ଭାଷା ଆନ୍ଦୋଲନ ଦୃଢ଼ ହେଲେ ଓଡ଼ିଶା ଚାଲିବ ଓଡ଼ିଆରେ : ପ୍ରଫେସର ଅରବିନ୍ଦ ଦାସ

(ସୂତ୍ର – ଭାଷା ମା ପାଇଁ ପଦେ)

ଓଡ଼ିଶାର ସମସ୍ତ ସରକାରୀ କାରବାର ଓଡ଼ିଆ ଭାଷାରେ ହେବା ଆବଶ୍ୟକ ଓ ସେଥିପାଇଁ ଓଡ଼ିଆରେ କାମ ନକରିବା ବ୍ୟକ୍ତିଙ୍କୁ ଦଣ୍ଡ ବିଧାନ ପାଇଁ ଭାଷା ଆଂଦୋଳନର ଦାବି ଯଥାର୍ଥ ବୋଲି କହିଛନ୍ତି ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ଅରବିନ୍ଦ ଦାସ ।

କରୋନା ପରିଚାଳନାରେ ସରକାରଙ୍କ ଏକାଗ୍ରତାରେ କୌଣସି ଆଞ୍ଚ ନ ଆଣିବା ପାଇଁ ଭାଷା ଆଂଦୋଳନର କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ରଖି ଆଂଦୋଳନର ନେତୃତ୍ଵ ବୌଦ୍ଧିକ ସ୍ତରରେ ଅଭିଯାନ ଅତୁଟ ରଖିଛନ୍ତି ।

ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ମଞ୍ଚରେ ଭାଷା ମା ପାଇଁ ପଦେ ନାମରେ ଏଥିପାଇଁ ଏକ ସ୍ଵତନ୍ତ୍ର ପୃଷ୍ଠା ଖୋଲାଯାଇଛି , ଯେଉଁଠି ପ୍ରତି ସୋମବାର ସକଳ ୧୦ଟାରେ ଜଣେ ଜଣେ ବିଜ୍ଞ ଓଡ଼ିଆ ଆଂଦୋଳନର ଅଭିଳାଷ ପ୍ରତି ସମର୍ଥନ ଜ୍ଞାପନ କରୁଛନ୍ତି । ତାହା ସିଧା ପ୍ରସାରିତ ହେଉଛି । ଗତ ସୋମବାରର ବକ୍ତା ଥିଲେ ପ୍ରଫେସର ଦାସ ।

ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।

ଚଳିତ ଶିକ୍ଷାବର୍ଷ ବାତିଲ ହେଉ : ଭାଷା ଆନ୍ଦୋଳନ

(ସୂତ୍ର: ଆମ ଭାଷା ଆମ ଅଧିକାର)

ଗତକାଲି ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରରେ ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ ହୋଇଛି ଯେ ଶିକ୍ଷାବର୍ଷ ୨୦୨୦-୨୧ ବାତିଲ ହେଉ ଓ ଛାତ୍ରଛାତ୍ରୀ ପାଠ୍ୟଖସଡ଼ାରୁ ତଥା ଅଧ୍ୟୟନ ଅଭ୍ୟାସରୁ ବିଚ୍ୟୁତ ନହେବା ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସରକାରଙ୍କ ଅପାରଗତା ଉପରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଅନଲାଇନ ଶିକ୍ଷା ଆଳରେ ପିଲାଙ୍କୁ କେବଳ ଶ୍ରେଣୀ ଉଠେଇବା ଛଡ଼ା ଆଉ କୌଣସି ଲକ୍ଷ୍ୟ ସାଧିତ ହେବନାହିଁ । ଅତି ସ୍ଵଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଯଦି ଇଣ୍ଟର୍ନେଟ ସଂଯୋଗ ସୁଦୃଢ଼ ଥିବା ସ୍ଥାନରେ ଖୁବ ବେଗଶୀଳ ଇଣ୍ଟରନେଟ ପାଆନ୍ତି , ତେବେ ହୁଏତ ସେମାନେ କିଛି ଶିକ୍ଷାର୍ଜନ କରିପାରନ୍ତି ; କିନ୍ତୁ ଏପରି ସୁବିଧା ଆଦୌ ନଥିବା ୯୦% ପରିବାରର ପିଲାମାନେ “ଅନଲାଇନ” ଶିକ୍ଷାର୍ଜନ ପାଇଁ କେବେ ବି ସକ୍ଷମ ହେବେ ନାହିଁ ।  ଏତେ ସଂଖ୍ୟକ ଛାତ୍ରଛାତ୍ରୀମାନଙ୍କୁ ଏପରି ସଙ୍କଟ କବଳକୁ ଠେଲିଦେଇ ଓଡ଼ିଶାର ଏହି ଶିକ୍ଷାବର୍ଷ ଆଗକୁ ଯିବା ରାଜ୍ୟପାଇଁ ଆତ୍ମଘାତୀ ହେବ । ସୁତରାଂ, ଶିକ୍ଷାବର୍ଷ ବାତିଲ କରି ପରୀକ୍ଷାହୀନ ଜ୍ଞାନ ବିତରଣରେ ସରକାର ଧ୍ୟାନ ଦିଅନ୍ତୁ ଓ ଏହି ଜ୍ଞାନ ଆସନ୍ତା ଶିକ୍ଷାବର୍ଷରେ ବିଦ୍ୟାର ପୁଞ୍ଜି ଭାବେ କାମ କରୁ ।

ଆଲୋଚନାରେ ଭାଗନେଇ ସୁଧାଂଶୁ ଚୌଧୁରୀ ଇଣ୍ଟରନେଟର ସମସ୍ୟା ଉପରେ ଆଲୋକପାତ କରିଥିଲେ । ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ଥିବା ମହାମାରୀକୁ କରୋନା ମହାମାରୀ ଲୋକଲୋଚନକୁ ଆଣିଛି ବୋଲି ମତବ୍ୟକ୍ତ କରିଥିଲେ । ପୁରୀରୁ ମହେନ୍ଦ୍ର ତ୍ରିପାଠୀ ଓ ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି ଅନଲାଇନ ଶିକ୍ଷା କିଭଳି ପିଲାମାନଙ୍କୁ ଅନିଶ୍ଚିତତା କବଳକୁ  ନେଇଯାଉଛି ତାହା ଆଲୋଚନା କରି, ସତର୍କ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଗୁଳରୁ ସରୋଜ ମହାନ୍ତି ପୂର୍ବେ କିଭଳି ଦୂରଦର୍ଶନ ଶିକ୍ଷା କ୍ଷେତ୍ରରେ ଏକ ମହାନ ଭୂମିକା ଗ୍ରହଣ କରିଥିଲା ତାହା ସୂଚାଇଥିଲେ । ଆଠଗଡ଼ରୁ ନିର୍ମଳ କୁମାର ପତ୍ରୀ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଅପାରଗତାକୁ ଘୋର ନିନ୍ଦା କରିଥିଲେ ।

ଅନ୍ୟମାନଙ୍କ ଭିତରେ ଦିପ୍ତୀମୟୀ ସାହୁ, କୁନାଲ ପାତ୍ର ଉପସ୍ଥିତ ଥିଲେ । ଏହି ପାଠଚକ୍ରକୁ ରଂଜନ କୁମାର ସାହୁ ପରିଚାଳନା କରିଥିଲେ ।

ଭାଷା ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ସରକାରଙ୍କର ନାହିଁ : ପ୍ରଦୀପ୍ତ ନାୟକ

ଦି ନିଉଜ ସିଣ୍ଡିକେଟ

ମାନବାଧୀକାର ବିଶେଷଜ୍ଞ ପ୍ରଦୀପ୍ତ ନାୟକ ଆଜି ପୂର୍ବାହ୍ନ ୧୦ଟାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କ୍ରମ ଅନୁସାରେ ଭାଷା ଆନ୍ଦୋଳନର ବୌଦ୍ଦିକ-ଅଭିଯାନ ମଞ୍ଚ ଫେସବୁକର ‘ଭାଷା ମା ପାଇଁ ପଦେ’ ପୃଷ୍ଠାରୁ ଓଡ଼ିଶା ସରକାରଙ୍କୁ ତାଗିଦ କରିଦେଇଛନ୍ତି ଯେ, ଓଡ଼ିଆ ଜାତିର ଭାଷା ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ତାଙ୍କର ନାହିଁ ।

ସିଧା ପ୍ରସାରିତ ତାଙ୍କ ଭାଷଣରେ ସେ ସମ୍ବିଧାନ ଓ ଆନୁଷଙ୍ଗିକ ବିଧିବ୍ୟବସ୍ଥାର ବିଶ୍ଳେଷଣ କରି ଭାଷା ଆନ୍ଦୋଳନର ରାଜନୈତିକ ଗୁରୁତ୍ଵ ବୃଦ୍ଧି ଅବଶ୍ୟମ୍ଭାବୀ ବୋଲି ଦର୍ଶାଇଥିଲେ ଓ ସରକାରୀ ଅବିମୃଷ୍ୟତା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ , ଦଳମତ ନିର୍ବିଶେଷରେ ସାଧାରଣଜୀବନରେ ସମସ୍ତ ସକ୍ରିୟ ରାଜନେତା ଏହି ଆନ୍ଦୋଳନ ସହ ଜଡ଼ିତ ହୋଇ ନିଜ ମାତୃଭାଷାକୁ ବିପତ୍ତିମୁକ୍ତ କରିବାକୁ ଆହ୍ଵାନ ଦେଇଥିଲେ ।

ଯୁବ ପିଢ଼ି ହିଁ ବିପଦମୁହଁରୁ ମାତୃଭାଷାକୁ ବଞ୍ଚାଇବ : ପାଠଚକ୍ରର ନିର୍ଦ୍ଧାରଣ

(ଆମ ଭାଷା ଆମ ଅଧିକାର ସୂତ୍ରରୁ )

ଭାଷା ବଞ୍ଚିଲେ ଆମ ଅସ୍ମିତା ବଞ୍ଚିବ । ଆମ ଭାଷା ଆଜି ବିପଦରେ ଓ ଏହି ବିପଦରୁ ଉଦ୍ଧାର ପାଇଁ ଓଡ଼ିଶାର ସନ୍ତାନସନ୍ତତି ମାନେ ଆଗେଇ ଆସିବା ଆବଶ୍ୟକ । ଵିଶେଷତଃ ଯୁବସମାଜ ଆଗେଇ ଏ ଦାୟିତ୍ବ କାନ୍ଧେଇ ନେବା ଆବଶ୍ୟକ; କାରଣ ସେମାନେ ହିଁ ଆମର ଭବିଷ୍ୟତ ଓ ତାଙ୍କରି ମନଯୋଗ ଉପରେ ଆମ ଭାଷାଅସ୍ମିତା ନିର୍ଭର କରେ । ଏହିଭଳି ମତ ରଖିଥିଲେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନର ଦ୍ଵିତୀୟ ସପ୍ତାହନ୍ତ ପାଠଚକ୍ରରେ  ରଖିଥିଲେ ଗତ ରବିବାର ।

ଏହି ପାଠଚକ୍ରର ତୃପ୍ତିମୟୀ ପାତ୍ର ଯୋଗ ଦେଇ ଯୁବସମାଜର ଦାୟିତ୍ୱବୋଧ ଉପରେ ଆଲୋକପାତ କରି କହିଥିଲେଯେ ଆମ ମନରେ ଆମ ଭାଷା ପ୍ରତି ଥିବା ହୀନ ଭାବନା ଦୂର ହେବା ଆବଶ୍ୟକ ଓ ତାହା କେବଳ ନିରଳସ ଭଲପାଇବା ଦ୍ୱାରା ସମ୍ଭବ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅନୁଗୁଳରୁ ଭାଗ ନେଇଥିବା ସରୋଜ ମହାନ୍ତି ଭାଷାପ୍ରତି ଆସୁଥିବା ବିପଦ ଓ ତାର ପ୍ରତିକାର ସମ୍ବନ୍ଧରେ କହିଥିଲେ ଯେ, କିଛି ମୁଷ୍ଟିମେୟ ଯୁବକଯୁବତୀ ଏକାଠି ହେଲେ ଆମ ଭାଷା ପ୍ରତି ଆସୁଥିବା ସମସ୍ତ ବିପଦକୁ ଆମେ ପ୍ରତିହତ କରିପାରିବା ।

ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ମହାଲି, ନିର୍ମଳ କୁମାର, ମହେନ୍ଦ୍ର ତ୍ରିପାଠୀ, ରଂଜନ କୁମାର ସାହୁ ଯୋଗ ଦେଇ ନିଜନିଜର ମତ ରଖି ଆଲୋଚନାକୁ ବଳିଷ୍ଠ କରିଥିଲେ ।