ଆମ ଭାଷାର ସ୍ଥାନ ଆମ ରାଜ୍ୟର ରତ୍ନ ସିଂହାସନ : ଡଃ ଅସିତ ମହାନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ଯେଉଁ ଭାଷା ଆନ୍ଦୋଳନ ଚାଲିଛି ତାହା ଆଜି ପହଞ୍ଚିଛି ୧୫୩୫ତମ ଦିବସରେ । ଏହାର କଳାପତାକା ଅଭିଯାନ ମହାମାରୀ କାରୋନା କାରଣରୁ କାୟିକ ସ୍ତରରେ ସ୍ଥଗିତ ଥିବା ବେଳେ ବୌଦ୍ଧିକ ସ୍ତରରେ ଅବ୍ୟାହତ ଅଛି । ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ଅବୟବରେ ଏଥିପାଇଁ ଏକ ସ୍ଵତନ୍ତ୍ର ପୃଷ୍ଠା ଖୋଲାଯାଇଛି ଯାହାର ଶୀର୍ଷକ – ଭାଷା ମା ପାଇଁ ପଦେ । ଏହି ଅନନ୍ୟ ଅଭିଯାନ ସହ ଜଡ଼ିତ ଓ ଏହାକୁ ସମର୍ଥନ କରୁଥିବା ବିଶିଷ୍ଟ ଓଡ଼ିଆଭାଷାପ୍ରାଣମାନେ ଏହି ମଞ୍ଚରେ ପ୍ରତି ସପ୍ତାହରେ ଆଲୋଚନା ରଖୁଛନ୍ତି, ଯାହା ସିଧା ପ୍ରସାରିତ ହେଉଛି । ଏହିକ୍ରମରେ ଆଜି (ଜୁନ ୨୯, ୨୦୨୦) ନିଜର ବକ୍ତବ୍ୟ ରଖିଛନ୍ତି ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଗବେଷକ ତଥା ଏହି ଆନ୍ଦୋଳନର ଅନ୍ୟତମ ଅଗ୍ରଗଣ୍ୟ କଳାପତାକା ଅଭିଯାତ୍ରୀ ଡଃ ଅସିତ ମହାନ୍ତି ।

ଅଦ୍ୟତନ

ଡଃ ମହାନ୍ତିଙ୍କ ଆଲୋଚନାର ଲିଖିତ ରୂପ –

gourab bhasa

scribd.comରେ ବି ଏହା ପଠିତବ୍ୟ-

 

ଭାଷା ନିଯମାବଳୀର ଉପଯୋଗୀତା ସଂଶୟାଛନ୍ନ: ଅସିତ ମହାନ୍ତି

ନିଉଜ ସିଣ୍ଡିକେଟ

ଅମାନିଆଁ କର୍ମଚାରୀଙ୍କୁ ଆର୍ଥିକ ଦଣ୍ଡବିଧାନ ପାଇଁ ନିଯମାବଳୀ ପ୍ରଣୟନ କରି ଓଡ଼ିଶା ସରକାରୀ ଭାଷା ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ସର୍ବପ୍ରଥମେ ପ୍ରସ୍ତାବ ଓ ଚିଠା ପ୍ରଦାନ କରିଥିବା ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ବାରମ୍ବାର କହିଆସିଛନ୍ତି ଯେ, ଓଡ଼ିଆ ଜାତିକୁ ତାର ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ରାଜ୍ୟ ସରକାର ମୂଳ ଆଇନର ଭୁଲ ସଂଶୋଧନ କରିଛନ୍ତି ଓ ଭୁଲ ନିଯମାବଳୀ ପ୍ରଣୟନ କରି, ତାହାକୁ ମଧ୍ୟ ପ୍ରମାଦପୂର୍ଣ ଭାବେ ସଂଶୋଧନ କରିଛନ୍ତି । ସରକାର ଏହି ସମସ୍ତ ଭୁଲକୁ ବିଲୋପ କରନ୍ତୁ ଓ ଅମାନିଆଁ କର୍ମଚାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଆଇନଗତ ପଦକ୍ଷେପ ନେବାର ଅଧିନର ପ୍ରତ୍ଯେକ ଓଡ଼ିଆଙ୍କୁ ଦିଆଯାଉ ବୋଲି ସ ଦାବିକରିଆସିଛନ୍ତି । ମାତୃଭାଷାପ୍ରେମୀ ଶ୍ରେଷ୍ଠ ଓଡ଼ିଆମାନେ ଏଥିପାଇଁ ନୀତିନିଷ୍ଠ ଭାବେ ପ୍ରତ୍ୟହ ନିଶବ୍ଦ କଳା ପତାକା ଅଭିଯାନ ଚଳାଇ ସାରା ଓଡ଼ିଶାରେ ଅଭୂତପୂର୍ବ ଜନଜାଗୃତି ସୃଷ୍ଟି କରିଛନ୍ତି । ମାତ୍ର ଓଡ଼ିଆକୁ ଓଡ଼ିଶାର ସରକାରୀ ଭାଷା କରାଇ ନଦେବା ଜିଦରେ ଅତଳ ଥିବା ମୁଖ୍ୟମନ୍ତ୍ରୀ ଏହି ଆନ୍ଦୋଳନକୁ ଭାଙ୍ଗି ଦେବାପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କର ଦୁଇ ସହକର୍ମୀଙ୍କ ଅର୍ଥଲୋଲୁପତାର ସୁଯୋଗ ନେଇ ସେମାନଙ୍କୁ ଥୋପ ପକାଇ ଧରିଛନ୍ତି ଓ ସେମାନେ ୧୬।୭।୨୦୧୮ ତାରିଖରେ କଳା ପତାକା ଅଭିଯାନରୁ ଓହରିଯାଇ ଏହି ଭୁଲ ସଂଶୋଧଙଗୁଡ଼ିକ ସପକ୍ଷରେ ପ୍ରଚାର କରିବାରେ ଲାଗିଛନ୍ତି ।

ପରିସ୍ଥିତି ଏପରି ଥିବା ବେଳେ ଓଡ଼ିଶାର ଶ୍ରେଷ୍ଠ ସାହିତ୍ୟପ୍ରହରୀ , ଗବେଷକ ସାମ୍ବାଦିକ ଡ॰ଅସିତ ମହାନ୍ତି ଦୈନିକ ସମ୍ବାଦରେ ତାଙ୍କ ଜନପ୍ରିୟ ସ୍ତମ୍ଭ ‘ସାହିତ୍ୟିକ ପାଣିପାଗ’ରେ ଏହି ସ୍ପର୍ଶକାତର ପ୍ରସଙ୍ଗରେ ଏକ ନିବନ୍ଧ ପ୍ରକାଶ କରିଛନ୍ତି, ଯହିଁରେ ସେ ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ନିଯମାବଳୀର ଉପଯୋଗୀତା ସଂଶୟାଛନ୍ନ । ନିବନ୍ଧଟିର ଐତିହାସିକ ମୂଲ୍ୟ ଦୃଷ୍ଟିରୁ ଆମେ ତାହାକୁ ଏଠାରେ ଏକ ସାର୍ବଜନୀନ ଦସ୍ତାବିଜ ଭାବେ ସ୍ଥାନିତ କରୁଛୁ ।

ଭାଷା କ୍ଷେତ୍ରରେ ସରକାରୀ ପ୍ରବଞ୍ଚନା ଜାଲିଆନାଵାଲାବାଗ୍ ଗଣହତ୍ୟା ଠାରୁ କମ୍ ନୁହେଁ : ଅସିତ ମହାନ୍ତି

ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ଚାଲିଥିବା କଳାପତାକା ଅଭିଯାନ ଆଜି ତିନିବର୍ଷ ଟପିଲା । ଏହି ଉଲଲକ୍ଷେ ଭାଷା ଆନ୍ଦୋଳନ ପକ୍ଷରୁ ପ୍ରକାଶିତ ବୈଦ୍ୟୁତିକ ପୁସ୍ତକ (e-book) – ଆମ ଭାଷା ପାଇଁ ଆମ ଲଢ଼େଇ – ବିଶ୍ବାର୍ପିତ ହୋଇଥିବାବେଳେ ‘ସଙ୍କଟାବର୍ତ୍ତରେ ଓଡିଶା ସରକାରୀ ଭାଷା ଆଇନ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗବେଷକ ଓ ସାମ୍ବାଦିକ ଡକ୍ଟର ଅସିତ ମହାନ୍ତି କହିଥିଲେ ଓଡ଼ିଶା ସରକାରୀ ଭାଷା ଆଇନ କ୍ଷେତ୍ରରେ ସରକାରୀ ପ୍ରବଞ୍ଚନା ଆଜିକୁ ଶହେ ବର୍ଷ ତଳେ ଏହି ଦିନ (୧୩ ଏପ୍ରିଲ) ବିଦେଶୀ ଇଂରାଜ ବାହିନୀ ଘଟାଇଥିବା ଜାଲିଆନାଵାଲାବାଗ୍ ଗଣହତ୍ୟା ଠାରୁ କମ୍ ନୁହେଁ । ତାଙ୍କ ଭାବନାର ଲିଖିତ ରୂପ ଭାଷା ଆନ୍ଦୋଳନ ପକ୍ଷରୁ ପ୍ରକାଶିତ ହୋଇଛି । ଭାଷା ଆନ୍ଦୋଳନର ଏକ ସହାୟକ ସାହିତ୍ଯ ରୂପେ ତାହା scribd.com ପୃଷ୍ଠାରୁ ନିମ୍ନରେ ସ୍ଥାନିତ ହେଲା ।

Dr. Asit Mohanty on Bhasha Andolan, Orissa by Subhas Chandra Pattanayak on Scribd

ଚାକିରି କ୍ଷେତ୍ର ନ ଭାବି ଘର ଜ୍ଞାନ କର , ସାହିତ୍ୟ ଏକାଡେମୀ ସୁଧୁରିଯିବ : ଅସିତ ମହାନ୍ତି

ଓଡ଼ିଶାର ଅନ୍ୟତମ ସୁଯୋଗ୍ୟ ସାମ୍ବାଦିକ ଶ୍ରୀ ସମ୍ପଦ ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ଦୈନିକ ‘ନିତିଦିନ’ ସୁବିଦିତ ବ୍ୟକ୍ତିମାନଙ୍କୁ ତାର ‘ବ୍ୟକ୍ତିତ୍ବ’ ପୃଷ୍ଠାରେ ସ୍ଥାନିତ କରି ଆସିଛି ∣ ଏହି ପୃଷ୍ଠା ଏଥର ମଣ୍ଡନ କରିଛନ୍ତି ବିଶିଷ୍ଟ ସାମ୍ବାଦିକ ଓ ସମାଲୋଚକ ଅସିତ ମହାନ୍ତି ∣

ଓଡିଶା ସାହିତ୍ୟ ଏକାଡେମୀରେ ଲାଗିରହିଥିବା ଅବ୍ୟବସ୍ଥା ଉପରେ ଦୃଷ୍ଟି ଆକର୍ଷିତ ହେବାରୁ ସେ କହିଛନ୍ତି , “ଯେଉଁମାନେ (ଏହାର) ସଭାପତି, ସମ୍ପାଦକ, କର୍ମକର୍ତ୍ତା – ସେମାନେ (ନିଜ ପଦବୀକୁ) ଚାକିରି ପରି ନଭାବି ଏକାଡେମୀକୁ ଯଦି ଘର ବୋଲି ଭାବିବେ , ତେବେ ସବୁ ସମସ୍ୟାର ସମାଧାନ ହୋଇଯିବ”

ଭାଷା ଆନ୍ଦୋଳନର କଳାପତାକା ଅଭିଯାନ କେବଳ ‘ଓଡ଼ିଆରେ ଓଡ଼ିଶାର ସଞ୍ଚାଳନ ଓ ତହିଁର ଖିଲାପକାରୀକୁ ଦଣ୍ଡବିଧାନ’ ପାଇଁ ଉଦ୍ଦିଷ୍ଟ, ତା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟର ଗାରିମା ରକ୍ଷା ଓ ବିକାଶ ପାଇଁ ବି ଅଭିପ୍ରେତ ∣ ଏହି ଅଭିଯାନ ପ୍ରତି ଅସିତ ବାବୁଙ୍କ ଅବଦାନ ପ୍ରାଣପୂର୍ତ୍ତ ଭାଷା ପ୍ରେମରେ ଭରା ∣ ତେଣୁ ଆନ୍ଦୋଳନର ସବୁ ସାଥୀଙ୍କ ପାଇଁ ‘ନିତିଦିନ’କୁ ସେ ଦେଇଥିବା ସାକ୍ଷାତ୍କାର ଏଠାରେ ସ୍ଥାନିତ ହେଉଅଛି ∣ (ଭାଷା ଆନ୍ଦୋଳନ, ଓଡିଶା)