ସିଧା ପ୍ରସାରଣରେ ବାଧା ସୃଷ୍ଟି ସତ୍ତ୍ୱେ ଲୋକାର୍ପିତ ହେଲା ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମ ଭାଷାରେ ଆମ କାର୍ଯ୍ୟ ପାଇଁ ଆମ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଏକାଠି କରି ଏକ ସ୍ଵତନ୍ତ୍ର ପ୍ରଦେଶ ତିଆରି କରାଯାଉ ବୋଲି ପ୍ରଥମ ସ୍ଵର ଉଠିଥିଲା ଗଞ୍ଜାମ ଜିଲ୍ଲାର ଘୁମୁସରରେ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଜାତିର କୁଳବୃଦ୍ଧ , ମହାତ୍ୟାଗୀ ମଧୁସୂଦନଙ୍କ ସହାୟତାରେ ଏହି ସ୍ଵର ସାର୍ଥକ ହୋଇଥିଲା ; ଆବିର୍ଭୂତ ହୋଇଥିଲା ମା ଓଡ଼ିଶା, ଭାଷା-ଜାତୀୟତାର ମହାଯଜ୍ଞରୁ ।

ଅଥଚ ସେହି ଗଞ୍ଜାମ ଜିଲ୍ଲାରୁ ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ ସୃଷ୍ଟିର ଏହି ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଜଘନ୍ୟ ଷଡ଼ଯନ୍ତ୍ରରେ ଲିପ୍ତ । ଏହି ଦୁଃଖଦ ଦୃଶ୍ୟପଟର ପ୍ରାମାଣିକ ତଥ୍ୟ ଉପସ୍ଥାପିତ ହୋଇଛି ‘ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ’ ଶୀର୍ଷକ ମୋ ପୁସ୍ତକରେ ।

ଓଡ଼ିଶା ପ୍ରଦେଶ ସୃଷ୍ଟି କରି ଓଡ଼ିଆ ଭାଷାରେ ତାର ପରିଚାଳନା ପାଇଁ ଉଠିଥିବା ପ୍ରଥମ ସ୍ଵରର ସ୍ମୃତିବିଜଡ଼ିତ ସେପ୍ଟେମ୍ବର ୧୧ ସନ୍ଧ୍ୟାରେ ଫେସବୁକ ମଞ୍ଚରେ ସିଧା ପ୍ରସାରଣ ଶୈଳୀରେ ମୁଁ ମୋ ରାଜ୍ୟବାସୀ ଭାଇଭଉଣୀମାନଙ୍କ ହାତରେ ଏହି ବହିଟିକୁ ଅର୍ପଣ କରିଛି ଏହି ଆଶାରେ ଯେ, ଗୋଟେ ଇଂରାଜୀମନସ୍କ ସରକାରର ଜଘନ୍ୟ ଷଡ଼ଯନ୍ତ୍ର କବଳରୁ ନିଜ ଭାଷାଜନନୀଙ୍କୁ ରକ୍ଷା କରିବା ପାଇଁ ସେମାନେ ଜାଗ୍ରତ ହେବେ ।

କୌଣସି ଅଜ୍ଞାତ କାରଣରୁ ଏହି ସିଧା ପ୍ରସାରଣ ବାଧା ପାଇଥିଲେ ମଧ୍ୟ କେତେକ ସହୃଦୟ ବନ୍ଧୁଙ୍କ  ତତ୍କାଳ ଅଭିମତ ସମଗ୍ର ଜାତିର ଅବଗତି ପାଇଁ ଉପସ୍ଥାପିତ କରୁଛି ।  ଏହାର ପ୍ରସାରଣରେ ବାଧା ଦେଇଥିବା ବ୍ୟକ୍ତି ଅନୁଭବ କରିବା ଆବଶ୍ୟକ ଯେ, କୌଣସି ବାହ୍ୟ ହସ୍ତକ୍ଷେପ ଦ୍ଵାରା କୌଣସି ଜାତିର ଜାତୀୟ ବ୍ୟାକୁଳତାକୁ ଅଟକାଯାଇନପାରେ । ଓଡ଼ିଆ ଭାଷାରେ ଓଡ଼ିଶା ଚାଲିବ । କାରଣ ଓଡ଼ିଆ ଜାତି ତାର ପରିଚୟ ହଜିଯିବାକୁ ଦେବନାହିଁ । ଏହି “ସ୍କ୍ରିନଶଟ”ଗୁଡ଼ିକରେ ଯେଉଁ ଅଭିମତ ଦୃଶ୍ୟମାନ ତାହା ଏହି ମହିମାମଣ୍ଡିତ ଜାତିର ଭାବନାର ପ୍ରତିଫଳନ ।  ଆମ ଭାଷାକୁ ମାରିଦେବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହା ଅନୁଭବ କରନ୍ତୁ ଓ ନିଜ ନିଜକୁ ସଜାଡ଼ନ୍ତୁ ।  

ନବୀନଙ୍କ ରାଜୁତିରେ ମୃତ୍ୟୁ ମୁହଁରେ ଓଡ଼ିଆ ଭାଷା: ଭାଷା ଆନ୍ଦୋଳନର ସିଧାପ୍ରସାରଣରେ ଡଃ ଗୋବିନ୍ଦ ଭୂୟାଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶିଷ୍ଟ ଲେଖକ ଓ ସ୍ତମ୍ଭକର ଡଃ ଗୋବିନ୍ଦ ଭୂୟାଁ ଭାଷା ଆନ୍ଦୋଳନର ‘ଭାଷା ମା ପାଇଁ ପଦେ’ ମଞ୍ଚରୁ ସିଧା ପ୍ରସାରିତ ହୋଇଥିବା ବକ୍ତବ୍ୟରେ ଓଡ଼ିଆ ଭାଷାର ଗରିମାମୟ ଅତୀତ ଓ ଅଗ୍ରଗତିର ଏକ ଆଲୋକବର୍ଷୀ ବର୍ଣନା ରଖି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଆ ଜାତିର ମାତୃଭାଷାକୁ ମାରିଦେବାକୁ ଉଦ୍ୟମ ଚାଲିଥିବା ଦର୍ଶାଇଛନ୍ତି ।

ଉଲ୍ଲେଖନୀୟ ଯେ, କରୋନା କାଳରେ କଳାପତାକା ଅଭିଯାନ କାୟିକତଃ ସ୍ଥଗିତ ଥିବାବେଳେ ବୌଦ୍ଧିକତଃ ଅବ୍ୟାହତ ଅଛି ଓ ପ୍ରତି ସପ୍ତାହରେ ଜଣେ ବିଜ୍ଞ ଓଡ଼ିଆ ଫେସ୍ ବୁକ୍ ମାଧ୍ୟମରେ ଏହି ଭିଡ଼ିଓ ବକ୍ତୃତାମାଳାରେ ଏହି ଅଭିଯାନକୁ ସମର୍ଥନ ପ୍ରଦାନ କରୁଛନ୍ତି । ଜୁଲାଇ ୨୦ ସୋମବାର ସିଧାପ୍ରସାରିତ ହୋଇଥିଲା ଡଃ ଭୂୟାଁଙ୍କ ବକ୍ତୃତା ।

ସମୟସୀମା ଦୃଷ୍ଟିରୁ ତାହା ଅଦ୍ୟତନ କରି ନିମ୍ନରେ ପ୍ରଦତ୍ତ ହେଲା –

ଭାଷା ଆନ୍ଦୋଳନରୁ ଓହରିଯିବା ମାତୃଦ୍ରୋହ : ଜନନେତା ପ୍ରସାଦ ହରିଚନ୍ଦନ

କରୋନା ମହାମାରୀର ମୁକାବିଲାରେ ସରକାର କେନ୍ଦ୍ରୀଭୂତ ରହନ୍ତୁ – ଏଥିପାଇଁ କଳା ପତାକା ଅଭିଯାନର କାୟିକ ପ୍ରଦର୍ଶନ ସ୍ଥଗିତ ଥିବା ବେଳେ ବୌଦ୍ଧିକ ଅଭିଯାନ ଅକ୍ଷୁର୍ଣ୍ଣ ଅଛି । ଏହି କ୍ରମରେ ଫେସ୍ ବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରେ ସମ୍ମାନିତ ଜନନେତା ପ୍ରସାଦ ହରିଚନ୍ଦନ ଆଜି ପୂର୍ବାହ୍ନରେ ‘ଓଡ଼ିଆରେ ଓଡ଼ିଶା’ ବିଷୟରେ ଆଲୋଚନା କରିଥିଲେ ।

ଶିକ୍ଷିତ ଓଡ଼ିଆମାନଙ୍କ ମାତୃଭାଷା ପ୍ରତି ବିମୁଖତା, ସରକାରଙ୍କ ଉଦାସୀନତା ଏବଂ ଓଡ଼ିଆମନସ୍କ ନେତୃତ୍ଵର ଅଭାବ ହେତୁ ଓଡ଼ିଆ ଭାଷା ଆଜି ସଙ୍କଟକବଳିତ ବୋଲି କହି ଶ୍ରୀ ପ୍ରସାଦ ଓଡ଼ିଆ ଜାତିର ଜନ୍ମସିଦ୍ଧ ଅଧିକାର ହାସଲ ପାଇଁ ଚାଲିଥିବା ଭାଷା ଆନ୍ଦୋଳନରୁ କୌଣସି ଆନ୍ଦୋଳନକାରୀ ଓହରିଯିବା ମାତୃଦ୍ରୋହ ବୋଲି ଅଭିହିତ କରିଥିଲେ ।  ପ୍ରତି ଓଡ଼ିଆ ନିଜ ପାଇଁ ନିଜର ଆଚରଣ ସଂହିତା ପ୍ରସ୍ତୁତ କରି ଭାଷା ମା ପାଇଁ ଜୀବନ ପଣ କରିବାକୁ ଆହ୍ଵାନ ଦେଇଦେଇଥିଲେ ଶ୍ରୀ ହରିଚନ୍ଦନ ।

ନବୀନ ପଟ୍ଟନାୟକଙ୍କ ସପକ୍ଷରେ ବୈଷ୍ଣବ ପରିଡ଼ାଙ୍କୁ ଭର୍ତ୍ସନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଜୁଲାଇ ତ୧୬, ୨୦୧୮ ତାରିଖରୁ ଓଡ଼ିଶା ସରକାରୀ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ କଳା ପତାକା ଅଭିଯାନ ପୁନଶ୍ଚ ଆରମ୍ଭ ହେବାର ଥିଲା । ପଇସା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ମୁଖ୍ୟମନ୍ତ୍ରୀଙ୍କ ସହ ହାତ ମିଳାଇଲେ। କିନ୍ତୁ କଳା ପତାକା ଅଭିଯାନକୁ ଅଟକାଇ ପାରିଲେ ନାହିଁ ।

କଳା ପତାକା ଅଭିଯାନ ବନ୍ଦ ହୋଇଯାଇଛି ବୋଲି ଏମାନେ ଯେଉଁ ଅନଧିକୃତ ପ୍ତଚର କରିଥିଲେ ତାହାକୁ ପ୍ରତ୍ୟାଖ୍ୟାନ କରି ରଞ୍ଜନ କୁମାର ଦାସ ଓ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ କେନ୍ଦ୍ରାପଡ଼ାର ଭାଷାପ୍ରାଣ ସାଥୀମାନେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଅନ୍ତୁଡ଼ିଶାଳରୁ କଳା ପତାକା ସହ ଉଦୁଉଦିଆ ଖରାରେ ଚାଲି ଚାଲି ଆସି ଏମାନଙ୍କ ବିଶ୍ଵାସଘାତକତାର ଠିକ୍ ମାସେ ପୂରିବା ଦିନ ୧୭.୮.୨୦୧୮ ଅପରାହ୍ନରେ ଭୁବନେଶ୍ଵବରରେ ପହଞ୍ଚି ଭାଷାଦ୍ରୋହୀ ସରକାରଙ୍କ ଛାତିରେ ଛନକା ଭରିଦେଲେ ।

କର୍କଟ ବ୍ୟାଧି କବଳରେ ପଡ଼ିଥିବା ଭାଷା ସୁରକ୍ଷା ସମ୍ମିଳନୀର ପ୍ରତିଷ୍ଠାତା ବୈଷ୍ଣବ ଚରଣ ପରିଡ଼ା କଳା ପତାକା ଅଭିଯାନକୁ ସମର୍ଥନ ଜ୍ଞାପନ କଲେ ଓ ଓଡ଼ିଆରେ କାମ କରିବାକୁ ଅକ୍ଷମ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ, କାମରାଜ ଯୋଜନାରେ ବିଜୁ ପଟ୍ଟନାୟକ ଦାୟିତ୍ଵ ହସ୍ତାନ୍ତର କରି ଇଜ୍ଜତ ବଞ୍ଚାଇଥିବା ପରି, ଦଳର ଅନ୍ୟ କାହାକୁ ଦାୟିତ୍ଵ ହସ୍ତାନ୍ତର କରିଦେବା ଉଚିତ ବୋଲି କହିଲେ । ମୁଖ୍ୟମନ୍ତ୍ରୀ ଚମକିଲେ । ବୈଷ୍ଣବ ପରିଡ଼ାଙ୍କୁ ଭର୍ତ୍ସନା କରି ତାଙ୍କ ନୈତିକ ବଳ ଭାଙ୍ଗି ଚୁରମାର କରିବାକୁ ଦାୟିତ୍ଵ ଦିଆଗଲା ମୁଖ୍ୟମନ୍ତ୍ରୀଙ୍କ ପୋଷା ମାନିଥିବା ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ଗ୍ୟାଙ୍ଗକୁ ।

ସଡ଼କ କଡ଼ରେ ଏକ ଚା ଦୋକାନରେ ସେ ଓ ପବିତ୍ର ଯେଉଁଠି ଖଟି କରନ୍ତି ସେଇଠି ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଜଣେ ବ୍ୟକ୍ତିଙ୍କ ଟିଭି ଚ୍ୟାନେଲ ପ୍ରଦ୍ୟୁମ୍ନ ଶତପଥୀଙ୍କ ବୟାନ ରେକର୍ଡ କଲା । ତାଙ୍କ ପାଖରେ ବସି ପୋହଳି ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଥିଲେ ପବିତ୍ର ମହାରଥା ।

ନିଜ ମୋବାଇଲ ଫୋନରେ ଏହାକୁ ରେକର୍ଡ କରିଥିଲେ ଜଣେ ସରକାରୀ କର୍ମଚାରୀ ଯେ କି ନାମ ପ୍ରକାଶ ନ କରିବା ସର୍ତ୍ତରେ ORISSA MATTERSକୁ ଏହା ପ୍ରଦାନ କରିଥିଲେ । ମୃତ୍ୟୁ ସହ ସଂଗ୍ରାମରତ ବୈଷ୍ଣବ ପରିଡ଼ାଙ୍କୁ ଯେଉଁ କୁତ୍ସିତ ଶବ୍ଦରେ ଭର୍ତ୍ସନା ତାହା କେବଳ ମର୍ଯ୍ୟାଦାବନ୍ତ ଓଡ଼ିଆ ଜାତିର ଅବମାନନା ତ ନୁହେଁ, ଯେ କୌଣସି ସାମାଜିକ ଆନ୍ଦୋଳନ ପାଇଁ ବି କ୍ଷତିକାରକ ।

ମୋବାଇଲ ଫୋନରେ ଦୂରରୁ ଗୋପନରେ ଉଠିଥିବା ଏହି ଭିଡ଼ିଓଟି ପିକ୍ସେଲ ମାନରେ ଅବଶ୍ୟ ଉତ୍କୃଷ୍ଟ ନୁହେଁ , ମାତ୍ର ଭାଷା ଆନ୍ଦୋଳନ ଜୀବନରେ ଏହା ଏକ ଐତିହାସିକ ମୂଲ୍ୟସମ୍ପନ୍ନ ଦୃଶ୍ୟପଟ ।

ତର୍କାତୀତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଆମ ଜାତିକୁ ନିରଙ୍କୁଶ ଭାଷା ଅଧିକାର ପ୍ରାପ୍ତି ଆମର ଦାବି । ଏହା ନଦେବା ପାଇଁ ରାଜ୍ୟ ସରକାର ବହୁବିଧ ଉଦ୍ୟମ କଲା ପରେ ଯେତେବେଳେ ଭାଷାପ୍ରାଣ ଓଡ଼ିଆ ଜାତି ଏହି ଦାବି ସପକ୍ଷରେ ଭାଷା ଆନ୍ଦୋଳନକୁ ପ୍ରସାରିତ କରିବାରେ ଲାଗିଛି, ସେତେବେଳେ ରାଜ୍ୟରେ ଇଂରାଜୀ ଭାଷାଧିପତ୍ୟ କାଏମ ରଖିବା ପାଇଁ ସରକାର ନାନା ଅଭିନବ ପନ୍ଥା ଅନୁସରଣ କରୁଛନ୍ତି । ଭାଷାଆନ୍ଦୋଳନର ଦାବି ଉପରୁ ଦୃଷ୍ଟି ଅପସାରଣ ପ୍ରଚେଷ୍ଟା ତନ୍ମଧ୍ୟରୁ ଅନ୍ୟତମ । ଏହି କ୍ରମରେ ଏଠାରେ ପ୍ରକାଶିତ ଏକ ଆଲୋଚନାର ଉତ୍ତରରେ ସାମାଜିକ ଗଣମାଧ୍ୟମ ‘ଫେସବୁକ’ରେ ସାମ୍ବାଦିକ ସନ୍ଦୀପ ସାହୁ ମୋତେ ଏକ ଖୋଲା ଚିଠି ଦେଇଛନ୍ତି । ଏବଂ ସମ ତାଳରେ ସେ କହିଛନ୍ତି ଯେ, ସେ ଯାହା କହିଛନ୍ତି ତହିଁ ଉପରେ ଆଉ କୌଣସି ତର୍କ ତାଙ୍କର କାମ୍ୟ ନୁହେଁ । ତେଣୁ ଏହି ତର୍କାତୀତ ଉପସ୍ଥାପନାରେ ମୋତେ ଅଗତ୍ୟା ଏହି ସ୍ପଷ୍ଟୀକରଣ ଦେବାକୁ ହେଉଛି, ଯେହେତୁ ତାଙ୍କ ଉତ୍ତରରେ କେତେକ ଅଭିଯୋଗ ଓ ଆକ୍ଷେପ ଏପରି ଦୃଶ୍ୟମାନ ଯେ, ତାହା ତହିଁ ଉପରେ ମୋର ଅଭିମତ ଆବଶ୍ୟକ କରୁଛି । ଅବଧାନକୁ ଆସୁ –

ଆଦରଣୀୟ ଭାଇ ସନ୍ଦୀପ ସାହୁ,
ମୋ ଲେଖା ଆପଣଙ୍କୁ ଦୁଃଖ ଦେଇଥିବା ହେତୁ ମୁଁ ଦୁଃଖ ପ୍ରକାଶ କରୁଛି । କାରଣ, ମୋର କହିବା ନିଷ୍ପ୍ରୟୋଜନ ଯେ, ସାମୟିକ ମତପାର୍ଥକ୍ୟ ସତ୍ତ୍ୱେ ଆପଣ ମୋର ଅତ୍ୟନ୍ତ ପ୍ରିୟ ଓ ବୃତ୍ତିନିଷ୍ଠ ସମ୍ମାନର ଅଧିକାରୀ । ଥିଲେ, ଅଛନ୍ତି ଓ ରହିବେ ।

ଆପଣ ଏକ କିମ୍ଭୂତକିମାକାର ପ୍ରସ୍ତାବ ଥୋଇଛନ୍ତି । ଭାଷା ଆନ୍ଦୋଳନରେ ମୋର ପ୍ରାୟ ସବୁ ଘନିଷ୍ଠ ସହଯୋଗୀ ମୋତେ କାହିଁକି ଛାଡ଼ିଚାଲିଗଲେ ବୋଲି ମୁଁ ନିଜକୁ ପ୍ରଶ୍ନ କରିବା ଉଚିତ ବୋଲି ଆପଣ ଯାହା କହିଛନ୍ତି ତାହା ବେଶ୍ କୌତୁହଳୋଦ୍ଦୀପକ । ସେମାନେ ମୋତେ କେହି ଛାଡ଼ିକରି ଯାଇନାହାନ୍ତି ; ସେମାନଙ୍କ ଉଦ୍ଦେଶ୍ୟ ପୂର୍ଣ ହୋଇଗଲା ପରେ ସେମାନେ ଚାଲିଗଲେ । ମୋ ପାଇଁ ମୋ ଲକ୍ଷ୍ୟ ହାସଲ ହୋଇନାହିଁ , କାରଣ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ମୁଁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଏଯାଏଁ ବିଧିକୃତ ହୋଇନାହିଁ , ତେଣୁ ମୁଁ ଆନ୍ଦୋଳନ ଚଳାଇଛି । ଓଡ଼ିଶାର ନିରୋଳା ନିସ୍ଵାର୍ଥପର ଭାଷାପ୍ରାଣ ଭାଇଭଉଣୀମାନେ ମୋ ସହ ଆନ୍ଦୋଳନରେ ଅଛନ୍ତି, କଳାପତାକା ଲକ୍ଷ୍ୟ ହାସଲ ପଥରେ ଅବିଚଳିତ ଭାବେ ଆଗେଇ ଚାଲିଛି । ପାର୍ଶ୍ଵବର୍ତ୍ତୀ ପ୍ରକାଶିତ ସମ୍ବାଦରେ ସେମାନେ ନିଜକଥା ନିଜେ କହିଛନ୍ତି ଓ ସରକାରଙ୍କୁ ଚିଠି ଲେଖି ସରକାରୀ କରୁଣା ପାଇଁ କୃତଜ୍ଞତା ବି ଜ୍ଞାପନ କରିଛନ୍ତି । ସୁତରାଂ ସେମାନେ କାହିଁକି ମୋତେ ଛାଡ଼ିଚାଲିଗଲେ ବୋଲି ମୁଁ ନିଜକୁ ପ୍ରଶ୍ନ କରିବାର କିଛି ଆବଶ୍ୟକତା ଅଛି କି ?

ଆପଣ ଆପଣଙ୍କ ପ୍ରତିକ୍ରିୟାର ଶେଷରେ ଲେଖିଛନ୍ତି , ”ସ୍ପଷ୍ଟ କରିଦିଏ ଯେ ଏ ପ୍ରସଙ୍ଗରେ ମୋର ଯାହା କିଛି କହିବାର ଥିଲା, କହିଦେଲି । ଏହାପରେ ଆପଣଙ୍କ ସହ ମୁଁ ଆଉ ଯୁକ୍ତି, ତର୍କ କରିବାକୁ ଚାହୁଁନାହିଁ ।“

ଏପରି ସ୍ଥଳେ ତର୍କ ଆଗକୁ ଚାଲୁ ବୋଲି କହିବାର କୌଣସି ସମୀଚୀନତା ମୁଁ ଆଉ ଦେଖୁନି, ଯଦିଓ ଆମ ଜାତିର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଏହା ଚାଲିବା ଉଚିତ ବୋଲି ମୁଁ ଅନୁଭବ କରୁଛି । ଆପଣଙ୍କ ଇଚ୍ଛାକୁ ସମ୍ମାନ ଦେଇ ମୁଁ ଏହାକୁ ‘ତର୍କାତୀତ’ ବର୍ଗରେ ରଖୁଛି ।

କୌଣସି ଏକ ବିଶେଷ ପ୍ରଭାବ କବଳରେ ପଡ଼ିନଥିଲେ ଆପଣଙ୍କ ପରି ବ୍ୟକ୍ତି ଯାହା ଲେଖିଛନ୍ତି ତାହା ହୁଏତ ଲେଖିନଥାନ୍ତେ ବୋଲି ମୁଁ ଲେଖିବା ଆପଣଙ୍କ integrity ଉପରେ ଆଦୌ ଆକ୍ରମଣ ନୁହେଁ । ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଆମେ ୧୯୬୦ ଦଶକର ଆଦ୍ୟଭାଗରେ କରିଥିବା ଆଂଦୋଳନର ବିଶେଷ ପ୍ରଭାବରେ ଲାଲ୍ ବାହାଦୁର ଶାସ୍ତ୍ରୀ ତାଙ୍କ ବିରୁଦ୍ଧରେ ସି.ବି.ଆଇ. ତଦନ୍ତ କରାଇଥିଲେ । ଏହା କହିଲେ କ’ଣ ଶାସ୍ତ୍ରୀଜୀଙ୍କ integrity ଉପରେ ଆକ୍ରମଣ ବୋଲି କୁହାଯିବ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶେଷ ପ୍ରଭାବ କବଳରେ ପଡ଼ି ଭାରତୀୟ ରିଜର୍ଭ ବ୍ୟାଙ୍କର ତଦାନୀନ୍ତନ ଗଭର୍ଣର ବିମୁଦ୍ରୀକରଣ ପାଇଁ ରାଜି ହୋଇଥିଲେ । ଏହା କହିଲେ କ’ଣ ସେହି ଗଭର୍ଣରଙ୍କ integrity ଉପରେ ଆକ୍ରମଣ ବୋଲି କୁହାଯିବ? ଆପଣ କୌଣସି ଏକ ବିଶେଷ ପ୍ରଭାବ କବଳରେ ପଡ଼ି ଜାନୁଆରୀ ୯ ତାରିଖର ନିବନ୍ଧର ବିବାଦୀୟ ଅଂଶଟି ଲେଖିଥାଇପାରନ୍ତି ବୋଲି ପ୍ରକଟିତ ମୋର ଆଶଙ୍କା ଆପଣଙ୍କ integrity ଉପରେ ଆକ୍ରମଣ ହେଲା କିପରି?

ମୁଁ ଲେଖିଥିଲି, “ଏ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦଳୀୟ ଅନୁଗତ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ବାଦ କାଗଜରେ ଓଡ଼ିଆ ଭାଷାକୁ ନେଇ ଏପରି ଏକ ଲେଖା ପ୍ରକାଶ ପାଇଛି ଯାହା ବାହାରକୁ ନିରିହ ଜଣା ପଡୁଥିଲେ ମଧ୍ୟ ଭାଷା ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ ଶେଷ ଚାତୁରୀର ଝଲକ ଦେଖିହେଉଛି ତାର ଶବ୍ଦଜାଲରେ ।“ ଏହା କହି କେଉଁଠି ମୁଁ ଆପଣଙ୍କ integrity ଉପରେ ଆକ୍ରମଣ କଲି? କିନ୍ତୁ ଆପଣଙ୍କ ଲେଖାର ଅନୁଭବ୍ୟ ବାର୍ତ୍ତା ଏପରି ଥିଲା ଯେ, ଆପଣଙ୍କ ବିଦଗ୍ଧ ପାଠକମାନଙ୍କ ମଧ୍ୟରୁ ଜଣେ ସକ୍ରିୟ ସାଥୀ ସବ୍ୟସାଚୀ ଅମିତାଭ ତଦ୍ଦ୍ଵାରା ପ୍ରଭାବିତ ହୋଇ ଭାଷା ଆନ୍ଦୋଳନକୁ ଏକ “ପ୍ରହସନ” ବୋଲି ଆଖ୍ୟାୟିତ କରି ଏହି “ପ୍ରହସନ” ସମ୍ପର୍କରେ ଲୋକଙ୍କ “ଆଖି ଖୋଲୁ” ବୋଲି ମତ ରଖିଥିଲେ, ଯଦିଓ ଆପଣ ସେହି ନିବନ୍ଧରେ ଭାଷା ଆନ୍ଦୋଳନର ନାମ ନେଇନଥିଲେ ।

ଆପଣ କେଉଁ ଉଦ୍ଦେଶ୍ୟରେ ଲେଖାଟି ଲେଖିଥିଲେ ତାହା କେବଳ ଆପଣଙ୍କୁ ହିଁ ଜଣା; ମାତ୍ର ଆପଣଙ୍କ ଏହି ଲେଖା ଯେଉଁ ଶୈଳୀରେ ଆମ ସମାଜର ସବ୍ୟସାଚୀ ଅମିତାଭମାନଙ୍କୁ ପ୍ରଭାବିତ କଲା , ତାହା ହିଁ ଥିଲା ମୋ ଲେଖାର ଆଧାର । ଏହି ଅମିତାଭମାନଙ୍କୁ ସ୍ପଷ୍ଟ କରିଦେବା ପାଇଁ ଯେ, ଆମ ଜାତିର ଭାଷା ଅଧିକାର ହାସଲ କରିବାକୁ ସରକାରଙ୍କ ସହ ତର୍କ  ଚଳାଇଥିବା ଏବଂ ଓଡ଼ିଆ ଭାଷା ଜାତୀୟତାର ସତର୍କ ପ୍ରହରୀ ଭୂମିକା ନିର୍ବାହ କରୁଥିବା ଭାଷା ଆନ୍ଦୋଳନ ଏକ “ପ୍ରହସନ” ନୁହେଁ, ମୁଁ ଏହି ନିବନ୍ଧରେ ଆମ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ପ୍ରୟୋଗ କରିଥିବା ୧୨ ଗୋଟି ଅପକୌଶଳର ବିଶ୍ଲେଷଣାତ୍ମକ ଉପସ୍ଥାପନା କରିଥିଲି, ଯହିଁ ଉପରେ ଆପଣ ସମ୍ପୂର୍ଣ ନୀରବ ରହିଛନ୍ତି ଓ ଏହି ପ୍ରତ୍ୟୁତ୍ତରରେ ଆପଣଙ୍କ integrity ଉପରେ ମୁଁ ଆକ୍ରମଣ କରିଛି ବୋଲି ଅଭିଯୋଗ କରି ଅସଲ ପ୍ରସଙ୍ଗରୁଦୃଷ୍ଟି ଅପସାରିତ କରିବାକୁ ଚେଷ୍ଟା କରିଛନ୍ତି ।

ଶ୍ରଦ୍ଧାସ୍ପଦ ସନ୍ଦୀପବାବୁ, ଆପଣଙ୍କ ଘୋଷଣା ହେତୁ ଆଉ ଯେହେତୁ ଆଲୋଚନାର ଅବକାଶ ନାହିଁ, ସେହେତୁ ମୁଁ କେବଳ ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛି; ଯୁକ୍ତି ନୁହେଁ । ଆଉ ଗୋଟିଏ ସ୍ପଷ୍ଟୀକରଣ ସହ ଏହି ତର୍କାତୀତ ଆଲୋଚନାଟି ସାରିବି ।

“ସରକାରଙ୍କୁ “ଓଡ଼ିଆ ଭାଷାର ହତ୍ୟାକାରୀ” ଆଖ୍ୟା ଦେଇ କଟୁ ଭାଷାରେ ସମାଲୋଚନା କରିବା ସତ୍ତ୍ୱେ” ମୁଁ “ଏଯାଏଁ ସରକାରୀ ଘରେ” ରହିଛି ବୋଲି ଆପଣ ମୋତେ ଆକ୍ଷେପ କରିଛନ୍ତି ।

ମୁଁ କ’ଣ ସରକାରଙ୍କ ପ୍ରଚାର କରିବା ସର୍ତ୍ତରେ ସରକାରୀ ଘର ଗ୍ରହଣ କରିଛି, ଭାଇ?

କେବଳ ଭାଷା କାହିଁକି, ଯେ କୌଣସି ସରକାରୀ ଭୁଲ ଯେତେବେଳେ ବି ମୋ ଦୃଷ୍ଟିକୁ ଆସିଛି ଓ ଅନୁସନ୍ଧାନ କରି ମୁଁ ସେହି ଭୁଲତ୍ରୁଟି ଠାବ କରିଛି, ସରକାରୀ ଘରେ ଥାଇ ମଧ୍ୟ ମୁଁ ତାହା ଉପରେ ନିଶଙ୍କ ଆଲୋକପାତ କରୁଛି, କାରଣ ତାହା ହିଁ ମୋର କାମ ଏବଂ ମୋର ଧର୍ମ ।

ଯାହା ଜାଣିବାର ଅଧିକାର ଲୋକଙ୍କର ଅଛି ତାହା ସେମାନଙ୍କୁ ଜଣାଇବା ମୋର କର୍ତ୍ତବ୍ୟ ବୋଲି ମୁଁ ଜାଣିଛି ଓ ଏହା ହିଁ ମୋ ବୃତ୍ତିର ଧର୍ମ । ଏହି ଧର୍ମ ପାଳନ ପାଇଁ ମୋ ରାଜ୍ୟବାସୀ ମୋତେ ଏହି ରହଣୀସ୍ଥାନ ଦେଇଛନ୍ତି ଯାହା ମୋ ପ୍ରତି ସେମାନଙ୍କ ବିଶ୍ଵାସର ପ୍ରତୀକ ଏବଂ ମୁଁ କେବେ ମୋ ଲୋକଙ୍କ ପ୍ରତି ବିଶ୍ଵାସଘାତକତା କରିନି ।

ସରକାରୀ ଘରେ ଥାଇ ମଧ୍ୟ ମୁଁ ଇମର୍ଜେନ୍ସିକାଳୀନ ଅପଶାସନକୁ ସମାଲୋଚନା କରୁଥିଲି ଓ ସେହେତୁ ମୁଁ ସରକାରୀ ଷଡଯନ୍ତ୍ରର ଶିକାର ହୋଇ ଚାକିରି ହରାଇଥିଲି ଏବଂ ଯୌବନର ମୁଖ୍ୟ ଭାଗ ବିତାଇଦେଇଥିଲି ସେହି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ।

ବିଜୁବାବୁଙ୍କ ଲଗାମହୀନ ଦୁର୍ନୀତି ଉପରେ ସରକାରୀ ଘରେ ଥାଇ ମଧ୍ୟ ସପ୍ରମାଣ ତଥ୍ୟ ଉପସ୍ଥାପିତ କରୁଥିଲି ଓ ସେହେତୁ ପିଛିଲା ତାରିଖରୁ ପ୍ରେସ ଆକ୍ରୀଡିଟସନ ନିୟମାବଳୀ ସଂଶୋଧନ କରାଯାଇ ମୋତେ ବୃତ୍ତିଗତ ସଙ୍କଟରେ ପକାଯାଇଥିଲା ।

ଉଭୟ କ୍ଷେତ୍ରରେ ଓଡ଼ିଶା ହାଇ କୋର୍ଟ ମୋ ସପକ୍ଷରେ ରାୟ ଦେଇଥିଲେ ।

ବିଦ୍ୟୁତ ବୋର୍ଡ ଉପରୁ ରାଜ୍ୟବାସୀଙ୍କ ମାଲିକାନା ଲୋପ ପାଇଁ ବିଜୁ ବାବୁ ଯେଉଁ ଚାଲ୍ ଚଳାଇଲେ ଓ ବିଲାତର କେ. ପି. ଏମ. ଜି. ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟକୁ ବେଆଇନ ଭାବେ ନିଯୁକ୍ତି ଦେଇ ତା ମାଧ୍ୟମରେ ସେତେବେଳର ମୁଦ୍ରାରେ ପ୍ରାୟ ୧୦ କୋଟି ଟଙ୍କାର ସ୍କାମ କରିଥିଲେ, ମୁଁ ଯଦି ସରକାରୀ ଘରେ ରହି ମଧ୍ୟ ତାକୁ ପଦାକୁ ଆଣି ନଥାନ୍ତି ତେବେ କ’ଣ ସେ ସ୍କାମ ସେଇଠି ସରିଥାନ୍ତା? ମୋ ବ୍ୟତୀତ ଅନ୍ୟ କେହି ତାହା ପଦାକୁ ଆଣିଥିଲା କି?

ଅତଏବ ସରକାରୀ ଘରେ ରହୁଛି ବୋଲି ସରକାରଙ୍କୁ ସମାଲୋଚନା ନ କରିବା , ଭିନ୍ନ୍ନାର୍ଥରେ, ସରକାରଙ୍କ ଚାଟୁକାର ବନିବା ମୋ ପାଇଁ କେବେ ବି ସ୍ପୃହଣୀୟ ହୋଇନାହିଁ ।

ରକାରୀ ଘରେ ରହି ସରକାରଙ୍କୁ ତାଙ୍କ ତ୍ରୁଟିବିଚ୍ୟୁତି ଦେଖାଇବା କେବଳ ଜଣେ ବୃତ୍ତିନିଷ୍ଠ ଓ ପ୍ରତିବଦ୍ଧ ସାମ୍ବାଦିକ ପକ୍ଷେ ସମ୍ଭବ, ଯାହା ମୁଁ ଏପର୍ଯ୍ୟନ୍ତ କରିଆସିଥିବା ହେତୁ ଜଣେ ବୃତ୍ତିନିଷ୍ଠ ବନ୍ଧୁ ଭାବେ ଖୁସି ହେବା ଆପଣଙ୍କୁ ଅଧିକ ଶୋଭା ପାଇଥାନ୍ତା । କେଉଁ ମାନସିକ ଚାପରେ ଆପଣ ଏପରି ବୃତ୍ତିବିରୋଧୀ ଆଭିମୁଖ୍ୟ ପ୍ରକଟ କରିଛନ୍ତି ତାହା ଆପଣ ହିଁ ଜାଣନ୍ତି ।

ଅମିତାଭମାନଙ୍କ ପାଇଁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ସ୍ପେଶିଆଲ ଆକୋମୋଡ଼େସନ ରୁଲ୍ସ ଅନୁଯାୟୀ ମୋ ଯୋଗ୍ୟତା ଭିତ୍ତିରେ ମୁଁ ଏହି ସରକାରୀଘର ପାଇଛି, କାହାରି ଦୟାରେ ନୁହେଁ । ଏବଂ ଏଥିପାଇଁ ମୁଁ କାହାର ଦୟା ଭିକ୍ଷା ବି କରିନାହିଁ ।

ଆପଣଙ୍କ ଲେଖା ଦ୍ଵାରା ସବ୍ୟସାଚୀ ଅମିତଭାମାନେ କେତେଦୂର ପ୍ରଭାବିତ, ତାହା ଅନୁଧ୍ୟାନ କରିବା ପାଇଁ ମୁଁ ଏହି ସ୍ପଷ୍ଟୀକରଣ ଦେବା ବିଳମ୍ବ କରିଥିଲି ।
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ