ପ୍ରଦ୍ୟୁମ୍ନ ଶତପଥୀ: ମୁହଁ ଇସ୍ପାତ , ପଛ ସନ୍ନିପାତ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଜଣେ ଅପରାଧୀ ଅପରାଧ କରିବାରେ ସଫଳ ହୁଏ , ମାତ୍ର ସେହି ସଫଳତା ତା ମନରେ ଯେଉଁ ଭୟ ଭରିଦିଏ, ତହିଁରୁ ମୁକୁଳିବା ତା ପକ୍ଷେ ସମ୍ଭବ ହୁଏନାହିଁ ।

ପ୍ରଦ୍ୟୁମ୍ନ ଶତପଥିଙ୍କର ଏହା ହିଁ ହୋଇଛି ।

ବହୁ ଦିନ ଧରି ସେ ମୋର ଚାଟୁକାର ଥିଲେ । ମୁଁ ପ୍ରତିଷ୍ଠା କରିଥିବା ଭାଷା ଆଂଦୋଳନର ଜଣେ “ସଞ୍ଚାଳକ” ଭାବେ ସେ ନିଜର ପରିଚୟ ଦେଉଥିଲେ ।

ସେହେତୁ ବହୁ ବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ଦେଖାଗଲା ଯେ, ମୋ ଉପରେ ସେ ଅତି କୁତ୍ସିତ ଶବ୍ଦରେ ଗାଳିବର୍ଷଣ କରିଛନ୍ତି ଏକ ଭିଡ଼ିଓରେ । ସେମାନଙ୍କଠାରୁ ଅବଗତ ହୋଇ ମୁଁ ଭିଡ଼ିଓଟିକୁ  ଦେଖିଲି । ସେହି ଭିଡ଼ିଓର ପ୍ରସାରଣକାରୀ NNS ଯଦି ତାର thumbnailରେ ଲେଖିନଥାନ୍ତେ କି, ମୋ ଅଭିଯୋଗର ଜବାବ ସେ ତହିଁରେ ଦେଇଛନ୍ତି, ତେବେ ତାଙ୍କ ଚାଟୁକାରୀତାର ସାକ୍ଷୀ ଥିବା ମୋ ବନ୍ଧୁମାନେ ବିଶ୍ଵାସ କରିପାରିନଥାନ୍ତେ ଯେ,  ତାଙ୍କ ଗନ୍ଧରା ବାନ୍ତି ମୋ ପ୍ରତି ନିକ୍ଷିପ୍ତ । କାରଣ, ତହିଁରେ ସେ  ମୋ ନାମ ଧରିବାକୁ ସାହସ କରିନାହାନ୍ତି ।

କାହିଁକି ସାହସ କରିନାହାନ୍ତି?

ଭୟ ।

କାହିଁକି ଭୟ?

କାରଣ ସେ ଅପରାଧୀ ।

କି ଅପରାଧ ସେ କରିଛନ୍ତି?

ଅର୍ଥଲୋଭରେ ଭାଷା ଆନ୍ଦୋଳନକୁ ଛୁରି ମାରିଛନ୍ତି ।

ଏହି ଅପରାଧର ମୁଖଶାଳାରେ ମୁଁ ସାମାନ୍ୟ ପଦାଘାତ କରିଥିଲି ୪.୯.୨୦୧୮ ତାରିଖ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ । NNS ତାହାର ସିଧା ପ୍ରସାରଣ କରିଥିଲା ୟୁ ଟ୍ୟୁବ୍ ମାଧ୍ୟମରେ । ତହିଁରେ ପ୍ରଦ୍ୟୁମ୍ନ ଓ ତାଙ୍କ ଗ୍ୟାଙ୍ଗ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ବି ଚମକି ଥିଲେ; କାରଣ, ମୁଁ ବିଧାନସଭାକୁ ଆହ୍ଵାନ ଦେଇଥିଲି କି, ୧.୫.୨୦୧୮ରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରୀ ଭାଷା ଆଇନରେ ଓଡ଼ିଆଜାତିର ସ୍ଵାର୍ଥ ବିରୋଧୀ ଯେଉଁ ସଂଶୋଧନ କରିଛନ୍ତି , ତାହା ବିଧାନସଭାକୁ ମିଛ କହି ଓ ପ୍ରତାରିତ କରି କରାହୋଇଥିବା ହେତୁ ତାଙ୍କ ବିରୁଦ୍ଧରେ ତୁରନ୍ତ ଗୃହ ଅବମାନନା ଓ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉ । ଏହି ଅଭିଯୋଗକୁ ଖଣ୍ଡନ କରିବା ପାଇଁ NNSର ଶରଣାପନ୍ନ ହୋଇଥିଲେ ସରକାରଙ୍କ ନୂଆ ଦଲାଲ ପ୍ରଦ୍ୟୁମ୍ନ ଶତପଥୀ ।

ମୁଁ ତାଙ୍କୁ ଏକ ଇ-ମେଲ ପଠାଇଲି । ନିମ୍ନରେ ତାହାର ନକଲ:

Subhas Chandra Pattanayak 

Sep 14, 2018, 1:08 PM
to Pradyumna

Dear Sri  Pradyumna Satpathy

I am giving below the link to a highly offensive video that  carries your vitriol allegedly upon me, as the reporter, who took the record, published  and circulated in public has mentioned. This is it:

https://www.facebook.com/nnsodia/videos/259228898264197/

I would like to know if the same is true.

ସେ ଏତେ ଭୟ କରିଗଲେ ଯେ, NNS ଦାୟିତ୍ଵ ତୁଲାଉଥିବା ଶ୍ରୀରାମ ଦାସଙ୍କ ଗୋଡ଼ ତଳେ ପଡ଼ିଲେ ଭିଡ଼ିଓଟିକୁ ନିଶ୍ଚିହ୍ନ କରିଦେବାକୁ । ତାହା ସମ୍ପନ୍ନ ହେଲା ପରେ, ମୋ ଇ-ମେଲର ଉତ୍ତର ଦେଇ ସେ ଲେଖିଲେ :

Pradyumna Satpathy 

Sep 15, 2018, 2:08 PM

to me

Mr. Subhas chandra pattanaik ,

where is video ?

You have not  enclosed any vedio here.

ଇଏ ହେଲେ ପ୍ରଦ୍ୟୁମ୍ନ ଶତପଥୀ, ଯାହାଙ୍କୁ ବିଶ୍ଵାସ କରି ମୁଁ ମୋ ଆଂଦୋଳନର “ସଞ୍ଚାଳକ” ପଦରୁ ସଭାପତି ପଦକୁ ଉନ୍ନୀତ କରିଥିଲି । ଏହାଙ୍କ ମୁହଁ ଇସ୍ପାତ, କିନ୍ତୁ ପଛ ସନ୍ନିପାତ । ଯେକୌଣସି ସାମାଜିକ ଆନ୍ଦୋଳନ ପ୍ରତି ଏହି କିସମର ଲୋକ ମହା ବିପଦ ।

ନବୀନ ପଟ୍ଟନାୟକଙ୍କ ସପକ୍ଷରେ ବୈଷ୍ଣବ ପରିଡ଼ାଙ୍କୁ ଭର୍ତ୍ସନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଜୁଲାଇ ତ୧୬, ୨୦୧୮ ତାରିଖରୁ ଓଡ଼ିଶା ସରକାରୀ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ କଳା ପତାକା ଅଭିଯାନ ପୁନଶ୍ଚ ଆରମ୍ଭ ହେବାର ଥିଲା । ପଇସା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ମୁଖ୍ୟମନ୍ତ୍ରୀଙ୍କ ସହ ହାତ ମିଳାଇଲେ। କିନ୍ତୁ କଳା ପତାକା ଅଭିଯାନକୁ ଅଟକାଇ ପାରିଲେ ନାହିଁ ।

କଳା ପତାକା ଅଭିଯାନ ବନ୍ଦ ହୋଇଯାଇଛି ବୋଲି ଏମାନେ ଯେଉଁ ଅନଧିକୃତ ପ୍ତଚର କରିଥିଲେ ତାହାକୁ ପ୍ରତ୍ୟାଖ୍ୟାନ କରି ରଞ୍ଜନ କୁମାର ଦାସ ଓ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ କେନ୍ଦ୍ରାପଡ଼ାର ଭାଷାପ୍ରାଣ ସାଥୀମାନେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଅନ୍ତୁଡ଼ିଶାଳରୁ କଳା ପତାକା ସହ ଉଦୁଉଦିଆ ଖରାରେ ଚାଲି ଚାଲି ଆସି ଏମାନଙ୍କ ବିଶ୍ଵାସଘାତକତାର ଠିକ୍ ମାସେ ପୂରିବା ଦିନ ୧୭.୮.୨୦୧୮ ଅପରାହ୍ନରେ ଭୁବନେଶ୍ଵବରରେ ପହଞ୍ଚି ଭାଷାଦ୍ରୋହୀ ସରକାରଙ୍କ ଛାତିରେ ଛନକା ଭରିଦେଲେ ।

କର୍କଟ ବ୍ୟାଧି କବଳରେ ପଡ଼ିଥିବା ଭାଷା ସୁରକ୍ଷା ସମ୍ମିଳନୀର ପ୍ରତିଷ୍ଠାତା ବୈଷ୍ଣବ ଚରଣ ପରିଡ଼ା କଳା ପତାକା ଅଭିଯାନକୁ ସମର୍ଥନ ଜ୍ଞାପନ କଲେ ଓ ଓଡ଼ିଆରେ କାମ କରିବାକୁ ଅକ୍ଷମ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ, କାମରାଜ ଯୋଜନାରେ ବିଜୁ ପଟ୍ଟନାୟକ ଦାୟିତ୍ଵ ହସ୍ତାନ୍ତର କରି ଇଜ୍ଜତ ବଞ୍ଚାଇଥିବା ପରି, ଦଳର ଅନ୍ୟ କାହାକୁ ଦାୟିତ୍ଵ ହସ୍ତାନ୍ତର କରିଦେବା ଉଚିତ ବୋଲି କହିଲେ । ମୁଖ୍ୟମନ୍ତ୍ରୀ ଚମକିଲେ । ବୈଷ୍ଣବ ପରିଡ଼ାଙ୍କୁ ଭର୍ତ୍ସନା କରି ତାଙ୍କ ନୈତିକ ବଳ ଭାଙ୍ଗି ଚୁରମାର କରିବାକୁ ଦାୟିତ୍ଵ ଦିଆଗଲା ମୁଖ୍ୟମନ୍ତ୍ରୀଙ୍କ ପୋଷା ମାନିଥିବା ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ଗ୍ୟାଙ୍ଗକୁ ।

ସଡ଼କ କଡ଼ରେ ଏକ ଚା ଦୋକାନରେ ସେ ଓ ପବିତ୍ର ଯେଉଁଠି ଖଟି କରନ୍ତି ସେଇଠି ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଜଣେ ବ୍ୟକ୍ତିଙ୍କ ଟିଭି ଚ୍ୟାନେଲ ପ୍ରଦ୍ୟୁମ୍ନ ଶତପଥୀଙ୍କ ବୟାନ ରେକର୍ଡ କଲା । ତାଙ୍କ ପାଖରେ ବସି ପୋହଳି ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଥିଲେ ପବିତ୍ର ମହାରଥା ।

ନିଜ ମୋବାଇଲ ଫୋନରେ ଏହାକୁ ରେକର୍ଡ କରିଥିଲେ ଜଣେ ସରକାରୀ କର୍ମଚାରୀ ଯେ କି ନାମ ପ୍ରକାଶ ନ କରିବା ସର୍ତ୍ତରେ ORISSA MATTERSକୁ ଏହା ପ୍ରଦାନ କରିଥିଲେ । ମୃତ୍ୟୁ ସହ ସଂଗ୍ରାମରତ ବୈଷ୍ଣବ ପରିଡ଼ାଙ୍କୁ ଯେଉଁ କୁତ୍ସିତ ଶବ୍ଦରେ ଭର୍ତ୍ସନା ତାହା କେବଳ ମର୍ଯ୍ୟାଦାବନ୍ତ ଓଡ଼ିଆ ଜାତିର ଅବମାନନା ତ ନୁହେଁ, ଯେ କୌଣସି ସାମାଜିକ ଆନ୍ଦୋଳନ ପାଇଁ ବି କ୍ଷତିକାରକ ।

ମୋବାଇଲ ଫୋନରେ ଦୂରରୁ ଗୋପନରେ ଉଠିଥିବା ଏହି ଭିଡ଼ିଓଟି ପିକ୍ସେଲ ମାନରେ ଅବଶ୍ୟ ଉତ୍କୃଷ୍ଟ ନୁହେଁ , ମାତ୍ର ଭାଷା ଆନ୍ଦୋଳନ ଜୀବନରେ ଏହା ଏକ ଐତିହାସିକ ମୂଲ୍ୟସମ୍ପନ୍ନ ଦୃଶ୍ୟପଟ ।

ଆମ ଭାଷା ପାଇଁ ଆମ ଅଭିଯାନ // ଆଜି କଲା ଚାରିବର୍ଷ ଅତିକ୍ରମ

ଚିତ୍ର ଉପସ୍ଥାପନା : ରଞ୍ଜନ କୁମାର ସାହୁ,

ବିଷୟ ଉପସ୍ଥାପନା :  ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ସୃଷ୍ଟି ହୋଇଥିଲା ଓଡ଼ିଶା । ବ୍ରିଟିଶ ଯେତେବେଳେ ଆମ ମାଟିରେ ରଖିଥିଲା ତାର ଅନୁପ୍ରବେଶକାରୀ ପଦ, କିପରି ଥିଲା ଆମ ଜାତି? ଟୟନବୀଙ୍କ ଭାଷାରେ “It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” (A Sketch of the History of Orissa, G.Toynbee) । ପରେ ଯୁଗ୍ମ ବିଚାରପତି ଡବ୍ଲ୍ୟୁ॰ ଫରେଷ୍ଟର ବ୍ରିଟିଶ କର୍ତ୍ତୃପକ୍ଷଙ୍କୁ ଲେଖିଥିଲେ ଓଡ଼ିଆ ଲୋକଙ୍କ ମାଟି ଏତେ ବୀରତ୍ବବ୍ୟଞ୍ଜକ ଓ ମିଜାଜ ଏତେ କଡ଼ା ଯେ, ସେନା ବାହିନୀ ବ ପୋଲିସ ବଳରେ ସେମାନଙ୍କୁ କାବୁ କରିହେବନି (କମିଶନର ରୋବର୍ଟ କେରଙ୍କୁ ରିପୋର୍ଟ , ୯.୯.୧୮୧୮) । ଏହି ବୀରତ୍ବପୂର୍ଣ ମିଜାଜକୁ ଧ୍ବଂସ କରିଦେବାପାଇଁ ବ୍ରିଟିଶ କୂଟନୀତିଜ୍ଞମାନେ ବହୁ ଷଡ଼ଯନ୍ତ୍ର କରି ଆମ ପଡ଼ୋଶୀ ଭିନ୍ନ ଭାଷା ଭାଷୀ ପ୍ରଦେଶମାନଙ୍କରେ  ଆମ ମାଟିକୁ  ଭାଗ ଭାଗ କରି ମିଶାଇ ଦେଇଥିଲେ ଓ ସେଠାରେ ଆମକୁ ସଂଖ୍ୟାଲଘୁ କରାଇ ସେମାନଙ୍କ ଭାଷା ଆମ ଉପରେ ନଦିଦେଇଥିଲେ । ଅଣଓଡ଼ିଆ ଭାଷାରେ ଚାଲିଥିଲା ଓଡ଼ିଶାର ଶାସନ । କିନ୍ତୁ ଓଡ଼ିଆ ମିଜାଜ ଏହି ଚକ୍ରାନ୍ତକୁ ଚୁରମାର କରିଦେଲା ଏବଂ ଓଡ଼ିଆ ଅସ୍ମିତା ପାଖରେ ମୁଣ୍ଡ ନୂଆଁଇ ବ୍ରିଟିଶ ସରକାର ଅବଶେଷରେ ନିଜ ଛାପ ନିଜେ ଢୋକି ଆମ ଭାଷାରେ ଆମ କାର୍ଯ୍ୟ ପରିଚାଳନା ପାଇଁ ଆମ ପୂର୍ବସୂରୀମାନଙ୍କ ଦାବିକୁ ସମ୍ମାନ ଜଣାଇ ମା ଓଡ଼ିଶାକୁ ଆବିର୍ଭୂତ ହେବାରେ ସାହାଯ୍ୟ କଲା । କିନ୍ତୁ  ସ୍ଵାଧୀନତା ପରେ ଆମ ମୁଖ୍ୟମନ୍ତ୍ରୀ ହୋଇପାରିଥିବା ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଉତ୍କଟ ଇଂରାଜୀମନସ୍କତା ହେତୁ ଆମ ରାଜ୍ୟରେ ଆମ ଭାଷାରେ ନୁହେଁ ,ଇଂରାଜୀ ଭାଷାରେ ରାଜୁତି ଚାଲିଛି ।

ଆମ ଭାଷା ବିରୁଦ୍ଧରେ ସରକାରୀ ଷଡ଼ଯନ୍ତ୍ର  ବନ୍ଦ ହେଉ ଓ ଓଡ଼ିଶାର ପରିଚାଳନା ଓଡ଼ିଆରେ ହେଉ ବୋଲି ସରକାରଙ୍କୁ ପରାମର୍ଶ ଦେଇ ମୁଁ ସେଥିପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଯେଉଁ ଚିଠା ବିଧାନ ଦେଇଥିଲି ତାହାକୁ ମୁଖ୍ୟମନ୍ତ୍ରୀ ମାନିଥିଲେ ୨୦୧୫ ସାରିବା ପୂର୍ବରୁ ବି ଆଇନ ସଂଶୋଧନ ହୋଇ ଆମ ଭାଷାରେ ଆମ ରାଜ୍ୟ ଚାଲନ୍ତାଣି । କିନ୍ତୁ ଓଡ଼ିଆବିଦ୍ଵେଷୀ ନବୀନ ପଟ୍ଟନାୟକ ତାହା କରାଇଦେଉନାହାନ୍ତି । ମନ୍ତ୍ରୀସ୍ତରୀୟ କମିଟି ମୁଖ୍ୟମନ୍ତ୍ରୀଙ୍କ ହେତୁ ନିରର୍ଥକ ହୋଇଗଲା ପରେ ୨୦୧୬ର ଆଜିର ଦିନରେ ମୁଁ ଯେଉଁ କଳା ପତାକା ଅଭିଯାନ ଆରମ୍ଭ କରିଥିଲି ତହିଁରେ ସାମିଲ  ହୋଇଥିବା ମୋର ମୁଖ୍ୟ ସହକର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୋଷାମନେଇ ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ଯେଉଁ ଅପୋଦୟାମ କରିଥିଲେ , ତାହାକୁ ଓଡ଼ିଆ “ମିଜାଜ୍” ପ୍ରତ୍ୟାଖ୍ୟାନ କରିଛି ଓ ଓଡ଼ିଆ ଜାତିର ସଚେତନବର୍ଗ ନିଜ ଭାଷା ମାଆକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି । ଫଳରେ ଏହି ଯୁଗାନ୍ତକାରୀ ଆନ୍ଦୋଳନ ଆଜି ଅତିକ୍ରମ କରିଛି ଚତୁର୍ଥ ବର୍ଷ ।

ଆମେ ଆଶା କରୁଛୁ , ମୁଖ୍ୟମନ୍ତ୍ରୀ ନିଜର ଭୁଲ ସଂଶୋଧନ କରିବେ ଓ ଆଇନର ପୁନଃ ସଂଶୋଧନ କରି ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ଅଲଙ୍ଘ୍ୟ କରିବେ ।

ଶ୍ରୀମାନ୍ ରଞ୍ଜନ କୁମାର ସାହୁ ଆଜିର ଏହି ସ୍ଵତନ୍ତ୍ର ଦିବସ ପାଇଁ ଓଡ଼ିଆ ଜାତି ସମ୍ମୁଖରେ ଆମ ପୂର୍ବସୂରୀମାନଙ୍କ ମଧ୍ୟରୁ ଯତ୍ପରୋନାସ୍ତି ସମ୍ଭବ ଏପରି କେତେକଙ୍କ ଫଟୋଚିତ୍ର ସଂଗ୍ରହ କରି ଭାଷାଆନ୍ଦୋଳନର ବାର୍ତ୍ତା ସହ ପ୍ରଦାନ କରିଛନ୍ତି, ଯେଉଁମାନେ  ସୁଦୃଢ଼ କରିଥିବା ଓଡ଼ିଆ ଅସ୍ମିତାକୁ ଆଧାର କରି କଳା ପତାକା ଅଭିଯାନ ଚାଲିଛି । ଆଉ କେତେକଙ୍କ ଫଟୋଚିତ୍ର ସମୟ ଅଭାବରୁ ସେ ସଂଗ୍ରହ କରିପାରିନାହାନ୍ତି । ତାହା ହସ୍ତଗତ ହେଲେ ଏଠାରେ ସ୍ଥାନିତ ହେବ । ଆମକୁ ବୁଝିବାକୁ ହେବ ଯେ, ଓଡ଼ିଶାରେ ଇଂରାଜୀ ରାଜୁତି ଯେତେଦିନ ଚାଲିଥିବ ଆମ ଏହି ପୂର୍ବସୂରୀମାନଙ୍କ ପ୍ରତି ରାଷ୍ଟ୍ରୀୟ ଅପମାନ ସେତେଦିନ ଆମକୁ ଦଗ୍ଧିଭୂତ କରିଚାଲିଥିବ ।

ଓଡ଼ିଆ ଅସ୍ମିତାର ଏହି ରୂପକଳ୍ପମାନଙ୍କ ପ୍ରତି ଭାଷା ଆନ୍ଦୋଳନ ଜଣାଉଛି କୋଟି ପ୍ରଣାମ ଓ ଆଦର୍ଶସ୍ଥାନୀୟ  ଭାଷାପ୍ରାଣ ଶ୍ରୀମାନ୍ ରଞ୍ଜନ କୁମାର ସାହୁଙ୍କୁ  ତାଙ୍କ ଏହି ଅନନ୍ୟ ଅବଦାନ ପାଇଁ ଅର୍ପଣ କରୁଛି ଅଶେଷ ଧନ୍ୟବାଦ ।

ଶୁଣିବା ହୁଅନ୍ତୁ ସମ୍ପଦକେ – ବନ୍ଧୁ ଗୋପାଳକୃଷ୍ଣ ଓ ବାବୁ ସୌମ୍ୟ ରଞ୍ଜନ !

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଲେଖାଟି ଦୁଇଜଣ ଦୈନିକ ଖବରକାଗଜ ସମ୍ପାଦକଙ୍କ ପାଇଁ ଉଦ୍ଦିଷ୍ଟ । ସେମାନେ ହେଲେ ପ୍ରମେୟ ସମ୍ପାଦକ ବାବୁ ଗୋପାଳକୃଷ୍ଣ ମହାପାତ୍ର ଓ ସଂବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ।

ବିଦାୟୀ ବର୍ଷର ବିଶେଷ ଘଟଣା ଉପସ୍ଥାପନ କରିବାକୁ ଯାଇ ଏ ଉଭୟେ ୨୦୧୯ରେ କିପରି ଓଡ଼ିଆ ଭାଷାରେ ଓଡ଼ିଶା ପରିଚାଳନା ପାଇଁ ରାଜ୍ୟ ସରକାର ବିଧାନ ସୃଷ୍ଟି କରିଛନ୍ତି ତାହା ପରିବେଷଣ କରିଛନ୍ତି । ଆମ ଭାଷା ଅଧିକାରକୁ ସଂହାର କରିବାକୁ ଚକ୍ରାନ୍ତ କରି ବିଧାନ ପ୍ରଣୟନ ଆଳରେ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪କୁ ପଙ୍ଗୁ କରିଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳା ପତାକାର ଲହର ଦାଉରୁ ନିଜ ଚର୍ମ ରକ୍ଷା କରିବାକୁ ନାନା କୁତ୍ସିତ କୌଶଳ ପ୍ରୟୋଗ କରି ଚାଲିଛନ୍ତି ଓ ଦଲାଲମାନଙ୍କ ମୁଁହରେ କୁହା କରାଉଛନ୍ତି କି ଭାଷା ଆଇନର ଯେପରି ସଂଶୋଧନ ଭାଷା ଆନ୍ଦୋଳନ ଦାବି କରିଥିଲା ସେପରି ସଂଶୋଧନ ହୋଇସାରିଛି । ଏହି ଦଲାଲୀ କାମରେ ଏହି ଉଭୟ ସମ୍ପାଦକ ନିୟୋଜିତ । ଏମାନଙ୍କ ସଦ୍ୟ ପରିବେଷଣ ପ୍ରେକ୍ଷାପଟରେ ତାହା ମୁଁ ଆଲୋଚନା କରିବି

ପ୍ରମେୟର  ୨୭.୧୨.୨୦୧୯ ପରିବେଷଣ

“ଓଡ଼ିଆ ଭାଷା ବ୍ୟବହାର ନକଲେ ଦଣ୍ଡ” ଶୀର୍ଷକରେ ଏହା ଲେଖିଛି, “ଓଡ଼ିଆ ସରକାରୀ ଭାଷା ଆଇନ ସଂଶୋଧନ ବିଲରେ ରାଜ୍ୟପାଳ ମୋହର ମାରିବା ପରେ ବିଧିବଦ୍ଧ ଭାବେ ୧୪ ଅଗଷ୍ଟଠାରୁ ସଂଶୋଧିତ ଆଇନ ରାଜ୍ୟରେ ଲାଗୁ ହୋଇଛି । ୧୯୫୪ ଭାଷା ଆଇନ ଥିଲେ ବି ତାହା ସମ୍ପୂର୍ଣ ଦନ୍ତହୀନ ଥିଲା । ଆଇନରେ ଖିଲାପ କଲେ ସରକାରୀ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ନଥିଲା । ମାତ୍ର ସଂଶୋଧିତ ଆଇନରେ ଓଡ଼ିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାରକୁ ଦୃଷ୍ଟିରେ ରଖି ସରକାର ଦଣ୍ଡ ବିଧାନ ସହ ପୁରସ୍କୃତ କରିବାକୁ ବି ବ୍ୟବସ୍ଥା ରଖିଛନ୍ତି । ପଞ୍ଚାଯତ ସ୍ତରରୁ ଆରମ୍ଭ କରି ସଚିବାଳୟ ଯାଏଁ ସରକାରୀ ନଥିପତ୍ର , ଚିଠି ଆଦି ଓଡ଼ିଆରେ ଲେଖାଯିବ । ଯେଉଁ ବିଭାଗର ଅଧିକାରୀମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ଆଇନରେ ଦଣ୍ଡବିଧାନର ପ୍ରବଧାନ ରହିଛି । ଯେଉଁ ଅଧିକାରୀମାନେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବେ ସରକାରଙ୍କ ତାଙ୍କୁ ଚିହ୍ନଟ କରି ପୁରସ୍କୃତ ମଧ୍ୟ କରିବେ ।  ପ୍ରଥମ ଥର ସରକାରୀ କର୍ମଚାରୀଙ୍କୁ  ଓଡ଼ିଆ ଭାଷା ବ୍ୟବହାର ଶିଖାଇଥିଲା ଓଡ଼ିଆ ଭାଷା ପ୍ରତିଷ୍ଠାନ । ଅକ୍ଟୋବର ମାସରେ ୫ ଦିନ ବ୍ୟାପୀ ଆୟୋଜିତ ହୋଇଥିଲା ଓଡ଼ିଆ ଭାଷା ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏଥିରେ ସରକାରଙ୍କ ୧୫ଟି ବିଭାଗରୁ ୩ ଜଣ ଲେଖାଏଁ ମୋଟ ୪୫ ଜଣ ପ୍ରଶିକ୍ଷଣ ନେଇଥିଲେ ।”

ଗୋଟିଏ ମିଛ କହିବାକୁ ଚେଷ୍ଟାକଲେ ବିଭିନ୍ନ ମିଛର ଆଶ୍ରୟ ନେବାକୁ ହୁଏ। ତେଣୁ “ଭାଷା ଆଇନ ସଂଶୋଧନ ବିଲରେ ରାଜ୍ୟପାଳ ମୋହର ମାରିବା ପରେ ୧୪ ଅଗଷ୍ଟଠାରୁ ସଂଶୋଧିତ ଆଇନ ରାଜ୍ୟରେ ଲାଗୁ ହୋଇଛି” ବୋଲି ଏଥିରେ ଲେଖା ଅଛି । ଏହା ମିଛ କଥା । ଭାଷା ଆଇନ ୨୦୧୯ରେ ସଂଶୋଧନ ହୋଇନାହିଁ କି ଭାଷା ଆଇନର ସଂଶୋଧନ ଉପରେ ରାଜ୍ୟପାଳ ୨୦୧୯ରେ “ମୋହର” ଲଗାଇନାହାନ୍ତି କି “ସଂଶୋଧିତ ଆଇନରେ ଓଡ଼ିଆ ଭାଷାର ବହୁଳ ପ୍ରଚାର ଓ ପ୍ରସାରକୁ ଦୃଷ୍ଟିରେ ରଖି ସରକାର ଦଣ୍ଡ ବିଧାନ ସହ ପୁରସ୍କୃତ କରିବାକୁ ବି ବ୍ୟବସ୍ଥା ରଖି” ନାହାନ୍ତି । “ବିଧିବଦ୍ଧ ଭାବେ ୧୪ ଅଗଷ୍ଟଠାରୁ ସଂଶୋଧିତ ଆଇନ ରାଜ୍ୟରେ ଲାଗୁ ହୋଇଛି” ବୋଲି ପ୍ରମେୟ ଯାହା କହିଛି , ତାହା ବି ମିଛ ।

ଓଡ଼ିଶା ସରକାରୀ ଭାଷା ଆଇନ ୨୦୧୮ର ପ୍ରମାଦପୂର୍ଣ ଭାବେ  ଦୁଇ ଥର ସଂଶୋଧିତ ହୋଇଥିଲା , ଯାହା ଆମ ଦାବିର ସମ୍ପୂର୍ଣ ପରିପନ୍ଥୀ ହୋଇଥିବା ହେତୁ ଏବଂ ଆମ ମୂଳ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିଥିବା ହେତୁ ଆମେ ପ୍ରତ୍ୟାଖ୍ୟାନ କରିଛୁ ଓ ଭାଷା ଆନ୍ଦୋଳନ ଚାଲିଛି । ପ୍ରଶିକ୍ଷଣ ନେଇଥିବା କର୍ମଚାରୀଙ୍କ ସଂଖ୍ୟା ବି ପ୍ରମେୟ ଠିକ୍ ଭାବେ ନ ଲେଖି ବଢେଇକରି ଲେଖିଛି । ଅତଏବ ସେହିପରି ବାରାଙ୍ଗନା ସାଜିଛି ପ୍ରମେୟ, ଯେପରି ହେବାକୁ ଜଟାଧାରୀ ବତାଇଛନ୍ତି ! ଲଜ୍ଜା !

ଆହୁରି ଲାଜର କଥା , ଏହି କାଗଜ ଏ ସବୁ କଥା କହିଲା ବେଳେ ଯେଉଁ ସଂଶୋଧନର କଥା କହିଛି ତାହା ଉପରେ କୌଣସି ବିଧିକ ଆଲୋଚନା କରିନି , ଯଦିଓ ଜନସ୍ବାର୍ଥ ଦୃଷ୍ଟିରୁ ଏହା ତାର କର୍ତ୍ତବ୍ୟ ଥିଲା । ଏହି କାଗଜର କୌଣସି ସମ୍ପାଦକୀୟରେ କେବେ ବି ଆଲୋଚିତ ହୋଇନି ଭାଷା ଆଇନର ସଂଶୋଧନ ଉପରେ ଏବଂ ସଂଶୋଧନର ଆବଶ୍ୟକତା ଓ ସଂଶୋଧିତ ସ୍ଥିତିରେ ତହିଁର ବିଧିକ ଶକ୍ତି ଓ ଉପଯୋଗୀତା ସମ୍ପର୍କରେ । ଭାଷା ଆଇନର ଭୁଲ ସଂଶୋଧନ କରି ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ୍ ସ୍କାମ୍ ପରି  ଜଘନ୍ୟ ଅପରାଧ କଲେ । ତାହା ଉପରେ ମତ ରଖିବାକୁ ଯେଉଁ କାଗଜର ସାହସ ହେଲାନାହିଁ , ସେହି କାଗଜ ବର୍ଷ ସରିଗଲା ବେଳେ ମିଛ କଥା କହି ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବାକୁ ହୀନ ଉଦ୍ୟମ କରିଛି , ଦେହ ବିକି ଦେଇଥିବା ବାରନାରୀ ପରି । ଏହାଠୁ ବଳି ଲଜ୍ଜାର କଥା ଆଉ କ’ଣ ଥାଇପାରେ? ସୁପାରିଖିଆ ଦଲାଲମାନଙ୍କ ସବୁ ଷଡଯନ୍ତ୍ର ସତ୍ତ୍ୱେ ଅବିଚଳିତ ଭାବେ ଚାଲିଥିବା କଳାପତାକା ଅଭିଯାନର ଚାପ ହେତୁ ଲୋକଙ୍କୁ ଜଣାଇବା ପାଇଁ ଯେ, ସରକାର ଭାଷା ପ୍ରୟୋଗ ପାଇଁ ଆଗ୍ରହୀ , ଭାଷା ପ୍ରତିଷ୍ଠାନକୁ ବ୍ୟବହାର କରି ଯେଉଁ ପଞ୍ଚଦିନିଆ ଭାଷା ପ୍ରଶିକ୍ଷଣ ଶିବିର ଅକ୍ଟୋବର ମାସରେ ହୋଇଥିଲା , ସେଠାରେ ଯେ ସରକାରୀ ପଇସା ଓ ମାନବ ଦିବସ ନଷ୍ଟ କରି ବାଛୁରୀକୁ ହମ୍ମା ଶିଖେଇବାର ନାଟକ ହେଉଥିଲା , ତାହା ଉପରେ ଆଲୋକପାତ କରିଥିଲେ କାଗଜଟି ହୁଏତ କିଛି ପରିମାଣରେ ସମ୍ବାଦିକୀୟ ଦାୟିତ୍ଵ ନିର୍ବାହ କରିପାରିଥାନ୍ତା । ସେଠାରେ ଆସି ପଲାଉଥିବା ସ୍ୱଳ୍ପ ସଂଖ୍ୟକ ତଳିଆ ଓଡ଼ିଆ କର୍ମଚାରୀଙ୍କୁ ଓଡ଼ିଆ ଭାଷାରେ କିପରି ନଥିକାମ କରିବାକୁ ହେବ ତାହା ଶିକ୍ଷା ଦେଉଥିଲେ କିଛି ବ୍ୟକ୍ତି , ଯେଉଁମାନେ ଜୀବନରେ କେବେ ଓଡ଼ିଆରେ କୌଣସି ନଥି କାମ କରିନାହାନ୍ତି । କୌଣସି ଜଣେ ହେଲେ ଅଣଓଡ଼ିଆ ଏ ପ୍ରଶିକ୍ଷଣ ପାଇଁ ଆଦ୍ଦିଷ୍ଟ ହୋଇନଥିଲେ । ଯେଉଁମାନେ ଯୋଗଦେଇଥିଲେ ସେମାନେ ସବୁ ତଳିଆ ଓଡ଼ିଆ ଅମଲା । ସେମାନେ ଉପର ହାକିମମାନଙ୍କୁ , ବିଶେଷକରି ଅଣଓଡ଼ିଆ ପଦଧିକାରୀମାନଙ୍କୁ ଓଡ଼ିଆରେ ନଥିକାମ କରିବାକୁ ବାଧ୍ୟ କରିପାରିବେ କି? ଯେଉଁଦିନଠାରୁ ସେମାନେ ପ୍ରଶିକ୍ଷଣ ପାଇଲେଣି, ସେହି ଦିନ ଠାରୁ କେଉଁ କେଉଁ ନଥି ଓଡ଼ିଆରେ ହେଲାଣି ପ୍ରମେୟ ସମ୍ପାଦକ ତାଙ୍କ ସମ୍ବାଦଦାତାମାନଙ୍କୁ ତାହା ଅବଗତ ହେବାକୁ କହିଛନ୍ତି କି? ଯଦି ହଁ, ତେବେ ସେହି ଉପଲବ୍ଧି କ’ଣ, ତାହା କହିବାକୁ ତାଙ୍କୁ ଲାଜ କାହିଁକି? ଏ ନିର୍ଲ୍ଲଜ ଚାଟୁକାରୀତା କ’ଣ ସମ୍ବାଦିକତା?

ସମ୍ବାଦର ୨୯.୧୨.୨୦୧୯ ପରିବେଷଣ

ପ୍ରମେୟର ଦି ଦିନଠି “ଓଡ଼ିଆରେ ଶାସନ” ଶୀରୋନାମାରେ ସମ୍ବାଦ ଲେଖିଛି, “୮୭୮ ଦିନର ଐତିହାସିକ ଭାଷା ଆଂଦୋଳନର ଫଳଶ୍ରୁତି ସ୍ୱରୂପ ତୁରନ୍ତ ନିଯମାବଳୀ ପ୍ରଣଯନ କରି ଓଡ଼ିଆରେ ଶାସନ ବା ସେବା ପ୍ରଦାନ କରିବା ନେଇ ହୋଇଥିବା ଦାବି କାର୍ଯ୍ୟକାରୀ ହେବାକୁ ଯାଉଛି । କ୍ୟାବିନେଟ ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୋହର ମାରିଛନ୍ତି । ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି । ରାଜ୍ୟରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳନ ପାଇଁ ନିୟମାବଳୀ  ପ୍ରଣଯନ ହୋଇଛି । ଏଥିପାଇଁ ସରକାରୀ ବାବୁମାନଙ୍କୁ ବି ଓଡ଼ିଆରେ ପ୍ରଶିକ୍ଷଣ ଦିଆଯାଇଥିଲା ।”

ଭାଷା ଆଂଦୋଳନର ଦାବି ଅନୁରୂପ ବିଧାନ ସଂଶୋଧନ ହୋଇନଥିବା ହେତୁ ଯେତେବେଳେ  ଆନ୍ଦୋଳନ ଅବ୍ୟାହତ ଅଛି , ସେତେବେଳେ ବାବୁ ସୌମ୍ୟରଞ୍ଜନ କିପରି ଜାଣିଲେ ଯେ, “ଆଂଦୋଳନର ଫଳଶ୍ରୁତି ସ୍ୱରୂପ ତୁରନ୍ତ ନିୟମାବଳୀ ପ୍ରଣଯନ କରି ଓଡ଼ିଆରେ ଶାସନ ବା ସେବା ପ୍ରଦାନ କରିବା ନେଇ ହୋଇଥିବା ଦାବି କାର୍ଯ୍ୟକାରୀ ହେବାକୁ ଯାଉଛି”?  ସରକାରଙ୍କ ଭାଷା ଆଇନ ସଂଶୋଧନ ସହ ଏକମତ ହେବାକୁ ସୌମ୍ୟବାବୁଙ୍କ ଚାପ ପ୍ରୟୋଗକୁ ମୁଁ ଯେଉଁ ଦିନ ପ୍ରତ୍ୟାଖ୍ୟାନ କଲି , ସେହିଦିନଠାରୁ ତାଙ୍କ ଧମକ ଅନୁଯାୟୀ  ତାଙ୍କ କାଗଜରେ ଭାଷା ଆନ୍ଦୋଳନ ସମ୍ପର୍କୀୟ ସମ୍ବାଦ ପ୍ରକାଶ ପାଉନାହିଁ । କିନ୍ତୁ ଭାଷା ଆନ୍ଦୋଳନ ମୂଳରେ ମୋର ଉଦ୍ଦେଶ୍ୟ କଣ ଥିଲା ତାହା ସେ ଜାଣନ୍ତି । ସେ ଉଦ୍ଦେଶ୍ୟ ସାଧିତ ହୋଇଛି କି? ଏପରି ଏକ ସମ୍ବାଦ ପରିବେଷଣ କରି ଓଡ଼ିଆ ଜାତିକୁ ବିଭ୍ରାନ୍ତ କରିବାକୁ ସେ କାହିଁକି ଉଦ୍ୟମ କରିଛନ୍ତି? ସେ କିନ୍ତୁ ପ୍ରମେୟ ପରି ଡାହା ମିଛ ପରିବେଷଣ ନକରି ଆଂଶିକ ସତ କହିଛନ୍ତି । ତାହା ହେଲା,”ନିୟମାବଳୀ ପ୍ରଣୟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୋହର ମାରିଛନ୍ତି । ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି ।” ଟିକେ ସତର୍କ ରହିଥିଲେ “ପ୍ରଣୟନ” ସ୍ଥାନରେ “ସଂଶୋଧନ” ଶବ୍ଦଟି ଲଗାଇପାରିଥାନ୍ତେ । କିନ୍ତୁ “ଗେଜେଟରେ ପ୍ରକାଶ” ପାଇଥିବା ଭାଷା (ସଂଶୋଧନ) ନିଯମାବଳୀ, ୨୦୧୯ ଏପରି କ’ଣ ଯେ, ସମ୍ବାଦ ତାହାକୁ “ଓଡ଼ିଆରେ ଶାସନ” ଶୀର୍ଷକ ଦେଇଛି?

ଏହି ସଂଶୋଧନର ଚିଠା ଯେତେବେଳେ ରାଜ୍ୟପାଳଙ୍କ ପାଖକୁ ଯାଇଥିଲା ମୁଁ ତାକୁ ବିରୋଧ କରିଥିଲି ଓ ତାହାକୁ ପ୍ରତ୍ୟାଖ୍ୟାନ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲି । ଭାଷା ଆନ୍ଦୋଳନ ଉପରେ ଦୃଷ୍ଟି ରଖିଥିବା ପ୍ରତ୍ୟେକ ଏହା ଜାଣନ୍ତି । ସେ ଏହା ବି ଜାଣନ୍ତି ଯେ, ଭାଷା ଆଇନ ପ୍ରୟୋଗ ପାଇଁ ନିୟମାବଳୀ ପ୍ରଣୟନ ଆବଶ୍ୟକ – ଏ କଥା ମୁଁ ହିଁ ପ୍ରଥମେ କହିଥିଲି ଓ ମୋରି ପରାମର୍ଶ ଉପରେ ନିୟମାବଳୀ ପ୍ରଣୟନ ପାଇଁ ୨୦୧୬ରେ ଭାଷା ଆଇନ ସଂଶୋଧନ ହୋଇଥିଲା । ଏହି ସଂଯୋଗ ସରଣୀରେ ତାଙ୍କ ଭାଷଣ ଅନୁଧ୍ୟେୟ । ଭାଷା ଆଇନରେ ମୋ ପ୍ରସ୍ତାବିତ ସଂଶୋଧନ ତଥା ମୋ ପ୍ରସ୍ତାବିତ ନିୟମାବଳୀ କାହିଁକି ଅତ୍ୟାବଶ୍ୟକ ସେ ସମ୍ପର୍କରେ ମୁଁ ତାଙ୍କ ସହ ବହୁବାର ଆଲୋଚନା କରିଛି ।

ତେଣୁ ସେ ଜାଣନ୍ତି ଯେ, କେଉଁ ଉଦ୍ଦେଶ୍ୟରେ ମୁଁ ଭାଷା ନିୟମାବଳୀର ଚିଠା ଦେଇଥିଲି ଓ ତାହା ସପକ୍ଷରେ କିପରି ଭାଷା ଆନ୍ଦୋଳନ ଚାଲିଥିଲା ଓ ଚାଲିଛି ।  ଏ କଥା ମଧ୍ୟ ସେ ଜାଣନ୍ତି ଯେ, ୨୦୧୬ର ଆଇନ ସଂଶୋଧନରେ ଧାରା-୪ ପରି ଏକ କାରସାଦି ଖଞ୍ଜାଯାଇ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡପାଇଁ  ତଦନୁଯାୟୀ ସେ ବର୍ଷ ଅଗଷ୍ଟ ମାସରେ ଯେଉଁ ଭାଷା ନିୟମାବଳୀ ପ୍ରଣୀତ ହୋଇଥିଲା ତାକୁ ପ୍ରତ୍ୟାଖ୍ୟାନ କରି କଳା ପତାକା ଅଭିଯାନର ୨ୟ ପର୍ବ ଆରମ୍ଭ ହୋଇଥିଲା ୧୬.୮.୨୦୧୬ ତାରିଖରୁ ଓ ସେ ତାହାକୁ ତାଙ୍କ କାଗଜରେ ଅଗ୍ରପ୍ରାଧାନ୍ୟ ଦେଇଚାଲିଥିଲେ । ରାଜନୈତିକ ପଦବୀର ଆକର୍ଷଣ ଏପରି ହୋଇଗଲା ଯେ, ସେ କେବଳ ତାଙ୍କ ଆଭିମୁଖ୍ୟ ବଦଳାଇଦେଲେ ତା ନୁହେଁ, ସରକାରୀ ଚାଟୁକାରୀତାର ଅନ୍ଧଗଳିରେ ଗଡ଼ି ଗଡ଼ି ସେହି ଭୁଲ ନିୟମାବଳୀକୁ ବୈଧ କରିବା ପାଇଁ ପ୍ରଣୀତ ଏଇ ୨୦୧୯ ସଂଶୋଧିତ ନିୟମାବଳୀକୁ ସେ ଏପରି ଶୀର୍ଷକ ଦେଇ ଓଡ଼ିଆ ଜାତିକୁ ଭୁଆଁ ବୁଲାଇବାରେ ସରକାରଙ୍କୁ ସାହାଯ୍ୟ କରିଛନ୍ତି । ଦୁର୍ଭାଗ୍ୟ ।

ଏହି  ପ୍ରେକ୍ଷାପଟରେ ଏହି ନୂଆ ବର୍ଷର ପ୍ରଥମ ଦିନରେ ଏହି ନିୟମାବଳୀ ଉପରେ ଯାହା କହିବାକୁ ଯାଉଛି ତାହା ଏହି ଉଭୟ ସମ୍ପାଦକଙ୍କୁ ମୋର ଆହ୍ଵାନ । ସେମାନେ ମୁଁ ଦେବାକୁ ଯାଉଥିବା ବିଶ୍ଳେଶଣକୁ ପାରିବେ ଯଦି ଖଣ୍ଡନ କରନ୍ତୁ ।

ଓଡ଼ିଆ ବିରୋଧୀ ନିୟମାବଳୀ

ଓଡ଼ିଆ ଜାତିର ସମସ୍ତ ଦାପ୍ତରିକ କାମ ଓଡ଼ିଆ ଭାଷାରେ ହେବା ସକାଶେ ଓଡ଼ିଆ ଜାତି ୧୮୭୦ରୁ ୧୯୩୬ ପର୍ଯ୍ୟନ୍ତ ସଂଗ୍ରାମ କରି ଓଡ଼ିଶା ପ୍ରଦେଶ ସୃଷ୍ଟି କରିଛି । ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ହେଲା ଓଡ଼ିଆରେ ତହିଁର ପରିଚାଳନା ।

ସେହେତୁ, ସ୍ଵାଧୀନତା ଲାଭ ପରେ ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବାକୁ ଓଡ଼ିଶାର ପ୍ରଥମ ବିଧାନସଭା ୧୯୫୪ରେ ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ କରିଥିଲା । ଏହି ଆଇନର ଧାରା ୧ର ଉପଧାରା (୨) ଓ ଉପଧାରା (୩) ବଳରେ ଏହା ସମଗ୍ର ଓଡ଼ିଶାରେ ତତ୍କାଳ ବଳବତ୍ତର ହୋଇଥିଲା । ଏହାର ଧାରା ୨ର ଉପଧାରା (୧) ଅନୁସାରେ ଓଡ଼ିଶାରେ ସମ୍ପୂର୍ଣତଃ ସମସ୍ତ ଓ ଯେକୌଣସି ଦାପ୍ତରିକ କାମ  ଓଡ଼ିଆରେ ହେବା ଧାର୍ଯ୍ୟ କରା ହୋଇଥିଲା ।

ମାତ୍ର ୨୦୧୯ରେ ରାଜ୍ୟ ସରକାର ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି ତାହା ମୂଳ ଭାଷା ଆଇନ ସୃଷ୍ଟି କରିଥିବା ଏହି ଭାଷା ଅଧିକାରକୁ ପଣ୍ଡ କରୁଛି । ଯଥା,  ନିୟମ ୫-କ (୧) ରେ ଅଛି, “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଏହାର ଅର୍ଥ ହେଲା , ଯେଉଁ କର୍ମଚାରୀମାନେ ସମ୍ପୂର୍ଣ ଭାବେ ଓଡ଼ିଆରେ କାମ ନ କରିବେ ସେମାନଙ୍କୁ ରାଜ୍ୟ ସରକାର ପୁରସ୍କାର ଦେବେ । ସେହିପରି ନିୟମ ୫-କ(୨) ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ ଯେପରି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନପାରେ ତାର ବ୍ୟବସ୍ଥା କରିଛି । ଏଥିରେ କୁହା ହୋଇଛି “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ ,ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ”।  ଅଥଚ “ପର୍ଯ୍ୟାପ୍ତ ବ୍ୟବହାର” ସଜ୍ଞାୟିତ ହୋଇନାହିଁ କି “ବାରମ୍ବାର ଖିଲାପ” କାହାକୁ କୁହାଯିବ ତାହା ମଧ୍ୟ ସଜ୍ଞାୟିତ ହୋଇନାହିଁ । ଏପରି ଅବସ୍ଥାରେ , ଏହି ନିୟମାବଳୀରେ ଯେଉଁ କାର୍ଯ୍ୟାନୁଷ୍ଠାନ କଥା କୁହା ହୋଇଛି ତାହା ମଧ୍ୟ ହେବ ନାହିଁ  ।

ଅପରପକ୍ଷେ , ଯେଉଁ ନିୟମାବଳିକୁ ସଂଶୋଧିତ କରାଯାଇଛି , ସେହି ନିୟମାବଳି ଯେତେବେଳେ ଅବୈଧ , ସେତେବେଳେ ତାର ସଂଶୋଧନ ବୈଧ କିପରି ? ସଂବାଦ ସମ୍ପାଦକ କ୍ଷମତାସୀନ ଦଳର ଏବେ ଜଣେ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ  । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ହେବା ପାଇଁ ସେ କିପରି ଭାଷା ଆଂଦୋଳନର ସଉଦା କରୁଥିଲେ ତାହା ମୁଁ ଦର୍ଶାଇଛି । ଏହି ନିୟମାବଳି କାହିଁକି ଅବୈଧ ତାହା ସେ ଜାଣନ୍ତି । କାରଣ ଏ ସମ୍ପର୍କରେ ମୋ ସହକର୍ମୀମାନଙ୍କୁ ତଥା ତାଙ୍କୁ ମୁଁ ସବିଶେଷ ବୁଝାଇଲାପରେ  ୨୪.୫.୨୦୨୬ରୁ ସ୍ଥଗିତ ଥିବା କଳାପତାକା ଅଭିଯାନ ୧୬.୮.୨୦୧୬ ତାରିଖରେ ପୁନର୍ବାର ଆରମ୍ଭ ହୋଇଥିଲା ଓ ସେ ତାହାକୁ ତାଙ୍କ ସମ୍ବାଦପତ୍ରରେ ନିୟମିତ ପ୍ରକାଶ କରୁଥିଲେ । କ୍ଷମତାର ମାୟାମୃଗ ତାଙ୍କୁ ପଥହରା କରିଦେଇଥିଲେ ମଧ୍ୟ ତାଙ୍କୁ ଭଲଭାବେ ଜଣା ଅଛି ଭାଷା ଆଇନର ଧାରା ୪ ବିଲୋପ କରିବାକୁ ମୁଁ କାହିଁକି ଚାପ ପ୍ରୟୋଗ କରୁଛି ଓ ସେହି ଅବୈଧ ଧାରା ପ୍ରସୂତ ନିୟମାବଳି କାହିଁକି ଅବୈଧ । ଏକ ଅବୈଧ ନିୟମାବଳିର ପ୍ରଶାସନିକ ସଂଶୋଧନ ଯେ ସଂପୂର୍ଣ୍ଣ ଅବୈଧ ତାହା ସେ ଭଲଭାବେ  ବୁଝିଥିବା ହେତୁ ସଂଶୋଧନ ଶବ୍ଦଟି ପରିହାର କରି “ନିୟମାବଳୀ ପ୍ରଣୟନ” ପରି ମିଥ୍ୟା କଥା କହି ଲୋକଙ୍କୁ ବିଭ୍ରାନ୍ତକରିବାକୁ ଅପୋଦ୍ୟମ କରିଛନ୍ତି । କ୍ଷମତାଲୋଭ ମଣିଷକୁ କେତେ ତଳକୁ ନେଇଯାଏ ଏହା ତହିଁର ଏକ ନଗ୍ନ ନମୁନା ।

ଉପରୋକ୍ତ ଉଭୟ ସମ୍ପାଦକ ଏହା ଜାଣିବା ଉଚିତ ଯେ, “ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହେବ” ବୋଲି ଯାହା କୁହା ହୋଇଛି, ତାହା ନୂଆ ବୋତଲରେ ପୁରୁଣା ମଦ । ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାକୁ ଛୁରୀମାରି  ଆମ ଭାଷା ଆଇନରେ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ଓଡ଼ିଶା ଉପରେ ଲଦି ଦେବା ପରେ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଯେଉଁ ସଙ୍କଟର ସମ୍ମୁଖୀନ ହୋଇଥିଲା ତହିଁର ପ୍ରତିକାର ପାଇଁ ରାଜେନ୍ଦ୍ରନାରାୟଣ ସିଂହ ଦେଓଙ୍କ ସରକାର ୬।୪।୧୯୬୮ ତାରିଖରେ ୭୧୧୩ ସଂଖ୍ୟକ ଅଧିସୂଚନା ଜାରିକରିଥିଲେ, ଯେଉଁଥିରେ ଲେଖା ହୋଇଥିଲା, ୧୪।୪।୧୯୬୮ ତାରିଖରୁ ଯେଉଁମାନେ ଓଡ଼ିଆରେ କାମ ନ କରିବେ ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ବହୁ ବାର ଏହି ଏକା ଆଦେଶ ହୋଇଛି । ଆଜିଯାଏଁ କାହାରି ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । କାରଣ ଆଇନ ଅମାନ୍ୟକାରୀ କୌଣସି କର୍ମଚାରୀ ନିଜକୁ ନିଜେ ଦଣ୍ଡିତ କରେନାହିଁ ।

ତେଣୁ ଓଡ଼ିଆରେ କାମ ନକରିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଅଧିକାର ସାଧାରଣ ଲୋକର ରହିବା ଆବଶ୍ୟକ । ଭାଷା ଅଧିକାର ଏକ ସହଜାତ ଅଧିକାର ହୋଇଥିବା ହେତୁ , ଏହା ଏକ ଅଲିଖିତ ମୌଳିକ ଅଧିକାର । ଅନ୍ୟ ମୌଳିକ ଅଧିକାରର ସୁରକ୍ଷା ସକାଶେ ଯେକୌଣସି ବ୍ୟକ୍ତି ବିଧିକ ପଦକ୍ଷେପ ନେବା ପାଇଁ ଯେମିତି ଅଧିକୃତ, ଠିକ ସେମିତି ଭାଷା ଅଧିକାରର ଖଣ୍ଡନ ହେଲେ ତା ବିରୁଦ୍ଧରେ ବିଧିକ ପଦକ୍ଷେପ ନେବା ପାଇଁ ଯେକୌଣସି ଓଡ଼ିଆ ଆଇନତଃ ଅଧିକୃତ ହେବା ଦରକାର । ଏହି କଥାଟି ମୁଁ ମୋ ଚିଠା ବିଧାନରେ ଦେଇଥିଲି , ଯାହାକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ଓଡ଼ିଆ ବିଦ୍ଵେଷୀ ମୁଖ୍ୟମନ୍ତ୍ରୀ ଓ ଇଂରାଜିମନସ୍କ ଅମଲାତନ୍ତ୍ର ଷଡ଼ଯନ୍ତ୍ର ଚଳାଇଛି । ଭାଷା ନିୟମାବଳୀ, ୨୦୧୬ ଓ ତହିଁର ସଂଶୋଧନ, ୨୦୧୯ ଏହି ଷଡ଼ଯନ୍ତ୍ରର ଅଂଶବିଶେଷ ।

ଏହି ଦୁଇ ସମ୍ପାଦକ ଏହା ଉପରେ କି ପତିକ୍ରିୟା ରଖିବେ ତାହା ଉପରେ ନିର୍ଭର କରିବ ଅଧିକ ଆଲୋଚନା ।

 

ପ୍ରଦ୍ୟୁମ୍ନ ଶତପଥୀଙ୍କ ସାହାଯ୍ୟକାରୀ ନିଜ ଭାରିଜାଙ୍କୁ ବନାଇଲେ ଯୌନଅଭିଯୋଗକାରିଣୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନକୁ ଛୁରି ମାରିବାକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପତ୍ନୀଙ୍କ ଚାକିରିରୂପକ ସୁପାରି ନେଇଥିବା ପ୍ରଦ୍ୟୁମ୍ନ ଶତପଥୀ ଏହା କରାଇଛନ୍ତି କି ତାଙ୍କୁ ରାଜକୋଷ ଲୁଟିବା ପାଇଁ ପରିବେଶ ତିଆରିକରିଥିବା ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ଏହା କରିଛନ୍ତି , ତାହା ଜଣାପଡ଼ିବ ଅଭିଯୋଗଟି ଅଦାଲତକୁ ଆସିଲେ ।

କିନ୍ତୁ, ସତ୍ୟନାରାୟଣ ମହାପାତ୍ର ନାମକ ଜଣେ ଓକିଲଙ୍କଠାରୁ ରେଜିଷ୍ଟାର୍ଡ ଡାକରେ ମୁଁ ପାଇଥିବା ଓକିଲ ନୋଟିସରୁ ଜଣା ପଡ଼େ, ଉପରୋକ୍ତ ଅଫିସରଙ୍କ ସ୍ତ୍ରୀ ନିର୍ମଳା ମହାପାତ୍ର ମୋ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ, ମୁଁ ତାଙ୍କ ଘରକୁ ଯାଇ ତାଙ୍କ ଇଜ୍ଜତ ଲୁଣ୍ଠନ କରିଛି । ମୋତେ ଆଦୌ ନ ଜାଣିଥିବା ଏପରି ଜଣେ ମହିଳା ମୋ ବିରୁଦ୍ଧରେ ଏପରି ଏକ କପୋଳକଳ୍ପିତ ମିଥ୍ୟା ଅଭିଯୋଗ କାହିଁକି ଆଣିବେ?

ମୋର ଆଶଙ୍କା, ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବାକୁ ଥିବା ଉପର ସୂଚିତ ସୁପାରି-ସରଣି ସୁଗମ୍ୟ କରିବାକୁ ବିଭାଗୀୟ ନଥିରେ ଯେଉଁ ଆପରାଧିକ ଅଭିସନ୍ଧିମୂଳକ ଗାଲୁକଳ୍ପ ପ୍ରୟୋଗ କରିଥିଲେ, ତାହା ମୁଁ ପ୍ରଘଟ କରିଦେଇଥିବା ହେତୁ ଓ ସେହି ଭିତ୍ତିରେ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଆହ୍ଵାନ ଦେଇଥିବା ହେତୁ, ଘଡ଼ବଡ଼େଇ ଯାଇ ବିଚରା ମହାପାତ୍ର ନିଜ ସ୍ତ୍ରୀ (ଯଦି ଓକିଲ ଦେଇଥିବା ପରିଚୟ ଠିକ୍ ଥାଏ) ନିର୍ମଳାଙ୍କୁ ଏହି ମିଥ୍ୟା ଅଭିଯୋଗ କରିବା ପାଇଁ ବାଧ୍ୟ କରିଛନ୍ତି ।

କୌତୁହଳର କଥା, ପ୍ରଦ୍ୟୁମ୍ନଙ୍କୁ ସୁହାଇଲା ପରି ନଥି ସଜାଡ଼ିଲା ପରେ , ମହାପାତ୍ରେ ଅନୁଶାସନସଚିବ (Under Secretary) ପଦରୁ ଉପଶାସନସଚିବ (Deputy Secretary)  ପଦକୁ ପଦୋନ୍ନତି ପାଇଛନ୍ତି ।

ନିଜ ସ୍ତ୍ରୀଙ୍କୁ ଏପରି ମିଥ୍ୟା ଅଭିଯୋଗକାରିଣୀ ଭାବେ କାହା ବିରୁଦ୍ଧରେ ପ୍ରୟୋଗ କରିବା ଏକ ବିରଳ ଅପରାଧ ।