ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରସୁଲକୋଣ୍ଡାରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗଠିତ ଜନମତର ପ୍ରଥମ ପରିପ୍ରକାଶ । ଏଥିରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତହିଁରେ  ଥିବା ପ୍ରକଟିତ ସତ୍ଯର ଅବତାରଣା ଏକାନ୍ତ ଐତିହାସିକ । ଓଡ଼ିଆମାନଙ୍କ ଇଲାକାରେ ରାଜଭାଷା ଭାବେ ତେଲୁଗୁ ପ୍ରଚଳିତ ହେବାରୁ ଯେଉଁ ତେଲେଙ୍ଗାମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଯମାଳୟ ପରି ଜ୍ଞାନ କରୁଥିଲେ ସେମାନେ ……… ଯମଦୂତ ପରି କର୍ମ କରୁଛନ୍ତି ।” ନିଜ ଭାଷା ରାଜଭାଷା ହୋଇ ନରହିଲେ ଜନସାଧାରଣଙ୍କର କିପରି ସର୍ବନାଶ ଘଟେ ତାହାର ଏହା ଏକ ନିରୋଳା ବିବରଣୀ । 

ପତ୍ର ରୂପେ ଏହା ପ୍ରାପ୍ତ ହୋଇ ‘ଉତ୍କଳଦୀପିକା ‘ର ସମ୍ପାଦକ ଗୌରୀ ଶଙ୍କର ରାୟ ୨୦.୧୨.୧୮୭୦ ତାରିଖରେ ତାଙ୍କ ସଂପାଦକୀୟ ସହ “ଘୁମୁସର ପତ୍ର” ଶୀର୍ଷକରେ ଏହାକୁ ପ୍ରକାଶ କରିଥିଲେ ।  

ଐତିହାସିକ ଗୁରୁତ୍ଵ ଦୃଷ୍ଟିରୁ ନିମ୍ନରେ ତାହା ପ୍ରଦତ୍ତ ହେଲା:

ଅଦ୍ୟ ଦିବସର ଅତିରିକ୍ତ ପତ୍ରିକାରେ ଘୁମୁସରରୁ ଆସିଥିବା ଗୋଟିଏ ପତ୍ର ମୁଦ୍ରିତ କରି ପାଠକମାନଙ୍କୁ ଅନୁରୋଧ କରୁଅଛୁ କି,  ସେମାନେ ମନୋଯୋଗପୂର୍ବକ ତାହା ପାଠ କରିବେ । ଉତ୍କଳ ଦେଶ ହିତ ଚିନ୍ତାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଏ ବିଷୟରେ ବିଶେଷ ଉଦଯୋଗୀ ହେବାର ଆବଶ୍ୟକ । ଘୁମୁସରବାସୀମାନେ ଯାହା ପ୍ରାର୍ଥନା କରନ୍ତି ତାହା ଯେ ସର୍ବତୋଭାବେ ଯୁକ୍ତିଯୁକ୍ତ ଓ ବହୁ ଉପକାରମୂଳକ ଅଟଇ ଏ କଥାରେ ଅଣୁମାତ୍ର ସନ୍ଦେହ ନାହିଁ । ଓଡ଼ିଶାର ଦୂରବସ୍ଥା ଯେଉଁମାନେ ଜାଣନ୍ତି ଓ ତହିଁର କାରଣ ଅନୁସନ୍ଧାନ କରନ୍ତି ସେମାନେ ଅବଶ୍ୟ ଅବଗତ ହୋଇଥିବେ ଯେ, ଏ ଦେଶ ତିନି ଖଣ୍ଡ ହୋଇ ତିନି ଶାସନକର୍ତ୍ତାଙ୍କ ଅଧୀନରେ ରହିବାରୁ ଏହାର ଉନ୍ନତି ହେଉନାହିଁ । ଏକ ଖଣ୍ଡ ବଙ୍ଗଳା ଗଭର୍ଣ୍ଣମେଣ୍ଟ , ଏକ ଖଣ୍ଡ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଓ ଅପର ଏକ ଖଣ୍ଡ ମଧ୍ୟପ୍ରଦେଶର ଚିଫ୍ କମିଶ୍ନରଙ୍କ ଶାସନରେ ରହିବାରୁ ଏ ଦେଶ ସମୁଦାଯ ଏକ ହୋଇ ଚଳିପାରେନାହିଁ । ମାତ୍ର ଏ ପ୍ରକାର ଅବସ୍ଥାରେ ଥିଲେ ମଧ୍ୟ ଗଭର୍ଣ୍ଣମେଣ୍ଟ ଗୋଟିଏ କଥାରେ ଦ୍ରୁଷ୍ଟି ରଖିଥିବାରୁ ଅନେକ ମଙ୍ଗଲ ହେଉଅଛି । ବଙ୍ଗଳା ଓ ମଧ୍ୟପ୍ରଦେଶର ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ଓ ସ୍ଵାର୍ଥପର ଲୋକେ କେତେ ଉପାୟ କାଲେ ହେଁ ଗଭର୍ଣ୍ଣମେଣ୍ଟ ଏ ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ କରିବାକୁ ସମ୍ମତ ହୋଇନାହାନ୍ତି । ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ ? ଓ, ଯେ ସ୍ଥଳେ ପୂର୍ବରେ ସେ ଭାଗର ରାଜକାର୍ଯ୍ୟ ଓଡ଼ିଆ ଭାଷାରେ ହୋଇ ଆସୁଥିଲା ତେବେ ଇଂରେଜ ଗଭର୍ଣ୍ଣମେଣ୍ଟ କାହିଁକି ଭିନ୍ନରୂପ ଆଚରଣ କରିବ? ଆମମାନଙ୍କୁ ନିଶ୍ଚୟ ବୋଧ ହେଉଅଛି ଯେ, ଉତ୍କଳବାସୀମାନେ ଏ ବିଷୟରେ ଏକମତ ହୋଇ ଗଭର୍ଣ୍ଣମେଣ୍ଟଙ୍କୁ ଆବେଦନ କାଲେ ତାହାଙ୍କର ପ୍ରାର୍ଥନା ସଫଳ ହେବ । ବିଦେଶୀୟ ଭାଷାରେ କାର୍ଯ୍ୟାଳୟର ଯାବତୀୟ କାର୍ଯ୍ୟ କରବା କଦାଚ ଗଭର୍ଣ୍ଣମେଣ୍ଟଙ୍କ ଅନୁମୋଦିତ ନୁହଇ । କେବଳ ଘୁମୁସରବାସୀମାନେ ଏତେଦିନ ଯତ୍ନ କରିନାହାନ୍ତି ବୋଲି ତାହାଙ୍କର ଦୁଃଖ ଶୁଣାଯାଇନାହିଁ । ଏବେ ସେମାନେ ସମସ୍ତ ଉତ୍କଳବାସୀଙ୍କଠାରେ ଏକଥା ଜଣାଇଲେ । ଏଥକୁ ଆବଶ୍ୟକ ଯେ, ପୁରୀ, କଟକ ଓ ବାଲେଶ୍ବରରେ ଥିବା ସମସ୍ତ ଉତ୍କଳୀୟ ତାହାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଆମ୍ଭେମାନେ ଭରସା କରୁ ଯେ, ଉତ୍କଳୋଲ୍ଲାସିନୀ ସଭା ବିଶେଷ ଆଗ୍ରହ ପୂର୍ବକ ଏ ବିଷୟରେ ହସ୍ତକ୍ଷେପ କରନ୍ତୁ ।       

(ଦ୍ରଷ୍ଟବ୍ୟ – https://www.scribd.com/doc/19216578/Role-of-Mass-Media-in-Creation-of-Orissa )

କ୍ରମଶଃ 

 

ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶା ରାଜ୍ୟଭାଷା -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମେ ଓଡ଼ିଆ ବୋଲି ଆମ ଭାଷା ଓଡ଼ିଆ – ଏକଥା ନୁହେଁ ; ଆମ ଭାଷା ଓଡ଼ିଆ ବୋଲି ଆମେ ଓଡ଼ିଆ । ଆମ ଭାଷା ହିଁ ଆମ ପରିଚୟ ।

ଅନୁପ୍ରବେଶକାରୀ ଇଂରେଜଙ୍କ ଆଧିପତ୍ୟ ବିରୁଦ୍ଧରେ ଆମ ପୂର୍ବ ପୁରୁଷେ ସାରା ଭାରତରେ ପ୍ରଥମେ ତଲୱାର ତୋଳିଥିବା ହେତୁ ଆମକୁ ଦୁର୍ବଳ କରି ରଖିବା ପାଇଁ ସେମାନେ ଆମ ମାଟିର ଯେଉଁ ଯେଉଁ ଅଞ୍ଚଳ ଯେତେବେଳେ ଦଖଲ କରୁଥିଲେ ତାକୁ ଆମ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପଡ଼ୋଶୀ ପ୍ରଦେଶମାନଙ୍କ ସହ ଏପରି ସାନ୍ଧି ଦେଉଥଲେ, ଯେପରି ସେଠାରେ ଆମେ ସଂଖ୍ୟାଲଘୁ ହୋଇଯିବା ଓ ଓଡ଼ିଆ ଭାବେ ଆମ ପରିଚୟ ବୁଡ଼ିଯିବ । ଏହା ଆମ ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରିଥିଲା ।

ଅବସ୍ଥା ଏପରି ଶୋଚନୀୟ ହୋଇଉଠିଥିଲା ଯେ, ତେଲୁଗୁ ଭାଷାରେ ସରକାରୀ କାମ ହେଉଥିବା ହେତୁ ସେଠାରେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆଜନ୍ମ ଓଡ଼ିଆ ଶିଷ୍ଟକରଣମାନେ ତେଲୁଗୁଭାଷା ଶିଖୁଥିଲେ (ଇଂରେଜ ସରକାରଙ୍କ ପ୍ରକାଶିତ କୋରାପୁଟ ଗେଜେଟିୟର , ପୃଷ୍ଠା ୮୫)

ଏହି ବିପର୍ଯ୍ୟୟ କବଳରୁ ଓଡ଼ିଆ ଜାତିକୁ ରକ୍ଷା କରିବା ପାଇଁ ଗଞ୍ଜାମର ଘୁମୁସର ନିବାସୀ ଦୀନବନ୍ଧୁ ପଟ୍ଟନାୟକ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ ପ୍ରଥମ କରିଥିଲେ । ତାଙ୍କ ଉଦ୍ୟମରେ ସେଦିନ ଘୁମୁସରର ରସୁଲକୋଣ୍ଡା ମୁକାମରେ ଋଷିକୁଲ୍ୟା ନଦୀର ଉଭୟ ପାର୍ଶ୍ଵବାସୀ ବାସିନ୍ଦାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରାଯିବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆ ଯାଇଥିଲା  (କ୍ରମଶଃ

ପ୍ରଥମଥର ପାଇଁ ଭାଷା ଆନ୍ଦୋଳନ ଉପରେ ଆକ୍ରମଣ: ହସ୍ତକ୍ଷେପ ପାଇଁ ପୋଲିସକୁ ଅନୁରୋଧ

ଭୁବନେଶ୍ବର ,ତା ୦୨.୦୨.୨୦୨୫

ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଆଜି ନବମ ବର୍ଷର ଦଶମ ମାସ ଦ୍ଵିତୀୟ ଦିବସରେ ପହଞ୍ଚିଲା । ଯାହାଙ୍କ ତ୍ୟାଗ ଓ ତପସ୍ୟା ହେତୁ ଏକ ଭାଷାଭିତ୍ତିକ ସ୍ଵତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଆବିର୍ଭାବ, ଓଡ଼ିଆ ଜାତିର ସେହି ପରମପ୍ରିୟ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପ୍ରତିଦିନ ପ୍ରଦକ୍ଷିଣ କରି ଓଡ଼ିଆ ଜାତିର ଦୁଃଖଦଗ୍ଧ ଐକ୍ଯର ପ୍ରତୀକ “କଳାପତାକା”ର ଅର୍ଘ୍ୟ ଆମ୍ଭେ ଦେଇଥାଉ। 

କୁଳବୃଦ୍ଧଙ୍କ ପୀଠକୁ ଯିବା ପାଇଁ ପାହାଚ ପରି ଏକ ପଥର ଥିଲା ଯାହା ଉପରେ ପଦ ରଖି ମୁଁ ଉପରକୁ ଉଠିପାରୁଥିଲି ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ମାତୃଭାଷାପ୍ରାଣ ଓଡ଼ିଆମାନେ କଳାପତାକାର ଅର୍ଘ୍ୟ ଦେବାକୁ ମୋ ସହ ଯୋଗ ଦେଇ ପାରୁଥିଲେ । କେଇ ଦିନ ତଳେ, ହଠାତ୍ ଦେଖାଗଲା, ସେହି ପଥରଟି ଆଉ ନାହିଁ । ମୁଁ ବେଢା ତଳେ ଠିଆ ହୋଇ କଳାପତାକାର ଅର୍ଘ୍ୟ ଦେଉଥିଲି । 

ଗତକାଲି ସନ୍ଧ୍ୟା ୫ଟାରେ ମୁଁ ପୂର୍ବବତ୍ ଅର୍ଘ୍ୟ ଦେଇ ପେରୁଥିବା ବେଳେ ମୋ ସହ ଚିହ୍ନା ପରିଚୟ ନଥିବା ଜଣେ ବ୍ୟକ୍ତି ମୋତେ ହଠାତ୍ ଭୟଙ୍କର ବାଚନିକ ଆକ୍ରମଣ କଲେ ଓ ଓଡ଼ିଆ ଜାତିର ସୁପରିଚିତ ଏବଂ ସୁପ୍ରିୟ କଳାପତାକା ଅଭିଯାନ ବନ୍ଦ ରଖିବାକୁ ଧମକ ଦେଲେ । 

ମୁଁ ଏହା ପୋଲିସକୁ ଅବଗତ କରାଇଛି ଇ-ମେଲ୍ ମାଧ୍ୟମରେ । ନିମ୍ନରେ ତାହା ଓଡ଼ିଆ ଜାତିର ଅବଗତି ପାଇଁ ଉପସ୍ଥାପିତ ହେଲା : 

ମଧୁବାବୁଙ୍କୁ ଭାଷା ଆନ୍ଦୋଳନର କଳାପତାକାର ନିତ୍ୟ ନିବେଦନ ପ୍ରଦାନ ବେଳେ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ ଓ ଗତକାଲି ଏହି ଅର୍ଘ୍ୟ ପ୍ରଦାନ ବେଳେ ପୋଲିସ ଉପସ୍ଥିତିରେ ମୋ ଉପରେ ହୋଇଥିବା ଆକ୍ରମଣର ପ୍ରତିକାର ପାଇଁ ପ୍ରାର୍ଥନା 

ମହାଶୟ,
ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ (Orissa Official Language Act, 1954)ର ଅଲଙ୍ଘ୍ଯ କାର୍ଯ୍ୟକାରିତା ପାଇଁ ୦୧.୦୪.୨୦୧୬ ତାରିଖରେ ମୋ ଦ୍ଵାରା ପ୍ରତିଷ୍ଠିତ ଭାଷା ଆନ୍ଦୋଳନ, ଓଡ଼ିଶାର ପ୍ରୟୋଗାତ୍ମକ ପଦ୍ଧତ୍ତି – ନିରବ କଳାପତାକା ଅଭିଯାନ – ଗତ ୧୩.୦୪.୨୦୧୬ ତାରିଖରୁ ଅଦ୍ୟାବଧି ସମ୍ପୁର୍ଣ୍ଣ ଶାନ୍ତିପୂର୍ବ ଭାବେ ଚାଲିଛି । କେବେ ବି ଆମ୍ଭେ କୌଣସି ବେଆଇନ ପଦକ୍ଷେପ ନେଇନାହୁଁ ଓ ପୋଲିସ ଯେତେବେଳେ ଆମକୁ ମୁଖ୍ୟମନ୍ତ୍ରୀଙ୍କ ରାସ୍ତା ସଫା ରଖିବାକୁ ଅଟକାଇଛନ୍ତି , କୌଣସି ପ୍ରତିବାଦ ନକରି ଆମ୍ଭେ ସହଯୋଗ କରିଛୁ । ଏହା ଏକ ଅଦର୍ଶସ୍ଥାନୀୟ ସଂପୂର୍ଣ୍ଣ ଶାନ୍ତ ସାମାଜିକ ଆନ୍ଦୋଳନ ବୋଲି ସ୍ବନାମଧନ୍ୟ ପ୍ରଫେସର, ସାମାଜିକ କର୍ମୀ, ଲେଖକ ଓ ଗବେଷକମାନେ ମୌଖିକ ଓ ଲିଖିତ ପ୍ରଶଂସା କରିଛନ୍ତି । ଏପରିକି, ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ଗବେଷଣା ଉପାଧି (Ph D) ସନ୍ଦର୍ଭରେ ଏହି ଆନ୍ଦୋଳନ ଏକ ଆଦର୍ଶ ଆନ୍ଦୋଳନ ଭାବେ ସ୍ଥାନିତ ହୋଇଛି । ଏହା ନିଜ ଶାନ୍ତିପୂର୍ଣ୍ଣ ପଦ୍ଧତ୍ତି ଅନୁସରଣ କରି ନବମ ବର୍ଷର ନବମ ମାସ ଅତିକ୍ରମ କରିଛି ଓ ଆମ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ଦେଇ ଏବଂ ଏହାର ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆଚରଣକୁ ନଜରରେ ରଖି ଓଡ଼ିଶା ପୋଲିସ ସମଗ୍ର ରାଜ୍ୟରେ କେବେ ବି କୌଣସି ବାଧା ଦେଇନାହାନ୍ତି ।

ଦୁଃଖର କଥା , ପ୍ରତିଦିନ ପରି ଗତକାଲି ଅପରାହ୍ନ ୫ଟାରେ ମଧୁବାବୁଙ୍କ ବିଜେସ୍ଥଳୀରେ ପ୍ରତୀକାତ୍ମକ ଭାବେ କଳାପତାକାର ଅର୍ଘ୍ୟ ନିବେଦନ କରି ଫେରୁଥିବା ବେଳେ ମୁଁ ଚିହ୍ନି ନଥିବା ଜଣେ ବ୍ୟକ୍ତି ମୋତେ ଭୟଙ୍କର ବାଚନିକ ଭର୍ତ୍ସନା କରି ଏ ଅଭିଯାନ ବନ୍ଦ କରିବାକୁ ଧମକ ଦେଇଥିଲେ , ୟୁନିଫର୍ମରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାହା ପ୍ରତ୍ଯକ୍ଷ କରିଛନ୍ତି ।

ଓଡ଼ିଆ ଜାତିର ଭାଷା ଅଧିକାର ହାସଲ କରିବା ପାଇଁ ଗତ ନଅ ବର୍ଷ ନଅ ମାସ ଧରି ନିରବଚ୍ଛିନ୍ନ ଭାବେ ଓ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଶୈଳୀରେ ଚାଲିଆସିଥିବା ଏହି ଜାତୀୟ ତପସ୍ୟାରେ ଓ କୁଳବୃଦ୍ଧ ମଧୁସୂଦନଙ୍କୁ କଳାପତାକାର ନିତ୍ୟ ଅର୍ଘ୍ଯ ପ୍ରଦାନ କରିବାରେ କେହି ବାଧାଦେବା ଯେପରି ନହୁଏ ତାହା ପୂର୍ବବତ୍ ସୁନିଶ୍ଚିତ କରିବା ପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି । ମୋର ସମସ୍ତ କାର୍ଯ୍ୟକ୍ରମ ପୂର୍ବବତ୍ ସନ୍ଧ୍ଯା ୫ଟାରୁ ୫ଟା ୧୦ ଭିତରେ ସମାପ୍ତହେବ ଓ ମୁଁ ଯାନବାହାନ ଚଳାଚଳରେ କୌଣସି ବାଧା ଦେବି ନାହିଁ ବୋଲି ଆପଣଙ୍କୁ ପୁନର୍ବାର କଥା ଦେଉଛି । ଉଚିତ ମନେକଲେ, ଏହି ସମୟରେ ମୋତେ ସୁରକ୍ଷା ଦେବାକୁ ଆପଣଙ୍କୁ ବିନମ୍ର ଅନୁରୋଧ ।
ଇତି
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠତା, ଭାଷା ଆନ୍ଦୋଳନ, ଓଡ଼ିଶା




Subhas Chandra Pattanayak
Founder,
Bhasha Andolan, Orissa
https://bhashaandolan.com

ହନୁ ମଲାବେଳକୁ ସତ କହେ, ବିଜେଡ଼ି କେତେବେଳକୁ କହିବ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବା ଦୋଷରେ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହେବା ପରେ ତାଙ୍କର ଉଚିତ ଥିଲା ବିଜେଡ଼ିର ସର୍ବନିୟନ୍ତା ପଦରୁ ଇସ୍ତଫା ଦେଇ ଦଳଟି ପ୍ରକୃତରେ ଯେଉଁମାନଙ୍କର ସେମାନଙ୍କ ହାତରେ ତା’ର ଭବିଷ୍ୟତ ଛାଡ଼ିଦେବା । ସେ ତାହା କଲେନି ।

ଏକ ରାଜନୈତିକ ଦଳର ସର୍ବନିୟନ୍ତା ହୋଇ ରହିବାର ମୋହ ତାଙ୍କର ଏତେ ପ୍ରଚଣ୍ଡ ଯେ, ଓଡ଼ିଆଭାଷାବିଦ୍ଵେଷ ପାଇଁ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହୋଇଥିବା ସ୍ଵୀକାର କରିବା ପରିବର୍ତ୍ତେ, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିବାରେ ତାଙ୍କୁ ସହଯୋଗ କରିଥିବା କୁଖ୍ୟାତ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପୂର୍ଣ୍ଣ ସମର୍ଥନ କରି ଘର ପୋଡ଼ିଗଲା ପରେ ନିଦ ଭାଙ୍ଗିଥିବା ବିଜୁଆମାନଙ୍କୁ  ଚୁପ୍ କରାଇଦେଲେ ଓ ସେମାନଙ୍କୁ ଭୁଆଁ ବୁଲାଇବା ପାଇଁ ନିର୍ବାଚିତ ହୋଇପାରିଥିବା  ଅନୁଗତମାନଙ୍କ ଭିତରେ ଓଡ଼ିଶା ପ୍ରଶାସନର ବିଭିନ୍ନ ବିଭାଗ ବାଣ୍ଟି ପୋଷାମନା ମେଡ଼ିଆ ମାଧ୍ୟମରେ ଏପରି ପ୍ରଚାର କଲେ , ସତେ ଯେମିତି ସେ ନିଜେ ଭାରତର ସମ୍ବିଧାନଠୁ ଊର୍ଦ୍ଧ୍ଵତର ଓ ଭାରତରେ “ଛାୟା ମନ୍ତ୍ରୀମଣ୍ଡଳ” ପରି ଏକ ନୂଆ ବ୍ୟବସ୍ଥାର ପ୍ରବର୍ତ୍ତକ !

ଯେଉଁମାନେ ମନ୍ତ୍ରୀ ଥିବା ବେଳେ କର୍ମଚାରୀଙ୍କ ବୋଲକରା ସାଜିଥିଲେ, ଏବଂ ଏହା ଏପରି ଯେ, ଭାଷା ଆଇନରେ ଜାଲିଆତି ହୋଇଥିବା ସତ୍ତ୍ୱେ ପାଟି ଫିଟେଇବାକୁ ସାହସ କରିପାରୁନଥିଲେ, ସେମାନେ ପୁଣି କ୍ଷମତା ବାହାରେ ଛାୟା ମନ୍ତ୍ରୀ ସାଜି ନୂଆ ମନ୍ତ୍ରୀଙ୍କ ସାହାଯ୍ୟରେ ନୂଆ ପଦକ୍ଷେପ ନେବା ବେଳେ କେଉଁ କର୍ମନିର୍ବାହୀ କର୍ମଚାରୀ କେଉଁ ବିଭାଗର କେଉଁଠି ଝୁଣ୍ଟିଲେ, ତାହା ତଦ୍ବିର କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗ ସଳଖିବେ !

ଏପରି ଏକ ଆଦେଶ ଦେଇ ନବୀନବାବୁ  ତାଙ୍କ ଅନୁଗତମାନଙ୍କ ପାଖରେ ନିଜକୁ ବିଜେଡ଼ିର ସର୍ବନିୟନ୍ତା ବୋଲି ଜାରିକରିଥିଲେ ମଧ୍ୟ,  ବିଧାନସଭା ପାଇଁ ନିର୍ବାଚନ ଜିତିଥିବା ସବୁ ସଦସ୍ଯଙ୍କୁ ସେମାନଙ୍କ ଭିତରୁ କେଇଜଣ ଛାୟାମନ୍ତ୍ରୀ ହେବା ସହ୍ୟ ବି ହେଲାନି । ପାଣ୍ଡିଆନକୁ ଗମ୍ଭୀରାରେ ରଖି ନବୀନ ଚଳାଇଥିବା ନିର୍ବାଚନୋତ୍ତର ନାଟକରେ ଅତିଷ୍ଠ ହୋଇ ତାଙ୍କ ଦଳର ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲା ପରେ ସେ  ଏକ ନୂଆ ଭେଳିକି ସୃଷ୍ଟି କରିଛନ୍ତି । ତାହା ହେଲା – ତାଙ୍କ ଦଳରେ “ସମନ୍ଵୟ ଓ କାର୍ଯ୍ୟାନ୍ବୟନ” ପାଇଁ ଏକ ୧୫ ଜଣିଆ କମିଟି । ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଜ ନିର୍ବାଚନମଣ୍ଡଳୀ ନରସିଂହପୁରର ଏକ ଜନସଭାରେ ସର୍ବପ୍ରଥମେ ଘୋଷଣା କରିଥିବା  ଦେବୀ ପ୍ରସାଦ ମିଶ୍ର ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ଉଲ୍ଲେଖନୀୟ । 

ଆମ ପାଇଁ କୌତୁହଳର କଥା ହେଲା, ଏହି କମିଟିରେ କେତେକଙ୍କ ସଦସ୍ଯତା, ଯେଉଁମାନଙ୍କ କାପୁରୁଷତା ହେତୁ ନବୀନ ପଟ୍ଟନାୟକ କ୍ଷମତାରୁ ଅବଶେଷରେ ହଟିଲେ । ସେମାନେ ହେଲେ, ଦେବୀବାବୁଙ୍କ ସାଙ୍ଗକୁ ବାବୁ ଅରୁଣ କୁମାର ସାହୁ ଓ ବାବୁ ବିକ୍ରମ ଆରୁଖ । ଏହି ତିନିଜଣ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର କାର୍ଯ୍ୟକରିତା ପାଇଁ ୨୦୧୫ରେ ନବୀନ ବାବୁ କବି ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଚାପରେ ପଡ଼ି ଯେଉଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ତହିଁରେ ସଦସ୍ୟ ଥିଲେ  । ସେହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନ ସଂଶୋଧନ ପାଇଁ ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲି ଏବଂ ତଦ୍ଦୃପ ଆଇନସଂଶୋଧନ ପରେ ବିଧିଭୁକ୍ତ ହେବା ପାଇଁ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ସହ ତହିଁର ଯେଉଁ ଚିଠା ଦେଇଥିଲି ତାହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲା ଓ ତଦନୁଯାୟୀ ପଦକ୍ଷେପ ନେବାକୁ ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲା । ସମତାଳରେ ‘ଓଡ଼ିଆରେ ଶାସନ’ ନାମକ ଏକ ନଭମଞ୍ଚ (website) ଖୋଲାଯାଇ ତହିଁରେ ତାହାକୁ ସ୍ଥାନିତ କରାଯାଇଥିଲା । ବ୍ୟବସ୍ଥା ଥିଲା ଯେ, ଯେ କୌଣସି ଓଡ଼ିଆ ଭାଷା ଆଇନ ପ୍ରତି କୌଣସି କର୍ମଚାରୀ/ପଦାଧିକାରୀଙ୍କ ଅବଜ୍ଞା ଦେଖିଲେ ସେହି ନଭମଞ୍ଚରେ ତାହା ଉଲ୍ଲେଖ କରିପାରିବେ ଓ ତହିଁ ଉପରେ  କାର୍ଯ୍ୟାନୁଷ୍ଠାନ କରି ସରକାର ମଧ୍ୟ ସେହି ନଭମଞ୍ଚରେ ତାହା ସ୍ଥାନିତ କରିବେ । କିନ୍ତୁ ନବୀନବାବୁ ସେହି ମନ୍ତ୍ରୀସ୍ତରୀୟ କମିଟିକୁ ଲୋପ କରିଦେଲେ, ଭାଷା ଆଇନକୁ ସଂଶୋଧନ ବାହାନାରେ ଜାଲିଆତି ପ୍ରୟୋଗ ଦ୍ଵାରା ଅକର୍ମଣ୍ୟ କରିଦେଲେ । ୨୦୧୮ ସଂଶୋଧନ ସବୁ ଜଳିଆତିକୂ ଟପିଯାଇଥିଲା  । ଆଇନ ବିଭାଗର ପେନ୍ସିଲ ଭେଟିଙ୍ଗ ଅନୁସାରେ ଲିଖିତ ଯେଉଁ ବିଧେୟକକୁ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ଯାବିନେଟ ଗ୍ରହଣ କରିଥିଲା ସେହି ବିଧେୟକକୁ ବିଧାନସଭା ନଥିରୁ ବାହାର କରିନେଇ ନବୀନବାବୁ ତହିଁ ସ୍ଥାନରେ ଏକ ଜାଲ୍ ବିଧେୟକ ରଖି ବିକ୍ରମ ଆରୁଖଙ୍କ ଦ୍ଵାରା ୧.୫.୨୦୧୮ ତାରିଖରେ ତାକୁ ବିଧାନସଭାରେ ପରୀତ କରାଇଲେ । ଏହା ବିକ୍ରମ ଆରୁଖ ଜାଣନ୍ତି । ଜାଲ୍  ବିଧେୟକକୁ ପାରିତ  କରାଇବାକୁ   ନବୀନ ବାବୁ ଏତେ ବ୍ଯଗ୍ର ଥିଲେ ଯେ, ତହିଁର  ଉପସ୍ଥାପନାଠୁ ବିତର୍କ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ଆରୁଖ କା’ଣ କହିବେ ତାହା ନବୀନଙ୍କ ଦପ୍ତର ତାଙ୍କୁ ଲେଖିକରି ଦେଇଥିଲା ଓ ସେ ସେହି ଲେଖାକୁ କାମିଜ ପକେଟରୁ ବାହାର କରି ପଢିବାକୁ ବାଧ୍ୟ ହୋଇଥିଲେ । ଆଇନ ବିଭାଗର ମନ୍ତ୍ରୀ ଭାବେ ଅରୁଣ ସାହୁ ନୀରବ ଦ୍ରଷ୍ଟା ସାଜି ବସିଥିଲେ । ଉପରୋକ୍ତ କ୍ଯାବିନେଟ ବୈଠକ ନବୀନ ପଟ୍ଟନାୟକଙ୍କ ସ୍କାମର ଶିକାର ହୋଇଥିଲା । ଏହି ତିନି ବ୍ୟକ୍ତି ଯଦି କାପୁରୁଷତା ପ୍ରଦର୍ଶନ କରିନଥାନ୍ତେ ଏପରି ଏକ କ୍ଯାବିନେଟ୍ ସ୍କାମ୍ ପାଇଁ ନବୀନ ସାହସ କରିପାରିନଥାନ୍ତେ କି ଓଡ଼ିଆ ଜାତିର ଏତେବଡ଼ କ୍ଷତି କେବେ ବି ଘଟିପାରିନଥାନ୍ତା । 

ଏ ପାପର ଫଳ ନବୀନ ପାଇଛନ୍ତି । ଏ ତଥାକଥିତ ସମନ୍ଵୟ କମିଟି ଯେତେ କାପ ପକା ପରିଶ୍ରମ କଲେ ମଧ୍ୟ ଆମ ଭାଷାଜନନୀର ଅଭିଶାପରେ ବିଜୁ ଜନତା ଦଳ ମୂଳପୋଛ ହେବାକୁ ଯାଉଛି, ଯେମିତି ହୋଇଥିଲା ବିଜୁଙ୍କ ଉତ୍କଳ କଂଗ୍ରେସ । 

ଆମ ଓଡ଼ିଆ ପୂର୍ବଜେ କାହିଁକି ଏହା କହିଥିଲେ ସେମାନେ ଜାଣନ୍ତି, ମାତ୍ର କଥାଟି ହେଲା, “ହନୁ ମଲା ବେଳକୁ ସତ କହେ ।” 

ମରଣମୁଖୀ ବିଜେଡ଼ିର ଜୀବନରକ୍ଷା ପାଇଁ ସମନ୍ଵୟ ଦାୟିତ୍ଵ ଗ୍ରହଣ କରିଥିବା ଉପରୋକ୍ତ ତିନି “ମନ୍ତ୍ରୀସ୍ତରୀୟ କମିଟି” ସଦସ୍ୟ ଏବେ ହେଲେ ସତ୍ୟ ସ୍ଵୀକାର କରନ୍ତେ ଓ ଓଡ଼ିଆ ଭାଷା ବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କୁ ନିଜ ଦୋଷ ସ୍ଵୀକାର ପାଇଁ ପ୍ରବର୍ତ୍ତାନ୍ତେ ! କିଛି ତ ପାପ କ୍ଷୟ ହୁଅନ୍ତା ଓ ଓଡ଼ିଆ ଜାତିର ଭାଷା ଅଧିକାର ପଥରୁ ଅନ୍ତରାୟ କିଛି ପରିମାଣରେ ଅପସାରିତ ହୁଅନ୍ତା !

ବିଧାନସଭା// ରାଜ୍ୟପାଳଙ୍କ ହିନ୍ଦୀ ଭାଷଣ ଓଡ଼ିଆ ଅସ୍ମିତା ପ୍ରତି ଉପହାସ: ପ୍ରତିବାଦ ନକରି ନବୀନଙ୍କ ପଳାୟନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନୂଆ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିବସ ଥିଲା ଓଡ଼ିଶା ପାଇଁ ଏକ ଅପମାନଜନକ ଦିବସ । ଏଦିନ ପ୍ରଥମଥର ପାଇଁ ହିନ୍ଦୀଭାଷାରେ ଶୁଣିବାକୁ ପଡ଼ିଥିଲା ରାଜ୍ୟପାଳଙ୍କ ପାରମ୍ପାରିକ ଭାଷଣ ! ଏହା ଓଡ଼ିଆ ଅସ୍ମିତା ପ୍ରତି ଥିଲା ଏକ ଉତ୍କଟ ଉପହାସ । ଏହାର ପ୍ରତିବାଦ ନକରି, ବିରୋଧୀ ଦଳ ନେତା ବନିଥିବା ନବୀନ ପଟ୍ଟନାୟକ ପଳାୟନ କରିବା ଥିଲା ତତୋଧିକ ଅପମାନଜନକ ଓଡ଼ିଆ ଜାତି ପାଇଁ ।    

ଇତିହାସ ଜାଣେ , ବ୍ରିଟିଶ ଶାସନ କାଳରେ ଓଡ଼ିଆ ଭାଷା ବିଲୋପ କରିବା ପାଇଁ ହିନ୍ଦୀ ଭାଷାଭାଷୀମାନେ ଜଘନ୍ୟ ଚକ୍ରାନ୍ତ ଚଳାଇଥିଲେ । ଓଡ଼ିଆ ଜାତି ଯଦି ସେ ଚକ୍ରାନ୍ତକୁ ପଣ୍ଡ କରିନଥାନ୍ତା, ସମଗ୍ର ସମ୍ବଲପୁର ଇଲାକା, ଯାହାକୁ ଏକ ଲାଭଲିପ୍ସୁ ଖବରକାଗଜ ସମ୍ବାଦ “ପଶ୍ଚିମ ଓଡ଼ିଶା” କହି ବିଷ ମଞ୍ଜି ବୁଣିଛି, ରହି ଯାଇଥାନ୍ତା ମଧ୍ୟପ୍ରଦେଶରେ । 

ଜାତି ଉପରେ ବିପତ୍ତି 

ବ୍ରିଟିଶ ବିରୁଦ୍ଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କେବଳ ଓଡ଼ିଆ ଭାଷାଭାଷୀମାନେ ହିଁ କରିଥିଲେ (ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ, ଭାରତ ଭାରତୀ, କଟକ, ୨୦୦୫ ପୃଷ୍ଠା ୩୯ )।  ସେ ସଂଗ୍ରାମ ପ୍ରତ୍ଯକ୍ଷ କରିଥିବା ଜି. ଟୟନବୀ ଲେଖିଛନ୍ତି : ଆମେ ଏପରି ଏକ ଆକସ୍ମିକ ଝଡ଼ର ସମ୍ମୁଖୀନ ହୋଇଥିଲୁ ଯାହାର ଜଳନ୍ତା ନିଆଁ ପରି ଉତପ୍ତ ପ୍ରାଖର୍ଯ୍ୟ  ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ମଧ୍ୟ ଖୁରୁଧା ମୁଲକରୁ ନିକାଲି ଦେଇ ପାରେ ବୋଲି ଆମ ମନରେ ଭୀତି ସଂଚାର ହୋଇଥିଲା  (“we had to encounter a storm which burst with so sudden furry as to threaten our expulsion, if not from the whole of Orissa, at least from the territory of Khurda” (G. Toynbee, A sketch of the history of Orissa). ବ୍ରିଟିଶ ଆଇନ ରକ୍ଷକ ଡବ୍ଲୁ ଫରେଷ୍ଟର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, ଓଡ଼ିଆ ଲୋକଙ୍କ ମିଜାଜ ଏମିତି ବୀରତ୍ଵବ୍ୟଞ୍ଜକ ଯେ, ସୈନ୍ୟବଳ ବା ପୋଲିସ ପ୍ରୟୋଗ କରି ସେମାନଙ୍କୁ ବଶୀଭୂତ କରିହେବନି ( କମିଶନର ରବର୍ଟ କେରଙ୍କୁ ଫରେଷ୍ଟରଙ୍କ ରିପୋର୍ଟ, ତ। ୯.୯.୧୮୧୮) । କିପରି ଭାବେ ଏହି ଅସାଧାରଣ ବୀର ଜାତିକୁ ଆୟତ୍ତ କରିହେବ – ଏହି ଚିନ୍ତାରେ ପଡ଼ି ବ୍ରିଟିଶ ନାନା କୂଟକୌଶଳ ପ୍ରୟୋଗ କରିଥିଲା ।  ତନ୍ମଧ୍ୟରୁ ପ୍ରଧାନ ଥିଲା ଓଡ଼ିଆ ଭାଷାଭାଷୀ ଭୂଖଣ୍ଡର ବିଭାଜନ ଓ ବିଭାଜିତ ଓଡ଼ିଆ ଅଞ୍ଚଳର  ନିକଟସ୍ଥ ଅଣଓଡ଼ିଆ ପ୍ରଦେଶରେ ସଞ୍ଜୁକ୍ତିକରଣ । ତଦ୍ଦ୍ଵାରା ଓଡ଼ିଆଭାଷାଭାଷୀମାନେ ଅଣଓଡ଼ିଆ ପ୍ରଦେଶମାନଙ୍କରେ ସଂଖ୍ୟାଲଘୁ ହୋଇଗଲେ ଓ ଅପରାଜେୟ ଓଡ଼ିଆ ଜାତି ଭୟଙ୍କର ବିପତ୍ତିରେ ପଡ଼ିଗଲା । ଏ ବିପତ୍ତି ବଢିଗଲା, ଯେତେବେଳେ ସେହି ସେହି ପ୍ରଦେଶର ଭାଷା ମଧ୍ୟ କାର୍ଯ୍ୟାଳୟ- ଭାଷା ରୂପେ ଓଡ଼ିଆମାନଙ୍କ ଉପରେ ଲଦି ଦିଆଗଲା । 

ନିଜ ଭାଷା ପାଇଁ ନିଜ ରାଜ୍ୟ ଦାବି 

ଓଡ଼ିଆଙ୍କ ପ୍ରତିବାଦ ବିରୁଦ୍ଧରେ ବ୍ରିଟିଶର ଯୁକ୍ତି ଥିଲା,  ଯେଉଁ ପ୍ରଦେଶରେ ସଂଖ୍ୟାଧିକ ଲୋକଙ୍କ ଭାଷା ଯାହା ତାହା ହିଁ  ହେବ ସେହି ପ୍ରଦେଶର କାର୍ଯ୍ୟାଳୟ-ଭାଷା । ଏଥିରେ ହତାଶ ହୋଇ ନିଜ ଭାଷାକୁ କାର୍ଯ୍ୟାଳୟ- ଭାଷା କରିବା ସକାଶେ ଓଡ଼ିଆ ଭାଷାଭାଷୀ ଅଞ୍ଚଳସମୁଦୟକୁ ଏକତ୍ର କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତି ଦାବି ତୋଳିଲା । ଏହା କରାଇ ନଦେବା ପାଇଁ ତେଲୁଗୁ, ବଙ୍ଗାଳୀ ହିନ୍ଦୀଭାଷୀମାନେ ପ୍ରବଳ ଷଡ଼ଯନ୍ତ୍ର କରିଥିଲେ । 

ହିନ୍ଦୀ ବିରୁଦ୍ଧରେ ସମ୍ବଲପୁରରେ ଓଡ଼ିଆ ଜାତୀୟତାର ଜାଗରଣ 

ଓଡ଼ିଆ ଜାତି ତେଲୁଗୁ ଓ ବଙ୍ଗାଳୀ ପ୍ରାଦୁର୍ଭାବକୁ ପ୍ରାୟତଃ ଅତିକ୍ରମ କରିଥିବା ବେଳେ, ସମ୍ବଲପୁର ଇଲାକାର କାର୍ଯ୍ୟାଳୟ-ଭାଷାଭାବେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ପାଇଁ ହିନ୍ଦୀ ଭାଷାଭାଷୀ କର୍ମଚାରୀମାନେ ମଧ୍ୟପ୍ରଦେଶର ବ୍ରିଟିଶ କମିସନରଙ୍କୁ ପ୍ରବର୍ତ୍ତାଇଲେ ।   ଏହାର ବର୍ଣ୍ଣନା କରି ସ୍ଵଭାବକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀର କ୍ଷୋଭ’ ଶୀର୍ଷକରେ ଲେଖିଥିଲେ – 

“ସମ୍ବଲପୁରର ଅଧିବାସୀମାନେ ଉତ୍କଳ ଚିର ସନ୍ତାନ

ହିନ୍ଦୀ ଆଧିପତ୍ୟ ହୋଇବା ସେଠାରେ ଶୁଣି ସର୍ବେ ହତଜ୍ଞାନ ।”

ଜନସାଧାରଣଙ୍କ ପ୍ରତିବାଦ ସତ୍ତ୍ୱେ ହିନ୍ଦୀଭାଷୀମାନେ ସେଠାରେ ହିନ୍ଦୀକୁ ରାଜଭାଷା କରାଇଦେଲେ । ପୂର୍ବରୁ ଧରଣିଧର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ଜନସଭା ହୋଇ ସ୍ପଷ୍ଟ କରାହୋଇଥିଲା ଯେ, ବେପାରବଣିଜ ପାଇଁ ଆସିଥିବା ହିନ୍ଦୀଭାଷୀମାନେ ସମ୍ବଲପୁର ଜିଲ୍ଲାରେ ବସବାସ କରିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଶତକଡ଼ା ୫ ରୁ ଅଧିକ ନୁହେଁ । ଅଧିକନ୍ତୁ ଓଡ଼ିଆ ଭାଷା ସେମାନଙ୍କ ହିନ୍ଦୀ ଭାଷାକୁ ଏପରି ଗ୍ରାସ କରିଯାଇଛି ଯେ, ତହିଁରୁ ଯେଉଁ କାମଚଳା କଥିତ ଭାଷା ବାହାରିଛି ତାହା ‘ଲାରିୟା’ ଭାବେ ପରିଚିତ । ଅତଏବ, ସମ୍ବଲପୁର ଇଲାକାରେ ବେପାର କରୁଥିବା ହିନ୍ଦୀଭାଷୀଙ୍କ ମୂଳ ଭାଷା ଓଡ଼ିଆ ଭାଷା ପାଖରେ ନିଜ ଅସ୍ତିତ୍ଵ ସମର୍ପଣ କରି ଲାରିୟାରେ ପରିଣତ ହୋଇଛି ଓ ତାହାର ପରିବ୍ୟାପ୍ତି ଅତିବେଶୀରେ ପାଞ୍ଚ ଶତାଂଶ ଲୋକଙ୍କ ଭିତରେ ସୀମିତ। ଅବଶିଷ୍ଟ ଅନ୍ଯୁନ ୯୫ ଶତାଂଶ ଅଧିବାସୀଙ୍କ ଭାଷା ଓଡ଼ିଆ । ସୁତରାଂ ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ଆଦୌ ଗ୍ରହଣୀୟ ନୁହେଁ । ତଥାପି ହିନ୍ଦୀଭାଷୀ କର୍ମଚାରୀମାନଙ୍କ ଷଡ଼ଯନ୍ତ୍ର ହେତୁ ମଧ୍ୟପ୍ରଦେଶ କମିଶନର ହିନ୍ଦୀକୁ ହିଁ ଓଡ଼ିଆ ମୂଳକରେ ବଳବତ୍ତର କରିଦେଲେ ।  ସ୍ଵଭାବକବି ଲେଖିଥିଲେ –

“ସମ୍ବଲପୁରରୁ ଓଡ଼ିଆ ନିର୍ମୂଳ ହେବାର କାରଣ ଏହି 

ରାଜକର୍ମଚାରୀ , ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି ।”

ଭାଷା ହିଁ ଅସ୍ତିତ୍ଵ । ନିଜ ଭାଷା ପ୍ରତି ଏହି ଭୟଙ୍କର ବିପଦରେ ନିରବ ନରହି ବ୍ରଜମୋହନ ପଟ୍ଟନାୟକ, ମଦନମୋହନ ମିଶ୍ର, ମହାନ୍ତ ବିହାରୀ ଦାସ ଓ ବଳଭଦ୍ର ସୁଆର  ବଡଲାଟ ଲର୍ଡ କର୍ଜନଙ୍କୁ ଏକ ସ୍ମାରକ ପତ୍ର ଦେଇ ଦାବି କଲେ, “ଯଦି ଏକ ପ୍ରଦେଶରେ ଗୋଟିଏ ଜିଲ୍ଲାର ଭାଷାକୁ ପ୍ରଦେଶର ରାଜଭାଷା କରିବା ସୁବିଧାଜନକ ହେଉନି, ତେବେ ଆମ ଜିଲ୍ଲାକୁ ଓଡ଼ିଶାକୁ ଫେରାଇ ଦିଆଯାଉ (“Once it is considered impossible to introduce Oriya in only one district of Central Provinces, our district should be returned to Orissa.”) ।   

ଲର୍ଡ କର୍ଜନ ମଧ୍ୟପ୍ରଦେଶ କମିଶନର ଆଣ୍ଡୃ ଫ୍ରେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମ୍ବଲପୁର ଜିଲ୍ଲା ଗସ୍ତ କରି ଓ ସରଜମିନ ତଦନ୍ତ କରି ଜିଲ୍ଲାଟିର  ଭାଷା ପ୍ରକୃତରେ କା’ଣ ତାହା ତାଙ୍କୁ ଜଣାଇବାକୁ । ଏକଥା ୧୨.୯.୧୯୦୧ ତାରିଖରେ ମଧୁବାବୁଙ୍କୁ ଜଣାଇ ସେ କହିଥିଲେ ଯେ, ସମ୍ବଲପୁର ମଧ୍ୟପ୍ରଦେଶରେ ରହିବ କି ଓଡ଼ିଶାକୁ ଫେରିବ ତାହା ନିର୍ଭର କରିବ ଫ୍ରେଜରଙ୍କ ରିପୋର୍ଟ ଉପରେ । ଫ୍ରେଜର ସରଜମିନ ତଦନ୍ତ କରି ଜଣାଇଥିଲେ ଯେ ଜିଲ୍ଲାଟିର ଭାଷା ଓଡ଼ିଆ । ସମ୍ବଲପୁର ଓଡ଼ିଶାକୁ ଫେରିଲା । 

କିନ୍ତୁ ଆମ ଜାତୀୟ ସତ୍ତାକୁ  ସେହି ସର୍ବୋଚ୍ଚ ପାଞ୍ଚ ଶତାଂଶ ହିନ୍ଦୀଭାଷୀ ବେପାରୀ ଯେଉଁ କ୍ଷତି ପହଞ୍ଚାଇଥିଲେ , ତାହା ସେତେବେଳେ ବ୍ୟର୍ଥ ହୋଇଥିଲେ ମଧ୍ୟ ହିନ୍ଦୀଭାଷୀମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଅଣଓଡ଼ିଆପ୍ରୀତିର ସୁଯୋଗ ନେଇ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପୁଣି ଥରେ ପଶିମ ଓଡ଼ିଶାକୁ ଗ୍ରାସ କରି ସେଠାରେ ଓଡ଼ିଆ ଅସ୍ତିତ୍ଵ ଲୋପ କରିବା ପାଇଁ ମୁଖବ୍ୟାଦାନ କରିଛନ୍ତି । ପ୍ରଶାସନରେ ଇଂରାଜୀ ଆମପାଇଁ ଯେମିତି ବିପଦ, ଆମ ଭୌଗୋଳିକ ଓ ସାମାଜିକ ସତ୍ତାରେ ହିନ୍ଦୀ ସେମିତି ଆମ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି । 

ହିନ୍ଦୀଭାଷୀ ରାଜ୍ୟପାଳ ଆମ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ହିନ୍ଦୀରେ ଭାଷଣ ଦେଇ ଆମ ଜାତିର ଆତ୍ମସମ୍ମାନବୋଧକୁ ଉପହାସ କରିଛନ୍ତି । ଓଡ଼ିଆବିଦ୍ଵେଷୀତା ପାଇଁ କ୍ଷମତାରୁ ତଡ଼ା ଖାଇଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳର ମୁଖ୍ୟ ଥାଇ, ରାଜ୍ୟପାଳଙ୍କ ଭାଷଣରେ ହିନ୍ଦୀ ବ୍ୟବହାରକୁ ନିନ୍ଦା କରିବା ପରିବର୍ତ୍ତେ ଅନ୍ୟ ଏକ ଆଳରେ କକ୍ଷ ତ୍ୟାଗ କରି ପଳାଇବା ଓଡ଼ିଆ ଜାତିର ମର୍ଯ୍ୟାଦା ପ୍ରତି ତାଙ୍କ ଅଭ୍ୟସ୍ତ ଅବମାନନା ଅକ୍ଷୁର୍ଣ୍ଣ ଥିବାର ଏକ ନୂଆ ପ୍ରମାଣ  ।