ତ୍ତନ ପାଇଁ ବାଟ ଫିଟିବ ।” ଏହା କହିଥିଲେ , ସମ୍ବାଦ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ୨୧.୫.୨୦୧୬ ଦିନ ଭାଷା ଆନ୍ଦୋଳନ ପାଖରେ ମୁଣ୍ଡ ନୁଆଇଁ ସରକାର ମୋ ପ୍ରଦତ୍ତ ପ୍ରସ୍ତାବର ଏକାଂଶ ଅଧ୍ୟାଦେଶ ବଳରେ କାର୍ଯ୍ୟକାରୀ କରିଥିବା ହେତୁ ଭାଷା ଆନ୍ଦୋଳନକାରୀମାନଙ୍କ ବିଜୟ ଉତ୍ସବ ପାଳନ ଅବସରରେ । ସୌମ୍ୟବାବୁ ଏବେ ସରକାରୀ ଦଳରେ ଯୋଗ ଦେଇ ରାଜ୍ୟସଭାର ସଭ୍ୟ ହୋଇଛନ୍ତି ।

ଭାଷା ଆନ୍ଦୋଳନ ଓଡ଼ିଶାର ଚଳନ୍ତି ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ । ସାଫଲ୍ୟର ଔଜ୍ୱଲ୍ୟ ଯେପରି ଏହାର ପୃଷ୍ଠା ମଣ୍ଡନ କରିଛି , ହୀନମନ୍ୟତା ଭୋଗୁଥିବା ମୋର ମୁଷ୍ଟିମେୟ ସହକର୍ମୀଙ୍କ ବିଶ୍ଵାସଘାତକତା ଓ ଅର୍ଥନୈତିକ ଅସାଧୁତା ସେହିପରି ଏକ କୁଟିଳ ରାବଣଛାୟାରେ ଏହାକୁ ଆଚ୍ଛନ୍ନ କରିଛି ।

ପ୍ରଥିତଯଶା ବ୍ୟକ୍ତିମାନଙ୍କଠାରୁ ଆରମ୍ଭ କରି ସାଧାରଣ ଅଖ୍ୟାତ ଓଡ଼ିଆ ଭାଇଭଉଣୀମାନେ ଏହି ଆନ୍ଦୋଳନରେ ଝାସ ଦେଇ ମୋ ପ୍ରସ୍ତାବିତ ସଂଶୋଧନ ପାଇଁ ସରକାରଙ୍କୁ ବାଧ୍ୟ କରିଛନ୍ତି । କିନ୍ତୁ ଲକ୍ଷ୍ୟ ଆହୁରି ଦୁରେଇ ଯାଇଛି ।

ଭାଷା ଆଇନଟି ପ୍ରତି ସରକାରୀ ବିମୁଖତା ସତ୍ତ୍ଵେ ଓଡ଼ିଶାର ସର୍ବତ୍ର, ସମସ୍ତ ଓ ଯେକୌଣସି ସରକାରୀ କାମ ଓଡ଼ିଆ ଭାଷାରେ ହିଁ ହେବ – ଏହା ସୁନିଶ୍ଚିତ ହୋଇ ଆସୁଥିବା ବେଳେ ବ୍ୟକ୍ତିଗତ ସ୍ବାର୍ଥଲିପ୍ସା ଆନ୍ଦୋଳନର ଏପରି କେତେକଙ୍କୁ କବଳିତ କରିଛି ଯେ, ସେମାନଙ୍କ ସହାୟତାରେ ଓଡ଼ିଆ ଭାଷା ଆଇନକୁ ସବୁଦିନ ସକାଶେ ଅକାମି କରିଦେବା ପାଇଁ କ୍ୟାବିନେଟ ସ୍କାମ ପରି ଚଞ୍ଚକତା କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କ୍ୟାବିନେଟ ସ୍କାମ

ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ସକାଶେ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ୟାବିନେଟ ଯେଉଁ ପ୍ରସ୍ତାବ ଗ୍ରହଣ କରିଥିଲା , ସେହି ପ୍ରସ୍ତାବକୁ ସମ୍ପୂର୍ଣ ଅନ୍ତର୍ଦ୍ଧାନ କରାଇଦେଇ ୧.୫.୨୦୧୮ ତାରିଖରେ ଗୃହୀତ ସଂଶୋଧନ ବିଧେୟକକୁ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ କରାହୋଇଛି । ଏବଂ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ”ରେ ଏହା ଲିପିବଦ୍ଧ କରାଯାଇ ଏପରି ବିଧିକ ଅଭିଳାଷ ସହ ତାହାକୁ ଅବିଛେଦ୍ୟ କରାଯାଇଛି ଯେ, ଆଇନଟି ଓଡ଼ିଶାର ସର୍ବତ୍ର କାର୍ଯ୍ୟକାରୀ ହେବନାହିଁ ଏବଂ ଓଡ଼ିଶାରେ ସମସ୍ତ ଓ ଯେକୌଣସି ସରକାରୀ କାମ ଓଡ଼ିଆ ଭାଷାରେ ହେବନାହିଁ । ଅଧିକନ୍ତୁ, ଅମଲାତନ୍ତ୍ରର ଦୟା ଉପରେ ନିର୍ଭର କରିବ ଭାଷା ଆଇନର ସୀମା ଓ ସ୍ବରୂପ ।

ତେଣୁ, ଏହି ୪-କ ଧାରାକୁ ବିଲୋପ କରାଯାଇ ନବକୃଷ୍ଣ ଚୋଧୁରୀଙ୍କ ପ୍ରଣୀତ ଓଡିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ ୩. ୯. ୨୦୧୫ ତାରିଖରେ ମୁଁ ଦେଇଥିବା ପ୍ରସ୍ତାବ ଅନୁସାରେ ସ୍ପଷ୍ଟତଃ ଉଚ୍ଚାରିତ କଠିନ ଦଣ୍ଡବିଧାନ ବ୍ୟବସ୍ଥା ସହ ସାନି ସଂଶୋଧନ ଦାବିରେ ଚାଲିଛି କଳାପତାକା ଅଭିଯାନ । ଏହି ଦାବି ହାସଲ ହୋଇନପାରିଲେ, ଭାଷା ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରିବ ଏବଂ ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ବି ପଣ୍ଡ କରିବ ।

ତେଣୁ, ଆଜି ଏପରି ଏକ ଅବସ୍ଥାରେ ଆମେ ଉପନୀତ, ଯେଉଁଠି କେବଳ ସରକାରୀ ଷଡ଼ଯନ୍ତ୍ର ନୁହେଁ , ସ୍ଵାର୍ଥ ହାସଲ ପାଇଁ ଇଂରାଜୀମନସ୍କ ଓ ଓଡ଼ିଆବିରୋଧୀ ସରକାରଙ୍କ ଦଲାଲି କରୁଥିବା ଓଡ଼ିଆ ଭାଷାମାଫିଆମାନଙ୍କ ଚକ୍ରାନ୍ତର ସାମ୍ନା ଆମକୁ କରିବାକୁ ହେବ । ତା ନ ହେଲେ ନିଷ୍ଫଳ ହୋଇଯିବ ଆମ ଓଡିଶା ସରକାରୀ ଭାଷା ଆଇନ ।

ଓଡ଼ିଆ ଭାଷାର ସ୍ଵାର୍ଥବିରୋଧୀ ଧାରା ୪-କର ପ୍ରତ୍ୟାଖ୍ୟାନ ପାଇଁ ରାଜ୍ୟପାଳଙ୍କୁ ମୁଁ ଦେଇଥିବା ଯୁକ୍ତିଯୁକ୍ତ ସ୍ମାରକପତ୍ର ବ୍ୟର୍ଥ ହୋଇଛି ଓ ବ୍ୟର୍ଥ ହୋଇଛି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଦେଇଥିବା ସ୍ମାରକପତ୍ର । ଏହି ଦୋଷାବହ ୪-କ ଧାରା ଅନୁସାରେ ଯଦି ଓଡ଼ିଶା ସରକାରୀ ଭାଷା ନିଯମାବଳୀ ୨୦୧୬ ସଂଶୋଧନ କରାଯାଏ ତାହା ବି ସମାନ ଦୋଷରେ ଆକ୍ରାନ୍ତ ହେବାକୁ ବାଧ୍ୟ । ସେପରି ପ୍ରମାଦପୂର୍ଣ ନିୟମାବଳିକୁ ବି ଆମେ ପ୍ରତ୍ୟାଖ୍ୟାନ କରିବା ସୁନିଶ୍ଚିତ ।
ଜାଣିଶୁଣି ଭୁଲ ବ୍ୟବସ୍ଥା ଭିତରକୁ ଠେଲି ନିଆହୋଇଥିବା ଆମ ସରକାରୀ ଭାଷା ଆଇନକୁ ମୂଳ ସ୍ଥିତିକୁ ଫେରାଇ ନେଇ ତାର ଉଲ୍ଲଙ୍ଘନକୁ କଠିନ ଦଣ୍ଡନୀୟ କରିବା ଓ ଯେକୌଣସି ଓଡ଼ିଆ ସେହି ଉଲ୍ଲଙ୍ଗନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ପଦକ୍ଷେପ ନେବାକୁ ଅଧିକାର ଦେଇ ଆଇନଟିର ନିର୍ଭୁଲ ସଂଶୋଧନ ହେବାଯାଏଁ ଆମ ଏଇ ଲଢ଼େଇ ଚାଲି ରହିବ, କାରଣ ଏ ଲଢ଼େଇ ଆମ ଭାଷା ପାଇଁ ଆମ ଲଢ଼େଇ ।