ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଜାତି ବିରୁଦ୍ଧରେ ପ୍ରଦ୍ୟୁମ୍ନ ଶତପଥୀଙ୍କ ବିଶ୍ଵାସଘାତକତା ହେତୁ ସରକାରୀ କଳର ବହପ ଏତେ ବଢିଯାଇଛି ଯେ, ତାଙ୍କ ସ୍ତ୍ରୀଙ୍କୁ ଦିଆଯାଇଥିବା ନିଯୁକ୍ତିପତ୍ର ଯେପରି ଇଂରାଜୀରେ ଥିଲା, ସେହି ଅବୈଧ ନିଯୁକ୍ତିକୁ କାଏମ ରଖିବା ପାଇଁ ଉଚ୍ଚ ଶିକ୍ଷା ସଚିବ ଦେଇଥିବା ଉପରୋଦ୍ଧୃତ୍ତ ଶେଷ ଆଦେଶ ବି ସେହିପରି ଇଂରାଜୀରେ ଦିଆହୋଇଛି ।
ପ୍ରଶାସନିକ ଧୂର୍ତ୍ତତାରେ ପରିପୂର୍ଣ ଏହି ଆଦେଶ ଗୁରୁତ୍ତ୍ୱପୂର୍ଣ ଘଟଣାକ୍ରମ ଲୁଚାଇରଖିବା ଓ ଆଇନସମ୍ମତ ସ୍ଥିତିକୁ ବେଖାତିର କରିବା ପରି ସାଂଘାତିକ ପ୍ରଶାସନିକ ଅପରାଧର ଏକ ନଗ୍ନ ନମୂନା, ଯାହା ଉପରେ ଆପରାଧିକ ଅନୁସନ୍ଧାନ ଆବଶ୍ୟକ । ଯଦି ମୁଖ୍ୟମନ୍ତ୍ରୀ ନିଜେ ଧରପଡ଼ିଯିବା ଭୟରେ ଏହା ଉପରେ ଆପରାଧିକ ଅନୁସନ୍ଧାନ ନ କରାନ୍ତି ତେବେ ଅଦାଲତୀୟ ଅନୁସନ୍ଧାନ ଲୋଡ଼ା ହେବ, କାରଣ ଓଡ଼ିଆ ଜାତି ତା ଭାଷା ସ୍ଵାର୍ଥ ବିରୁଦ୍ଧରେ ଦିଆ ଯାଇଥିବା ‘ବିଶ୍ଵାସଘାତକ ଜାଗିରି’କୁ କେବେ ବି ବରଦାସ୍ତ କରିବ ନାହିଁ ।
ପ୍ରଶାସନିକ ଧୂର୍ତ୍ତତା
ଏବେ ଆମେ ପୂର୍ବରୁ ଉପସ୍ଥାପିତ ଏହି ଶେଷ ଆଦେଶର ଓଡ଼ିଆ ଭାଷାନ୍ତର ଦେଖି ତାର ବୈଧତା ବିଶ୍ଳେଷଣ କରିବା । ଏଇଟି ହେଲା:
“ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କର ) ଅନଧିକୃତ ଅନୁପସ୍ଥିତି ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ ।“
ପ୍ରଥମ ଦୁଇଟି ବାକ୍ୟ ଦୃଷ୍ଟିରୁ ଶେଷ ବାକ୍ୟଟିର କୌଣସି ଆବଶ୍ୟକତା ନଥିଲା । ସେ ଜାଣିଶୁଣି ଏହା ଲେଖିଛନ୍ତି , ଯେତେବେଳେ ସେ ଜାଣନ୍ତି ଯେ, ଚାକିରୀ ଶେଷରେ ପେନସନ୍ ଶେଷ କଥା ନୁହେଁ , ଗ୍ରାଚୁଇଟି ମଧ୍ୟ ଏକ ଗୁରୁତ୍ଵପୂର୍ଣ ପ୍ରାପ୍ୟ ଜଣେ କର୍ମଚାରୀର ଯାହା ତାକୁ ପ୍ରଚୁର ପରିମାଣର ଅବସର-ପାଣ୍ଠି ଦେଇଥାଏ । ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତି କାଳ “ପେନସନ୍ ପାଇଁ ହିସାବକୁ ଯିବ ନାହିଁ” ବୋଲି ସ୍ପଷ୍ଟ କରି ସେ ଅସ୍ପଷ୍ଟ ଭାବେ ଏହି ଆଦେଶ ଦେଇଛନ୍ତି ଯେ, ଏହି ସମୟ ତାଙ୍କ ଗ୍ରାଚୁଇଟି ପାଇଁ ହିସାବକୁ ଯିବ । ସୁତରାଂ ଏହା ଏକ ଧୂର୍ତ୍ତ ପ୍ରଶାସନିକ ଦୁରାଚାର ।
ଏହି ଆଦେଶର ପ୍ରଚ୍ଛଦପଟ ଅଂଶରେ ଅଛି :
“ତାଙ୍କ ଦରଖାସ୍ତ ବିଚାରକରି ୧୮.୦୭.୨୦୧୮ ତାରିଖର ୨୦୪୪୫/ଉ.ଶି ସଂଖ୍ୟକ ସରକାରୀ ଆଦେଶରେ ତାଙ୍କୁ ଚାକିରିରେ ଯୋଗଦେବାର ସବିଶେଷ ଆଦେଶ ଅପେକ୍ଷାରେ ସେ ସୁସ୍ଥତା ପମାଣପତ୍ର ସହ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦାନ ପାଇଁ ଅନୁମତି ଦିଆହୋଇଥିଲା” । ଏବଂ ଏହା ବି ଅଛି ଯେ, “ଏହି ଆଦେଶ ତାଙ୍କ ହିତରେ ଥିଲା, କାରଣ ସେ ଆପତ୍ତି ଉଠାଇଥିବା ୨୨.୦୬.୨୦୧୫ ତାରିଖର ୧୩୨୯୦ ସଂଖ୍ୟକ ଆଦେଶର ସର୍ତ୍ତ ପରିବର୍ତ୍ତନ କରି ଏହା ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାପାଇଁ ଥିବା ନିର୍ଦ୍ଦେଶ ପରିହାର କରିଥିଲା” ।
ହନୁ ମଲା ବେଳେ
ଅତଏବ, ହନୁ ମଲା ବେଳେ ସତ କହିଲା ପରି ଏହି ଶେଷ ଆଦେଶ ଦେବାକୁ ବାଧ୍ୟ ହୋଇ ଶାସନ ସଚିବ ସ୍ଵୀକାର କରିଛନ୍ତି କି, ଯେଉଁ ଆଦେଶ ବଳରେ ଶ୍ରୀମତୀ ଷଡଙ୍ଗୀଙ୍କ ଯୋଗଦାନପତ୍ର (joining trport )ଗ୍ରହଣ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ କୁହା ହୋଇଥିଲା ତାହା ରାଜ୍ୟର ହିତ ପାଇଁ ନୁହେଁ , ଶ୍ରୀମତୀ ଷଡଙ୍ଗୀଙ୍କ ହିତ ପାଇଁ ହିଁ ପ୍ରଦାନ କରା ହୋଇଥିଲା , କାରଣ ଏହା ତାଙ୍କୁ ଚାକିରୀ ଦେବା ସଙ୍ଗେ ସଙ୍ଗେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ଭାବନାକୁ ବି ବନ୍ଦ କରିଦେଇଥିଲା ।
ଫନ୍ଦିବାଜୀ
କାହା ଚାପରେ ବା କେଉଁ ଚାପରେ ଶ୍ରୀମତୀ ଷଡଙ୍ଗୀଙ୍କ ହିତ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏ ଅବୈଧ ଆଦେଶ ଦେଇଥିଲା ତାହା ରାଜ୍ୟ ପୋଲିସର ଆପରାଧିକ ତଦନ୍ତ ଶାଖା (crime branch ) ତଦନ୍ତ କରିବା ଆବଶ୍ୟକ । ଚାକିରୀ ସମ୍ପର୍କିତ ଫନ୍ଦିବାଜୀ (job racketing frauds) ଏକ ଅର୍ଥନୈତିକ ଅପରାଧ ଯାହା ଉପରେ ଓଡ଼ିଶା ଆପରାଧିକ ତଦନ୍ତ ଶାଖା ଆପଣା ଛାଏଁ (suomoto) ଅନୁସନ୍ଧାନ କରିପାରିବେ । ଏବଂ ଏହା ସ୍ପଷ୍ଟ ଯେ, ୧୦ ବର୍ଷ ତଳେ ଚାକିରୀ ଛାଡ଼ି ପଳାଇଥିବା ମାନସୀ ଷଡଙ୍ଗୀଙ୍କ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ତାଙ୍କ ନିଯୁକ୍ତି ପାଇଁ ଯେଉଁ ଫନ୍ଦିବାଜୀ ଚଳାଇଥିଲେ ଉଚ୍ଚ ଶିକ୍ଷା ବିଭାଗର ୧୮.୦୭.୨୦୧୮ ତାରିଖର ୨୦୪୪୫/ଉ.ଶି ସଂଖ୍ୟକ ସରକାରୀ ଆଦେଶ ସେହି ଫନ୍ଦିବାଜୀର ଦୃଶ୍ୟମାନ ପରିଣତି ।
ଅନଧିକୃତ ହସ୍ତକ୍ଷେପ
ଶ୍ରୀମତୀ ଷଡଙ୍ଗୀ ସରକାରୀ କର୍ମଚାରୀ ନୁହନ୍ତି । ତାଙ୍କୁ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ଚାକିରୀ ଦେଇନଥିଲା କି ଘରୋଇ କଲେଜରେ ଶିକ୍ଷକ ଚୟନ ପାଇଁ ରାଜ୍ୟ ସରକାର ଯେଉଁ ଚୟନକାରୀ ମଣ୍ଡଳୀ (State Selection Board) ଗଠନ କରିଥିଲେ ତାହା ବି ତାଙ୍କୁ ଚୟନ କରିନଥିଲା । ଅଡ଼ଶପୁରରେ ଥିବା ଉଦୟନାଥ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନରେ ଶିକ୍ଷକ ଖୋଜୁଥିବା ହେତୁ ତାଙ୍କ ଦରଖାସ୍ତକୁ ବିଚାରକୁ ନେଇ ତାଙ୍କୁ ମାସିକ ୫୨୫ ଟଙ୍କା ବେତନରେ ୧୭.୮.୧୯୯୨ରେ ନିଯୁକ୍ତି ଦେଇଥିଲେ ଓ ସେ ଥିଲେ ସମ୍ପୂର୍ଣତଃ ସେହି କଲେଜର କର୍ମଚାରୀ ଏବଂ ଓଡ଼ିଶା ଶିକ୍ଷା ଆଇନ ଅନୁସାରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେହି କଲେଜର ଅଧିକାର ଥିଲା । ସୁତରାଂ ଯେତେବେଳେ ୨.୭.୨୦୦୮ ତାରିଖରୁ ଦୀର୍ଘ ୫ ବର୍ଷରୁ ଅଧିକ କାଳ ଧରି ସେ ଅନଧିକୃତ ଭାବେ ଅନୁପସ୍ଥିତ ରହିଲେ ଓ ଯେଉଁ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ତାଙ୍କୁ ନିଯୁକ୍ତି ଦିଅ ହୋଇଥିଲା ସେମାନେ ଶିକ୍ଷାର୍ଜନରେ ଘୋର ବିପର୍ଯ୍ୟୟର ଶିକାର ହେଲେ, ତାଙ୍କ ନିଯୁକ୍ତି ଏକମାତ୍ର ଅନୁମୋଦିତ ନିଯୁକ୍ତି ହୋଇଥିବା ହେତୁ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତ କରି ନପାରି କଲେଜ କର୍ତ୍ତୃପକ୍ଷ ଏହି ବିପର୍ଯ୍ୟୟର ପ୍ରତିକାର କରିବାକୁ ବି ଅକ୍ଷମ ଥିଲେ । ଫଳରେ ୦୯.୧୦.୨୦୧୩ ତାରିଖରେ କଲେଜ ପରିଚାଳନା କମିଟି ସମସ୍ତ ଆଇନନୁମୋଦିତ ପଦ୍ଧତ୍ତି ଅନୁସରଣ କରି ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରିରୁ ବହିସ୍କାର କରିବା ପାଇଁ ପ୍ରସ୍ତାବ ଗ୍ରହଣ କରି ତହିଁର ଅନୁମୋଦନ ସକାଶେ ଓଡ଼ିଶା ଶିକ୍ଷା ଆଇନର ଧାରା ୧୦-କ (୧) ଅନୁସାରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ମାଗିଥିଲେ । ଏହି ଆଇନର ଧାରା ୧୦-କ (୨) ଅନୁସାରେ ନିର୍ଦ୍ଦେଶକ ତାଙ୍କ ଅନୁମୋଦନ ୩ ମାସ ମଧ୍ୟରେ ପ୍ରଦାନ କରିଥାନ୍ତେ ବା ପ୍ରତ୍ୟାଖ୍ୟାନ ବି କରିପାରିଥାନ୍ତେ । ଯାହା ବି କରିଥାନ୍ତେ ସେ ବାଧ୍ୟତଃ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥାନ୍ତେ ଓ କଲେଜ କର୍ତ୍ତୃପକ୍ଷ ହିଁ ତହିଁ ଉପରେ ଶେଷ ନିଷ୍ପତ୍ତି ନେଇଥାନ୍ତେ । କେଉଁ ଆଇନ ବଳରେ ଶିକ୍ଷା ସଚିବ ତା ଭିତରକୁ ପଶି ଚଳାଇଥିଲେ ଚାକିରୀ ଫନ୍ଦିବାଜୀ (job racketing fraud)ର ଗୋଟି ? (କ୍ରମଶଃ)