କରୋନା କାଳ// ସରକାର ଓଡ଼ିଆରେ କହନ୍ତୁ : ପ୍ରଫେସର କମଳାପ୍ରସାଦ ମହାପାତ୍ର

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା କାଳରେ ଭାଷା ଆଂଦୋଳନର ନୂଆ ଡିଜିଟାଲ ମଞ୍ଚ – ଭାଷା ମା ପାଇଁ ପଦେ – ଆନୁକୁଲ୍ୟରେ ମହାନ ଭାଷାପ୍ରାଣ ପ୍ରଫେସର କମଳାପ୍ରସାଦ ମହାପାତ୍ର ସରକାରଙ୍କୁ ଆହ୍ଵାନ ଦେଇଛନ୍ତି କି, ଏହି ମହାମାରୀ ଭୂତାଣୁ ସହ ଲଢେଇ କରୁଥିବା ଜାତିକୁ ସରକାର ଇଂରାଜୀ ବଦଳରେ ଓଡ଼ିଆରେ କହନ୍ତୁ ; କାରଣ ସବୁ ଲୋକଙ୍କର ବଞ୍ଚିବାର ଅଧିକାର ଥିବା ବେଳେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ଛାଡି ଓଡ଼ିଶାର ଲୋକେ ଇଂରାଜୀ ଭାଷାରେ ପାରଙ୍ଗମ ନୁହନ୍ତି ।

ସାମାଜିକ ଗଣମାଧ୍ୟମ ଫେସ୍ ବୁକ୍ ଯୋଗେ ସିଧାପ୍ରସାରିତ ପ୍ରଫେସର ମହାପାତ୍ରଙ୍କ ଅଭିମତ ସରକାରଙ୍କ ପାଇଁ ବିଶେଷ ପ୍ରଣିଧାନଯୋଗ୍ୟ ।

କରୋନା ନିୟନ୍ତ୍ରଣରେ ମାତୃଭାଷାର ଗୁରୁତ୍ୱ: ପ୍ରଫେସର କମଳା ପ୍ରସାଦ ମହାପାତ୍ର

Posted by ଭାଷା ମାଆ ପାଇଁ ପଦେ on Sunday, June 7, 2020

 

 

ବନ୍ଦେ ଉତ୍କଳ ଜନନୀ // ପଦ ପ୍ରାଞ୍ଜଳ ହେଉ ଏବଂ ହେଉ ‘ବନ୍ଦେ ଓଡ଼ିଶା ଜନନୀ’

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରାଜ୍ୟ ମନ୍ତ୍ରୀମଣ୍ଡଳ ବନ୍ଦେ ଉତ୍କଳ ଜନନୀ ଶୀର୍ଷକ ଗୀତକୁ ସମଗ୍ରିକତଃ ଓଡ଼ିଶାର ରାଜ୍ୟ ସଙ୍ଗୀତ କରିବା ପାଇଁ ଆଜି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଆମ୍ଭର ୧.୬.୨୦୨୦ ତାରିଖର ସମ୍ପାଦକୀଯ ଦ୍ଵାରା ପ୍ରଭାବିତ ହୋଇଥିବା ହେତୁ ଆମ୍ଭ ପାଇଁ ସ୍ଵାଗତଯୋଗ୍ୟ; ମାତ୍ର ଏହା ଦୁଇଟି ଗୁରୁତର ଦୋଷରେ ଆକ୍ରାନ୍ତ । ପ୍ରଥମତଃ , ବିଧାନସଭାର ବାଚସ୍ପତି ଭାବେ ମହେଶ୍ଵର ମହାନ୍ତି ଆଦେଶ ଦେଇଥିଲେ କି, ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହାକୁ ରାଜ୍ୟ ସଙ୍ଗୀତ କରିବା ପାଇଁ ଏକ ବିଧେୟକ ବିଧାନସଭାରେ ଆଗତ କରିବେ ଓ ତାହା ପରୀତ ହେଲେ ଏହା ରାଜ୍ୟ ସଙ୍ଗୀତ ହେବ । ଅତଏବ ବିଷୟଟି ବିଧାନସଭାର କର୍ତ୍ତୃତ୍ତ୍ଵାଧିନ ଅଛି । ତେଣୁ ଏ ସମ୍ପର୍କୀୟ କ୍ୟାବିନେଟ ନିଷ୍ପତ୍ତି ଅବୈଧ । ଦ୍ଵିତୀୟତଃ, ଏପରି ଏକ ସଙ୍ଗୀତ ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ ହେବା ବାଞ୍ଛନୀୟ ତାହାର ଉପଦେୟତାକୁ ବେଖାତିର କରି ରାଜ୍ୟ ମନ୍ତ୍ରୀମଣ୍ଡଳ ଯେ ନିଜର ବୌଦ୍ଧିକ ପରାକାଷ୍ଠା ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି  ଓ ଜାତୀୟ ସଙ୍ଗୀତ ଆଇନ ଅନୁରୂପେ ଏହା ନିର୍ବାହିତ ହେବ ବୋଲି ବାଚସ୍ପତି ମହାନ୍ତି ଦେଇଥିବା ଆଦେଶର ଅବମାନନା କରିଛନ୍ତି । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାକର ବୋଲି ନିଜକୁ ପରିଚିତ କରାଇଥିବା ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ନଥାଇ ଅନ୍ୟ ଜେଆଡି କେହି ବାଚସ୍ପତି ଥାନ୍ତେ, ମୋର ବିଶ୍ଵାସ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ଏବେ ଶୀର୍ଷକ ସୂଚିତ ବିଷୟକୁ ଆସିବା ।

ତଦାନୀନ୍ତନ ବାଚସ୍ପତି ଶରତ କୁମାର କରଙ୍କ ଅଧ୍ୟକ୍ଷତାରେ ୧୦.୫.୨୦୦୩ ତାରିଖରେ ନିଷ୍ପତ୍ତି ହୋଇଥିଲା କି,  ପିଲାମାନଙ୍କ ସମେତ ସାଧାରଣଲୋକ, ଅସୁସ୍ଥ ଓ ଜରାଗ୍ରସ୍ତ ବ୍ୟକ୍ତିମାନଙ୍କ ମନଯୋଗ-ସୀମା ତଥା ଖୁବ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କ ନିରପତ୍ତାକୁ ଆଖିଆଗରେ ରଖି ଜାତୀୟ ସଂଗୀତ ଗାନ ପାଇଁ  ନିର୍ଣୟ ହୋଇଥିବା ସମୟସୀମା ଅନୁଯାୟୀ ରାଜ୍ୟ ସଙ୍ଗୀତ ଭାବେ ଏହାର ଗାନକୁ ସମୟବଦ୍ଧ କରିବା ସକାଶେ ଏହି ଲେଖାର ଘୋଷା ସମେତ ୧, ୪ ଓ ୬ – ଏହି ତିନୋଟି ପଦକୁ  ମୂଳ ରଚନାରୁ ଅଲଗା କରି ରାଜ୍ୟ ସଙ୍ଗୀତ ରୂପେ ପ୍ରବର୍ତ୍ତିତ କରାଯିବ । ଏବଂ ପରବର୍ତ୍ତୀ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୨୬.୮.୨୦୦୬ ତାରିଖରେ ମଧ୍ୟ ଅନୁରୂପ ନିଷ୍ପତ୍ତି ହୋଇଥିଲା ।

ଏଗୁଡ଼ିକ ହେଲା:

  • ବନ୍ଦେ ଉତ୍କଳ ଜନନୀ
  • ଚାରୁ ହାସମୟୀ ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ
  • ବନ୍ଦେ ଉତ୍କଳ ଜନନୀ । ଘୋଷା ।
  • ପୂତ ପୟୋଧି ବିଧୌତଶରୀରା
  • ତାଳ ତମାଳ ସୁଶୋଭିତ ତୀରା
  • ଶୁଭ୍ର ତଟିନୀକୁଳ ଶୀକର ସମୀରା  – ଜନନୀ ଜନନୀ ଜନନୀ । ୧ ।
  • ସୁନ୍ଦର ମନ୍ଦିର ମଣ୍ଡିତ ଦେଶା
  • ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ଦେଶା
  • ପୂଣ୍ୟ ତୀର୍ଥଚୟ ପୂଣ୍ୟ ପ୍ରଦେଶା  – ଜନନୀ ଜନନୀ ଜନନୀ । ୪ ।
  • କବିକୁଳମୌଳି ସୁନନ୍ଦନ ବନ୍ଦ୍ୟା
  • ଭୂବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା
  • ଧନ୍ୟେ ପୂଣ୍ୟେ ଚିରଶରଣ୍ୟେ – ଜନନୀ ଜନନୀ ଜନନୀ । ୬।

ଆମ୍ଭ ବିଚାରରେ ଏହା ଥିଲା  ଓଡ଼ିଶା ପ୍ରଦେଶ ଭୂମିର ଘୋର ଅବମାନନାକାରୀ । କାରଣ, ଏହି ୩ଟି ପଦରେ  କେବଳ ଉପକୂଳ ଓଡ଼ିଶାର ବୈଶିଷ୍ଟ୍ୟ ଚିତ୍ରଣ ଅଛି ; ପାର୍ବତ୍ୟ ଓଡ଼ିଶା ବା ଗଡ଼ଜାତ ଓଡ଼ିଶାର ଚିହ୍ନ ବର୍ଣ୍ଣ ନାହିଁ । ଓଡ଼ିଶାର ଅଧିକାଂଶ ଲୋକ ଯେଉଁମାନେ ପୂର୍ବତନ ଗଡ଼ଜାତଗୁଡ଼ିକର ବାସିନ୍ଦା ବା ପାହାଡ଼ି ଇଲାକାର ଅଧିବାସୀ ଏହି ସଙ୍ଗୀତରେ ତାଙ୍କ ମାଟିର ବନ୍ଦନା ପାଇବେନାହିଁ  । ତେଣୁ ଏହା ଓଡ଼ିଶାକୁ ଅଖଣ୍ଡ ରଖିବା ପରିବର୍ତ୍ତେ ସ୍ଵାଭିମାନ ଭିତ୍ତିରେ  ଖଣ୍ଡ ଖଣ୍ଡ କରିଦେବ ବୋଲି ଆମ୍ଭେ ଆଶଙ୍କା ପ୍ରକଟ କରିଥିଲୁ । ଆମ୍ଭ ଆଶଙ୍କାର ଯଥାର୍ଥତା ଅନୁଭବ କରି ରାଜ୍ୟ ମନ୍ତ୍ରୀମଣ୍ଡଳ ଆଜି ବୈଠକରେ ଉପରୋକ୍ତ ତିନି ପଦ ପରିବର୍ତ୍ତେ ସମଗ୍ର ଲେଖାଟିକୁ  ଅର୍ଥାତ୍ ଘୋଷା ସମେତ ସମସ୍ତ ୬ ପଦକୁ ରାଜ୍ୟ ସଙ୍ଗୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଯଥାର୍ଥ ନିଷ୍ପତ୍ତି ନେବାକୁ ଅଯୋଗ୍ୟତା ହିଁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟକରେ । ନିର୍ଦ୍ଦିଷ୍ଟ ଔଷଧୀୟ ଗୁଳ୍ମ ଚିହ୍ନିବାର ଅଯୋଗ୍ୟତା ହିଁ ସମଗ୍ର ଗନ୍ଧମାର୍ଦ୍ଦନ ପାହାଡ଼ ବୋହିନେବା ପାଇଁ ହନୁମାନଙ୍କୁ ବାଧ୍ୟ କରିଥିଲା । ଆଜିର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଏହି ପର୍ଯ୍ୟାୟଭୁକ୍ତ । ଉପର ବର୍ଣ୍ଣିତ କାରଣଗୁଡ଼ିକ ହେତୁ ବହୁ ଅନୁଧ୍ୟାନ, ତର୍କ ବିତର୍କ ପରେ ଜାତୀୟ ସଙ୍ଗୀତର ସମୟସୀମା ୫୨ ସେକେଣ୍ଡରେ ସୀମିତ କରାଯାଇଛି । ତେଣୁ, ଉପରୋକ୍ତ ଦୁଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏହି ସମୟସୀମାକୁ ଧ୍ୟାନ ଦେଇ ଏହି ଗୀତର ୬ ପଦ ଭିତରୁ ୩ଟି ପଦକୁ ରାଜ୍ୟ ସଙ୍ଗୀତରେ ବ୍ୟବହାର କରିବାକୁ ସିଦ୍ଧାନ୍ତ ହୋଇଥିଲା । ଆମର ଆପତ୍ତି ଥିଲା ପଦ ଚୟନ ନେଇ । ୨ୟ ପଦଟିକୁ ବାଦ ଦିଆଯାଇ ନଥିଲେ ଗଡ଼ଜାତ ରାଜ୍ୟସମୂହ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ରାଜ୍ୟ ସଙ୍ଗୀତରେ ସ୍ଥାନିତ ହୋଇଥାନ୍ତେ । ପଦଟି ହେଲା –

  • ଘନ(ଘଞ୍ଚ) ବନଭୂମି ରାଜିତ ଅଙ୍ଗେ
  • ନୀଳ ଭୁଧରମାଳ ରାଜେ ତରଙ୍ଗେ
  • କଳ କଳ ମୁଖରିତ ଚାରୁ ବିହଙ୍ଗେ – ଜନନୀ ଜନନୀ ଜନନୀ (୨)

ଏହି ପଦଟି ଗଡଜାତ ଓ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରତିନିଧିତ୍ଵ କରେ । ତେଣୁ ଆମ୍ଭର ଦାବି ଥିଲା , ଏହି ନିର୍ଦ୍ଦିଷ୍ଟ ପଦଟିକୁ ଯଦି ଏ ସଙ୍ଗୀତର ଅନ୍ତର୍ଗତ କରା ନଯାଏ ତେବେ ତାହା କେବଳ ଉପକୂଳ ଓଡ଼ିଶାର ବନ୍ଦନା ହେବ ସିନା ଓଡ଼ିଶାର ବନ୍ଦନା ହେବନାହିଁ । ଓଡ଼ିଶାକୁ ଅଖଣ୍ଡ ରଖିବା ପରିବର୍ତ୍ତେ ସ୍ଵାଭିମାନ ଭିତ୍ତିରେ ଏହା ତାକୁ ଖଣ୍ଡ  ଖଣ୍ଡ କରିଦେବ । ଓଡ଼ିଶାକୁ ଭଲ ପାଉଥିବା କୌଣସି ଲୋକ ଏହାକୁ ତାର ଜାତୀୟ ସଙ୍ଗୀତ ଭାବେ କେବେ  ବି ଗ୍ରହଣ କରିବ ନାହିଁ ବୋଲି ଆମ୍ଭେ ସତର୍କ କରାଇ ଦେଇଥିଲୁ ।

ସୁଖର କଥା, ସରକାର ଆମ୍ଭ ସତର୍କବାଣୀକୁ ଅବଜ୍ଞା କରିନାହାନ୍ତି । ଊପରୋକ୍ତ ପଦଟି ସହ ଏହି ସଙ୍ଗୀତ ପରିବେଷିତ ହେବ । ମାତ୍ର ଯେଉଁ କରଣହେତୁ ଜାତୀୟ ସଂଗୀତାକୁ ୫୨ ସେକଣ୍ଡରେ ସମୟବଦ୍ଧ କରାଯାଇଛି ସେହି କାରଣକୁ ଅବଜ୍ଞା କରି ରାଜ୍ୟ ସରକାର ଏହା ପ୍ରତି ଭବିଷ୍ୟତର ଅମର୍ଯ୍ୟାଦାକୁ ଡାକିଆଣିଛନ୍ତି ।

ଯେହେତୁ ଏହି ସଂପୂର୍ଣ୍ଣ ଗାନ ଅସହ୍ୟ ଭାବେ ଦୀର୍ଘ ସମୟ ନେବ, ସେହେତୁ ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି କରିଛି କି, “ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ଯେଉଁମାନେ ନିଜର ଉପରୋକ୍ତ କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ, ସେମାନେ ଏହି ସଂଗୀତ ପରିବେଷଣ/ଗାନ ସମୟରେ ନିଜ ସ୍ଥାନରେ ନମ୍ରଭାବରେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ । ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ / ଗାନ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଗଲା“ (ପ୍ରସ୍ତାବ ୬) ।

ଓଡ଼ିଶାର ଯାହା ରାଜ୍ୟ ସଙ୍ଗୀତ ହେବ, ତାହାକୁ ଏପରି ପ୍ରହସନରେ ପରିଣତ କରିବାକୁ ରାଜ୍ୟ ମନ୍ତ୍ରୀମଣ୍ଡଳକୁ କିଏ ଅଧିକାର ଦେଇଛି? ମନ୍ତ୍ରୀମାନେ ନିଜର ଯୌଥ ରାଜନୈତିକ ବୁଦ୍ଧି ପ୍ରୟୋଗ କରିଛନ୍ତି କି କ୍ରୀତଦାସସୁଲ୍ଲଭ ଆନୁଗତ୍ୟ ପ୍ରକାଶ କରି “ରାଜନନ୍ଦିନୀ ପ୍ୟାରୀ ଯା ବଲେ ତା ଭାଲୋ” ଭାବି ଏପରି ହାସ୍ୟାସ୍ପଦ ନିଷ୍ପତ୍ତି ନେଇଛନ୍ତି?

ଏହା ରାଜ୍ୟ ସଙ୍ଗୀତ ହେଲେ ଏହା ହିଁ ହେବ ଆମ ରାଜ୍ୟର ଜାତୀୟ ସଙ୍ଗୀତ । ଜାତୀୟ ସଙ୍ଗୀତ ହେଉଛି ଗୋଟିଏ ଜାତିର ଗରିମାର ଆଧାର । ଏହାର ପରିବେଷଣ କୌଣସି ହାସ୍ୟନାଟକ ପରିବେଷଣ ନୁହେଁ । ସୁତରାଂ ଏହି ୬ ସଂଖ୍ୟକ ପ୍ରସ୍ତାବକୁ ତୁରନ୍ତ ରଦ୍ଦ କରାଯିବା ଦରକାର ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହାକୁ ୩ ପଦରେ ସୀମିତ ରଖି ସ୍ଵଳ୍ପତମ ସମୟରେ ଗାନ କରାଯାଉ ।  ଏହି ସଙ୍ଗୀତର ସ୍ଵର ଅକ୍ଷୁର୍ଣ୍ଣ ରଖି ଶାନ୍ତନୁ ମହାପାତ୍ର ମାତ୍ର ୪୦ ସେକଣ୍ଡରେ ପୂର୍ବୋକ୍ତ ୩ଟିଯାକ ପଦ ପରିବେଷଣ କରିପାରିଥିଲେ । ତେଣୁ ତାହା ହିଁ କରାଯାଉ । ବାଚସ୍ପତିମାନଙ୍କ ଆହୁତ ବୈଠକଦ୍ଵୟରେ ନିର୍ବାଚିତ ୩ ଟି ପଦରୁ ଶେଷ ପଦଟିକୁ ବାଦ ଦେଇ ୨ୟ ପଦଟିକୁ ଗ୍ରହଣ କଲେ, ତାହା ଏହିପରି ହେବ –

  • ବନ୍ଦେ ଉତ୍କଳ ଜନନୀ
  • ଚାରୁ ହାସମୟୀ ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ
  • ବନ୍ଦେ ଉତ୍କଳ ଜନନୀ । ଘୋଷା ।
  • ପୂତ ପୟୋଧି ବିଧୌତ ଶରୀରା
  • ତାଳ ତମାଳ ସୁଶୋଭିତ ତୀରା
  • ଶୁଭ୍ର ତଟିନୀକୁଳ ଶୀକର ସମୀରା  – ଜନନୀ ଜନନୀ ଜନନୀ । ୧ ।
  • ଘନ(ଘଞ୍ଚ) ବନଭୂମି ରାଜିତ ଅଙ୍ଗେ
  • ନୀଳ ଭୁଧରମାଳ ରାଜେ ତରଙ୍ଗେ
  • କଳ କଳ ମୁଖରିତ ଚାରୁ ବିହଙ୍ଗେ – ଜନନୀ ଜନନୀ ଜନନୀ (୨)
  • ସୁନ୍ଦର ମନ୍ଦିରମଣ୍ଡିତ ଦେଶା
  • ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ଦେଶା
  • ପୂଣ୍ୟ ତୀର୍ଥଚୟ ପୂଣ୍ୟ ପ୍ରଦେଶା  – ଜନନୀ ଜନନୀ ଜନନୀ । ୪ ।

 

ଏହା ସମଗ୍ର ଓଡ଼ିଶାର ପ୍ରତିନିଧିତ୍ଵ କରିବ ଓ ୪୦ରୁ ୫୦ ସେକଣ୍ଡରେ ପରିବେଷିତ ହୋଇପାରିବ । ଶେଷପଦଟି ଅତ୍ୟନ୍ତ ଅବୋଧ୍ୟ ଓ ସେହେତୁ ରାଜ୍ୟ ସଙ୍ଗୀତରେ ସ୍ଥାନିତ ହେବାକୁ ଅଯୋଗ୍ୟ । ତେଣୁ ତାକୁ ବାଦ ଦେଇ ୨ୟ ପଦଟିକୁ ଗ୍ରହଣ କରି ଓଡ଼ିଶାର ରାଜ୍ୟ ସଙ୍ଗୀତକୁ ପ୍ରାଞ୍ଜଳ କରାଯାଉ ଓ ତାର ଶୀର୍ଷକକୁ ବନ୍ଦେ ଉତ୍କଳ ଜନନୀ ପରିବର୍ତ୍ତେ ବନ୍ଦେ ଓଡ଼ିଶା ଜନନୀ କରାଯାଉ । ଏଥିପାଇଁ ମୁଁ ପୂର୍ବରୁ ଯେଉଁ କାରଣ ଦର୍ଶାଇଛି ତାହା ସର୍ବଥା ଗ୍ରହଣୀୟ ।

 

ବନ୍ଦେ ଉତ୍କଳ ଜନନୀ // ପ୍ରଦ୍ୟୁମ୍ନ ଶତପଥୀଙ୍କ ନୂଆ ଚାରିଶବିଶ୍ ଚାଲ୍

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ କରୋନାକାଳୀନ ଅତ୍ୟାଚାର ଉପରେ ଆମ୍ଭେ ବାରମ୍ବାର ସପ୍ରମାଣ ଆଲୋଚନା କଲା ପରେ ଜନବିଭ୍ରାନ୍ତି ପାଇଁ ସେ ଗତ ୧୮ବର୍ଷ ଧରି ପ୍ରତ୍ୟାଖ୍ୟାନ କରି ଆସିଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଡାକ୍ତରୀ ଓ ପୋଲିସ ଜଗତ ପ୍ରତି ଓଡିଆ ଜାତିର କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ଗାନ କରିବାକୁ ଆହ୍ଵାନ ଦେଲେ । କାରଣ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ଉପଲବ୍ଧି ଅନୁସାରେ ସେହିମାନେ ହିଁ କରୋନା ଭୂତାଣୁ ସହ ଯୁଦ୍ଧ କରିଥିବା ବ୍ୟକ୍ତି; ଯେଉଁ ଶ୍ରମଜୀବୀ ସାଧାରଣ ମଣିଷ ଏହି ମାରକ ଭୂତାଣୁ ସହ ଅହରହ ଲଢେଇ କରି ଜୀଉଛି ବା ମରୁଛି ସେ ନୁହଁ । ମିଥ୍ୟା ପ୍ରଚାର ବି ହେଲା, ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ବି କରିଦେଇଛନ୍ତି, ସତେ ଯେମିତି ଆମେ ଏକ ରାଜତନ୍ତ୍ରର ବାସିନ୍ଦା ଓ “ରାଜନନ୍ଦିନୀ ପ୍ୟାରୀ ଯା ବଲେ ତା ଭାଲୋ” !

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଡାକରାକୁ ନିଜ ସାଞ୍ଜୁଭାବେ ନେଇ ଏହି ସଙ୍ଗୀତ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ହେବାର “ପ୍ରଥମ ଉଦ୍ୟୋକ୍ତା” ଭାବେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସାମାଜିକ ଗଣମାଧ୍ୟମ – ଫେସ୍ ବୁକ୍ – କାନ୍ଥରେ ଉପସ୍ଥାପିତ କରିବାର ଯେଉଁ ଉଦ୍ୟମ ହୋଇଛି ତାହା ହିଁ ଆମ ପାଇଁ ଆଲୋଚ୍ୟ ।

ଚାରିଶବିଶ୍ ଚାଲ୍ (୧)

ନିଜର ଆର୍ଥିକ ଫାଇଦା ପାଇଁ ଯେଉଁ ବ୍ୟକ୍ତି ଭାଷା ଆନ୍ଦୋଳନକୁ ଛୁରା ମାରିଲେ, ନିଜକୁ ଭାଷାପ୍ରେମୀ ଦେଖେଇବାକୁ ସେ କେଉଁ କେଉଁ ଚାରିଶବିଶ୍ ଚାଲ୍ ଚଳାଇପାରନ୍ତି ତାହା ଜାଣିବା ପାଇଁ ଆମକୁ ଏହି ଚର୍ଚ୍ଚାଧାରା ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ । ସେଥିପାଇଁ ନିମ୍ନସ୍ଥ ସ୍କ୍ରିନସଟ ପ୍ରତି ଦୃଷ୍ଟି ଦିଆଯାଉ ।

 

ବନ୍ଦେ ଉତ୍କଳ ଜନନୀ ଗୀତ ପାଇଁ ଲୋକଙ୍କ ଆବେଗ ଥିବା ବେଳେ ଓଡ଼ିଆ ଜାତିର ଜାତୀୟ ସଙ୍ଗୀତ ଭାବେ ତାହାର ଅଭ୍ୟୁଦୟର “ପ୍ରଥମ ଉଦ୍ୟୋକ୍ତା” ରୂପେ ଏଥିରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରଦର୍ଶିତ କରାଯାଇଛି , ଯେତେବେଳେ ସରକାରଙ୍କଠାରୁ ଆର୍ଥିକ ଫାଇଦା ପାଇଁ ଭାଷା ଆନ୍ଦୋଳନକୁ ଛୁରି ମାରିଥିବା ଅଭିଯୋଗକୁ ସେ ଖଣ୍ଡନ କରିବାକୁ ଅସମର୍ଥ ।

ବହୁ ଭାବିଚିନ୍ତି ଏହି ଯେଉଁ ଚାଲ୍ ଚଳା ଯାଇଛି ତାକୁ ଫେସ୍ ବୁକ୍ ମାଧ୍ୟମରେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କର ଜଣେ ଅନୁଗତ ଶ୍ରୀ ଆଶିଷ ରଞ୍ଜନ ମହାପାତ୍ର ମଇ ୨୯, ରାତି ୯.୪୬ରେ ।

ଏହି ଉପସ୍ଥାପନାର ବିଶ୍ଳେଷଣ ବହୁ କଥା କହିବ । ମୁଁ ସେ ସବୁ ଭିତରକୁ ନଯାଇ ଯେଉଁ ଯେଉଁଠି ଚାରିଶବିଶ୍ ଚାଲ୍ ପରିଦୃଶ୍ୟମାନ, କେବଳ ସେଇସେଇଠିକି ଯିବି । ସେ ଯେଉଁ ମିଛ କହିଛନ୍ତି ତାହା କାହିଁକି କହିଛନ୍ତି ତାହା ଯଦି ସ୍ପଷ୍ଟ ନକରିବେ, ବୁଝିବାକୁ ହେବ ଯେ, ପ୍ରଦ୍ୟୁମ୍ନ ଶତପଥୀଙ୍କ ବୋଲରେ ସେ ଏହି ଚାରିଶବିଶ୍ ଚାଲ୍ ଖେଳିଛନ୍ତି ।

ଚାରିଶବିଶ୍ ଚାଲ୍ (୨)

ଏହି ଚାଲ୍ ପାଇଁ ସେ ବାଛିଛନ୍ତି “୨୦୦୨ ମସିହା, ନଭେମ୍ବର ୧୬ ତାରିଖ, ‘ଜାତୀୟ ସାମ୍ବାଦିକ ଦିବସ’ ପାଳନ ଅବସରରେ ଭୁବନେଶ୍ବରସ୍ଥିତ ସୂଚନା ଭବନର (ଅନୁଷ୍ଠିତ) ଏକ ଭରପୂର ସଭା”କୁ ପ୍ରେକ୍ଷାପଟ ଭାବେ ।

ସେ ଲେଖିଛନ୍ତି , “ନୀରବତା ଭଙ୍ଗ କରି ସୁଲଳିତ ମୂର୍ଚ୍ଛନାରେ ମଞ୍ଚ ଉପରୁ ଭାସିଆସିଲା “ବନ୍ଦେ ଉତ୍କଳ ଜନନୀ…” ସହସା ପ୍ରଦ୍ୟୁମ୍ନ ଶତପଥୀ ଠିଆ ହୋଇପଡିଲେ । ତାଙ୍କ ପାର୍ଶ୍ବରେ ମୁଁ ବି ମଥାନତ ମୁଦ୍ରାରେ ଦଣ୍ଡାୟମାନ ହେଲି । ମୋ ପରେ ଅନ୍ୟ ଦୁଇଜଣ, ନାମ ଭୁଲିଯାଇଛି, ସେମାନେ ଠିଆହେଲେ । ଆମ ଠିଆହେବାର ମୁହୂର୍ତ୍ତକ ମଧ୍ୟରେ ସଭାରେ ଉପସ୍ଥିତ ଶହ ଶହ ଦର୍ଶକ ତଳ-ଉପର ସମସ୍ତେ ବିନା ଦ୍ବିଧାରେ “ବନ୍ଦେ ଉତ୍କଳ ଜନନୀ”ଙ୍କ ସମ୍ମାନାର୍ଥେ ସମ୍ପୂର୍ଣ୍ଣ ନୀରବତାର ସହ ଦଣ୍ଡାୟମାନ ହେଲେ ।“

ଅତଏବ ସେ ଦର୍ଶାଇଛନ୍ତି – ଏହି ସଙ୍ଗୀତ ପ୍ରତି ସମ୍ମାନ ଜଣାଇ ପ୍ରଦ୍ୟୁମ୍ନ ଓ ତାଙ୍କ ପାର୍ଶ୍ଵଚରମାନେ ଠିଆ ହୋଇନଥିଲେ, “ଉପସ୍ଥିତ ଶହ ଶହ ଦର୍ଶକ” ଠିଆ ହୋଇନଥାନ୍ତେ । ଏହା ଏକ ସମ୍ପୂର୍ଣ ମିଥ୍ୟା ଆସ୍ଫାଳନ । ସତ୍ୟ ହେଲା, ବାଚସ୍ପତି ଶରତ କୁମାର କର, ଯେ କି ୨୦୦୨ ନଭେମ୍ବର ୧୬ର ବହୁ ପୂର୍ବରୁ ବିଧାନନସଭା ଅଧିବେଶନର ଅନ୍ତିମ କାର୍ଯ୍ୟକ୍ରମ ଭାବେ ଏହାର ପ୍ରବର୍ତ୍ତନ କରିଥାନ୍ତି, ସେଦିନ ଏହାର ପରିବେଷଣ ପୂର୍ବରୁ ଉପସ୍ଥିତ ଆମ ସମସ୍ତଙ୍କୁ ନୀରବରେ ଠିଆ ହୋଇ ଏହାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ ଓ ତଦନୁଯାୟୀ ଆମେ ସମସ୍ତେ ତାହା ଆନନ୍ଦରେ ପାଳନ କରିଥିଲୁ । ସୂଚନା ଭବନର ଶ୍ରୋତାମାନେ ଠିଆ ହୋଇ ଏହାକୁ ସମ୍ମାନ ଦେବାରେ ପ୍ରଦ୍ୟୁମ୍ନ ଶତପଥୀ ବା ତାଙ୍କ ପାର୍ଶ୍ଵଚରଙ୍କର କୌଣସି ଭୂମିକା ନଥିଲା ।

ଚାରିଶବିଶ୍ ଚାଲ୍ (୩)

ଏହି ଚାଲ୍ ଚାଳନା ପାଇଁ ଯେଉଁ ବାକ୍ୟଗୁଡିକ ବ୍ୟବହୃତ ହୋଇଛି ସେଗୁଡ଼ିକ ହେଲା –

(କ) “ମଞ୍ଚ ତଳେ ଠିଆହୋଇ ପ୍ରଦ୍ୟୁମ୍ନ ଯୋଡହସ୍ତରେ ମଞ୍ଚାସୀନ ଅତିଥି ଓ ଶ୍ରୋତୃମଣ୍ଡଳୀଙ୍କୁ ନିବେଦନ କଲେ ଆସନ୍ତା କାଲି ବିଧାନସଭାରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତକୁ ଓଡିଶାର ଜାତୀୟ ସଙ୍ଗୀତ ରୂପେ ଘୋଷଣା କରାଯିବାର ପ୍ରକ୍ରିୟା ଆରମ୍ଭ କରିବାକୁ ବାଚସ୍ପତି ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି । (ବାକ୍ୟଗଠନର ପ୍ରମାଦ ମହାପାତ୍ରଙ୍କର)
(ଖ) “ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଶରତ କୁମାର କର ମହୋଦୟ ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାର ଉଦଘୋଷଣା କଲେ । ତହିଁପରଦିନ ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା ଏବଂ “ବନ୍ଦେ ଉତ୍କଳ ଜନନୀ” କୁ ଦଳ-ମତ ନିର୍ବିଶେଷରେ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବାପାଇଁ କାର୍ଯ୍ୟାନ୍ବୟନ ଆରମ୍ଭ ହେଲା ।“

ଡାହାମିଛ

ଏହି ଦୁଇଟି ବାକ୍ୟରେ କିପରି ଅତ୍ୟନ୍ତ ନିର୍ଲଜ ଭାବେ ଡାହାମିଛ ହିଁ କୁହା ହୋଇଛି ତାହା ଜାଣିବାକୁ ଆମେ ଜାକିହୋଇଆସିବା ସବୁଠୁ ପ୍ରାସଙ୍ଗିକ ଶବ୍ଦଦୁଇଟି ପାଖକୁ । ସେଗୁଡିକ ହେଲା “ଆସନ୍ତାକାଲି” ଓ “ତହିଁପରଦିନ” , ଯାହା ଆସନ୍ତାକାଲି ଅର୍ଥରେ ହିଁ ଉଲ୍ଲିଖିତ ହୋଇଛି ।

ପ୍ରଥମତଃ, “ଆସନ୍ତାକାଲି ବିଧାନସଭାରେ” ଗୀତଟିକୁ ଓଡ଼ିଶାର ଜାତୀୟ ସଙ୍ଗୀତ ବୋଲି ଘୋଷଣା କରିବାକୁ ପ୍ରଦ୍ୟୁମ୍ନ ଶତପଥୀ ବାଚସ୍ପତିଙ୍କୁ କହିବା ଏବଂ “ଆସନ୍ତାକାଲି ହିଁ ବିଧାନସଭାରେ ଏ ପ୍ରସଙ୍ଗ ନିଜେ ଉତ୍ଥାପିତ କରି ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା”କୁ ବାଚସ୍ପତିଙ୍କ ଘୋଷଣା ଆସନ୍ତାକାଲିଭିତ୍ତିକ  । ଆସନ୍ତାକାଲି ଅର୍ଥ ୧୭.୧୧.୨୦୦୨ ।

ଦ୍ଵିତୀୟତଃ, ଯାହା କୁହା ହୋଇଛି ତାହା ହେଲା “ତହିଁପରଦିନ” ଅର୍ଥାତ୍ ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” ।

ବାବୁ ଆଶିଷ ରଞ୍ଜନ ମହାପାତ୍ର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଭାବେ ଏହା ଉଲ୍ଲେଖ କରିଛନ୍ତି ଓ ୧୬.୧୧.୨୦୦୨ ତାରିଖରେ ସୂଚନାଭବନରେ ବାଚସ୍ପତି କରିଥିବା “ଉଦ୍ଘୋଷଣା” ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ” “ଘଟିଲା” ବୋଲି କହିଛନ୍ତି ।

ଏପରି ଡାହାମିଛ କୌଣସି ପେଷାଦାର ମିଛ ସାକ୍ଷୀ ବି କହିବାକୁ ଡରିବ । ଅଥଚ ନିଃଶଙ୍କୋଚ କହିଛନ୍ତି ପ୍ରଦ୍ୟୁମ୍ନ ଶତପଥୀଙ୍କ ଏହି ପାର୍ଶ୍ଵଚର !

ବିଧାନସଭା ତ ଆଦୌ ନଥିଲା ନଭେମ୍ବର ମାସରେ । ୧୭.୧୧.୨୦୦୨ ତାରିଖରେ “ବାସ୍ତବରେ ବିଧାନସଭାରେ ତାହାହିଁ ଘଟିଲା” କିପରି? ଜାଲିଆତିର କେତେ ଚାଲ୍ ଚଳାଇବେ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ପାର୍ଶ୍ଵଚରମାନେ?

ତତ୍କାଳୀନ ବିଧାନସଭାର ଅଷ୍ଟମ ଅଧିବେଶନ ୨୩.୯.୨୦୦୨ରୁ ଆରମ୍ଭ ହୋଇ ୧୦.୧୦.୨୦୦୨ ତାରିଖରେ ଶେଷ ହୋଇଥିଲା ଓ ପରବର୍ତ୍ତୀ ଅଧିବେଶନ, ଯାହା ୦୨.୧୨.୨୦୦୨ ତାରିଖରେ ଆରମ୍ଭ ହୋଇଥିଲା, ତାହା ୧୬.୧୧.୨୦୦୨ ବା ୧୭.୧୧.୨୦୦୨ରେ ବସିବାର ବି ନଥିଲା ।

କେଉଁ କାରଣ ହେତୁ ସେ ଏହି ଚାରିଶବିଶ୍ ଚାଲ୍ ଖୋଦିତ କରିଛନ୍ତି ଫେସ୍ ବୁକ୍ କାନ୍ଥରେ ତାହା ଯଦି ସ୍ପଷ୍ଟତଃ ପ୍ରକାଶ ନକରନ୍ତି, ଏହା ସ୍ପଷ୍ଟ ହେବ ଯେ, ସରକାରଙ୍କ ସୁପାରି ନେଇ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅପୋଦ୍ୟମ କରିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରମାଣ ଭିତ୍ତିରେ ମୁଁ ସ୍ତର ସ୍ତର ବିବସ୍ତ୍ର କଲା ପରେ ଇଜ୍ଜତ ବଞ୍ଚାଇବା ପାଇଁ ସେ ଯେଉଁ ଅପଚେଷ୍ଟା ଚଳାଇଛନ୍ତି, ତହିଁର ଗୋଟାଏ ଗୋଟି ଭାବେ ଅବତୀର୍ଣ୍ଣ ହୋଇଛନ୍ତି ମହାପାତ୍ର ମହାଶୟ ଏବଂ ଏହି ଡାହାମିଛ ପରିବେଷଣ କରି ସରକାରୀ ଦଲାଲ ଭାବେ ଫୁଙ୍ଗୁଳା ହୋଇପଡ଼ିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଏପରି ସାତସିଆଁ ଲୁଗା ପିନ୍ଧାଇ ପୁଣି କେଉଁ ସାମାଜିକ ଆନ୍ଦୋଳନକୁ ଭାଙ୍ଗିବା ସକାଶେ ସରକାରୀ ଦଲାଲ ସାଜିବାକୁ ଭେକ ଯୋଗାଇଛନ୍ତି ।

ଆଶିଷ ରଞ୍ଜନଙ୍କ ଏହି ଡାହାମିଛର ହିରୋ ପ୍ରଦ୍ୟୁମ୍ନ ଶତପଥୀ ଏ ସମ୍ପର୍କରେ ଅବଗତ । କାରଣ ଏହି ଲେଖାଟି ସମ୍ପର୍କରେ ଶ୍ରୀ ତୁଷାରକାନ୍ତ ଶତପଥୀ ତାଙ୍କୁ ମେସେଜ୍ (message) ମାଧ୍ୟମରେ ଅବଗତ କରାଇଥିବା ସଙ୍ଗେ ସଙ୍ଗେ ଫୋନ୍ ଯୋଗେ କଥା ବି ହୋଇଥିଲେ । ଏହି ଚର୍ଚ୍ଚାଧାରାରେ ସେ ଦେଇଥିବା ମନ୍ତବ୍ୟର ଆବଶ୍ୟକୀୟ ଅବିକଳ ନକଲ ନିମ୍ନରେ :

Tusarkanta Satapathy ଆଶିଷଜୀ,
ଶ୍ରଦ୍ଧେୟ ପ୍ରଦ୍ଯୁମଙ୍କୁ ଗତ କାଲି(28.5) ଏ ବିଷୟରେ ଜଣାଇ ବ୍ୟବସ୍ଥା କରେଇବାକୁ ମେସେଜ କରିଥିଲି।ଆଜି ସକାଳେ ଫୋନ କରିଥିଲି ଓ ସେ କହିଥିଲେ ” ପନ୍ଦର ମିନିଟ୍ ପରେ କଥା ହେବି”।

ଅଥଚ, ଏଥିରେ ଯେଉଁ ଭୟଙ୍କର ମିଥ୍ୟା ପ୍ରଚାରିତ ହୋଇଛି ତାହାକୁ ସେ ଏଯାଏଁ ଖଣ୍ଡନ କରିନାହାନ୍ତି । ପଇସା ପାଇଁ ଯେଉଁ ଲୋକ ଭାଷା ଆନ୍ଦୋଳନକୁ ଛୁରିମାରିପାରେ, ଲୋକଙ୍କୁ ଭୁତାଇବା ପାଇଁ ସେ କେଉଁ ଚାରିଶବିଶ୍ ଚାଲ୍ ଚଳାଇ ବା ନପାରେ?

ଭାଷା ଆନ୍ଦୋଳନ ଛାତିରେ ଛୁରା // ଅପରାଧ ଘୋଡ଼େଇବା ବି ଏକ ଅପରାଧ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପ୍ରଥମେ ଏହି ଭିଡ଼ିଓ ଦେଖାଯାଉ :

ସୁଭାଷ ଚନ୍ଦ୍ର ପଟ୍ଟନାୟକ , ଅଧକ୍ଷ ଭାଷା ଆନ୍ଦୋଳନ ,ଓଡିଶା

ଭାଷା ଆଇନ ନାଁରେ ଓଡିଆ ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ରାଜ୍ୟ ସରକାର : ସୁଭାଷ ଚନ୍ଦ୍ର ପଟ୍ଟନାୟକ , ଅଧକ୍ଷ ଭାଷା ଆନ୍ଦୋଳନ ,ଓଡିଶା

Posted by NNS ODIA on Tuesday, September 4, 2018

NNS ODIA ଦ୍ଵାରା ୪.୯.୨୦୧୮ ତାରିଖରେ ଏହା ସିଧା ପ୍ରସାରିତ ହୋଇଥିଲା ।

ମୁଁ ଏଥିରେ ଆଗତ କରିଥିବା ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ବା ତାଙ୍କ ତରଫରୁ କୌଣସି ଅଧିକୃତ ମନ୍ତ୍ରୀ ନ ଦେଇ ପ୍ରଦ୍ୟୁମ୍ନ ଶତପଥୀ ଏହି ଏକା ଚ୍ୟାନେଲରେ ତହିଁ ପରଦିନ ମୋତେ ମୋର ଏହି ଅଭିଯୋଗର ଜବାବ ଦେଇ ଯେଉଁ ଅଶ୍ଳୀଳ ବାଚନିକ ଆକ୍ରମଣ କରିଥିଲେ ତାହା ଦଣ୍ଡବିଧି ସଂହିତା ଆକର୍ଷଣ କରୁଥିବା ବେଳେ ଏହି ଚ୍ୟାନେଲ ତାହାକୁ ଅନ୍ତର୍ହିତ କରାଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛି ।

ଆଲୋଚନାକ୍ରମେ ମୁଁ ଏକଥା ଏଠାରେ ଉପସ୍ଥାପିତ କରି ଏହି ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିଥିଲି ।

ଚ୍ୟାନେଲଟିର ଦାୟିତ୍ଵାସୀନ ଶ୍ରୀରାମ ଦାସ ମୋତେ ଗତକାଲି ଫୋନ କରି କହିଲେ ଯେ, ତାହା ଅରୁଚିକର ହୋଇଥିବା ହେତୁ ମୋ ବୟାନ ସମେତ ପ୍ରଦ୍ୟୁମ୍ନଙ୍କ ଜବାବୀ ବୟାନକୁ ତାଙ୍କ ଚ୍ୟାନେଲ ଡିଲିଟ୍ କରିଦେଇଛି । ସେ ଭୁଲ କହିଛନ୍ତି । କାରଣ ମୋ ବୟାନ ବହନ କରିଥିବା ଏହି ଭିଡ଼ିଓ ଏଯାଏଁ ବି ଯଥାପୂର୍ବ ଅଛି । ଶ୍ରୀରାମ ବାବୁ ତାଙ୍କ ଅଭିସନ୍ଧି ସ୍ପଷ୍ଟ କରିବା ଉଚିତ । କାରଣ, ଅପରାଧକୁ ଘଣ୍ଟ ଘୋଡ଼େଇବା ମଧ୍ୟ ଏକ ଅପରାଧ ।

ମୁଁ ଅନୁରୋଧ କରୁଛି, ଶ୍ରୀରାମବାବୁ ପ୍ରଦ୍ୟୁମ୍ନ ଶତପଥିଙ୍କ ବୟାନକୁ ତୁରନ୍ତ ଘୋଡ଼ଣୀ ତଳୁ ପଦାକୁ ଆଣି ପ୍ରକାଶ କରନ୍ତୁ । ତଦ୍ଦ୍ଵାରା ସମସ୍ତେ ଜାଣିପାରିବେ ଯେ, ଏ ଭଦ୍ରଲୋକ ମୋ ଅଭିଯୋଗର କି ଜବାବ ଦେଇଥିଲେ ଓ କାହିଁକି ଏପରି ଡରିଗଲେ ଯେ, ଲୁଚାଇ ପକାଇଲେ ।

ଭାଷା ଆନ୍ଦୋଳନ ମୁଁ ସୃଷ୍ଟି କରିଥିଲି ଭାଷା ଆଇନର ଆବଶ୍ୟକୀୟ ସଂଶୋଧନ ପାଇଁ ସରକାରଙ୍କୁ ପ୍ରଦତ୍ତ ମୋ ପ୍ରସ୍ତାବର କାର୍ଯ୍ୟକାରୀତା ସକାଶେ । ଏ ଭଦ୍ରଲୋକ ମୋତେ ସାହାଯ୍ୟକରିବା ପ୍ରତିଶ୍ରୁତି ଦେଇ ମୋ ସହ ଜଡ଼ିତ ହୋଇଥିଲେ । ସବୁ ତ ଭଲରେ ଚାଲିଥିଲା । ମୁଁ ସରକାରଙ୍କ ସହ ବୌଦ୍ଧିକ ସଂଘର୍ଷ କରୁଥିଲି, ଆନ୍ଦୋଳନ ସପକ୍ଷରେ ସାହିତ୍ୟ ସୃଷ୍ଟି କରୁଥିଲି , ରଣକୌଶଳ ନିର୍ମାଣ କରୁଥିଲି ; ପ୍ରଦ୍ୟୁମ୍ନ ଲୋକବଳ ଦାୟିତ୍ଵରେ ଓ ପବିତ୍ର ଆମ କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ପଠାଇବା ଦାୟିତ୍ବରେ ରହି ଏକାନ୍ତ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ମୁଁ କଣ କେବେ କଲ୍ପନା କରିପାରିଥିଲି ଯେ, ସମୟ ଆସିବ, ଏମାନେ ଅର୍ଥଲୋଭର ବଶବର୍ତ୍ତୀ ହୋଇ ଭାଷା ଆନ୍ଦୋଳନକୁ ଛୁରିମାରିବେ? ତା ସାଙ୍ଗକୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ମୋ ଉପରେ ଗାଳିବର୍ଷଣ ବି କରିବେ ?

ଏମାନଙ୍କ ଅସଲ ଚେହେରା ପଦାକୁ ନ ଆସିଲେ ଭାଷା ଆନ୍ଦୋଳନ ପରି ଏକ ସାମାଜିକ ଆନ୍ଦୋଳନ କେଉଁ କିସମର ଲୋକଙ୍କ ହାବୁଡ଼ରେ ପଡ଼ି କି ଦଶା ଭୋଗିପାରେ ତାହା ଜାଣିନପାରି ଭବିଷ୍ୟତର ଜନମଙ୍ଗଳକାମୀ ଆନ୍ଦୋଳନକାରୀମାନେ ଏହିପରି ସଙ୍କଟଗ୍ରସ୍ତ ହୋଇପାରନ୍ତି ।

 

ଭାଷା ଆନ୍ଦୋଳନ ଛାତିରେ ଛୁରା// ଅପରାଧ ଲୁଚାଇବା ଚେଷ୍ଟାରେ ଅପରାଧୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଦୁଇ ଘନିଷ୍ଠ ଅଥଚ ଅର୍ଥଲୋଲୁପ ସହକର୍ମୀ ପ୍ରଦ୍ୟୁମ୍ନ  ଶତପଥୀ ଓ ପବିତ୍ର ମହାରଥାଙ୍କୁ ବ୍ୟବହାର କରି ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଅବ୍ୟାହତ ରଖିଥିଲେ । ସେ କଥା ତ ଏହି ନଭମଞ୍ଚରେ ମୁଁ ସପ୍ରମାଣ ଆଲୋଚନା କରିଛି ଓ ଜନସାଧାରଣ ସବୁ କଥା ଜାଣିବା ପର୍ଯ୍ୟନ୍ତ ଅଧିକରୁ ଅଧିକ ତଥ୍ୟ ସହ ମୁଁ ଆଗକୁ ବି ଆଲୋଚନା କରିବି । ଏହି କ୍ରମରେ ସଂଯୁକ୍ତ ଶାବ୍ଦିକ ଭିଡ଼ିଓଟି ପ୍ରଣିଧାନଯୋଗ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରିତ୍ୟର୍ଥେ ବୈଷ୍ଣବ ଚରଣ ପରିଡ଼ାଙ୍କ ଉପରେ ଏହି ଦୁଷ୍ଟ ଗୋଷ୍ଠୀ ଯେଉଁଭଳି ଗାଳିବର୍ଷଣ କରିଥିଲେ ତାହା ଏଥିପୂର୍ବରୁ ମୁଁ ଦର୍ଶାଇଛି । ଠିକ୍ ସେହିପରି ସାଙ୍ଗରେ ପବିତ୍ର ଓ ଗୋଟେ ଅଜ୍ଞାତକୁଳଶୀଳ ଗ୍ୟାଙ୍ଗକୁ ଧରି ଏହି ଏକା ପ୍ରଦ୍ୟୁମ୍ନ ଶତପଥୀ ଗତ ୫.୯.୨୦୧୮ ସନ୍ଧ୍ୟାରେ ମୋ ବିରୁଦ୍ଧରେ ଏକ ଭିଡ଼ିଓ ଜାରିକରିଥିଲେ ଭୂବନେଶ୍ଵରର କୌଣସି ଏକ ରାସ୍ତା କଡ଼ରେ । NNS-Odia ନାମକ ଏକ ଚ୍ୟାନେଲ ତାହାକୁ ସିଧା ପ୍ରସାରଣ କରିଥିଲା, ଯାହା ଥିଲା ତହିଁ ପୂର୍ବଦିନ ମୋ ବୟାନର ପ୍ରସାରଣକର୍ତ୍ତା । ଭାଷା ଆଇନ ସଂଶୋଧନ କ୍ଷେତ୍ରରେ ଓଡ଼ିଆ ଜାତିକୁ ପ୍ରତାରିତ କରିଥିବା ହେତୁ ଓ ବିଧାନସଭାକୁ ଦ୍ଵିତୀୟ ଥର ମିଛ କହି ୧.୫.୨୦୧୮ ତାରିଖରେ ଏକ ହାନିକାରକ ଧାରା ଖଞ୍ଜି ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ପାଇଁ ଷଡ଼ଯନ୍ତ୍ର କରିଥିବା ହେତୁ ବିଧାନସଭା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମୁଁ ସେହି ସାମ୍ବାଦିକ ସମ୍ମିଳନୀରେ କହିଥିଲି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିଦ୍ୟୁତ୍ ବେଗରେ ଚାପ ପକାଇ ମୋ ବୟାନକୁ ସେଦିନ ଚାପି ଦେଇଥିଲେ ମଧ୍ୟ ୟୁଟ୍ୟୁବ୍ ସହ ଜଡ଼ିତ ଏହି ଚ୍ୟାନେଲଟି ଯେହେତୁ ସିଧା ପ୍ରସାରଣ କରିଥିଲା ତାହା ଉପରେ କଳାଢାଙ୍କୁଣୀ (blackout) କାଇଦା କାମ କରିନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଚାହିଁଲା କି, ମୁଖ୍ୟମନ୍ତ୍ରୀଙ୍କ ସୁପାରିଖିଆ ପ୍ରଦ୍ୟୁମ୍ନ ଶତପଥୀ ଯେପରି ବୈଷ୍ଣବ ପରିଡ଼ାଙ୍କୁ  ଗାଳି ଦେଇଥିଲେ ସେହିପରି ସେହି ଏକା ଚାନେଲରେ ମୋତେ ବି ଗାଳିଦିଅନ୍ତୁ ଯାହା ସିଧା ପ୍ରସାରଣ ହେବ ଏବଂ ପ୍ରଚାରିତ ହେବ ମୁଁ ଉଠାଇଥିବା ଅଭିଯୋଗର ଜବାବ ଭାବେ ।

କିଛିଦିନ ପରେ କଥାଟି ମୋ କାନରେ ବାଜିଲା । ମୁଁ ଭିଡ଼ିଓଟିକୁ ଦେଖିଲି । ଅତ୍ୟନ୍ତ ଅରୁଚିକର ଅଶ୍ଳୀଳ ଶବ୍ଦର ଗର୍ଜନ । ଉତ୍ତମ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା ବ୍ୟକ୍ତି ପକ୍ଷେ ଏପରି ଅଶ୍ଳୀଳ ଗର୍ଜନ କେବେ ବି ସମ୍ଭବ ନୁହେଁ । ଦୁଃଖ ଲାଗିଲା ଯେ, ଏହିପରି ଲୋକକୁ ମୁଁ ମୋର ସହକର୍ମୀଭାବେ ନେଇ ମୁଁ ପ୍ରତିଷ୍ଠା କରିଥିବା ଆଂଦୋଳନର ସଞ୍ଚାଳକ ଓ ପରେ ସଭାପତି କରାଇଥିଲି । ମୁଁ ନିଷ୍ପତ୍ତି କଲି ଯେ, ଏହାକୁ ଆଇନ ହାତରେ  ଟେକିଦେବା ଉଚିତ ହେବ । ମାତ୍ର ଏ ଲୋକ ଏତେ ଧୂର୍ତ୍ତ ଯେ, ସମଗ୍ର ଭିଡ଼ିଓରେ କେଉଁଠି ବି ମୋ ନାମ ନିଆ ହୋଇନଥିଲା । ଚ୍ୟାନେଲଟି ଯଦି ଏହାର ଶୀର୍ଷକରେ ଲେଖିନଥାନ୍ତେ, “ଭାଷା ଆଂଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଣିଥିବା ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ”, ତେବେ ଏହି ଅଶ୍ଳୀଳ ଶବ୍ଦବାଣ ଯେ ସେ ମୋ ଉପରେ ପ୍ରହାର କରିଛନ୍ତି, ତାହା ମୁଁ ବିଶ୍ଵାସ କରିନଥାନ୍ତି । ଏପରି ଅଶ୍ଳୀଳତା ପାଇଁ ଦଣ୍ଡବିଧାନ ଆବଶ୍ୟକ । ମାତ୍ର ଯେହେତୁ ସେ ମୋ ନାମ ନେଇନଥିଲେ, ଚ୍ୟାନେଲଟି ମୋ ନାମ ଉଲ୍ଲେଖ କରିଥିଲେ ମଧ୍ୟ ତାହା ଶୁଣାକଥା (hearsay) ଭାବେ ମନେହେବ । ତେଣୁ, ପ୍ରକୃତ କଥା ଜାଣିବା ପାଇଁ ମୁଁ ପ୍ରଦ୍ୟୁମ୍ନ ବାବୁଙ୍କୁ ଇ-ମେଲ କଲି । ସମ୍ପୃକ୍ତ ଚ୍ୟାନେଲକୁ ବି ପଚାରିଲି, ଭିଡ଼ିଓଟିରେ ମୋ ନାମ ନଥିବା ବେଳେ ତହିଁର ପ୍ରସାରକ ମୋ ନାମ କାହିଁକି ଲେଖିଛନ୍ତି ? ସେ କହିଲେ, ଯେହେତୁ ମୋ ବୟାନ ୪.୯.୨୦୧୮ରେ ଚ୍ୟାନେଲଟି ସିଧା ପ୍ରସାରଣ କରିଥିଲେ, ସେହେତୁ ସେ ତାର ହବାବ ଦେବା ପାଇଁ ଚ୍ୟାନେଲଟିକୁ ସେହିପରି ବ୍ୟବହାର କରିବାକୁ ଚାହାନ୍ତି ବୋଲି କହିଥିବାରୁ ଶୀର୍ଷକତି ତଦ୍ଦୃପ ହୋଇଥିଲା । ବିପଦ ଆସନ୍ନ ଜାଣି ସେହି ଅପମାନଜନକ ଭିଡ଼ିଓକୁ ଲୁଚାଇଦିଆଗଲା  ପରେ, ପ୍ରଦ୍ୟୁମ୍ନ ଶତପଥୀ ମୋ ଇ-ମେଲର ଉତ୍ତର ଦେଇ ଲେଖିଥିଲେ, “କାହିଁ କେଉଁ ଭିଡ଼ିଓ?”

ଚ୍ୟାନେଲଟିର ସଞ୍ଚାଳକ ଶ୍ରୀରାମ ଦାସଙ୍କୁ ମୁଁ ଫୋନ୍ କରିଥିଲି ପ୍ରଦ୍ୟୁମ୍ନ ଶତପଥୀଙ୍କ  ଅପରାଧର ପିଣ୍ଡ (corpus dilicti)କୁ  ନଲୁଚାଇ ପୁନଃ ପ୍ରକାଶ କରିବାକୁ । ସେ ସେଥିପାଇଁ ରାଜି ହୋଇଥିଲେ ଓ ତହିଁର ଏକ ନକଲ ମୋ ପାଖକୁ ପଠାଇବାକୁ ବି ପ୍ରତିଶ୍ରୁତି ଦେଇଥିଲେ । ଆଜି ଯାଏଁ ସେ ତାହା ପଠାଇ ନାହାନ୍ତି । ତାଙ୍କ ସହ ମୋ ଫୋନ୍ ଆଳପକୁ ମୁଁ ଏଥିସହ ପ୍ରକାଶ କରୁଛି । ଆଂଦୋଳନର ସ୍ମରଣିକା ଅର୍ଜିତ ପାଣ୍ଠି ତୋଷରପାତ କରିଥିବା ପବିତ୍ର ମହାରଥା ସହ ଶ୍ରୀରାମ ବାବୁଙ୍କ ଆଲୋଚନାର ସାରାଂଶ ମଧ୍ୟ ତାଙ୍କ କଣ୍ଠରେ ଏହି ଶବ୍ଦ-ଭିଡ଼ିଓରେ ଅଛି । ଭାଷା ଆଂଦୋଳନର ନିର୍ଭୁଲ ଆକଳନ ପାଇଁ ଏହାର ଗୁରୁତ୍ଵ ଅନସ୍ଵୀକାର୍ଯ୍ୟ ।