ମହାନ ଆମ ମାତୃଭାଷା ସଂଘ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

(ରାଜେଶ କୁମାର ଶତପଥୀ)

ପାଟଣାଗଡ଼, ୯/୮: କଥାରେ ଅଛି ଇଚ୍ଛା ଏବଂ ଚେଷ୍ଟା ଥିଲେ ସବୁକିଛି ସମ୍ଭବ ହୋଇ ପାରେ । ଏହାକୁ ସତ୍ୟ ପ୍ରମାଣିତ କରିଛି ‘ମହାନ ଆମ ମାତୃଭାଷା ସଂଘ ‘ । ତାଲାବନ୍ଦ ଯୋଗୁଁ ସବୁ ପ୍ରକାର ସଭା ସମିତି ବନ୍ଦ ଥିବାବେଳେ ନଭମଞ୍ଚ ବା ଇଣ୍ଟରନେଟ୍ ମାଧ୍ୟମରେ ‘ମହାନ ଆମ ମାତୃଭାଷା ସଂଘ ‘ ପକ୍ଷରୁ ପାଳିତ ହୋଇ ଯାଇଛି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ।

ମହାନ ଆମ ମାତୃଭାଷା ସଂଘ ର ପ୍ରତିଷ୍ଠାତା ରାଜେଶ କୁମାର ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ । ଗଙ୍ଗାଧର ମେହେରଙ୍କ ସାହିତ୍ୟ ରେ ହାସ୍ୟରସର ପରିପ୍ରକାଶ ଉପରେ ସେ ଖୁବ୍ ସୁନ୍ଦର ଆଲୋଚନା କରିଥିଲେ । ଗଙ୍ଗାଧର ସାହିତ୍ୟରେ ରସଗୁଡ଼ିକର ଅବତାରଣା ଦର୍ଶାଇବାକୁ ଯାଇ ସେ କୀଚକବଧ ତଥା ଅନ୍ୟାନ୍ୟ କାବ୍ୟ ଗୁଡ଼ିକରୁ ଅନେକ ଦୃଷ୍ଟାନ୍ତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଜବାହାରଲାଲ ମହାବିଦ୍ୟାଳୟ, ପାଟଣାଗଡ଼ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ତଥା ପ୍ରାଧ୍ୟାପକ ଡଃ ପ୍ରଦ୍ୟୁମ୍ନ କୁମାର ମିଶ୍ର । ସେ ଅତ୍ୟନ୍ତ ଆକର୍ଷଣୀୟ ଶୈଳୀରେ ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଆଧ୍ୟାତ୍ମିକତାଉପରେ ଆଲୋଚନା କରିବା ସହିତ ମେହେର ସାହିତ୍ୟରେ ଅନ୍ତର୍ପ୍ରକୃତି ଓ ବହିର୍ପ୍ରକୃତିର କିଭଳି ସମନ୍ବୟ ଘଟିଛି ତାହା ଅତି ମନୋରମ ଭାବେ ବର୍ଣ୍ଣନା କରିଥିଲେ।

ବର୍ତ୍ତମାନ ଓଡ଼ିଶାରେ ଚାଲିଥିବା ଭାଷା ଆନ୍ଦୋଳନ କଳା ପତାକା ଅଭିଯାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନକରି ଓଡ଼ିଆ ଭାଷା ଆନ୍ଦୋଳନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଙ୍ଗାଧର ଏବଂ ପଶ୍ଚିମ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ । ସ୍ଵଭାବକବିଙ୍କ ‘ଉତ୍କଳ ଭାରତୀଙ୍କ ଉକ୍ତି’ କବିତା ଆଲୋଚନା କରିବା ସମୟରେ ସେ ଅତ୍ୟନ୍ତ ଭାବ ବିହ୍ବଳ ହୋଇ ପଡ଼ିଥିଲେ। ଭାଷା ଜନନୀର ଦୁଃଖ ପ୍ରସଙ୍ଗ ଉପସ୍ଥାପନ କରିବା ସମୟରେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଲା ଏବଂ ଉପସ୍ଥିତ ଦର୍ଶକମାନେ ମଧ୍ୟ ଭାବ ବିହ୍ବଳ ହୋଇ ପଡ଼ିଲେ । ଆଉ ମଧ୍ୟ ଅନେକ ଦସ୍ତାବିଜ ଓ ନୀତିର ଦୃଷ୍ଟାନ୍ତ ଦେଇ ସେ ଓଡ଼ିଆ ଭାଷା ପ୍ରତି ହୋଇ ଆସୁଥିବା ଅବହେଳାଗୁଡିକ ଉପରେ ଧାରଣା ଦେଇଥିଲେ ।

ଶ୍ରୀ ଜନ୍ମେଜୟ ପୁରୋହିତଙ୍କ ସଂଯୋଜନାରେ ପରିଚାଳିତ ଏହି ସଭାରେ ସଂଘର ପୁରୁଷବିଭାଗର ସଚିବ କେଶବ ସୁନାନୀ ‘ଗଙ୍ଗାଧର ସାହିତ୍ୟରେ ପ୍ରକୃତି ଚିତ୍ରଣ’ ପ୍ରସଙ୍ଗ ଆଲୋଚନା କରିଥିବା ବେଳେ ମହିଳାବିଭାଗର ସଚିବ ଦୀପାଳୀ ସାହୁ ‘ଗଙ୍ଗାଧର ସାହିତ୍ୟରେ ଜୀବନ ଦର୍ଶନ’ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସୁନିତା ପଧାନ, ବିଶ୍ବଜିତ ସାହୁ ଏବଂ ଶୁଭେନ ପାଣିଗ୍ରାହୀ ଯଥାକ୍ରମେ ‘ଗଙ୍ଗାଧରଙ୍କ ଜୀବନୀ ‘, ‘ଗଙ୍ଗାଧରଙ୍କ ସାହିତ୍ୟ କୃତି’ ଓ ‘ମହାନ ଆମ ମାତୃଭାଷା ସଂଘର ଉଦ୍ଦେଶ୍ୟ ‘ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବୈଦିକ କଲେଜ, ସମ୍ବଲପୁରର ଅଧ୍ୟାପିକା ଶ୍ରୀମତୀ ଲିଲିମା ହୋତା ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟରେ ସଭାପତିତ୍ଵ  ଭାଷଣ ରଖିଥିଲେ ଶ୍ରୀ ରାଜେଶ କୁମାର ଶତପଥୀ। ବର୍ତ୍ତମାନ ସମୟରେ ମାତୃଭାଷା ପ୍ରତି ହେଉଥିବା ଅବହେଳା, ମାତୃଭାଷା ପ୍ରତି ସାଧାରଣ ଜନତା ଏବଂ କବି, ସାହିତ୍ୟିକଙ୍କ କର୍ତ୍ତବ୍ୟ ଏବଂ ମହାପୁରୁଷମାନଙ୍କ ଜୟନ୍ତୀ ପାଳନର ଉଦ୍ଦେଶ୍ୟ ଉପରେ ସେ ମତ ଦେଇଥିଲେ । ମହାପୁରୁଷମାନଙ୍କ ଫଟୋକୁ ପୂଜା କରିବା ଅପେକ୍ଷା ବେଶୀ ଜରୁରୀ ହେଉଛି ତାଙ୍କ ଚିନ୍ତାଧାରାକୁ ମାନିବା ବୋଲି ସେ କହିଥିଲେ ।

ଏହି ସଭାରେ ସ୍ବାଗତ ଭାଷଣ ରଖିଥିଲେ ଶ୍ରୀ ବିଶ୍ବଜିତ ସାହୁ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ନାମାକ୍ଷୀ ପୁରୋହିତ ଓ ଜନ୍ମେଜୟ ପୁରୋହିତ । ଶିଶୁ କଣ୍ଠଶିଳ୍ପୀ ରୋଶନ ମିଶ୍ର ଓ ନାମାକ୍ଷୀ ପୁରୋହିତ ମଝିରେ ମଝିରେ ଗଙ୍ଗାଧର ମେହେରଙ୍କ ଜନପ୍ରିୟ କବିତା ଗୁଡ଼ିକ ଗାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲିପିକା ସାହୁ ।

ଦର୍ଶକ ଭାବରେ ଯୋଗଦାନ କରିଥିଲେ ଜବାହାରଲାଲ ମହାବିଦ୍ୟାଳୟ ପାଟଣାଗଡ଼ର ଅନେକ ଅଧ୍ୟାପକ ଅଧ୍ୟାପିକା , ବେଲପଡା କଲେଜର ଅଧ୍ୟାପକ, ତଥା ଅନେକ ଛାତ୍ରଛାତ୍ରୀ ଏବଂ ଭାଷା ପ୍ରେମୀ ।

କାନ୍ଦୁଛି କବିର କଲମ

ରାଜେଶ କୁମାର ଶତପଥୀ 

ଅଶୀଠାରୁ ମସୀ ଅଟେ ଶକ୍ତିଶାଳୀ
ଏ କଥା ଜାଣେ ଜଗତ,
ଅସମ୍ଭବ କର୍ମ ସମ୍ଭବ କରିଣ
ଜଗତେ ସିଏ ବିଖ୍ୟାତ ।

ମସୀ ଅସ୍ତ୍ର ରୂପେ ଧରି ନିଜ ହାତେ
ଯୁଦ୍ଧ କରେ ମର୍ତ୍ତ୍ୟେ ଜଣେ,
ଅସତ୍ୟରୁ ସତ୍ୟ ଅଧର୍ମରୁ ଧର୍ମ
ଦୁର୍ନୀତିରୁ ନୀତି ଆଣେ ।

କେତେ ଯେ ବିପ୍ଳବ କେତେ ଆନ୍ଦୋଳନ
କରିଅଛି ଏ କଲମ,
ଇତିହାସ ପୃଷ୍ଠା ଭିତରେ କେବଳ
ରହିଯାଇଛି ତା ନାମ ।

ବଦଳି ଯାଇଛି ଆଜିର ସାହିତ୍ୟ
ବଦଳିଛି କବିମତ,
କମିଯାଉଅଛି ସାହିତ୍ୟ ସାଧନା
ହୋଇଛି କ୍ଷତ ବିକ୍ଷତ ।

କି ସୁନ୍ଦର ସତେ ଓଡ଼ିଆ ସାହିତ୍ୟ
ଅଟେ କେତେ ପୁରାତନ,
କେତେ ଯେ ସୁଯୋଗ୍ୟ ସାହିତ୍ୟସାଧକ
ରଖି ଯାଇଛନ୍ତି ନାମ ।

ସାହିତ୍ୟ ସାଧନା ଧର୍ମ ଥିଲା ତାଙ୍କ
ଲେଖନୀ ଯେ ଭଗବାନ,
ସମାଜ ଉନ୍ନତି ଲକ୍ଷ୍ୟ ଥିଲା ତାଙ୍କ
ଥିଲେ ବଡ଼ ତ୍ୟାଗବାନ ।

ଆଜି ବି ଅଛି ଏ ଓଡ଼ିଆ ସାହିତ୍ୟ
ଅଛନ୍ତି କବି, ଲେଖକ,
ନାହିଁ ଆଜି ସେହି ସାହିତ୍ୟ ଆଦର
ନାହିଁ ତ ଆଉ ପାଠକ ।

ଉନ୍ନତି ନାମରେ ଡିଣ୍ଡିମ ବଜାଇ
ହେଉଛନ୍ତି ଅନୁନ୍ନତ,
ନିଜ ଭାଷା ପାଇଁ ସମୟ ତ ନାହିଁ
ଇଂରାଜୀରେ ସର୍ବେ ବ୍ୟସ୍ତ ।

ନିଜକୁ ପଛେ କେ ଚିହ୍ନି ନ ପାରନ୍ତୁ
ନ ଜାଣନ୍ତୁ ପରିଚୟ,
ସଭିଙ୍କର ଇଚ୍ଛା ପଢିବେ ଇଂରାଜୀ
ବଢିବ ନିଜର ମୂଲ୍ୟ ।

ଓଡ଼ିଆ ପୁସ୍ତକ, ଓଡ଼ିଆ ପତ୍ରିକା
ପଢ଼ିବାକୁ ନାହିଁ କେହି,
ଓଡ଼ିଶାର ଛାତ୍ର ବାଧ୍ୟ ତ ନୁହନ୍ତି
ଓଡ଼ିଆ ପଢିବା ପାଇଁ ।

ପାଠକମାନେ ତ ଅଟନ୍ତି ଏମିତି
ଲେଖକ ବି କମ୍ ନୁହେଁ,
ଭାଷା ସାହିତ୍ୟର ଅବନତି ପାଇଁ
ତାଙ୍କର ବି ଦୋଷ ଥାଏ।

କାହାର ଲେଖାରେ ନ ଥାଏ ମାଧୁର୍ଯ୍ୟ
କିଏ ଲେଖେ ସ୍ଵାର୍ଥ ପାଇଁ,
ଟଙ୍କା ଉଦ୍ଦେଶ୍ୟରେ ଲେଖା ବ୍ୟବସାୟ
କରେ କିଏ କବି ହୋଇ !

ଲେଖକ ମାନଙ୍କ ଚିନ୍ତା ବଦଳିଲା
ବଦଳିଗଲେ ପାଠକ ,
ଏମାନଙ୍କ ମଧ୍ୟେ ଛନ୍ଦି ହୋଇ ଆଜି
କଲମର ବଢେ ଦୁଃଖ ।

ସମାଜ ଉନ୍ନତି ଜାତୀୟ ପ୍ରଗତି
ଲକ୍ଷ୍ୟ ଅଟେ କଲମର,
ଭୁଲ ଚିନ୍ତାଧାରା ଦୂର କରିବାକୁ
ସବୁବେଳେ ଚେଷ୍ଟା ତାର ।

କଲମର ଦୁଃଖ କିଏ ବା ବୁଝିବ
କାହାର ସେ ଚିନ୍ତାଧାରା?
ଟଙ୍କା ପଛେ ଆଜି ଧାଇଁ ଧାଇଁ ପରା
ଜାତି ହୋଇଛି ବେସୁରା ।

ନିଜ ଘରେ ଆଜି ଭିକାରୀ ସାଜିଛି
ଓଡ଼ିଆ ଭାଷା ସାହିତ୍ୟ,
କବିର କଲମ କାନ୍ଦୁଅଛି ଆଜି
ସବୁ ଥାଇ ସେ ଅନାଥ ।

(ମାଲପଡା, ଧଣ୍ଡାମୁଣ୍ଡା, ଖପ୍ରାଖୋଲ, ବଲାଙ୍ଗୀର)

ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।

ବନ୍ଦେ ଉତ୍କଳ ଜନନୀ // ପ୍ରଦ୍ୟୁମ୍ନ ଶତପଥୀଙ୍କ ନୂଆ ଚାରିଶବିଶ୍ ଚାଲ୍

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ କରୋନାକାଳୀନ ଅତ୍ୟାଚାର ଉପରେ ଆମ୍ଭେ ବାରମ୍ବାର ସପ୍ରମାଣ ଆଲୋଚନା କଲା ପରେ ଜନବିଭ୍ରାନ୍ତି ପାଇଁ ସେ ଗତ ୧୮ବର୍ଷ ଧରି ପ୍ରତ୍ୟାଖ୍ୟାନ କରି ଆସିଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଡାକ୍ତରୀ ଓ ପୋଲିସ ଜଗତ ପ୍ରତି ଓଡିଆ ଜାତିର କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ଗାନ କରିବାକୁ ଆହ୍ଵାନ ଦେଲେ । କାରଣ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଉପଲବ୍ଧି ଅନୁସାରେ ସେହିମାନେ ହିଁ କରୋନା ଭୂତାଣୁ ସହ ଯୁଦ୍ଧ କରିଥିବା ବ୍ୟକ୍ତି; ଯେଉଁ ଶ୍ରମଜୀବୀ ସାଧାରଣ ମଣିଷ ଏହି ମାରକ ଭୂତାଣୁ ସହ ଅହରହ ଲଢେଇ କରି ଜୀଉଛି ବା ମରୁଛି ସେ ନୁହଁ । ମିଥ୍ୟା ପ୍ରଚାର ବି ହେଲା, ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ବି କରିଦେଇଛନ୍ତି, ସତେ ଯେମିତି ଆମେ ଏକ ରାଜତନ୍ତ୍ରର ବାସିନ୍ଦା ଓ “ରାଜନନ୍ଦିନୀ ପ୍ୟାରୀ ଯା ବଲେ ତା ଭାଲୋ” !

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଡାକରାକୁ ନିଜ ସାଞ୍ଜୁଭାବେ ନେଇ ଏହି ସଙ୍ଗୀତ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ହେବାର “ପ୍ରଥମ ଉଦ୍ୟୋକ୍ତା” ଭାବେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସାମାଜିକ ଗଣମାଧ୍ୟମ – ଫେସ୍ ବୁକ୍ – କାନ୍ଥରେ ଉପସ୍ଥାପିତ କରିବାର ଯେଉଁ ଉଦ୍ୟମ ହୋଇଛି ତାହା ହିଁ ଆମ ପାଇଁ ଆଲୋଚ୍ୟ ।

ଚାରିଶବିଶ୍ ଚାଲ୍ (୧)

ନିଜର ଆର୍ଥିକ ଫାଇଦା ପାଇଁ ଯେଉଁ ବ୍ୟକ୍ତି ଭାଷା ଆନ୍ଦୋଳନକୁ ଛୁରା ମାରିଲେ, ନିଜକୁ ଭାଷାପ୍ରେମୀ ଦେଖେଇବାକୁ ସେ କେଉଁ କେଉଁ ଚାରିଶବିଶ୍ ଚାଲ୍ ଚଳାଇପାରନ୍ତି ତାହା ଜାଣିବା ପାଇଁ ଆମକୁ ଏହି ଚର୍ଚ୍ଚାଧାରା ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ । ସେଥିପାଇଁ ନିମ୍ନସ୍ଥ ସ୍କ୍ରିନସଟ ପ୍ରତି ଦୃଷ୍ଟି ଦିଆଯାଉ ।

 

ବନ୍ଦେ ଉତ୍କଳ ଜନନୀ ଗୀତ ପାଇଁ ଲୋକଙ୍କ ଆବେଗ ଥିବା ବେଳେ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ଭାବେ ତାହାର ଅଭ୍ୟୁଦୟର “ପ୍ରଥମ ଉଦ୍ୟୋକ୍ତା” ରୂପେ ଏଥିରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରଦର୍ଶିତ କରାଯାଇଛି , ଯେତେବେଳେ ସରକାରଙ୍କଠାରୁ ଆର୍ଥିକ ଫାଇଦା ପାଇଁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିବାକୁ ଅସମର୍ଥ ।

ବହୁ ଭାବିଚିନ୍ତି ଏହି ଯେଉଁ ଚାଲ୍ ଚଳା ଯାଇଛି ତାକୁ ଫେସ୍ ବୁକ୍ ମାଧ୍ୟମରେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କର ଜଣେ ଅନୁଗତ ଶ୍ରୀ ଆଶିଷ ରଞ୍ଜନ ମହାପାତ୍ର ମଇ ୨୯, ରାତି ୯.୪୬ରେ ।

ଏହି ଉପସ୍ଥାପନାର ବିଶ୍ଳେଷଣ ବହୁ କଥା କହିବ । ମୁଁ ସେ ସବୁ ଭିତରକୁ ନଯାଇ ଯେଉଁ ଯେଉଁଠି ଚାରିଶବିଶ୍ ଚାଲ୍ ପରିଦୃଶ୍ୟମାନ, କେବଳ ସେଇସେଇଠିକି ଯିବି । ସେ ଯେଉଁ ମିଛ କହିଛନ୍ତି ତାହା କାହିଁକି କହିଛନ୍ତି ତାହା ଯଦି ସ୍ପଷ୍ଟ ନକରିବେ, ବୁଝିବାକୁ ହେବ ଯେ, ପ୍ରଦ୍ୟୁମ୍ନ ଶତପଥୀଙ୍କ ବୋଲରେ ସେ ଏହି ଚାରିଶବିଶ୍ ଚାଲ୍ ଖେଳିଛନ୍ତି ।

ଚାରିଶବିଶ୍ ଚାଲ୍ (୨)

ଏହି ଚାଲ୍ ପାଇଁ ସେ ବାଛିଛନ୍ତି “୨୦୦୨ ମସିହା, ନଭେମ୍ବର ୧୬ ତାରିଖ, ‘ଜାତୀୟ ସାମ୍ବାଦିକ ଦିବସ’ ପାଳନ ଅବସରରେ ଭୁବନେଶ୍ବରସ୍ଥିତ ସୂଚନା ଭବନର (ଅନୁଷ୍ଠିତ) ଏକ ଭରପୂର ସଭା”କୁ ପ୍ରେକ୍ଷାପଟ ଭାବେ ।

ସେ ଲେଖିଛନ୍ତି , “ନୀରବତା ଭଙ୍ଗ କରି ସୁଲଳିତ ମୂର୍ଚ୍ଛନାରେ ମଞ୍ଚ ଉପରୁ ଭାସିଆସିଲା “ବନ୍ଦେ ଉତ୍କଳ ଜନନୀ…” ସହସା ପ୍ରଦ୍ୟୁମ୍ନ ଶତପଥୀ ଠିଆ ହୋଇପଡିଲେ । ତାଙ୍କ ପାର୍ଶ୍ବରେ ମୁଁ ବି ମଥାନତ ମୁଦ୍ରାରେ ଦଣ୍ଡାୟମାନ ହେଲି । ମୋ ପରେ ଅନ୍ୟ ଦୁଇଜଣ, ନାମ ଭୁଲିଯାଇଛି, ସେମାନେ ଠିଆହେଲେ । ଆମ ଠିଆହେବାର ମୁହୂର୍ତ୍ତକ ମଧ୍ୟରେ ସଭାରେ ଉପସ୍ଥିତ ଶହ ଶହ ଦର୍ଶକ ତଳ-ଉପର ସମସ୍ତେ ବିନା ଦ୍ବିଧାରେ “ବନ୍ଦେ ଉତ୍କଳ ଜନନୀ”ଙ୍କ ସମ୍ମାନାର୍ଥେ ସମ୍ପୂର୍ଣ୍ଣ ନୀରବତାର ସହ ଦଣ୍ଡାୟମାନ ହେଲେ ।“

ଅତଏବ ସେ ଦର୍ଶାଇଛନ୍ତି – ଏହି ସଙ୍ଗୀତ ପ୍ରତି ସମ୍ମାନ ଜଣାଇ ପ୍ରଦ୍ୟୁମ୍ନ ଓ ତାଙ୍କ ପାର୍ଶ୍ଵଚରମାନେ ଠିଆ ହୋଇନଥିଲେ, “ଉପସ୍ଥିତ ଶହ ଶହ ଦର୍ଶକ” ଠିଆ ହୋଇନଥାନ୍ତେ । ଏହା ଏକ ସମ୍ପୂର୍ଣ ମିଥ୍ୟା ଆସ୍ଫାଳନ । ସତ୍ୟ ହେଲା, ବାଚସ୍ପତି ଶରତ କୁମାର କର, ଯେ କି ୨୦୦୨ ନଭେମ୍ବର ୧୬ର ବହୁ ପୂର୍ବରୁ ବିଧାନନସଭା ଅଧିବେଶନର ଅନ୍ତିମ କାର୍ଯ୍ୟକ୍ରମ ଭାବେ ଏହାର ପ୍ରବର୍ତ୍ତନ କରିଥାନ୍ତି, ସେଦିନ ଏହାର ପରିବେଷଣ ପୂର୍ବରୁ ଉପସ୍ଥିତ ଆମ ସମସ୍ତଙ୍କୁ ନୀରବରେ ଠିଆ ହୋଇ ଏହାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ ଓ ତଦନୁଯାୟୀ ଆମେ ସମସ୍ତେ ତାହା ଆନନ୍ଦରେ ପାଳନ କରିଥିଲୁ । ସୂଚନା ଭବନର ଶ୍ରୋତାମାନେ ଠିଆ ହୋଇ ଏହାକୁ ସମ୍ମାନ ଦେବାରେ ପ୍ରଦ୍ୟୁମ୍ନ ଶତପଥୀ ବା ତାଙ୍କ ପାର୍ଶ୍ଵଚରଙ୍କର କୌଣସି ଭୂମିକା ନଥିଲା ।

ଚାରିଶବିଶ୍ ଚାଲ୍ (୩)

ଏହି ଚାଲ୍ ଚାଳନା ପାଇଁ ଯେଉଁ ବାକ୍ୟଗୁଡିକ ବ୍ୟବହୃତ ହୋଇଛି ସେଗୁଡ଼ିକ ହେଲା –

(କ) “ମଞ୍ଚ ତଳେ ଠିଆହୋଇ ପ୍ରଦ୍ୟୁମ୍ନ ଯୋଡହସ୍ତରେ ମଞ୍ଚାସୀନ ଅତିଥି ଓ ଶ୍ରୋତୃମଣ୍ଡଳୀଙ୍କୁ ନିବେଦନ କଲେ ଆସନ୍ତା କାଲି ବିଧାନସଭାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ଓଡିଶାର ଜାତୀୟ ସଙ୍ଗୀତ ରୂପେ ଘୋଷଣା କରାଯିବାର ପ୍ରକ୍ରିୟା ଆରମ୍ଭ କରିବାକୁ ବାଚସ୍ପତି ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି । (ବାକ୍ୟଗଠନର ପ୍ରମାଦ ମହାପାତ୍ରଙ୍କର)
(ଖ) “ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଶରତ କୁମାର କର ମହୋଦୟ ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାର ଉଦଘୋଷଣା କଲେ । ତହିଁପରଦିନ ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା ଏବଂ “ବନ୍ଦେ ଉତ୍କଳ ଜନନୀ” କୁ ଦଳ-ମତ ନିର୍ବିଶେଷରେ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାପାଇଁ କାର୍ଯ୍ୟାନ୍ବୟନ ଆରମ୍ଭ ହେଲା ।“

ଡାହାମିଛ

ଏହି ଦୁଇଟି ବାକ୍ୟରେ କିପରି ଅତ୍ୟନ୍ତ ନିର୍ଲଜ ଭାବେ ଡାହାମିଛ ହିଁ କୁହା ହୋଇଛି ତାହା ଜାଣିବାକୁ ଆମେ ଜାକିହୋଇଆସିବା ସବୁଠୁ ପ୍ରାସଙ୍ଗିକ ଶବ୍ଦଦୁଇଟି ପାଖକୁ । ସେଗୁଡିକ ହେଲା “ଆସନ୍ତାକାଲି” ଓ “ତହିଁପରଦିନ” , ଯାହା ଆସନ୍ତାକାଲି ଅର୍ଥରେ ହିଁ ଉଲ୍ଲିଖିତ ହୋଇଛି ।

ପ୍ରଥମତଃ, “ଆସନ୍ତାକାଲି ବିଧାନସଭାରେ” ଗୀତଟିକୁ ଓଡ଼ିଶାର ଜାତୀୟ ସଙ୍ଗୀତ ବୋଲି ଘୋଷଣା କରିବାକୁ ପ୍ରଦ୍ୟୁମ୍ନ ଶତପଥୀ ବାଚସ୍ପତିଙ୍କୁ କହିବା ଏବଂ “ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା”କୁ ବାଚସ୍ପତିଙ୍କ ଘୋଷଣା ଆସନ୍ତାକାଲିଭିତ୍ତିକ  । ଆସନ୍ତାକାଲି ଅର୍ଥ ୧୭.୧୧.୨୦୦୨ ।

ଦ୍ଵିତୀୟତଃ, ଯାହା କୁହା ହୋଇଛି ତାହା ହେଲା “ତହିଁପରଦିନ” ଅର୍ଥାତ୍ ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” ।

ବାବୁ ଆଶିଷ ରଞ୍ଜନ ମହାପାତ୍ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଭାବେ ଏହା ଉଲ୍ଲେଖ କରିଛନ୍ତି ଓ ୧୬.୧୧.୨୦୦୨ ତାରିଖରେ ସୂଚନାଭବନରେ ବାଚସ୍ପତି କରିଥିବା “ଉଦ୍ଘୋଷଣା” ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ” “ଘଟିଲା” ବୋଲି କହିଛନ୍ତି ।

ଏପରି ଡାହାମିଛ କୌଣସି ପେଷାଦାର ମିଛ ସାକ୍ଷୀ ବି କହିବାକୁ ଡରିବ । ଅଥଚ ନିଃଶଙ୍କୋଚ କହିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କ ଏହି ପାର୍ଶ୍ଵଚର !

ବିଧାନସଭା ତ ଆଦୌ ନଥିଲା ନଭେମ୍ବର ମାସରେ । ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” କିପରି? ଜାଲିଆତିର କେତେ ଚାଲ୍ ଚଳାଇବେ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ପାର୍ଶ୍ଵଚରମାନେ?

ତତ୍କାଳୀନ ବିଧାନସଭାର ଅଷ୍ଟମ ଅଧିବେଶନ ୨୩.୯.୨୦୦୨ରୁ ଆରମ୍ଭ ହୋଇ ୧୦.୧୦.୨୦୦୨ ତାରିଖରେ ଶେଷ ହୋଇଥିଲା ଓ ପରବର୍ତ୍ତୀ ଅଧିବେଶନ, ଯାହା ୦୨.୧୨.୨୦୦୨ ତାରିଖରେ ଆରମ୍ଭ ହୋଇଥିଲା, ତାହା ୧୬.୧୧.୨୦୦୨ ବା ୧୭.୧୧.୨୦୦୨ରେ ବସିବାର ବି ନଥିଲା ।

କେଉଁ କାରଣ ହେତୁ ସେ ଏହି ଚାରିଶବିଶ୍ ଚାଲ୍ ଖୋଦିତ କରିଛନ୍ତି ଫେସ୍ ବୁକ୍ କାନ୍ଥରେ ତାହା ଯଦି ସ୍ପଷ୍ଟତଃ ପ୍ରକାଶ ନକରନ୍ତି, ଏହା ସ୍ପଷ୍ଟ ହେବ ଯେ, ସରକାରଙ୍କ ସୁପାରି ନେଇ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅପୋଦ୍ୟମ କରିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରମାଣ ଭିତ୍ତିରେ ମୁଁ ସ୍ତର ସ୍ତର ବିବସ୍ତ୍ର କଲା ପରେ ଇଜ୍ଜତ ବଞ୍ଚାଇବା ପାଇଁ ସେ ଯେଉଁ ଅପଚେଷ୍ଟା ଚଳାଇଛନ୍ତି, ତହିଁର ଗୋଟାଏ ଗୋଟି ଭାବେ ଅବତୀର୍ଣ୍ଣ ହୋଇଛନ୍ତି ମହାପାତ୍ର ମହାଶୟ ଏବଂ ଏହି ଡାହାମିଛ ପରିବେଷଣ କରି ସରକାରୀ ଦଲାଲ ଭାବେ ଫୁଙ୍ଗୁଳା ହୋଇପଡ଼ିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଏପରି ସାତସିଆଁ ଲୁଗା ପିନ୍ଧାଇ ପୁଣି କେଉଁ ସାମାଜିକ ଆନ୍ଦୋଳନକୁ ଭାଙ୍ଗିବା ସକାଶେ ସରକାରୀ ଦଲାଲ ସାଜିବାକୁ ଭେକ ଯୋଗାଇଛନ୍ତି ।

ଆଶିଷ ରଞ୍ଜନଙ୍କ ଏହି ଡାହାମିଛର ହିରୋ ପ୍ରଦ୍ୟୁମ୍ନ ଶତପଥୀ ଏ ସମ୍ପର୍କରେ ଅବଗତ । କାରଣ ଏହି ଲେଖାଟି ସମ୍ପର୍କରେ ଶ୍ରୀ ତୁଷାରକାନ୍ତ ଶତପଥୀ ତାଙ୍କୁ ମେସେଜ୍ (message) ମାଧ୍ୟମରେ ଅବଗତ କରାଇଥିବା ସଙ୍ଗେ ସଙ୍ଗେ ଫୋନ୍ ଯୋଗେ କଥା ବି ହୋଇଥିଲେ । ଏହି ଚର୍ଚ୍ଚାଧାରାରେ ସେ ଦେଇଥିବା ମନ୍ତବ୍ୟର ଆବଶ୍ୟକୀୟ ଅବିକଳ ନକଲ ନିମ୍ନରେ :

Tusarkanta Satapathy ଆଶିଷଜୀ,
ଶ୍ରଦ୍ଧେୟ ପ୍ରଦ୍ଯୁମଙ୍କୁ ଗତ କାଲି(28.5) ଏ ବିଷୟରେ ଜଣାଇ ବ୍ୟବସ୍ଥା କରେଇବାକୁ ମେସେଜ କରିଥିଲି।ଆଜି ସକାଳେ ଫୋନ କରିଥିଲି ଓ ସେ କହିଥିଲେ ” ପନ୍ଦର ମିନିଟ୍ ପରେ କଥା ହେବି”।

ଅଥଚ, ଏଥିରେ ଯେଉଁ ଭୟଙ୍କର ମିଥ୍ୟା ପ୍ରଚାରିତ ହୋଇଛି ତାହାକୁ ସେ ଏଯାଏଁ ଖଣ୍ଡନ କରିନାହାନ୍ତି । ପଇସା ପାଇଁ ଯେଉଁ ଲୋକ ଭାଷା ଆନ୍ଦୋଳନକୁ ଛୁରିମାରିପାରେ, ଲୋକଙ୍କୁ ଭୁତାଇବା ପାଇଁ ସେ କେଉଁ ଚାରିଶବିଶ୍ ଚାଲ୍ ଚଳାଇ ବା ନପାରେ?

ଅନ୍ୟ ପାଇଁ ଯିଏ ପ୍ରବାଦ ପୁରୁଷ , ଆମ ପାଇଁ ସିଏ ବରବାଦ ପୁରୁଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଯେଉଁ ଖବରକାଗଜ ଓ ଟିଭି ଚ୍ୟାନେଲମାନେ ଓଡ଼ିଆ ଜାତିର ଭାଷା ଅଧିକାର ପାଇଁ ଚାଲିଥିବା ଯୁଗାନ୍ତକାରୀ କଳାପତାକା ଅଭିଯାନକୁ ଲୋକ ଚକ୍ଷୁରୁ ଦୂରେଇ ରଖିବା ପାଇଁ ତା ଉପରେ କଳାପରଦା (blackout) କାଇଦା ପ୍ରୟୋଗ କରୁଛନ୍ତି, ସେମାନେ ଆଜି ବିଜୁ ପଟ୍ଟନାୟକଙ୍କୁ ପ୍ରବାଦ ପୁରୁଷ ଭାବେ ଓଡ଼ିଆ ଜାତିର ମନ ଉପରେ ପୁଣି ନଦିବାକୁ ପ୍ରଗଳ୍ଭ ହୋଇଉଠିଛନ୍ତି । ଗଣମାଧ୍ୟମ ଯଦି ଗଣନାୟିକା ଭୂମିକାକୁ ଖସିଆସେ ବିନା ବ୍ରହ୍ମାରେ ବି ଦସ୍ୟୁ ରତ୍ନାକର ବାଲ୍ମୀକି ପାଲଟିଯାଇପାରେ !

ଯେଉଁ ଛାତ୍ର-ଯୁବ- ଜନ ଆନ୍ଦୋଳନରେ ବିଜୁବାବୁଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ କାଳ ଅଧାରେ ଭୁଷୁଡ଼ି ପଡ଼ିଥିଲା, ସେ ଆଂଦୋଳନର ଏକ ମୁଖ୍ୟ ସ୍ଲୋଗାନ ଥିଲା: ବିଜୁ ବିରେନ ଯେଉଁଠି , ମଦ ବୋତଲ ସେଇଠି । ମଦଲୋଭୀ ସମ୍ବାଦିକମାନେ ତାଙ୍କୁ ପ୍ରବାଦପୁରୁଷ ବନେଇଦେଲେ । ଦ୍ବିତୀଯଥର ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ, ଏପରି ଅରାଜକତା ବ୍ୟାପିଗଲା ଯେ, ରାଜ୍ୟ ସଚିବାଳୟର କର୍ମଚାରୀମାନେ ତାଙ୍କ ଜୀବନ ନେଇଯାଇଥାନ୍ତେ ଯଦି ଜଣେ ସାମ୍ବାଦିକ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିନଥାନ୍ତେ । ଏ କଥା କାହାକୁ ଅଜଣା? ତଥାକଥିତ ପ୍ରବାଦ ପୁରୁଷ ଯେତେବେଳେ ମୃତ୍ୟୁମୁଖରେ ପଡ଼ିଲେ, ସେତେବେଳେ ସେ ଅପଶାସନ ହେତୁ ଲୋକଙ୍କଦ୍ଵାରା ପ୍ରତ୍ୟାଖ୍ୟାତ ଅବସ୍ଥାରେ ଥିଲେ ।

ଏ ବାବୁ ପ୍ରକୃତରେ କ’ଣ ତାହା ମୋର ଚାରୋଟି ସ୍ତମ୍ଭ ସଂହିତାରେ ସପ୍ରମାଣ ଅଛି । ସେଗୁଡ଼ିକ: ସିଂହାବଲୋକନ , Animadversion, ସିଂହାବଲୋକନରେ ବିଜୁ ଓ ବିଜୁଙ୍କ ଛୁରା ।

ନିଜ ସ୍ଵାର୍ଥ ପାଇଁ ବିଜୁବାବୁ ଯେକୌଣସି କାମ କରିପାରୁଥିଲେ; କିନ୍ତୁ ମଦଲୋଭୀ ସମ୍ବାଦିକମାନେ ଲୋକଙ୍କୁ ବୁଝାଉଥିଲେ ଯେ, ସେ ଯାହା କରୁଥିଲେ ସବୁ ଥିଲା ଓଡ଼ିଆ ଜାତିର ସ୍ବାର୍ଥପାଇଁ !

ସେ ନିଜକୁ ଓଡ଼ିଆ ବୋଲି ମନେକରୁନଥିଲେ । ବିଧାନସଭାରେ ସେ ଘୋଷଣା କରିଥିଲେ, ରାଜନୈତିକ ବାଧ୍ୟବାଧକତା ହେତୁ ସେ ଓଡ଼ିଆ କହୁଥିଲେ ବି , ତାଙ୍କ ଭିତ୍ତି ଥିଲା ଇଂରାଜୀ ଭାଷା (“My language was the other day English”) ; ମୋ ସଂସ୍କୃତି ଥିଲା ଇଂରେଜ ଲୋକର ସଂସ୍କୃତି (“My culture was the culture of an Englishman”) । (ବିଧାନସଭା ବିବରଣୀ, ୩୦.୯.୧୯୬୩ ପୃ.୩୯) । ତାଙ୍କ ଇଂରାଜୀମନସ୍କତା ଏତେ ତୀବ୍ର ଥିଲା ଯେ, ମୁଖ୍ୟମନ୍ତ୍ରୀ ହେଉହେଉ ସେ ୨୩.୮.୧୯୬୧ତାରିଖରେ ଆସ୍ପର୍ଦ୍ଧ କରିଥିଲେ କହିବାକୁ, ବିଧାନସଭାକୁ ଆସିବା ପୂର୍ବରୁ ସବୁ ସଭ୍ୟ ଇଂରାଜୀ ଜାଣିଥିବା ଦରକାର (“Every member should know English before coming to the House.”) (ଏଜନ, ପୃ.୨୫) । ଏପରିକି ଓଡ଼ିଆ ପରି ଭାଷା ପ୍ରଚଳିତ ଥିବା ଭାରତକୁ ଗୋଟାଏ ଦେଶ ବୋଲି ମାନିବାକୁ ସେ ଘୃଣା କରୁଥିଲେ ( “So many languages there in our country. This is not a country at all.”) (ବିଧାନସଭା ବିବରଣୀ, ସେପ୍ଟେମ୍ବର ୧୯୮୫, ପୃ ୧୦୮)।

ଏହି ଇଂରାଜୀମନସ୍କ ଓଡ଼ିଆଭାଷାବିଦ୍ଵେଷୀ ବ୍ୟକ୍ତି ବିଧାନସଭାର ଅଧିକାଂଶ ସଦସ୍ୟଙ୍କୁ ନିଜର ଚାବୁକ ଦ୍ଵାରା ନିୟନ୍ତ୍ରିତ କରିବା ସ୍ଥିତିରେ ଥିବା ବେକେ ବିଧାନସଭାକୁ ମିଛ କହି ୧୯୬୩ରେ ଇଂରାଜୀ ଭାଷାକୁ ଯଦି କବର ତଳୁ ଉଠାଇ ଆଣି ସେହିସ୍ଥଳରେ ଆମ ଉପରେ ନଦିଦେଇନଥାନ୍ତେ, ତେବେ ଆମ ଭାଷା ଅଧିକାର ପାଇଁ ଆମକୁ ପ୍ରାୟ ୪ ବର୍ଷ ଧରି କଳାପତାକା ଅଭିଯାନ କରିବାକୁ ପଡ଼ିନଥାନ୍ତା ।

ଅତଏବ, ଅନ୍ୟ କାହାପାଇଁ ବିଜୁ ପଟ୍ଟନାୟକ ପ୍ରବାଦ ପୁରୁଷ ହୋଇପାରନ୍ତି, ଆମ ଭାଷା ପ୍ରେକ୍ଷାପଟରେ ଆମ ପାଇଁ ବରବାଦ ପୁରୁଷ । ଓଡ଼ିଆ ଗଣମାଧ୍ୟମମାନେ ତାଙ୍କୁ ଅଯଥା ଟେକିବା ବନ୍ଦ କରି ଏହି ସତ୍ୟ ଅନୁଭବ କରନ୍ତୁ ।