ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ ? ସୁନିଶ୍ଚିତ ବୋଲି ସମସ୍ତଙ୍କ ମତ


‘ସମ୍ପର୍କ ମିଡ଼ିଆ’ର ‘କୁଳ ତିଳକ’ ଉପାଧି ପ୍ରଦାନ ଅବସରରେ ଜାନୁଆରୀ 7 ଦିନ ତମାମ ଶ୍ରୀ ଜୟ ଦେବଙ୍କ ନାମରେ ପୁନର୍ନାମୀତ ହୋଇଥିବା ରାଜ୍ୟ ସୂଚନା ଭବନ ସଭାକକ୍ଷରେ ‘ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ?’ ପ୍ରଶ୍ନ ଉପରେ ଏକ ଗୁରୁ ଗମ୍ଭୀର ଆଲୋଚନା ହୋଇଥିଲା ∣ ସଭାପତିତ୍ଵ କରିଥିଲେ ସୁବାର୍ତ୍ତାର ସମ୍ପାଦକ ତଥା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ∣

ଆଲୋଚନା ଆରମ୍ଭ କରି ସମ୍ପର୍କ ମିଡ଼ିଆର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ସାହୁ ବ୍ୟଙ୍ଗ ସାହିତ୍ୟର ବୈଶିଷ୍ଟ୍ୟ ଉପରେ ଚର୍ଚ୍ଚା କରି ଓଡିଶା ସାହିତ୍ୟ ଏକାଡେମୀ ବ୍ୟଙ୍ଗ ସାହିତ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେବାପାଇଁ ପରାମର୍ଶ ଦେବା ସହ ଏ ଦିଗରେ ତାଙ୍କ ସଂସ୍ଥା ଯେଉଁ ଅଭିଯାନ ଆରମ୍ଭ କରିଛି ତହିଁର ସମ୍ୟକ ସୂଚନା ଦେଇଥିଲେ ∣

ବ୍ୟଙ୍ଗ ବିଳାସ ପାଇଁ ନୁହେଁ, ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ ବ୍ୟଙ୍ଗ କବି ଜ୍ଞାନ ହୋତା ∣ କବି ସତ୍ୟାନାଶ ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟର ବୈପ୍ଲବିକ ଧାରାର ଏକ ନିଖୁଣ ଚିତ୍ର ଦେଇ, ବ୍ୟଙ୍ଗ ରଚନାକୁ ସାହିତ୍ୟର ଏକ ଉଚ୍ଚାଙ୍ଗ ବିଭବ ବୋଲି ବର୍ଣନା କରିଥିଲେ ∣

ଅନ୍ୟମାନଙ୍କ ମଧ୍ୟରେ ବ୍ରଜବିହାରୀ ସୁବୁଦ୍ଧି , ଅନନ୍ତ ଜେନା, ଉମାକାନ୍ତ ମହାପାତ୍ର, ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ପ୍ରସନ୍ନ ଦାଶ ପ୍ରମୁଖ ବ୍ୟଙ୍ଗ ରଚନାକୁ ଏକ ବୈଶିଷ୍ଟ୍ୟସମ୍ପନ୍ନ ସାହିତ୍ୟ ଭାବେ ସ୍ବୀକୃତି ଦେବାକୁ ଓଡିଶା ସାହିତ୍ୟ ଏକାଡେମୀକୁ ଆହ୍ବାନ ଦେଇଥିଲେ ∣

ଏହି ଦାବି ସହ ଏକମତ ହୋଇ ଅଧ୍ୟକ୍ଷତା କରୁଥିବା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ଶତପଥୀ କହିଥିଲେ , ଅନ୍ତର୍ଭେଦୀ ଦୃଷ୍ଟି ଓ ସାର୍ବଜନିକ ଚେତନାର ନିର୍ଭିକ ଉପଯୋଗ କରି ଲୌକିକ ଭାଷାରେ ଯେଉଁ ସଂସ୍କାରଧର୍ମୀ ସାହିତ୍ୟ ସୃଷ୍ଟିକରାଯାଏ ତାହା ହିଁ ରୂପନିଏ ରମଣୀୟ ବ୍ୟଙ୍ଗର , ଯାହା ତାର ସର୍ଜନଶୀଳତାର ଶାଣୀତ ଶବ୍ଦ ବାଣରେ ଶ୍ରୋତା ଓ ପାଠକର ଚେତନା ଜାଗ୍ରତ କରାଇଥାଏ ଏବଂ ଦେଇଥାଏ ସଦା ଅନିର୍ବଚନୀୟ ବିରଳ ଆନନ୍ଦ ∣ ଏପରି ସାହିତ୍ୟକୁ ତାର ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ ସମ୍ପର୍କ ମିଡ଼ିଆ ଆରମ୍ଭ କରିଥିବା ଅଭିଯାନକୁ ସେ ଭାଷା ଆନ୍ଦୋଳନ ପକ୍ଷରୁ ପୁର୍ଣ ସମର୍ଥନ ଜ୍ଞାପନ କରିଥିଲେ ∣

ଭାଷା ଆନ୍ଦୋଳନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ମାନବିକ ସମ୍ପର୍କର ସ୍ଵାକ୍ଷର ରଖିଥିବା ବିଶିଷ୍ଟ ଓଡ଼ିଆଙ୍କ ଭିତରୁ ଉପାଧି ଗ୍ରହଣ କରିଥିଲେ ଡାକ୍ତର କମଳାକାନ୍ତ କର, ଡା. ନାରାୟଣ ରାଉତ, ମନୋରଞ୍ଜନ ମହାପାତ୍ର, ରଞ୍ଜନ କୁମାର ମହାପାତ୍ର, ବିପିନ ବିହାରୀ ଜୟସିଂହ , ଭୀମସେନ ପାଇକରାୟ , ଡା. ଚିତ୍ରଲେଖା ଜେନା ଓ ଶ୍ରୀମତୀ ଗୀତା ଦାଶ ∣

Is Facebook responsible for obliteration of the ‘Share’ button?

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଏଠାରେ ସ୍ଥାନିତ ଚିତ୍ରଗୁଡ଼ିକୁ ମନ ଦେଇ ଦେଖନ୍ତୁ ∣ ଏଗୁଡ଼ିକ ଭାଷା ଆନ୍ଦୋଳନର କଳାପତାକା ଅଭିଯାତ୍ରୀମାନଙ୍କୁ ପୋଲିସ ଦ୍ଵାରା ଅଯଥା ଅଟକ ଯାଇଥିବାର ଦୃଶ୍ୟ ସମ୍ବଳିତ ଫଟୋ ଯାହାକୁ ଆନ୍ଦୋଳନର ଆବାହକ ପବିତ୍ର ମହାରଥା ସାମାଜିକ ଗଣମାଧ୍ୟମ – ଫେସବୁକ – ରେ ଆପଣମାନଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ∣

ଆପଣମାନେ ଜାଣନ୍ତି ଭାଷା ଆଇନ ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଏବଂ ତାର ସମସ୍ତ ପଦ୍ଧତ୍ତି ଆଇନରେ ଲିପିବଦ୍ଧ କରିବା ପାଇଁ ଭାଷା ଆନ୍ଦୋଳନ ଯେଉଁ ଦାବି ଚଳାଇଛି ତାହା ଠିକ ବୋଲି ଭାବି ରାଜ୍ୟ ମନ୍ତ୍ରୀମଣ୍ଡଳ ଶାସକ ଦଳର ୨ ବର୍ଷ ପରିପାଳନ କାଳରେ ପ୍ରସ୍ତାବ ଗ୍ରହଣ କରିଛି ∣ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅମଲାମାନେ ତାକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ରରେ ଲିପ୍ତ ∣

ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିର ଯେଉଁ ପ୍ରେସ ଵିଜ୍ଞପ୍ତି ପ୍ରଚାରିତ ହୋଇଛି ତହିଁରୁ ଜଣାଯାଏ , ଏହି ମନ୍ତ୍ରୀମଣ୍ଡଳୀୟ ନିଷ୍ପତ୍ତିରେ ଆମ ମାତୃଭାଷାକୁ ଭାଷା ମାଫିଆଙ୍କ ଚାରଣ ଭୂମି କରିବା ସକାଶେ ବେସରକାରୀ ସଂସ୍ଥା ସହ ସହଭାଗିତା ଓ ଭାଷା ଆନ୍ଦୋଳନର ‘ ଭାଷା ଅଦାଲତ’ ବଦଳରେ ‘ଭାଷା କମିଶନ’ ପରି ବିଷାକ୍ତ ଉପାଦାନ ଖଞ୍ଜା ହୋଇଛି ତଥା ଦଣ୍ଡବିଧାନର ନିର୍ଦ୍ଦିଷ୍ଟ ସ୍ବରୂପ ଓ ପରିମାଣ ଉପରେ ମନ୍ତ୍ରିମଣ୍ଡଳର ମତ ସ୍ପଷ୍ଟ ହୋଇନଥିବା ହେତୁ ଅମଲାତନ୍ତ୍ରର ମର୍ଜି ପାଖରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହକର୍ମୀମାନେ ଓଡ଼ିଆ ଜାତିକୁ ପୁନର୍ବାର ବନ୍ଧା ପକାଇଛନ୍ତି ∣

ଏହି ପ୍ରବଞ୍ଚନାକୁ ଭାଷା ଆନ୍ଦୋଳନ ଗ୍ରହଣ ନ କରି ତାର ଅଭିଯାନ ଚଳାଇ ରଖିଛି ∣

ସୁତରାଂ ଓଡ଼ିଆ ଜାତି ପାଇଁ ପବିତ୍ର ବାବୁ ଉପସ୍ଥାପନା କରୁଥିବା ଫଟୋ-ସମ୍ବାଦ ଅତି ଗୁରୁତ୍ବପୂର୍ଣ ∣

ଏହି ମେଡିଆରେ ରହୁଥିବା ଉପସ୍ଥାପନାକୁ ଜନଗଣ ପରସ୍ପର ଭିତରେ ପ୍ରସାରିତ (Share) କରିବାପାଇଁ ବ୍ୟବସ୍ଥା ଥାଏ ଓ ସେଥିପାଇଁ ଏହା ଗଣମାଧ୍ୟମ ଭାବେ ବିବେଚିତ ∣ ମାତ୍ର ପବିତ୍ରଙ୍କୁ ଉପସ୍ଥାପନାରେ ଗତ କିଛି ଦିନ ଧରି ଏହି ପ୍ରସାରଣ ବ୍ୟବସ୍ଥାକୁ ଉଠେଇ ଦିଆଯାଇଛି ∣

ଆମର ଆଶଙ୍କା , ଏହି ହୀନ କାମ ଭାଷା ମାଫିଆମାନେ ଓ / ବା ଓଡିଶା ସରକାରଙ୍କ ଓଡ଼ିଆ ଭାଷା
ଵିରୋଧୀ ଅମଲାମାନେ ଓ / ବା ସେମାନଙ୍କ ଚାପରେ ଫେସବୁକ #Facebook ସଂସ୍ଥା କରିଥାଇପାରନ୍ତି ∣ 

ଏହି ଷଡଯନ୍ତ୍ର ବିରୁଦ୍ଧରେ ଓଡ଼ିଆ ଜାତି ଅଧିକ ସଂଗଠିତ ହେବାକୁ ହେବ 

ପବିତ୍ର ବାବୁଙ୍କ timelineରେ ସମ୍ପ୍ରସାରିତ ହୋଇପାରୁନଥିବା ଗତକାଲିର ଫଟୋ-ସମ୍ବାଦଗୁଡିକ  ନିମ୍ନରେ ଦିଆଗଲା :

Cabinet Resolution too tricky to be noted as honest

ଯାହା ଜଣାପଡୁଛି , ସରକାର ଭାଷା ଆନ୍ଦୋଳନ ଦାବିର ଗରିମା ଓ ଗୁରୁତ୍ବ ଉପଲବ୍ଧି କରିଛନ୍ତି ∣ ଆଜି ପୁରୀରେ ଅନୁଷ୍ଠିତ  ମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ବୈଠକରେ ଗୃହୀତ ପ୍ରସ୍ତାବର ପ୍ରେସନୋଟ ନିମ୍ନରେ ଦିଆଗଲା ∣ ଲକ୍ଷ୍ୟ କରିବାର କଥା , ଏଥିରେ ଅତି ଚତୁରତା ସହ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଓଡ଼ିଆ ଜାତିକୁ ଯେଉଁ ଭାଷା ଅଧିକାର ଦେଇଥିଲା ତାହାକୁ ଖର୍ବ କରିବା ପାଇଁ ଓଡ଼ିଆ ବିଦ୍ଵେଷୀମାନେ ଉପାଦାନ ଖଞ୍ଜିଛନ୍ତି । ଆମକୁ ଏହାକୁ ବିରୋଧ କରିବାକୁ ହେବ ।
– ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ,ଓଡ଼ିଶା

ଓଡ଼ିଆ ବିରୋଧୀଙ୍କୁ ଦଣ୍ଡବିଧାନ ସୁନିଶ୍ଚିତ ଦରକାର

ଦୁଇଶ ପଚାଶ ଦିନ ଟପିଲା ବ୍ୟାସ ନଗରରେ ଦୈନିକ କଳାପତାକା ଅଭିଯାନ

ଏଇ ଡିସେମ୍ବର ତେଇଶିରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ବ୍ୟାସ ନଗରରେ ଟପିଲା 250 ଦିନ ∣  ବିଶିଷ୍ଟ ସମାଜସେବୀ ଶ୍ରୀ ରାଜେନ୍ଦ୍ର ବିଶ୍ଵାଳ ଯାହାଙ୍କ ନେତୃତ୍ବରେ ଏ ଅଭିଯାନ ସେଠାରେ ଚାଲିଛି, ଏହି ବିଶେଷ ଦିବସ ଉପଲକ୍ଷେ ଆୟୋଜିତ ସକ୍ରିୟସାଥୀ ସମାରୋହରେ ସଭାପତିତ୍ଵ କରିଥିଲେ 

ବ୍ୟାସନଗର ଶାଖାର ନାରାୟଣ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ପାତ୍ର, ଚିନ୍ତାମଣି ପାଢ଼ୀ, ଭୁବନାନନ୍ଦ ମହାନ୍ତି, ବ୍ରଜକିଶୋର ସିଂହ, ଉପେନ୍ଦ୍ର ନାଥ, ପ୍ରଫୁଲ୍ଲ ସାହାଣୀ, ଚନ୍ଦ୍ରଶେଖର ପଣ୍ଡା, ମହେଶ୍ବର ନାୟକ, ଚନ୍ଦ୍ରମଣି ସାମଲ, ବିଶ୍ବଜିତ ମହାନ୍ତି, ଗଜାନନ ମିଶ୍ର, ସଂଯୁକ୍ତା ମହାପାତ୍ର ପ୍ରମୁଖ ନିଜ ନିଜ ଭାଷଣରେ ଭାଷା ଆନ୍ଦୋଳନର ଦାବି ହିଁ କାହିଁକି ଜନହୃଦୟର ଦାବି ତାହା ବର୍ଣନା କରିଥିଲେ ଓ ଯେଉଁଯାଏଁ ଏହି ଦାବି ମାନି ଓଡ଼ିଆ ଭାଷାରେ ଦାପ୍ତରିକ କାମ ନ କରିବା ବ୍ୟକ୍ତିକୁ ଦଣ୍ଡ ବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜା ନହୋଇଛି ସେ ପର୍ଯ୍ୟନ୍ତ କଳାପତାକା ଅଭିଯାନ ଚାଲିବ ବୋଲି ଘୋଷଣା କରିଥିଲେ ∣ 

ଭାଷାତପସ୍ବୀ ଗଜାନନ ମିଶ୍ର, ଭାଷା ଆନ୍ଦୋଳନ,ଓଡ଼ିଶାର ଆବାହକ ପବିତ୍ର ମହାରଥା ଆନ୍ଦୋଳନର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କଲା ପରେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସକ୍ରିୟସାଥୀ ସମାରୋହ ପରେ ପଟୁଆର ଯାଇ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆନ୍ଦୋଳନକୁ ଅଧିକ ସମ୍ପ୍ରସାରିତ କରିବାକୁ ଶପଥ ନବୀକୃତ ହୋଇଥିଲା 

ବ୍ୟାସଭୂମି ମହିମା ସେବା ଚ୍ୟାରିଟେବଲ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରିତ ହୋଇ ଭାଷା ଆନ୍ଦୋଳନର କେନ୍ଦୀୟ ନେତୃତ୍ବ ବ୍ୟାସ ନଗର ସ୍ଥିତ ସୁବିଖ୍ୟାତ ବ୍ୟାସ ସରୋବର ପରିଦର୍ଶନରେ ଯାଇ ତହିଁର ପରିବେଶ ପ୍ରତି ସରକାରୀ ଉଦାସୀନତା କାରଣରୁ ସେହି ପୁରାଣପ୍ରସିଦ୍ଧ ଜଳଖଣ୍ଡ କିପରି ଅସ୍ତିତ୍ବ ହରାଇବାକୁ ବସିଲାଣି ତାହା ଦେଖି ଘୋର ଉଦ୍ବେଗ ପ୍ରକାଶ କରିଥିଲେ ∣