ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୬

ପୂର୍ବପ୍ରକାଶିତ ଉତ୍ତାରୁ 

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଫ୍ରେଜର ଯେଉଁ “ଅତ୍ୟନ୍ତ ହୃଦୟବିଦାରକ” ଦୃଶ୍ୟ ବର୍ଣ୍ଣନା କରିଛନ୍ତି ତାହା କେବଳ ନିଜ ମାତୃଭାଷା ଓଡ଼ିଆରେ ପ୍ରଶାସନିକ ସେବା ମିଳୁନଥିବା ହେତୁ ଲୋକେ ଭୋଗିଥିବା ବିପର୍ଯ୍ୟୟର ଦୃଶ୍ୟ , ଯେଉଁ ଦୃଶ୍ୟ ବର୍ତ୍ତମାନର ଓଡ଼ିଶାରେ ମର୍ମନ୍ତୁଦ ଭାବେ ଦୃଶ୍ୟମାନ ।

ଇଂରେଜମାନେ ଯେଉଁମାନଙ୍କୁ ଦେଶୀ ନୌକର (native servant) ବୋଲି କହୁଥିଲେ ସେହି ବଙ୍ଗାଳୀମାନଙ୍କ ଦ୍ଵାରା ବଙ୍ଗ ସଂଲଗ୍ନ ଓଡ଼ିଆ ଭାଷାଭାଷୀ ମୁଲକର ଅଫିସଗୁଡ଼ିକ ପରିଚାଳିତ ହେବାରୁ ଓଡ଼ିଆମାନେ ଯେଉଁ ଅଭୂତପୂର୍ବ ଲୁଣ୍ଠନ ଓ ବିପର୍ଯ୍ୟୟ ଭୋଗିଲେ ତାର ବର୍ଣ୍ଣନା ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ସଂରକ୍ଷିତ ଥିବା ତତ୍କାଳୀନ କଟକ ଜିଲ୍ଲାପାଳ Trowerଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀରେ ଦେଖିହୁଏ । ବଙ୍ଗାଳୀମାନଙ୍କୁ native servant ବୋଲି କହିଥିବା ଏହି ତୀକ୍ଷ୍ନଦୃଷ୍ଟିସମ୍ପନ୍ନ ଇଂରାଜୀ ଅଫିସର ସ୍ପଷ୍ଟ ଲେଖିଛନ୍ତି : 
“A regular system of oppression and peculation appears to exist throughout and ………these people ( Bengalis) are considered the terror and scourge of the district.” (Revenue Administration in Orissa, Ms. Vol. 387)

ଅତଏବ, ମାତୃଭାଷା ଓଡ଼ିଆରେ ଅଫିସଗୁଡ଼ିକରେ କାମ ନ ହେଉଥିବା ହେତୁ ସମଗ୍ର ଓଡ଼ିଆ ଜାତି ଘୋର ବିପର୍ଯ୍ୟୟ କବଳରେ ପଡ଼ିଥିଲା । ଏଥିରୁ ନିସ୍ତାର ପାଇବାପାଇଁ ଓଡ଼ିଆ ଭାଷାରେ ଅଫିସ ଓ ଅଦାଲତ କାମ ଚାଲୁ ବୋଲି ଆମ ପୁର୍ବପୁରୁଷେ ଦାବି କରିଥିଲେ । ମାତ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଖୁନ୍ଦିଦିଆଯାଇଥିବା ପ୍ରଦେଶମାନଙ୍କରେ ଅଧିକ ସଂଖ୍ୟକ ଲୋକ ବ୍ୟବହାର କରୁଥିବା ଭାଷାରେ ହିଁ ସରକାରୀ କାମ ଚାଲିବ ବୋଲି ଇଂରେଜ ସରକାର ଯୁକ୍ତି କରିବାରୁ ସବୁ ଓଡ଼ିଆଭାଷୀ ଅଂଚଳକୁ ଏକାଠି କରି ଗୋଟିଏ ଶାସନରେ ରଖାଯାଉ ଓ ସେଠାରେ ଓଡ଼ିଆ ଭାଷା ସରକାରୀ ଭାଷା ହେଉ ବୋଲି ଦୀନବନ୍ଧୁ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଘୁମୁସର ସଭାର ଆହ୍ଵାନକୁ କୁଳଗୌରବ ମଧୁସୂଦନ ଦାସ ପରିପୁଷ୍ଟ କରିବା ପରେ ତାଙ୍କ ନେତୃତ୍ୱରେ ପରାଧୀନ ଭାରତର ସର୍ବଶ୍ରେଷ୍ଠ ଭାଷା ଆନ୍ଦୋଳନ କରି ଓଡ଼ିଆ ଜାତି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ସୃଷ୍ଟି କରିବା ପାଇଁ ବିଲାତି ସରକାରକୁ ବାଧ୍ୟକଲା ।

ଏଥିରୁ ଏହା ହିଁ ସ୍ପଷ୍ଟ ଯେ, ଓଡ଼ିଶା ସୃଷ୍ଟି ହୋଇଥିଲା କେବଳ ଗୋଟିଏ ଉଦ୍ଦେଶ୍ୟରେ । ତାହା ହେଲା ଓଡ଼ିଆ ଭାଷାରେ ତାର ପ୍ରଶାସନିକ ପରିଚାଳନା । ଏହି ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ଷଡ଼ଯନ୍ତ୍ର କରିଥିଲେ ବିଜୁ ପଟ୍ଟନାୟକ ଓ ଷଡ଼ଯନ୍ତ୍ର ଚଳାଇଛନ୍ତି ତାଙ୍କ ପୁଅ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୫

ପୂର୍ବପ୍ରକାଶିତ ଉତ୍ତାରୁ 

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ନାହିଁନଥିବା ଓଡ଼ିଆ ଭାଷା ଜାତୀୟତାର ପ୍ଲାବନ ଖେଳିଗଲା ସମ୍ବଲପୁର ଅଂଚଳରେ । ଯେହେତୁ ମାତୃଭାଷା ଓଡ଼ିଆ ବଦଳରେ ହିନ୍ଦୀ ରାଜଭାଷା ହେବାରୁ ଲୋକେ ପ୍ରଶାସନିକ ନର୍କରେ ପଡ଼ିଥିଲେ; ସେହେତୁ ସେମାନଙ୍କ ଦୁର୍ଗତି ଥିଲା “ଅତ୍ୟନ୍ତ ହୃଦୟବିଦାରକ” ବୋଲି କହିଛନ୍ତି ବଡ଼ଲାଟ କର୍ଜନଙ୍କ ଦ୍ଵାରା ଆଦ୍ଦିଷ୍ଟ ହୋଇ ସମ୍ବଲପୁର ତମାମ ବୁଲି ନିଜର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇଥିବା କମିଶନର ଆଣ୍ଡ୍ରୁ ଫ୍ରେଜର । ତାଙ୍କ ପ୍ରଦତ୍ତ ରିପୋର୍ଟରୁ କିୟଦଂଶ:

 

“ଜିଲ୍ଲାଟିର ଭାଷା ଓଡ଼ିଆ । ଏହାର ପ୍ରଶାସନିକ ସମସ୍ୟା ଅସୀମ ।
“ମୁଁ ଯାହା ଦେଖିଲି ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।
“ମୁଁ ଦେଖିଲି , ୪୦ / ୫୦ ମାଇଲ ଦୂରରେ ରହୁଥିବା ଲୋକଙ୍କ ପାଖକୁ ହିନ୍ଦୀରେ ଲେଖା ହୋଇ ଅଦାଲତରୁ ସମନ୍ ଯାଉଥିଲା । ଯେଉଁ ଲୋକ ପାଖକୁ ଏପରି ସମନ୍ ଯାଉଥିଲା, ସେ ନିଜେ ତାହା ପଢ଼ିପାରୁନଥିଲା ବା ଗାଁରେ ମଧ୍ୟ କେହି ତାକୁ ପଢ଼ିପାରୁନଥିଲେ । ଯେଉଁ ଚଉକିଆ ଦ୍ଵାରା ସମନ୍ ଯାଉଥିଲା ସେ ମଧ୍ୟ ଥିଲା ନିରକ୍ଷର । ସୁତରାଂ ସେ ବି କହିପାରୁନଥିଲା ଯେ କେଉଁ କାରଣରୁ ଅଦାଲତରୁ ସମନ୍ ଜାରି ହୋଇଛି । ସମନ୍ ପାଇ ଅଦାଲତରେ ହାଜର ନହେଲେ ଦଣ୍ଡ ମିଳିବା ଭୟରେ ଲୋକଟି ଚାଲି ଚାଲି ବା ଶଗଡ଼ ଗାଡ଼ିରେ ଅଝାଡ଼ ଜଙ୍ଗଲ ଭିତରେ ୪୦ / ୫୦ ମାଇଲ ଆସି ଅଦାଲତରେ ହାଜର ହେଉଥିଲା ଏବଂ ଜାଣିବାକୁ ଚେଷ୍ଟା କରୁଥିଲା ଯେ କାହିଁକି ତାକୁ ସମନ୍ ଜାରି ହୋଇଛି । ହୁଏତ ତାକୁ ସେତିକି ବୁଝିସାରି ମହଲତ ପାଇଁ ଦରଖାସ୍ତ କରିବାକୁ ବା ଯେଉଁ କାଗଜପତ୍ର ଦେଖାଇବାକୁ ତାକୁ ସମନ୍ ଯାଇଥିଲା ସେ କାଗଜପତ୍ର ଆଣିବାପାଇଁ ପୁଣି ଜଙ୍ଗଲେ ଜଙ୍ଗଲେ ସେହି ୪୦ / ୫୦ ମାଇଲ ବାଟ ଫେରିବାକୁ ପଡୁଥିଲା ।”

ଏପରି ନାନା “ଅତ୍ୟନ୍ତ ହୃଦୟବିଦାରକ” ପ୍ରତ୍ୟକ୍ଷଦର୍ଶୀ ଦୃଶ୍ୟରେ ଭରପୁର ଫ୍ରେଜରଙ୍କ ସଞ୍ଚିତ ବିବରଣୀ ଓଡ଼ିଆରେ ଅନୁବାଦ କରି ମୁଁ ପ୍ରକାଶ କରିଛି (‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୌଭାଷ୍ୟ , ୨୦୦୯) । (କ୍ରମଶଃ ) 

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୪

ପୂର୍ବପ୍ରକାଶିତ ଉତ୍ତାରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଘୁମୁସରରୁ ଆରମ୍ଭ ହୋଇ ଭାଷା ଜାତୀୟତାର ସ୍ରୋତ ସମଗ୍ର ଗଞ୍ଜାମରେ ବ୍ୟାପିଗଲା ଓ ଏହା ଏପରି ରୂପ ଧାରଣ କଲା ଯେ, ମାନ୍ଦ୍ରାଜ ସରକାର ୧ ଅଗଷ୍ଟ ୧୮୯୦ ତାରିଖରେ ବାଧ୍ୟ ହୋଇ ଘୋଷଣା କଲେ କି , ଘୁମୁସରରେ ଥିବା ସମସ୍ତ ସରକାରୀ ଅଫିସ ତଥା ଅଦାଲତମାନଙ୍କରେ କେବଳ ଓଡ଼ିଆ ଭାଷାରେ ହିଁ କାମ ହେବ । କିନ୍ତୁ ଅଣଓଡିଆଙ୍କ ଚକ୍ରାନ୍ତ ହେତୁ ଏହି ଏକା ଆଦେଶରେ ପୁନଶ୍ଚ କୁହାହେଲା , ଘୁମୁସର ଭିନ୍ନ ଗଂଜାମ ଜିଲ୍ଲାର ଅନ୍ୟତ୍ର ଓଡ଼ିଆ ସାଙ୍ଗକୁ ତେଲୁଗୁ ବି ଚାଲିବ । ଫଳରେ ଯାହା ହେଲା ତାର ପ୍ରତିଛବି ଆମେ  ‘ଗ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ନିଜ ଭାଷା ପାଇଁ ଗଂଜାମ ଜିଲ୍ଲା ସଂଘର୍ଷ ରତ ଥିବା ବେଳେ ୩୦ ଜାନୁଆରୀ ୧୮୯୫ ତାରିଖର ମଧ୍ୟପ୍ରଦେଶ ଗେଜେଟରେ ସେଠିକା ସରକାର ସମ୍ବଲପୁର ମୂଲକରେ ୧୮୯୬ ଜାନୁଆରୀ ପହିଲାରୁ ଓଡ଼ିଆ ପରିବର୍ତ୍ତେ ହିନ୍ଦୀରେ ସରକାରୀ କାମ ହେବ ବୋଲି କହିଲେ । ତା ପ୍ରଭାବରେ ମାନ୍ଦ୍ରାଜ ସରକାର ଗଞ୍ଜାମରେ ପ୍ରବର୍ତ୍ତନ କଲେ ସମ୍ପୁର୍ଣ୍ଣ ତେଲୁଗୁ ଯାହାର ପ୍ରତିଛବି ଆମେ ‘କ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ସମ୍ବଲପୁର ମାତିଉଠିଲା ନିଜ ମାତୃଭାଷା ଓଡ଼ିଆକୁ ରାଜଭାଷା ଭାବେ ପୁନଃ ପ୍ରତିଷ୍ଠା କରିବା ପାଇଁ ।

ପୁଣ୍ୟଶ୍ଳୋକ ଦାମୋଦର ପଟ୍ଟନାୟକ ଥିଲେ ତାଳଚେର ରାଜ୍ୟର ପରିଚାଳକ (Manager) ସେଠିକା ରାଜା ନାବାଳକ ଥିବା ହେତୁ । ସମ୍ବଲପୁରରେ ହିନ୍ଦୀ ପ୍ରଚଳନକୁ ବିରୋଧ କରି ଯେଉଁ ଆନ୍ଦୋଳନ ଚାଲିଥିଲା ସେ ତାକୁ ଆର୍ଥିକ ସାହାଯ୍ୟ କରୁଥିଲେ କେବଳ ନୁହେଁ , ସବୁ ଲୋକ ଗାଇ ପାରିଲା ପରି ଗୀତ ଲେଖି ମାତୃଭାଷା ଓଡ଼ିଆ ପାଇଁ ଜୀବନପଣକରି ଲାଗିବାକୁ ଲୋକଙ୍କୁ ପ୍ରଚୋଦିତ କରୁଥିଲେ । ‘ଉତ୍କଳଦୀପିକା’ରୁ ଉଦ୍ଧାର କରି ‘ସମ୍ବଲପୁର ହିତୈଷୀଣି’ ତାଙ୍କର ଏପରି ଏକ ଗୀତ ୮ ଏପ୍ରିଲ ୧୮୯୬ରେ ପ୍ରକାଶ କରିଥିଲା ଯାହା ସମଗ୍ର ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ପାଇଁ ଚାଲିଥିବା ଆନ୍ଦୋଳନକୁ ଲେଲିହାନ କରିଥିଲା । ‘ଭୈରବୀ ରାଗ , ଆଦି ତାଳ’ରେ ଗେୟ ଏହି ମହାନ ବୈପ୍ଲବିକ ଗୀତରୁ ମୁଁ ଶେଷ ପଦ ଦୁଇଟିକୁ ଏଠାରେ ଉଦ୍ଧାର କରୁଛି :

“ଯାଉ ଏ ଜୀବନ ଧନ ହୁଅ ଏକ ପ୍ରାଣ ମନ
ହେଉ ଶରୀର ପତନ ରଖ ଏବେ ପଣ
ସର୍ବେ ରଖ ଏବେ ପଣ ।।
ଜନନୀ ରସନା ହିନ୍ଦୀ କାଟଇ ଜାତିକି ନିନ୍ଦି
ଉଠରେ ଉତ୍କଳ ଭାଇ ଘେନ ନିବେଦନ
ଭାଇ ସହେ କି ଜୀବନ?”

ସମ୍ବଲପୁର ଜିଲ୍ଲାରୁ ଉତ୍କଳ ଭାଷା ଉଠିଯାଇ ହିନ୍ଦୀଭାଷା ପ୍ରଚଳିତ ହେବା ସମ୍ବାଦରେ ଉତ୍କଳ ଭାରତୀଙ୍କ କ୍ଷୋଭ ଶୀର୍ଷକ ଏକ କବିତା ପ୍ରକାଶ ପାଇଥିଲା ସମ୍ବଲପୁର ହିତୈଷୀଣୀର ଭାଗ ୬, ସଂଖ୍ୟା ୩୬ରେ । ତହିଁରୁ ପଦେ –

“ସମ୍ବଲପୁରର ଅଧିବାସୀମାନେ
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇବ ସେଠାରେ
ଶୁଣି ସର୍ବେ ହତ ଜ୍ଞାନ ।”

ଓଡ଼ିଆ ଭାଷା ଜାତୀୟତାର ଶ୍ରେଷ୍ଠ ସାରସ୍ୱତ ସେନାପତି ସ୍ଵଭାଵକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀଙ୍କ ନିବେଦନ’ ଶିର୍ଷକ କବିତାରେ କାଳେ ବିଲାତ ସରକାର ରାଗିବେ ଏହି ଭୟରେ ଓଡ଼ିଆ ଭାଷା ଆନ୍ଦୋଳନଠୁ ଦୁରେଇ ରହିଥିବା ସମ୍ବଲପୁର ଅଂଚଳର ରାଜାମହାରାଜାମାନଙ୍କୁ ତୀବ୍ର ଆକ୍ରମଣ କରିଥିଲେ । ଏପରିକି ନିଜ ଇଲାକାର ରାଜାଙ୍କୁ ସେ ଆକ୍ଷେପ କରି କହିଥିଲେ :

“ବରପଲ୍ଲୀପତି ଜାଣଇଁ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେ ଅଧେ ବଚନ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ!” (କ୍ରମଶଃ)

ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।

ଭାଷା ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ସରକାରଙ୍କର ନାହିଁ : ପ୍ରଦୀପ୍ତ ନାୟକ

ଦି ନିଉଜ ସିଣ୍ଡିକେଟ

ମାନବାଧୀକାର ବିଶେଷଜ୍ଞ ପ୍ରଦୀପ୍ତ ନାୟକ ଆଜି ପୂର୍ବାହ୍ନ ୧୦ଟାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କ୍ରମ ଅନୁସାରେ ଭାଷା ଆନ୍ଦୋଳନର ବୌଦ୍ଦିକ-ଅଭିଯାନ ମଞ୍ଚ ଫେସବୁକର ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଓଡ଼ିଶା ସରକାରଙ୍କୁ ତାଗିଦ କରିଦେଇଛନ୍ତି ଯେ, ଓଡ଼ିଆ ଜାତିର ଭାଷା ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ତାଙ୍କର ନାହିଁ ।

ସିଧା ପ୍ରସାରିତ ତାଙ୍କ ଭାଷଣରେ ସେ ସମ୍ବିଧାନ ଓ ଆନୁଷଙ୍ଗିକ ବିଧିବ୍ୟବସ୍ଥାର ବିଶ୍ଳେଷଣ କରି ଭାଷା ଆନ୍ଦୋଳନର ରାଜନୈତିକ ଗୁରୁତ୍ଵ ବୃଦ୍ଧି ଅବଶ୍ୟମ୍ଭାବୀ ବୋଲି ଦର୍ଶାଇଥିଲେ ଓ ସରକାରୀ ଅବିମୃଷ୍ୟତା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ , ଦଳମତ ନିର୍ବିଶେଷରେ ସାଧାରଣଜୀବନରେ ସମସ୍ତ ସକ୍ରିୟ ରାଜନେତା ଏହି ଆନ୍ଦୋଳନ ସହ ଜଡ଼ିତ ହୋଇ ନିଜ ମାତୃଭାଷାକୁ ବିପତ୍ତିମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।