ଭାଷା ଆନ୍ଦୋଳନ , ତାର କଳାପତାକା ଅଭିଯାନ, ଆରମ୍ଭ ଓ ଅଗ୍ରଗତି (୧)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ‘ଫେସ ବୁକ’ ପୃଷ୍ଠାରେ ଯେଉଁ ଭାଷା ଆନ୍ଦୋଳନର ଚର୍ଚ୍ଚା ଏବେ ଏତେ ବ୍ୟାପକଭାବେ ଚାଲିଛି ସେହି ଭାଷା ଆନ୍ଦୋଳନକୁ ଏହି ଏକ ଗଣମାଧ୍ୟମରେ ମୁଁ ଆରମ୍ଭ କରିଥିଲି ୨୦୧୬ ଏପ୍ରିଲ ପହିଲାରେ ।

ଏ ବିଷୟରେ ସବିଶେଷ ଆଲୋଚନା ସମୟକ୍ରମେ ହେବ । କିନ୍ତୁ ଏଥିପାଇଁ ମୁଁ ବପନ କରିଥିବା ବୀଜ କିପରି ଥିଲା ତାହା ସେଦିନର ମୋ ଉପସ୍ଥାପନାର ଫଟୋଚିତ୍ରରୁ ଦେଖାଯାଉ ।

ଏ ମାସ ୧୬ରୁ ପୁନଶ୍ଚ କଳାପତାକା ଅଭିଯାନ : କାହିଁକି ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

ଗତ ବିଧାନସଭା ଅଧିବେଶନ ଠାରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ଏ ମାସ ୧୬ ତାରିଖରୁ ପୁନଶ୍ଚ ଚାଲିବ ; କାରଣ, ଓଡ଼ିଆ ଜାତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତାରଣା ଏ ଯାଏଁ ସରିନାହିଁ ।

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଓଡିଶା ସରକାରଙ୍କୁ ତିନି ତିନି ଥର ବାଧ୍ୟ କଲାଣି ଓଡିଶା ସରକାରୀ ଭାଷା ଆଇନ, 1954ର ସଂଶୋଧନ ପାଇଁ । ମାତ୍ର ଓଡ଼ିଶାର ରାଜନୈତିକ ନେତୃତ୍ଵ ଦୁର୍ବଳ ହୋଇଥିବା କାରଣରୁ ଏବଂ ଅମଲାତନ୍ତ୍ର ଉପରେ ସର୍ବଥା ନିର୍ଭରଶୀଳ ଥିବା ହେତୁ , ଧୂର୍ତ୍ତ ଅମଲାମାନେ ସଂଶୋଧନ-ବିଧେୟକଗୁଡ଼ିକରେ ଏପରି ଶବ୍ଦ ଖଞ୍ଜୁଛନ୍ତି ଯେ, ଆଇନଟି ନିର୍ଭୁଲ ହୋଇପାରୁନି ।

ଆଇନଟିରେ ପ୍ରଥମରୁ ଦୁଇଟି ପ୍ରମାଦ ଥିଲା ; ଯଥା – (୧) ନିୟମାବଳୀ ପ୍ରଣୟନ କରି ଆଇନଟିକୁ କାର୍ଯ୍ୟକାରୀ କରିବାକୁ ଆଇନଟି ସରକାରଙ୍କୁ କ୍ଷମତା ଦେଇନଥିଲା ; ଓ (୨) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନର ବ୍ୟବସ୍ଥା ନଥିବା ହେତୁ କେହି ଏହାକୁ ମାନୁନଥିଲେ । କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କ ଅନଶନ ଫଳରେ ଆଇନଟିର କାର୍ଯ୍ୟକାରିତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସଭ୍ୟଭାବେ ସଂସ୍ଥିତ ହୋଇ ଏହି ଦୁଇଟି ପ୍ରମାଦ ଚିହ୍ନଟ କଲେ ଓ ତହିଁର ଦୂରୀକରଣ ପାଇଁ ଦୁଇଟି ବିଧିକ ଚିଠା ସରକାରଙ୍କୁ ଦେଲେ : ପ୍ରଥମଟି ତାଙ୍କ ପ୍ରସ୍ତାବିତ ଆଇନ ସଂଶୋଧନର ଚିଠା ଓ ଦ୍ବିତୀୟଟି ତାଙ୍କ ପ୍ରସ୍ତାବିତ ନିୟମାବଳୀର ଚିଠା ।

ପ୍ରଥମଥର ପାଇଁ ସରକାର ଓ ଓଡ଼ିଶାବାସୀ ଜାଣିଲେ ଯେ, ଏତଦ୍ଦୃଶ ଆଇନ ସଂଶୋଧନ ନ ହେଲେ, ଓଡ଼ିଆରେ ଓଡ଼ିଶାର ଶାସନ ସମ୍ଭବ ହେବନାହିଁ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଆଧାର କରି ୧୪. ୧୨ . ୨୦୧୫ ତାରିଖରେ ବିଧାନସଭାରେ କହିଲେ କି, ଭାଷା ଆଇନ ସଂଶୋଧନ ପାଇଁ ପଦକ୍ଷେପ ନିଆ ହେଉଛି । କିନ୍ତୁ ଦିନ ଦୁଇଟା ପରେ ସେ ବଦଳିଗଲେ ଓ ମନ୍ତ୍ରୀସ୍ତରୀୟ କମିଟିଟିକୁ ଆପାତତଃ ଅକାମି କରିଦେଲେ । ପରେ ନଥି ଅନୁଧ୍ୟାନ କରି ଜଣାପଡ଼ିଲା ଯେ, ଜି.ଭି.ଭି.ଶର୍ମା ନାମକ ଜଣେ ଅଣଓଡ଼ିଆ ଆଇ .ଏ .ଏସ . ଅଫିସରଙ୍କ ଚକ୍ରାନ୍ତ ହେତୁ ଏହା ସମ୍ଭବ ହୋଇଥିଲା ।

ତେଣୁ ଆଇନ ସଂଶୋଧନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇ ୧୩. ୪. ୨୦୧୬ ତାରିଖରୁ କଳାପତାକା ଅଭିଯାନ ଆରମ୍ଭ ହେଲା ।

କଳାପତାକା ଅଭିଯାନର ଶକ୍ତି

ଚାରିଜଣ ଭାଷାପ୍ରେମୀ ଓଡ଼ିଆ ହାତରେ ଦାବିଫଳକ ଓ କଳାପତାକା ଧରି ଓଡ଼ିଶାର ଆଇନ ପ୍ରଣୟନ କେନ୍ଦ୍ରଠାରୁ ରାଜ୍ୟପାଳଙ୍କ ଦାପ୍ତରିକ ନିବାସ ଯାଏଁ ପ୍ରତ୍ୟହ କାର୍ଯ୍ୟାଳୟ ସମୟ ଶେଷରେ ନୀରବରେ ଯାତ୍ରା କରିବା ଓ ଏହି ଅନନ୍ୟ ଆନ୍ଦୋଳନର ଶ୍ରେୟ କୁଳଗୌରବ ମଧୁବାବୁଙ୍କ ଚରଣତଳେ ଅର୍ପଣ କରିବା ହିଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ । ଏହି ନୀରବତା ହିଁ ଏହି ଆନ୍ଦୋଳନର ଶକ୍ତି ।

ପ୍ରଥମ ତ୍ରୁଟି

ଦୀର୍ଘ ଅଣଚାଳିଶ ଦିନ ଏହି କଳାପତାକା ଅଭିଯାନ ଚାଲିଲା ପରେ ମୁଖ୍ୟମନ୍ତ୍ରୀ ଚେତିଥିଲେ । ଅଧ୍ୟାଦେଶ ବଳରେ ଆଇନ ସଂଶୋଧନ କଲେ । ମାତ୍ର ଅମଲାତନ୍ତ୍ର ଯେଉଁ ଚିଠା କଲା ତହିଁରେ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ପ୍ରଦତ୍ତ ହୋଇଥିଲେ ମଧ୍ୟ ଓଡ଼ିଆରେ କାମନକରିବା କର୍ମଚାରୀଙ୍କୁ ଦଣ୍ଡବିଧାନ ବ୍ୟବସ୍ତା ରହିଲାନାହିଁ । ଫଳରେ ଓଡିଶା ସରକାରୀ ଭାଷା ଆଇନକୁ ତ୍ରୁଟିଶୂନ୍ୟ କରିବାକୁ ଆମ ଉଦ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ହେତୁ ଅମଲାତନ୍ତ୍ର ଭଣ୍ଡୁର କରିଦେଲା ।

ଦ୍ବିତୀୟ ତ୍ରୁଟି

ଏହି ତ୍ରୁଟିପୂର୍ଣ୍ଣ ଅଧ୍ୟାଦେଶ ଜାରି ହେଲା ୨୧. ୫. ୨୦୧୬ ତାରିଖରେ । ମୁଖ୍ୟମନ୍ତ୍ରୀ କହିଲେ, “ଓଡିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଅଣାଯାଇ ୧୫. ୮. ୨୦୧୬ ସୁଦ୍ଧା ଆଇନ ପ୍ରଣୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।”

ସୁତରାଂ ବିଧାନସଭାରେ ଅଧ୍ୟାଦେଶଟି ଆଇନରେ ରୂପାନ୍ତରିତ ହେବାବେଳେ ତହିଁର ତ୍ରୁଟି ସୁଧୁରିଯିବ ବୋଲି ବିଶ୍ଵାସ କରି ୧୬. ୮. ୨୦୧୬ ପର୍ଯ୍ୟନ୍ତ କଳାପତାକା ଅଭିଯାନ ସ୍ଥଗିତ ରଖାଯାଇଥିଲା ।

ଆଇନ ସଂଶୋଧନ ହେବା ପରିବର୍ତ୍ତେ, ୧୨. ୮. ୨୦୧୬ ତାରିଖରେ ସରକାର ଏକ ନିୟମାବଳୀ ପ୍ରବର୍ତ୍ତନ କଲେ ଯାହା ଓଡ଼ିଆ ଜାତି ପ୍ରତି ଥିଲା ଏକ ପ୍ରଚଣ୍ଡ ପ୍ରତାରଣା । ଯେଉଁ ଅମଲାମାନେ ଭାଷା ଆଇନ ଓ ତାର ଅଧିସୂଚନାକୁ ସମ୍ପୂର୍ଣ ଉଲ୍ଲଙ୍ଘନ କରିଆସିଛନ୍ତି ସେହିମାନଙ୍କ ହାତରେ ଉଲ୍ଲଙ୍ଘନର ସମୀକ୍ଷା ଅଧିକାର ଅର୍ପଣ କରିବା ଭିନ୍ନ ଏହି ନିୟମାବଳୀରେ ଆଉ କିଛି ନଥିଲା । ଏହାକୁ ପ୍ରତ୍ୟାଖ୍ୟାନ କରି ଭାଷା ଆନ୍ଦୋଳନର ସ୍ଥଗିତ ଥିବା କଳାପତାକା ଅଭିଯାନ ପୁନଃ ଆରମ୍ଭ ହେଲା ପୂର୍ବ ଘୋଷଣା ଅନୁସାରେ ୧୬. ୮. ୨୦୧୬ ଅପରାହ୍ନରେ ।

ତୃତୀୟ ତ୍ରୁଟି

ଅଧ୍ୟାଦେଶଟି ବିଧାନସଭାରେ ବିଧେୟକ ରୂପେ ରଖାଗଲା ୨୮. ୯. ୨୦୧୬ ତାରିଖରେ । ଅଧ୍ୟାଦେଶରେ ଥିବା ତ୍ରୁଟିକୁ ଆଇନସିଦ୍ଧ କରିବା ପାଇଁ ଏହା ଥିଲା ଏକ ଧୂର୍ତ୍ତ ପ୍ରୟାସ । ଅଧ୍ୟାଦେଶ ଜାରି ହୋଇଥାଏ ଏକ ନାହିଁନଥିବା ଜରୁରୀ ପରିସ୍ଥିତିରେ । ତେଣୁ, ତାହାକୁ ଆଇନରେ ପରିଣତ କରିବା ପାଇଁ ଯେତେବେଳେ ବିଧେୟକ ଉପସ୍ଥାପିତ ହୁଏ , ସେତେବେଳେ କେଉଁ ଅପରିହାର୍ଯ୍ୟ ଚାପ ହେତୁ ଅଧ୍ୟାଦେଶଟି ଜାରିହୋଇଥିଲା ତାହା ସରକାର ପ୍ରାଞ୍ଜଳ ଭାବେ ବିଧାନସଭାକୁ କହିବାକୁ ବାଧ୍ୟ । କାରଣ ବିଧାନସଭା ପରିସର ବାହାରେ ବିଧାନ ପ୍ରଣୟନ ଓ ପ୍ରବର୍ତ୍ତନ କରି କାର୍ଯ୍ୟନିର୍ବାହୀ ସରକାର ସ୍ଵାଭାବିକ କାର୍ଯ୍ୟଧାରାର ଯେଉଁ ଉଲ୍ଲଙ୍ଘନ କରିଥାନ୍ତି, ତହିଁର ପ୍ରକୃତ କାରଣ ଓ ତାର ଯଥାର୍ଥତା ବିଧାୟକମାନେ ତଦ୍ଦ୍ଵାରା ଅବଗତ ହୁଅନ୍ତି ଓ ବିଧେୟକଟିର ପ୍ରକୃତ “ଉଦ୍ଦେଶ୍ୟ ଓ କାରଣ କଥନ” ନିର୍ଭୁଲ ହୋଇ ଭବିଷ୍ୟତରେ ତାହାର ବିଧିକ ଉପଯୋଗ ସମ୍ଭବ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହି ବିଧେୟକ ଆଗତ କଲାବେଳେ ତାହା ଲୁଚାଇ ରଖିଲେ ଓ ତହିଁରେ ସନ୍ନିହିତ ସ୍ପଷ୍ଟ-କଥନରେ ମିଛ ବି କହିଲେ । ଆମ ବିଧାନସଭାର ସଭ୍ୟମାନେ ଏତେ ଯୋଗ୍ୟ ଯେ, ଏହି ଦୃଶ୍ୟପଟ ସମସ୍ତେ ଜାଣି ମଧ୍ୟ କେହି କିଛି ପ୍ରତିବାଦ କଲେନି ଆମ ଭାଷା ଇତିହାସର ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା ଗୁପ୍ତ ହୋଇଗଲା । ଫଳରେ ସଠିକ “ଉଦ୍ଦେଶ୍ୟ ଓ କାରଣ କଥନ” ନଥାଇ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ , ୨୦୧୬ ବିଧାନସଭାରେ ପାରିତ ହେଲା ଓ ସଂଶୋଧନଟି ଅଧିକ ତ୍ରୁଟିପୂର୍ଣ୍ଣ ହୋଇ ରହିଲା ।

ପୁରୀ ପ୍ରସ୍ତାବ ଓ ତାର ଭ୍ରମ ସଂଶୋଧନ

ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ଆମ ସରକାରୀ ଭାଷା ଆଇନକୁ କିପରି ଛୁରା ମାରି ଇଂରାଜୀ ଭାଷାକୁ ଆମ ଉପରେ ଲଦିଦେଲେ ତାହା ଉପରେ ତିନି ସପ୍ତାହ ଧରି ଚର୍ଚ୍ଚା (ବିଜୁଙ୍କ ଛୁରା, ସୁଭାଷ ଚନ୍ଦ୍ର ପଟ୍ଟନାୟକ, ସୂର୍ଯ୍ୟପ୍ରଭା) ପରେ ମୁଖ୍ୟମନ୍ତ୍ରୀ ୧୯. ୫. ୨୦୧୭ ତାରିଖରେ ଭାଷା ଆଇନର କାର୍ଯ୍ୟକାରିତା ପାଇଁ ପ୍ରତ୍ୟକ୍ଷ ଆଲୋଚନା କରିବାକୁ ମୋତେ ନିମନ୍ତ୍ରଣ କଲେ । ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ଧରି ମୁଁ ତାଙ୍କ ସହ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ଆଲୋଚନା କଲି ଓ ଉପରୋକ୍ତ ତ୍ରୁଟି ସମ୍ପର୍କରେ ତାଙ୍କୁ ଅବଗତ କରାଇ, ୨୦୧୬ ସଂଶୋଧନକୁ ସେ ପୁନଃ ସଂଶୋଧିତ କରନ୍ତୁ ବୋଲି କହି, ସେହି ସଂଶୋଧନର ସ୍ଵରୂପ କ’ଣ ହେବା ଉଚିତ ତାହା ବୁଝାଇ ଏକ ସାନି ଚିଠା ମଧ୍ୟ ତାଙ୍କ ହାତରେ ଦେଲି ।

ଛଅ ମାସ ଗଡ଼ିଗଲା । ମୁଖ୍ୟମନ୍ତ୍ରୀଙ୍କ ଏହି ଓଡ଼ିଅଵିରୋଧୀ ମାନସିକତା ବିରୁଦ୍ଧରେ ତାଙ୍କ ନିଜ ଦଳରେ ବି ଅସନ୍ତୋଷ ଦାନା ବାନ୍ଧିଲା । ଫଳରେ, ନିଜ ଦଳୀୟ ଲୋକଙ୍କୁ ବୁଝାଇବା ପାଇଁ ଯେ, ନବୀନ ବାବୁ ଓଡ଼ିଅଵିରୋଧୀ ନୁହନ୍ତି , ୨୬.୧୨. ୨୦୧୭ ତାରିଖରେ ପୁରୀଠାରେ ହେବାକୁଥିବା ତାଙ୍କ ଦଳର ପ୍ରତିଷ୍ଠା ଉତ୍ସବ ଅବସରରେ ସେହିଠାରେ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ବସାଇ ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସେ ପ୍ରସ୍ତୁତ ବୋଲି ପ୍ରଚାର କରାଇବାକୁ ନିଷ୍ପତ୍ତି ହେଲା । ତେଣୁ , ସେଠାରେ ଗୃହୀତ ଏକ ପ୍ରସ୍ତାବରେ କୁହାଗଲା , “ସରକାରୀ ଭାଷା ଆଇନ, ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷା ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ଵ ଡିଭିଜନ ଏବଂ ରାଜ୍ୟସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ୧.୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

କାହା ଉର୍ବର ମସ୍ତିଷ୍କରୁ ଏହି ପ୍ରସ୍ତାବର ଭାଷା ବାହାରିଥିଲା କିଏ ଜାଣେ ? ଏହା ଯେ ଆମ ଭାଷା ଅଧିକାରକୁ ଭଣ୍ଡୁର କରିବାକୁ ଉଦ୍ଦିଷ୍ଟ ଥିଲା ତାହା ଆମେ ଜାଣିଗଲୁ ଏବଂ ଏହାକୁ ବିରୋଧ କଲୁ । କାରଣ, (କ) “ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ” ବୋଲି କହି ଏହି ପ୍ରସ୍ତାବ ଦ୍ଵାରା ବିଭାଗଗୁଡିକର ମର୍ଜୀ ଉପରେ ଆମ ଭାଷା ଅଧିକାରକୁ ଛାଡିଦିଆହୋଇଥିଲା ଓ ସାରା ରାଜ୍ୟରେ ଏହାର ପ୍ରବର୍ତ୍ତନକୁ ସଂକୁଚିତ କରି “ବହୁଳ ବ୍ୟବହାର” ପରି ଏକ କିମ୍ଭୁତକିମାକାର ବିଭାବନା କବଳରେ ମାତୃଭାଷା ଓଡ଼ିଆର ଗରିମାକୁ ଉଜାଡ଼ିଦେବାକୁ ତଥା ତଦ୍ଦ୍ଵାରା ଭାଷା ଆଇନର ଅସଲ ଉଦ୍ଦେଶ୍ୟକୁ ପଣ୍ଡ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ଅପରପକ୍ଷେ କର୍ମଚାରୀଙ୍କ ଦୋଷ ହେତୁ ବିଭାଗକୁ ଦଣ୍ଡବିଧାନପାଇଁ ପ୍ରସ୍ତାବ ରଖି ମନ୍ତ୍ରୀମଣ୍ଡଳ ଚାହୁଁଥିଲା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବାପାଇଁ ।

ଏହାର ପ୍ରତିବାଦରେ ତଥା ପ୍ରତିକାର ଦାବିରେ କଳାପତାକା ଅଭିଯାନ ଚାଲିରହିଲା । ଫଳରେ ବାଧ୍ୟ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ସେହି ଏକା ବିଷୟରେ ବୈଠକ କଲା ୧୪.୦୩.୨୦୧୮ ତାରିଖରେ, ଯହିଁରେ ମୁଖ୍ୟମନ୍ତ୍ରୀ ବି ଅଧ୍ୟକ୍ଷତା କଲେ । ୨୬. ୧୨. ୨୦୧୭ ତାରିଖର ପ୍ରସ୍ତାବକୁ ଏହା ବଦଳେଇଦେଇ, ତହିଁରେ କର୍ମଚାରୀଙ୍କ ଭୁଲ ପାଇଁ ବିଭାଗକୁ ଦଣ୍ଡିତ କରିବା ସକାଶେ ଯେଉଁ ଅନର୍ଥ ଖଞ୍ଜା ହୋଇଥିଲା ତାହାକୁ ନିପାତ କଲା ଓ ପରିସ୍କାର କରିଦେଲା କି, ଯେଉଁମାନେ ଓଡ଼ିଆ ଭାଷାରେ କାମ ନ କରିବେ, ସେହି କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେବ । ଏବଂ ଆମ ଯୁକ୍ତିକୁ ବି ଏହି ପ୍ରସ୍ତାବରେ ସ୍ଥାନିତ କରି ଏହା ଉଲ୍ଲେଖ କଲା କି, “ଓଡିଶା ସରକାରୀ ଭାଷା ଆଇନ ଏକ ଦୀର୍ଘ ଦିନର ପୁରୁଣା ଆଇନ ହୋଇଥିଲେ ମଧ୍ୟ, ଯେହେତୁ ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଏଥିରେ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ ସେହେତୁ ଏହାକୁ କେହି ମାନୁନାହାନ୍ତି” ବୋଲି ହୃଦ୍ବୋଧ ହୋଇଥିବାରୁ, ଖିଲାପକାରୀ ପଦାଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ସକାଶେ ଅତିଶୀଘ୍ର ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ହେବ ।” ଅତଏବ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ” କଣ ହେବ ତାହା ବି ଏହି ମନ୍ତ୍ରୀମଣ୍ଡଳ ବୈଠକରେ ନିଶ୍ଚିତ କରିଦିଆଗଲା ।

ଚତୁର୍ଥ ତ୍ରୁଟି

ଅଥଚ , ସଂଶୋଧନ-ବିଧେୟକର ଚିଠା କଲାବେଳେ, ସମ୍ପୃକ୍ତ ଶାସନ ସଚିବ ଏକାକୀ ବା ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଏବଂ ଏହି ଦିନର ମନ୍ତ୍ରୀମଣ୍ଡଳ ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୁପ୍ତ କରି ଥିଲା, ସେହି ଅପରିଣାମଦର୍ଶୀ ପ୍ରସ୍ତାବ ଉପରେ ନୂଆ ସଂଶୋଧନ ଠିଆ କରାଇଛନ୍ତି ମନ୍ତ୍ରିମଣ୍ଡଳର ସମ୍ପୂର୍ଣ ଅବଜ୍ଞା କରି । ଏହି ଦୁରାଚାର ଏତିକିରେ ଅଟକି ନାହିଁ । ଓଡ଼ିଆ ବିରୋଧୀ ଅମଲା ଓ ମୁଖ୍ୟମନ୍ତ୍ରୀଙ୍କୁ ରକ୍ଷାକବଚ ଯୋଗାଇବା ପାଇଁ ଏହି ଦୁଇ ମନ୍ତ୍ରିମଣ୍ଡଳର ପ୍ରସ୍ତାବକୁ ବି ହେରଫେର୍ (Tampering) କରାଯାଇଛି ।

ଉଦାହରଣ ସ୍ଵରୂପ, ୨୬. ୧୨ . ୨୦୧୭ ତାରିଖର ଯେଉଁ ପ୍ରସ୍ତାବକୁ ବିଲୋପ କରାଯାଇଥିଲା, ତହିଁରେ ଥିଲା “ବିଭାଗ ତଥା କର୍ମଚାରୀଙ୍କୁ” ଦଣ୍ଡିତ କରାଯିବ । ଅର୍ଥାତ୍ ବିଭାଗ ଏବଂ କର୍ମଚାରୀ- ଉଭୟେ ଦଣ୍ଡିତ ହେବେ । ସଂଶୋଧନ ବିଧେୟକଙ୍କୁ ଏହି ପ୍ରସ୍ତାବ ଉପରେ ଅନଧିକୃତ ଭାବେ ଠିଆ କରାଇ କୁହାଗଲା, “କର୍ମଚାରୀ କିମ୍ବା ବିଭାଗ”କୁ ଦଣ୍ଡିତ କରାଯିବ । ଏହି “କିମ୍ବା” ଶବ୍ଦଟିକୁ ଶାସନ ସଚିବ / ମୁଖ୍ୟମନ୍ତ୍ରୀ କେଉଁଠୁ ଆଣିଲେ? ମନ୍ତ୍ରୀମଣ୍ଡଳ ବୈଠକରେ ବିଲୁପ୍ତ କରାଯାଇଥିବା ଏକ ବିଭାବନକୁ ମନ୍ତ୍ରିମଣ୍ଡଳର କୌଣସି ଅନୁମୋଦନ ନଥାଇ ପୁନର୍ଜୀବିତ କରିବା ଓ ତହିଁର ଶବ୍ଦ ହେରଫେର୍ କରି “ଏବଂ” ସ୍ଥାନରେ “କିମ୍ବା” ଲେଖିବା ଏକ ଜଘନ୍ୟ ପ୍ରଶାସନିକ ଅପରାଧ । ମୁଖ୍ୟମନ୍ତ୍ରୀ ଯଦି ନିଜେ ଏହି ଅପରାଧ କରିନାହାନ୍ତି ତେବେ ଯେଉଁ ଶାସନ ସଚିବ ଏହା କରିଛନ୍ତି ତାଙ୍କ ବିରୁଦ୍ଧରେ କଡ଼ା ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ମୋ ଚିଠିରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିଛି । ସେ ନିରବ ରହିଛନ୍ତି ।

ଅପରପକ୍ଷେ , ଯେପରି ଉପରେ କୁହାହୋଇଛି, ମନ୍ତ୍ରିମଣ୍ଡଳର ଯେଉଁ ପ୍ରସ୍ତାବ ଭାଷା ଆଇନର ଏହି ଶେଷ ସଂଶୋଧନରେ ପ୍ରତିଫଳିତ ହେବା କଥା ବା ଯେଉଁ ପ୍ରସ୍ତାବ ଉପରେ ଏହି ସଂଶୋଧନ ଆଧାରିତ ହେବା କଥା, ମନ୍ତ୍ରିମଣ୍ଡଳର ଅଜାଣତରେ ସେହି ପ୍ରସ୍ତାବକୁ ହତ୍ୟା କରାଯାଇଛି । ୧୪.୦୩.୨୦୧୮ ତାରିଖର ଏହି ପ୍ରସ୍ତାବରେ ସ୍ପଷ୍ଟତଃ କୁହାହୋଇଥିଲା, “The same (Orissa Official Language Act, 1954) is not properly implemented, as there is no provision for imposing penalty against the Officers and employees who are violating the provisions of the notifications under the Act.” ଅତଏବ, ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆମ ଯୁକ୍ତିକୁ ସମ୍ପୂର୍ଣ୍ଣତଃ ଗ୍ରହଣ କରି ମନ୍ତ୍ରୀମଣ୍ଡଳ ସ୍ବୀକାର କରିଥିଲା ଯେ, ଦଣ୍ଡବିଧାନ ବ୍ୟବସ୍ଥା ନଥିବା ହେତୁ ଭାଷା ଆଇନର ଅବାଧ ଅବମାନନା ହୋଇଚାଲିଛି । ସେଥିପାଇଁ, “Government have decided to bring the amendment immediately providing penalties for such erring officers and employees who don’t obey the directions issued under sub- section (2) of section 2 , so that they will implement the provisions of the notification in its letter and spirit” ଖୋଦିତ ହୋଇଥିଲା ଏହି ପ୍ରସ୍ତାବ ଦେହରେ । ଏହାର ଅର୍ଥ, “ଓଡ଼ିଆ ଭାଷାରେ କାମ ନ କଲେ ପଦାଧିକାରୀ ଓ କର୍ମଚାରୀଙ୍କୁ ଏପରି ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ଅବିଳମ୍ବେ କରାଯିବ ବୋଲି ସରକାର ନିଷ୍ପତ୍ତି କରିଛନ୍ତି, ଯଦ୍ଦ୍ଵାରା ସେମାନେ ଧାରା-୨ର ଉପଧାରା-(୨) ଅନ୍ତର୍ଗତ ଅଧିସୂଚନାକୁ ଅକ୍ଷରେ ଅକ୍ଷରେ ଓ ମର୍ମେ ମର୍ମେ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ । “ଉଦ୍ଦେଶ୍ୟ ଓ କାରଣ କଥନ”ର ସ୍ବରୂପ ନିର୍ଦ୍ଧାରଣ ସହ ସଂଶୋଧନ କଣ ହେବ ତାହା ଏହି ମନ୍ତ୍ରୀମଣ୍ଡଳ ସ୍ପଷ୍ଟ କରିଦେଇଥିଲା । ଓଡ଼ିଆଦ୍ରୋହୀ ପଦାଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡବିଧାନପାଇଁ ଯେହେତୁ ଏଥିରେ ସ୍ପଷ୍ଟ କରାହୋଇଥିଲା, ଓ ଯେହେତୁ ଓଡ଼ିଆଦ୍ରୋହୀ ନବୀନ ପଟ୍ଟନାୟକ ମଧ୍ୟ ଜଣେ ପଦାଧିକାରୀ , ସେହେତୁ ଓଡ଼ିଆଦ୍ରୋହୀ ଅମଲା ତଥା ମୁଖ୍ୟମନ୍ତ୍ରୀ ମିଳିମିଶି ଏହି ପ୍ରସ୍ତାବକୁ ହତ୍ୟା କରିଦେଲେ ଓ “ଅବିଳମ୍ବେ” ଅର୍ଥାତ୍ ବିଧାନସଭା ଅଧିବେଶନ ଆରମ୍ଭ ହେବା ସଂଗେ ସଂଗେ ଚିହ୍ନିତ ସରକାରୀ ଦିବସରେ ସଂଶୋଧନ ବିଧେୟକଙ୍କୁ ଆଗତ କରିଥିଲେ କାଳେ ଏହି ଜଘନ୍ୟ ଅପରାଧ ଧରା ପଡିଯିବ, ସେହି ଭୟରେ ଏହାକୁ ଅଧିବେଶନର ଶେଷ ଦିନରେ ଆଗତ ଓ ପାରିତ କରାଇ ନେଲେ ଏବଂ ଯେଉଁ “ଉଦ୍ଦେଶ୍ୟ ଓ କାରଣ କଥନ” ରଖିଲେ ତାହା ବି ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ଅବମାନନା କଲା ।

ଆରୁଖ ମୁଣ୍ଡରେ ପଣସ ଅଠା

ପଳାତକ ଆସାମୀ ପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଜାଲିଆତି କଳୁଷିତ ବିଧେୟକ ପାରିତୀକରଣ ପାଇଁ ଆଗତ ନ କରି , ତାଙ୍କ ନିଜ ଜିଲ୍ଲାବାସୀ ଓ ଅନୁଗତ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଦାୟିତ୍ବ ଦେଇ ପଳାଇଲେ ଓ ଏହି ଜାଲିଆତି ସହ ସମ୍ପୃକ୍ତ ଶାସନ ସଚିବ ଆଗରୁ ଲେଖିରଖିଥିବା ଖଣ୍ଡେ କାଗଜ ପଢ଼ି ଆରୁଖ ବିତର୍କର ଉତ୍ତର ରଖିଲେ । କେହି ଜଣେ ବି ବିଧାୟକ ପ୍ରଶ୍ନ କଲେନାହିଁ , ମୌଖିକ ବିତର୍କର ଲିଖିତ ଉତ୍ତର ବିତର୍କ ପୂର୍ବରୁ ମନ୍ତ୍ରୀ କେଉଁଠୁ ଆଣିଥିଲେ । ଲଜ୍ଜ୍ୟା ଲାଗୁଛି କହିବାକୁ ଯେ, ଏହି ପରି ସଭ୍ୟମାନଙ୍କୁ ନେଇ ଓଡିଶା ବିଧାନସଭା ଚାଲିଛି ।

ବିଧାନସଭାର ସ୍ବାଧୀକାର ଭଙ୍ଗ

ଏହି ଜାଲିଆତିର ଅଠା , ଯାହା ଅରୁଖଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ବୋଳିଛନ୍ତି, ତାହା ସେ କିପରି ଧୋଇବେ ତାଙ୍କୁ ଜଣା । କିନ୍ତୁ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତିକୁ ସମ୍ପୂର୍ଣ ଗୋପନ ରଖି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଉପରେ ସଂଶୋଧନ ବିଧେୟକ ଆଧାରିତ ବୋଲି ସମ୍ପୃକ୍ତ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଯେଉଁ ଉଲ୍ଳେଖନା ଅଛି ତାହା ପବିତ୍ର ସାର୍ବଭୌମ ଗୃହର ଅବଗତିରୁ ‘ବାସ୍ତବ ତଥ୍ୟ ସଂଗୋପନ’ (suppression of material facts) ଦୋଷରେ ଆକ୍ରାନ୍ତ ।

ଏପରି ଦୋଷ ଜାଣିଶୁଣି କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହର ସ୍ବାଧୀକାର ଭଙ୍ଗ କରିଛନ୍ତି କିମ୍ବା ସେ ଯାହା ମୁଣ୍ଡରେ ପଣସ ଅଠା ବୋଲିଛନ୍ତି, ସେ ନିଜେ ସାଂସଦୀୟ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଏବଂ ୧୪.୦୩.୨୦୧୮ ତାରିଖ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ୨୬. ୧୨ . ୨୦୧୭ ତାରିଖର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ପରିବର୍ତ୍ତିତ କରିଥିବା ଅବଗତ ଥିଲେ ମଧ୍ୟ, ଉପରୋକ୍ତ ‘ବାସ୍ତବ ତଥ୍ୟ ସଂଗୋପନ’ ପ୍ରତି ଆଖି ବୁଜି ଦେଇ , ସେ ସମ୍ପର୍କରେ ବିଧାନସଭାକୁ ଅନ୍ଧକାରରେ ରଖି, ଶାସନ ସଚିବଙ୍କ ଦ୍ଵାରା ପୂର୍ବରୁ ଲିଖିତ ବିତର୍କ-ଉତ୍ତର ପାଠ କରି ଓ ତଦ୍ଦ୍ଵାରା ବିଧାନସଭାକୁ ପ୍ରତାରିତ କରି, ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି ତାହା ବିଧାନସଭାର ଆଗାମୀ ଅଧିବେଶନ ସ୍ଥିର କରିବା ଆବଶ୍ୟକ ।

ବିଧାନସଭାର ଅପରିହାର୍ଯ୍ୟ ଦାୟିତ୍ବ

ଯଦି ଓଡିଶା ବିଧାନସଭା ଏହି ଅପରିହାର୍ଯ୍ୟ ଦାୟିତ୍ବ ନତୁଲାଏ , ତେବେ ଜୀଇଁ ଥାଉଁ ଥାଉଁ ଏହା ଏକ ମଲା ବିଧାନସଭା ବୋଲି ମନେହେବ । ଯଦି ଏ ବିଧାନସଭାଟି ପ୍ରକୃତରେ ମରିନଥାଏ, ତେବେ ଏହାକୁ ଆଉ ଏକ ଅଧିକ ଦାୟିତ୍ବ ନିର୍ବାହ କରିବାକୁ ହେବ । ତାହା ହେଲା, ଏହି ବିବାଦୀୟ ସଂଶୋଧନ ମାଧ୍ୟମରେ ଓଡିଶା ସରକାରୀ ଭାଷା ଆଇନଟିକୁ ମାରିଦେବାପାଇଁ ଯେଉଁ ବ୍ୟବସ୍ଥା ଖଞ୍ଜା ହୋଇଛି ବିଧେୟକଟିରେ ତାହାର ମୁଳୋତ୍ପାଟନ । ଆଇନଟି ସାରା ଓଡ଼ିଶା ପାଇଁ ପ୍ରବର୍ତ୍ତିତ ଏବଂ ଓଡ଼ିଶାର ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହିଁ ଓଡ଼ିଆ ଭାଷା ବୋଲି ଯେଉଁ ଅନୁବନ୍ଧ ଅଛି ତାହାକୁ “ବ୍ୟାପକ ବ୍ୟବହାର” (extensive use) ପରି ଧୂର୍ତ୍ତ ଶବ୍ଦ ଦ୍ଵାରା ସଂକୁଚିତ କରିଛି ଏହି ଅଯୌକ୍ତିକ ତଥା ଜାଲିଆତୀପ୍ରସୁତ ସଂଶୋଧନ । ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଯାଇ ଏହି ପ୍ରମାଦପୂର୍ଣ ସଂଶୋଧନକୁ ପୁନଃ ସଂଶୋଧନ ଦ୍ଵାରା ଭାଷା ଆଇନଟିକୁ ନିର୍ଭୁଲ କରାଇବା ପାଇଁ ଅନୁରୋଧ କରାଯାଇଛି ।

ଆମ ବିଧାନ ପ୍ରଣୟନ ସଭା ଏହି ପ୍ରେକ୍ଷାପଟରେ ତାର ଦାୟିତ୍ବ ନିଵାହ କରିବା ଆବଶ୍ୟକ ।

ଓଡ଼ିଆ ଜାତି ବିରୁଦ୍ଧରେ ଉଭୟ ସରକାର ଓ ବିଧାନସଭାର ପ୍ରବଞ୍ଚନା ପ୍ରତି ଜନସଚେତନତା ହିଁ ପୁନଶ୍ଚ କଳାପତାକା ଅଭିଯାନର ମୂଳ ଲକ୍ଷ୍ୟ । ଏହି ଉଭୟ ସାମ୍ବିଧାନିକ ସଂସ୍ଥା ଯେତେଶୀଘ୍ର ସୁଧୁରିଯିବେ, ସେତେ ମଙ୍ଗଳ ।

ଭାଷା ଆନ୍ଦୋଳନ : ପ୍ରତିଷ୍ଠାତା ସଦସ୍ୟ ତୁଷାରକାନ୍ତ ଶତପଥୀଙ୍କ କଲମରୁ

ତୁଷାରକାନ୍ତ ଶତପଥୀ

ତଥାଗତ ବୁଦ୍ଧ ଓ ଉତ୍କଳଗୌରବଙ୍କର ନାମକୁ ବିକି ସମାଜସେବୀ,ବୁଦ୍ଧିବାଦୀ,ପ୍ରବୁଦ୍ଧ ବୋଲି ନିଜକୁ ପ୍ରଚାରିତ କରିବାଙ୍କ ସଂଖ୍ୟା 99.99% ଯାହାର ପ୍ରମାଣ ଆମେ ସେ ଦୁଇଜଣଙ୍କ ଜନ୍ମଜୟନ୍ତୀରେ ପାଇଥାଉ ।

କିନ୍ତୁ ହେ ବରିଷ୍ଠ ନାଗରିକ ଓ ସାମ୍ବାଦିକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମହୋଦୟ! ଆପଣ ସେମାନଙ୍କର ପିଠିଆବଳଦ ସ୍ୱଋପର ଅକାରଣ ଅନୁଗାମୀ ନୁହନ୍ତି । ବୁଦ୍ଧଦେବ କହିଥିଲେ, “ବିନା ଯୁକ୍ତି,ଆଲୋଚନାରେ ମୋ କଥାକୁ ବି ଗ୍ରହଣ କର ନାହିଁ”। ସେଇ ଆଦର୍ଶରେ ଅନୁପ୍ରାଣୀତ ଆପଣ ,ସେମାନଙ୍କ ପ୍ରଦର୍ଶୀତ ମାର୍ଗକୁ ତର୍ଜମା ଓ ଗବେଷଣା କରନ୍ତି ଓ ତା ପରେ ଯାହା କିଛି ଗ୍ରହଣୀୟ ସେ ଦିଗରେ ନିରବଛିନ୍ନ ଭାବରେ ଲାଗି ରହନ୍ତି । ତେଣୁ ଆପଣ ହିଁ କାୟମନୋବାକ୍ୟରେ ସେ ଦୁଇଜଣଙ୍କ ପ୍ରକୃତ ଅନୁଗାମୀ ।

ସେଇ ଧାରାରୁ ଖିଅଟିଏ ନେଇ, “1954 ଭାଷା ଆଇନରେ କି ପ୍ରକାର ଦୋଷତ୍ରୃଟି ରହିଛି ଯେ ତାହା କାର୍ଯକାରୀ ହୋଇପାରୁନାହିଁ” , ତାହାରି ଉପରେ ଆପଣ ତର୍ଜମା ଓ ଗବେଷଣା କରି ଜାଣିପାରିଲେ ଯେ, ସେହି ଆଇନରେ ପରିବର୍ତନ ଆଣିବାକୁ ସେତେବେଳେ କୌଣସି ବ୍ୟବସ୍ଥା କରାଯାଇନଥିଲା; ଫଳରେ ସରକାରମାନେ ଓଡିଆଭାଷାରେ ଓଡିଶାର ଶାସନ ପାଇଁ ଆବଶ୍ୟକୀୟ ନିୟମ ପ୍ରଣୟନ କରିବାକୁ ଅଧୀକାରପ୍ରାପ୍ତ ନଥିଲେ ।

ଆପଣ ତାହା ସରକାରଙ୍କୁ ଜଣାଇଲେ,ଓ ସରକାର ଅଧ୍ୟାଦେଶ ଜରିଆରେ ଓ ପରେ ବିଧାନମଭାରେ ତାହାକୁ ଗୃହୀତ କରାଇ ନିଜକୁ କ୍ଷମତାପ୍ରାପ୍ତ କରାଇ ତା 15-08 -2016 “ଓଡିଆଭାଷାରେ ଶାସନ ” ପାଇଁ ନିୟମ ପ୍ରଣୟନ କଲେ । ଆପଣଙ୍କ ମାନସ ପ୍ରସ୍ତୁତ “ଦୈନିକ ଚାରିଜଣିଆ କଳାପତାକା ସହ ନବବାବୁଙ୍କ ପ୍ରତିମୂର୍ତ୍ତି ଠାରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଯାଏ ନୀରବ ଯାତ୍ରା ରୂପକ ଗାନ୍ଧିବାଦୀ ଆନ୍ଦୋଳନ ଯାହା 2016 ମସିହାର ଓଡିଆ ନୂଆବର୍ଷ ତା 13-4-2018ରୁ ଆରମ୍ଭ ହୋଇଥିଲା, ତାହା ଜନମାନସକୁ ପ୍ରଭାବିତ କରୁଥିବା ଖବର ପାଇ ସରକାର ଭୋଟ ହରେଇବା ଭୟରେ ନିୟମ ତ କଲେ କିନ୍ତୁ ଖିଲାପକାରୀଙ୍କ ପ୍ରତି ଦଣ୍ଡବିଧାନର ବ୍ୟବସ୍ଥା ନ କରି ତାକୁ ପାଣିଚିଆ କରିଦେଲେ।

ଏହାକୁ ତର୍ଜମା କରି ଆପଣ ଦୀର୍ଘ ଦୁଇ ବର୍ଷ ଓ ସତର ଦିନ କାଳ ସେଇ ଆନ୍ଦୋଳନକୁ ଚଳେଇ ରଖିଲେ , ଯେଉଁଥିରେ ଭୟଭୀତ ହୋଇ ସରକାର ଦଣ୍ଡବିଧାନର ବ୍ୟବସ୍ଥା ତା 01-05-2018ରେ ବିଧାନସଭାରେ ପାରିତ କରେଇଛନ୍ତି।

ଗବେଷଣ ଓ ଯୋଜନା ଆପଣଙ୍କର , କିନ୍ତୁ ରେକର୍ଡ ସୃଷ୍ଟିକାରୀ “କଳାପତାକା ପ୍ରଦର୍ଶନ ଆନ୍ଦୋଳନ”ର ସଫଳତା ଯେଉଁମାନଙ୍କ ଯୋଗୁ, ସେମାନେ ପ୍ରତ୍ୟେକ ହେଉଛନ୍ତି ପ୍ରକୃତ ଓଡ଼ିଆପ୍ରାଣମାନେ । ସେମାନଙ୍କ ଭିତରୁ ଆଗଧାଡ଼ିଆମାନଙ୍କ ସଂଖ୍ୟା ସୀମାହିନ ହୋଇଥିବାରୁ କାହାରି ନାମ ଏଠି ଉଲ୍ଲେଖ ନକରିବା ଜନିତ ଦୋଷ ପାଇଁ ମୁଁ କ୍ଷମାପ୍ରାର୍ଥୀ।

ଆପଣଙ୍କ ପ୍ରତି ଅନେକ ଖରାପ ବ୍ୟବହାର କରାଯାଇଛି, ଆପଣ ଅନେକ ବ୍ୟଙ୍ଗ , ସମାଲୋଚନା, କୁଭାଷାକୁ ,ଜାତିର ସ୍ୱାର୍ଥରେ ଅଣଦେଖା କରିଛନ୍ତି । କିନ୍ତୁ ଆପଣ ଓ ଅନ୍ୟମାନେ ଓଡ଼ିଆଭାଷା ପାଇଁ ଯାହା କରିଛନ୍ତି, ତାହା ଓଡ଼ିଶା ଇତିହାସରେ ସ୍ଥାନୀକୃତ ହେଉ ବା ନ ହେଉ, ଆପଣ ଓ ସହଯୋଗୀମାନଙ୍କ ପ୍ରତି ପ୍ରକୃତ ଓଡ଼ିଆମାନେ ଚିରଋଣୀ ରହିବେ ।

ଆପଣଙ୍କ ଜରିଆରେ ସହଯୋଗୀଗଣ ତଥା ସବୁ ପ୍ରକୃତ ଭାଷାପ୍ରେମୀ ଓଡ଼ିଆଙ୍କୁ ଶତକୋଟି ପ୍ରଣାମ ଜଣାଉଛି ।

ବନ୍ଦେ ଉତ୍କଳ ଜନନୀ
ଜନ୍ମନୀ ଜନ୍ମନୀ ଭାଷା ଜନନୀ ।

ଉପରେ ଯାହା ଉଲ୍ଲିଖିତ ଅଛି ତାହାକୁ ଭାଷା ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ତୁଷାରକାନ୍ତ ଶତପଥୀ ନଭମାଧ୍ୟମ (Internet)ରେ ଉପସ୍ଥାପିତ କରିଥିଲେ ଗତ ମଇ ୨ ତାରିଖରେ ।

ଓଡ଼ିଆ ଭାଷାରେ ଦାପ୍ତରିକ କାମ ନ କଲେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ତିନି ବର୍ଷରେ ପହଁଚିଲା ପରେ ଓ ଆମ ଭାଷାର ଏହି ମୁମୂର୍ଷୁ ଅବସ୍ଥା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ୧୯୬୩ରେ ନେଇଥିବା ପଦକ୍ଷେପ କିପରି ଦାୟୀ ତାହାର ବିବରଣୀ ‘ବିଜୁଙ୍କ ଛୁରା’ ଶୀର୍ଷକ ଏକ ପ୍ରତିବେଦନରେ ମୁଁ କ୍ରମାଗତ ଲୋକଚକ୍ଷୁକୁ ଆଣିବା ପରେ , ତହିଁରେ ଅତର୍ଛି ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ମଇ ପହିଲାରେ ସରକାର ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ କରିଥିବାରୁ ତହିଁରେ ଖୁସି ହୋଇ ପ୍ରତିଷ୍ଠାତା ସଦସ୍ୟ ଭାବେ ତୁଷାରବାବୁ ଏହା ପ୍ରକାଶିତ କରିଛନ୍ତି ଓ ମୋତେ ସମ୍ବୋଧନ କରି ସ୍ପଷ୍ଟ କହିଛନ୍ତି କି, ଆଇନ ସଂଶୋଧନର ପ୍ରସ୍ତାବ ଓ ଆନ୍ଦୋଳନର ଯୋଜନା ଯଦିଓ ମୋ ବୁଦ୍ଧିପ୍ରସୁତ , “ରେକର୍ଡ ସୃଷ୍ଟିକାରୀ ‘କଳାପତାକା ପ୍ରଦର୍ଶନ ଆନ୍ଦୋଳନ’ର ସଫଳତା ଯେଉଁମାନଙ୍କ ଯୋଗୁ, ସେମାନେ ହେଉଛନ୍ତି ପ୍ରତ୍ୟେକ ପ୍ରକୃତ ଓଡିଆପ୍ରାଣମାନେ ।” “ସେମାନଙ୍କ ଭିତରୁ ଆଗଧାଡିଆମାନଙ୍କ ସଂଖ୍ୟା ସୀମାହୀନ ହୋଇଥିବାରୁ କାହାରି ନାମ ଏଠି ଉଲ୍ଲେଖ ନକରିବା ଜନିତ ଦୋଷ ପାଇଁ ମୁଁ କ୍ଷମାପ୍ରାର୍ଥୀ” ବୋଲି ଉଲ୍ଲେଖ କରିଛନ୍ତି ।

ଭାଷାପ୍ରେମୀ କଳାପତାକା ଅଭିଯାତ୍ରୀମାନେ ଜନ ଅନ୍ଦୋଳନର ଇତିହାସରେ ବସ୍ତୁତଃ ଏକ ନୂତନ ଯୁଗ ସୃଷ୍ଟି କରିଛନ୍ତି । କିନ୍ତୁ ଭାଷା ଆଇନର ଏହି ସଂଶୋଧନ ଆମେ ଅଗ୍ରାହ୍ୟ କରିଛୁ । ତହିଁର କାରଣ ମୁଁ ଏହି ନଭମଞ୍ଚ ତଥା ମୋର ଅନ୍ୟ ନଭମଞ୍ଚରେ ରଖିଛି ।

ସଂଶୋଧନର ପୁନଃ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଓଡ଼ିଆରେ ସେବା ପ୍ରଦାନ ନକରିବା ଦଣ୍ଡନୀୟ ହେବା ଦାବିରେ ଦୁଇ ବର୍ଷରୁ ଅଧିକ କାଳ ଧରି କଳାପତାକା ଅଭିଯାନ ଚଳାଇଥିବା ଭାଷା ଆନ୍ଦୋଳନ ମଇ ୨୪ରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଦାବି କରିଛି କି, ଦଣ୍ଡବିଧାନ ପାଇଁ ଗୃହୀତ ହୋଇଥିବା ସଂଶୋଧନ ବିଧେୟକ ଓଡିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ ହୋଇଥିବା ହେତୁ ସେ ତାହାକୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରାଇ ଦିଅନ୍ତୁ ।

ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟପାଳଙ୍କୁ ଜଣାଇଛନ୍ତି କି, ଓଡିଶା ପ୍ରଦେଶରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାମର ଭାଷା ଓଡ଼ିଆ ହିଁ ହେବ ବୋଲି ମୂଳ ଆଇନରେ ଧାର୍ଯ୍ୟ କରାଯାଇଛି । ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ସାରା ଓଡିଶାରେ ସମର୍ଥନ ପ୍ରକାଶ ପାଇଛି ଓ ଗତ ମାର୍ଚ୍ଚ ୧୪ ତାରିଖରେ ମନ୍ତ୍ରୀମଣ୍ଡଳ ବୈଠକରେ ମଧ୍ୟ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଛି । ଅଥଚ ବିଧାନସଭାରେ ଗୃହୀତ ପ୍ରସ୍ତାବରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କଥା କୁହା ହୋଇ ମୂଳ ଆଇନର “ସମସ୍ତ ଓ ପ୍ରତ୍ୟେକ” ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇଛି । ସୁତରାଂ ଏହି ସଂଶୋଧନ ଏକ ବେଆଇନ ସଂଶୋଧନ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ଅପରପକ୍ଷେ ଓଡ଼ିଆରେ କାମ ନ କରିବା କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ବିଧେୟକଟିରେ ଅଛି । କୌଣସି ସରକାରୀ ବିଭାଗକୁ ଦଣ୍ଡିତ କରିବା ଅର୍ଥ, ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା; କାରଣ, ସରକାରୀ ବିଭାଗଗୁଡ଼ିକ ଜନସାଧାରଣଙ୍କ ଅର୍ଥବଳରେ ଚାଲେ । କର୍ମଚାରୀଙ୍କ ଦୋଷ ହେତୁ ଜନସାଧାରଣଙ୍କୁ ଦଣ୍ଡିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେ ଦର୍ଶାଇଛନ୍ତି କି, ୨୬.୧୨.୨୦୧୭ ତାରିଖରେ ମନ୍ତ୍ରିମଣ୍ଡଳର ବୈଠକରେ ଭାଷା ଆଇନ ଉଲ୍ଲଙ୍ଘନକାରୀ କର୍ମଚାରୀ ଓ ବିଭାଗକୁ ବିହିତ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ହୋଇଥିଲା । ଭାଷା ଆନ୍ଦୋଳନ ସେହି ପ୍ରସ୍ତାବର ତ୍ରୁଟି ଦର୍ଶାଇବା ପରେ ୧୪.୦୩.୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ଦାୟୀତ୍ଵନିର୍ଦ୍ଧାରଣ ସମ୍ପର୍କୀୟ ତ୍ରୁଟି ସଂଶୋଧନ କରି ସ୍ପଷ୍ଟ କରିଥିଲେ କି, ଓଡ଼ିଆରେ କାମ ନକଲେ କେବଳ କର୍ମଚାରୀଙ୍କୁ ହିଁ ଦଣ୍ଡବିଧାନ ହେବ । ଅତ୍ୟନ୍ତ ଅନଧିକୃତ ଭାବେ ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ ତାରିଖର ଅକାମି କରାହୋଇଥିବା ପ୍ରସ୍ତାବ ଉପରେ ବିଧେୟକଟିକୁ ଆଧାରିତ କରାଯାଇଛି । ରାଜ୍ୟପାଳ ଯଦି ଏହି ବିଧେୟକଙ୍କୁ ସ୍ବୀକୃତି ଦିଅନ୍ତି ତେବେ ଏହି ଅନଧିକୃତ ଆଚରଣକୁ ବୈଧ କରିବା ସହ ତାହା ସମାନ ହୋଇଯିବ ।

ଏତଦ୍ଦୃଷ୍ଟିରୁ ଏହି ତ୍ରୁଟିପୂର୍ଣ୍ଣ ବିଧେୟକଙ୍କୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରସ୍ତ କରିଦେବାକୁ ଭାଷା ଆନ୍ଦୋଳନ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ।

ଭାଷା ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ,କାରଣ ମନ୍ତ୍ରୀମଣ୍ଡଳ ଭାଷା ଆନ୍ଦୋଳନ ସପକ୍ଷରେ

 

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆଭାଷାରେ ତାର ସାମଗ୍ରିକ ପରିଚାଳନା । ଏହି ଉଦ୍ଦେଶ୍ୟକୁ ପଣ୍ଡ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ – ଏହି ଦାବି ଉପରେ ଗଢ଼ିଉଠିଛି ଭାଷା ଆନ୍ଦୋଳନ । ଏହାକୁ ଭଣ୍ଡୁର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ସବୁ ଅପକୌଶଳ ଆମେ ଅକାମି କରାଇ ଆସିଛୁ । ଏବେ ସେ ଆମ ଦାବି ମାନି ନେବାକୁ ବାଧ୍ୟ ; କାରଣ, ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟ ଚାଲେ ମନ୍ତ୍ରୀମଣ୍ଡଳ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଓ ରାଜ୍ୟ ମନ୍ତ୍ରୀମଣ୍ଡଳ ଆମ ଦାବି ସପକ୍ଷରେ ହିଁ ନିଷ୍ପତ୍ତି ନେଇସାରିଛନ୍ତି । ଭାଷା ଆନ୍ଦୋଳନ ଓଡ଼ିଶାର ସର୍ବଶ୍ରେଷ୍ଠ ଜନଆନ୍ଦୋଳନରେ ପରିଣତ ହୋଇଛି ଓ ମାଆ ପାଇଁ ଲେଢ଼େଇରେ ତାର ସନ୍ତାନମାନେ ଯେ କେବେ ବି ହାରିବେ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି ।

ଏହି ଯେଉଁ ଐତିହାସିକ ଘଟଣା ଘଟିବାକୁ ଯାଉଛି , ଏବଂ ଘଟିବାକୁ ବାଧ୍ୟ , ତାହା ସହଜରେ ଘଟିବାକୁ ଯାଉନି ।ଦୁଇ ବର୍ଷର ଗଭୀର ତପସ୍ୟା , ବୀର ଓଡ଼ିଆ ଜାତିର ଯୋଗ୍ୟତମ ଦାୟାଦମାନଙ୍କର କଳାପତାକା ଅଭିଯାନ ଏବଂ କୄଛ୍ର ସାଧନା ଦ୍ଵାରା ସରକାରୀ କଳ ଓ ସରକାରୀ ଅନୁଚରମାନଙ୍କ ସମସ୍ତ କୁତ୍ସିତ ଷଡ଼ଯନ୍ତ୍ରର ଅତିକ୍ରମଣ ହେତୁ ହିଁ ଏହା ଘଟିବାକୁ ଯାଉଛି । ଏହି ଅସାମାନ୍ୟ ଘଟଣାର କ୍ରମବିକାଶ ଉପରେ ସାମାନ୍ୟ ଦୃକ୍ ପାତ କରିବା ଆବଶ୍ୟକ, କାରଣ ଏହାକୁ ଘଟାଇ ନଦେବାକୁ ଏବେ ବି ଚକ୍ରାନ୍ତ ଚାଲିଛି  ।

ମନ୍ତ୍ରିମଣ୍ଡଳର ନିଦ୍ରା ଭଙ୍ଗ

ଓଡ଼ିଶା ସରକାରୀ ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ସକାଶେ ଆଇନ ସଂଶୋଧନପାଇଁ ସରକାରଙ୍କୁ ମୁଁ ପରାମର୍ଶ ଦେବାର ୮୪୬ ଦିନ ଓ ଏହା ସପକ୍ଷରେ ଭାଷା ଆନ୍ଦୋଳନ ଚାଲିବାର ୬୨୨ ଦିନଠି ଓଡିଶା ମନ୍ତ୍ରିମଣ୍ଡଳର ନିଦ୍ରାଭଙ୍ଗ ହେଲା । ପ୍ରଥମଥର ପାଇଁ ଏହା ଗତ ୨୬. ୧ ୨. ୨୦୧୭ ତାରିଖରେ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ଆପାତତଃ ଠିଆହେଲା ଏକ ବିଶେଷ ବୈଠକରେ ପୁରୀଠାରେ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ନିର୍ଦ୍ଦେଶ ଦେଲା କି, ଓଡ଼ିଆରେ କାମ ନକରିବା ଲୋକଙ୍କ ବିରୁଦ୍ଧରେ “ବିହିତ ଦଣ୍ଡବିଧାନ” ପାଇଁ ଓଡିଶା ସରକାରୀ ଭାଷା ଆଇନ, ୧୯୫୪କୁ ଅବିଳମ୍ବେ ସଂଶୋଧିତ କରାଯାଉ । ମାତ୍ର ଆମେ ତାକୁ ଘୋର ବିରୋଧ କରିଥିଲୁ, ଯେହେତୁ ସରକାରୀ ଭାଷା ସଙ୍କ୍ରାନ୍ତୀୟ ପ୍ରସ୍ତାବରେ ଅତି ଧୂର୍ତ୍ତତାର ସହ ମୂଳ ଭାଷା ଆଇନଟିର ଉଦ୍ଦେଶ୍ୟ ପଣ୍ଡପାଇଁ କୌଶଳ ଖଞ୍ଜା ହୋଇଥିଲା ।

ଭାଷା ଆନ୍ଦୋଳନ ଆଗେଇଚାଲିଲା ଓ ୭୦୦ ଦିନ ଅତିକ୍ରମ କଲା ।

ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରି ଭାଷା ବେପାରୀ , ବୈଷ୍ଣବ ଚରଣ ପରିଡାଙ୍କ ପରି ରାଜନୈତିକ ପଶାଖେଳାଳୀ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପରି ମେଡିଆ ମୋଗଲଙ୍କୁ ପ୍ରୟୋଗ କରି ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯେତେ ଚେଷ୍ଟା କରାହୋଇଥିଲା , ସେ ସବୁ କିଛି ବି କାମ କଲାନି । ଭାଷା ଆନ୍ଦୋଳନ ବ୍ୟାପକତର ହେବାରେ ଲାଗିଲା ।

ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବୋଧପଣିଆରେ ଅତିଷ୍ଠ ହୋଇ ରାଜ୍ୟ ମନ୍ତ୍ରୀମଣ୍ଡଳ ଗତ ୧୪. ୩ . ୨୦୧୮ ବୈଠକରେ ଭାଷା ଆନ୍ଦୋଳନର ଦାବି କାହିଁକି ଗ୍ରହଣଯୋଗ୍ୟ ତାହା ଲିପିବଦ୍ଧ କଲେ ଓ ଘୋଷଣା କଲେ କି, “୧୯୫୪ରେ ପ୍ରଣୀତ ହୋଇ ତତ୍କାଳ ଲାଗୁହୋଇଥିବା ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଂଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ଆବଶ୍ୟକ ।”

ଠିକ୍ ଏହି କଥା ଗତ ୩. ୯. ୨୦୧୫ ତାରିଖରେ ଏହି ଆଇନ ସଂଶୋଧନପାଇଁ ଏକ ଚିଠା ଓ ଆଇନ ସଂଶୋଧନ ପରେ ନିୟମାବଳୀ ପ୍ରଣୟନ ପାଇଁ ତହିଁର ଏକ ଚିଠା ପ୍ରଦାନ କରି ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ମୁଁ କହିଥିଲି । ମୋ ପ୍ରସ୍ତାବର ଯଥାର୍ଥତାକୁ ମନ୍ତ୍ରୀମଣ୍ଡଳ ସ୍ବୀକାର କଲେ ୩୧ ମାସ ପରେ ୧୪. ୩ . ୨୦୧୮ ତାରିଖରେ ; ଏବଂ ତାହା କେବଳ ଭାଷା ଆନ୍ଦୋଳନ ପ୍ରଭାବରେ ।

ମୁଖ୍ୟମନ୍ତ୍ରୀ ବନାମ ମନ୍ତ୍ରୀମଣ୍ଡଳ

ଆମର ବିଶ୍ଵାସ ଯେ , ମୁଖ୍ୟମନ୍ତ୍ରୀଙ୍କୁ ଛାଡି ମନ୍ତ୍ରିମଣ୍ଡଳର ଅନ୍ୟ ସମସ୍ତ ସଦସ୍ୟ ଭାଷା ଆନ୍ଦୋଳନକୁ ଏବେ ସମର୍ଥନ କରୁଛନ୍ତି । କାରଣ, ଆମେ ଦେଖୁଁ , ପୁରୀରେ ଅନୁଷ୍ଠିତ ବିଶେଷ କ୍ୟାବିନେଟରେ ଭାଷା ମାଫିଆଙ୍କୁ ସୁହାଇବା ପରି ଯେତେଗୁଡ଼ିଏ ପ୍ରସ୍ତାବ ଗୃହୀତ ହୋଇଥିଲା ଓ ଯାହାକୁ ଆମେ ପ୍ରତ୍ୟାଖ୍ୟାନ କରିଥିଲୁ , ସେ ସବୁଗୁଡ଼ିକୁ ବର୍ଜନ କରି ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ପୂର୍ବ ବୈଠକର କେବଳ ଦୁଇଟି ପ୍ରସ୍ତାବକୁ ବଳବତ୍ତର କରିଛନ୍ତି ; ଯଥା – (୧) ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ସୁଦୃଢ଼ୀକରଣ ପାଇଁ ରାଜ୍ୟରେ ସମସ୍ତ ପ୍ରଜ୍ଞାପକ ଓ ଫଳକ ଓଡ଼ିଆରେ ଲେଖାହେବା ବାଧ୍ୟତାମୂଳକ ହେବ ଓ ତହିଁର ଖିଲାପକାରୀକୁ ପ୍ରଥମ ଭୁଲ ପାଇଁ ଏକହଜାରରୁ ପାଞ୍ଚହଜାର ଏବଂ ପରବର୍ତ୍ତୀ ଭୁଲ ପାଇଁ ପାଞ୍ଚହଜାରରୁ ପଚିଶହଜାର ଟଙ୍କା ପରିମାଣର ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ ଓ (୨) ଓଡ଼ିଆ ଭାଷାରେ ନଥି କାମ ନ କଲେ ସୁନିଶ୍ଚିତ ଦଣ୍ଡବିଧାନ ଓ ଏଥିପାଇଁ ଓଡିଶା ସରକାରୀ ଭାଷା ଆଇନରେ ଆବଶ୍ୟକୀୟ ସଂଶୋଧନ ।

ଏହି ମନ୍ତ୍ରୀ ମଣ୍ଡଳର ପ୍ରକାଶିତ ପ୍ରେସ ବିଜ୍ଞପ୍ତିର ଅନୁଚ୍ଛେଦ ୩ ହେଲା –

“Government have dcided to bring the amendment immediately providing penalties for such erring officers or employees who don’t obey the directions issued under sub-section (2) of section 2 , so that they will implement the provisions of the notifiation in its letter and spirit.”

ଏତଦ୍ଦ୍ରୁଷ୍ଟିରୁ , ୨୦. ୩. ୨୦୧୮ରୁ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନରେ ଏହି ସଂଶୋଧନ ବିଧେୟକ ନିଶ୍ଚୟ ଆସିବା କଥା ଓ ପ୍ରଥମ ସରକାରୀ କାର୍ଯ୍ୟ ଦିବସରେ ଆଗତ ଓ ପାରିତ ହେବା କଥା । ଏହା ହୋଇ ନାହିଁ । ଏହା ହିଁ ସ୍ପଷ୍ଟ କରୁଛି ଯେ, ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବିଷୟକୁ ଅଗ୍ରାଧିକାର ଦେଇନାହାନ୍ତି । ତା ନ ହୋଇଥିଲେ ମାର୍ଚ୍ଚ ୨୦ ପୂର୍ବରୁ ବିଧାନସଭାରେ ଆବଶ୍ୟକୀୟ ବିଧେୟକ ଉପସ୍ଥାପିତ କରି ପ୍ରଥମ ସରକାରୀ କାର୍ଯ୍ୟ ଦିବସରେ ପାରିତ କରାଯାଇପାରିଥାନ୍ତା ଓ ମାର୍ଚ୍ଚ ୩୧ର ଦାଖଲ ହୋଇଥିବା ବିଧେୟକ ଅବିଳମ୍ବେ ପାରିତ କରିବା ପାଇଁ ବିଧାନସଭାର କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ ଘଟାଯାଇ ପାରିଥାନ୍ତା । କେତେଦୂର ଠିକ୍ ଭୁଲ୍ ମୋତେ ଜଣା ନାହିଁ , ମାତ୍ର ବିଶ୍ଵସ୍ତ ସୂତ୍ରରୁ ମୁଁ ଯାହା ଖବର ପାଇଛି , ୩୧.୩.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଯେଉଁ ବିଧେୟକର ଚିଠା ପଠାଇଥିଲେ ସେହି ଚିଠା ବଦଳାଇବାକୁ କେତେକ ଅଣଓଡ଼ିଆ ଅଫିସର ଚେଷ୍ଟା କରୁଛନ୍ତି ।  ଏହା ଅସମ୍ଭବ ନୁହେଁ, କାରଣ ଏହି କୁଚକ୍ରୀଗୋଷ୍ଠୀର ହାତବାରିସି ପରି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ବା ଏମାନଙ୍କ ସହାୟତାରେ ଓଡ଼ିଆ ଭାଷାର କ୍ଷତି ଘଟାଇବାକୁ ସେ ଚାହୁଞ୍ଛାନ୍ତି । ତା ନ ହୋଇଥିଲେ, ୧୭.୧୨.୨୦୧୭ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିକୁ ଆଦୌ ନ ଭେଟି , ନିଜ ଲୋକସମ୍ପର୍କ ଅଧିକାରୀଙ୍କ ମାଧ୍ୟମରେ ସେ ସେହି କମିଟି ନାଁରେ ୯ ଟିକିଆ କାର୍ଯ୍ୟକ୍ରମ ଘୋଷଣା କରିନଥାନ୍ତେ କି ତାହାକୁ ଅନଧିକୃତ ଭାବେ ତହିଁ ପରଦିନ ଜଣେ ଅଣଓଡ଼ିଆ  କର୍ମଚାରୀ ୧୪ ଦଫାରେ ପରିଣତ କରି ମନ୍ତ୍ରୀସ୍ତରୀୟ କମିଟି ଉପରେ ଚାପିବାକୁ ସାହସ କରିନଥାନ୍ତେ କି ଏହା ତାଙ୍କୁ ମୁଁ ଜଣାଇଲା ପରେ ବି ସେ ନିରବ ରହିନଥାନ୍ତେ ।

ଅତଏବ ଆମ ଭାଷାକୁ କେନ୍ଦ୍ରକରି ଗୋଟେ ପଟେ ମୁଖ୍ୟମନ୍ତ୍ରୀ ଓ ଗୋଟେ ପଟେ ଏବେ ଓଡ଼ିଶାର ମନ୍ତ୍ରୀମଣ୍ଡଳ ।

ଚାଟୁକାରଙ୍କ ଗୋତ୍ରମାରୁ କାମ

ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ କେବଳ ଜଣେ ମନ୍ତ୍ରୀ ଥିଲେ ଯେ କି ଭାଷା ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ହେଲେ ଦାମୋଦର ରାଉତ । ସେ ପ୍ରଥମେ ତାଙ୍କ ପାଖେ ଚାକିରୀ କରୁଥିବା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଲଗାଇ ସଂଚାର କାଗଜରେ ଭାଷା ଆନ୍ଦୋଳନକୁ ବିରୋଧ କଲେ ଓ ତହିଁର ଦିନକଠି ସେ ନିଜେ ବିରୋଧ କଲେ, କୌଣସି ପ୍ରସଙ୍ଗ ନ ଥାଇ, କଟକର ଏକ ସଭାରେ । ଏହି ଉଭୟେ ବିଜୁ ପଟ୍ଟନାୟକଙ୍କର ଚାଟୁକାର । ପେଟପାଟଣା ଦାଉରେ ଏମାନେ ଗୋତ୍ରମାରୁ କାମ କରିବାକୁ ପଛେଇ ନଥିଲେ – ଓଡ଼ିଆ ଭାଷାର ଇତିହାସ ଏହା ସ୍ମରଣ ରଖିବ ।

ଓଡ଼ିଆ ଭାଷା ପିଠିରେ ବିଜୁଙ୍କ ଛୁରା

ବିଜୁ ପଟ୍ଟନାୟକ ସୁବିଧାରେ ପଇସା ରୋଜଗାର ପାଇଁ ବେପାର ଛାଡ଼ି ରାଜନୀତିକ କ୍ଷମତା ଅକ୍ତିଆର କରିଥିଲେ ଓ ମୁଖ୍ୟମନ୍ତ୍ରୀ ହେଉ ହେଉ ଓଡିଶା ରାଜକୋଷର ଏପରି ଲୂଟପାଟରେ ଲାଗିଯାଇଥିଲେ ଯେ, ତାଙ୍କ ବିରୁଦ୍ଧରେ ଆମେ ସେତେବେଳର ଯୁବକ ଓ ଛାତ୍ରମାନେ ଏକ ନାହିଁନଥିବା ଆନ୍ଦୋଳନ ଚଳାଇ ପଦବୀ ଛାଡି ପଳାଇବାକୁ ତାଙ୍କୁ ବାଧ୍ୟ କରିଥିଲୁ ।

ଭାରତରେ ରାଜନୈତିକ ଦୁର୍ନୀତିର ଜନ୍ମଦାତା ଜବାହାରଲାଲ ନେହରୁଙ୍କ ଛତ୍ରଛାୟାରେ ଥିବାରୁ ତାଙ୍କ ମୁଖଲଜ୍ଜ୍ୟା ନିବାରଣ ପାଇଁ କାମରାଜ ଯୋଜନାର ଘୋଡ଼ଣୀ ତାଙ୍କୁ ଅବଶ୍ୟ ଯୋଗେଇ ଦିଆଯାଇଥିଲା । ସେ ନିଜ ଦୁର୍ନୀତିର ଭାଗିଦାର ବୀରେନ ମିତ୍ରଙ୍କୁ ଯେପରି ମୁଖ୍ୟମନ୍ତ୍ରୀ କରାଯାଏ ସେଥିପାଇଁ କଂଗ୍ରେସର କୋଷାଧ୍ୟକ୍ଷ ଥିବା ଅତୁଲ୍ୟ ଘୋଷଙ୍କୁ ଧରି ଚେଷ୍ଟା ଚଳାଇଥିଲେ; କାରଣ କେବଳ ତଦ୍ଦ୍ଵାରା ହିଁ ତାଙ୍କ ଦୁର୍ନୀତିକୁ ଘଣ୍ଟ ଘୋଡେଇ ରଖାଯାଇପାରେ ବୋଲି ତାଙ୍କର ବିଶ୍ଵାସ ଥିଲା ।

ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାଯାଏଁ ପଦାସୀନ ହୋଇରହିବାକୁ ତାଙ୍କୁ ଯେଉଁ ସୁଯୋଗ ମିଳିଥିଲା ତହିଁର ଦୁରୁପଯୋଗ କରି, ତାଙ୍କୁ କ୍ଷମତାରୁ ନିକାଲି ଦେଉଥିବା ଓଡ଼ିଆଙ୍କ ଉପରେ ପ୍ରତିଶୋଧ ନେବାପାଇଁ ସେ ମାତୃଭାଷାପ୍ରିୟ ଓଡ଼ିଆଙ୍କୁ ମରଣ ଆଘାତ ଦେବା ସକାଶେ ଓଡ଼ିଆ ଭାଷାକୁ ପଛରୁ ଛୁରି ମାରିଦେଲେ ୧୯୬୩ ସେପ୍ଟେମ୍ବର ୨୭ ତାରିଖରେ, ଯାହାଫଳରେ କି ଇଂରେଜୀ ଭାଷା ସରକାରୀ ଭାଷା ରୂପେ ଆମ ରାଜ୍ୟରେ ପୁନର୍ଜନ୍ମ ଲାଭକଲା । “ବିଜୁଙ୍କ ଛୁରା” ଶିରୋନାମାରେ ମୁଁ ଏହାର ଚର୍ଚ୍ଚା ରଖିଚାଲିଥିଲି ଦୈନିକ ସୂର୍ଯ୍ୟପ୍ରଭାରେ ୧୫. ୪. ୨୦୧୭ ତାରିଖରୁ କ୍ରମାଗତ ଭାବେ, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଚାପରେ ତାହା ବନ୍ଦ ହୋଇଗଲା ୪. ୮. ୨୦୧୭ ତାରିଖରୁ ୧୧ଟି କିସ୍ତି ପରେ । ଫଳରେ  ଏହି ଇଣ୍ଟର୍ନେଟ ପତ୍ରିକାରେ ଅବଶିଷ୍ଟ ଆଠୋଟି କିସ୍ତି ମୋତେ ପ୍ରକାଶ କରିବାକୁ ହେଲା । ସୂର୍ଯ୍ୟପ୍ରଭା ଉପରେ ମୋ ଲେଖା ପ୍ରକାଶନ ବିରୁଦ୍ଧରେ ଚାପ ପ୍ରୟୋଗ ସାବ୍ୟସ୍ତ କରିଛି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣନ୍ତି ଯେ, ଆମ ମାତୃଭାଷାକୁ ମାରିଦେବାପାଇଁ ତାଙ୍କ ପିତା ଅତି ଅବୈଧ ଶୈଳୀରେ ଯେଉଁ ଚକ୍ରାନ୍ତ କରିଥିଲେ ତାହାରି ହେତୁ ଇଂରେଜୀ ଭାଷା ଏବେ ବି ଆମକୁ ଗ୍ରାସ କରି ରହିଛି ଓ ଭାଷା ଜନନୀ ଓଡ଼ିଆ ମୁମୂର୍ଷୁ ଅବସ୍ଥାରେ ପଡ଼ିଛି ।

ସୁତରାଂ ବିଜୁଙ୍କ ଚାଟୁକାର ଦାମୋଦର ରାଉତ (ଓ ତାଙ୍କ ପାଖେ ଚାକିରୀ କରିଥିବା ସଂଚାର ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ) ଇଂରେଜୀ ଭାଷାଧିପତ୍ୟରୁ ଓଡିଶାକୁ ଉଦ୍ଧାର କରିବାକୁ ଚାଲିଥିବା ଭାଷା ଆନ୍ଦୋଳନକୁ ବିରୋଧ କରିବା ଥିଲା ସ୍ବଭାବିକ ।

ଚାଟୁକାର ଚାଲିଗଲା ପରେ

ଏହି ଚାଟୁକାର ମନ୍ତ୍ରୀମଣ୍ଡଳରୁ ତଡ଼ା ଖାଇଲା ପରେ ଅବଶିଷ୍ଟ ମନ୍ତ୍ରୀମାନେ ଭାଷା ଆନ୍ଦୋଳନର ଦାବିକୁ ସମର୍ଥନ କରୁଛନ୍ତି । ତେଣୁ ସେମାନେ ୨୬. ୧ ୨. ୨୦୧୭ ତାରିଖରେ ଭାଷା ଆଇନ ଖିଲାପକାରୀକୁ “ବିହିତ ଦଣ୍ଡବିଧାନ” ପାଇଁ ଆଇନ ସଂଶୋଧନ ସକାଶେ ନିଷ୍ପତ୍ତି ନେଇଥିବାବେଳେ ୧୪. ୩ . ୨୦୧୮ ତାରିଖରେ ଏ ଦଣ୍ଡବିଧାନ କାହିଁକି ଆବଶ୍ୟକ ତାହା ସ୍ପଷ୍ଟ କରିଦେଇଛନ୍ତି । ମନ୍ତ୍ରିମଣ୍ଡଳର ଏହି ଯୁଗାନ୍ତକାରୀ ନିର୍ଦ୍ଦେଶକୁ ଅମାନ୍ୟ କରିବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ ।

ପାରିସ୍ଥିତିକ ସନ୍ଦେହ

ତେବେ, ଏହି ନିର୍ଦ୍ଦେଶ ଅନୁସାରେ ଆଇନ ସଂଶୋଧନ କରିବାକୁ ବିଳମ୍ବ କାହିଁକି ?

ବିଜୁ ପଟ୍ଟନାୟକ ଯେହେତୁ ଓଡ଼ିଆ ଭାଷାକୁ ୧୯୬୩ରେ ଛୁରୀ ମାରି ଅକାମି କରିଦେବାକୁ ଚାହିଁଥିଲେ, ତାଙ୍କ ନାମ ଜପ କରିବାରେ ଲାଗିଥିବା ନବୀନ ବାବୁ “ବିଜୁଙ୍କ ସ୍ବପ୍ନ” ସାକାର କରିବା ମତଲବରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣତଃ ମାରିଦେବାପାଇଁ ଅଣଓଡ଼ିଆ ଅମଲାଙ୍କ ସହ ହାତମିଳାଇଛନ୍ତି କି ?

ଏପରି ଏକ ପାରିସ୍ଥିତିକ ସନ୍ଦେହ ଆମକୁ ଦଂଶନ କରିଚାଲିଥିବା ବେଳେ କି କି ଘଟଣା ଘଟିଛି ଯେ,ଏହି ସନ୍ଦେହ ଉପୁଜୁଛି ତାହା ଆମେ ସ୍ପଷ୍ଟ କରିବାକୁ ଚାହିଁବୁ । ଆମ ସଂଘର୍ଷର ତିନୋଟି ପର୍ଯ୍ୟାୟ ଏଥିପାଇଁ ପରିଦ୍ରଷ୍ଟବ୍ୟ ।

                                                                   ପ୍ରଥମ ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଭାଷା ଆଇନର କାର୍ଯ୍ୟକାରୀତା ଉପରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଜଣେ ସଦସ୍ୟ ଭାବେ ମୁଁ ଯେଉଁଦିନ ଦଣ୍ଡବିଧାନ ଅଭାବରୁ ଆଇନଟିକୁ କେହି ମାନୁନାହାନ୍ତି ବୋଲି କହି ଏଥି ସକାଶେ ଆଇନ ସଂଶୋଧନର ଚିଠା ଓ ନିୟମାବଳୀର ଏକ ଚିଠା ପ୍ରଦାନ କରିଥିଲି । ସେଦିନ ଥିଲା ୩. ୯. ୨୦୧୫ ତାରିଖ । ସେ ପର୍ଯ୍ୟନ୍ତ ଆମ ରାଜନୈତିକ ନେତୃତ୍ବକୁ ଆଦୌ ଜଣା ନଥିଲା ଯେ, ଆଇନଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ଦଣ୍ଡବିଧାନର ଆବଶ୍ୟକତା ଅଛି ଓ ସେଥିପାଇଁ ନିୟମାବଳୀ ପ୍ରଣୟନର ବି ଆବଶ୍ୟକତା ଅଛି ; ଅଥଚ ନିୟମାବଳୀ ପ୍ରଣୟନ ପାଇଁ ଆଇନଟିରେ ସରକାରଙ୍କୁ କୌଣସି ଅଧିକାର ଦିଆଯାଇନଥିଲା ଓ ବିନା ଅଧିକାରରେ ସରକାର ବି ନିୟମାବଳୀ ପ୍ରଣୟନ କରିବା ଥିଲା ଅସମ୍ଭବ ।

ତେଣୁ ମୁଁ ତିନୋଟି ଧାରା ବିଶିଷ୍ଟ ଆଇନଟିରେ ଆଉ ଏକ ଧାରା ଯୋଡ଼ି ଏହି ଅଭାବ ଦୂର କରିବାକୁ କହିଥିଲି । ମୋ ପ୍ରସ୍ତାବ ଥିଲା :

ଓଡିଶା ସରକାରୀ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ହେଲେ ତହିଁରେ ଧାରା ୩କ ପରେ ଏକ ନୂଆ ଧାରା (ଧାରା ୪) ଯୋଗ କରାଯାଉ ଓ ଏହି ଧାରାରେ ଦୁଇଟି ଉପଧାରା ରହୁ । ଯଥା:

ଉପଧାରା (୧):
ଆଇନଟିର ନାମ ପରିବର୍ତ୍ତନ କରାଯାଇ ତାହା ‘ଓଡିଶା ସରକାରୀ ଭାଷା ଆଇନ’ (Orissa Official Language Act) ସ୍ଥାନରେ ‘ଓଡିଶା ଜନ ଭାଷା ଆଇନ’ (Orissa Public Language Act) ହେବ ।

ଉପଧାରା (୨):
ଆଇନଟିକୁ ସମଗ୍ରତଃ କାର୍ଯ୍ୟକାରୀ କରିବା ପାଇଁ ବା ତାର ଯେ କୌଣସି ଉଦ୍ଦେଶ୍ୟ ସାଧନ ପାଇଁ ବା ଏହି ଆଇନର ଯେ କୌଣସି ବା ସମସ୍ତ ବ୍ୟବସ୍ଥାର ସଠିକ ପ୍ରବର୍ତ୍ତନ ପାଇଁ ବା ଏହି ଆଇନର ପରିସର ବା ଉଦ୍ଦେଶ୍ୟ ପରିବର୍ଦ୍ଧିତ କରିବା ପାଇଁ  ଓ ଏହି ଆଇନର କୌଣସି ଉଲ୍ଲଙ୍ଘନ ହେଲେ ତା ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ସରକାର ନିୟମାବଳୀ ପ୍ରଣୟନ କରିବେ ।

ଏହାର ଉଦ୍ଦେଶ୍ୟ

ଉପଧାରା (୧) ମୂଳରେ ମୋର ଉଦ୍ଦେଶ୍ୟ ଥିଲା , ପ୍ରଶାସନ ଶବ୍ଦକୋଷରେ ସ୍ଥାନିତ ହୋଇଥିବା ଏବଂ କଟକ ଓ ଭୁବନେଶ୍ଵରରେ ମୁଖ୍ୟତଃ ବ୍ୟବହୃତ ହେଉଥିବା ଓଡ଼ିଆ ଶବ୍ଦ ପରିବର୍ତ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜନସାଧାରଣ ବ୍ୟବହାର କରୁଥିବା ଶବ୍ଦ ଯଥା ଜଳେଶ୍ଵରୀ , ସମ୍ବଲପୁରୀ , କୋଶଲି, ଦେଶିଆ , ଗଂଜାମିଆ ଆଦି ଶବ୍ଦ ସାଙ୍ଗକୁ ସବୁ ଜିଲ୍ଲାର ଆଞ୍ଚଳିକ ଶବ୍ଦ ତଥା ଆଦିବାସୀ ଓ ଦଳିତମାନଙ୍କର ସମସ୍ତ ମୌଳିକ ଶବ୍ଦ ଓଡ଼ିଶାର ସବୁ ଅଫିସ ଓ ଅଦାଲତରେ ଚାଲୁ; କାରଣ ତଦ୍ଦ୍ଵାରା ହିଁ ପ୍ରତ୍ୟେକ ଓଡ଼ିଆ – ଯିଏ ଯେଉଁ ଶବ୍ଦରେ ତାର ଭାବ ଆଦାନପ୍ରଦାନ କରୁଛନ୍ତି – ସେହି ଶବ୍ଦ ମାଧ୍ୟମରେ ନିଜର ବାଂଛିତ ସେବା ହାସଲ କରି ପାରିବେ ଓ ଓଡିଶା ପ୍ରଦେଶ ଗଠନର ଉଦ୍ଦେଶ୍ୟ ସଫଳ ହେବ ।

ଉପଧାରା (୨)ର ଉଦ୍ଦେଶ୍ୟ ଥିଲା, ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଆଇନଟି ଦେହରେ ଖଞ୍ଜିବା ଓ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ପାଇଁ ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ଦିଆଇବା । କାରଣ , ଆଇନଟି ଦେହରେ ନିୟମାବଳୀ ପ୍ରଣୟନର ଅଧିକାର ସରକାରଙ୍କୁ ଦିଆଯାଇନଥିବାରୁ ନିୟମାବଳୀ ପ୍ରଣୟନ ଥିଲା ଅସମ୍ଭବ ଓ ଦଣ୍ଡବିଧାନର ଉପାଦାନ ଖଞ୍ଜା ହୋଇ ନଥିବାରୁ , ନିୟମାବଳୀ ଦ୍ଵାରା ତାହା ସଜ୍ଞାୟିତ ହେବା ବା ନିର୍ବାହିତ ହେବା ବି ଥିଲା ଅସମ୍ଭବ ।

ଏହି ଚିଠାଟିକୁ ମନ୍ତ୍ରୀସ୍ତରୀୟ କମିଟିର ସମସ୍ତଙ୍କ ସମର୍ଥନ କ୍ରମେ ଏକ ସ୍ବତନ୍ତ୍ର ୱେବ୍ସାଇଟ୍ – odia.odisha.gov.in – ରେ ରଖାହେଲା ଓ ଏହାକୁ ଆଇନ ସଚିବ ଅନୁଶୀଳନ କରି ଏକ ବିଧିବଦ୍ଧ ବିଧେୟକ ରୂପେ ବିଧାନସଭା ପାଇଁ ପ୍ରସ୍ତୁତ କରିବାକୁ କୁହାଗଲା । ଏହାକୁ ଆଧାର କରି , ଆଇନ ସଂଶୋଧନର ବ୍ୟବସ୍ଥା ହେଉଛି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାକୁ ୧୪. ୧୨ . ୨୦୧୫ରେ ଏକ ଉତ୍ତର ଛଳରେ ଅବଗତ କରାଇଲେ ।

ଖଳବୁଦ୍ଧି

କିନ୍ତୁ ଅତି ବିସ୍ମୟଜନକ ଭାବେ ସେ ଓଲଟିଗଲେ ମାତ୍ର ଦୁଇଦିନ ଭିତରେ ।

ମନ୍ତ୍ରୀସ୍ତରୀୟ କମିଟିକୁ ଆଦୌ ନ ଡାକି, କମିଟିର ସିଦ୍ଧାନ୍ତ ବୋଲି କହି, ୧୭. ୧୨ . ୨୦୧୫ ତାରିଖରେ ସେ ଏକ ନଅଟିକିଆ ସୂତ୍ର ଜାରିକଲେ, ଯାହା ଭିତରେ ମୁଁ ଦେଇଥିବା ପ୍ରସ୍ତାବର ନାମଗନ୍ଧ ନ ଥିଲା । ଆଶ୍ଚର୍ଯ୍ୟ କଥା, ତହିଁ ପରଦିନ ସାଧାରଣ ପ୍ରଶାସନର ପ୍ରମୁଖ ଶାସନ ସଚିବ ଜି. ଭି. ଭି. ଶର୍ମା ନିଜ ଆଡୁ ଏହି ନଅଟିକିଆ ଖସଡ଼ାକୁ ଚଉଦଟିକିଆ କରିଦେଲେ ଓ ତାହାକୁ ଗ୍ରହଣ କରିବାକୁ ମନ୍ତ୍ରୀସ୍ତରୀୟ କମିଟିକୁ ବାଧ୍ୟ କଲେ । କମିଟିରେ ସ୍ଥାନିତ ହୋଇଥିବା ଭାଷା ମାଫିଆ ଗୋଷ୍ଠୀକୁ ଏହା ସୁହାଉଥିଲା । ତେଣୁ ସେମାନେ ଏହି ହୀନ ଚକ୍ରାନ୍ତଙ୍କୁ ବିରୋଧ କଲେନାହିଁ । ଉପରୋକ୍ତ ଯେଉଁ ନଭମଞ୍ଚରେ ମୋ ପ୍ରଦତ୍ତ ଆଇନ ସଂଶୋଧନ ଓ ନିୟମାବଳୀର ଚିଠା ସ୍ଥାନିତ , ତାହାକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରାଗଲା । ଯେଉଁ ବିଭାଗ ଏହା କରିଛି ତାହା ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବିନା ଏପରି ବଦମାସୀ କରିବାକୁ କୌଣସି କର୍ମଚାରୀ ସାହସ କରିବେନି । ଅତଏବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଆମ ଭାଷା ବିରୁଦ୍ଧରେ ଖଳନାୟକ ସାଜିଛନ୍ତି ।

ଅଣଓଡ଼ିଆଙ୍କ ଷଡଯନ୍ତ୍ର

ଦଣ୍ଡବିଧାନ ପାଇଁ ମୋ ପ୍ରସ୍ତାବକୁ ଅଣଓଡ଼ିଆ ଆଇ .ଏ .ଏସ . ଅଫିସର ଶର୍ମା ବିରୋଧ କରିଥିବା ଓ ତାହାକୁ ଆଇନ ସଚିବଙ୍କ ପାଖକୁ ଯିବାବେଳେ ବାଟବଣା କରାଇଥିବା ପ୍ରମାଣ ହସ୍ତଗତ ହେଲାପରେ ଆମେ ତାହା ଓଡିଶାବାସୀଙ୍କ ସମ୍ମୁଖରେ ରଖିଛୁ । ଏହା ଅବଗତ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନାହାନ୍ତି । ତେଣୁ ଅଣଓଡ଼ିଆ ଅଫିସରମାନଙ୍କ ସହ ହାତମିଳାଇ ସେ ତାଙ୍କ ବାପାଙ୍କ ଓଡିଆବିରୋଧୀ “ସ୍ବପ୍ନ”କୁ ସାକାର କରିବାକୁ ଚାହାନ୍ତି ବୋଲି ସନ୍ଦେହ ଉପୁଜିବା ସ୍ବଭାବିକ ।

ଭାଷା ଆନ୍ଦୋଳନ ଆରମ୍ଭ

ଉପରୋକ୍ତ ପ୍ରମାଣ ହସ୍ତଗତ ହେବା ପୂର୍ବରୁ , ନିର୍ଭରଯୋଗ୍ୟ ସୂତ୍ରରୁ ଏହା ଯେତେବେଳେ ମୁଁ ଜାଣିପାରିଲି , ଆଇନ ସଂଶୋଧନ ସକାଶେ ଜନମତ ସୃଷ୍ଟିପାଇଁ ଏକ ସ୍ବତନ୍ତ୍ର ଆନ୍ଦୋଳନର ପରିକଳ୍ପନା କଲି ଓ ୧.୪.୨୦୧୬ ତାରିଖରେ ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ପୃଷ୍ଠାରେ ଜନସାଧାରଣଙ୍କ ମତ ଲୋଡ଼ିଲି । ମୋତେ ଇ-ମେଲ ମାଧ୍ୟମରେ ତତ୍କାଳ ସମର୍ଥନ ଜଣାଇଲେ ଟିଟିଲାଗଡ଼ ନିବାସୀ ଗଜାନନ ମିଶ୍ର , ଯେ କି ୧.୭.୨୦୧୫ରେ ମଧୁମିତା ସାମଲ ଓ ସଂଜୀବ ପରିଡ଼ାଙ୍କ ସହ ମିଶି ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଅନଶନ କରିଥିଲେ । ଚାଟାର୍ଡ଼ ଅକଉଣ୍ଟାଣ୍ଟ ବିଶ୍ଵଜିତ ମହାନ୍ତି, ପ୍ରଫେସର କମଳା ପ୍ରସାଦ ମହାପାତ୍ର , ଅବସରପ୍ରାପ୍ତ ଆଇଏଏସ ଅଫିସର ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଇତ୍ୟାଦି ବନ୍ଧୁମାନେ ବି ସେମାନଙ୍କ ମୁଲ୍ୟବାନ ପରାମର୍ଶ ଦେଲେ । ତହିଁରୁ ମୋର ହୃଦବୋଧ ହେଲା କି ମୁଁ ସରକାରଙ୍କୁ ଦେଇଥିବା ପରାମର୍ଶ ସପକ୍ଷରେ ଏକ ଆନ୍ଦୋଳନ ଠିଆ କରାଯାଇପାରିବ । ୧୯୮୦ ଦଶକରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜନଚେତନା ଜାଗ୍ରତ କରିବା ପାଇଁ ମୁଁ ସୃଷ୍ଟିକରିଥିବା ନୀରବ କଳାପତାକା ଅଭିଯାନ ପଦ୍ଧତ୍ତିରେ ଏହି ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲି ।

ସମାଜ କାଗଜରେ ଚାଲିଥିବା କର୍ମଚାରୀଶୋଷଣ ବିରୁଦ୍ଧରେ ସୃଷ୍ଟିହୋଇଥିବା ‘ସେଭ ଦି ସମାଜ ଫୋରାମ’ (https://savethesamaja.wordpress.com/ ଦ୍ରଷ୍ଟବ୍ୟ) ହେତୁ ମୋର ନିକଟତର ହୋଇଥିବା ବିଜ୍ଞାପନ ସଂଗ୍ରାହକ ପବିତ୍ର ମୋହନ ମହାରଥା ଏ କ୍ଷେତ୍ରରେ ମୋର ପ୍ରଥମ ସହଯୋଗୀ ସାଜିଲେ । ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଓ ସାମ୍ବାଦିକ ସାଗର ଶତପଥୀ, ଯେଉଁମାନେ କି ମଧୁବାବୁଙ୍କ ବିଜେସ୍ଥଳୀରୁ ମୋଦୀ ଓ ନବୀନଙ୍କ ପ୍ରଚାର-ପ୍ରାଚୀର ହଟାଇବାରେ ମୋତେ ସାହାଯ୍ୟ କରିଥିଲେ, ସେମାନେ ଏଥିପାଇଁ ସହଯୋଗର  ହାତ ବଢାଇଲେ । ଓଡ଼ିଆ ଭାଷାର ମୁମୂର୍ଷୁ ଅବସ୍ଥା ଲକ୍ଷ୍ୟ କରି ଭାଷାଭିତ୍ତିକ ଜାତୀୟତା ଉଦ୍ରେକ କରିବା ସକାଶେ ‘ଓଡିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ଶୀର୍ଷକ ଏକ ପ୍ରାମାଣିକ ନିବନ୍ଧରେ ଆମ ଭାଷାକୁ ରକ୍ଷା କରିବା ପାଇଁ କିପରି ଆମ ସାମ୍ବାଦିକୀୟ ପୂର୍ବସୂରୀମାନେ ନେତୃତ୍ବ ଦେଇଥିଲେ ତାହାର ଅବତାରଣା କରି ଏଥିପାଇଁ ଆମ ସାମ୍ବାଦିକମାନଙ୍କୁ ଜାଗ୍ରତ କରାଇବାକୁ ମୁଁ ଚେଷ୍ଟା କରିଥିଲି ୨୦୦୯ରେ ନଭମଞ୍ଚରେ । ସୁତରାଂ ସାମ୍ବାଦିକୀୟ ବୃତ୍ତିରେ ଥିବା ଆମେ ପାଞ୍ଚଜଣ ଏକାଠି ହେବା ଥିଲା ସ୍ବପ୍ନ ସାର୍ଥକ ହେଲାପରି ଏକ ରୋମାଞ୍ଚକର ଉପଲବ୍ଧି ।

ଇ-ମେଲ ଯୋଗେ ସଂସ୍ଥାପିତ ସମ୍ପର୍କ ପ୍ରତ୍ୟକ୍ଷ ସମାବେଶରେ ଓ କାର୍ଯ୍ୟାନ୍ତ ଅନୁମୋଦନରେ ରୁପାୟିତ ହେଲା ୮.୪.୨୦୧୬ ସନ୍ଧ୍ୟାରେ, ଯେତେବେଳେ ଆମ ସହ ଯୋଗ ଦେଲେ ଡ଼. ନିତ୍ୟାନନ୍ଦ ପଟ୍ଟନାୟକ, ଶ୍ରୀମତୀ ମଧୁମିତା ସାମଲ, କାଳିପ୍ରସାଦ ସାମନ୍ତରାୟ,ସୁବ୍ରତ ଛାଟୋଇ, କାହ୍ନୁ ବେହୁରା । ସ୍ଥାନ ଥିଲା : ପ୍ରଦ୍ୟୁମ୍ନବାବୁଙ୍କ ସୁବାର୍ତ୍ତା କାର୍ଯ୍ୟାଳୟ, କାରଣ ମୁଁ ରହୁଥିବା ସରକାରୀ ଘର ସେଥିପାଇଁ ଉପଯୁକ୍ତ ନଥିଲା । ମୌଖିକ ଅନୁମୋଦନ ଅନୁସାରେ ମୁଖ୍ୟ ଶାସନ ସଚିବଙ୍କୁ ଦିଆସରିଥିଲା ସ୍ମାରକପତ୍ର ଦିନବେଳେ ତାଙ୍କ ସଚିବାଳୟ ପ୍ରକୋଷ୍ଠରେ ।

ଆରମ୍ଭ ହେଲା ଚାରି ଦିନ ପରେ ୧୩. ୪. ୨୦୧୬ (ପଣା ସଂକ୍ରାନ୍ତି – ଓଡ଼ିଆ ନୂଆ ବର୍ଷ)ରେ କଳାପତାକା ଅଭିଯାନ ।

ଏପରି ଏକ ଯୁଗାନ୍ତକାରୀ ଅତୁଳନୀୟ ଜନ ଆନ୍ଦୋଳନ ବିଶ୍ଵରେ କେବେ ବି କେଉଁଠି ଘଟିନାହିଁ । ସମଗ୍ର ଓଡ଼ିଆ ଜାତିର ଜାତୀୟ ଭାବାବେଗ ଏହି ଆନ୍ଦୋଳନ ସହ ଜଡିତ ।

                                                                    ଦ୍ଵିତୀୟ ପର୍ଯ୍ୟାୟ

ଏହି ଜାତୀୟ ଭାବାବେଗ ଏତେ ତୀବ୍ର ଯେ, ୩୯ ଦିନ କାଳ କଳାପତାକା ଚାଲିଲା ପରେ ଓ ତହିଁରେ ଓଡ଼ିଶାର ବହୁ ପ୍ରଥିତଯଶା ବ୍ୟକ୍ତି ଯୋଗ ଦେଇ ଓଡ଼ିଆ ଭାଷା ଜନନୀର ସାର୍ବଭୌମତା ତଳେ ଓଡ଼ିଶାର ପ୍ରଶାସନ କାମ କରିବାକୁ ବାଧ୍ୟ ବୋଲି ନିରବରେ ଲେଖିଦେଲାପରେ ସମୟର ଛାତିରେ ଗଭୀର ଭାବେ, ନବୀନ ବାବୁଙ୍କ ପ୍ରବଳ ଅହଙ୍କାରୀ ସରକାର ପ୍ରଥମଥର ପାଇଁ ମୁଣ୍ଡ ନୂଆଇଁଲା ୨୧. ୫. ୨୦୧୬ ତାରିଖ ଦିନବେଳେ ।

ବିଧାନସଭାରେ ଆଇନ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ସେଦିନ ତାଙ୍କ ଦଳୀୟ ସମାବେଶରେ କହିଲେ । ତା ପୂର୍ବଦିନ ୨୦.୫.୨୦୧୬ ତାରିଖରେ ତ ହଠାତ୍ ବନ୍ଦ କରିଦିଆଯାଇଥିଲା ବିଧାନସଭାକୁ ଅଧା ଅଧିବେଶନରେ । ପୁଣି କେଉଁ ବିଧାନସଭାରେ ଆଇନ ସଂଶୋଧନ ହେବ? ରାତିରେ ଜାରି ହେଲା ଅଧ୍ୟାଦେଶ । ତାହା ଭାଷା ଆନ୍ଦୋଳନର ଏକ ସୁନିଶ୍ଚିତ ବିଜୟ ଥିଲା ; କିନ୍ତୁ ତାହା ଥିଲା ଦୁରଭିସନ୍ଧି ଓ ଜାଲିଆତିର ବିଷରେ ଭରା । ମୁଁ ୩.୯.୨୦୧୫ରେ ଦେଇଥିବା ଆଇନ ସଂଶୋଧନ ଚିଠାକୁ ଆଇନ ବିଭାଗ ସମାର୍ଜନ କରି ଅନୁମୋଦିତ କରିଥିବା ଧାରା ୪ କୁ ଅନଧିକୃତ ଭାବେ ଧାରା ୫କୁ ବଦଳାଇ ତା ସ୍ଥାନରେ ଭିନ୍ନ ବ୍ୟବସ୍ଥା ଥିବା ଏକ ନୂଆ ୪ ଧାରା ଖଞ୍ଜା ଯାଇଥିଲା । ଜାଲିଆତି ଦ୍ଵାରା ଖଞ୍ଜା ହୋଇଥିବା ଧାରା ୪ ଥିଲା ଆମ ଭାଷା ଆଇନକୁ ଖର୍ବ କରିବା ପାଇଁ ଏକ ଧୂର୍ତ୍ତ ପ୍ରୟାସ ଏବଂ ଅବୈଧ ।

ଜାଲିଆତି ପ୍ରସୂତ ଧାରା ୪ ଥିଲା ଏହିପରି :

“୪. ରାଜ୍ୟ ସରକାର, ଏହି ଅଧିନିୟମ ଅନୁଯାୟୀ ପ୍ରଣୀତ ନିୟମାବଳୀରେ ବିହିତ ହେବା ମତେ ସେପରି କାଳାବଧି ମଧ୍ୟରେ , ସେପରି ରୀତିରେ ଓ ସେପରି ପ୍ରାଧିକାରୀଙ୍କ ଦ୍ଵାରା , ଧାରା ୨ର ଉପଧାରା (୨) ଅନୁଯାୟୀ ନିର୍ଗମିତ ଅଧିସୂଚନାରେ ଥିବା ନିର୍ଦ୍ଦେଶ ଫଳପ୍ରଦଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ବିଷୟରେ ସମୀକ୍ଷା ଓ ଅନୁଧ୍ୟାନ କରିପାରିବେ ।”

ମୁଁ ଏହି ଅବୈଧ ଓ ଜାଲିଆତି ପ୍ରସୂତ ଧାରା ୪କୁ ତତ୍କାଳ ବିରୋଧ କରିଥିଲେ ମଧ୍ୟ ନିୟମାବଳୀ ପ୍ରଣୟନ ପାଇଁ ମୁଁ ଦେଇଥିବା ପ୍ରସ୍ତାବ ଧାରା ୫ ରୂପେ ତହିଁରେ ସ୍ଥାନିତ ହୋଇଥିବା ହେତୁ ମୋ ସାଥୀମାନେ ତାହାକୁ ଆମ ବିଜୟର ପ୍ରଥମ ଝଲକ ଭାବେ ଗ୍ରହଣ କରି ବିଜଯ ଉତ୍ସବ ପାଳିବାକୁ ଚାହିଁଲେ।  ବସ୍ତୁତଃ ଏହା ଥିଲା ସେହିମାନଙ୍କ ସହଯୋଗର ବିଜୟ । ସୁତରାଂ ଧାରା ୪ ପ୍ରତି ମାନସିକ ବିରୋଧ ସତ୍ତ୍ୱେ ମୁଁ ଏହି ଉତ୍ସବ ପାଳନ ସହମତ ହୋଇଥିଲି ; ବିଶେଷତଃ ଯେହେତୁ ଏହି ଅଧ୍ୟାଦେଶ ଜାରି କରି ମୁଖ୍ୟମନ୍ତ୍ରୀ ସୁଚାଇଥିଲେ କି ଅଗଷ୍ଟ ୧୫,୨୦୧୬ ସୁଦ୍ଧା ଭାଷା ଆଇନର କାର୍ଯ୍ୟକାରିତା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ ।

ଯେହେତୁ ନିୟମାବଳୀ ପ୍ରଣୟନ ପାଇଁ ବାଟ ସଫା ହୋଇଗଲା, ଅଗଷ୍ଟ ୧୫ ସୁଦ୍ଧା ପ୍ରବର୍ତ୍ତିତ ହେବାକୁ ଥିବା ନିୟମାବଳୀରେ ଆଇନ ଖିଲାପକାରୀକୁ ଦଣ୍ଡବିଧାନ ପାଇଁ କି ବ୍ୟବସ୍ଥା ରହିବ ତାହା ଦେଖିବାକୁ ଅପେକ୍ଷା କରିବା ଉଚ୍ଚିତ ହେବ ବୋଲି ଆମେ ବିଚାରିଲୁ ଓ ସେହି ଦିନ ଯାଏଁ କଳାପତାକା ସ୍ଥଗିତ ରଖିବାକୁ ନିଷ୍ପତ୍ତି କଲୁ ।

ଓଡ଼ିଆ ଜାତିକୁ ମୁଖ୍ୟମନ୍ତ୍ରୀଙ୍କ ଚପୋଟାଘାତ

ଲଜ୍ଜ୍ୟା ଓ ଅନୁଶୋଚନାର କଥା , ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାତିକୁ ଚିତା କାଟିଦେଲେ ।

ଯେଉଁ ନିୟମାବଳୀ ପ୍ରଣୀତ ହେଲା ତହିଁରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଭାଷା ଆଇନର ଅଭ୍ୟସ୍ତ ଉଲ୍ଲଙ୍ଘନକାରୀ ଛଅ ଜଣ ପଦପ୍ରଯୁକ୍ତ ଶାସନ ସଚିବଙ୍କୁ ନେଇ ଏକ କମିଟି ଗଠନ ପାଇଁ ବ୍ୟବସ୍ଥା ରହିଲା ଯେଉଁ କମିଟି କି ଏକ ବର୍ଷ ମଧ୍ୟରେ ଦିଥର ବୈଠକ କରିବେ ଓ “ଓଡ଼ିଆ ଭାଷାର ସଫଳ କାର୍ଯ୍ୟକାରିତା ପାଇଁ ବୈଠକ ହେବାର ୨ ମାସ ମଧ୍ୟରେ ଏକ ରିପୋର୍ଟ ପ୍ରସ୍ତୁତ କରି ପରବର୍ତ୍ତୀ ଏକମାସ ମଧ୍ୟରେ ସରକାରଙ୍କୁ ପ୍ରଦାନ କରିବେ ।” ତା ପରେ କଣ ହେବ ସେ ସମ୍ପର୍କରେ ନିୟମାବଳୀ ନିରବ । ଏହିପରି ଏକ ବନ୍ଧ୍ୟା ବ୍ୟବସ୍ଥା ଖଞ୍ଜି ସରକାରଙ୍କର ଉର୍ବର ମସ୍ତିଷ୍କ ଏହି ନିୟମାବଳୀରେ ଏକ ଜନ୍ମମୃତ ବ୍ୟବସ୍ଥା ବି ଖଞ୍ଜିଦେଲା । ତାହା ହେଲା ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଏକ “ସରକାରୀ ଭାଷା ପ୍ରଭାଗ” ସ୍ଥାପନ ଯାହା କି , ତାଙ୍କ ଅଧ୍ୟକ୍ଷତାରେ ଚାଲିଥିବା “କମିଟିର କାର୍ଯ୍ୟଧାରା ଉପରେ ସମୀକ୍ଷା ଓ ପର୍ଯ୍ୟାଲୋଚନା କରିବ ।” ଅର୍ଥାତ୍ , ଯେଉଁ ବନ୍ଧ୍ୟା ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅଧିକୃତ କରାଯାଇଛି ତାହା ଉପରେ ସମୀକ୍ଷା ଓ ପର୍ଯ୍ୟାଲୋଚନା କରିବେ ତାଙ୍କର ଜଣେ ଅଧସ୍ତନ କର୍ମଚାରୀ ! ଜାଲିଆତି ବଳରେ ଧାରା ୪ ଖଞ୍ଜାଯାଇଥିବା ମୂଳରେ ଥିବା ଦୁରଭିସନ୍ଧି ଓ ପ୍ରବଞ୍ଚନା ସ୍ପଷ୍ଟ ହୋଇଗଲା  ।

ଏପରି ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କରି ଆହୁରି ବ୍ୟାପକ ହେଲା ଭାଷା ଆନ୍ଦୋଳନ ।

                                                                   ତୃତୀୟ ପର୍ଯ୍ୟାୟ

ଆମ ବିଧାୟକମାନେ ଯଦି ଅମଲାତନ୍ତ୍ରର ଆଜ୍ଞାବକା ପରି କାମ ନ କରି ୨୮. ୯. ୨୦୧୬ରେ ନିଜର ସାମାନ୍ୟ ବିଧାୟକୀୟ ଵିଜ୍ଞତା ପ୍ରୟୋଗ କରିଥାନ୍ତେ ତେବେ ଏହି ପ୍ରବଞ୍ଚନା କବଳରୁ ମୁକ୍ତି ମିଳିପାରିଥାନ୍ତା । ଓଡିଶା ସରକାର ସଠିକ ଆଇନ ଓ ନିୟମାବଳୀ ପ୍ରଣୟନ ପାଇଁ ବାଧ୍ୟ ହୋଇଥାନ୍ତେ । ତା ହେଲା ନାହିଁ । ତେଣୁ କଳାପତାକା ଅଭିଯାନ ଭୁବନେଶ୍ଵରରେ ଚାଲି ରହିବା ସଂଗେ ସଂଗେ ଓଡ଼ିଶାର ଅନ୍ୟତ୍ର ମଧ୍ୟ ଦୃଢ଼ ଭାବେ ଆରମ୍ଭ ହେଲା ।

ବହୁ କଳକୌଶଳ ପ୍ରୟୋଗ ହେଲା ଏହି ଆନ୍ଦୋଳନକୁ ଭାଙ୍ଗିବା ପାଇଁ । ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଆମମାନଙ୍କୁ “ଭାଷା ବିରୋଧୀ” ବୋଲି ଆକ୍ଷେପ କଲେ (ସମାଜ, ୨୫. ୬. ୨୦୧୬), ତାଙ୍କ ସହଯୋଗୀ ସୁବ୍ରତ ପୃଷ୍ଟିଙ୍କ ମାଧ୍ୟମରେ ମୋ ଉପରେ ଅଶ୍ଳୀଳ ଭାଷା ପ୍ରୟୋଗ କରିଚାଲିଲେ ସାମାଜିକ ଗଣମାଧ୍ୟମରେ । ବୈଷ୍ଣବ ପରିଡା ଆମ ଦାବି ସପକ୍ଷରେ ଆଇନ ଅମାନ୍ୟ ପରି ନାଟକବାଜି ଚଳାଇ ଆମ ଆନ୍ଦୋଳନର ଗରିମା ହ୍ରାସ ପାଇଁ ଚେଷ୍ଟା କଲେ ।

କିନ୍ତୁ ସେ ସବୁ ଯେତେବେଳେ କିଛି କାମ କଲାନାହିଁ , ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ମୋତେ ଆଲୋଚନାକୁ ଡାକିଲେ ୧୯. ୫. ୨୦୧୭ରେ ।

ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସାଙ୍ଗରେ ନେଇ ମୁଁ ସେଦିନ ମୁଖ୍ୟମନ୍ତ୍ରୀଙ୍କୁ ୨୦୧୬ର ତ୍ରୁଟିପୂର୍ଣ୍ଣ ସଂଶୋଧନକୁ ପୁନର୍ବାର ସଂଶୋଧନ କରି ଧାରା ୪ ବିଲୋପ କରି ବା ବଦଳାଇ ଭାଷା ଆଇନଟିକୁ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଲି  ଓ ଏହି ପୁନଃ ସଂଶୋଧନର ଏକ ଚିଠା ବି ଦେଲି । ଓଡ଼ିଆରେ ଅଜ୍ଞ ଅଥଚ ଇଂରେଜୀରେ ବିଜ୍ଞ ଆମ ମୁଖ୍ୟମନ୍ତ୍ରୀ ବୁଝିପାରିବାପାଇଁ ମୁଁ ଇଂରେଜୀରେ ଲେଖିଥିବା ଚିଠାଟିର ଓଡ଼ିଆ ରୂପ ଏହିପରି :

ଏହି ଆଇନ ସମ୍ଭୁତ ନିୟମାବଳୀରେ ସଂସ୍ଥିତ ପଦ୍ଧତ୍ତି ଓ ଅଧିକାରୀଙ୍କ ମାଧ୍ୟମରେ ସରକାର ଓଡ଼ିଶାର ସାଧାରଣ ଲୋକଙ୍କ ଠାରୁ ଏହି ଆଇନର ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅଭିଯୋଗ ଗ୍ରହଣ କରିପାରିବେ ଓ ଏପରି ଅଭିଯୋଗ ଅଧିକନ୍ତୁ , ଏହି ଆଇନର ଉଲ୍ଲଙ୍ଘନ ବିରୁଦ୍ଧରେ ଜନସାଧାରଣଙ୍କ ଅଭିଯୋଜନ ଅଧିକାର ପ୍ରତି କୌଣସି ପ୍ରତିକୂଳ ପ୍ରଭାବ ବିନା, ନିଜ ଆଡୁ ସମୀକ୍ଷା ଓ ପର୍ଯ୍ୟାଲୋଚନା କରି ଏହି ଆଇନସ୍ଥ ଧାରା-୨ର ଉପଧାରା-(୨) ବଳରେ ଜାରିହୋଇଥିବା ଅଧିସୂଚନା ଉଲ୍ଲଙ୍ଘନ ହୋଇଛି କି ନାଁ ତାହା ନିରୂପଣ କରିପାରିବେ ଓ ଉଲ୍ଲଙ୍ଘନକାରୀ ବିରୁଦ୍ଧରେ ନିୟମାବଳୀରେ ଅନୁବଦ୍ଧ ଦଣ୍ଡବିଧାନ ସୁନିଶ୍ଚିତ କରାଇବେ ।

ଏହି ତୃତୀୟ ପର୍ଯ୍ୟାୟର ଆବଶ୍ୟକତା ଦେଖାଦେଇନଥାନ୍ତା ଯଦି ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ପର୍ଯ୍ୟାୟଟିକୁ ଦିଗହରା କରାଇ ନଥାନ୍ତେ ।

ଶେଷରେ ସୌମ୍ୟରଞ୍ଜନ

ଯେଉଁଦିନ ଏହି ଶେଷ ଚିଠା ମୋର ଦୁଇ ସହକର୍ମୀ, ଅବଲୁପ୍ତ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସାଂସଦ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଧରାଇଲି , ସେଦିନ ମୋର ଏକ ଚମକପ୍ରଦ ଅନୁଭୂତି ଅର୍ଜନ ହେଲା , ଯାହା ଉଲ୍ଲେଖ ନକଲେ କେଉଁ କିସମର ଷଡଯନ୍ତ୍ର ଟପି ଭାଷା ଆନ୍ଦୋଳନ ଚାଲିଛି ତାହା କେହି ଜାଣିପାରିବେ ନାହିଁ ।

ମୁଖ୍ୟମନ୍ତ୍ରୀ ମୋତେ ଡାକି ଏହି ତୃତୀୟ ପର୍ଯ୍ୟାୟରେ ଆଲୋଚନା କରିସାରିଥିବା ହେତୁ ଆମେ ଆନ୍ଦୋଳନ ବନ୍ଦ କରିଦେବା ଉଚିତ ବୋଲି ଟେଲିଫୋନ ଯୋଗେ ପରାମର୍ଶ ଦେଲେ ସମ୍ବାଦ ଓ କନକ ଟିଭିର ସମ୍ପାଦକ/ମାଲିକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିମନ୍ତ୍ରଣ ପାଇବା ପାଇଁ ଆମ ଆନ୍ଦୋଳନ ଉଦ୍ଦିଷ୍ଟ କି? ବୋଲି ମୁଁ ତାଙ୍କୁ ପଚାରିଲି । ସେ କହିଲେ , “ଆପଣଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ମୁଁ ହିଁ ଯୋଗାଡ଼ କରିଥିଲି । ଏହା ପରେ ଯଦି ଆପଣ ଆନ୍ଦୋଳନ କରନ୍ତି, ମୋ କାଗଜରେ ଏ ଆନ୍ଦୋଳନର କୌଣସି ଖବର ଆଉ ପ୍ରକାଶ ପାଇବ ନାହିଁ ।” ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପଚାରିଲି , ଆପଣଙ୍କ କାଗଜରେ ଆମ ଖବର ପ୍ରକାଶ ପାଇବାକୁ ଆମେ କଣ ଆନ୍ଦୋଳନ କରୁଛୁ ?” ସେ ତାଙ୍କ ଆଡୁ ସଂଗେ ସଂଗେ ଫୋନ ସଂଯୋଗ କାଟିଦେଲେ । ଏବଂ ସମ୍ବାଦରେ ଆମ ଆନ୍ଦୋଳନ ଖବର ବନ୍ଦ ହୋଇଗଲା ।

ପୁଣି କଣ ହେଲା କିଏ ଜାଣେ, ଚାଲିଲା ! ପୁଣି ଚାଲିଲା ମୋ ଉପରେ ଚାପପ୍ରୟୋଗ ! କିଛି କାମ କଲାନି । ଶେଷରେ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ଏପରିକି, ୨୬. ୧ ୨. ୨୦୧୭ ତାରିଖରେ ପୁରୀ ସ୍ବତନ୍ତ୍ର ବୈଠକରେ ଯେତେବେଳେ ଆମ ଦାବି ଅନୁରୂପେ ରାଜ୍ୟ ମନ୍ତ୍ରୀମଣ୍ଡଳ ଭାଷା ଆଇନ ଉଲ୍ଲଙ୍ଘନକାରୀ ପ୍ରତି “ବିହିତ ଦଣ୍ଡବିଧାନ” ପାଇଁ ପ୍ରସ୍ତାବ ଗ୍ରହଣ କଲା, କନକ ଟିଭି ଆଲୋଚନାକୁ ଆମକୁ ନ ଡାକି ତାଙ୍କ ଓଡ଼ିଆ ଦର୍ଶକମାନଙ୍କୁ ଆମ ମତ ସମ୍ପର୍କରେ ଅନ୍ଧକାରରେ ରଖିବା କାମ ବି କଲେ ବାବୁ ସୌମ୍ୟରଞ୍ଜନ । ଭିନ୍ନଭାବେ କହିଲେ, ନବୀନବାବୁଙ୍କ ଦଳରୁ ରାଜ୍ୟସଭା ପାଇଁ ଆଶାୟୀ ଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ସ୍ଵୟଂ ନବୀନ ବାବୁ ହିଁ ଭାଷା ଆନ୍ଦୋଳନ ବନ୍ଦ କରାଇବା କାମରେ ଲଗାଇଥିଲେ । ପାରିଲେନି ।

ସୌମ୍ୟରଞ୍ଜନ ଓ ଭାଷା ଆନ୍ଦୋଳନ

ଏ କଥା ସତ୍ୟ ଯେ, ସମ୍ବାଦ କାଗଜରେ ଆମ ଖବର ସବୁଦିନ ବାହାରୁଥିଲା ଓ ଆମ ସଭାସମିତିକୁ ବି ସବୁ ସମ୍ପାଦକଙ୍କୁ ଡାକିଲା ପରି ଆମେ ତାଙ୍କୁ ଡାକୁଥିଲୁ ଓ ମୁଖ୍ୟ ଅତିଥିର ମର୍ଯ୍ୟାଦା ଦେଉଥିଲୁ । ଅନ୍ୟ ସମ୍ପାଦକମାନଙ୍କ ତୁଳନାରେ ତାଙ୍କ ସହ ଆମ ସମ୍ପର୍କ ଅଧିକ ନିବିଡ଼ ଥିଲା , କାରଣ ତାଙ୍କରି କାଗଜ ହିଁ ଥିଲା ମୋର ଅତୀତର ମୁକ୍ତବୃତ୍ତ ସାମ୍ବାଦିକୀୟ ଜୀବନର ରୋମଞ୍ଚର ରୂପାଧାର । ସୁତରାଂ ସେ ଚାହିଁଲେ ଭାଷା ଆନ୍ଦୋଳନକୁ ବନ୍ଦ କରାଇଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ହୁଏତ କହିଥିବେ । ତା ନ ହେଲେ ନିଜ ମାଲିକାନାରେ ଥିବା କନକ ଟିଭି ମାଧମରେ ସେ ନିଜେ , ଓ କେତେକ କ୍ରୀତ ସାମ୍ବାଦିକଙ୍କ ଦ୍ଵାରା ଏବଂ ତାଙ୍କ ସଂସ୍ଥାରେ ଚାକିରୀ ଆଶାୟୀ ଆଉ କିଛି ଛୋଟ ଛୋଟ ଚାନେଲ କର୍ମୀଙ୍କ ମୁହଁରେ ଭାଷା ଆନ୍ଦୋଳନ ସେ ହିଁ କରୁଥିବା କଥା କାହିଁକି ଏପରି ପ୍ରଚାର ଚଳାଇଥିଲେ ରାଜ୍ୟସଭା ନିର୍ବାଚନ ପାଖାପାଖି ? କିନ୍ତୁ ରାଜନୀତିକ ସ୍ଵାର୍ଥ ତାଙ୍କୁ ଗ୍ରାସ କରିନଥିଲାବେଳେ ତାଙ୍କ ବିଚାରରେ କଣ ଥିଲା ଭାଷା ଆନ୍ଦୋଳନ ? ତାଙ୍କରି ତୁଣ୍ଡରୁ ଜାଣିବା :

ଯେଉଁଦିନ ନିୟମାବଳୀ ପ୍ରଣୟନ ସକାଶେ ଭାଷା ଆଇନ ସଂଶୋଧନ ପାଇଁ ଆମ ଦାବି ଅନୁସାରେ ମୁଖ୍ୟମନ୍ତ୍ରୀ ଅଧ୍ୟାଦେଶ ଜାରି କଲେ ଓ ତାର ସାଙ୍କେତିକତା ବିଶ୍ଳେଷଣ କରିବାକୁ ଆମେ ସବୁ କଳାପତାକା ଅଭିଯାତ୍ରୀମାନେ ଏକ “ବିଜୟ ଉତ୍ସବ”ରେ ଏକାଠି ହେଲୁ , ସେଦିନ ଆମର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ କହିଥିଲେ, “ସର୍ବପ୍ରଥମେ ସମସ୍ତେ ଜାଣିବା ଦରକାର, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠିପାରିଲା ଓ ଏତେବାଟ ଆଗେଇ ପାରିଛି , ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ , କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା , ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ ମସିହାର ଗୋଟିଏ ଆଇନକୁ କାହିଁକି ୨୦୧୬ ମେ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ ? ଆମେ ଯେଉଁମାନେ ଓଡିଶା ସମ୍ପର୍କରେ ଆଲୋଚନା କରୁ , ମୋ ମନକୁ ଏପର୍ଯ୍ୟନ୍ତ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା – ଓଡ଼ିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞଲୋକ ଥିଲେ, ଏତେ ମୁଖ୍ୟମନ୍ତ୍ରୀ ଗଲେଣି, କେହି କଣ ଜାଣିପାରିଲେନାହିଁ ଯେ, ଏହି ଆଇନଟି ସଂଶୋଧନ ନକଲା ପର୍ଯ୍ୟନ୍ତ, ଏହାଦ୍ବାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନାହିଁ? ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି , ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲିଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ , କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିଷ୍କାର ହେବ ଏବଂ ତାର ସଂସ୍କାର ଓ ପରିବର୍ତ୍ତନ ପାଇଁ ବାଟ ଫିଟିବ ।”

ତାଙ୍କ ଏହି ସ୍ବୀକାରୋକ୍ତି ସମେତ ସମଗ୍ର ଭାଷଣଟି soundcloud.com ସଂରକ୍ଷିତ କରିଛି । ବିଶ୍ଵର ଯେ କୌଣସି ଓଡ଼ିଆ ଶୁଣିପାରିବେ ।

ଏହି ସତ୍ୟ ନଜାଣିଥିବା ମୁଖ୍ୟମନ୍ତ୍ରୀ ସୌମ୍ୟ ବାବୁଙ୍କୁ ବିଶ୍ଵାସ କରି ତାଙ୍କଦ୍ବାରା ଭାଷା ଆନ୍ଦୋଳନକୁ ବନ୍ଦ କରାଇଦେବାକୁ ଲାଗିଥିଲେ ; ହାରିଗଲେ , କାରଣ , ମାଆ ପାଇଁ ଲଢେଇରେ ଏକ ଜାତି କେବେ ହାରେନାହିଁ । ମାତ୍ର ଏ କଥା ଏଥିରେ ସାବ୍ୟସ୍ତ ହୋଇଗଲା କି, ମୁଖ୍ୟମନ୍ତ୍ରୀ ହିଁ ଓଡ଼ିଆ ଭାଷାକୁ ଓଡିଶା ପରିଚାଳନାର ଭାଷା କରାଇନଦେବାକୁ ଚାହୁଁଛନ୍ତି ଓ ସେହେତୁ ଭାଷା ଆନ୍ଦୋଳନକୁ ଭଣ୍ଡୁର କରାଇବାକୁ ବିଭିନ୍ନ ଲୋକଙ୍କୁ ବ୍ୟବହାର କରୁଛନ୍ତି । ତେଣୁ , ମାତୃଭାଷାକୁ କେନ୍ଦ୍ର କରି ଗୋଟିଏ ପଟେ ଏବେ ମୁଖ୍ୟମନ୍ତ୍ରୀ ଓ ଆର ପଟେ ସମଗ୍ର ଓଡିଶା ।

ଯଦି ବିଧେୟକଟି ଆସେ

ଧରିନିଆଯାଉ ମନ୍ତ୍ରିମଣ୍ଡଳର ନିର୍ଦ୍ଦେଶ ଅବମାନନା କରିବାକୁ ସବୁ ଚେଷ୍ଟା ସତ୍ତ୍ବେ ବିଧେୟକଟି ଉପସ୍ଥାପିତ ହେଲା ଓ ପାରିତୀକରଣର ପରିବେଶ ଉପୁଜିଲା । ତେବେ ଆମ ବିଧାୟକମାନେ କଣ କରିବେ ?

ଏହା ପୂର୍ବରୁ ଯେତେବେଳେ ଓଡିଶା ସରକାରୀ ଭାଷା ଆଇନ (ସଂଶୋଧନ) ବିଧେୟକ, ୨୦୧୬ ଆଗତ ହୋଇଥିଲା ସେତେବେଳେ ଯଦି ସେମାନେ ଅମଲାତନ୍ତ୍ରର କାଠପୁତ୍ତଳି ନ ସାଜି ନିଜର ବିଧାୟକୀୟ ଵିଜ୍ଞତା ପ୍ରୟୋଗ କରିଥାନ୍ତେ , ତେବେ ଆଜି ଏ ସଂଶୋଧନ ଆବଶ୍ୟକ ପଡ଼ିନଥାନ୍ତା ।

ଅଧ୍ୟାଦେଶଟିକୁ ମୁଖ୍ୟମନ୍ତ୍ରୀ ୨୬. ୯. ୨୦୧୬ରେ ବିଧାନସଭାରେ ଉପସ୍ଥାପିତ କରିଥିଲେ ଓ ତତ୍ସମ୍ଭୁତ ବିଧେୟକ ୨୮. ୯. ୨୦୧୬ରେ ଆଗତ କରାଯାଇ ପାରିତ ହୋଇଥିଲା ।

ଆଇନତଃ ଏକ ଅଧ୍ୟାଦେଶକୁ ବିଧାନସଭାରେ ବିଧେୟକ ଭାବେ ବିବେଚନା କରି ପାରିତ କରାଇବାକୁ ହେଲେ, କେଉଁ “ଅତ୍ୟନ୍ତ ଜରୁରୀ ପରିସ୍ଥିତି”ରେ ତାହା ଜାରି କରାହୋଇଥିଲା ତହିଁର ନିଖୁଣ ସ୍ପଷ୍ଟୀକରଣ ବିଧେୟକଟିରେ ସ୍ଥାନିତ ହେବା ବାଧ୍ୟତାମୂଳକ । ସରକାର ଏହି ନିଖୁଣ ସ୍ପଷ୍ଟୀକରଣ ନ ଦେଇ ଏକ କାମତୁଲା କାରଣ ଦର୍ଶାଇଥିଲେ ଓ ଆମ ବିଧାୟକମାନେ ତାକୁହିଁ ମାନିନେଇଥିଲେ ।

ଯେଉଁ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ଅଣଚାଳିଶ ଦିନ ଅତିକ୍ରମ କରିଥିଲା ଅଧ୍ୟାଦେଶଟି ଥିଲା ତାହାର ଆଂଶିକ ପରିପୂର୍ତ୍ତି । ଅଧ୍ୟାଦେଶ ମାଧ୍ୟମରେ ଆଇନ ସଂଶୋଧନ ପାଇଁ ସରକାର କାହିଁକି ବାଧ୍ୟ ହୋଇଥିଲେ ତାହା ଯଦି ଆମ ବିଧାୟକମାନେ ଜାଣିବାକୁ ଚାହିଁଥାନ୍ତେ ତେବେ ହୁଏତ ଅଧ୍ୟାଦେଶଟି ଭାଷା ଆନ୍ଦୋଳନର ଦାବି ଅନୁରୂପ ସଂଶୋଧିତ ହୋଇପାରିଥାନ୍ତା ଓ ପୁନର୍ବାର ଏପରି ସଂଶୋଧନ ଆବଶ୍ୟକ ହୋଇନଥାନ୍ତା । ଏ ସମ୍ପର୍କରେ ଆମ ବିଧାୟକମାନଙ୍କୁ ଅବଗତ କରାଇବାପାଇଁ ଓଡ଼ିଶାର ଜନପ୍ରିୟ ଖବରକାଗଜମାନଙ୍କରେ ମୁଁ ବହୁ ଆଲୋଚନା ରଖିଥିଲି ; ଯଥା : “ସଂଶୋଧିତ ଭାଷା ବିଧେୟକର ସଂଶୋଧନ ଆବଶ୍ୟକ” (ନିତିଦିନ ୨୫. ୯. ୨୦୧୬), “ଭାଷା ଅଧ୍ୟାଦେଶର ପ୍ରବଞ୍ଚନା ପ୍ରତ୍ୟାଖ୍ୟାତ ହେଉ” (ସମ୍ବାଦ ୨୮. ୯. ୨୦୧୬) ଇତ୍ୟାଦି ।

ଦୁଃଖର କଥା ଆମ ବିଧାୟକମାନେ ନିଜ ବିଧାୟକୀୟ ଵିଜ୍ଞତା ପ୍ରୟୋଗ ନ କରି ଅମଲାତନ୍ତ୍ର ଯେଉଁ ବ୍ୟବସ୍ଥା ଖଞ୍ଜିଥିଲା ତାକୁହିଁ ମାନିନେଲେ । ଫଳରେ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ପ୍ରଚଳନ କରିବା ପାଇଁ ପୂର୍ବରୁ ଥିବା ଦୁର୍ବଳତା ଯଥାପୂର୍ବ କାଏମ ରହିଲା ।” (ପ୍ରମେୟରେ ମୋ ନିବନ୍ଧ ,୨୩. ୧୧ . ୨୦୧୬) ।

ଏ ଥର ଏ ଭୁଲ ନ ହେଉ

ଏହି ଦୁର୍ବଳତାକୁ ହଟାଇବା ପାଇଁ ଭାଷା ଆନ୍ଦୋଳନ ଚଳାଇଥିବା କଳାପତାକା ଅଭିଯାନ ଦୁଇବର୍ଷ ଅତିକ୍ରମ କରିସାରିଥିବାବେଳେ ଓଡ଼ିଶାର ସବୁ ଗୁରୁତ୍ବପୂର୍ଣ ସ୍ନାଯୁକେନ୍ଦ୍ରମାନଙ୍କରେ ବି ଏହି ଅଭିଯାନ ଚାଲିଛି । ଏହାରି ଚାପରେ ସରକାର ତାଙ୍କ ଭୁଲ ସଂଶୋଧନ ପାଇଁ ରାଜି ହୋଇଛନ୍ତି । ସୁତରାଂ ଏଥର ଯେମିତି ଓଡ଼ିଆ-ଵିଦ୍ଵେଷୀମାନଙ୍କ ଚକ୍ରାନ୍ତ ହେତୁ ଏପରି ଭୁଲ ନ ହୁଏ ତାହା ପ୍ରତି ଓଡ଼ିଆପ୍ରାଣ ବିଧାୟକମାନେ ସତର୍କ ରହିବା ଆବଶ୍ୟକ ।

ଆଇନ ସମତାଳରେ ନିୟମ ସଂଶୋଧନ ଆବଶ୍ୟକ 

ମନ୍ତ୍ରିମଣ୍ଡଳର ୧୪. ୩ . ୨୦୧୮ ତାରିଖ ପ୍ରସ୍ତାବ ଦୃଷ୍ଟେ ଦଣ୍ଡବିଧାନର ଉପାଦାନ ରଖି ଆଇନ ସଂଶୋଧନର ଚିଠା ପ୍ରସ୍ତୁତ ହେବାକୁ ବାଧ୍ୟ । କିନ୍ତୁ ସମତାଳରେ ନିୟମାବଳୀ ସଂଶୋଧନ ନହେଲେ ଆଇନଟିକୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।

ମୁଁ ଦେଇଥିବା ନିୟମାବଳୀରେ ଗୋଟିଏ କଥା ସ୍ପଷ୍ଟ ଖୋଦିତ ହୋଇଛି । ତାହା ହେଲା ଏକ ଭାଷା ଅଦାଲତ ପ୍ରତିଷ୍ଠା, ଯହିଁରେ ବିଚାରପତି ଭାବେ ଅତି କମରେ ସହକାରୀ ଦୌରାଜଜ୍ ସ୍ତରୀୟ ଜଣେ ବିଚାରପତି ଓ ଜଣେ ଓଡ଼ିଆ ପ୍ରଫେସର ବିଚାରକ ଭାବେ କାମ କରିବେ ଓ ଓଡ଼ିଆ ଭାଷାରେ କାମ ନକରିବା ଏକ ଧର୍ତ୍ତବ୍ୟ ଅପରାଧ ଭାବେ ସେହି ଅଦାଲତରେ ବିଚାର ହୋଇ ଦଣ୍ଡ ପ୍ରଦାନ ହେବ । ମୋର ଏହି ପ୍ରସ୍ତାବର ଅନୁକରଣ କରି ବୈଷ୍ଣବ ପରିଡ଼ା ଭାଷା କମିଶନ କଥା କହୁଛନ୍ତି ।  ଆଗରୁ କେବେ କହୁନଥିଲେ । ହୁଏତ ମୁଖ୍ୟମନ୍ତ୍ରୀଙ୍କ ସହ ସଲାସୁତରାରେ ସେ ଭାଷା ଅଦାଲତ ଗଠନ ଦାବିକୁ ଛାୟାଛନ୍ନ କରିବାକୁ ଏପରି ନାଟକ କରୁଥାଇପାରନ୍ତି ।

କିନ୍ତୁ ମୁଁ ଦେଇଥିବା ପ୍ରସ୍ତାବ ଅନୁରୂପେ ଯଦି ଭାଷା ଅଦାଲତ ସ୍ଥାପନ ନ ହୁଏ ଏବଂ ଅବୈଧ ଧାରା ୪କୁ ବୈଧତା ପ୍ରଦାନ କରିବାକୁ  ନୂଆ ଚିଠାଭୁକ୍ତ ଧାରା ୪କ ପ୍ରତ୍ୟାଖ୍ୟାତ ନହୁଏ, ତେବେ ଓଡ଼ିଆ ଭାଷା କେବେ ବି ସେବା ପ୍ରଦାନର ବା ଆପତ୍ତି ଉତ୍ତୋଳନର ବା କାର୍ଯ୍ୟ ସାଧନର ବା ସାଧାରଣ ମଣିଷର ଦାପ୍ତରିକ ବ୍ୟବହାରର ଭାଷା ହୋଇପାରିବ ନାହିଁ । ଭିନ୍ନ ଭାବେ କହିଲେ, ଓଡ଼ିଆ ଭାଷାରେ ସେବା ଲାଭ ଓ କାର୍ଯ୍ୟ ସାଧନ ପାଇଁ ଯେଉଁ ଏକମାତ୍ର ଉଦ୍ଦେଶ୍ୟରେ ଆମ ପୁର୍ବପୁରୁଷେ ଅସୀମ କଷ୍ଟ ବରଣ କରି ଓଡିଶା ପ୍ରଦେଶ ଗଠନ କରିଥିଲେ ତାହା ପଣ୍ଡ ହୋଇଯିବ ।

ତେଣୁ ଆମ ବିଧାୟକମାନେ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ‘ଓଡିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮କୁ ମନମୋଟିଆରେ ନ ନେଇ ଗମ୍ଭୀରତା ସହ ନିଅନ୍ତୁ ଓ ଦୁଇଟି କଥା ସୁନିଶ୍ଚିତ କରନ୍ତୁ , ଯେମିତି

(୧) ଓଡ଼ିଆ ଭାଷାରେ କାମ ନକରିଥିବା ବା ନକରୁଥିବା ବ୍ୟକ୍ତି ବିରୁଦ୍ଧରେ ଯେ କୌଣସି  ଆଜନ୍ମ ଓଡ଼ିଆ  ବ୍ୟକ୍ତି ଦଣ୍ଡବିଧି ଅଭିଯୋଜନ (penal prosecution) ଆଗତ କରିପାରିବେ ଓ  ତାହା ଏଥିପାଇଁ ଉଦ୍ଦିଷ୍ଟ  ସ୍ଵତନ୍ତ୍ର ଅଦାଲତ (Language Court/ Tribunal)ରେ ବିଚାର୍ଯ୍ୟ ହେବ । ଏବଂ (୨) ଚିଠାଭୁକ୍ତ ଧାରା ୪ କ  ପ୍ରତ୍ୟାହାର ବା ପରିବର୍ତ୍ତନ କରି  ସରକାର ଏହା ସୁନିଶ୍ଚିତ କରିବେ  ।

ସରକାରୀ ପ୍ରସ୍ତାବିତ ସଂଶୋଧନ ବିଧେୟକରେ ଯଦି ଏହି ଦୁଇଟି ବ୍ୟବସ୍ଥା ନଥାଏ , ଏବଂ ତାହା ୧୪.୩.୨୦୧୮ ତାରିଖର କ୍ୟାବିନେଟ୍  ପ୍ରସ୍ତାବ ଉପରେ ଆଧାରିତ ହୋଇନଥାଏ , ତେବେ ଏହା ଅବଗତ ହେବା ସଂଗେ ସଂଗେ ଜାତିପ୍ରେମୀ ବିଧାୟକମାନେ ନିଜ ଆଡୁ ସଂଶୋଧନ ପ୍ରସ୍ତାବ ଦେଇ ସରକାରୀ ଭାଷା (ସଂଶୋଧନ) ବିଧେୟକଟିକୁ ନିର୍ଭୁଲ କରାନ୍ତୁ ଓ ଆଇନଟି ଯେପରି ପୁନର୍ବାର ପ୍ରହସନରେ ପରିଣତ ନ ହୁଏ ତାହା ସୁନିଶ୍ଚିତ କରନ୍ତୁ ।

ମୋର ଆଶଙ୍କା ଯେ, ଓଡ଼ିଆବିରୋଧୀ ଅମଲାତନ୍ତ୍ର ଓ ସ୍ଵୟଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ୧୪.୩.୨୦୧୮ ତାରିଖର କ୍ୟାବିନେଟ୍ ପ୍ରସ୍ତାବ ଅନୁଯାୟୀ ଦଣ୍ଡବିଧାନ ବ୍ୟବସ୍ଥା ଥିଲେ ବିଧେୟକଟିକୁ ପାରିତ ନ କରାଇବା ପାଇଁ ଚେଷ୍ଟା କରିବେ ବା ଅନ୍ୟ କୌଣସି ଫିସାଦିଖେଳ ଖେଳିବେ । ତା ନହେଲେ ତୁରନ୍ତ ଆଇନ ସଂଶୋଧନ ପାଇଁ ମନ୍ତ୍ରୀମଣ୍ଡଳ ନିର୍ଦ୍ଦେଶ ଦେବାର ମାସେ ପୁରିଲାଣି, ୩୧.୩.୨୦୧୮ରେ ମୁଖ୍ୟମନ୍ତ୍ରୀ ସଂଶୋଧନ ବିଧେୟକ ଆଣିବାକୁ ନୋଟିସ ଦେଇଥିଲେ ମଧ୍ୟ, ଏଥିପାଇଁ ସମୟ ଧାର୍ଯ୍ୟ କରିବାକୁ ତତ୍ପରତା ପ୍ରକାଶ ପାଉନି କାହିଁକି?

ଯଦି ଦୃଶ୍ୟମାନ ବିଳମ୍ବ ସତ୍ତ୍ୱେ ବିଧେୟକଟି ଆଗତ ହୁଏ, ଆମ ବିଜ୍ଞ ବିଧାୟକମାନଙ୍କର କର୍ତ୍ତବ୍ୟ ହେବ, ସତର୍କତାର ସହ ସରକାରୀ କାର୍ଯ୍ୟ ଦିବସଟିକୁ ଉପଯୋଗ କରି ଉପରୋକ୍ତ ଦୁଇଟି ଉପାଦାନ ସହ ସଂଶୋଧନ ବିଧେୟକଟିକୁ ଓଡ଼ିଆ ଜାତିର ଗ୍ରହଣଯୋଗ୍ୟ ଅଧିନିୟମରେ ପରିଣତ କରାଇବା । ଅନ୍ୟଥା ଭବିଷ୍ୟତ ସେମାନଙ୍କୁ କ୍ଷମା ଦେବ ନାହଁ ।

ମନ୍ତ୍ରିମଣ୍ଡଳ ଯେହେତୁ ଆମ ସପକ୍ଷରେ ଅଛି, ଦେଖାଯାଉ ଶେଷ ପର୍ଯ୍ୟନ୍ତ କଣ ହେଉଛି !