କେନ୍ଦ୍ର ସରକାରଙ୍କ ଯଥୈଛାଚାର ବିରୁଦ୍ଧରେ ଭାଷାପ୍ରାଣ ଜନବିବେକ ପ୍ରଫୁଲ୍ଲ ସମନ୍ତରାଙ୍କ ଅନଶନ ସତ୍ୟାଗ୍ରହ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆରେ ଓଡ଼ିଶା ପରିଚାଳନା ପାଇଁ ଚାଲିଥିବା ଆଂଦୋଳନର ଦୃଢ ସମର୍ଥକ, ଜନବିବେକ ପ୍ରଫୁଲ୍ଲ ସମନ୍ତରା ଜୁନ ୨୫ରେ ଅନଶନ ସତ୍ୟାଗ୍ରହ କରି ରାଜନୈତିକ ସରକାରଙ୍କ ଯଥୈଛାଚାର ବିରୁଦ୍ଧରେ ଓଡ଼ିଶା ମାଟିରେ ପ୍ରଥମ ଅଣରାଜନୈତିକ ପ୍ରତିବାଦର ଅୟମାରମ୍ଭ କରିଛନ୍ତି ।

ଲୋହିଆ ଏକାଡ଼େମୀରେ ସେ ଚଳାଇଥିବା ୧୨ ଘଣ୍ଟିଆ “ଉପବାସ-ସତ୍ୟାଗ୍ରହ” ପ୍ରତି ସବୁ ବର୍ଗର ଓଡ଼ିଆମାନେ ସମର୍ଥନ ଜ୍ଞାପନ କରିଛନ୍ତି ।

ଏକ ବିବୃତ୍ତିରେ ସେ କହିଛନ୍ତି, ୪୩ ବର୍ଷ ପୂର୍ବେ ୧୯୭୫ ଜୁନ ୨୫ରେ ପ୍ରବର୍ତ୍ତିତ ଜରୁରୀ ପରିସ୍ଥିତି ଯେପରି ସାଧାରଣ ନାଗରିକର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଥିଲା, ଠିକ୍ ସେହିପରି ଆଜି ନରେନ୍ଦ୍ର ମୋଦୀଙ୍କ ୨ୟବାର କ୍ଷମତାରୋହଣ ପରେ ନାଗରିକ ଅଧିକାର ବିପଦାପନ୍ନ ହୋଇଛି ।

“ସାଂସାଦୀୟ ସଂଖ୍ୟା ବଳ ଦ୍ଵାରା ଅଗଣତାନ୍ତ୍ରିକ ଆଇନ ପ୍ରଣଯନ ହୋଇଚାଲିଛି । ନାଗରିକତା ସଂଶୋଧନ ଆଇନ ଜରିଆରେ ୧୯ କୋଟି ମୁସଲମାନଙ୍କୁ ୩ୟ ଶ୍ରେଣୀ ନାଗରିକ କରିବା ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଏହାର ଗଣତାନ୍ତ୍ରିକ ପ୍ରତିବାଦକୁ ଶାସକ ଦଳ ଓ ଶାସକ ସହ୍ୟ କରିବାକୁ ପ୍ରସ୍ତୁତ ନୁହେଁ । ସେଥିପାଇଁ ୪ ମାସର ଗର୍ଭବତୀ ଛାତ୍ରନେତ୍ରୀ ସଫୁରା ଜରଗରଙ୍କ ସମ୍ରଟ ବହୁ ଜମିଆମିଳିଆ ଜେ ଏନ୍ ୟୁ ଛତ୍ର ନେତା-ନେତ୍ରୀଙ୍କୁ ଜେଲରେ ରଖାଯାଇଛି କେନ୍ଦ୍ରୀୟ ପୋଲିସ ଦ୍ଵାରା । ସେହିପରି, ମିଥ୍ୟା ମାମଲାରେ ଦଳିତ-ଆଦିବାସୀମାନଙ୍କ ଅଧିକାର ତଥା ମାନବିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମରତ ପ୍ରଫେସର, ଓକିଲ, ଲେଖକ, ସାମ୍ବାଦିକ ଓ ଗଣଆନ୍ଦୋଳନ କର୍ମକର୍ତ୍ତାଙ୍କୁ ଜେଲରେ ରଖାଯାଇଛି । ଭିନ୍ନ ମତ ଦେଉଥିବା, ସମ୍ପ୍ରଦାୟିକ ଘୃଣା ରାଜନୀତିକୁ ବିରୋଧ କରୁଥିବା ବ୍ୟକ୍ତି ଓ ସଙ୍ଗଠନମାନଙ୍କ କଣ୍ଠରୋଧ କରିବାକୁ ଏପରି ଦମନ ଚଳାଇଛି କେନ୍ଦ୍ର ସରକାର ।”

କରୋନାମହାମାରୀ ଆଳରେ ଯେଉଁ ଲକ୍ଦଉନ ଜାରି କରାଯାଇଛି ତାକୁ କେନ୍ଦ୍ର ସରକାର ଜରୁରୀ ପରିସ୍ଥିତି ପରି ଉପଯୋଗ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

“ସାଧାରଣ ଜନତାଙ୍କ ପାଇଁ ତାହା ବନ୍ଦୀ ଘୋଷଣା ହୋଇଥିବା ବେଳେ ବଡ଼ ବଡ଼ ଦେଶୀ-ବିଦେଶୀ କମ୍ପାନୀମାନଙ୍କ ହାତରେ ଆମ ଦେଶର ଜମି, ଜଙ୍ଗଲ ଓ ଖଣି ଲୁଟ ପାଇଁ ଦୁଆର ଖୋଲି ଦିଆଯାଇଛି । ଅଗଣତାନ୍ତ୍ରିକ ବାଟରେ ଅଧ୍ୟଦେଶ ଜାରି ହୋଇଛି ଆମ ରାଷ୍ଟ୍ରୀୟ ପ୍ରକଳ୍ପ ଓ ସମ୍ପଦ ହସ୍ତାନ୍ତର ପାଇଁ । ଶ୍ରମିକମାନଙ୍କ ଅଧିକାର ଛଡ଼ାଇନିଆଯାଇଛି । ପରିବେଶ ସୁରକ୍ଷା ଆଇନକୁ ଅକାମି କରିବାକୁ ଚିଠା ବିଲ୍ ପ୍ରସ୍ତୁତ କରାଯାଇଛି ।”

ଆଗାମୀ ଦିନରେ ରାଷ୍ଟ୍ରାବ୍ୟାପୀ ଗଣତନ୍ତ୍ର-ସମ୍ବିଧାନ ସୁରକ୍ଷା ଆନ୍ଦୋଳନ ଅପରିହାର୍ଯ୍ୟ  ବୋଲି  ସୁଚାଇ ଦେଇ , ଶ୍ରୀ ସମାନ୍ତରା ଲୋକଶକ୍ତି ଅଭିଯାନ ଓ ଜଣାନ୍ଦୋଳନାମାନଙ୍କ ରାଷ୍ଟ୍ରୀୟ ସମନ୍ଵୟ ତରଫରୁ ନିମ୍ନ ଦାବି ଉପସ୍ଥାପନ କରିଛନ୍ତି –

୧ – ସଫୁର ଜାରଗର ସମେତ ମିଥ୍ୟା ମାମଲାରେ ଜେଲରେ ଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ମାନବିକ ଅଧିକାର କର୍ମକର୍ତ୍ତାବୃନ୍ଦ, ଶ୍ରମିକନେତ୍ରୀ ତଥା ବରିଷ୍ଠ ଆଡଭୋକେଟ ସୁଧା ଭାରଦ୍ଵାଜ, ପ୍ରଫେସର ଆନନ୍ଦ ତୁଟୁଲମ୍ବରରେ, ପ୍ରଫେସର ସୋମ ସେନ, ପେୟାଫେସର ରୋନା ୱିଲସନ, ମାନବିକ ଅଧିକାର କର୍ମକର୍ତ୍ତା ଗୌତମ ନଭଲଖ, କବି ବରବରା ରାଓ, ଆଡଭୋକେଟସୁରେନ୍ଦ୍ର ଗଡ଼ଳିଙ୍ଗ, ଆଦିବାସୀ ସୁରକ୍ଷା କର୍ମକର୍ତ୍ତା ମହେଶ ରାଉତ, ଭେର୍ନନ ଗଂସ୍ଲେଭ, ଆଡଭୋକେଟ ଅରୁଣ ଫେରାଇରା ଓ ସାମ୍ବାଦିକ ସୁଧୀର ଧାଓଲେଙ୍କୁ କାରାଗାରରୁ ମୁକ୍ତ କରାଯାଉ ;

୨- ଭିନ୍ନ ମତବାଦୀ ଓ ସଙ୍ଖ୍ୟାଲଘୁଙ୍କ ଉପରେ ଦମନ ବନ୍ଦ ହେଉ;

୩- ମାନବିକ ଅଧିକାର ଓ ପ୍ରକୃତିର ସୁରକ୍ଷା ପାଇଁ ନ୍ୟାୟୋଚିତ ଆର୍ଥିକସମତାଭିତ୍ତିକ ବିକାଶ ନୀତି ପ୍ରଚାଳନ କରାଯାଉ ଓ ସାମ୍ବିଧାନିକ ତଥା ମାନବିକ ଅଧିକାରକୁ ସୁରକ୍ଷା ଦିଆଯାଉ ।

 

ଓଡ଼ିଆରେ ଓଡ଼ିଶା // ଶୁଣିବା ହେଉ ସରକାର : ସୌଭାଗ୍ୟ ରାଉତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାର ଏକନିଷ୍ଠ ଗବେଷକ ସୌଭାଗ୍ୟ ରାଉତ ଜୁନ ୨୧ ସନ୍ଧ୍ୟାରେ ଫେସ୍ ବୁକ୍ ଅନ୍ତର୍ଗତ “ଭାଷା ମା ପାଇଁ ପଦେ” ପୃଷ୍ଠାରୁ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି କି, ଓଡ଼ିଶାର ପରିଚାଳନା ଓଡ଼ିଆରେ ହେବାକୁ ୧୯୫୪ର ପ୍ରଣୀତ ହୋଇଥିବା ଆଇନକୁ ଦୁର୍ବଳ କରିବା ପରିବର୍ତ୍ତେ ସବଳ କରିବାକୁ ସଂଶୋଧନ କରନ୍ତୁ ଓ କାର୍ଯ୍ୟକାରୀକରନ୍ତୁ ।

ସିଧା ପ୍ରସାରିତ ହୋଇଥିବା ତାଙ୍କ ଭାଷଣ ସମସ୍ତଙ୍କ ସମେତ ଓଡ଼ିଆ ଭାଷା ପଠନ ପାଇଁ ଯୋଗ୍ୟ ହୋଇପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଶେଷ ପ୍ରଣିଧାନଯୋଗ୍ୟ ।

Posted by ଭାଷା ମାଆ ପାଇଁ ପଦେ on Sunday, June 21, 2020

 

ଅର୍ଥଲୋଭରେ ବିଶ୍ଵାସଘାତକତା କରିବା ପୂର୍ବରୁ ପବିତ୍ର ମହାରଥା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅର୍ଥଲୋଭର ବଶବର୍ତ୍ତୀ ହୋଇ ଭାଷା ଆନ୍ଦୋଳନ ପ୍ରତି ବିଶ୍ଵାସଘାତକତା କରିବା ପୂର୍ବରୁ ପବିତ୍ର ମହାରଥା ମୋର ଅତ୍ୟନ୍ତ ବିଶ୍ଵସ୍ତ ଅନୁଚର ଥିଲେ ଓ ମୋ ଘରେ ପୁତ୍ରବତ୍ ଚଳପ୍ରଚଳ ହେଉଥିଲେ । ଓଡ଼ିଶା ଅଫିସିଆଲ ଲାଙ୍ଗୁଏଜ ଆକ୍ଟର ପୂର୍ଣ୍ଣ ପ୍ରୟୋଗ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟସରକାରଙ୍କୁ ବାଧ୍ୟ କରିଥିବା ଭାଷା ସଂଗ୍ରାମ ସମିତିର ସର୍ବୋଚ୍ଚ ନେତା କବି ଶଙ୍କର ପରିଡ଼ା ଏକ ସାହିତ୍ୟସଭାରେ ଥରେ କବିସୁଲ୍ଲଭ ଠାଣିରେ କହିଥିଲେ, ସୁଭାଷବାବୁ ତାଙ୍କ ଗାଡ଼ିର ବାହକଙ୍କୁ ଭାଷା ଆନ୍ଦୋଳନର ଆବାହକ କରି ନିଜ ପାଇଁ ଓ ରାଜ୍ୟ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ସେତେବେଳେ ମୁଁ ହସି ଦେଇଥିଲି, ଏତେବେଳେ ଭାବୁଛି ସେ ସତ କହିଥିଲେ ।

ଯାହା ହେଉ, ଯେତେବେଳେ ସେ ମୋର ଅନୁଗତ ଅନୁଚର ଭାବେ କାମ କରୁଥିଲେ, ସେହି ସମୟର ଏକ ପ୍ରାମାଣିକ ତଥ୍ୟ ମୁଁ ଏବେ ଉପସ୍ଥାପନା କରିବି ।

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ କରିଥିବା ଯୁକ୍ତି-ସନ୍ଦର୍ଭକୁ ତଦାନୀନ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସ୍ଵାର୍ଥ ପାଇଁ ଚୋରି କରି ନିଜସ୍ଵ ଲାଭରେ ବ୍ୟବହାର କରିଥିବା ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟି ତଥା ସଂସ୍କୃତି ବିଭାଗକୁ ମୁଁ ସେମାନଙ୍କ ଅସଲ ରୂପରେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରୁଥିଲି ଦୈନିକ ସର୍ବସାଧାରଣ କାଗଜରେ, “ମିଛ କେବେ ସତ ହୁଏନା” ଶୀର୍ଷକ ନିବନ୍ଧନିଚୟରେ ।  ସେତେବେଳେ, ସେହି ସରକାରୀ ସନ୍ଦର୍ଭର ଭିତ୍ତିପତ୍ର ଲେଖକ ଭାବେ (ଅସିତ ମହାନ୍ତିଙ୍କ “ସାହିତ୍ୟ ମହାଭାରତ”) ନିଜକୁ ଜାରିକରିଥିବା ଡଃ ନଟବର ଶତପଥୀଙ୍କୁ ଟେଲିଫୋନରେ ଜେରା କରିଥିଲେ ପବିତ୍ର ମହାରଥା ଓ ତାହାର ରେକର୍ଡ ମୋତେ ଇ-ମେଲ୍ ଯୋଗେ ପଠାଇ ଥିଲେ । ତହିଁରେ ପବିତ୍ର କହିଛନ୍ତି, ସୁଭାଷ ଚନ୍ଦ୍ର ପଟ୍ଟନାୟକ କେବେ ଫାଲତୁ କଥା କହନ୍ତିନାହିଁ ; ବିନା ପ୍ରମାଣରେ କିଛି ଲେଖନ୍ତିନାହିଁ  ଏବଂ ଆହୁରି କହିଛନ୍ତି, ସୁଭାଷ ଚନ୍ଦ୍ର ପଟ୍ଟନାୟକ କଳାପତାକା ଅଭିଯାନ ପ୍ରଥମେ ୧୯୮୦ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୁଦ୍ଧରେ ଆଠଗଡ଼ରେ ଚଳାଇଥିଲେ ଓ ତାଙ୍କ ସହ ମିଶି ସମାଜ କାଗଜ ବିରୁଦ୍ଧରେ କଳାପତାକା ପଟୁଆର ଭୁବନେଶ୍ଵରରେ ହୋଇଥିଲା ।

ସେହି ପବିତ୍ର ମହାରଥା ଭାଷା ଆଂଦୋଳନର ପାଣ୍ଠି ତୋଷରପାତ କରି ତାଙ୍କ ଅପରାଧ ଉପରୁ  ଲୋକଙ୍କ ଦୃଷ୍ଟି ଏଡ଼େଇବା ପାଇଁ ଏବେ ବିଭିନ୍ନ ନାଟକ ଚଳାଇଛନ୍ତି ଓ ସର୍ବବିଧ ଅସାଧୁ ଉପାୟ ଅବଲମ୍ବନ କରି ଚାଲିଛନ୍ତି । ଅଥଚ, ଭାଷା ଆଂଦୋଳନର ହିସାବ ଦେଉନାହାନ୍ତି । ସତ୍ୟର ନିକଟତର ହେବାପାଇଁ ମୁଁ ଏବେ ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛି ସେହି ରେକର୍ଡ ଯାହା ଡଃ ନଟବର ଶତପଥିଙ୍କ ସହ ତାଙ୍କ ଟେଲିଫୋନୀକ୍ ଆଲୋଚନାର ରେକର୍ଡ , ଯାହାକୁ କି ସେ ମୋତେ ପଠାଇଥିଲେ  । ତାହାକୁ ଏବେ ଅନୁଧ୍ୟାନ କରନ୍ତୁ ; ଆଲୋଚନା ଚାଲିରହିବ ।

 

 

ଉଠରେ ସୁପ୍ତ ଜାତି – କବି ଉମାକାନ୍ତ ରାଉତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା କାଳରେ କଳାପତାକା ଅଭିଯାନ ଦୈହିକତଃ ସ୍ଥଗିତ ଥିବାବେଳେ, ଏହାକୁ ଭାବତଃ ଚଳାଇରଖିବାପାଇଁ ଆମ୍ଭମାନଙ୍କ ପରିସୃଷ୍ଟ ନୂଆ ନଭମଞ୍ଚ “ଭାଷା ମା ପାଇଁ ପଦେ” ମାଧ୍ୟମରେ ଓଡ଼ିଶାର ତଥ୍ୟଜ୍ଞ ବ୍ୟକ୍ତିମାନେ ପ୍ରତି ସପ୍ତାହରେ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଆମ ଉଦ୍ୟମକୁ ପରିପୁଷ୍ଟ କରୁଛନ୍ତି ।

ଏହି କ୍ରମରେ ଗତ ରବିବାର , ଜୁନ ୧୪ ତାରିଖ ସନ୍ଧ୍ୟା ୫ରେ ସାମାଜିକ ଗଣମାଧ୍ୟମ ଫେସବୁକର ଉପରୋକ୍ତ ପ୍ରସ୍ଥରୁ ଓଡ଼ିଆ ଜାତି ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ଅସ୍ମିତାର ଚାରଣ କବି ଉମାକାନ୍ତ ରାଉତ ଯେଉଁ ଆହ୍ଵାନ ଦେଇଥିଲେ ତାହା ସିଧା ପ୍ରସାରିତ ହୋଇଥିଲା । ଆମ୍ଭେ ତାହା ନିମ୍ନରେ ପୁନଃ ସ୍ଥାପିତ କରୁଛୁ ।

ଏବଂ , ତାଙ୍କ ସ୍ଵରରେ ସ୍ଵର ମିଳାଇ କହୁଛୁ : ଉଠରେ ସୁପ୍ତ ଜାତି ।

ଅଦ୍ୟତନ:୪. ୧୨. ୨୦୨୦

 

ଭାଷା ଆନ୍ଦୋଳନ ସ୍ମରଣିକା, ପବିତ୍ର ମହାରଥା ଓ ସଞ୍ଜୟ ଯେନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ସ୍ଵପ୍ନରେ ସୁଧା ଚିନ୍ତା କରିପାରିନଥିଲି ଯେ, ସମୟ ଆସିବ , ଯାହା ମୁଁ ଏବେ ଲେଖିବାକୁ ଯାଉଛି ତାହା ମୋତେ ଲେଖିବାକୁ ହେବ ।

ମୁଁ ଯାହା ଲେଖିବାକୁ ଯାଉଛି ତାହା କେବଳ ତିନିଜଣଙ୍କୁ ଜଣା ।  ମୋତେ ଜଣା , ପବିତ୍ର ମହାରଥାଙ୍କୁ ଜଣା ଓ ହିନ୍ଦୁସ୍ତାନ ସମାଚାରର ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଜଣା । ଏହି ଲେଖା ସପକ୍ଷରେ ମୋ ପାଖରେ କୌଣସି ଲିଖିତ ପ୍ରମାଣ ନାହିଁ । କିନ୍ତୁ ଆମ୍ଭମାନଙ୍କ ବିବେକ ହିଁ ପ୍ରମାଣ । ଏହି ଲେଖାରେ ମୁଁ ଅଭିଯୋଗକାରୀ, ପବିତ୍ର ଅଭିଯୁକ୍ତ । ସୁତରାଂ ସାମ୍ବାଦିକ ସଞ୍ଜୟ ଜେନାଙ୍କ ବିବେକ ଉପରେ ମୋ ଅଭିଯୋଗର ମାନ୍ୟତା ନିର୍ଭର କରେ ।

ମୁଁ ଯାହା ଲେଖିବାକୁ ଯାଉଛି ତାହା ନ ଲେଖିଲେ ବି ଚଳନ୍ତା । ମାତ୍ର ଭାଷା ଆନ୍ଦୋଳନ ଜୀବନରେ ଘଟିଥିବା ଏହି ପ୍ରଥମ ଭୀଷଣ, ଭୟାନକ ଦୁର୍ଘଟଣା ସମ୍ପର୍କରେ ସମସ୍ତେ ସବୁକଥା ଜାଣିବା ଉଚିତ ।

ସ୍ମରଣିକା ପରିକଳ୍ପନା 

ଭାଷା ଆନ୍ଦୋଳନ ପ୍ରତି ସମଗ୍ର ଓଡ଼ିଶାରେ ସମର୍ଥନ ପ୍ରକାଶ ପାଉଥିଲେ ମଧ୍ୟ ସବୁ ଜିଲ୍ଲାରେ କଳାପତାକା ଅଭିଯାନ ପ୍ରବର୍ତ୍ତନ କରିବା ପାଇଁ ଗସ୍ତଖର୍ଚ୍ଚ ସକାଶେ ଅର୍ଥର ଆବଶ୍ୟକତା ଥିଲା । ତେଣୁ ଭାଷା ଆଂଦୋଳନର ଏକ ସ୍ମରଣିକା ପ୍ରକାଶ କରି, ତା ପାଇଁ ବିଜ୍ଞାପନ ସଂଗ୍ରହ କରି ତହିଁର ଉପାର୍ଜନରୁ ମୁଦ୍ରଣଖର୍ଚ୍ଚ ବାଦଯାଇ ଯାହା ବଳିବ ତାହା ହିଁ ଆମ ଆଂଦୋଳନର ସମ୍ପ୍ରସାରଣରେ ସହାୟକ ହେବ ବୋଲି ଚିନ୍ତାକରି ଆମେ ସ୍ମରଣିକାର ପରିକଳ୍ପନା କଲୁ ।

ସଞ୍ଜୟ ଜେନାଙ୍କ ସାହାଯ୍ୟ 

ପବିତ୍ର ମୋତେ ପ୍ରବର୍ତ୍ତାଇଥିଲେ ସଞ୍ଜୟ ଜେନାଙ୍କୁ ଭେଟିବା ପାଇଁ ଏଇଆ କହି ଯେ, ସେ ଚାହିଁଲେ କେନ୍ଦ୍ରୀୟ ଉଦ୍ୟୋଗମାନଙ୍କରୁ ବହୁ ଲକ୍ଷ ଟଙ୍କାର ବିଜ୍ଞାପନ ଆମକୁ ଅକ୍ଳେଶରେ ମିଳିଯିବ ।  ସେ କିଏ ବୋଲି ମୁଁ ତାଙ୍କୁ ପଚାରିଥିଲି ; ସେ ତାଙ୍କ ପରିଚୟ ଦେଇଥିଲେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ବଳୟରେ ଥିବା କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକର ଯେଉଁ ସବୁ ବିଜ୍ଞାପନ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପାଉଛନ୍ତି ସେ ସବୁ ସଞ୍ଜୟ ବାବୁ ହିଁ ନିୟନ୍ତ୍ରଣ କରୁଛନ୍ତି ବୋଲି କହିଥିଲେ ।

ମୁଁ ତ ତାଙ୍କୁ ଜାଣିନାହିଁ ; ସେ କାହିଁକି ମୋତେ ଗୁରୁତ୍ଵ ଦେବେ ବୋଲି ମୁଁ ପଚାରିଲି । ପବିତ୍ର କହିଲେ, ମୁଁ ତାଙ୍କୁ ନ ଜାଣିଥିଲେ ବି ସେ ମୋତେ ଭଲଭାବେ ଜାଣନ୍ତି ଓ ମୁଁ ଅନୁରୋଧ କଲେ ସେ ତାହା ଭାଙ୍ଗିବେ ନାହିଁ । ଭାଷା ଆଂଦୋଳନର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମୁଁ ପବିତ୍ରଙ୍କ ସହ ତାଙ୍କ ଘରକୁ ଯାଇଥିଲି । ଦେଖାଗଲା ସେ ମୋତେ ଜାଣିଥିଲେ । ସମାଦର ସହ ସେ ମୋତେ ପାଛୋଟି ନେଇଥିଲେ । ମୁଁ ବି ଦେଖି ଜାଣିଗଲି ଯେ, ଟେଲିଭିଜନ ଚ୍ୟାନେଲମାନଙ୍କ ବିତର୍କରେ ଯେଉଁ ବ୍ୟକ୍ତିଙ୍କ ବୁଦ୍ଧିଦୀପ୍ତତା ମୋ ପାଇଁ ଅତ୍ୟନ୍ତ ହୃଦ୍ୟ ହୋଇଥାଏ ଏ ହେଉଛନ୍ତି ସେହି ସଞ୍ଜୟ ଜେନା । ସେ ମୋତେ ପଚାରିଲେ, “ସାର୍ , ମୋ ପାଖରେ ହଠାତ୍ କି କାମ ପଡ଼ିଲା ? ମୁଁ ତାଙ୍କୁ କଥାଟି କହିଲି । ସେ କହିଲେ, ଆମେ ଏତେ ସଂସ୍ଥାକୁ ସାହାଯ୍ୟ କରୁଛୁ ; ଓଡ଼ିଶାର ନିରୋଳା ସ୍ଵାର୍ଥ ପାଇଁ ଆପଣ ଚଳାଇଥିବା ଏ ଆନ୍ଦୋଳନକୁ ଆମେ ନିଶ୍ଚୟ ସାହାଯ୍ୟ କରିବୁ । ମୁଁ ଯଥେଷ୍ଟ ବିଜ୍ଞାପନ ଦିଆ କରାଇବି । ମୁଁ ତାଙ୍କ ମନ ବିଡ଼ିବା ପାଇଁ କହିଥିଲି ଭାଷା ଆନ୍ଦୋଳନକୁ ସାରା ଓଡ଼ିଶାରେ ମଜବୁତ ହେବାରେ ସେ ଦେଉଥିବା ବିଜ୍ଞାପନ ଯଦି ସହାୟକ ହୁଏ, ତାର ରାଜନୈତିକ ଫାଇଦା ଧର୍ମେନ୍ଦ୍ର ବାବୁଙ୍କୁ ଯିବ । ସେ ସ୍ପଷ୍ଟ କରିଦେଇଥିଲେ ଯେ, ଭାଷା ଆନ୍ଦୋଳନ ଓଡ଼ିଆ ଜାତି ପାଇଁ ଏପରି ଏକ ଯଜ୍ଞ , ଯାହାକୁ ରାଜନୈତିକ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କେବେ ବ୍ୟବହାର କରିବେ ନାହିଁ । ମୁଁ ଆଶ୍ଵସ୍ତ ହୋଇଥିଲି ; କାରଣ ପବିତ୍ର ଏହି ବିଜ୍ଞାପନ ଆଳରେ  ଆମ ଆନ୍ଦୋଳନକୁ ବିଜେପି ଶିବିରକୁ ନେଇଯିବା ଯୋଜନାରେ  ଅଛି କି ବୋଲି ଅବଚେତନରେ ଯେଉଁ ଆଶଙ୍କା ସେଠି ଉଦ୍ରେକ ହୋଇଥିଲା , ତାହା ତତ୍କାଳ ଦୂରୀଭୂତ ହୋଇଥିଲା ଓ ସଞ୍ଜୟ ବାବୁଙ୍କ ପ୍ରତି ମୋର ସମ୍ମାନ ଅଧିକ ବଢିଯାଇଥିଲା । ଯେହେତୁ ଭାଷା ଆନ୍ଦୋଳନ ପରି ଏକ ଆନ୍ଦୋଳନକୁ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ବିଜ୍ଞାପନ ଆଳରେ ଆର୍ଥିକ ସହାୟତା ଦେବା ଦୁରୂହ ଥିଲା, ସେହେତୁ ପବିତ୍ର କର୍ତ୍ତୁତ୍ଵାଧୀନ ‘ଶବ୍ଦସ୍ପର୍ଶ’କୁ ଏହି ପ୍ରସ୍ତାବିତ ସ୍ମରଣିକାର ପ୍ରକାଶକ ଦର୍ଶାଇ ତାହାକୁ ଏହି ବିଜ୍ଞାପନ ଦେବାକୁ ପବିତ୍ରଙ୍କ ପରମର୍ଶକ୍ରମେ ମୁଁ ସଞ୍ଜୟବାବୁଙ୍କୁ କହିଥିଲି । ସେତେବେଳେ ମୁଁ କଲ୍ପନା କରିପାରିନଥିଲି ଯେ, ବିଜ୍ଞାପନ ପାଇଗଲା ପରେ ପବିତ୍ର ଲୋଭଗ୍ରସ୍ତ ହୋଇ ଏକ ସ୍ଵତନ୍ତ୍ର ବ୍ୟାଙ୍କ ଖାତା ଖୋଲି ଭାଷା ଆଂଦୋଳନର ବିଜ୍ଞାପନପ୍ରସୂତ ସେହି ଉପାର୍ଜନକୁ ତୋଷରପାତ କରିବ ଓ ଧରାପଡ଼ିଗଲା ପରେ ଭାଷା ଆଂଦୋଳନର କୌଣସି ସ୍ମରଣିକା ପ୍ରକାଶ ପାଇନାହିଁ ଓ ସେପରି କୌଣସି ସ୍ମରଣିକା ପାଇଁ କୌଣସି ବିଜ୍ଞାପନ ଆସିନାହିଁ ବୋଲି କହି ଭାଷା ଆନ୍ଦୋଳନ ଜୀବନରେ ଏପରି ଜଘନ୍ୟ ବିଶ୍ଘାସଘାତକତା ଖୋଦେଇ କରିବ ।

ସତ୍ୟ ପାଇଁ ସଞ୍ଜୟବାବୁଙ୍କୁ ଅନୁରୋଧ

ସତ୍ୟ ଜାଣିବାରେ ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସଞ୍ଜୟବାବୁଙ୍କୁ ଅନୁରୋଧ କରୁଛି । ସେ ଯେଉଁ ବିଜ୍ଞାପନଗୁଡ଼ିକ ଭାଷା ଆଂଦୋଳନର ସ୍ମରଣିକା ପାଇଁ ନିର୍ଗତ କରାଇଥିଲେ  ସେଗୁଡ଼ିକ ଭାଷା ଆଂଦୋଳନର ପାଣ୍ଠି ସୃଷ୍ଟି ପାଇଁ ମୋ ଅନୁରୋଧ ଉପରେ ଆଧାରିତ ଥିଲା କି ପବିତ୍ର ମହାରଥାଙ୍କ ନିଜ ଉପାର୍ଜନ ପାଇଁ  ଅଭିପ୍ରେତ ଥିଲା, ତାହା ଏହି ଅନନ୍ୟ ଆଂଦୋଳନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ଜାତି ଅବଗତ ହେବା ଆବଶ୍ୟକ । ମୋର ବିଶ୍ଵାସ, ସଞ୍ଜୟବାବୁ ଏହି ଅନୁରୋଧ ରକ୍ଷା କରିବେ ।