ଉତ୍କଳ ଗୌରବ

ଲେଖକ : ମହେନ୍ଦ୍ର ତ୍ରିପାଠୀ

ହେ ଉତ୍କଳ ସୂର୍ଯ୍ୟ-ଉତ୍କଳ ଗୈାରବ
ଜାତିର ନିଅ ପ୍ରଣତି
ସ୍ଵତନ୍ତ୍ର ଓଡିଶା, ଭାଷା-ଭାସ୍କର୍ଯ୍ୟର
ନିର୍ବିବାଦୀୟ ସ୍ଥପତି ।।

ସ୍ଵତନ୍ତ୍ର ଓଡିଶା ଆଜି ବି ବିଚ୍ଛିନ୍ନ
ଭାଷା ମହାବିପଦରେ
ଭାଷା-ମାଟି ପାଇଁ ଆନ୍ଦୋଳନ ଚାଲେ
ଆଶୀର୍ବାଦ ଢାଳ ଧୀରେ ।।

କହି ହୁଏ ନାହିଁ ସହି ହୁଏ ନାହିଁ
ଆପଣା ସୁନା ତ ଭେଣ୍ଡି
ଆଜି ବି ‘ଚରଣ’ମାଆର ଗଳାରେ
ଚୋଟ ମାରେ ବେଳ ଉଣ୍ଡି ।।

ଶହେ ବା’ସ୍ତରୀତମ ଜନ୍ମତିଥି
ପାଳୁ ମାତ୍ର ଉପଚାରେ
ତୁମକୁ ବୁଝିଲା ନାହିଁ ଏ ଓଡ଼ିଆ
ବଞ୍ଚି ଥାଉଥାଉ ମରେ ।।

ହା-ହତାଶର କାହାଣୀ ବଖାଣେ
ଅବହେଳା ଛତ୍ରେଛତ୍ରେ
ମୁଁ କିନ୍ତୁ ଅଧମ ଜାଣିପାରୁ ନାହିଁ
କର୍ତ୍ତବ୍ୟ ମୋ କେଉଁ ସୂତ୍ରେ ???
(ଭାଷା ଆନ୍ଦୋଳନକୁ ସମର୍ପିତ)

ଆମ ଭାଷା ପାଇଁ ଆମ ଅଭିଯାନ // ଆଜି କଲା ଚାରିବର୍ଷ ଅତିକ୍ରମ

ଚିତ୍ର ଉପସ୍ଥାପନା : ରଞ୍ଜନ କୁମାର ସାହୁ,

ବିଷୟ ଉପସ୍ଥାପନା :  ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ସୃଷ୍ଟି ହୋଇଥିଲା ଓଡ଼ିଶା । ବ୍ରିଟିଶ ଯେତେବେଳେ ଆମ ମାଟିରେ ରଖିଥିଲା ତାର ଅନୁପ୍ରବେଶକାରୀ ପଦ, କିପରି ଥିଲା ଆମ ଜାତି? ଟୟନବୀଙ୍କ ଭାଷାରେ “It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” (A Sketch of the History of Orissa, G.Toynbee) । ପରେ ଯୁଗ୍ମ ବିଚାରପତି ଡବ୍ଲ୍ୟୁ॰ ଫରେଷ୍ଟର ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ଲେଖିଥିଲେ ଓଡ଼ିଆ ଲୋକଙ୍କ ମାଟି ଏତେ ବୀରତ୍ବବ୍ୟଞ୍ଜକ ଓ ମିଜାଜ ଏତେ କଡ଼ା ଯେ, ସେନା ବାହିନୀ ବ ପୋଲିସ ବଳରେ ସେମାନଙ୍କୁ କାବୁ କରିହେବନି (କମିଶନର ରୋବର୍ଟ କେରଙ୍କୁ ରିପୋର୍ଟ , ୯.୯.୧୮୧୮) । ଏହି ବୀରତ୍ବପୂର୍ଣ ମିଜାଜକୁ ଧ୍ବଂସ କରିଦେବାପାଇଁ ବ୍ରିଟିଶ କୂଟନୀତିଜ୍ଞମାନେ ବହୁ ଷଡ଼ଯନ୍ତ୍ର କରି ଆମ ପଡ଼ୋଶୀ ଭିନ୍ନ ଭାଷା ଭାଷୀ ପ୍ରଦେଶମାନଙ୍କରେ  ଆମ ମାଟିକୁ  ଭାଗ ଭାଗ କରି ମିଶାଇ ଦେଇଥିଲେ ଓ ସେଠାରେ ଆମକୁ ସଂଖ୍ୟାଲଘୁ କରାଇ ସେମାନଙ୍କ ଭାଷା ଆମ ଉପରେ ନଦିଦେଇଥିଲେ । ଅଣଓଡ଼ିଆ ଭାଷାରେ ଚାଲିଥିଲା ଓଡ଼ିଶାର ଶାସନ । କିନ୍ତୁ ଓଡ଼ିଆ ମିଜାଜ ଏହି ଚକ୍ରାନ୍ତକୁ ଚୁରମାର କରିଦେଲା ଏବଂ ଓଡ଼ିଆ ଅସ୍ମିତା ପାଖରେ ମୁଣ୍ଡ ନୂଆଁଇ ବ୍ରିଟିଶ ସରକାର ଅବଶେଷରେ ନିଜ ଛାପ ନିଜେ ଢୋକି ଆମ ଭାଷାରେ ଆମ କାର୍ଯ୍ୟ ପରିଚାଳନା ପାଇଁ ଆମ ପୂର୍ବସୂରୀମାନଙ୍କ ଦାବିକୁ ସମ୍ମାନ ଜଣାଇ ମା ଓଡ଼ିଶାକୁ ଆବିର୍ଭୂତ ହେବାରେ ସାହାଯ୍ୟ କଲା । କିନ୍ତୁ  ସ୍ଵାଧୀନତା ପରେ ଆମ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଉତ୍କଟ ଇଂରାଜୀମନସ୍କତା ହେତୁ ଆମ ରାଜ୍ୟରେ ଆମ ଭାଷାରେ ନୁହେଁ ,ଇଂରାଜୀ ଭାଷାରେ ରାଜୁତି ଚାଲିଛି ।

ଆମ ଭାଷା ବିରୁଦ୍ଧରେ ସରକାରୀ ଷଡ଼ଯନ୍ତ୍ର  ବନ୍ଦ ହେଉ ଓ ଓଡ଼ିଶାର ପରିଚାଳନା ଓଡ଼ିଆରେ ହେଉ ବୋଲି ସରକାରଙ୍କୁ ପରାମର୍ଶ ଦେଇ ମୁଁ ସେଥିପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଯେଉଁ ଚିଠା ବିଧାନ ଦେଇଥିଲି ତାହାକୁ ମୁଖ୍ୟମନ୍ତ୍ରୀ ମାନିଥିଲେ ୨୦୧୫ ସାରିବା ପୂର୍ବରୁ ବି ଆଇନ ସଂଶୋଧନ ହୋଇ ଆମ ଭାଷାରେ ଆମ ରାଜ୍ୟ ଚାଲନ୍ତାଣି । କିନ୍ତୁ ଓଡ଼ିଆବିଦ୍ଵେଷୀ ନବୀନ ପଟ୍ଟନାୟକ ତାହା କରାଇଦେଉନାହାନ୍ତି । ମନ୍ତ୍ରୀସ୍ତରୀୟ କମିଟି ମୁଖ୍ୟମନ୍ତ୍ରୀଙ୍କ ହେତୁ ନିରର୍ଥକ ହୋଇଗଲା ପରେ ୨୦୧୬ର ଆଜିର ଦିନରେ ମୁଁ ଯେଉଁ କଳା ପତାକା ଅଭିଯାନ ଆରମ୍ଭ କରିଥିଲି ତହିଁରେ ସାମିଲ  ହୋଇଥିବା ମୋର ମୁଖ୍ୟ ସହକର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୋଷାମନେଇ ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଯେଉଁ ଅପୋଦୟାମ କରିଥିଲେ , ତାହାକୁ ଓଡ଼ିଆ “ମିଜାଜ୍” ପ୍ରତ୍ୟାଖ୍ୟାନ କରିଛି ଓ ଓଡ଼ିଆ ଜାତିର ସଚେତନବର୍ଗ ନିଜ ଭାଷା ମାଆକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି । ଫଳରେ ଏହି ଯୁଗାନ୍ତକାରୀ ଆନ୍ଦୋଳନ ଆଜି ଅତିକ୍ରମ କରିଛି ଚତୁର୍ଥ ବର୍ଷ ।

ଆମେ ଆଶା କରୁଛୁ , ମୁଖ୍ୟମନ୍ତ୍ରୀ ନିଜର ଭୁଲ ସଂଶୋଧନ କରିବେ ଓ ଆଇନର ପୁନଃ ସଂଶୋଧନ କରି ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ଅଲଙ୍ଘ୍ୟ କରିବେ ।

ଶ୍ରୀମାନ୍ ରଞ୍ଜନ କୁମାର ସାହୁ ଆଜିର ଏହି ସ୍ଵତନ୍ତ୍ର ଦିବସ ପାଇଁ ଓଡ଼ିଆ ଜାତି ସମ୍ମୁଖରେ ଆମ ପୂର୍ବସୂରୀମାନଙ୍କ ମଧ୍ୟରୁ ଯତ୍ପରୋନାସ୍ତି ସମ୍ଭବ ଏପରି କେତେକଙ୍କ ଫଟୋଚିତ୍ର ସଂଗ୍ରହ କରି ଭାଷାଆନ୍ଦୋଳନର ବାର୍ତ୍ତା ସହ ପ୍ରଦାନ କରିଛନ୍ତି, ଯେଉଁମାନେ  ସୁଦୃଢ଼ କରିଥିବା ଓଡ଼ିଆ ଅସ୍ମିତାକୁ ଆଧାର କରି କଳା ପତାକା ଅଭିଯାନ ଚାଲିଛି । ଆଉ କେତେକଙ୍କ ଫଟୋଚିତ୍ର ସମୟ ଅଭାବରୁ ସେ ସଂଗ୍ରହ କରିପାରିନାହାନ୍ତି । ତାହା ହସ୍ତଗତ ହେଲେ ଏଠାରେ ସ୍ଥାନିତ ହେବ । ଆମକୁ ବୁଝିବାକୁ ହେବ ଯେ, ଓଡ଼ିଶାରେ ଇଂରାଜୀ ରାଜୁତି ଯେତେଦିନ ଚାଲିଥିବ ଆମ ଏହି ପୂର୍ବସୂରୀମାନଙ୍କ ପ୍ରତି ରାଷ୍ଟ୍ରୀୟ ଅପମାନ ସେତେଦିନ ଆମକୁ ଦଗ୍ଧିଭୂତ କରିଚାଲିଥିବ ।

ଓଡ଼ିଆ ଅସ୍ମିତାର ଏହି ରୂପକଳ୍ପମାନଙ୍କ ପ୍ରତି ଭାଷା ଆନ୍ଦୋଳନ ଜଣାଉଛି କୋଟି ପ୍ରଣାମ ଓ ଆଦର୍ଶସ୍ଥାନୀୟ  ଭାଷାପ୍ରାଣ ଶ୍ରୀମାନ୍ ରଞ୍ଜନ କୁମାର ସାହୁଙ୍କୁ  ତାଙ୍କ ଏହି ଅନନ୍ୟ ଅବଦାନ ପାଇଁ ଅର୍ପଣ କରୁଛି ଅଶେଷ ଧନ୍ୟବାଦ ।

ଆମ ଭାଷା ପାଇଁ ଆମ ପ୍ରଦେଶ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠତା , ଭାଷା ଆନ୍ଦୋଳନ , ଓଡ଼ିଶା

ସମ୍ବଲପୁର ବାହୀକୁ ମଧ୍ୟପ୍ରଦେଶ ଅନ୍ତର୍ଗତ କରି ସେଠାରେ ହିନ୍ଦୀ ଭାଷାକୁ ରାଜଭାଷା କରାଯିବା ଥିଲା ଆମ ପୂର୍ବପୁରୁଷଙ୍କ ପାଇଁ ସମ୍ପୂର୍ଣ ଅସହ୍ୟ । ବିଲାତି କର୍ତ୍ତୃପକ୍ଷଙ୍କ ଯୁକ୍ତି ଥିଲା, ମଧ୍ୟ ପ୍ରଦେଶର ଅନ୍ୟସବୁ ଜିଲ୍ଲାର ଭାଷା ଯେହେତୁ ହିନ୍ଦୀ, ସମ୍ବଲପୁରରେ ସରକାରୀ କାର୍ଯ୍ୟ ସମ୍ପାଦନର ଭାଷା ବି ହେବ ହିନ୍ଦୀ । ଏହି ଯୁକ୍ତିକୁ ଅଗ୍ରାହ୍ୟ କରି , ସମ୍ବଲପୁର ହିତୈଷିଣୀ ଲେଖିଥିଲା, “ଯେବେ ମଧ୍ୟପ୍ରଦେଶାଧୀନରେ ରହିବାରୁ ସମ୍ବଲପୁର ଜିଲ୍ଲାରେ ଓଡ଼ିଆ ଭାଷା ଚଳାଇବାର ଅସୁବିଧା ହୁଏ, ତେବେ ସମବଲପୁରକୁ ଓଡ଼ିଶା ସଙ୍ଗେ ମିଶାଇ ଦିଆଯାଉ” (ଭାଗ ୬ , ସଂଖ୍ୟା ୧, ସଂସ୍କରଣ ତାରିଖ ୬.୬.୧୮୯୪)

ଏହି ପରି କେତେ ଯେ ଯୁକ୍ତି କରି ଆମ ପୂର୍ବ ପୁରୁଷେ ଆମ ଭାଷାରେ ଆମ କାମ ପାଇଁ ଓଡ଼ିଶା ପ୍ରଦେଶ ତିଆରି କରିଥିଲେ ଏବର ବୁଦ୍ଧିବନ୍ଧ୍ୟା କ୍ଷମତାନ୍ଧମାନେ ସେ କଥା କାହୁଁ ବା ବୁଝିବେ?

ସେମାନଙ୍କୁ ବୁଝେଇବାକୁ ଓଡ଼ିଆ ଭାଷା ଜନନୀର ବିଜୟଧ୍ଵଜା – କଳା ପତାକା – ଆଜି ମୋ ସହ ତୋଳିଥିଲେ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର । ସହଯୋଗ କରିଥିଲେ ଆଶିଷ କୁମାର ବେହେରା ।
ଆଜି ଥିଲା ଆମ ଆଂଦୋଳନର ୧୩୨୧ତମ ଦିବସ ।

Posted by Subhas Chandra Pattanayak on Wednesday, November 27, 2019

Posted by Subhas Chandra Pattanayak on Wednesday, November 27, 2019

୨୭.୧୧.୨୦୧୯

ମୁଖ୍ୟମନ୍ତ୍ରୀଙ୍କ ଭାଷା ଆଚରଣ ଉପରେ ନ୍ୟାୟିକ ତଦନ୍ତ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ସରକାରୀ ଭାଷା ଆଇନକୁ କିପରି କାର୍ଯ୍ୟକାରୀ କରିହେବ ତାହା ନିର୍ଦ୍ଧାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭.୭.୨୦୧୫ ତାରିଖରେ ଓଡ଼ିଆ ଭାଷା ସଂଗ୍ରାମ ସମିତି ସହ ଚୁକ୍ତି କରିବା ପରେ ୩୧।୭।୨୦୧୫ ତାରିଖରେ ସେଥିପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ । ରହସ୍ୟଜନକ ଭାବେ କମିଟିରୁ ଭାଷା ସଂଗ୍ରାମ ସମିତିକୁ ବାଦ ଦେଇ ତହିଁରେ ବ୍ୟକ୍ତିଗତ ଭିତ୍ତି ଉପରେ ମନୋନୀତ ସଭ୍ୟ ରଖାଗଲା । ମୁଁ ଜଣେ ମନୋନୀତ ସଭ୍ୟ ଭାବେ ଅବସ୍ଥାପିତ ହୋଇଥିଲି ।

ଆଇନଟି କିପରି କାର୍ଯ୍ୟକାରୀ ହେବ ତା ପାଇଁ ଗଭୀର ଗବେଷଣା କରି ମୁଁ ୩.୯.୨୦୧୫ ତାରିଖରେ ସରକାରଙ୍କୁ ପ୍ରସ୍ତାବ ଓ ଚିଠା ବିଧାନ ଦେଲି । ତହିଁ ଅନୁସାରେ ସରକାର ୨୦୧୬ରେ ଭାଷା ଆଇନ ସଂଶୋଧନ କରି ତହିଁରେ ଧାରା ୫ ଖଞ୍ଜିଲେ ଓ ନିୟମ ପ୍ରଣଯନ ପାଇଁ ଅଧିକୃତ ହେଲେ ।

କିନ୍ତୁ ସେହି ସଂଶୋଧନରେ ସମ୍ପୂର୍ଣ ଅନଧିକୃତ ଭାବେ ଯେଉଁ ୪ର୍ଥ ଧାରା ଯୋଡା ହେଲା ତହିଁର ବିଲୋପନ ବା ପରିବର୍ତ୍ତନ ପାଇଁ ମୁଁ ଦେଇଥିବା ସ୍ମାରକପତ୍ର ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ ଓ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୧୯.୫.୨୦୧୭ରେ ସେ ଗ୍ରହଣ କରିଥିଲେ । ତାହାର ପତ୍ତା ତାଙ୍କ ଅଫିସରେ ମିଳୁନି ।

ସେଇ ଦିନଠାରୁ ମୂଳ ଭାଷା ଆଇନଟିକୁ ନଷ୍ଟ ଓ ନିଷ୍ଫଳ କରାଇବା କାମରେ ସେ ଲାଗିପଡ଼ିଛନ୍ତି । ପବିତ୍ର ମହାରଥାଙ୍କ ଆର୍ଥିକ ଅପରାଧ ଉପରେ ତଦନ୍ତ କରୁଥିବା ପୋଲିସକୁ ନିରସ୍ତ କରାଯାଇଛି, ସ୍ତ୍ରୀଙ୍କ ବେଆଇନ ନିଯୁକ୍ତି ମାଧ୍ୟମରେ ଅନ୍ୟୁନ୍ୟ ଦେଢକୋଟି ଟଙ୍କାର ଆୟ ପନ୍ଥା ଖୋଲାଯାଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବଶୀଭୂତ କରାଯାଇଛି; ଏବେ ଶୁଣିବାକୁ ମିଳୁଛି, ଏକ ସମାନ୍ତରାଳ ଭାଷା ଆନ୍ଦୋଳନ କରି ମୋ ପ୍ରଦତ୍ତ ଚିଠା ବିଧାନକୁ ସମର୍ଥନ କରି ଚାଲିଥିବା ଆଂଦୋଳନ ଉପରେ ବିଭ୍ରାନ୍ତି ସୃଷ୍ଟିପାଇଁ ୧୫ ଲକ୍ଷ ଟଙ୍କାର ଭିତିରି ପାଣ୍ଠି ମୁକରିର କରାହୋଇଛି । ସତ୍ୟାସତ୍ୟ କେବଳ ଏକ ନ୍ୟାୟିକ ତଦନ୍ତରେ ଧାରା ପଡ଼ିବ ।

ଏହାଠୁ ଅଧିକ ଉଦ୍ବେଗର କଥା, ଆମ ଜାତିର ଭାଷା ଅଧିକାରକୁ ଖର୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଏକ ଅଭୂତପୂର୍ବ କ୍ୟାବିନେଟ୍ ସ୍କାମ୍ ଘଟାଇଛନ୍ତି ।

ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷା ଉପରେ ଏପରି ଜହ୍ଲ୍ଲାଦୀୟ ଆକ୍ରମଣ କରିବା , ଭାଷା ଆନ୍ଦୋଳନ ପରି ଏକ ସାମାଜିକ ଆନ୍ଦୋଳନର ସ୍ମାରକପତ୍ର ଲୁଚାଇ ଦେବା ବା ନଷ୍ଟ କରିବା, ରାଜ୍ୟବାସୀଙ୍କ ଭାଷା ଅଧିକାରକୁ ଉଜାଡ଼ି ଦେବାପାଇଁ କ୍ୟାବିନେଟ୍ ସ୍କାମ୍ ପରି ଅପରାଧରେ ଲିପ୍ତ ହେବା , ଭାଷା ଆନ୍ଦୋଳନକାରୀମାନଙ୍କ ଭିତରେ ଥିବା ପେଟପାଟଣାବାଦୀମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଶାସନିକ ଶ୍ରୁଙ୍ଖଳାଭାଙ୍ଗିବା ଇତ୍ୟାଦି ଅତ୍ୟନ୍ତ ଦୂଷଣୀୟ ଅପରାଧ ।

ତେଣୁ ଏ ଅପରାଧର ସ୍ୱରୂପ ଓ ଗଭୀରତା ନିରୂପଣ ପାଇଁ ଏକ ନ୍ୟାୟିକ ତଦନ୍ତର ଆବଶ୍ୟକତା ଅଛି ।

ମୁଖ୍ୟମନ୍ତ୍ରୀ ନିଜ ଆଚରଣର ଶୁଦ୍ଧତା ପ୍ରତିପାଦନ କରିବା ପାଇଁ ଏକ ତଦନ୍ତ କମିଶନ ବସାନ୍ତୁ । ଆମ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସଂହଦେଓ ନିଜ ବିରୁଦ୍ଧରେ ତଦନ୍ତ କମିଶନ ବସାଇ ଯେଉଁ ନଜିର (precedence) ସୃଷ୍ଟି କରିଛନ୍ତି ତାହା ଅନୁସରିତ ହେଲେ ଓଡ଼ିଶାର ମର୍ଯ୍ୟାଦା ବଢିବ ।