ଭାଷା ଆଂଦୋଳନର ନୂଆ ଡିଜିଟାଲ ମଞ୍ଚ ‘ଭାଷା ମା ପାଇଁ ପଦେ’ ଆନୁକୁଲ୍ଯରେ ମଇ ୩୧ରେ ଆଲୋଚିତ ହୋଇଛି କରୋନା ଯୋଦ୍ଧା ପ୍ରକୃତରେ କିଏ ଓ କାହିଁକି ବନ୍ଦେ ଉତ୍କଳ ଜନନୀ ଗୀତ ଅବିଚାରିତ ଉପଯୋଗ ଥିଲା ଅବାଞ୍ଛିତ ;
Posted by ଭାଷା ମାଆ ପାଇଁ ପଦେ on Sunday, May 31, 2020
ଭାଷା ଆଂଦୋଳନର ନୂଆ ଡିଜିଟାଲ ମଞ୍ଚ ‘ଭାଷା ମା ପାଇଁ ପଦେ’ ଆନୁକୁଲ୍ଯରେ ମଇ ୩୧ରେ ଆଲୋଚିତ ହୋଇଛି କରୋନା ଯୋଦ୍ଧା ପ୍ରକୃତରେ କିଏ ଓ କାହିଁକି ବନ୍ଦେ ଉତ୍କଳ ଜନନୀ ଗୀତ ଅବିଚାରିତ ଉପଯୋଗ ଥିଲା ଅବାଞ୍ଛିତ ;
Posted by ଭାଷା ମାଆ ପାଇଁ ପଦେ on Sunday, May 31, 2020
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାରେ କରୋନା ସମ୍ପର୍କୀୟ କୌଣସି ମାର୍ଗଦର୍ଶିକା ସରକାରୀ ନିର୍ଦ୍ଦେଶ, ଆଇନ କାନୁନ , ନିୟମ ବିନିୟମ ପ୍ରକାଶ ନ କରି , ଲୋକଙ୍କୁ ପୋଲିସ ଲଗାଇ ନିର୍ଦ୍ଧୂମ ବାଡେଇ, ଗିରଫ କରି, ହାଜତ ପଠାଇ, ଘରଫେରନ୍ତା ଓଡ଼ିଆମାନଙ୍କୁ ଅପରାଧୀ ପରି ଚିତ୍ରିତ କରି, ଆକ୍ରାନ୍ତଙ୍କ ସଂଖ୍ୟା ଭୟାନକ ଭାବେ ବୃଦ୍ଧିକରାଇସାରିବା ପରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକରା ଦେଇଛନ୍ତି ଲୋକେ ଯେଝାମତେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିବାକୁ । ଏବଂ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ଭାବେ ଏହାକୁ ଗ୍ରହଣ କରିବାକୁ ।
ମୁଖ୍ୟମନ୍ତ୍ରୀଙ୍କ ଏ ଛଳନା ଆମ୍ଭଙ୍କୁ ଅତ୍ୟନ୍ତ ଆଘାତ ଦେଉଛି । ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କରାଇ ନଦେବା ପାଇଁ ଯେଉଁ ନବୀନ ପଟ୍ଟନାୟକ ଓଡ଼ିଶା ଦାପ୍ତରିକ ଭାଷା ଆଇନ (Orissa Official Language Act ) ୧୯୫୪ର ଉଦ୍ଦେଶ୍ୟ ପଣ୍ଡ କରିବା ଉଦ୍ଦେଶ୍ୟରେ ତହିଁର ବେଆଇନ ସଂଶୋଧନ କରାଇ ସେଥିରେ ୨୦୧୬ରେ ଧାରା -୪ ଓ ୨୦୧୮ରେ ଧାରା ୪-କ ଖଞ୍ଜିପାରନ୍ତି ଓ ଏହି ଅପକର୍ମକୁ ଜନଚକ୍ଷୁରୁ ଲୁଚାଇ ରଖିବା ସକାଶେ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କ ଅର୍ଥଲୋଭର ଉପଯୋଗ କରି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ଷଡ଼ଯନ୍ତ୍ର କରିପାରନ୍ତି ସେହି ନବୀନ ପଟ୍ଟନାୟକଙ୍କର “ଉତ୍କଳ”ପ୍ରେମ ହଠାତ୍ ଗଜୁରିଲା କିପରି?
ଏ ଗୁମର ଉପରେ ଯଥା ସମୟରେ ଆଲୋଚନା ହେବ । ମାତ୍ର, ବର୍ତ୍ତମାନ ପାଇଁ ମୁଁ ଏହି ପ୍ରଶ୍ନ ଉଠାଇ ତାର ଉତ୍ତର ଖୋଜିବି ଯେ, ବନ୍ଦେ ଉତ୍କଳ ଜନନୀ ଉପରେ ନବୀନବାବୁ ଏହି ଯେଉଁ ଆକସ୍ମିକ ପ୍ରେମର ନାଟକ ସୃଷ୍ଟି କରିଛନ୍ତି ସେ ତହିଁର ନାୟକ କି ଖଳନାୟକ? ମୋର ଉତ୍ତର ହେଲା – ଖଳନାୟକ ।
କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରିବାର ଏହି ସୁଧାମୟୀ ସଙ୍ଗୀତ ଉପରେ ଯେଉଁ ଚାଲ୍ ଖେଳିଥିଲେ ତାହା ତ ଏକ ସ୍ଵତନ୍ତ୍ର ଆଲୋଚନାର ବିଷୟ ହୋଇପାରେ । ମାତ୍ର ଏ ଚାଲ୍ ତତ୍କାଳୀନ ଦୁଇଜଣ ବାଚସ୍ପତିଙ୍କୁ ହଲ୍ ଚଲ୍ କରିଦେଇଥିଲା । ଜଣେ ଶରତ କୁମାର କର ଓ ଅନ୍ୟ ଜଣକ ମହେଶ୍ଵର ମହାନ୍ତି । ମୁଁ ସେ ଦୁରୂହ ଦୃଶ୍ୟପଟକୁ ଏଇନେ ଯାଉନି । ଏଇନେ କେବଳ ଏତିକି କହିବି ଯେ, ବାଚସ୍ପତି ଥିବାବେଳେ ଶ୍ରୀ କର କ୍ଷୋଭ ପ୍ରକାଶ କରି କହିଥିଲେ, ଏହି ସଂଗୀତକୁ ଓଡ଼ିଶାର ଜାତୀୟ ସଙ୍ଗୀତ କରିବାକୁ ସେ ବାରମ୍ବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର ବାରମ୍ବାର ଏହି ପ୍ରସଙ୍ଗ ପ୍ରତି ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି ।
ସେତେବେଳେ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ନବୀନ ପଟ୍ଟନାୟକ ।
ବନ୍ଦେ ଉତ୍କଳ ଜନନୀ ଗୀତକୁ ଓଡ଼ିଶାର ଜାତୀୟ ସଙ୍ଗୀତ କରିବାପାଇଁ ବାଚସ୍ପତିଙ୍କ ପ୍ରସ୍ତାବକୁ ବାରମ୍ବାର ଅବହେଳା ପ୍ରଦର୍ଶନ କରିଚାଲିଥିଲେ କେଉଁ ମୁଖ୍ୟମନ୍ତ୍ରୀ?
ନବୀନ ପଟ୍ଟନାୟକ ।
ଶରତ କରଙ୍କ ପରେ ଯେତେବେଳେ ମହେଶ୍ଵର ମହାନ୍ତି ହେଲେ ବାଚସ୍ପତି, ସେ ବିଧିବଦ୍ଧ ଭାବେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହି ଗୀତକୁ ଓଡ଼ିଶାର ଜାତୀୟ ସଙ୍ଗୀତ କରିବା ପାଇଁ ବିଧାନସଭାରେ ବିଧେୟକ ରଖିବାକୁ । ତାହା ହେଲା ନାହିଁ । କିଏ ଥିଲେ ମୁଖ୍ୟମନ୍ତ୍ରୀ?
ନବୀନ ପଟ୍ଟନାୟକ ।
ତେବେ, ବନ୍ଦେ ଉତ୍କଳ ଜନନୀ ସୁଆଙ୍ଗରେ ଖଳ ନାୟକ କିଏ?
ନବୀନ ପଟ୍ଟନାୟକ ।
ଦୁର୍ଭାଗ୍ୟ, ଏ ଆମର ମୁଖ୍ୟମନ୍ତ୍ରୀ !
ସୁଭାଷ ଚନ୍ଦ୍ର ପଟ୍ଟନାୟକ
କରୋନା ଭୂତାଣୁର ସାମ୍ନା କରୁଥିବା ସରକାରଙ୍କୁ ସଚେତନ-ନାଗରିକୀୟ ସହଯୋଗ ପ୍ରଦାନ କରି କଳାପତାକା ଅଭିଯାନକୁ ଆମେ ଜାଗତିକ ସ୍ତରରୁ ଅତିଜାଗତିକ (Virtual) ସ୍ତରକୁ ଘୁଞ୍ଚାଇ ଆଣିଛୁ । ପ୍ରତିଦିନ ନଭମଞ୍ଚ (website)ରେ ଏବଂ ସାମାଜିକ ଗଣମାଧ୍ୟମରେ ଏହା ସହ ମିଳିତ ହେଉଛନ୍ତି ଓଡ଼ିଶାର ସବୁବର୍ଗର ସଚେତନ ନାଗରିକବୃନ୍ଦ କେବଳ ସେହିମାନଙ୍କୁ ଛାଡ଼ି, ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ବଶମ୍ବଦ, ମୁଖ୍ୟମନ୍ତ୍ରୀଙ୍କ କୃପାକାମୀ, ମୁଖ୍ୟମନ୍ତ୍ରୀଙ୍କ ଚାଟୁକାର ଓ ମୁଖ୍ୟମନ୍ତ୍ରୀଙ୍କ ଦଲାଲ ।
ଆଜି ହେଲା ୧୫୦୦ ଦିନ ।
ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ବିଦ୍ଵେଷୀ ମାନସିକତା ଏତେ ତୀବ୍ର ଯେ, ଏ ଭୟଙ୍କର କରୋନା କାଳରେ ତହିଁ ସମ୍ପର୍କିତ କୌଣସି ମାର୍ଗଦର୍ଶୀକା (guideline), ବିଧି (law), ବିଧାନ (regulation) ଇତ୍ୟାଦି ଓଡ଼ିଆରେ ପ୍ରକାଶ ନ କରି ଇଂରାଜୀ ଭାଷାରେ ରଖି ଆମ ଲୋକଙ୍କୁ ଅନ୍ଧକାରରେ ରଖିଛିନ୍ତି ଏବଂ ସେମାନେ ଆଇନ ଲଙ୍ଘନ କରୁଥିବା ଓ ସରକାରୀ କଟକଣା ମାନୁ ନଥିବା କହି ପୋଲିସ ଲଗାଇ ସେମାନଙ୍କୁ ନିର୍ଦ୍ଧୂମ ଲାଠିମାଡ଼ କରାହେଉଛି ଓ ଗିରଫ କରି ଜେଲ ପଠାଯାଉଛି ।
ଯଦି କରୋନା ସମ୍ପର୍କୀୟ ସମସ୍ତ ପଥଦର୍ଶୀ କାଗଜପତ୍ର ,ଆଇନ କାନୁନ ଓ କଟକଣା ଓଡ଼ିଆଭାଷାରେ ଥାନ୍ତା, ତେବେ ଆମ ଲୋକେ ଏପରି ନିର୍ଯ୍ୟାତୀତ ହୋଇନଥାନ୍ତେ କି ରୋଗାକ୍ରାନ୍ତ ହୋଇନଥାନ୍ତେ ।
ଆମ୍ଭେ ଯେତେ ଯୁକ୍ତି କଲୁ, କିଛି ଶୁଣିଲେନି, ଏବେ ଅବସ୍ଥା ଅଣାୟତ ହେବା ପରେ ସବୁ କଟକଣା ଉଠାଇ ଦେଇ ଦାରିଦ୍ର୍ୟ ନିପୀଡ଼ିତ ଅପାଠୁଆ ଶ୍ରମଜୀବୀମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ିଦିଆ ଯାଇଛି ଓ ରୋଗଗ୍ରସ୍ତ ହେଲେ ଦେହର ପ୍ରତିଷେଧକ ଶକ୍ତି ବୃଦ୍ଧିପାଇବ ବୋଲି ଅଦ୍ଭୁତ ପ୍ରବଞ୍ଚନା ପ୍ରସାରିତ କରାହେଉଛି । ଏହିପରି ଅମନଯୋଗୀ, ଅମଲାମତାଶ୍ରୟୀ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ !
ଏହାଙ୍କ ଅମଲାମତାଶ୍ରୟୀ ଚରିତ୍ର ହେତୁ, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ସମ୍ଭବ ହୋଇପାରୁନାହିଁ ଓ ଏହି କାରଣରୁ ବହୁ ଲକ୍ଷ ଓଡ଼ିଆଙ୍କ ଜୀବନ ବର୍ତ୍ତମାନ ସଂକଟାପନ୍ନ ହୋଇପଡ଼ିଛି ।
ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା ନ ହେଉଥିବା ହେତୁ ଓଡ଼ିଆ ଲୋକେ ଦୀର୍ଘଦିନୁ ସଙ୍କଟ ଦେଇ ଗତିକରୁଛନ୍ତି । ସେମାନଙ୍କ ଖାଉଟି ଅଧିକାର ଖର୍ବ ହୋଇରହିଛି । ଓଡ଼ିଶାରେ ଯେଉଁ ଦ୍ରବ୍ୟ ବିକ୍ରି ହେବ, ତାହା ଯଦି ପ୍ୟାକେଟରେ, ପଟିରେ ବା ବୋତଲରେ ବିକ୍ରି ହେଉଥାଏ , ତେବେ ରାଜ୍ୟଭାଷାରେ ତହିଁ ଉପରେ ସେହି ଦ୍ରବ୍ୟର ନାମ, ଉପାଦାନ, ତିଆରି ଦିନ (date of manufacturing), ଶେଷ ଦିନ (date of expiry), ସର୍ବୋଚ୍ଚ ମୂଲ୍ୟ ଇତ୍ୟାଦି ଲିପିବଦ୍ଧ ହେବା ଆବଶ୍ୟକ । କିନ୍ତୁ ସେ ସବୁ ଇଂରାଜୀରେ ଲେଖା ହେଉଥିବା ହେତୁ ଆମ ଲୋକେ ତାକୁ ବୁଝିନପାରି ସମୟସୀମା ଅତିକ୍ରାନ୍ତ ହୋଇସାରିଥିବା ଔଷଧ ଖାଇ ମୃତ୍ୟୁମୁଖରେ ପଡୁଛନ୍ତି, ପୋକମରା ଔଷଧ ବିଷ ପାଲଟି ପୋକବଂଶ ବୃଦ୍ଧିକରୁଛି , ଚାଷୀ ଆତ୍ମହତ୍ୟା ବଢୁଛି ଇତ୍ୟାଦି ।
ଆଇନ ସବୁ ଇଂରାଜୀରେ ଥିବା ହେତୁ ଲୋକେ ନ୍ୟାୟ ପାଇପାରୁନାହାନ୍ତି । ନ୍ୟାୟ ପାଇବା ଏତେ ବ୍ୟୟସାପେକ୍ଷ ହୋଇପଡୁଛି ଯେ, ମରଣଯନ୍ତ୍ରଣାଠାରୁ ତାହା ଅଧିକ କଷ୍ଟଦାୟକ ହେଉଛି ଅଧିକାଂଶ କ୍ଷେତ୍ରରେ ।
ଶିଲ୍ପ ହେଉ ବା ବେପାର କ୍ଷେତ୍ର ହେଉ, ଶ୍ରମ ଆଇନ ଓ ଆଚରଣ ବିଧି ଇଂରାଜୀରେ ଥିବା ହେତୁ ଶ୍ରମିକମାନେ ନିଯୁକ୍ତିଗତ ନ୍ୟାୟ ପାଇବା ଦୁରୂହ ବ୍ୟାପାର ହୋଇରହିଛି ।
ରୋଗାକ୍ରାନ୍ତ ଅବସ୍ଥାରେ ସେମାନଙ୍କୁ କିପରି ପୋଲିସର ମର୍ଜି ଉପରେ ନିର୍ଭର କରିବାକୁ ପଡୁଛି ତାହା ତ ଏଇ କରୋନା କାଳରେ ଓଡ଼ିଆ ଭାଷାରେ ରାଜ୍ୟ ପରିଚାଳନା ନ ହେବାର ଭୟାବହତାର ନଗଦ ନମୂନା ।
ଏହି ଅପଶାସନର ଅନ୍ତ ପାଇଁ ଏକମାତ୍ର ଉପଚାର ଓଡ଼ିଆରେ ଓଡ଼ିଶାର ପରିଚାଳନା । ଏଥିପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଗତ ୩.୯.୨୦୧୫ରେ ମୁଁ ରାଜ୍ୟ ସରକାରଙ୍କୁ ଯେଉଁ ପ୍ରସ୍ତାବ ଓ ଚିଠାବିଧାନ ପ୍ରଦାନ କରିଥିଲି ତାହାଠୁ ଯଦି ଆଉ କିଛି ଭଲ ପନ୍ଥା ଅଛି ସରକାର କହୁନାହାନ୍ତି କାହିଁକି? ଯଦି ନାହିଁ, ତେବେ ମୋର ପ୍ରଦତ୍ତ ଚିଠା ବିଧାନକୁ କାର୍ଯ୍ୟକାରୀ କାହିଁକି କରୁନାହାନ୍ତି?
ମୋର ଉପରୋକ୍ତ ପ୍ରସ୍ତାବ ଦୃଷ୍ଟିରୁ ୧୪.୧୨.୨୦୧୫ରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ସୂଚେଇଥିଲେ ଯେ, ଭାଷା ଆଇନ ସଂଶୋଧନ ହେବ । ଅଥଚ, କଣ ହେଲା ଯେ, ମାତ୍ର ଦି ଦିନ ପରେ ନେଉଟି ପଡ଼ି ସେ ଆଇନ ସଂଶୋଧନଠୁ ଦୂରେଇଯାଇ ୧୭.୧୨.୨୦୧୫ରେ ମନ୍ତ୍ରୀସ୍ତରୀୟ କମିଟି ସହ ଆଦୌ ଆଲୋଚନା ନ କରି, ଆଲୋଚନା କରିଛନ୍ତି ବୋଲି ମିଛ କରି, ଏକ ୯ ଦଫା କାର୍ଯ୍ୟକ୍ରମ ଘୋଷଣା କରି ତଦ୍ଦ୍ଵାରା ହିଁ ଓଡ଼ିଆରେ ଓଡ଼ିଶା ଚାଲିବ ବୋଲି କହିଦେଲେ? କେଉଁ ଅମଲାର ବୋଲକରା ସାଜି ମୁଖ୍ୟମନ୍ତ୍ରୀ ଏପରି ମିଛ କହିଥିଲେ?
ମୁଁ ପୂର୍ବରୁ ଯେପରି କହିଛି, ଆଇନଟି ତାର ଜନ୍ମକାଳରେ ଦୁଇଟି ଆତ୍ମଘାତୀ ତ୍ରୁଟି ସହ ପ୍ରଣୀତ ଓ ପାରିତ ହୋଇଥିଲା । ସେଗୁଡିକ ହେଲା : (୧) ଆଇନଟିକୁ ଆଗେଇନେବା ପାଇଁ ଯେଉଁ ନିୟମାବଳୀ ଆବଶ୍ୟକ ତହିଁର ପ୍ରଣୟନ ଓ ପ୍ରବର୍ତ୍ତନ ପାଇଁ ତହିଁରେ ସରକାରଙ୍କୁ କୌଣସି ଅଧିକାର ଦିଆହୋଇନଥିଲା ଓ (୨) ତହିଁର ଉଲ୍ଲଂଘନ ପାଇଁ ଦଣ୍ଡବିଧାନର କୌଣସି ବ୍ୟବସ୍ଥା ବି ନଥିଲା । ଏହି ଦୁଇଟି ଜନ୍ମଗତ ତ୍ରୁଟି ମୁଁ ପ୍ରଥମେ ଠାବ କଲି ଓ ତହିଁର ଅପସାରଣ ପାଇଁ ଆବଶ୍ୟକୀୟ ଆଇନ ସଂଶୋଧନର ଚିଠା ସହ ଆବଶ୍ୟକୀୟ ନିୟମାବଳୀର ଚିଠା ସରକାରଙ୍କୁ ଦେଲି ୩. ୯. ୨୦୧୫ ତାରିଖରେ ।
ଚିଠା ନିୟମାବଳୀରେ ମୁଁ ୧୧ଟି ଧାରା ରଖିଥିଲି ଯହିଁର ଧାରା ୯ରେ ଦାୟିତ୍ବ ନିର୍ଦ୍ଧାରଣ ବ୍ୟବସ୍ଥା ଥିବାବେଳେ, ଧାରା ୧୦ରେ ଦଣ୍ଡର ପରିମାଣ ଓ ଧାରା ୧୧ରେ ସେହି ଦଣ୍ଡର ପ୍ରୟୋଗ ପାଇଁ ଏକ ଭାଷା ଅଦାଲତ ଗଠନ ବ୍ୟବସ୍ଥା ତାର କାର୍ଯ୍ୟଧାରା ସହ ସନ୍ନିହିତ ହୋଇଥିଲା । ସରକାର ପ୍ରଥମ ଥର ପାଇଁ ଭାଷା ଆଇନରେ ଥିବା ଆଜନ୍ମ ତ୍ରୁଟି ସମ୍ପର୍କରେ ଅବଗତ ହେଲେ; କିନ୍ତୁ ଦଣ୍ଡବିଧାନ ଓ ସେଥିପାଇଁ ବିଚାରକ ନିଯୁକ୍ତି ପ୍ରସ୍ତାବ ଦେଖି ଚମକିଲେ । ମୁଖ୍ୟମନ୍ତ୍ରୀ ଆଇନ ସଂଶୋଧନ ପାଇଁ ୧୪.୧୨.୨୦୧୫ରେ ବିଧାନସଭାକୁ ସୁଚାଇଥିଲେ ମଧ୍ୟ , ଦଣ୍ଡବିଧାନ “ଅସାଧ୍ୟ” ବୋଲି କହି ଜଣେ ଅଣଓଡ଼ିଆ ଆଇ.ଏ.ଏସ. ଅଫିସର ଜି.ଭି.ଭି.ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଏପରି ବିଭ୍ରାନ୍ତ କଲେ ଯେ, ଏକ ସରକାରୀ ସଂକଳ୍ପ ବଳରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିଟି ଅକାଳ ମୃତ୍ୟୁ କବଳକୁ ଠେଲିହୋଇଗଲା ।
ବୃଥା ସମୟ ନଷ୍ଟ ନକରି ଆମେ ଆରମ୍ଭ କଲୁ ଭାଷା ଆନ୍ଦୋଳନ , ଆଇନଟିରେ ଥିବା ଏହି ଦୁଇଟି ଆଜନ୍ମ ତ୍ରୁଟି ସୁଧାରିବା ପାଇଁ ।
ଏହି ଆନ୍ଦୋଳନ ୩୯ ଦିନ ଚାଲିଲାପରେ ଅଧ୍ୟାଦେଶ ବଳରେ ସରକାର ପ୍ରଥମ ତ୍ରୁଟି ଦୁରକଲେ ୨୧. ୫. ୨୦୧୬ ତାରିଖରେ । ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁ ସେଦିନ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ମନ୍ତ୍ରୀସ୍ତରୀୟ କମିଟିର ନିଷ୍ପତ୍ତି ଅନୁସାରେ, ଅର୍ଥାତ୍ , ମୋ ପ୍ରଦତ୍ତ ପ୍ରସ୍ତାବ ଭିତ୍ତିରେ ଏହି ଅଧ୍ୟାଦେଶ ଜାରିହୋଇଛି ବୋଲି କହିଲେ । କିନ୍ତୁ ଦ୍ଵିତୀୟ ତ୍ରୁଟି ସାଧାରିବା ନାମଗନ୍ଧ ଧରିଲେନି ।
ଆମ କଳାପତାକା ଅଭିଯାନ ୪୦୦ ଦିନ ଚାଲିଲା ପରେ ୧୯. ୫. ୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମୁଁ ଏକ ଚିଠି ପାଇଲି କି, ସେଦିନ ସନ୍ଧ୍ୟା ୬.୩୦ରେ “ଓଡିଶା ସରକାରୀ ଭାଷା ଅଧିନିୟମର କାର୍ଯ୍ୟକାରିତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋ ସହ ଆଲୋଚନ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି ।” ମୁଁ ସେଠି ପହଞ୍ଚିଲା ବେଳକୁ ଉପସ୍ଥିତ ଥିଲେ ଅବଲୁପ୍ତ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର , ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସାଂସଦ ପ୍ରତାପ କେଶରୀ ଦେବ । ୨୦୧୬ ସଂଶୋଧନ ବଳରେ ଆଇନ ଭୁକ୍ତ ହୋଇଥିବା ତ୍ରୁଟିପୂର୍ଣ୍ଣ ୪ର୍ଥ ଧାରାଟିକୁ ପୁନଃ ସଂଶୋଧନ କରି ଆଇନର ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ବିଧାନ ପାଇଁ ବ୍ୟବସ୍ଥା ଖଞ୍ଜିବାକୁ ମୁଁ ଏକ ନୂତନ ଚିଠା ଦେଲି ଓ ନିୟମାବଳୀର ଯେଉଁ ଚିଠା ମୁଁ ୩. ୯. ୨୦୧୫ରେ ଦେଇଥିଲି ତଦନୁଯାୟୀ ଓଡିଶା ସରକାରୀ ଭାଷା ନିୟମାବଳୀ ୨୦୧୬କୁ ସଂଶୋଧିତ କରିବାକୁ ଅନୁରୋଧ ରଖିଲି ।
ଏହି ଚିଠା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅଳିଆଗଦାରେ ପଡ଼ିରହିଲା ବର୍ଷେ କାଳ । କଳାପତାକା ଅଭିଯାନ ଓଡ଼ିଶାର ବିଭିନ୍ନ ସ୍ନାୟୁକେନ୍ଦ୍ରରେ ଚହଟିଲା ଏବଂ ଅବସ୍ଥା ଏପରି ହେଲା ଯେ, ମୁଖ୍ୟମନ୍ତ୍ରୀ ୨୬.୧୨.୨୦୧୭ ତାରିଖରେ ତାଙ୍କ ଦଳୀୟ ପ୍ରତିଷ୍ଠା ଦିବସରେ ନିଜ କର୍ମୀମାନଙ୍କୁ ଭେଟିବାକୁ ଭୟକଲେ; କାରଣ ଓଡ଼ିଆ ଭାଷା ପ୍ରତି ତାଙ୍କ ଅଵଜ୍ଞା ସେମାନଙ୍କୁ ବି ଘୋର ଲଜ୍ଜିତ ଓ ବିରକ୍ତ କରିଥିଲା । ତେଣୁ ନିଜକୁ ଓଡ଼ିଆଵିଦ୍ଵେଷୀ ନୁହନ୍ତି ବୋଲି ଦେଖେଇବାକୁ ସେ ସେହି ପୁରୀରେ ହିଁ ଡକାଇଥିଲେ ମନ୍ତ୍ରୀମଣ୍ଡଳ ବୈଠକ, ଯେଉଁଠି ତାଙ୍କ ପାଖଲୋକମାନଙ୍କ ଦ୍ଵାରା ଅତ୍ୟନ୍ତ ଆତୁର ଅବସ୍ଥାରେ ତିଆରି ହୋଇଥିବା ୨୦ଟି ଭାଷାକୈନ୍ଦ୍ରିକ ପ୍ରସ୍ତାବ ଗୃହୀତ ହୋଇଥିଲା । ଓଡିଶା ସରକାରୀ ଭାଷା ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜିବାକୁ ଆମ ପ୍ରସ୍ତାବ ଏହି ପ୍ରସ୍ତାବମାଳା ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲା । ତାହା ଥିଲା ଏହିପରି :
“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗଗୁଡ଼ିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିରୂପଣ କରିବେ ।”
ଅମଲାତନ୍ତ୍ର ଦ୍ଵାରା ପ୍ରସ୍ତୁତ ଏହି ପ୍ରସ୍ତାବକୁ ସରକାରଙ୍କ ତରଫରୁ ବ୍ୟାପକଭାବେ ପ୍ରଚାରିତ କରାଗଲା ଓ ଦଣ୍ଡବିଧାନ ଆଇନ ପାଇଁ ସରକାର ରାଜିହୋଇଥିବା ହେତୁ ଆନ୍ଦୋଳନ ବନ୍ଦ କରିବାକୁ ଆମ୍ଭ ଉପରେ ଚାପ ପ୍ରୟୋଗ ହେଲା । ଆମ୍ଭେ ରାଜି ହେଲୁନାହିଁ । କାରଣ ଏହି ପ୍ରସ୍ତାବରେ ତିନୋଟି ଭୟଙ୍କର ପ୍ରବଞ୍ଚନା ଥିଲା । ଯଥା –
(୧) ଏଥିରେ “ଓଡ଼ିଆ ଭାଷାର ବହୁଳ ବ୍ୟବହାର” ଉପରେ ଗୁରୁତ୍ବ ଦିଆହୋଇଥିଲା , ସମ୍ପୂର୍ଣ୍ଣ ବ୍ୟବହାର କଥା ଆଦୌ ନଥିଲା । ଆଇନତଃ “ବହୁଳ ବ୍ୟବହାର” ସମ୍ପୂର୍ଣ୍ଣ ବ୍ୟବହାର ନୁହେଁ ।
(୨) ବିଭିନ୍ନ ବିଭାଗର ଅମଲାମାନେ ନିଜ ମର୍ଜୀ ଅନୁସାରେ “ନିର୍ଦ୍ଦିଷ୍ଟ” କରିବାକୁ ଥିବା “ମାନଦଣ୍ଡ ଏବଂ କ୍ଷେତ୍ର” ଭିତରେ ଆମ ଭାଷା ଜନନୀଙ୍କୁ କଏଦୀ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା ; ଓ
(୩) ଭାଷା ଆଇନ ଉଲ୍ଲଙ୍ଘନ ପାଇଁ ବିଭାଗକୁ ଦଣ୍ଡବିଧାନ ବ୍ୟବସ୍ଥା ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡ ବିଧାନ ପାଇଁ ଅଭିପ୍ରେତ ଥିଲା ।
ଏହା ଛଡ଼ା, ଏହି ପୁରୀ ପ୍ରସ୍ତାବ ଥିଲା ମଧ୍ୟ ଅବୈଧ । ସେପରି ଏକପ୍ରସ୍ତାବ ଗ୍ରହଣ କରିବାକୁ ଯେଉଁ ଆଇନଗତ ବ୍ୟବସ୍ଥା ଥାଏ ତାହାର ଉଲ୍ଲଙ୍ଘନ ହୋଇଥିଲା । ମୁଖ୍ୟମନ୍ତ୍ରୀ ଯଦି ଅମଲାଙ୍କ ବୋଲକରା ନହୋଇଥାନ୍ତେ ଓ ମନ୍ତ୍ରୀମାନେ ଯଦି ମୁଖ୍ୟମନ୍ତ୍ରୀଙ୍କ ବୋଲକରା ହୋଇନଥାନ୍ତେ ତେବେ ଏପରି ଅବୈଧ ପ୍ରସ୍ତାବ ମୋଟେ ଆଗତ ବି ହୋଇପାରିନଥାନ୍ତା, ଗୃହୀତ ହେବା ତ ଦୂରର କଥା ।
ଏହି ପ୍ରବଂଚନାକୁ ମୁଁ ସମ୍ପୂର୍ଣ ପ୍ରତ୍ୟାଖ୍ୟାନ କଲି । ଆମ ଆନ୍ଦୋଳନ ଜାରି ରହିଲା । ଫଳରେ ମନ୍ତ୍ରୀମଣ୍ଡଳର ଓଡ଼ିଆ ସଦସ୍ୟମାନେ ଓଡ଼ିଆ ଭାଷା ବିରୁଦ୍ଧରେ ସରକାରୀକଳର ଚାଲ୍ ଅନୁଧ୍ୟାନ କଲେ । ପୁନର୍ବାର ଏକ ମନ୍ତ୍ରୀମଣ୍ଡଳ ବୈଠକ ବସିଲା ୧୪. ୩ . ୨୦୧୮ ତାରିଖରେ । ଏହି ବୈଧାନିକ ବୈଠକ ପୂର୍ବ ବୈଠକର ଅର୍ଥାତ୍ ୨୬.୧୨.୨୦୧୭ ତାରିଖ ବୈଠକର ଉପରୋକ୍ତ ତୃତୀୟ ପ୍ରସ୍ତାବ ଉପରେ ପୁନର୍ବିଚାର କରି ଏକ ନୂଆ ପ୍ରସ୍ତାବ ଗ୍ରହଣ କଲେ । ତାହା ହେଲା, ଓଡ଼ିଆରେ ସେବା ପ୍ରଦାନ ନକଲେ ଖିଲାପକାରୀ କର୍ମଚାରୀକୁ ଦଣ୍ଡିତ କରାଯିବ । ଏଥିରେ “ମାନଦଣ୍ଡ ଏବଂ କ୍ଷେତ୍ର” ଚାଲ୍ ପରିହାର କରାଯାଇ, କେଉଁ ଉଦ୍ଦେଶ୍ୟରେ ଆଇନ ସଂଶୋଧିତ ହେବ ତାହା ସ୍ପଷ୍ଟ କରିଦିଆଗଲା । ତାହା ହେଲା , ଯେହେତୁ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବାରୁ ଭାଷା ଆଇନଟିକୁ କେହି ମାନୁନାହାନ୍ତି , ସେହେତୁ ଯେଉଁ କର୍ମଚାରୀ ଓଡ଼ିଆରେ କାମ ନ କରିବେ ତାଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ ବ୍ୟବସ୍ଥା ଖଞ୍ଜି ଯଥାଶୀଘ୍ର ଆଇନ ସଂଶୋଧନ କରାଯିବ ।
ଅଥଚ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଲୁଚାଇ ଦେଇ, ବିଧାନସଭାକୁ ସମ୍ପୂର୍ଣ ମିଛ କହି, ସମ୍ପୂର୍ଣ ଅନଧିକୃତ ଭାବେ ଭାଷା ଆଇନର ୨୦୧୮ ସଂଶୋଧନ କଲେ ଯାହାର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାକୁ ଓଡ଼ିଶା ପରିଚାଳନାର ଭାଷା କରାଇ ନ ଦେବା । ମୁଁ ତାଙ୍କ ଚାଲ୍ ଉପରୁ ପରଦା ହଟାଇ ଏହି ଭୁଲ ସଂଶୋଧନ ପ୍ରତ୍ୟାହାର କରିବାକୁ ଦାବି କଲି ଓ ବିଧାନସଭାକୁ ଆହ୍ଵାନ ଦେଲି ତାଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ କରିବାକୁ ।
“ମୁଳୁମାରିଲେ ଯିବ ସରି, ଦେବଙ୍କ ସହ କିମ୍ପା କଳି?” ପନ୍ଥା ଧରି ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ପେଟପଟଣାବାଦକୁ ପ୍ରୋତ୍ସାହିତ କରାଗଲା ଓ ଏହି ପେଟପାଟଣାବାଦୀମାନେ ଭାଷା ଆନ୍ଦୋଳନର ନିଷ୍ପତ୍ତିକ୍ରମେ କଳାପତାକା ଅଭିଯାନ ସ୍ଥଗିତ ରହିଛି ବୋଲି ଅନଧିକୃତ ପ୍ରଚାର ଚଳାଇ ଅବଶେଷରେ ସରକାର “ସଂପୂର୍ଣ୍ଣ ସଂଶୋଧିତ ଭାଷା ଆଇନ ବିଧାନସଭାରେ ପାରିତ କରିଛନ୍ତି” ବୋଲି କହି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ, ଭାଷା ଆନ୍ଦୋଳନ ପ୍ରତ୍ୟାହୃତ ହୋଇସାରିଛି ବୋଲି ସରକାରଙ୍କୁ ଲିଖିତ ରୂପେ ଜଣାଇଲେ ।
ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ସରକାର ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ ଚାକିରି ଦେଇଥିଲେ , ମାତ୍ର ଦରମା ଦେଉନଥିଲେ । ଏହି ଲିଖିତ ଘୋଷଣା ପାଇଲା ପରେ ତାଙ୍କୁ ଦରମା ଦେବାକୁ ପଦକ୍ଷେପ ନିଆଗଲା । ଏଥିରୁ ଏହା ହିଁ ସ୍ପଷ୍ଟ ଯେ, ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଏକଦା ମୋର ସହକର୍ମୀ ଥିବା ପେଟପାଟଣାବାଦୀଙ୍କୁ ରାଜକୋଷରୁ ଅର୍ଥ-ସୁପାରି ଦେଇଛନ୍ତି ଓ ସେମାନଙ୍କ ବେଆଇନ କାରବାରକୁ ମଧ୍ୟ ପୋଲିସ ସୁରକ୍ଷା ଯୋଗାଇଛନ୍ତି ।
ଓଡ଼ିଆ ଜାତି ଏହି ଜାଲିଆତି ଦ୍ଵାରା ପ୍ରଭାବିତ ହୋଇନାହିଁ । ଫଳରେ କଳା ପତାକା ଅଭିଯାନ ଆଜି ପହଞ୍ଚିଛି ୧୫୦୦ ଦିବସରେ ।
ଭାଷା ମାଆ ସଂପୂର୍ଣ୍ଣ ବିପଦମୁକ୍ତ ହେବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲିବ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ମାତୃଭାଷାପ୍ରାଣ ସୂଚନା ଅଧିକାର ଅଭିଯାତ୍ରୀ ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରାଯିବାର ୧୦୦ ଦିନ ହୋଇଗଲା । ଅପରାଧୀ ଧରା ପଡ଼ିନାହିଁ ଓ ତାକୁ/ସେମାନଙ୍କୁ ଧରିବା ପାଇଁ ପୋଲିସ କୌଣସି ଉଦ୍ୟମ କରିନାହିଁ । ସରକାରଙ୍କ କେଉଁ ମହଲରେ ହତ୍ୟାକାରୀର ରାଜ୍ ଚାଲିଛି ତାହା କେବଳ ପୋଲିସକୁ ଜଣା, କାରଣ ସେହି ମହଲର ଚାପ ନଥିଲେ, କେନ୍ଦ୍ରାପଡ଼ା ପୋଲିସ ସମ୍ପୃକ୍ତ ଅପରାଧୀକୁ ଓ ତାର ସହଯୋଗୀମାନଙ୍କୁ କେବଠୁ ଧରିସାରନ୍ତାଣି ।
ଏହି ପ୍ରେକ୍ଷାପତ୍ତାରେ, କରୋନା-ସଙ୍ଗରୋଧ ସତ୍ତ୍ୱେ ସଂପୂର୍ଣ୍ଣ ଅଭିନବ ଉପାଯରେ ଆଜି ଏକ ମିଳିତ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି ନିହତ ରଞ୍ଜନଙ୍କ ପ୍ରତି ସରକାରୀ ଅନ୍ୟାୟ ବିରୁଦ୍ଧରେ । ନିଜ ନିଜ ବାସସ୍ଥାନରେ ସଙ୍ଗରୋଧ ପାଳନ କରୁଥିବା ଭାଷା ଆନ୍ଦୋଳନ ଓ ସୂଚନା ଅଧିକାର ଅଭିଯାନ ଓଡ଼ିଶାର ଅଗ୍ରଣୀ ବନ୍ଧୁମାନେ ଭିଡ଼ିଓ ସଂଯୋଗୀକରଣ ମାଧ୍ୟମରେ ରଞ୍ଜନଙ୍କ ପାଇଁ ହୋଇ ଚାଲିଥିବା ଅନ୍ୟାୟ ବିରୁଦ୍ଧରେ ମିଳିତ ସ୍ଵର ଉତ୍ତୋଳନ କରିଛନ୍ତି ଓ ତାଙ୍କର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ହତ୍ୟାକାରୀକୁ ଘଣ୍ଟ ଘୋଢ଼େଇବାରୁ ନିବୃତ୍ତ ହେବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆଯାଇଛି ।
ବିଶିଷ୍ଟ ଯୁବପ୍ରତିଭା ଚାର୍ଟର୍ଡ଼ ଆକାଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁଙ୍କ ସଂଯୋଜନାରେ ଭିଡ଼ିଓସଂଳାପ ଆରମ୍ଭ କରି ଭାଷା ଆଂଦୋଳନର ପ୍ରତିଷ୍ଠତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଉଭୟ ଭାଷା ଆନ୍ଦୋଳନ ଓ ସୂଚନା ଅଧିକାର ଅଭିଯାନ କ୍ଷେତ୍ରରେ ଆତତାୟୀ ଦ୍ଵାରା ନିହତ ରଞ୍ଜନଙ୍କ ସ୍ମୃତି ଚାରଣ କରିଥିଲେ ତାଙ୍କ ହତ୍ୟାକାରୀକୁ ଘଣ୍ଟ ଘୋଡାଇବା ପାଇଁ ପୋଲିସର ପ୍ରୟାସକୁ ଭର୍ତ୍ସନା କରିଥିଲେ ।
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସୂଚନା ଅଧିକାର ଅଭିଯାନର ମୁଖ୍ୟ ଶ୍ରୀ ପ୍ରଦୀପ ପ୍ରଧାନ ତିରୋହିତ ବିପ୍ଳବୀଙ୍କ ହତ୍ୟାକାରୀକୁ ଏବଂ ହତ୍ୟାକାଣ୍ଡର ପ୍ରଚ୍ଛନ୍ନ ଅପରାଧୀମାନଙ୍କୁ ଧରିବା ପାଇଁ ଯେଉଁ ସମସ୍ତ ସାଙ୍ଗଠନିକ ପଦକ୍ଷେପ ନିଆଯାଇଛି ତହିଁର ବିସ୍ତୃତ ବିବରଣୀ ଦେଇଥିଲେ । ଏହି ଅଭିନବ ଭର୍ଚୁଆଲ୍ ବିକ୍ଷୋଭରେ କେନ୍ଦ୍ରାପଡ଼ାରୁ ଯୋଗ ଦେଇଥିଲେ ରଞ୍ଜନଙ୍କ ଅଗ୍ରଜମନ୍ୟ ପ୍ରମୋଦ କୁମାର ଦେବ, କଟକରୁ ଯୋଗ ଦେଇଥିଲେ ବିଭିନ୍ନ ଅଭିଯାନରେ ରଞ୍ଜନଙ୍କ ଘନିଷ୍ଠ ସହଯୋଗୀ ଜିତେନ୍ଦ୍ର ସାହୁ ), ରାୟଗଡ଼ାରୁ ଯୋଗ ଦେଇଥିଲେ ବିପ୍ଳବୀ ସନ୍ତୋଷ ପାଢୀ, ବାଲେଶ୍ଵରରୁ ଯୋଗଦେଇଥିଲେ ବିପ୍ଳବୀ ଅଶୋକ ଦତ୍ତ , ବଉଦରୁ ଯୋଗ ଦେଇଥିଲେ ବିପ୍ଳବୀ କେଦାରନାଥ ସାହୁ, ମାର୍ଶାଘାଇରୁ ଯୋଗ ଦେଇଥିଲେ ବିପ୍ଳବୀ ନିଗମ ଦାସ, ମହାକାଳପଡ଼ାରୁ ଯୋଗ ଦେଇଥିଲେ ବିପ୍ଳବୀ ସୂର୍ଯ୍ୟପ୍ରକାଶ ଏବଂ ସମସ୍ତଙ୍କ କଣ୍ଠରେ ଜୀବନ୍ତ ହୋଇଉଠିଥିଲେ ଶହେ ଦିନ ତଳେ ଆତତାୟୀ ଦ୍ଵାରା ନିହତ ବିପ୍ଳବୀ ରଞ୍ଜନ କୁମାର ଦାସ । ତାଙ୍କ ହତ୍ୟାକାରୀକୁ ଧରି ଦଣ୍ଡ ଦିଆଯିବା ପର୍ଯ୍ୟନ୍ତ ବିଶ୍ରାମ ନେବାର ନାହିଁ ବୋଲି ସମସ୍ତେ ସମସ୍ଵରରେ ଘୋଷଣା କରିଥିଲେ ।
ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସଂଯୋଜକ ରଞ୍ଜନ କୁମାର ସାହୁଙ୍କ ଦ୍ଵାରା ପ୍ରସ୍ତୁତ ଏକ ସ୍ମୃତିସିକ୍ତ ବୃତ୍ତଚିତ୍ରରୁ, ନିହତ ବିପ୍ଳବୀଙ୍କ ପ୍ରତି ଅର୍ପିତ ନୀରବ ଶୋକଞ୍ଜଳି ପରେ । ତାଙ୍କ ସ୍ମୃତିକୁ ଜୀବନ୍ତ କରି ରଖିବା ପାଇଁ ଜିତେନ୍ଦ୍ର ପ୍ରସ୍ତୁତ କରିଥିବା ଚିତ୍ରସମାହାର ପରବର୍ତ୍ତୀ ଉପସ୍ଥାପନାରେ ସ୍ଥାନିତ ହେବ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶା ହାଇକୋର୍ଟ ଆଜି ଘରଫେରନ୍ତା ଓଡ଼ିଆମାନଙ୍କ ଉପରେ ଯେଉଁ ରାୟ ଦେଇଛନ୍ତି ତାହାକୁ ବାତିଲ କରିବାକୁ ଯଦି ତୁରନ୍ତ ପଦକ୍ଷେପ ନିଆ ନଯାଏ, ତେବେ ପ୍ରାୟ ୫୦ ଲକ୍ଷ ଓଡ଼ିଆଙ୍କ ଜୀବନ ସଂକଟାପନ୍ନ ହୋଇଯିବ ; କାରଣ ଘରକୁ ଫେରିବାକୁ ନାମ ପଞ୍ଜୀକୃତ କରିଥିବା ୫ ଲକ୍ଷରୁ ଅଧିକ ଓଡ଼ିଆ ଶ୍ରମଜୀବୀଙ୍କ ଉପରେ ସେମାନଙ୍କ ପରିବାରର ହାରାହାରି ୧୦ଜଣ ସଦସ୍ୟ ନିର୍ଭରଶୀଳ ।
କରୋନା “ନେଗେଟିଭ” ପ୍ରମାଣପତ୍ର ବିନା ଓଡ଼ିଶା ସୀମା ମାଡ଼ିବା ସେମାନଙ୍କୁ ନିଷିଦ୍ଧ କରିଛି ଓଡ଼ିଶା ହାଇ କୋର୍ଟ । ଏହା ସେମାନଙ୍କ ବଞ୍ଚି ରହିବାର ମୌଳିକ ଅଧିକାର ତଥା ସେମାନଙ୍କୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ଚଳାଇଥିବା ଚେଷ୍ଟାକୁ ଧୂଳିସାତ୍ କରିଦେବ ।
ଓଡ଼ିଶା ସୀମା ଭିତରକୁ ସେମାନଙ୍କୁ ଯଦି ପଶିବାକୁ ଦିଅ ନଯାଏ, ସେମାନେ କେଉଁଠି ରହିବେ? ପ୍ରଦେଶ ପ୍ରଦେଶ ଭିତରେ କଣ କିଛି ଶୂନ୍ୟ ମଣ୍ଡଳ ଥାଏ ଯେ, ସେଇଠି ସେମାନେ ରହିବେ? ଏମିତି କିଛି ନଥାଏ । ଅତଏବ, ଯଦି ଓଡ଼ିଆମାନଙ୍କୁ ଓଡ଼ିଶା ସୀମା ମନ କରାଯାଏ, ତେବେ ସେମାନେ ପଡ଼ୋଶୀ ପ୍ରଦେଶର ସୀମା ଭିତରେ ରହିବେ । ପଡ଼ୋଶୀ ପ୍ରଦେଶ ସେମାନଙ୍କୁ କାହିଁକି ଅନୁମତି ଦେବ? ଓଡ଼ିଶା ସରକାର କେଉଁ ଅଧିକାର ବଳରେ ପଡ଼ୋଶୀ ପ୍ରଦେଶରେ କାରୋନା ଶିବିର ଓ ଚିକିତ୍ସା କେନ୍ଦ୍ର କରିବେ?
ଓଡ଼ିଆ ଭାଷାରେ କରୋନା ସମ୍ପର୍କୀୟ ସମସ୍ତ ତଥ୍ୟ ଆମ ଲୋକମାନଙ୍କୁ କାହିଁକି ଦିଆଯାଉନି ବୋଲି ଭାଷା ଆନ୍ଦୋଳନ ପକ୍ଷରୁ ଆମ୍ଭେ ଅବଶ୍ୟ ନବୀନ ବାବୁଙ୍କ ସରକାରକୁ କଠିନ ସମାଲୋଚନା କରିଆସିଛୁ । କିନ୍ତୁ ଏହା ବି ଆମ୍ଭେ କହି ଆସିଛୁ ଯେ, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଡାକ୍ତରଖାନା ଓ ସ୍ଵତନ୍ତ୍ର ଚିକିତ୍ସକ/ସହାୟକ ବର୍ଗ ଗଠନ ପାଇଁ ଆମ୍ଭେ ଯେଉଁ ପରାମର୍ଶ ଦେଇଥିଲୁ ତାହା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ଆଦର୍ଶ ଭୂମିକା ତୁଲାଇଛନ୍ତି । ସମସ୍ତ ପଞ୍ଚାୟତରେ କରୋନା ଶିବିର କରାଇବାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଜୀବ ବୋଲି କହିବା ଯଥେଷ୍ଟ ହେବନାହିଁ ; ସର୍ବନିମ୍ନ ଏହା ହିଁ କୁହାଯାଇପରିବ ଯେ, ଘର ଫେରନ୍ତା ଓଡ଼ିଆ ଶ୍ରମବୀରମାନଙ୍କୁ ଯଥା ସମ୍ଭବ ଉତ୍ତମ କ୍ଵାରେଣ୍ଟାଇନ ସୁବିଧା ଯୋଗାଇବା ପାଇଁ ପଞ୍ଚାୟତଗୁଡ଼ିକରେ ବ୍ୟବସ୍ଥା କରିବା ଓ ସରପଞ୍ଚମାନଙ୍କୁ ସେଥିପାଇଁ ମର୍ଯ୍ୟାଦାସମ୍ପନ୍ନ ଦାୟିତ୍ଵ ଦେବା ପରି ଯେଉଁ ପଦକ୍ଷେପ ଓଡ଼ିଶା ସରକାର ନେଇଛନ୍ତି ତାହା ସାରା ଭାରତରେ ଏପରିକି ବିଶ୍ବରେ ବି ଅଦ୍ଵିତୀୟ । ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଏହାକୁ ନଷ୍ଟ କରିଦେବ । ଏବଂ ଯଦି ଏହି ଆଦେଶକୁ ପାଳନ କରାଯାଏ ତେବେ ଏହି ସମସ୍ତ ଆଗୁଆ ଓ ଚମତ୍କାର ବ୍ୟବସ୍ଥାଗୁଡ଼ିକୁ ଭାଙ୍ଗି ସୀମା ଅରପଟେ ବ ସନ୍ନିଧିରେ ସାନି ବ୍ୟବସ୍ଥା କରିବାକୁ ହେବ । ଏହା କରିବାକୁ ସମୟ ବ ସମ୍ବଳର ଘୋର ଅଭାବ । ଫଳରେ ପ୍ରାୟ ୫ଲକ୍ଷରୁ ଅଧିକ ଓଡ଼ିଆ ଓ ତାଙ୍କ ଉପରେ ନିର୍ଭରଶୀଳ ପ୍ରାୟ ୪୫ ଲକ୍ଷ ଓଡ଼ିଆ ଘୋର ବିପର୍ଯ୍ୟୟର ସମ୍ମୁଖୀନ / ଶିକାର ହେବେ । ଏ ହେତୁ ଓଡ଼ିଶା ସରକାର ଏହି ଆଦେଶକୁ ରଦ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟକୁ ଅବିଳମ୍ବେ ଯିବା ଆବଶ୍ୟକ ।
କରୋନା ଏକ ପ୍ରାନ୍ତୀୟ ଆତଙ୍କ ନୁହେଁ , ଆନ୍ତର୍ଜାତୀୟ ହୋଇଥିବା ହେତୁ ଏହା ବି ଆମ ପାଇଁ ଭାରତ ବ୍ୟାପୀ ଏକ ଜାତୀୟ ବିପତ୍ତି । ସେହିପରି, ଦାଦନ ଶ୍ରମିକ ବିଭାବନା ପ୍ରାଦେଶିକ ନୁହେଁ, ଜାତୀୟ । କରୋନା ପରି ଜାତୀୟ ବିପତ୍ତି କାଳରେ ଦାଦନ ଶ୍ରମିକମାନଙ୍କ ସମ୍ପର୍କରେ ଏକ ଜାତୀୟ ନୀତି ନିର୍ଦ୍ଧାରଣ ହେବା ଦରକାର । The Inter-State Migrant Workmen (Regulation of Employment & Condition of Service)Act, 1979ରେ ଏପରି ବିପତ୍ତିଜନିତ ସ୍ଥିତିକୁ ଆଖିଆଗରେ ରଖି ଆବଶ୍ୟକୀୟ ସଂଶୋଧନ ଦରକାର । ଓଡ଼ିଶା ସରକାର ଯଦି ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ସୁପ୍ରିମ୍ କୋର୍ଟ୍ ଯାଆନ୍ତେ ଓ ହାଇକୋର୍ଟ ଆଦେଶକୁ ରଦ୍ଦ କରିବା ସହ ଏପରି ଏକ ନୀତି ନିର୍ଦ୍ଧାରଣ ବା ଆଇନ ସଂଶୋଧନ ପାଇଁ ଯୁକ୍ତି ରଖନ୍ତେ ତେବେ କୋଟି କୋଟି ଶ୍ରମବୀରମାନଙ୍କ ସମସ୍ୟାର ଏକ ପ୍ରଭାବଶାଳୀ ସମାଧାନ ସମ୍ଭବ ହୁଅନ୍ତା ।
ଯେ କୌଣସି ପରିସ୍ଥିତିରେ ମଧ୍ୟ ଭାଷା ଆନ୍ଦୋଳନ ଦାଦନ ଶ୍ରମିକମାନଙ୍କ ସହ ରହିବ; କାରଣ ସେହିମାନେ ହିଁ ମାତୃଭାଷାର ନିର୍ମାୟା ସନ୍ତାନ । ସେମାନଙ୍କ ଜୟ ମାତୃଭାଷାର ଜୟ ।